Advertisment

ବଡ଼ ଅଫିସରଙ୍କ ‘ତୁ’ ଡାକ

ରୁଦ୍ର ପ୍ରସନ୍ନ ରଥ ଅନେକ ସମୟରେ ଦେଖାଯାଏ ଯେ ବଡ଼ ବଡ଼ ଅଫିସରମାନେ ତାଙ୍କ ଅଧସ୍ତନ କର୍ମଚାରୀମାନଙ୍କୁ ତୁ ତା ରେ ରା କରି ଡାକିଥାଆନ୍ତି। ସେମାନେ ଏପରି କରି ଅନ୍ୟମାନଙ୍କ ଆଗରେ ସ୍ନେହୀ ଏବଂ ତୁ ତା କରୁଥିବା ନିମ୍ନ ବର୍ଗର କର୍ମଚାରୀଟିକୁ ନିଜର ପରିବାରର ସଦସ୍ୟ ପରି ଭାବୁଛନ୍ତି ବୋଲି ଦେଖାଇ ହୁଅନ୍ତି। ତେବେ ପ୍ରକୃତ କଥା ହେଉଛି ଏପରି କରିବା ସମୟରେ ଅନେକ ନିଜର ପଦର ବଡ଼ିମା ଦେଖାଇବା ସହ ଅଧସ୍ତନ କର୍ମଚାରୀଟିକୁ […]

author-image
Debendra Prusty
ଅଦ୍ୟତନ ହୋଇଛି
ବଡ଼ ଅଫିସରଙ୍କ ‘ତୁ’ ଡାକ

Pic

  • ରୁଦ୍ର ପ୍ରସନ୍ନ ରଥ

ଅନେକ ସମୟରେ ଦେଖାଯାଏ ଯେ ବଡ଼ ବଡ଼ ଅଫିସରମାନେ ତାଙ୍କ ଅଧସ୍ତନ କର୍ମଚାରୀମାନଙ୍କୁ ତୁ ତା ରେ ରା କରି ଡାକିଥାଆନ୍ତି। ସେମାନେ ଏପରି କରି ଅନ୍ୟମାନଙ୍କ ଆଗରେ ସ୍ନେହୀ ଏବଂ ତୁ ତା କରୁଥିବା ନିମ୍ନ ବର୍ଗର କର୍ମଚାରୀଟିକୁ ନିଜର ପରିବାରର ସଦସ୍ୟ ପରି ଭାବୁଛନ୍ତି ବୋଲି ଦେଖାଇ ହୁଅନ୍ତି। ତେବେ ପ୍ରକୃତ କଥା ହେଉଛି ଏପରି କରିବା ସମୟରେ ଅନେକ ନିଜର ପଦର ବଡ଼ିମା ଦେଖାଇବା ସହ ଅଧସ୍ତନ କର୍ମଚାରୀଟିକୁ ଦବାଇ ରଖିବାର ଚେଷ୍ଟା କରିଥାଆନ୍ତି। ଅନେକ ଅଫିସର ଭାବନ୍ତି ଯେ କେବଳ ତୁ ତା କିମ୍ବା ରେ ରା କରିବା ଦ୍ୱାରା ସେ ଅଧସ୍ତନ କର୍ମର୍ଚାରୀଜଣଙ୍କୁ ନିଜ ଅଧୀନରେ ରଖିଛନ୍ତି। ଏପରି ନକଲେ କାଳକ୍ରମେ ସେ କର୍ମଚାରୀ ଜଣଙ୍କ ମୁଣ୍ଡରେ ଚଢ଼ିବା ସାର ହେବ।

Advertisment

ଟିକେ ନିରେଖି ଦେଖିଲେ ଏହା ବୁଝାଯିବ ଯେ ଜଣେ ପାଠ ପଢ଼ିଥିବା ବଡ଼ ଅଫିସର ବୋଧହୁଏ ନିଜ ପରିବାରରୁ ଆବଶ୍ୟକୀୟ ସଂସ୍କାର ପାଇ ପାରିନାହାନ୍ତି। କାରଣ ଏପରି ହୋଇଥିଲେ ନିଜଠୁ ବୟସରେ ଢେର ବଡ଼ ଜଣେ ପିଅନ ଚପରାସି କିମ୍ବା ସୁରକ୍ଷାକର୍ମୀଙ୍କୁ ସେ କେବେ ହେଲେ ତୁ ତା ବ୍ୟବହାର ଦେଖାଇ ପାରିନଥାନ୍ତେ। ଅନେକ ସମୟରେ ତ ବଡ଼ ବଡ଼ ଅଫିସରମାନେ ଭୁଲିଯାଇଥାଆନ୍ତି ଯେ ତାଙ୍କ ଚାରିପାଖରେ କାମ କରୁଥିବା ଲୋକମାନେ ବି ମଣିଷ ଏବଂ ସେମାନଙ୍କର ବି ସ୍ୱାଭିମାନ ଅଛି। ଏପରି ବାରମ୍ବାର ତୁ ତା କର ଶୁଣିବା ଦ୍ୱାରା ଜଣେ ଲୋକର ସ୍ୱାଭିମାନରେ ଆଂଚ ଆସିବା ସ୍ୱାଭାବିକ। ତା’ ସହିତ ତାର ମାନସିକ ଅବସ୍ଥା ମଧ୍ୟ ଖରାପ ହୁଏ ଯାହା ଫଳରେ ଅଫିସରେ ତାହାର ପ୍ରଦର୍ଶନ ପ୍ରଭାବିତ ହୋଇଥାଏ। ମନେ ମନେ ଆପଣଙ୍କୁ ଗାଳି ଦେଉଥିଲେ ବି ଉପରେ କିଛି କରିବାର ପରିସ୍ଥିତିରେ ସେ ନଥାଏ।

