Diary Milk
ଜାନକୀଶ ବଡ଼ପଣ୍ଡା
ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ବହୁ ପଛରେ ପଡ଼ିଛି ଓଡ଼ିଶା। ଆମେ ଏବେ କେବଳ ଆଳୁ ନୁହେଁ, ଶ୍ୱେତ ବିପ୍ଲବରେ ମଧ୍ୟ ଏକ ଅଭାବୀ ରାଜ୍ୟ। ଓଡ଼ିଶାବାସୀ ପ୍ରତିଦିନ ୧୧୦ ଲକ୍ଷ ଲିଟର କ୍ଷୀର ଆବଶ୍ୟକ କରୁଥିଲା ବେଳେ ସମୁଦାୟ ଉତ୍ପାଦନ ହୁଏ ମାତ୍ର ୬୬ ଲକ୍ଷ ଲିଟର, ଯାହା ଆବଶ୍ୟକତାର ପ୍ରାୟ ୬୦ ପ୍ରତିଶତ। ୪୦ ପ୍ରତିଶତ କ୍ଷୀର ନଅଣ୍ଟ ପଡୁଥିବା କାରଣରୁ ଅତ୍ୟନ୍ତ ଗମ୍ଭୀର ପରିସ୍ଥିତି ସୃଷ୍ଟି ହେଉଛି। ଗୋ-ମହିଷାଦି ପଶୁଧନଙ୍କ ପାଇଁ ଆବଶ୍ୟକ ପଡୁଥିବା ଚାରଣ ଭୂମି କ୍ରମଶଃ କମିଚାଲିବା, ଗୋଖାଦ୍ୟ ଦାନା’ର ଅହେତୁକ ଦରବୃଦ୍ଧି, ଉନ୍ନତ ତଥା ଜାତିଆ ଦୁଧିଆଳୀ ଗାଈ ଓ ମଇଁଷିଙ୍କ ସଂଖ୍ୟା କମିଚାଲିବା, ପ୍ରଜନନ ଏବଂ ଚିକିତ୍ସାରେ ଅବହେଳା, ଦୁଗ୍ଧ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ଦିଆନଯିବା ଏବଂ ଉତ୍ପାଦିତ କ୍ଷୀର ନିୟମିତ ବିକ୍ରି ହୋଇ ନପାରିବା କାରଣରୁ ରାଜ୍ୟର ଗୋପାଳକମାନେ ଅନିଶ୍ଚିତତା ଭିତରକୁ ଠେଲି ହୋଇ ଯାଇଛନ୍ତି। ଏସବୁ ପ୍ରମୁଖ କାରଣରୁ ଓଡ଼ିଶାରେ ଦୁଗ୍ଧ ଉତ୍ପାଦନ ସଙ୍କଟକୁ ଠେଲି ହୋଇ ଯାଇଛି।
ଆଜିକାଲି ସଠିକ ଭାବେ ଉତ୍ପାଦନକ୍ଷମ ଗୋ-ମହିଷାଦି ପଶୁଧନ ସଂଖ୍ୟା କଳନା କରିବା କେବଳ ଏକ ଅନୁମାନ ମାତ୍ର। ତେବେ, ବିଂଶ ଗୃହପାଳିତ ପଶୁଗଣନା-୨୦୧୯ ତଥ୍ୟ ଅନୁଯାୟୀ ଓଡ଼ିଶାରେ ଗୋରୁଗାଈଙ୍କ ସଂଖ୍ୟା ଥିଲା ୧୯.୨୫ ଲକ୍ଷ ଏବଂ ମଇଁଷିଙ୍କ ସଂଖ୍ୟା ଥିଲା ୧୦.