Advertisment

ବିକଶିତ ଓଡ଼ିଶାର ନୀଳନକ୍ସାରେ ତୈଳବୀଜ ଚାଷ

ଇନପୁଟ୍ ସବସିଡି ପ୍ରଦାନ କରି ଓଡ଼ିଶା ସରକାର କେବଳ ଖରିଫ୍ ଧାନ ଏବଂ ରବି ଡାଲି ଓ ତୈଳବୀଜ ଶସ୍ୟ କିଣିନେଲେ ଏବଂ ଓମଫେଡ଼ ଢାଞ୍ଚାରେ ସମବାୟ ଭିତ୍ତିରେ ‘ସୁବର୍ଣ୍ଣା’ ଭଳି ଅନୁଷ୍ଠାନ ନିର୍ମାଣ କଲେ, ଓଡ଼ିଶା ଅନ୍ୟ ରାଜ୍ୟରୁ ଡାଲି ଓ ଖାଇବା ତେଲ ଆମଦାନି କରନ୍ତାନି। ୨୦୩୬ରେ ବିକଶିତ ଓଡ଼ିଶା ପାଇଁ ଯେଉଁ ନୀଳନକ୍ସା ଅଙ୍କନ କରାଯାଇଛି, ସେଥିରେ ଏହି ପ୍ରସ୍ତାବକୁ ସାମିଲ କରାଯାଉ।

author-image
Debendra Prusty
Oilseeds

Oilseeds

ଜାନକୀଶ ବଡ଼ପଣ୍ଡା

ବିଶ୍ୱର ପ୍ରାୟ ୨୫୦ କୋଟିରୁ ଅଧିକ ଲୋକ ମେଦବହୁଳତା ତଥା ଅଧିକ-ଓଜନ ସମସ୍ୟାରେ ଜର୍ଜରିତ। ଏହି ସମସ୍ୟାରୁ ମୁକ୍ତି ପାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉପାୟ ବିଷୟରେ ଗତ ଫେବୃୟାରୀ ମାସ ‘ମନ କି ବାତ୍’ ମାଧ୍ୟମରେ କହିଥିଲେ। ତାହା ଥିଲା ଖାଦ୍ୟରେ ତେଲ ପରିମାଣ ୧୦ ପ୍ରତିଶତ କମାଇବା। ସେ କହିଥିଲେ, ‘ତୁମେ ଯଦି ପ୍ରତି ମାସରେ ୧୦ ପ୍ରତିଶତ କମ୍ ତେଲ ବ୍ୟବହାର କରିବ ବୋଲି ନିଷ୍ପତ୍ତି ନେବ, ଏହା ମୋଟାପଣ ହ୍ରାସ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ।’ ଆମ ଭାରତୀୟଙ୍କ ପାଇଁ ଏହା ଠାକୁର ଦେଖା ସହିତ କଦଳୀ ବିକା ଭଳି କଥା ନୁହେଁ କି?

