ପ୍ରସନ୍ନ କୁମାର ମିଶ୍ର
ରାଜ୍ୟର ନୂତନ ସରକାରଙ୍କର ପ୍ରଥମ ବଜେଟ୍ ପାଇଁ ପ୍ରସ୍ତୁତି ପ୍ରକ୍ରିୟାରେ ସହାୟକ ହେବା ପାଇଁ ଜନସାଧାରଣଙ୍କୁ ନିଜ ପ୍ରସ୍ତାବ ଆଗତ କରିବା ପାଇଁ ସୁଯୋଗ ଦିଆଯାଇଛି। ବିଶ୍ୱାସ କରାଯାଏ ଅନେକ ଉପାଦେୟ ପ୍ରସ୍ତାବ ସରକାରଙ୍କ ନିକଟକୁ ଆସିଥିବ ଏବଂ ଏଗୁଡ଼ିକର ବିଚାର କରାଯିବ। ଏହି ପ୍ରବନ୍ଧରେ ରାଜ୍ୟର କେତୋଟି ମୌଳିକ ସମସ୍ୟାର ଆଶୁ ସମାଧାନ ନିମନ୍ତେ ଆଲୋଚନା କରିବା ପ୍ରାସଙ୍ଗିକ।
ଆମ ରାଜ୍ୟର ଅଧିକାଂଶ ଗାଁ ନିତାନ୍ତ କ୍ଷୁଦ୍ର ଜନବସତି ହୋଇଥିବା ଏକ ମୌଳିକ ସମସ୍ୟା। ଗ୍ରାମ୍ୟ ଜନସଂଖ୍ୟା ଉତ୍ତର ପ୍ରଦେଶରେ ସର୍ବାଧିକ। ଦେଶର ଗ୍ରାମ୍ୟ ଜନସଂଖ୍ୟାର ୧୮.୬ ପ୍ରତିଶତ ଉତ୍ତର ପ୍ରଦେଶର, ସେଠାରେ ଜନବସତି ଥିବା ଗ୍ରାମ ସଂଖ୍ୟା ୯୭,୮୧୩। ଓଡ଼ିଶା ଗାଁରେ ବାସ କରୁଥିବା ଲୋକ ଦେଶର ଗ୍ରାମ୍ୟ ଲୋକସଂଖ୍ୟାର ମାତ୍ର ୪.୪ ପ୍ରତିଶତ। ଅଥଚ ଜନବସତି ଥିବା ଗ୍ରାମ ସଂଖ୍ୟା ଓଡ଼ିଶାରେ ମାତ୍ରାଧିକ ୪୭,୬୭୭। ମଧ୍ୟ ପ୍ରଦେଶରେ ଏହି ଭଳି ଗ୍ରାମ ସଂଖ୍ୟା ହେଲା ୫୧,୯୨୯। ଦେଶର ୬.୩ ପ୍ରତିଶତ ଗ୍ରାମବାସୀ ମଧ୍ୟ ପ୍ରଦେଶ ଗ୍ରାମରେ ବାସ କରନ୍ତି। ଗ୍ରାମ ସଂଖ୍ୟା ମାପଦଣ୍ଡରେ ଓଡ଼ିଶାର ସ୍ଥାନ ଭାରତରେ ତୃତୀୟ – ଉତ୍ତର ପ୍ରଦେଶ ଏବଂ ମଧ୍ୟ ପ୍ରଦେଶ ପରେ। ଆମ ଦେଶରେ ଗୋଟିଏ ଗାଁର ଲୋକସଂଖ୍ୟା ହାରାହାରି ୧୩୯୪, ଯଦିଓ ମହାରାଷ୍ଟ୍ରରେ ଗୋଟିଏ ଗାଁରେ ହାରାହାରି ୧୫୦୩ ଜଣ ଲୋକ ବାସ କରନ୍ତି, କର୍ଣ୍ଣାଟକରେ ୧୩୮୯, ଗୁଜୁରାଟରେ ୧୮୬୨, ଉତ୍ତର ପ୍ରଦେଶରେ ୧୩୮୦, ମଧ୍ୟ ପ୍ରଦେଶରେ ୧୦୧୩ ଏବଂ ଓଡ଼ିଶାରେ ମାତ୍ର ୭୩୪।
