Advertisment

ଓଡ଼ିଶାରେ ଧଳା-ସୁନା ଶିଳ୍ପର ଦୁରବସ୍ଥା ଦୂର ହେଉ

କପାଚାଷରୁ ଅତ୍ୟଧିକ ଲାଭ ମିଳୁଥିବାରୁ ଚାଷୀମାନେ ତୁଳାକୁ ଧଳାସୁନା କହନ୍ତି। ଆମ ରାଜ୍ୟର ପ୍ରାୟ ୬ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ କପାଚାଷ କରି ଜୀବିକା ନିର୍ବାହ କରନ୍ତି। ଓଡ଼ିଶାର ମାଟି ଓ ଜଳବାୟୁରେ ଅତି ଉତ୍ତମ ମାନର ‘ଗସିପିଅମ ହିରସୁଟମ୍’ ପ୍ରଜାତିର କପା ଚାଷ କରାଯାଏ।

Odisha Textile Mills

Odisha Textile Mills

Advertisment

ଜାନକୀଶ ବଡ଼ପଣ୍ଡା

ଦେଶର ଦଶଟି କପାଚାଷ ହେଉଥିବା ରାଜ୍ୟ ତାଲିକାରେ ଆଜି ବି ଓଡ଼ିଶାର ସ୍ଥାନ ରହିଛି। ଉପଲବ୍ଧ ତଥ୍ୟ ଅନୁସାରେ ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟର ୨ ଲକ୍ଷ ୧୬ ହଜାର ହେକ୍ଟର ଜମିରେ କପା ଚାଷ କରାଯାଇ ୬ ଲକ୍ଷ ୬୫ ହଜାର ବେଲ୍ ତୁଳା ଉତ୍ପାଦନ ହୋଇଥିଲା। ଏମିତି ଦେଖିଲେ ଓଡ଼ିଶାରେ ହେକ୍ଟର ପିଛା ହାରାହାରି ୫୨୩ କିଲୋଗ୍ରାମ କପା ଉତ୍ପାଦନ ହେଉଥିଲା ବେଳେ ତାମିଲନାଡୁ ରାଜ୍ୟରେ ଏହା ୭୨୮ କିଲୋଗ୍ରାମ୍; ଯେତେବେଳେ କି ଚୀନରେ ଏହା ୨ ହଜାର କିଲୋଗ୍ରାମ୍ ଛୁଇଁଥିବାର ଦେଖାଯାଇଛି। କପାଚାଷରୁ ଅତ୍ୟଧିକ ଲାଭ ମିଳୁଥିବାରୁ ଚାଷୀମାନେ ତୁଳାକୁ ଧଳାସୁନା କହନ୍ତି। ଆମ ରାଜ୍ୟର ପ୍ରାୟ ୬ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ କପାଚାଷ କରି ଜୀବିକା ନିର୍ବାହ କରନ୍ତି। ଓଡ଼ିଶାର ମାଟି ଓ ଜଳବାୟୁରେ ଅତି ଉତ୍ତମ ମାନର ‘ଗସିପିଅମ ହିରସୁଟମ୍’ ପ୍ରଜାତିର କପା ଚାଷ କରାଯାଏ। ଓଡ଼ିଶାରେ ଜୁନ୍ ମାସ ୧୪ ତାରିଖ (ରଜ ସଂକ୍ରାନ୍ତି)ରେ ମୌସୁମୀ ପ୍ରବେଶ କରୁଥିବାରୁ ସେହି ମାସ ଶେଷ ସୁଦ୍ଧା କପା ଚାଷ ଆରମ୍ଭ ହୁଏ, ଅମଳ ହୁଏ ପ୍ରାୟ ୫ ମାସ ପରେ, ଅର୍ଥାତ୍ ନଭେମ୍ବର ବେଳକୁ।