Advertisment

ତିନି ବର୍ଷ ହେଲାଣି ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁ ସେଠାରୁ ସୂର୍ଯ୍ୟମୁଖୀ ତେଲ ରପ୍ତାନୀ ବନ୍ଦ ହୋଇଯିବା, ଇଣ୍ଡୋନେସିଆ ସରକାର ଦୁଇବର୍ଷ କାଳ ପାମୋଲିନ ତେଲ ରପ୍ତାନୀ ନିଷିଦ୍ଧ କରିଦେବା ଓ ଅନିଶ୍ଚିତ ବୈଶ୍ୱିକ ଜଳବାୟୁ କାରଣରୁ ସମଗ୍ର ବିଶ୍ୱରେ ତୈଳବୀଜ ସମେତ ଖାଦ୍ୟଶସ୍ୟ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଫଳରେ ଭାରତରେ ମଧ୍ୟ ଖାଇବା ତେଲ ଦରବୃଦ୍ଧି ଘଟିଛି। ଭାରତ ୨୦୧୪ରେ ୭୯ ଲକ୍ଷ ଟନ ଖାଇବା ତେଲ ଆମଦାନି କରୁଥିଲା ବେଳେ ଏବେ ୧୫୫-୧୬୪ ଲକ୍ଷ ଟନ ଆମଦାନୀ କରିଛି। ଦେଶରେ ଉତ୍ପାଦନ ବଢ଼ିବା ଓ ଉଚ୍ଚା ବଜାର ଦର କାରଣରୁ କ୍ରମଶଃ ଆମଦାନୀ ପରିମାଣ କମୁଛି। ଦେଶକୁ ବାର୍ଷିକ ୨୦୮୦ କୋଟି ମାର୍କିନ୍ ଡଲାର ଖାଇବା ତେଲ ଆମଦାନି କରିବାରେ ଖର୍ଚ୍ଚ ହେଉଛି। ଆମ ଦେଶ ଭାରତ ନିଜ ଆବଶ୍ୟକତାର ୫୬ ପ୍ରତିଶତ ଖାଇବା ତେଲ ବିଦେଶରୁ ଆମଦାନୀ କରେ; ଯାହାର ୫୪ ପ୍ରତିଶତ କେବଳ ପାମୋଲିନ। ଆମେ ବିଶ୍ୱର ସର୍ବାଧିକ ପାମୋଲିନ ଆମଦାନୀ କରୁଥିବା ଦେଶ। ପରିମାଣ ଦୃଷ୍ଟିରୁ ଦେଖିଲେ ଆମେ ବାର୍ଷିକ ଆମଦାନୀ କରୁଥିବା ୮୫ ଲକ୍ଷ ଟନ ପାମୋଲିନ ତେଲରୁ କେବଳ ଇଣ୍ଡୋନେସିଆର ଅବଦାନ ୪୦ ଲକ୍ଷ ଟନ। ବଳକା ୪୫ ଲକ୍ଷ ଟନ ଆସେ ମାଲେସିଆ ତଥା ଅନ୍ୟାନ୍ୟ ଦେଶରୁ। ତେଲର ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଅସାଧୁ, ମୁନାଫାଖୋର ବ୍ୟବସାୟୀମାନେ ଏହାର ଫାଇଦା ନେଇ କଳାବଜାରରେ ଅଧିକ ମୂଲ୍ୟରେ ଓ ଅପମିଶ୍ରିତ ତଥା ନକଲି ତେଲ ବିକ୍ରି କରିବା ଆଶଙ୍କା କରାଯାଉଛି।

ଆମଦେଶରେ ୧୯୮୫-୮୬ ବର୍ଷରେ ୧୦୮.୩ ଲକ୍ଷ ଟନ ତୈଳବୀଜ ଉତ୍ପାଦନ ହୋଇଥିଲା ବେଳେ ଇତିମଧ୍ୟରେ ଏହା ବଢ଼ି ୨୦୨୧-୨୨ରେ ୩୬୫.୬୫ ଲକ୍ଷ ଟନ ଓ ୨୦୨୪-୨୫ରେ ପ୍ରାୟ ୪୪୭ ଲକ୍ଷ ଟନରେ ପହଞ୍ଚିଛି। ସୋୟାବିନ ଦେଢ଼ଗୁଣରୁ ଅଧିକ ଅମଳ ହୋଇ ପହଞ୍ଚିଛି ୧୩୩.୬ ଲକ୍ଷ ଟନରେ। ସୋରିଷ ଅମଳ ମଧ୍ୟ ଛୁଇଁଛି ୧୧୫.୧୬ ଲକ୍ଷ ଟନ। ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ଲାଗୁ କରାଯାଇ ଖାଇବା ତେଲର ଅବୈଧ ମହଜୁଦ, ଅପମିଶ୍ରଣ ଓ କଳାବଜାରୀ ଉପରେ କଡ଼ା ନଜର ରଖା ଯାଉଥିବାରୁ ଉଚ୍ଚା ହେଉ ପଛେ, ବଜାରରେ ତେଲ ମିଳୁଛି।