୯୮ ଲକ୍ଷ। ଉନ୍ନବିଂଶ ପଶୁଗଣନା -୨୦୧୨ ତଥ୍ୟ ଏବଂ ୨୦୧୫-୧୬ ଗୋରୁଗାଈଙ୍କ ଟିକାକରଣ ତଥ୍ୟ ଆଧାରରେ ଅନୁମାନ କରାଯାଇ ପାରେ ଯେ,ଏବେ ସୁଦ୍ଧା ସାମଗ୍ରିକ ଭାବେ ଏହି ସଂଖ୍ୟା ୩୧ ଲକ୍ଷକୁ ବଢ଼ିଛି। ଆକଳନ ଅନୁସାରେ ଓଡ଼ିଶାରେ ଦେଶୀ ଗାଈଙ୍କ ସଂଖ୍ୟା ପ୍ରାୟ ୨୦ ଲକ୍ଷ। କିନ୍ତୁ ଓଡ଼ିଶା ଦୁଗ୍ଧ ଚାଷୀ ମହାସଂଘର କାର୍ଯ୍ୟକର୍ତ୍ତାଙ୍କ ଆକଳନ ଅନୁସାରେ ଏହି ସଂଖ୍ୟା ୫-୬ ଲକ୍ଷକୁ କମିଆସିଛି। କମିଥିବାର କାରଣ ଭାବେ ସେମାନଙ୍କ କହିବା କଥା ଯେ, ଗ୍ରାମାଞ୍ଚଳରେ ଚାରଣଭୂମି କ୍ରମଶଃ କମି ଚାଲିଛି ଓ ଆବଶ୍ୟକ ପରିମାଣର ଘାସଚାଷ ହେଉନାହିଁ, ସହରାଞ୍ଚଳରେ ବଢୁଥିବା କଂକ୍ରିଟ୍ ଜଙ୍ଗଲ ଏବଂ ଦ୍ରୁତ ସହରୀକରଣ, ନଦୀ ପଠାରେ ବ୍ୟାପକ ଇଟାଭାଟି ଏବଂ ଲଘୁ ଖଣିଜ ବା ବାଲି ମାଫିଆଙ୍କ ଉତ୍ପାତ କାରଣରୁ ଗୋପାଳକମାନେ ଗୋପାଳନ କରିବାକୁ ଡରିଲେଣି। ପାରମ୍ପରିକ ଗୋଖାଦ୍ୟ ରୂପେ ବ୍ୟବହୃତ ନଡ଼ା ଓ ପାଳ, ମୁଗ-ବିରି ଫସଲରୁ ମିଳୁଥିବା ବୋତି ଆଜିକାଲି ମିଳୁନି। ଧାନ ମିଲ୍ ମାଲିକମାନେ ଉଷୁନା ଚାଉଳ ପ୍ରସ୍ତୁତି ପାଇଁ ‘କୁଣ୍ଡା’କୁ ଜାଳି ଧାନ ସିଝାଉ ଥିବାରୁ ଗୋଖାଦ୍ୟ ରୂପେ ଆବହମାନ କାଳରୁ ବ୍ୟବହୃତ କୁଣ୍ଡା ପ୍ରାୟ ମିଳୁନି କିମ୍ବା ମିଳିଲେ ବି ଦର ଅଧିକ। ଏଣୁ ଗୋପାଳକମାନେ ବାଧ୍ୟ ହୋଇ ଅଧିକ ମୂଲ୍ୟରେ ବଜାରରେ ମିଳୁଥିବା ଗୋଖାଦ୍ୟ କିଣୁଛନ୍ତି। ଏହାର ମୂଲ୍ୟବୃଦ୍ଧି ଗୋପାଳନ ପାଇଁ ବିପଦ ସୃଷ୍ଟି କରିଛି। କେବଳ ଅଟା-ସୁଜି-ମଇଦା କଳରୁ ବାହାରୁଥିବା ଚୁନି, ଚୋକଡ ଓ ଦାମୀ ଦାନା ହିଁ ଭରସା ଦେଉଛି। ଗୋଟିଏ ପଟେ, ଗୋଖାଦ୍ୟ ମୂଲ୍ୟ ଆକାଶ ଛୁଆଁ ହୋଇଥିଲା ବେଳେ ଅନ୍ୟପଟେ କ୍ଷୀର ମୂଲ୍ୟରେ ଆନୁପାତିକ ମୂଲ୍ୟବୃଦ୍ଧି ଘଟୁନାହିଁ।