ଆମେ ସମସ୍ତେ ମନେ ରଖିବା ଦରକାର ଯେ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ଶିକ୍ଷାର ସମାନ ସୁଯୋଗ ମିଳେନାହିଁ। କୌଣସି ନା କୌଣସି କାରଣରୁ ସେମାନେ ଅଧିକ ଶିକ୍ଷା ପାଇବାରୁ ବିରତ ହୁଅନ୍ତି। ସେମାନଙ୍କ ଆଗରେ ପ୍ରଗତିର ସୁଯୋଗ ଶେଷ ହୋଇ ଆସେ। ସେମାନେ ବିଭିନ୍ନ କାରଣରୁ ପଛରେ ପଡ଼ି ଯାଆନ୍ତି। ଗୋଟିଏ ଗୋଷ୍ଠୀ ପ୍ରଗତିର ପାହାଚ ଚଢୁଥିଲାବେଳେ ଅନ୍ୟମାନେ ସୁଯୋଗ ନପାଇ ଅଳ୍ପ ମୂଲ୍ୟର ଦରମାରେ ବାଧ୍ୟ ହୋଇ ଛୋଟ ମୋଟର ଚାକିରି କରିଥାଆନ୍ତି। ଅଥଚ ସରକାରୀ ହେଉ ବା ବେସରକାରୀ ଅଫିସ୍ ସବୁଠି ପ୍ରଗତିରେ ତାଙ୍କର ସମାନ ଭାଗିଦାରିତା ଥାଏ। ଅଥଚ ପାଠକୁ ଆଧାର କରି ସମାନତା ବିହୀନ ସମାଜ ଗଠନରେ ବ୍ରତୀ ହେବାକୁ ଲକ୍ଷ୍ୟ ରଖି କ୍ୟାରିୟର ଆରମ୍ଭ କରିଥିବା ଅଫିସର ଗଣ ଏହି ନିମ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କ ଆଗରେ ହିଁ ନିଜର ପାଠ ଏବଂ ତଜ୍ଜନୀତ ମୂଲ୍ୟବୋଧକୁ ଧରାଶାୟୀ କରି ଦେଇ ଥାଆନ୍ତି। ଖୁବ୍ କମ୍ ଅଫିସର ଏହି ବର୍ଗର କର୍ମଚାରୀଙ୍କୁ ତୁମେ କହିବାର ଦେଖାଯାଏ। ଅନେକଙ୍କ ପାଇଁ ତ ଏମାନେ ଅପାଂକ୍ତେୟ।

Advertisment

ବୟସର ଅପରାହ୍ନରେ ପହଁଚିଥିବା ଚପରାଶି ହେଉ କିମ୍ବା ଅବସର ନେବାର ଦ୍ୱାର ଦେଶରେ ଠିଆ ହୋଇଥିବା ସୁରକ୍ଷାକର୍ମୀ ଅନେକ ସମୟରେ ଏପରି ତୁ ତା ଡାକକୁ ହଜମ କରିବାକୁ ବାଧ୍ୟ ହୁଅନ୍ତି। ଅଫିସରଙ୍କ ପାଖରେ ତାଙ୍କର ମୁହଁ ଖୋଲି କହିବାକୁ ଜୁ ନଥାଏ। ବିଭିନ୍ନ ବାଟ ଦେଖାଇ ଦରମା ବନ୍ଦ କରିବା କିମ୍ବା ଚାକିରୀରୁ ବାହାର କରିଦେବାର ଭୟ ଦେଖାଇ ବଡ ବାବୁ ଏବଂ ବଡ଼ ଅଫିସରମାନେ ବେଶ୍ ସହଜରେ ନିମ୍ନ ବର୍ଗର ଚାକିରିଆଜଣଙ୍କୁ ତୁ ତା ବ୍ୟବହାର ଦେଖାଇ ଚାଲିଥାଆନ୍ତି। ସଭ୍ୟ ବୋଲାଉଥିବା ଲୋକଙ୍କର ଏ ବ୍ୟବହାର କେମିତି କେଜାଣି ସେମାନଙ୍କୁ ଅଶ୍ଳୀଳ ଏବଂ ଅଶାଳୀନ ମନେ ହୁଏନାହିଁ?