Advertisment

୨୦୧୨-୧୩ ମସିହାର ତଥ୍ୟ ଅନୁଶୀଳନ କଲେ ଜଣାଯାଏ ଯେ, ଓଡ଼ିଶାରେ ୧ ଲକ୍ଷ ୧୫ ହଜାର ହେକ୍ଟର୍ ଜମିରେ କପାଚାଷ ହେଉଥିଲା, ଯାହାର ପରିମାଣ କ୍ରମଶଃ ବଢ଼ି ୨୦୧୭-୧୮ ବେଳକୁ ଏହା ଥିଲା ୪ ଲକ୍ଷ ୨୧ ହଜାର ହେକ୍ଟର। ହେକ୍ଟର ପିଛା ହାରାହାରି ତୁଳା ଉତ୍ପାଦନ ୪୩୩ କିଲୋଗ୍ରାମରୁ ବଢ଼ି ୪୯୫ କିଲୋଗ୍ରାମ ମଧ୍ୟ ଛୁଇଁ ପାରିଥିଲା। ସୂତ୍ରଗୁଣ ପରିବର୍ତ୍ତିତ (ଜିଏମ ବା ଜେନେଟିକାଲି ମଡିଫାଏଡ୍) ସଙ୍କର ଜାତୀୟ କପା ବିହନଗୁଡ଼ିକ ଚାଷ ହେବାପରେ ଉତ୍ପାଦନ ବଢ଼ିଲା। କିନ୍ତୁ, ଓଡ଼ିଶାର ଦୁର୍ଭାଗ୍ୟକୁ ରାଜ୍ୟର ସମସ୍ତ ସୂତାକଳ ଗୋଟିଏ ପରେ ଗୋଟିଏ କରି ବନ୍ଦ ହୋଇଯିବାରୁ ଚାଷୀମାନେ ଉତ୍ପାଦିତ କପା ବିକ୍ରି କରିବାରେ ଅସୁବିଧା ଭୋଗ କଲେ ଏବଂ ସେହି କାରଣରୁ ଅଧିକ ଲାଭ ମିଳୁଥିବା ସତ୍ତ୍ୱେ ଧଳାସୁନା ଚାଷରୁ ମୁହଁ ଫେରାଇ ନେବାକୁ ବାଧ୍ୟ ହେଲେ।

ସବୁଠୁ ଅଧିକ କପାଚାଷ ହେଉଥିବା କଳାହାଣ୍ଡି ଓ ବଲାଙ୍ଗୀର ସମେତ କୃଷ୍ଣ-କାର୍ପାସ ମାଟି ଥିବା ଅନେକ ଜିଲ୍ଲାରେ ଯଦିଓ ଆଜି ବି କପାଚାଷ ହେଉଛି ରାଜ୍ୟରେ କିନ୍ତୁ କପା ମିଲ୍, ସୂତା କଳ ଏବଂ ଲୁଗାକଳ ଆଉ ନାହିଁ। ରାଜ୍ୟ ସରକାରଙ୍କ ଖଣିଜ ଭିତ୍ତିକ ବୃହତ୍ ଧାତବ କାରଖାନା ପ୍ରତିଷ୍ଠା କରିବାର ମୋହ କାରଣରୁ ସୂତାକଳ ସମେତ ଅନ୍ୟାନ୍ୟ କୃଷି ଭିତ୍ତିକ ଶିଳ୍ପ ଗୁଡ଼ିକ ବନ୍ଦ ହୋଇଗଲା। ଚାଷୀ ଆଜି ନିଜର ଉତ୍ପାଦିତ କପା ଉଚିତ ମୂଲ୍ୟରେ ବିକ୍ରି କରି ପାରୁନି, ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛି। ସର୍ବନିମ୍ନ ସହାୟକ ଦର କୁଇଣ୍ଟାଲ୍ ପିଛା ୭ ହଜାର ଟଙ୍କା ଥିଲାବେଳେ ବାହାର ରାଜ୍ୟର ବେପାରୀ ୫-୬ ହଜାର ଟଙ୍କାରେ କିଣି ନେଉଛନ୍ତି ଉଚ୍ଚମାନର ଓଡ଼ିଶାର ଲମ୍ବତନ୍ତୁ କପା। ମିଲ୍ ବନ୍ଦ ହୋଇଯାଇଥିବାରୁ ଗୋଦାମ୍ ଘରେ ତାଲା ପଡ଼ିଯାଇଛି; ଯାହା ଫଳରେ, ଗୋଦାମ୍ ଘର ଅଭାବ ପଡୁଛି ଓ ଭାରତୀୟ କପା ନିଗମ ମଧ୍ୟ କପା କିଣିପାରୁନାହିଁ। ଏବେ ଓଡ଼ିଶାରେ ପୂର୍ବରୁ ଥିବା କପାଭିତ୍ତିକ କଳକାରଖାନାଗୁଡିକୁ କାର୍ଯ୍ୟକ୍ଷମ କରିବା, ଆଧୁନିକୀକରଣ କରିବା ଓ ନୂତନ ଲୁଗାକଳ ବସାଇବା କେତେ ଜରୁରୀ, ତାହା ଲୋକମାନେ ଉପଲବ୍ଧି କଲେଣି।