Advertisment

ଆମ ଦେଶର ସମୁଦାୟ ଖାଇବା ତେଲ ବା ବନସ୍ପତି ତୈଳ ବଜାରରେ ୬୦ ପ୍ରତିଶତର ସିଂହଭାଗ ଅଧିକାର କରିନେଇଛି ରିଫାଇନ ତେଲ, ୩୫ ପ୍ରତିଶତ କଞ୍ଚା ଘଣା ପେଡ଼ା ତେଲ ଓ ମାତ୍ର ୫ ପ୍ରତିଶତ ଅଂଶ ବନସ୍ପତି ଘିଅ। ପାମୋଲିନ ତେଲ ଚାହିଦା ପଛକୁ ରହିଛି ସୋୟାବିନ ତେଲ। ମଧ୍ୟ ପ୍ରଦେଶ ଓ ମହାରାଷ୍ଟ୍ର ସୋୟାବିନ ଚାଷରେ ସବୁଠୁ ଆଗରେ। ସାମଗ୍ରିକ ଭାବେ ହିସାବ କଲେ ସର୍ବାଧିକ ତୈଳବୀଜ ଉତ୍ପାଦନକାରୀ ରାଜ୍ୟମାନେ ହେଲେ ଯଥାକ୍ରମେ ମଧ୍ୟ ପ୍ରଦେଶ, ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର, ପଶ୍ଚିମ ବଙ୍ଗ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ହରିୟାଣା ଓ ତେଲେଙ୍ଗାନା। ଆମ ଓଡ଼ିଶା ତୈଳବୀଜ ଉତ୍ପାଦନ କ୍ଷେତ୍ରରେ ବହୁ ପଛରେ ରହିଛି। ଓଡ଼ିଶାରେ ଯାହବା ତୈଳବୀଜ ଚାଷ କରାହେଉଛି ତାହାର ୬୬ ପ୍ରତିଶତ ଅଂଶ କେବଳ ଚିନାବାଦାମ। ସୂର୍ଯ୍ୟମୁଖୀ, ରାଶି, ସୋରିଷ, ନଡ଼ିଆ, ଶାଳମଞ୍ଜି ତେଲ ଇତ୍ୟାଦିର ପରିମାଣ ନଗଣ୍ୟ। ରାଜ୍ୟ ସରକାରଙ୍କ କୃଷି ବିଭାଗ ପକ୍ଷରୁ ମିନିକିଟ ଓ ମାଗଣା ଉନ୍ନତ ବିହନ ଯୋଗାଇ ଦେଇ ତୈଳବୀଜ ଚାଷକୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଥିଲେ ମଧ୍ୟ ବିଭିନ୍ନ କାରଣରୁ ତୈଳବୀଜ ଚାଷ ବଢ଼ୁନାହିଁ କିମ୍ବା ଉତ୍ପାଦିକତା ମଧ୍ୟ ବଢ଼ୁନାହିଁ।

ଅଶିଦଶକରେ 'ଅଏଲ ଓଡିଶା' ସଂସ୍ଥା ପକ୍ଷରୁ ତୈଳବୀଜ ଚାଷକୁ ଲାଭଜନକ ଓ ଅର୍ଥକାରୀ ଫସଲରେ ପରିଣତ କରାଯାଇ ଥିଲେ ବି ତାହା ଓମଫେଡ ଭଳି ସୁବିଧା ନପାଇ ବନ୍ଦ ହୋଇଗଲା ପରେ ଓଡ଼ିଶା ଚାଷୀ ତୈଳବୀଜ ଚାଷରୁ ମୁହଁ ଫେରାଇ ନେଇଛନ୍ତି। କେନ୍ଦ୍ର ସରକାର ଜିଏମ-ସୋୟାପିଡ଼ିଆ ଆମଦାନୀ କରିବାକୁ ଅନୁମତି ଦେଉଥିବାରୁ ଓ ବାର୍ଷିକ ୧୨ ଲକ୍ଷ ଟନ ଜିଏମ-ପିଡିଆ ଆମଦାନୀ କରି ୧୯ ଲକ୍ଷ ଟନ ଦେଶୀ-ସୋୟାପିଡିଆ ରପ୍ତାନୀ କରୁଥିବାରୁ ସୋୟାବିନ ଚାଷୀ ନିରୁତ୍ସାହିତ। ଭାରତ ସରକାର ନୀତିଗତ ନିଷ୍ପତ୍ତି ନେଇ ଜିଏମ-ସୋୟାବିନ ଚାଷ ପାଇଁ ଅନୁମତି ଦେଇଥିଲେ, ଚାଷୀମାନେ ଏକର ପିଛା ଅଧିକ ଉତ୍ପାଦନ କରୁଥାଆନ୍ତେ ଓ ବିଦେଶରୁ ଜିଏମସୋୟା-ପିଡିଆ ଆମଦାନୀ ହେଉନଥାଆନ୍ତା। ଏହା ଛଡ଼ା ଲଘୁ ଜଳସେଚନ ବ୍ୟବସ୍ଥା, ଅଧିକ ଅମଳକ୍ଷମ ବିହନ ଯୋଗାଣ, ଫସଲ ବିକ୍ରି ବ୍ୟବସ୍ଥାରେ ଉନ୍ନତି, ସରକାରଙ୍କ ପକ୍ଷରୁ ବ୍ୟବସ୍ଥାଗତ ବିକାଶ ତଥା ସର୍ବନିମ୍ନ ସହାୟକ ମୂଲ୍ୟରେ ଫସଲ ବିକ୍ରି କରିପାରୁଥିଲେ ଚାଷୀମାନେ ଅଧିକରୁ ଅଧିକ ଜମିରେ ବିଭିନ୍ନ ପ୍ରକାର ତୈଳବୀଜ ଚାଷ କରି ଦେଶକୁ ଖାଇବା ତେଲ କ୍ଷେତ୍ରରେ ଆତ୍ମନିର୍ଭର କରି ସାରନ୍ତେଣି।

ଆମ ଦେଶରେ ପାଳିତ ପର୍ବପର୍ବାଣୀ ଓ ଉତ୍ସବମାନଙ୍କରେ ବିଭିନ୍ନ ପ୍ରକାର ମିଠେଇ ଓ ବ୍ୟଞ୍ଜନ ପ୍ତସ୍ତୁତି ପାଇଁ ଖାଇବା ତେଲର ଚାହିଦା ବଢ଼ିଯାଏ। ଗରମ ଗରମ ଜିଲାପି ହେଉ ଅବା ବେସନ ଓ ମଇଦା ତିଆରି ମିଠେଇ, ତେଲର ବ୍ୟବହାର ଆମ ଦେଶରେ ଏତେ ଅଧିକ ଯେ ଆମେ ବିଦେଶରୁ ସୂର୍ଯ୍ୟମୁଖୀ, ସୋୟାବିନ ଓ ଅଲିଭ ସମେତ ବିଭିନ୍ନ ପ୍ରକାର ବନସ୍ପତି ତେଲ ଆମଦାନୀ କରିବାକୁ ବାଧ୍ୟ। ଭାରତୀୟ ଭୂଖଣ୍ଡରେ ବଟା ମସଲାକୁ ତେଲରେ କସି, ଛାଣି ବିଭିନ୍ନ ପ୍ରକାର ଆମିଷ ଓ ନିରାମିଷ ବ୍ୟଞ୍ଜନ ପ୍ରସ୍ତୁତି ଏକ ପ୍ରକାର ବାଧ୍ୟବାଧକତା ଓ ରନ୍ଧନକଳାର ପ୍ରୟୋଗାତ୍ମକ ପରିପ୍ରକାଶ। ଏତେ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତି ପାଇଁ ତେଲର ବ୍ୟବହାର ନହେଲେ ନଚଳେ। ରୋଷେଇ ଏମିତି ହେବ ଯେ, ଖାଇବା ଲୋକ ଆଙ୍ଗୁଠି ଚାଟି ଖାଇବେ, ଥାଳିରେ ଥିବା ସବୁ ଖାଦ୍ୟ ଖାଇ ତୃପ୍ତ ହେବେ। ଦେବାର୍ଚ୍ଚନା ଓ 'ଅତିଥି ଦେବୋ ଭବ' ମନ ନେଇ ଅତିଥି ଚର୍ଚ୍ଚା ଆଳରେ ନିଜର ପାଟିସୁଆଦ କରିବାର ମାନସିକତା ଆମଦେଶରେ ସର୍ବୋପରି। ସେଇଥିପାଇଁ, ଦିନକୁ ଦିନ ବଢୁଛି ଖାଇବା ତେଲ ଉପରେ ମାଡ଼।