୨୦୧୧ ଜନଗଣନା ଅନୁଯାୟୀ କନ୍ଧମାଳ ଜିଲ୍ଲାର କୋଟଗଡ଼ ବ୍ଲକରେ ମୋଟ ଗ୍ରାମ ସଂଖ୍ୟା ହେଲା ୧୩୩ ଏବଂ ସେଥି ମଧ୍ୟରୁ ୧୭ଟି ଗାଁରେ ଲୋକ ସଂଖ୍ୟା ଏକ ଶହରୁ କମ୍। ନୂଆସଜେଲି ଗାଁର ଲୋକସଂଖ୍ୟା କେବଳ ଦୁଇ, ମାଲଗୁଡ଼ା ଗାଁରେ ମାତ୍ର ୧୩ ଜଣ ଲୋକ ବସବାସ କରନ୍ତି। କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକର କେରପାଇ ଗ୍ରାମ ପଚାଂୟତ ଅଧୀନରେ ରହିଛି ୩୧ଟି ଗାଁ। ସେ ଭିତରେ ସର୍ବବୃହତ ଗାଁଟି ହେଲା ମାଝିଗ୍ରାମ ଯାହାର ଲୋକସଂଖ୍ୟା ମାତ୍ର ୩୮୨। ସଲେବାଲି ଗାଁରେ ରୁହନ୍ତି ୨୦ ଜଣ ଅଧିବାସୀ। ୧୭ ଜଣ ରୁହନ୍ତି ତାଇଝୋଲା ଗାଁରେ ଏବଂ ୫୦ ଜଣ ଚମ୍ପାଜୁଆଁ ଗାଁରେ।
ଗଜପତି ଜିଲ୍ଲା ମୋହନା ତହସିଲର ଅନ୍ୟତମ ଛୋଟ ଗାଁ ହେଲା ସପଲଗୁଡ଼ା - ପାରଳାଖେମୁଣ୍ଡିଠାରୁ ୩୩ କିଲୋମିଟର ଦୁରରେ। ୨୦୦୧ ମସିହାରେ ଗାଁରେ ରହୁଥିଲେ ମାତ୍ର ୧୮୨ ଜଣ ଲୋକ। ଜିଲ୍ଲାପାଳ ଚାଲି ଚାଲି ପହଂଚିଥିଲେ ସେହି ଗାଁରେ ଅନୁଧ୍ୟାନ କରିବା ପାଇଁ କେଉଁ ପରିସ୍ଥିତିରେ ଗାଁର ତିନି ଜଣ ଲୋକ ପ୍ରାଣ ହରାଇଥିଲେ। ଅନୁସନ୍ଧାନରୁ ଜଣାଗଲା ସମ୍ପୃକ୍ତ ପରିବାରକୁ ଅତିଥି ଆସିଥିଲେ। ତାଙ୍କୁ ଆପ୍ୟାୟିତ କରିବା ପ୍ରକ୍ରିୟାରେ ପରିବାରର ସବୁ ଚାଉଳ ସରିଗଲା। ନିଜ ବ୍ୟବହାର ପାଇଁ ଅନୁପଯୁକ୍ତ ଆମ୍ବ ଟାକୁଆ ଚୁରା ଖାଇ ଅସୁସ୍ଥ ହେଲେ ଏବଂ ତିନି ଜଣ ମୃତ୍ୟୁ ବରଣ କରିଥିଲେ। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସୁଲଭ ମୁଲ୍ୟରେ ଚାଉଳ ଏହି ଦୁର୍ଗମ ଅଚଂଳରେ ମିଳିବା ସମ୍ଭବପର ନୁହେଁ। ପାହାଡ଼, ନାଳ, ପରିପୂର୍ଣ୍ଣ ଦୁର୍ଗମ ଅଚଂଳରେ ଦୀର୍ଘପଥ ଅତିକ୍ରମ କରିବା ଏବଂ ଚାଉଳ ବୋଝ ବୋହିବା କଷ୍ଟସାଧ୍ୟ। ଏହି ବାସ୍ତବିକତାକୁ ଅଣଦେଖା କରିବା ଅମନୁଷ୍ୟତା ହେବ।