Advertisment

ଏହା ହିଁ ସ୍ୱାଧୀନତା ପୂର୍ବରୁ ବୁଝି ପାରିଥିଲେ ଜଣେ ସାହସୀ ସ୍ୱାଧୀନତା ସଂଗ୍ରାମୀ ତଥା ଦୂରଦୃଷ୍ଟି ସମ୍ପନ୍ନ ଉଦ୍ୟୋଗୀ ରାଜନେତା ବିଜୁ ପଟ୍ଟନାୟକ। ସେ ଚୌଦ୍ୱାରରେ ଏକ ଲୁଗାକଳ ପ୍ରତିଷ୍ଠା କରିବାକୁ ଚାହିଁଥିଲେ। ଏଥିରେ ତାଙ୍କୁ ସାହାଯ୍ୟ କରିବାକୁ ଓଡ଼ିଶାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ନିକଟକୁ ଯାଇ ମନର କଥା ଜଣାଇଥିଲେ।

ମହତାବ କିନ୍ତୁ ପ୍ରସ୍ତାବଟିକୁ ଖୋଲାଖୋଲି ଭାବେ ନାକଚ କରିଦେଇଥିଲେ। କହିଥିଲେ, “ସ୍ୱାଧୀନତା ଆନ୍ଦୋଳନ ସମୟରେ ମହାତ୍ମା ଗାନ୍ଧୀଙ୍କ ପାଖରେ ଯେଉଁ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରଟି ଥିଲା, ତାହା ଥିଲା ଖଦୀ ଆନ୍ଦୋଳନ। ଓଡ଼ିଶାରେ ମଧ୍ୟ ଖଦୀ ଆନ୍ଦୋଳନ ଅତ୍ୟନ୍ତ ପ୍ରଭାବୀ ହୋଇଥିଲା। ଆମେ ଖୁବ୍ ଶୀଘ୍ର ବହୁ ପ୍ରତୀକ୍ଷିତ ସ୍ୱାଧୀନତା ହାସଲ କରିବାକୁ ଯାଉଛେ। ସ୍ୱାଧୀନ ଭାରତର ଓଡ଼ିଶା ପ୍ରଦେଶରେ ତୁମେ କିପରି ଏକ ଲୁଗାକଳ ବସାଇବାକୁ ପ୍ରସ୍ତାବ ଦେଉଛ? ଏହା ମହାତ୍ମା ଗାନ୍ଧୀଙ୍କ ଇଚ୍ଛା ବିରୋଧି ପ୍ରସ୍ତାବ। ମିଲ୍ ତିଆରି ପୋଷାକ ବଦଳରେ ଆମେ ଖଦୀ ପୋଷାକକୁ ପ୍ରଧାନ୍ୟ ଦେବା ଉଚିତ ହେବ।”