ହିସାବରୁ ଜଣାଯାଇଛି ଯେ ପ୍ରତ୍ୟେକ ଭାରତୀୟ ବାର୍ଷିକ ହାରାହାରି ୧୪ କିଲୋ ତେଲ ବ୍ୟବହାର କରନ୍ତି। ଏହା ମୁଣ୍ଡପିଛା ହିସାବ ହୋଇଥିଲେ ହେଁ ଏହା ସହିତ ଯୋଡ଼ା ଯାଇପାରିବ ମୁଣ୍ଡପିଛା ବ୍ୟବହୃତ ଗୋ-ମହିଷାଦି ଘିଅ ଓ ଜାଳେଣି ବନସ୍ପତି ତେଲ। ଚୀନରେ ମୁଣ୍ଡପିଛା ତେଲ ବ୍ୟବହାର ଆମଠାରୁ ଅଧିକ ହେଉଥିଲେ ହେଁ ଅଧିକାଂଶ ୟୁରୋପୀୟ ରାଷ୍ଟ୍ର ବାର୍ଷିକ ମୁଣ୍ଡପିଛା ମାତ୍ର ୭ କିଲୋ ତେଲ ବ୍ୟବହାର କରୁଥିଲାବେଳେ ପ୍ରାଣୀଜ ତୈଳ ବ୍ୟବହାର ମଧ୍ୟ ବ୍ୟବହାର କରନ୍ତି; ଯାହାକୁ ମିଶାଇ ସମଗ୍ର ବିଶ୍ୱରେ ବାର୍ଷିକ ମୁଣ୍ଡପିଛା ତେଲ ବ୍ୟବହାର ପ୍ରାୟ ୧୭ କିଲୋ। ଆମେ ଯେତିକି ବନସ୍ପତି ତୈଳ ବ୍ୟବହାର କରୁଛେ, ତାହା କିଛି ମାତ୍ରାରେ କମାଇଦିଆଗଲେ ସ୍ୱାସ୍ଥ୍ୟ ପ୍ରତି ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ।

ଆମେ ଯେତେ ଖାଇବା ତେଲ ବ୍ୟବହାର କରୁ ତାହା ମଧ୍ୟରେ ମୁଖ୍ୟତଃ ପାମୋଲିନ, ସୂର୍ଯ୍ୟମୁଖୀ, ଶୋରିଷ, ଧାନକୁଣ୍ଡା, ରାଶି ଓ ନଡ଼ିଆ ତେଲ ପ୍ରମୁଖ। ମକା, କାନୋଲା ବା ରାଇ-ସୋରିଷ ଓ ଅଲିଭ ତେଲର ବ୍ୟବହାର ବହୁଳ ଭାବେ ୟୁରୋପ ଓ ଆମେରିକୀୟ ରାଷ୍ଟ୍ରମାନଙ୍କରେ ହୁଏ। ଶୋରିଷ ତେଲରେ ଥିବା ବିଭିନ୍ନ ଔଷଧୀୟ ଗୁଣବତ୍ତା, କଡ଼ା ବାସ୍ନା, କଫ ଓ ଥଣ୍ଡା-ରୋଗ-ନିରୋଧୀ ଗୁଣ ଯୋଗୁ ଏହାକୁ ଉଭୟ ଖାଦ୍ୟ ଏବଂ ତ୍ୱଚାରେ ମାଲିସ ପାଇଁ ବ୍ୟବହାର କରାଯାଇଥାଏ। ସୂର୍ଯ୍ୟମୁଖୀ ତେଲର ନିଜସ୍ୱ କ୍ଷୁଧାବର୍ଦ୍ଧକ ସୁଗନ୍ଧ କାରଣରୁ ସହରାଞ୍ଚଳ ଜନସାଧାରଣ ଏହାକୁ ବ୍ୟବହାର କରୁଥିଲାବେଳେ ଧନୀକ ଓ ସ୍ୱାସ୍ଥ୍ୟ ସଚେତନ ନଗରବାସୀ ଅଲିଭ ତେଲ ଖାଆନ୍ତି ଓ ଶିଶୁଙ୍କ ଦେହରେ ମାଲିସ କରନ୍ତି। ଅଲିଭ ତେଲ ସମ୍ପୂର୍ଣ ଆମଦାନୀ କରାଯାଏ। ଧାନ କୁଣ୍ଡାରୁ ପ୍ରସ୍ତୁତ ହେଉଥିବା ରାଇସ ବ୍ରାନ ତେଲ କ୍ରମଶଃ ଲୋକପ୍ରିୟ ହେଉଛି। ଓଡ଼ିଶାରେ ଚିନାବାଦାମ ଚାଷ ହେଉଥିଲେ ବି ଉତ୍ପାଦିତ ପରିମାଣ ଏତେ ନଗଣ୍ୟ ଯେ ଦେଶର ପ୍ରଥମ ଦଶଟି ରାଜ୍ୟ ତାଲିକାରେ ନାଁ ରହୁନି। ପର୍ଯ୍ୟାପ୍ତ ଅଞ୍ଚଳରେ ପାମ, ସୂର୍ଯ୍ୟମୁଖୀ, ତିଳା, ରାଶି, ସୋରିଷ ଓ ନଡ଼ିଆ ଚାଷ କରି ଖାଇବା ତେଲ ଉତ୍ପାଦନ ସୁଯୋଗ ଥାଇ ବି ବ୍ୟବସ୍ଥାଗତ ତୃଟିଯୋଗୁ ଓଡ଼ିଶା ତୈଳବୀଜ ଚାଷ କ୍ଷେତ୍ରରେ ବହୁ ପଛରେ ଓ କୃଷକ ପରିବାରର ରୋଜଗାର ବହୁ ତଳେ। ଆମକୁ କେବଳ ଆଶ୍ୱସନା ମିଳୁଛି ଯେ ଆମ ତଳକୁ ଝାରଖଣ୍ଡ ରାଜ୍ୟ ରହିଛି।