ଏବେ ରାଜ୍ୟରେ ଦୁଗ୍ଧ ଚାଷୀଙ୍କ ସଂଖ୍ୟା ପ୍ରାୟ ୧୫ ଲକ୍ଷ। ସେଥି ମଧ୍ୟରୁ ଦୁଗ୍ଧ ସମବାୟ ସମିତି ମାଧ୍ୟମରେ ଓମଫେଡ୍ ସହ ଅନୁବନ୍ଧିତ ହୋଇଛନ୍ତି ପ୍ରାୟ ୨ ଲକ୍ଷ ୭୮ ହଜାର ଦୁଗ୍ଧ ଚାଷୀ। ଓମଫେଡ୍ ପ୍ରତିଦିନ ହାରାହାରି ୪ ଲକ୍ଷ ୩୦ ହଜାର ଲିଟର କ୍ଷୀର ସଂଗ୍ରହ କରେ। ରାଜ୍ୟର କିଛି ଘରୋଇ ସଂସ୍ଥା ମଧ୍ୟ ଦୁଗ୍ଧଚାଷୀଙ୍କ ଠାରୁ ନିୟମିତ ଭାବେ କ୍ଷୀର ସଂଗ୍ରହ କରନ୍ତି। ଏମାନଙ୍କ ମଧ୍ୟରେ ପ୍ରଗତି ମିଲ୍କ - ୧ ଲକ୍ଷ ୨୦ ହଜାର ଲିଟର, ମିଲ୍କ ମୁଁ - ୧ ଲକ୍ଷ ଲିଟର, ଓଡ଼ିଶା ଡାଏରି - ୨୫ ହଜାର ଲିଟର, ହେରିଟେଜ୍ ଡାଏରି ଏବଂ ବିଶାଖା ଡାଏରି ୧ ଲକ୍ଷ ଲିଟର କ୍ଷୀର ସଂଗ୍ରହ କରନ୍ତି। ତଥାପି ଚାଷୀମାନେ ଅଭାବୀ ବିକ୍ରିର ଶିକାର ହୁଅନ୍ତି। ଓଡ଼ିଶାର ଦୁଗ୍ଧ ବଜାର ଉତ୍ପାଦକଙ୍କ ଆବଶ୍ୟକତା ଅପେକ୍ଷା କ୍ରେତାଙ୍କ ମାର୍ଜି ଆଧାରିତ। ଧାନ ଓ ଦୁଗ୍ଧ ଚାଷରୁ ଲାଭ ମିଳୁ ନଥିଲେ ବି ଓଡ଼ିଶାର ଅଧିକାଂଶ ଚାଷୀ ପାରମ୍ପରିକ ଭାବେ ଏଥିରେ ମାତିଛନ୍ତି ଓ ଦୁର୍ଦ୍ଦଶାଗ୍ରସ୍ତ ଜୀବନ ଜିଉଁଛନ୍ତି।
ଓଡ଼ିଶାରେ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନରେ ପଶୁ ଚିକିତ୍ସା ମହାବିଦ୍ୟାଳୟ ରହିଛି, ଯେଉଁଠାରୁ ପ୍ରତିବର୍ଷ ଗୋପାଳନ, ଗୋ-ଚିକିତ୍ସା, ଦୁଧିଆଳୀ ଗୋ ସମ୍ପଦର ପୁଷ୍ଟିସାଧନ, ରୋଗ ନିୟନ୍ତ୍ରଣ ତଥା ଗୋ-ପ୍ରଜନନ କ୍ଷେତ୍ରରେ ଆଧୁନିକତମ ଜ୍ଞାନକୌଶଳ ଶିକ୍ଷାପ୍ରାପ୍ତ ଯୁବ-ପଶୁଚିକିତ୍ସକମାନେ ସୃଷ୍ଟି ହେଉଛନ୍ତି। ସେମାନଙ୍କ ମଧ୍ୟରୁ କିଛି ରହିଛନ୍ତି ମାଈ (ସ୍ତ୍ରୀ ଓ ପ୍ରସୂତୀ) ଗୋ-ମହିଷାଦି ବିଶେଷଜ୍ଞ। ତଥାପି, ରାଜ୍ୟରେ ପଶୁ ଚିକିତ୍ସାଳୟ ଓ ପ୍ରାଣୀଧନ ନିରୀକ୍ଷକ କେନ୍ଦ୍ର ଗୁଡ଼ିକରେ ବୈଷୟିକ କର୍ମଚାରୀଙ୍କ ଘୋର ଅଭାବ ରହିଛି। କର୍ମଚାରୀଙ୍କ ରହିବା ପାଇଁ ଘର ନାହିଁ ଓ ଚିକିତ୍ସାଳୟର ସ୍ୱାସ୍ଥ୍ୟ ଭଲ ନାହିଁ। ଉନ୍ନତ ମାଈ ବାଛୁରୀ ଜନ୍ମ ଦେବା ପାଇଁ ଜ୍ଞାନକୌଶଳ ପ୍ରୟୋଗଶାଳା ଓ ଶୁକ୍ରକୀଟ ସଂଗ୍ରହ, ଅଭିବୃଦ୍ଧି କେନ୍ଦ୍ର ନାହିଁ। ଫୁଲନଖରାରେ ୧୯୯୫ ମସିହାରେ ସ୍ଥାପିତ ପ୍ରାଣୀରୋଗ ଗବେଷଣା ଅନୁଷ୍ଠାନ ଅବସ୍ଥା ଭଲ ନାହିଁ। ସର୍ବଭାରତୀୟ ସ୍ତରରେ ଗୋଟିଏ ଦୁଧିଆଳୀ ଗାଈ ହାରାହାରି ୬.୨ ଲିଟର କ୍ଷୀର ଦେଉଥିଲା ବେଳେ, ଆମ ରାଜ୍ୟରେ ଦିଅନ୍ତି ମାତ୍ର ୪ ଲିଟର। ଉପରୋକ୍ତ କାରଣରୁ ଉତ୍ପାଦକତା କମ୍ ରହୁଥିଲେ ବି ସେଥିପାଇଁ ସରକାର ତତ୍ପରତା ଦେଖାଇ ନାହାନ୍ତି। ସେଥିପାଇଁ ଓଡ଼ିଶାରେ ଗୋପାଳନ ଏକ ଲାଭଜନକ ବୃତ୍ତି ହୋଇ ପାରିନାହିଁ ଏବଂ ଚାଷୀମାନେ ମୁହଁ ଫେରାଉଛନ୍ତି।
ଓଡ଼ିଶାରେ ଅଛି ୪,୫୦୦ ଦୁଗ୍ଧ ସମବାୟ ସମିତି। ସେଥି ମଧ୍ୟରୁ କାର୍ଯ୍ୟକ୍ଷମ ସମିତିର ସଂଖ୍ୟା ୨ହଜାରରୁ କମ୍। ବାକିତକ ରୁଗ୍ଣ ହୋଇ ଯାଇଥିବାରୁ ସେଗୁଡିକୁ ପୁନର୍ଜୀବନ ଦେବା ପାଇଁ ଏଯାଏଁ ପ୍ରୟାସ ହେଉନାହିଁ। ଯଦିଓ ଓମଫେଡ୍ ସହ ଅନୁବନ୍ଧିତ ଚାଷୀମାନଙ୍କୁ ୧ ଲକ୍ଷ ଟଙ୍କା ଦୁର୍ଘଟଣାଜନିତ ମୃତ୍ୟୁ ସହାୟତା ରାଶି ପ୍ରଦାନ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି ଗୋ-ସମ୍ପଦର ବୀମାଦେୟ ଛାଡ଼ କରିବା ବିଷୟରେ ସ୍ପଷ୍ଟ କରି ନାହାନ୍ତି। ତଥାପି, ଆନନ୍ଦର କଥା ଯେ, ମଇଁଷି ପାଳନ ଉଦ୍ୟୋଗର ବିକାଶ, ମାଈ ଛଡ଼ା ପାଳନ, ଗୋପାଳକଙ୍କୁ ନଗଦ ପ୍ରୋତ୍ସାହନ ଏବଂ ଘାସଚାଷ କରିବାକୁ ଆର୍ଥିକ ସହାୟତା ସମେତ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ବିଷୟରେ ଘୋଷଣା କରାଯାଇଛି। ସରକାରୀ ତଥ୍ୟ ଅନୁସାରେ ଆଜି ସୁଦ୍ଧା ୩ ଲକ୍ଷ ହିତାଧିକାରୀ ଏସବୁ ଯୋଜନାରୁ ପ୍ରାୟ ୭୧ କୋଟି ଟଙ୍କା ଲାଭ ପାଇ ସାରିଲେଣି। ଆଗାମୀ ୫ ବର୍ଷରେ ୧୫ ଲକ୍ଷ ଗୋପାଳକ ଏସବୁ ଯୋଜନାରେ ସାମିଲ ହୋଇଯିବେ ବୋଲି ସରକାର ଆଶାବାଦୀ I ଆଶା କରିବା ଯେ, ଘୋଷଣା ଗୁଡିକ ଘୋଷଣାରେ ରହି ନଯାଇ ବାସ୍ତବରେ ଦୁଗ୍ଧବନ୍ୟା ସୃଷ୍ଟିରେ ସହାୟକ ହେବ।
ପ୍ରତିବର୍ଷ କ୍ଷୀର ଚାହିଦା ସାଧାରଣତଃ ସେପ୍ଟେମ୍ବର ମାସଠାରୁ ଫେବୃୟାରୀ ଯାଏଁ ବଢ଼ିଯାଏ। ଏଣୁ, ଏହି ଛଅ ମାସ କାଳ ଓମଫେଡ୍ ପକ୍ଷରୁ ସଂଗୃହିତ କ୍ଷୀରର ମାନ ଅନୁଯାୟୀ ଲିଟର ପିଛା ପ୍ରୋତ୍ସାହନ ରାଶି ଭାବେ ୧ରୁ ୫ ଟଙ୍କା ପର୍ଯ୍ୟନ୍ତ ଦିଆ ଯାଉଛି। ଗତ ଜୁନ୍ ୧ ତାରିଖରେ ବିଶ୍ୱ ଦୁଗ୍ଧଦିବସ ପାଳନ ଅବସରରେ ରାଜ୍ୟ ସରକାର କ୍ଷୀର ଲିଟର ପିଛା ୩ ଟଙ୍କା ଅଧିକ ଦେବାକୁ ଘୋଷଣା କରିଛନ୍ତି, ଯାହା ଦୁଗ୍ଧଚାଷୀଙ୍କୁ ତଥା ଗୋପାଳନକୁ ପ୍ରୋତ୍ସାହିତ କରିବ। ଏହି ବର୍ଦ୍ଧିତ ଦୁଗ୍ଧମୂଲ୍ୟ ଅଢ଼େଇ ଲକ୍ଷ ଦୁଗ୍ଧଚାଷୀଙ୍କୁ ମିଳିବ ଏବଂ ବାର୍ଷିକ ପ୍ରାୟ ୪୨ କୋଟି ଟଙ୍କା ରାଜ୍ୟ ରାଜକୋଷରୁ ବ୍ୟୟ କରାଯିବ। ଦୁଗ୍ଧ ସମବାୟ ସମିତିର ସଭ୍ୟ ରହିଥିବା ଦୁଗ୍ଧଚାଷୀମାନେ ଏବେ ୩.୫ ପ୍ରତିଶତ ଲହୁଣୀ (ଫ୍ୟାଟ୍) ଓ ୮.