କ୍ଷଦ୍ର ଜନବସତିରେ ଲୋକଙ୍କୁ ମୌଳିକ ସୁବିଧା ଦେବା ନିତାନ୍ତ କଷ୍ଟକର, ବ୍ୟୟ ସାପେକ୍ଷ। ନିରୀକ୍ଷଣ ମଧ୍ୟ ସମ୍ଭବ ନୁହେଁ। ଏହି ଅଭାବନୀୟ ପରିସ୍ଥିତିରେ ଶୋଚନୀୟ ଅଘଟଣ ଘଟିବା ଆଶ୍ଚର୍ଯ୍ୟଜନକ ନୁହେଁ। ପ୍ରସୂତି ଆମ୍ବୁଲେନ୍ସ ବିନା ଖଟିଆରେ ବୁହା ହୋଇ ଡାକ୍ତରଖାନାକୁ ଯିବା, ଚପଳମତି ଛାତ୍ରଛାତ୍ରୀ ଦୀର୍ଘପଥ ଅତିକ୍ରମ କରି ବିଦ୍ୟାଳୟକୁ ଯିବା, ପିଇବା ପାଣି ପାଇଁ ଦୀର୍ଘ ପଥ ଅତିକ୍ରମ କରି ପାହାଡ଼ି ଜଳସ୍ରୋତ ବା ଚୁଆରୁ ପାଣି ଆଣିବା ଆମ ରାଜ୍ୟର ଛୋଟ ଗାଁମାନଙ୍କର ପୁରୁଣା କାହାଣୀ ଯାହାର ଅନ୍ତ ନିକଟ ଭବିଷ୍ୟତରେ ହେବା ସମ୍ଭବପର ନୁହେଁ।
ପଂଚାୟତ ବ୍ୟବସ୍ଥା ଦ୍ୱାରା ଏଭଳି ଛୋଟ ଗାଁ ଉପକୃତ ହୋଇ ପାରି ନାହାନ୍ତି। ପଲ୍ଲୀସଭା ବା ଗ୍ରାମସଭାରେ ସେମାନଙ୍କର ଉପସ୍ଥିତି ନଗଣ୍ୟ। ମିଟିଂ ହେବାରେ ନିୟମିତ ଶୃଙ୍ଖଳା କ୍ୱଚିତ ଅବଲମ୍ବନ ହୋଇଥାଏ। ଦେଶର ୫,୯୭,୫୧୮ ଜନବସତି ଥିବା ଗ୍ରାମମାନଙ୍କ ପାଇଁ ୨,୩୮,୦୫୪ ଗ୍ରାମ ପଂଚାୟତ (ପ୍ରତି ଗ୍ରାମପଂଚାୟତ ପାଇଁ ୨.୫ ଗାଁ) ଥିବା ବେଳେ ଉତ୍ତର ପ୍ରଦେଶରେ ମାତ୍ର ୧.୮୮ ଗାଁ ପ୍ରତି ଗୋଟିଏ ପଂଚାୟତ। ମଧ୍ୟ ପ୍ରଦେଶରେ ୨.୨୬ ଗାଁ ପ୍ରତି ଗୋଟିଏ ପଂଚାୟତ ଏବଂ ମହାରାଷ୍ଟ୍ରରେ ୧.୪୭ ଗାଁ ପ୍ରତି ଗୋଟିଏ ପଂଚାୟତ ରହିଛି। ଅଥଚ ଓଡ଼ିଶାରେ ଗୋଟିଏ ପଂଚାୟତ ଅଧୀନରେ ହାରାହାରି ୭ଟି ଗାଁ ରହିଛି।
ଦୂରଦୂରାନ୍ତରେ ଅବସ୍ଥିତ ଛୋଟ ଜନବସତିର ଦୈନନ୍ଦିନ ଅବସ୍ଥା ପଂଚାୟତ ଅଫିସରେ ପହଂଚି ପାରୁ ନାହିଁ। ପଂଚାୟତ ବ୍ୟବସ୍ଥା ଆଜି ଓଡ଼ିଶାରେ ରୋଗାକ୍ରାନ୍ତ। ଗଣତନ୍ତ୍ରର ତୃଣମୂଳ ସ୍ତରର ଅନୁଷ୍ଠାନର ସ୍ୱାସ୍ଥ୍ୟ ପ୍ରତି ଆମେ ଉଦାସୀନ। ହସ୍ତାନ୍ତରିତ ହୋଇଥିବା ସରକାରୀ କାର୍ଯ୍ୟକ୍ରମରେ ପଂଚାୟତର ସଂପୃକ୍ତି କାଗଜ କଲମରେ ସୀମିତ। ଏହି ବାସ୍ତବ ଚିତ୍ର ପରିପ୍ରେକ୍ଷୀରେ ନୂତନ ସରକାର ଅବ୍ୟାହତ ମୌଳିକ ଅସଙ୍ଗତ ଦୂର କରିବା ପାଇଁ ଅନୁରୋଧ। ରାଜ୍ୟର ଗ୍ରାମମାନଙ୍କର