ଭାରତ ଆବଶ୍ୟକ କରୁଥିବା ସୂର୍ଯ୍ୟମୁଖୀ ତେଲର ମାତ୍ର ୧୦ ପ୍ରତିଶ୍ରତ ଦେଶର କୃଷକମାନେ ଉତ୍ପାଦନ କଲାବେଳେ ୯୦ ପ୍ରତିଶତ ଆମଦାନୀ କରାଯାଏ ଯାହାର ପରିମାଣ ବାର୍ଷିକ ପ୍ରାୟ ୩୫ ଲକ୍ଷ ଟନ। ଏହି ଆମଦାନୀର ୭୦ ପ୍ରତିଶତ ଆସେ ୟୁକ୍ରେନରୁ, ୨୦ ପ୍ରତିଶତ ରୁଷିଆରୁ ଓ ବଳକା ୧୦ ପ୍ରତିଶତ ଆସେ ଆର୍ଜେଣ୍ଟିନା ସମେତ ଅନ୍ୟାନ୍ୟ ଦେଶରୁ। ଓଡ଼ିଶାରେ ସମୁଦାୟ ଚାଷ ଜମିର ୭୭.୭ ପ୍ରତିଶତ ଜମିରେ ଧାନ ଚାଷ ହେଉଥିଲା ବେଳେ ତୈଳବୀଜ ଚାଷ ହୁଏ ମାତ୍ର ୪.୯ ପ୍ରତିଶତ ଜମିରେ। ଅଥଚ ଓଡ଼ିଶାବାସୀ ପ୍ରତି ମାସରେ ଆବଶ୍ୟକ କରନ୍ତି ୫-୬ ଲକ୍ଷ ଟନ ଖାଇବା ତେଲ; ଯାହାର ୨୫ ପ୍ରତିଶତ କେବଳ ସୂର୍ଯ୍ୟମୁଖୀ, ୧୫-୨୦ ପ୍ରତିଶତ ପାମୋଲିନ, ସୋୟାବିନ ୬ ପ୍ରତିଶତ ଓ ଚିନାବାଦାମ, ସୋରିଷ, ରାଶି ତେଲ ପରିମାଣ ୧୭ ପ୍ରତିଶତ। ଓଡ଼ିଶା ଭଳି କୃଷି ପ୍ରଧାନ ରାଜ୍ୟରେ ତୈଳବୀଜ ଚାଷର ଏପରି ଦୁରବସ୍ଥା ହେଲେ ଚାଷୀପରିବାରର ଆର୍ଥିକ ସ୍ୱଚ୍ଛଳତା ଓ ପୁଷ୍ଟିସାଧନ ଅସମ୍ଭବ।