ଦୃଢ଼ମନା ବିଜୁ ପଟ୍ଟନାୟକଙ୍କ ତୁରନ୍ତ ପ୍ରତିକ୍ରିୟା ଥିଲା, “ସାର୍, ଖଦୀ ଲୁଗାର ପ୍ରଚାର ଓ ପ୍ରସାର ଥିଲା ବିଦେଶୀ ବର୍ଜନ ଓ ସ୍ୱଦେଶୀ ଆନ୍ଦୋଳନର ପ୍ରତୀକ। ଏହା ଥିଲା ବ୍ରିଟିଶମାନଙ୍କ ବିରୁଦ୍ଧରେ ଅଭିପ୍ରେତ। ସେମାନେ ମାଞ୍ଚେଷ୍ଟରରେ ନିର୍ମିତ ମିଲ୍ ତିଆରି ପୋଷାକ ଆଣି ଆମ ଦେଶରେ ବିକ୍ରୟ କରୁଥିଲେ। ଫଳରେ, ଆମ ଦେଶର ପାରମ୍ପରିକ ତନ୍ତୀ ଓ ବୟନ ଶିଳ୍ପ ଶ୍ରମିକମାନଙ୍କର ନିଯୁକ୍ତି ସୁଯୋଗ ରହିଲାନି। ଆପଣ ଯଦି ଭାବୁଥିବେ ଯେ ଖଦୀ ଆନ୍ଦୋଳନକୁ ଅଧିକ ବିସ୍ତାର କରି ସ୍ୱାଧୀନ ଭାରତର କ୍ରମବର୍ଦ୍ଧିଷ୍ଣୁ ଦେଶବାସୀଙ୍କ ବସ୍ତ୍ର ଆବଶ୍ୟକତା ପୂରଣ କରିପାରିବ, ତାହା ନିଶ୍ଚିତ ଭାବରେ ଏକ ଭ୍ରମ। ବଢୁଥିବା ଜନସଂଖ୍ୟାର ବସ୍ତ୍ର ଆବଶ୍ୟକତା ପୂରଣ କରିବା ପାଇଁ ଆମକୁ ଟେକ୍ସଟାଇଲ୍ ମିଲ୍ ପ୍ରତିଷ୍ଠା କରିବାକୁ ପଡ଼ିବ। ଆମେ ମାଞ୍ଚେଷ୍ଟରରୁ ଆମଦାନୀ କରିବା ଅନୁଚିତ। ଆମ ରାଜ୍ୟରେ ଲୁଗାକଳ ନାହିଁ। ଏଣୁ ନୂଆ ଟେକ୍ସଟାଇଲ୍ ମିଲ୍ ବସାଇବାକୁ ଯାଉଥିବା ଭାରତର ଅନ୍ୟ ରାଜ୍ୟମାନଙ୍କରୁ ଆମକୁ କଳ ତିଆରି ଲୁଗା ଆମଦାନୀ କରି ଆମର ପୋଷାକ ଆବଶ୍ୟକତା ପୂରଣ କରିବାକୁ ପଡ଼ିବ।” ମହତାବ୍ ବିଜୁବାବୁଙ୍କ ଯୁକ୍ତି ଶୁଣି ପ୍ରଭାବିତ ହୋଇଥିଲେ ଏବଂ ଚୌଦ୍ୱାରରେ ସେ ନୂଆ ଟେକ୍ସଟାଇଲ୍ ମିଲ୍ ପ୍ରତିଷ୍ଠା କରିବା ପାଇଁ ସମସ୍ତ ସାହାଯ୍ୟ କରିଥିଲେ।

ଏହାପରେ ବିଜୁ ନିଜ ସଙ୍କଳ୍ପରେ ଦୃଢ଼ ଭାବେ ଆଗେଇ ଗଲେ। ଚୌଦ୍ୱାରରେ ପ୍ରତିଷ୍ଠା କଲେ ଆଧୁନିକ ଲୁଗାକଳ, ଯାହାର ନାମ ଥିଲା ଓଡ଼ିଶା ଟେକ୍ସଟାଇଲ୍ ମିଲ୍ (ଓଟିଏମ୍)। ଏହାକୁ ୨୫ ଜାନୁୟାରୀ ୧୯୪୬ରେ ଏକ ପବ୍ଲିକ୍ ଲିମିଟେଡ୍ କମ୍ପାନୀ ଭାବେ ଶୁଭ ଦିଆଗଲା। ନିର୍ମାଣ ସରିବା ପରେ ୧୯୫୦ ମସିହାରେ ଲୁଗାକଳରୁ ଉତ୍ପାଦନ ଆରମ୍ଭ ହୋଇଥିଲା। ଏହାକୁ ଦକ୍ଷିଣ ପୂର୍ବ ଏସିଆର ଅନ୍ୟତମ ଅଗ୍ରଣୀ ଟେକ୍ସଟାଇଲ୍ ମିଲ୍ ଭାବେ ବିବେଚନା କରା ଯାଉଥିଲା। ପ୍ରାରମ୍ଭ କାଳରେ ଏଥିରେ ୧୦ ହଜାରରୁ ଅଧିକ ଶ୍ରମିକ ସିଧାସଳଖ ବା ପ୍ରତ୍ୟକ୍ଷ ଭାବେ ନିୟୋଜିତ ହୋଇଥିଲେ ବି ବହୁ ସଂଖ୍ୟକ ଲୋକ ପରୋକ୍ଷ ନିଯୁକ୍ତି ପାଇ ରୋଜଗାର ସୁଯୋଗ ପାଇଥିଲେ। ସେତେବେଳେ କିନ୍ତୁ ଓଡ଼ିଶାରେ ଯେତିକି କପାଚାଷ ହେଉଥିଲା ତାହା ଓଟିଏମ୍ ଆବଶ୍ୟକତା ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ନଥିଲା। ଏଣୁ ଆବଶ୍ୟକ ହେଉଥିବା କଞ୍ଚାମାଲ ଭାରତୀୟ କପା ନିଗମ ମାଧ୍ୟମରେ କ୍ରୟ କରାଯାଉଥିଲା। ତୁଳା ମୁଖ୍ୟତଃ ଆସୁଥିଲା ମୁମ୍ବାଇରୁ। ଲୁଗାକଳର ଆଧୁନିକୀକରଣ ପରେ ଶ୍ରମିକଙ୍କ ସଂଖ୍ୟା ଧୀରେ ଧୀରେ କମାଇବାକୁ ପଡ଼ିଥିଲା। ଏହା ୪ ହଜାରକୁ ହ୍ରାସ ପାଇଥିଲା।

ଦୁର୍ଭାଗ୍ୟବଶତଃ ଶ୍ରମିକ ଅଶାନ୍ତି, ରାଜନୈତିକ ହସ୍ତକ୍ଷେପ ଏବଂ ପରିଚାଳନାଗତ ତୃଟି ହେତୁ ଓଟିଏମ୍ ଆଗ ଭଳି ଚାଲିଲା ନାହିଁ, ବରଂ କ୍ଷତି ହେଲା। ବେସରକାରୀ ପରିଚାଳନାରେ ଚାଲିଥିବା ଏହି ଲୁଗାକଳରେ ଲକ୍‌ ଆଉଟ୍ ଘୋଷଣା ହେଲା ପରେ ୧୯୮୧ ମସିହାରେ ଓଡ଼ିଶା ସରକାର ସମସ୍ତ ଘରୋଇ ଅଂଶଧନ କିଣି ନେବାକୁ ଚାହିଁଲେ ମଧ୍ୟ ଏହା ଥିଲା ରାଜ୍ୟ ସରକାରଙ୍କ ଉପର ଠାଉରିଆ ପ୍ରୟାସ; ଯାହା ଲୁଗାକଳକୁ ପୁନର୍ଜୀବିତ କରିପାରିଲା ନାହିଁ। ସେବେଠୁ ଆଇନଗତ ଯୁଦ୍ଧ ଚାଲିଛି। ଇତିମଧ୍ୟରେ ଓଟିଏମର କାରଖାନା ଏବଂ ସମସ୍ତ ଯନ୍ତ୍ରପାତି କଳଙ୍କି ଲାଗି ଖତ ହୋଇ ଗଲାଣି। ଓଟିଏମ୍ ଯେ କେବେ ପୁନର୍ଜୀବିତ ହୋଇପାରିବ, ସେଭଳି ସମ୍ଭାବନା ଆଉ ନାହିଁ।