ଏବଂ ପଂଚାୟତ ମାନଙ୍କର ପୂନର୍ବିନ୍ୟାସ ନିତାନ୍ତ ଜରୁରୀ। ରାଜ୍ୟର ଗ୍ରାମସଂଖ୍ୟା କମାଇବା ଆବଶ୍ୟକ ଯାହା ଫଳରେ ଗୋଟିଏ ଗାଁ ଅତି କ୍ଷୁତ୍ର ଅବସ୍ଥାରେ ରହି ଦୁର୍ବିସହ ଜୀବନ ଯାପନ କରିବାର କଷ୍ଟରୁ ମୁକ୍ତି ପାଇବ। ଛୋଟ ଗାଁମାନଙ୍କୁ ସ୍ଥାନାନ୍ତରଣ କରି ଗାଁମାନଙ୍କର ସଂଖ୍ୟା କମାଯିବା ଆବଶ୍ୟକ ଏବଂ ଗାଁଗୁଡ଼ିକ ବଡ଼ ହେବା ଆବଶ୍ୟକ। ଓଡ଼ିଶାର ଗାଁ ସଂଖ୍ୟାକୁ ୩୫,୦୦୦ରେ ସୀମିତ କରି ପଂଚାୟତ ସଂଖ୍ୟାକୁ ୧୫,୦୦୦କୁ ବୃଦ୍ଧି କରିବା ନିତାନ୍ତ ଆବଶ୍ୟକ ମନେ ହୁଏ। ଏହି ପୁନର୍ଗଠନ ଓଡ଼ିଆ ଅସ୍ମିତାକୁ ସାକାର କରିବ।
ଓଡ଼ିଆ ଅସ୍ମିତାର ପରିସ୍ଫୁଟନ ସମ୍ଭବ ହେବ ଯେବେ ଭିଟାମାଟି ଛାଡ଼ି ଆମ ରାଜ୍ୟର ହଜାର ହଜାର ଗରିବ ପରିବାର କାମ ଅନ୍ୱେଷଣରେ ଅନିଶ୍ଚିତ ଭବିଷ୍ୟତ ସତ୍ତ୍ୱେ ଦୂର ଦୂରାନ୍ତକୁ ଚାଲି ଯାଉଥିବା ପ୍ରକ୍ରିୟାର ଅନ୍ତ ହେବ। ଏହା କାର୍ଯ୍ୟକାରୀ କରିବା ଏକ ଦାୟିତ୍ୱବାନ ସରକାରଙ୍କ ପ୍ରାଥମିତ କର୍ତ୍ତବ୍ୟ ହେବା ଆବଶ୍ୟକ। ଏ ଦିଗରେ କେତୋଟି ପ୍ରସ୍ତାବ ବିଚାର୍ଯ୍ୟ। ପଂଚାୟତ ସ୍ତରରେ ସରକାର ଅବିଳମ୍ବେ ତିନୋଟି କାର୍ଯ୍ୟକ୍ରମ ନେବା ଆବଶ୍ୟକ ମନେହୁଏ। ପ୍ରଥମଟି କୃଷି ସମ୍ପର୍କୀୟ। ପ୍ରଡ଼୍ୟୁସର କମ୍ପାନୀମାନଙ୍କୁ ସଙ୍ଗଠିତ କରି କୃଷି ଉତ୍ପାଦନ (ଯେଉଁଥିରେ ଅଣ୍ଡା, ଦୁଗ୍ଧ, ଛତୁ, କପା, କମଳା, ପିଆଜ, ଆଳୁ ମଧ୍ୟ ଅନ୍ତର୍ଭୁକ୍ତ)ର ବୃଦ୍ଧି, ପ୍ରୋସେସିଂ ଏବଂ ମାରକେଟିଂ ବ୍ୟବସ୍ଥା କରିବା। ଦ୍ୱିତୀୟ କାର୍ଯ୍ୟକ୍ରମ ହେଉଛି ହସ୍ତତନ୍ତ ଏବଂ ହସ୍ତକଳା ସମ୍ପର୍କରେ। ହାଣ୍ଡଲୁମ୍ ଉତ୍ପାଦନର ପ୍ରଭୂତ ଅଭିବୃଦ୍ଧି ଏବଂ ହସ୍ତଶିଳ୍ପର ଅଭିବୃଦ୍ଧି (ମୂର୍ତିକାର, ସବାଇଘାସରୁ, ନଡ଼ିଆକତାରୁ ପ୍ରସ୍ତୁତ ସାମଗ୍ରୀ, ଆପ୍ଲିକ୍ କାମ, ଶିଙ୍ଘ କାମ, ଖେଳଣା