ଚାଷୀମାନେ ନିଜ ଚାଷ ଜମିରେ ଫସଲ ପର୍ଯ୍ୟାୟ ସ୍ଥିର କରିବାକୁ ସ୍ୱତନ୍ତ୍ର। ସେମାନେ ଇଚ୍ଛା ନ କଲେ ତାଙ୍କୁ ତୈଳବୀଜ ଚାଷ କରିବାକୁ କେହି ବାଧ୍ୟ କରିପାରିବେନି। ଜଳସେଚନ ବ୍ୟବସ୍ଥା ଓ ଉତ୍ପାଦିତ ଫସଲର ନିଶ୍ଚିତ ବିକ୍ରିବଟା ଅନୁଯାୟୀ ସାଧାରଣତଃ କେଉଁ ଋତୁରେ କେଉଁ ଫସଲ ଚାଷ କରିବେ, ତାହା ଚାଷୀମାନେ ନିର୍ଦ୍ଧାରଣ କରିଥାଆନ୍ତି। ଶୁଷ୍କ ଭୂମିରେ ସିଞ୍ଚନ ଓ ବୁନ୍ଦା ଜଳସେଚନ ସୁବିଧା ପର୍ଯ୍ୟାପ୍ତ ନୁହେଁ। ସରକାର ଧାନ କିଣୁଥିଲା ପରି ତୈଳବୀଜ କିଣନ୍ତିନାହିଁ। ବିକ୍ରି ନହେଲା ଯାଏଁ ଅମଳ ହୋଇଥିବା ତୈଳବୀଜକୁ ସାଇତି ରଖିବାକୁ ପର୍ଯ୍ୟାପ୍ତ ସଂଖ୍ୟକ ଗ୍ରାମ୍ୟ ଗୋଦାମ ଘର ମଧ୍ୟ ନାହିଁ। ସୂର୍ଯ୍ୟମୁଖୀ, ସୋରିଷ, ଚିନାବାଦାମ ଇତ୍ୟାଦି ଅମଳ କରିବା ଯନ୍ତ୍ର ସହଜ ଉପଲବ୍ଧ ହୁଏନା। ଗ୍ରାମାଞ୍ଚଳମାନଙ୍କରେ ଥିବା ହଲର, ଅଟାକଳ, ଚୂଡ଼ାକଳ ଓ ତେଲପେଡ଼ା କଳ ବନ୍ଦ ହୋଇ ଯିବା ସହ ଦେଶୀ ଘଣା ବି ଆଉ ନାହିଁ। ଏଣୁ ତୈଳବୀଜକୁ ପେଡ଼ି ପ୍ରକ୍ରିୟାକରଣ କରିବାର ସୁବିଧା ଚାଷୀ ପାଖରେ ନାହିଁ କହିଲେ ଚଳେ। ଅନ୍ୟପକ୍ଷରେ, ଅଧିକ ଅମଳକ୍ଷମ ବିହନ ଯୋଗାଣ, ବଜାର ଭିତ୍ତିଭୂମି, ସରକାରୀ ସହଯୋଗ ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରାଯାଉ ନଥିବାରୁ, ଚାଷୀ ତୈଳବୀଜ ଚାଷ ପ୍ରତି ବିମୁଖ। କେନ୍ଦ୍ର ସରକାର ଜିଏମ ତୈଳବୀଜ ଚାଷକୁ ଅନୁମତି ଦେଉ ନଥିବାରୁ, ଚାଷୀମାନେ ଅଧିକ ଅମଳ କରିନପାରି କ୍ଷତି ସହୁଛନ୍ତି। ଏ ସବୁର ନୀତିଗତ ସମାଧାନ ଆବଶ୍ୟକ। ଇନପୁଟ୍ ସବସିଡି ପ୍ରଦାନ କରି ଓଡ଼ିଶା ସରକାର କେବଳ ଖରିଫ୍ ଧାନ ଏବଂ ରବି ଡାଲି ଓ ତୈଳବୀଜ ଶସ୍ୟ କିଣିନେଲେ ଏବଂ ଓମଫେଡ଼ ଢାଞ୍ଚାରେ ସମବାୟ ଭିତ୍ତିରେ ‘ସୁବର୍ଣ୍ଣା’ ଭଳି ଅନୁଷ୍ଠାନ ନିର୍ମାଣ କଲେ, ଓଡ଼ିଶା ଅନ୍ୟ ରାଜ୍ୟରୁ ଡାଲି ଓ ଖାଇବା ତେଲ ଆମଦାନି କରନ୍ତାନି। ୨୦୩୬ରେ ବିକଶିତ ଓଡ଼ିଶା ପାଇଁ ଯେଉଁ ନୀଳନକ୍ସା ଅଙ୍କନ କରାଯାଇଛି, ସେଥିରେ ଏହି ପ୍ରସ୍ତାବକୁ ସାମିଲ କରାଯାଉ।

ଫୋ - ୯୪୩୮୨୯୯୦୩୭

Odisha Mustard Oil Edible Oil