ଏହି ତୁ ତା ବ୍ୟବହାର ବଜାୟ ରଖିବାକୁ ବି ବଡ଼ ଅଫିସରମାନେ ଅନେକ ସମୟରେ ନିଜ ନିଜର ଜାଲ ବୁଣନ୍ତି। କେତେବେଳେ ପିଅନ ବାପୁଡ଼ାକୁ ଦଶ, ପାଂଚ କିମ୍ବା ଦଶହରା ବକ୍ସିସ୍ ଦେଇ ତ ଆଉ କେତେବେଳେ ତାର ଅଲିଖିତ ଛୁଟି ଦରଖାସ୍ତଟିକୁ ମଂଜୁର କରି ଦେଇ। ଏଥିରେ ପିଅନ ବାପୁଡ଼ା ଜଣଙ୍କ ସାମୟିକ ଆଶ୍ୱସ୍ତି ଲାଭ କରେ ସତ, ହେଲେ ସବୁଦିନ ପାଇଁ ନିଜ ସ୍ୱାଭିମାନକୁ ବଳି ପକାଇଥାଏ। ଅଫିସରର ତୁ ତା ଡାକର ଚକ୍ରବ୍ୟୁହରୁ ବାହାରିବାକୁ ତାର ଆଉ ବାଟ ନଥାଏ। ବରଂ ଦିନକୁ ଦିନ ଅଫିସରଙ୍କର ବ୍ୟବହାର ତା ପାଇଁ କଠିନରୁ କଠିନତର ହେଉଥାଏ।

ଅନ୍ୟଜଣଙ୍କୁ ଆପଣ ନ ହେଲେ ନାହିଁ ତୁମେ ବୋଲି ସମ୍ବୋଧନ କରିବା ବିଶେଷ କଷ୍ଟ ନୁହେଁ। ଏକଥା ଆମେ ସମସ୍ତେ ସହଜରେ ହୃଦୟଙ୍ଗମ କରିଥିବା। ହେଲେ ବାସ୍ତବ କଥା ହେଉଛି ଯେ ଏହାକୁ କାର୍ଯ୍ୟକାରୀ କରିବାକୁ ଅନେକ ଅଫିସରଙ୍କୁ ଅନେକ କଷ୍ଟ ହୁଏ। ଜଣେ ଶକ୍ତିଶାଳୀ ମଣିଷର ପରିଚୟ ସେ ତାଠାରୁ ତଳେ ଥିବା ଦୁର୍ବଳ ମଣିଷ ସହିତ କିପରି ବ୍ୟବହାର କରିବ ତାହା ଉପରେ ନିର୍ଭରଶୀଳ। ହେଲେ ଏକଥା ଆମେ ଅନେକ ସମୟରେ ଭୁଲିଯାଉ। ବରଂ ଆମଠୁ ଅଧିକ ଶକ୍ତିଶାଳୀ ଲୋକର ପଦବନ୍ଦନା କରି ତାକୁ ଅଯାଚିତ ସାହାଯ୍ୟ ଢାଳିଦେଇ ଆମେ ଆଗକୁ ବଢ଼ିବାର ଚେଷ୍ଟା କରୁ।

ଶେଷରେ ସେ ବଡ଼ ଅଫିସରମାନଙ୍କୁ ଏତିକି ବିନତୀ କରାଯାଇପାରିବ ଯେ ପିଅନ, ଚପରାଶି, ମାଳି କିମ୍ବା ଡା୍ରଇଭର ଆଦି ଆପଣଙ୍କ ସମକକ୍ଷ ନୁହନ୍ତି, ଏକଥା ସର୍ବଜନ ବିଦିତ। ତେବେ ସେମାନଙ୍କୁ ତୁ ତା ଡାକି ଆପଣ ନିଜର ଗୁରୁତ୍ୱ ହରାନ୍ତୁ ନାହିଁ। ବରଂ ସେମାନଙ୍କୁ ଅନ୍ତତଃପକ୍ଷେ ତୁମେ ବୋଲି ସମ୍ବୋଧନ କରିବା ଆବଶ୍ୟକ। ଏହାକରି ଆପଣ ସେମାନଙ୍କ ଉପରେ ଦୟା କରୁନାହାନ୍ତି ବରଂ କର୍ମସ୍ଥଳୀରେ ଉଚିତ୍ ମର୍ଯ୍ୟାଦା ପାଇବା ସେମାନଙ୍କର ଅଧିକାରର ପରିସରଭୁକ୍ତ ଅଟେ। ଏପରି କରି ଆପଣ ଅନ୍ୟମାନଙ୍କ ପାଇଁ ଆଦର୍ଶ ହେବା ସହ କର୍ମସ୍ଥଳୀର ପରିବେଶକୁ ଅଧିକ ମହନୀୟ କରି ଗଢ଼ି ତୋଳିପାରିବେ। ଥରେ ଚେଷ୍ଟା କରି ଦେଖନ୍ତୁ ତ!

ଧବଳଗିରି, ଯାଜପୁର ରୋଡ

ଫୋ- ୭୯୭୮୬୭୧୭୭୬

Office Courtesy Uncourteous Officers