ତିଆରି) ପଂଚାୟତ ସ୍ତରରେ ହେବା ଆବଶ୍ୟକ। ତୃତୀୟ କାର୍ଯ୍ୟକ୍ରମ ପାୱାରଲୁମ୍ ଉଦ୍ୟୋଗର ଅଭିବୃଦ୍ଧି ସମ୍ପର୍କୀୟ। ବିଛଣା ଚାଦର, ବେଡ୍ କଭର୍, ଲୁଙ୍ଗି, ଗାମୁଛା, ତଉଲିଆ, ଇତ୍ୟାତିର ଉତ୍ପାଦନ ଆଜି ନଗଣ୍ୟ। ଏହାର ସମ୍ଭାବନା ଅସୀମ।
ଅନୁସୃତ ଜଙ୍ଗଲନୀତି ଅନୁଯାୟୀ ବର୍ତ୍ତମାନ ଆମ ଜଙ୍ଗଲ ସମ୍ପଦରୁ ଆୟ ନଗଣ୍ୟ। ଅଥତ ସମଗ୍ର ରାଜ୍ୟର ଆୟତନର ଏକ ତୃତୀୟାଂଶ ଅଞ୍ଚଳ ଆଜି ରାଜ୍ୟ ରାଜକୋଷକୁ ସମୃଦ୍ଧ କରୁନାହାନ୍ତି। ଏହି ଅସଙ୍ଗତିର ପରିସମାପ୍ତି ଆବଶ୍ୟକ। ପରୀକ୍ଷାମୂଳକ ଭାବରେ ଆମ ଯୋଗ୍ୟ ଜଙ୍ଗଲ ଅଧିକାରୀମାନଙ୍କୁ ନିୟୋଜିତ କରି ଜଙ୍ଗଲର ପୁନର୍ବିନ୍ୟାସ ହେଉ। ମୂଲ୍ୟବାନ ଗଛ ରୋପଣ ହୋଇ ନିୟମିତ ଭାବରେ ଏଥିରୁ ରାଜସ୍ୱ ମିଳୁ। ଅନ୍ୟ ଏକ ଆନୁସଙ୍ଗିକ ପ୍ରସଙ୍ଗ ମହୁଚାଷ ସମ୍ବନ୍ଧୀୟ। ଜଙ୍ଗଲ ସୀମାରେ ବାସ କରୁଥିବା ହଜାର ହଜାର ପରିବାରଙ୍କୁ ଅନ୍ତତଃ ଏକ ଲକ୍ଷ ମହୁବାକ୍ସ ଯୋଗାଇଦେବାର ବ୍ୟବସ୍ଥା କରିବା ଆବଶ୍ୟକ। ଓଡ଼ିଶାର ମହୁ ଉତ୍ପାଦନ ଆଜି ନଗଣ୍ୟ। ଅଥଚ ସମ୍ଭାବନା ଉଜ୍ଜଳ। ଆମ ଦେଶରୁ ମହୁ ରପ୍ତାନୀର ପରିମାଣ ପ୍ରାୟ ୬୦ ହଜାର ଟନ୍ ଯାହାର ମୂଲ୍ୟ ପ୍ରାୟ ୬୪୦ କୋଟି ଟଙ୍କା। ଆମ ଓଡ଼ିଶାର ଯୋଗଦାନ ଏଥିରେ ନିଶ୍ଚିହ୍ନ। ହଜାର ହଜାର ଗରିବ ପରିବାର ମହୁଚାଷରୁ ଲାଭବାନ ହେବେ। ଆଜି ନିଷ୍କିୟପ୍ରାୟ ଖଦୀ ଗ୍ରାମୋଦ୍ୟୋଗ ବୋର୍ଡର ପୁନର୍ବିନ୍ୟାସ ହେବା ଜରୁରୀ।
ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟାଳୟ, କଲେଜ, ବିଶ୍ୱବିଦ୍ୟାଳୟ ମାନଙ୍କରେ ଅବ୍ୟାହତ ଶିକ୍ଷକ ମରୁଡ଼ିର ପ୍ରତିକାର ହେଉ। ଶିକ୍ଷା ବ୍ୟବସ୍ଥା ୱିଣ୍ଡୋ ଡ୍ରେସିଂରେ ସୀମିତ ନରହୁ। ଆମ ବିଦ୍ୟାର୍ଥୀ ମୂଲ୍ୟଭିତ୍ତିକ ଶିକ୍ଷାର ସ୍ୱାଦ ଲାଭ କରନ୍ତୁ।
ଫୋନ୍ - ୬୩୭୦୦୮୮୯୧୩