ଓଡ଼ିଶା ଆଜି ବୟନଶିଳ୍ପ କ୍ଷେତ୍ରରେ ଏକ ବିପ୍ଲବ ଆବଶ୍ୟକ କରୁଛି। ରାଜ୍ୟର ଚାଷୀ ପରିବାରମାନଙ୍କର ହାରାହାରି ମାସିକ ଆୟ ଏବେ ରହିଛି ମାତ୍ର ୫,୧୧୨ ଟଙ୍କା। ବର୍ଷକୁ ଦୁଇଥର ଧାନ ଚାଷ କଲେ ବି ଏହା ବଢ଼ିବାର ସମ୍ଭାବନା ନାହିଁ। ଏହା କେବଳ ବଢ଼ିପାରିବ ଯଦି ଚାଷୀମାନେ ଢିପ ଜମିରେ କପାଚାଷ କରିବା ସହ ଅନ୍ୟାନ୍ୟ ଅର୍ଥକାରୀ ଫସଲ ଚାଷ କରିବାକୁ ମନ ବଳାଇବେ। ଓଡ଼ିଶାରେ ଯେହେତୁ କୌଣସି ଟେକ୍ସଟାଇଲ୍ ମିଲ୍ ବା ବୟନ ଶିଳ୍ପ ନାହିଁ ଏବଂ ସମସ୍ତ ସୂତାକଳ ଅଚଳ ହୋଇପଡ଼ିରହିଛି, କପା ଚାଷୀମାନେ ସେମାନଙ୍କର ଉତ୍ପାଦକୁ ଲାଭଜନକ ମୂଲ୍ୟରେ ବିକ୍ରୟ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନେ ଅନ୍ୟ ରାଜ୍ୟର ବ୍ୟବସାୟୀମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଯଦି କପାଚାଷ ହେଉଥିବା ଗ୍ରାମମାନଙ୍କରେ କପାରୁ ମଞ୍ଜି ବାହାର କରିବାର ମେସିନ୍ ଥାଆନ୍ତା, ଚାଷୀମାନେ କପାରୁ ତୁଳା ଓ କପାମଞ୍ଜି ଅଲଗା କରିପାରନ୍ତେ। ସେହି କପାମଞ୍ଜିକୁ ପେଡ଼ି, ଖାଦ୍ୟୋପଯୋଗୀ ତେଲ ଏବଂ ପଶୁଖାଦ୍ୟରେ ବ୍ୟବହୃତ ପୁଷ୍ଟିକର ପିଡ଼ିଆ ବ୍ୟବହାର କରିପାରନ୍ତେ। ତୁଳାରୁ ମଞ୍ଜି ବାହାର କରିସାରିବା ପରେ ଯେଉଁ ତୁଳା ମିଳିବ ତାହାକୁ ମୂଷାମାନେ କାଟିବେ ନାହିଁ। ଚାଷୀମାନେ ଉଚିତ୍ ମୂଲ୍ୟ ମିଳିବା ଯାଏଁ ତୁଳାକୁ ସାଇତି ରଖି ପାରିବେ।