୫ ପ୍ରତିଶତ ଛେନା (ଏସ୍ ଏନ୍ଏଫ୍) ଥିବା କ୍ଷୀର ଓମଫେଡକୁ ଯୋଗାଇ ଦେଇ ଲିଟର ପିଛା ପାଉଛନ୍ତି ୩୫ ଟଙ୍କା, ଯେତେବେଳେ କି ସେହି ସମାନ ପ୍ରକାର କ୍ଷୀରର ବଜାର ମୂଲ୍ୟ ହାରାହାରି ୫୦ ଟଙ୍କା। କେବଳ ଉତ୍ପାଦିତ କ୍ଷୀରକୁ ଓମଫେଡ୍ ନିଶ୍ଚିତ କ୍ରୟ କରୁଥିବାରୁ ସଂଗଠିତ ଦୁଗ୍ଧଚାଷୀ ଓମଫେଡକୁ କ୍ଷୀର ବିକିବାକୁ ବାଧ୍ୟ ହୁଅନ୍ତି। ଏବେ ସେହି କ୍ଷୀର ମୂଲ୍ୟ ଲିଟର ପିଛା ହେବ ୩୮ ଟଙ୍କା। ତାହା ଉପରେ ପ୍ରୋତ୍ସାହନ ବ୍ୟବସ୍ଥା ବି ରହୁଛି। ଯେତେବେଳେ ଓମଫେଡ କ୍ଷୀର କିଣିବାକୁ ମନା କରିଦିଏ କିମ୍ବା ଅନ୍ୟାନ୍ୟ କାରଣରୁ କ୍ଷୀର ନିଏ ନାହିଁ, ଚାଷୀମାନେ ରାସ୍ତାରେ କ୍ଷୀର ଢାଳି ପ୍ରତିବାଦ କରୁଥିବାର ଆମେ ଦେଖୁ।
ଓଡ଼ିଶାରେ ଉତ୍ପାଦିତ କ୍ଷୀରକୁ ଛେନା, ପନୀର ଓ ଦହି ଭାବେ ପ୍ରକ୍ରିୟାକରଣ କରାଯାଇ ଛେନାରୁ ରସଗୋଲା, ଛେନାପୋଡ଼, ଝିଲ୍ଲୀ ସମେତ ଭଳି କି ଭଳି ମିଠା ପ୍ରସ୍ତୁତ କରାଯାଉଥିବାରୁ, ମିଷ୍ଟାନ୍ନ-ଦୋକାନୀମାନେ ଶସ୍ତାରେ ଛେନା, ଦହି ଓ ବହଳ କ୍ଷୀର କ୍ରୟ କରିବାକୁ ଆଗ୍ରହୀ। ସେମାନଙ୍କ ପାଇଁ କ୍ଷୀରର ମାନ ଅପେକ୍ଷା ମୂଲ୍ୟ ଅଧିକ ମହତ୍ୱପୂର୍ଣ୍ଣ। ଏହାର ସୁଯୋଗନେଇ କିଛି ଅପମିଶ୍ରଣକାରୀ ଦୁଗ୍ଧ ବ୍ୟବସାୟକୁ ଅତ୍ୟନ୍ତ ନିମ୍ନସ୍ତରକୁ ନେଇଗଲେଣି। ଖାଦ୍ୟ ପରିଦର୍ଶକ ଓ ଯୋଗାଣ ବିଭାଗର ଅବହେଳା କିମ୍ବା ଅନୈତିକ ଗଠବନ୍ଧନ କାରଣରୁ ଦୁଗ୍ଧ ବ୍ୟବସାୟରେ ଅପମିଶ୍ରଣକାରୀଙ୍କ ପ୍ରାଦୁର୍ଭାବ ଏଭଳି ବଢି ଯାଇଛି ଯେ, ସଚ୍ଚୋଟ ଦୁଗ୍ଧଚାଷୀମାନେ ଏବେ ଉଭୟ ଆର୍ଥିକ ଏବଂ ବିଶ୍ୱାସ ସଙ୍କଟରେ। ଏହି ସଂକଟରୁ ଉଦ୍ଧାର ପାଇବା ପାଇଁ ଓଡ଼ିଶା ଦୁଗ୍ଧ ଚାଷୀ ମହାସଂଘର ଯେତିକି ଗୁରୁ ଦାୟିତ୍ୱ ରହିଛି ସମପରିମାଣରେ ଦାୟିତ୍ୱ ରହିଛି ଓମଫେଡ୍, ପ୍ରଗତି, ମିଲ୍କ ମୁ ସମେତ ସମସ୍ତ ଦୁଗ୍ଧ ସଂଗ୍ରହକାରୀ ସଂସ୍ଥା, ମିଷ୍ଟାନ୍ନ ବ୍ୟବସାୟୀ ସଂଘ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର। ଢିଲା ଶାସନ କାରଣରୁ ଅପମିଶ୍ରିତ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟର ସମାନ୍ତରାଳ ବଜାର ଚାଲିଛି। ଏବେ ସରକାର ଯେତେସବୁ ଯୋଜନା କଲେ ବି ଅପମିଶ୍ରଣ କାରଣରୁ ଗୋଦରା କୋଡ଼େ ଯେତେ ମାଡ଼େ ସେତେ ନୀତିରେ ଚାଷୀମାନେ ଲାଭାବାନ ହୋଇ ପାରିବେନି। ଏବେ ମଦ ଦୋକାନରେ ଯେତେ ଭିଡ଼ ମିଲ୍କ ପାର୍ଲରରେ ତାହାର ଅଧା ଭିଡ଼ ଦେଖା ଯାଉନି। ଓଡ଼ିଶାରେ ଗର୍ଭବତୀ ମାତୃ ଓ ନବଜାତ ଶିଶୁମୃତ୍ୟୁ ହାର ଅଧିକ ରହୁଥିବାର ବଡ଼ କାରଣ ହେଲା ଅପପୁଷ୍ଟିର ଶିକାର ହେଉଥିବା ମହିଳା। ସେମାନଙ୍କୁ ତଥା ସମସ୍ତ ଶିଶୁଙ୍କୁ ନିୟମିତ ଭାବେ ଦୁଗ୍ଧପାନ କରିବାକୁ ପ୍ରରୋଚିତ କରିବାକୁ ଏକ ଜନ ଆନ୍ଦୋଳନ ଆବଶ୍ୟକ। ଯୋଜନା କରିବା ସହିତ ଯୋଜନା ଗୁଡ଼ିକୁ ଲୋକମାନେ କିଭଳି ଆଦରି ନେବେ ତାହା ପାଇଁ ବ୍ୟବସ୍ଥା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶାରେ ଫଳୁଥିବା ଚିନାବାଦମ ଏବଂ କପାମଞ୍ଜି ପିଡ଼ିଆ, ଧାନରୁ ବାହାରୁଥିବା କୁଣ୍ଡା, ଖୁଦ ଏବଂ ନିମ୍ନମାନର ମକାଦାନାରୁ ଉତ୍ତମ ଗୋଖାଦ୍ୟ କରାଯାଇ ପାରିବ। ପ୍ରତ୍ୟେକ ଜିଲ୍ଲାରେ ଏଭଳି ଶିଳ୍ପ ପ୍ରତିଷ୍ଠା କରି ଉଦ୍ୟୋଗମାନଙ୍କୁ ସହାୟତା ଦେଲେ ଉଭୟ କୃଷି ଓ କ୍ଷୁଦ୍ର ଶିଳ୍ପ ଲାଭ ପାଇବ। ଆଶା, ଏହି ସମସ୍ତ ଦିଗ ପ୍ରତି ରାଜ୍ୟ ସରକାର ଉପଯୁକ୍ତ ଦୃଷ୍ଟି ଦେବେ।
ଫୋ - ୯୪୩୮୨୯୯୦୩୭
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Diary_Milk_1749197157.jpg)