ଓଡ଼ିଶାରେ ବାସ କରୁଥିବା ଲୋକମାନେ ୧୭,୭୭୦ ବର୍ଗ ମିଟର କପଡ଼ା ଆବଶ୍ୟକ କରୁଥିବାବେଳେ ତନ୍ତବୁଣା ଲୁଗା ମାଧ୍ୟମରେ ଆବଶ୍ୟକତାର ମାତ୍ର ୧.୧୨ ପ୍ରତିଶତ ଉତ୍ପାଦିତ ହୁଏ ଏବଂ ଅବଶିଷ୍ଟ ୯୮.୮୮ ପ୍ରତିଶତ କଳତନ୍ତ ଯୋଗେ ବାହାର ରାଜ୍ୟରେ ବୁଣାଯାଇ ଅଣାଯାଏ। ଆକଳନ କରାଯାଇଛି ଯେ ଆମଦାନୀ ହେଉଥିବା ଲୁଗାର ମୂଲ୍ୟ ବାର୍ଷିକ ପ୍ରାୟ ୨୫ ହଜାର କୋଟି ଟଙ୍କା।

ଓଡ଼ିଆରେ ଏକ ପ୍ରବାଦ ଅଛି, ଯାହାର ଅର୍ଥ ହେଉଛି, କପା ୧୦ ଜଣ ଲୋକଙ୍କୁ ଜୀବିକା ଯୋଗାଇଥାଏ। ଏହାର ଅର୍ଥ ହେଉଛି, କପା ଫସଲ ଚାଷ ଜମିରୁ ଯାଇ ପୋଷାକ ଆକାରରେ ଗ୍ରାହକଙ୍କ ନିକଟରେ ପହଞ୍ଚିବା ପାଇଁ ୧୦ଟି ପର୍ଯ୍ୟାୟ ଦେଇ ଗତି କରିଥାଏ। ବୟନଶିଳ୍ପ ହେଉଛି ଏକ ଶ୍ରମ ନିର୍ଭରଶୀଳ ଶିଳ୍ପ; ଯାହା ବୃହତ୍ ଖଣିଜଭିତ୍ତିକ ଶିଳ୍ପ ତୁଳନାରେ ବହୁ ଅଧିକ ଶ୍ରମିକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରେ। ଓଡ଼ିଶା ରାଜ୍ୟରେ ନିଯୁକ୍ତି ସୁଯୋଗ ସୀମିତ ଥିବାରୁ ପ୍ରବାସୀ ଶ୍ରମିକ ଓ ଦାଦନ ଶ୍ରମିକଙ୍କ ପାଇଁ କୁଖ୍ୟାତି ଅର୍ଜନ କରି ଆସୁଛି। ଗତ ଅଢ଼େଇ ଦଶନ୍ଧି ଧରି ଖଣିଜ ଭିତ୍ତିକ ଅଧିକ ପୁଞ୍ଜି ଆବଶ୍ୟକ କରୁଥିବା ଶିଳ୍ପକୁ ପ୍ରାଧାନ୍ୟ ଦେଇ ଆମ ରାଜ୍ୟ ସରକାର କୃଷି-ଶିଳ୍ପକୁ ଅବହେଳା କରିଆସିଛନ୍ତି। ଟେକ୍ସଟାଇଲ୍ ମିଲ୍ ପରି କୃଷି ଭିତ୍ତିକ ଶିଳ୍ପଗୁଡ଼ିକ ସ୍ଥାପନ କରାଗଲେ ବେକାରୀ ହ୍ରାସ ପାଆନ୍ତା, କପା ଚାଷୀଙ୍କ ପାଇଁ ସୁନିଶ୍ଚିତ ରୋଜଗାର ମିଳନ୍ତା ଏବଂ ଜନସାଧାରଣଙ୍କୁ ସୁଲଭ ମୂଲ୍ୟରେ ପୋଷାକ ଯୋଗାଇ ଦିଆଯାଇପାରନ୍ତା। ଏହି ପୋଷାକ ଗୁଡ଼ିକୁ ବିଦେଶକୁ ରପ୍ତାନୀ କରାଯାଇ ବିଦେଶୀ ମୁଦ୍ରା ରୋଜଗାର କରାଯାଇ ପାରନ୍ତା।

ଫୋ - ୯୪୩୮୨୯୯୦୩୭

Odisha Biju Pattanaik Textile Mills Cotton Harekrushna Mahatab
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe