Advertisment

ଅଥଃ କେଶ ପ୍ରସଙ୍ଗମ- ଚନ୍ଦାପଣର ଚିକ୍କିଣିଆ କଥା!

ଅସମୟରେ ଝଡ଼ି ଯାଉଥିବା କେଶ କାରଣରୁ  ନିଜର ସୌନ୍ଦର୍ଯ୍ୟ ହରାଇଥିବାର ଦୁଃଖରେ ମ୍ରିୟମାଣ ଯୁବକମାନେ ଏଭଳି ଠକାମିର ଶିକାର ହେବାରୁ ଶିଖୁଛନ୍ତି ଯେ କେଶ ପଛରେ ଦୌଡ଼ି, ଅର୍ଥ ଶ୍ରାଦ୍ଧକରି, ନିଜର ମଥାରେ କିଛି କେଶ ପ୍ରଦର୍ଶନ କରିବାର ଗର୍ବ ଅପେକ୍ଷା ଠକିଯିବା ଅଧିକ ଦୁଃଖ ଦେଇଥାଏ।

hair care

Hair Fall Photograph: (Internet)

Advertisment

ଜାନକୀଶ ବଡ଼ପଣ୍ଡା 

ଆଜିକାଲି ଯୁବକମାନେ ଯେଉଁ କେତୋଟି ଆଧୁନିକ ସହରୀ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତାହାର ଏକ କ୍ଷୁଦ୍ର ତାଲିକା ପ୍ରସ୍ତୁତ କରାଗଲେ, ଶରୀରର ଶୀର୍ଷଦେଶରୁ ଅମାନିଆ ହୋଇ ଝଡ଼ିପଡୁଥିବା କେଶ ସମ୍ଭବତଃ ଶୀର୍ଷସ୍ଥାନରେ ରହିବ। ସହରୀ-ଜୀବନର କିଛି କଟୁତିକ୍ତ ଅନୁଭବ ମଧ୍ୟରେ ଦର୍ପଣ ଆଗରେ ନିଜର ଚନ୍ଦା ହୋଇଆସୁଥିବା ମସ୍ତକର ଦୁଃଖଦ ଦୃଶ୍ୟ ସତରେ ଅତ୍ୟନ୍ତ ହୃଦୟ ବିଦାରକ!

Advertisment

ନିଜର ଫ୍ଲାଟ ଭିତରେ ଏକ ନରମ ସକାଳରେ କପେ ଚା’ର ମହକ ମନକୁ ଆନମନା କଲାବେଳେ ଦର୍ପଣରେ ପ୍ରତିଫଳିତ ହେଉଥିବା ମୁଣ୍ଡର ଏକ ଛୋଟ ବୃତ୍ତ ବେସିନ ପାଖ କ୍ୟାବିନେଟ୍ ଆଲୋକ ତଳେ ମନକୁ ବିଷର୍ଣ୍ଣ କରିଦିଏ। ଏହି ସ୍ଥାନଟି ସତରେ ଏକ ନୀରବ ଆବେଗର ସ୍ଥଳୀ। ଦର୍ପଣ ଆଗରେ ଠିଆ ହୋଇ ବ୍ୟାଙ୍କ ପାସବୁକରେ କମି ଚାଲିଥିବା ଜମାରାଶିକୁ ଅଧିକ କମିବାକୁ ନଦେଇ କ୍ରମଶଃ ବଢ଼ାଇବାର ବିକଳ ପ୍ରୟାସ ଭଳି ଝଡ଼ି ଚାଲିଥିବା କେଶ ଓ ଚନ୍ଦା ମୁଣ୍ଡରେ କେଶ ସିରମ୍ ସଯତ୍ନେ ପ୍ରୟୋଗ-ସାଧନା କରିବାକୁ ପଡ଼େ। କିନ୍ତୁ ସମସ୍ତ ସାଧନା ସଫଳତା ପାଏନାହିଁ। ଆମେ ସିନା ଆମର ଖାଦ୍ୟରେ କ୍ୟାଲୋରୀ କମ୍-ବେଶି କରିପାରିବା, କିନ୍ତୁ ଗହଳ କେଶ ପରିଚାଳନା କ’ଣ ସମ୍ଭବ? ଏହା ଅବକ୍ଷୟମାନ କେଶ ଉପରେ ନିୟନ୍ତ୍ରଣ ହରାଉଥିବାର ନୀରବ ଦୁଃଖଦ ସମୟ। ଭାରତର ଚମତ୍କାର କେଶ ଚିକିତ୍ସା-ବଜାର ଦ୍ୱାରା ପ୍ରଲୁବ୍ଧ ପୁରୁଷଙ୍କ ମଧ୍ୟରେ ସାମିଲ ହୋଇ ହତାଶା ଏବଂ ପ୍ରତାରଣାର ବିଶ୍ୱକୁ ଅନୁଭବ କରିବାର ଏହା ଏକ ଦୁଃଖଦ ସନ୍ଧିକ୍ଷଣ।

ଚନ୍ଦା ହେବାକୁ ଯାଉଥିବା ପ୍ରତ୍ୟେକ ପୁରୁଷଙ୍କୁ ତାଙ୍କର ସବୁଠାରୁ ଦୁର୍ବଳ ଅବସ୍ଥାରେ ଆଶା ଦେଇଥାଏ କିଛି ବିଜ୍ଞାପନ ଭିଡିଓ – ‘୧୫ ଦିନରେ ପୁନର୍ବାର ଚମତ୍କାର କେଶ ବୃଦ୍ଧି’, ଯାହା ପ୍ରଦର୍ଶିତ କରେ ପୁରୁଷମାନଙ୍କ ଚନ୍ଦାମୁଣ୍ଡରେ ପୁନର୍ବାର ସୃଷ୍ଟ ଘଞ୍ଚ-ସଘନ କୃଷ୍ଣକେଶ। ଭିଡିଓଟିର କ୍ୟାପସନରେ ଲେଖାଯାଇଥାଏ, ‘ତୁରନ୍ତ ଯୁବାବସ୍ଥା। ଆତ୍ମବିଶ୍ୱାସ ପୁନରୁଦ୍ଧାର। ବୈଜ୍ଞାନିକ ଭାବରେ ପ୍ରମାଣିତ।’

Advertisment

କେବଳ ମୋବାଇଲ୍ ଫୋନରେ ବିଜ୍ଞାପନ ନୁହେଁ, ମାଗଣା ‘କେଶ ସମ୍ବନ୍ଧୀୟ ପରାମର୍ଶ’ ନେବା ପାଇଁ ନିମନ୍ତ୍ରଣ ମଧ୍ୟ ମିଳିଥାଏ। ଗୋଟିଏ କେଶ ଯତ୍ନ କ୍ଲିନିକ୍ ସାମନାରେ ଟଣାଯାଏ ଏକ ଅସ୍ଥାୟୀ ତମ୍ବୁ। ସେଥିରେ ଏକ ଫ୍ଲେକ୍ସି ବ୍ୟାନର ଥାଏ: 'ଗ୍ୟାରେଣ୍ଟେଡ୍ କେଶ ପୁନଃବୃଦ୍ଧି, ନୋହିଲେ ଟଙ୍କା ଫେରସ୍ତ'। ଔଷଧ ବିକ୍ରିଦାୟିତ୍ୱ ନେଇଥିବା ଜଣେ କେଶବତୀ କନ୍ୟା ଆତ୍ମବିଶ୍ୱାସ ସହିତ କହେ, ‘କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। ୧୫ ଦିନ ମଧ୍ୟରେ ଶାଗ ପଟାଳିରେ କୋଶଳା ଶାଗ ଭଳି ନୂଆ କେଶ ଉଠିବାର  ଗ୍ୟାରେଣ୍ଟି ଦେଉଛୁ।’ ସୁନ୍ଦରୀ ନାରୀଙ୍କ ଆବେଦନ କେବେ ତ ବ୍ୟର୍ଥ ହୁଏନା; ଏଣୁ ଅଗତ୍ୟା ଏକ ହଜାର ଟଙ୍କା ବିନିମୟରେ ଦୁଇଟି ଶିଶିରେ ଥିବା 'ଗ୍ୟାରେଣ୍ଟେଡ୍ କେଶ ପୁନଃବୃଦ୍ଧି ସେରମ୍’ ଏବଂ ନିର୍ଦ୍ଦେଶନାମା ନେବାକୁ ହୁଏ। ପରଦିନ ପ୍ରତ୍ୟୁଷରେ ପ୍ରୟୋଗ କଲାରୁ ମଥାରେ ଥିବା ଅବଶିଷ୍ଟ କେଶ କେବଳ ଝଡ଼ିଯାଏ ନାହିଁ, ଅଧିକିନ୍ତୁ ମଥାରେ ସୃଷ୍ଟି ହୋଇପାରେ ଏଭଳି ଏକ ଦୃଶ୍ୟ, ଯାହା ଘରପୋଡ଼ିଯିବା ପରବର୍ତ୍ତୀ ଦୃଶ୍ୟଠାରୁ କିଛି କମ୍ ହୃଦୟ ବିଦାରକ ନୁହେଁ। ଚର୍ମରୋଗ ବିଶେଷଜ୍ଞଙ୍କ ପାଖକୁ ଯିବାକୁ ହୁଏ। ଏକ ଗଭୀର ଦୀର୍ଘନିଶ୍ୱାସ ନେଇ ସେ କହନ୍ତି, ‘ଏହା କେଶ ଚିକିତ୍ସା ନଥିଲା। ଏହା  ଥିଲା ଏକ ଆକ୍ରମଣ’। ମନେ ମନେ ରାଗିଥିଲେ ବି ଲଜ୍ଜିତ ହୋଇ କେହି ପୋଲିସ୍ ପାଖରେ ଅଭିଯୋଗ କରି ନଥାନ୍ତି। 

ଅସମୟରେ ଝଡ଼ି ଯାଉଥିବା କେଶ କାରଣରୁ  ନିଜର ସୌନ୍ଦର୍ଯ୍ୟ ହରାଇଥିବାର ଦୁଃଖରେ ମ୍ରିୟମାଣ ଯୁବକମାନେ ଏଭଳି ଠକାମିର ଶିକାର ହେବାରୁ ଶିଖୁଛନ୍ତି ଯେ କେଶ ପଛରେ ଦୌଡ଼ି, ଅର୍ଥ ଶ୍ରାଦ୍ଧକରି, ନିଜର ମଥାରେ କିଛି କେଶ ପ୍ରଦର୍ଶନ କରିବାର ଗର୍ବ ଅପେକ୍ଷା ଠକିଯିବା ଅଧିକ ଦୁଃଖ ଦେଇଥାଏ। ପପ୍-ଅପ୍ କ୍ଲିନିକ୍, ଭିଡିଓ ବିଜ୍ଞାପନର ‘ବିଶେଷଜ୍ଞ’ମାନେ ଠକ। ମିଥ୍ୟା ଆଶା ଦେଖାଇ କେଶ-ଯତ୍ନ-ଶିଳ୍ପ କେଶ ଆଶାୟୀ ପୁରୁଷମାନଙ୍କୁ ଅସୁରକ୍ଷାର ଶିକାର କରି ଚାଲିଛି। ଉତ୍ତର ପ୍ରଦେଶର ମିରଟ ସହରରେ ଜଣେ ଠକକୁ ‘ଚମତ୍କାର କେଶ ବୃଦ୍ଧି ତେଲ’ ବିକ୍ରୟ କରିବା ଅଭିଯୋଗରେ ଗିରଫ କରାଯାଇଥିଲା। ଏହି ତେଲ ବ୍ୟବାହାରକାରୀଙ୍କ ମଥାର ତ୍ୱଚାରେ ଗୁରୁତର ଆଲର୍ଜି ସୃଷ୍ଟି କରିଥିଲା। ଚେନ୍ନାଇରେ ଜଣେ କେଶ-ବିଶେଷଜ୍ଞ ବୋଲାଉଥିବା କ୍ୱାକ୍ ଦ୍ୱାରା ଲୋକମାନେ ୭୦ ଲକ୍ଷ ଟଙ୍କା ହରାଇଥିଲେ। କାନପୁରରେ ଦୁଇଜଣ ଇଞ୍ଜିନିୟର ଭୁଲ କେଶ ପ୍ରତିରୋପଣ ଅସ୍ତ୍ରୋପଚାର କରାଇ ୪୮ ଘଣ୍ଟା ମଧ୍ୟରେ ମୃତ୍ୟୁବରଣ କରିଥିଲେ। ଅସ୍ତ୍ରୋପଚାର କରିଥିଲେ ଜଣେ ଦନ୍ତ ଚିକିତ୍ସକ; ଯେ କି ନିଜକୁ କେଶ-ବିଶେଷଜ୍ଞ ଭାବେ ପ୍ରଚାରିତ କରି ଆସିଥିଲେ।

ଦର୍ପଣ ସାମନାରେ କେଶ ଝଡ଼ିବା ଜାରି ରହିଥିବା ମୁଣ୍ଡର ଏକ ହାଲୁକା ଝଲକ ମଧ୍ୟ ସାରାଦିନକୁ ନଷ୍ଟ କରିପାରେ। ସେଥିପାଇଁ ତ କିଛି ଯୁବକଙ୍କ ସକାଳ ଆରମ୍ଭ ହୁଏ ଆମଦାନି କରାଯାଇଥିବା ସେରମ୍ ସହିତ, ଟୋପି ତଳେ କଟେ ତାଙ୍କର ଅପରାହ୍ନ, ଏବଂ ସାରାରାତି ବିତିଥାଏ ‘ଚମତ୍କାର ତେଲର ଭିଡିଓ’ ସଂଦର୍ଶନରେ।

କିଛି ଯୁବକ ପ୍ରାକୃତିକ କେଶରୁ ପ୍ରସ୍ତୁତ ପରଚୁଳ ସାହାଯ୍ୟରେ ନିଜର କେଶବିହୀନ ମସ୍ତକକୁ ଗହଳ କେଶଥିବା ମସ୍ତକରେ ପରିଣତ କରି ସାମାଜିକ ଜୀବନକୁ ଉପଭୋଗ କରନ୍ତି। ସେମାନେ ବସାଉଠା କରିବା ପାଇଁ ସର୍ବଦା ଏପରି ସ୍ଥାନ ବାଛିଥାଆନ୍ତି, ଯେଉଁଠାରେ ଫ୍ୟାନ୍ କିମ୍ବା ଶୀତତାପ ନିୟନ୍ତ୍ରଣ ଯନ୍ତ୍ରରୁ ଆସୁଥିବା ପବନ ସିଧା ସଳଖ ମୁଣ୍ଡ ଉପରେ ବାଜି ନଥାଏ। ଖୋଲା ପବନ ବୋହୁଥିବା ସ୍ଥାନକୁ ପ୍ରାୟତଃ ଏଡ଼ାଇ ଯାଆନ୍ତି। ଏହି ଯୁବକମାନଙ୍କୁ କେଶକାଟିବା ସେଲୁନ୍ ଯିବାକୁ ପଡ଼େନାହିଁ, ଯଦିଓ ପରଚୁଳ ପ୍ରସ୍ତୁତକାରୀଙ୍କ କ୍ଲିନିକ୍ ଯିବାକୁ ପଡ଼େ, ଅତି ସନ୍ତର୍ପଣରେ। ଜଣେ କ୍ଲିନିକାଲ୍ ମନସ୍ତତ୍ତ୍ୱବିତଙ୍କ କହିବା କଥା ଯେ କେଶ ଝଡ଼ିବା ସହିତ ପୁରୁଷମାନଙ୍କ ଚିନ୍ତା ଏବଂ ସାମାଜିକ ଅବସାଦବୋଧ ବଢ଼ିଯାଏ। ସେମାନେ ଭାବିନିଅନ୍ତି ଯେ ସମସ୍ତେ ତାଙ୍କ ପତଳା କେଶକୁ ଉପହାସ କରିବେ। କିଛି ଯୁବକ ତ ପୂର୍ବଭଳି ଜିମ୍ ଯିବା ବନ୍ଦ କରିଦିଅନ୍ତି। ଏପରିକି ଖେଳକୁଦ କରିବାକୁ ଚାହାନ୍ତି ନାହିଁ। କେଶ ଝଡ଼ିବା ସେମାନଙ୍କ ପୁରୁଷତ୍ୱ, ଯୁବାବସ୍ଥା ଏବଂ ବୃତ୍ତିଗତ ଆତ୍ମବିଶ୍ୱାସକୁ ଦୁର୍ବଳ କରିଦିଏ। କିଛି ପୁରୁଷ ସାଙ୍ଗସାଥୀ ଏବଂ ସାମାଜିକ କାର୍ଯ୍ୟକ୍ରମଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ଏଡ଼ାଇବା ଆରମ୍ଭ କରନ୍ତି। ପ୍ରତିଦିନ ସକାଳ ୫ଟାରେ ଶଯ୍ୟା ତ୍ୟାଗକରି ଅଭ୍ୟାସ ମୁତାବକ ପ୍ରାତଃଭ୍ରମଣ କରୁଥିବା ଯୁବକ ସେହି ସମୟରେ ଆମଦାନୀ ହୋଇଥିବା କେଶବୃଦ୍ଧି-ସେରମ୍ ପ୍ରୟୋଗ କରିବାକୁ ଉଚିତ ମଣନ୍ତି, ବ୍ୟାୟାମ ଅଭ୍ୟାସ ଯାଏ ଚୁଲିକୁ। 

ଜଣେ ଚର୍ମରୋଗ ବିଶେଷଜ୍ଞଙ୍କ ମତରେ, ପୁରୁଷଙ୍କ କେଶ ଝଡ଼ିବା ଶୈଳୀ ମୁଖ୍ୟତଃ ବଂଶାନୁକ୍ରମିକ, ଯାହାକୁ ଆଣ୍ଡ୍ରୋଜେନେଟିକ୍ ଆଲୋପେସିଆ କୁହାଯାଏ। ଏହାକୁ ଧୀର କରାଯାଇ ପାରେ, ପରିଚାଳନା କରାଯାଇ ପାରେ, ଏବଂ କିଛି କ୍ଷେତ୍ରରେ ଏହାକୁ ମଧ୍ୟ ଓଲଟାଇ ଦେଇହୁଏ। କିନ୍ତୁ ଏଥିପାଇଁ ରୋଗ ନିର୍ଣ୍ଣୟ, ସ୍ଥିରତା ଏବଂ ବାସ୍ତବବାଦୀ ମନୋବଳ ଆବଶ୍ୟକ। ବୈଧ ଚିକିତ୍ସା ବ୍ୟବସ୍ଥାରେ ଫିନାଷ୍ଟରାଇଡ୍, ମିନୋକ୍ସିଡିଲ୍, ପିଆରପି ଥେରାପି ଚିକିତ୍ସା ଏବଂ କେଶ ପ୍ରତିରୋପଣ ଅନ୍ତର୍ଭୁକ୍ତ ରହିଛି। କିନ୍ତୁ ଅବୈଧ ଚିକିତ୍ସା ବ୍ୟବସ୍ଥା ସେମାନଙ୍କ ପ୍ରସ୍ତୁତ ଔଷଧକୁ ବିକ୍ରି କରିବାକୁ ଏଭଳି ପ୍ରଚାର ଶୈଳୀ ବ୍ୟବହାର କରୁଛନ୍ତି ଯେ, ପୁରୁଷମାନେ ନିଜ କେଶର ରକ୍ଷଣାବେକ୍ଷଣ କରିବା ବଦଳରେ ଚମତ୍କାର ଚାହୁଁଛନ୍ତି। ପରିଣାମରେ ଅର୍ଥଶ୍ରାଦ୍ଧ, ତ୍ୱଚା ନଷ୍ଟ ତଥ୍ୟ ମନସ୍ତାପ ହିଁ ମିଳୁଛି।

ଯେଭଳି ପୁରୁଷଙ୍କ କେଶଝଡ଼ିବା ମୁଖ୍ୟତଃ ବଂଶାନୁକ୍ରମିକ, ସେହିପରି ମସ୍ତକରେ ଘନକେଶ-ପ୍ରାଚୁର୍ଯ୍ୟ ମଧ୍ୟ ବଂଶାନୁକ୍ରମିକ। ଏହିଭଳି ଦଳେ ସୁଦୀର୍ଘ କୁନ୍ତଳା ଓ ତାଙ୍କର ପରିବାର ସଦସ୍ୟମାନଙ୍କୁ ବ୍ୟବହାର କରି ଦେଶର ବଡ଼ବଡ଼ ସହରରେ ଅନୁଷ୍ଠିତ ପ୍ରଦର୍ଶନୀରେ ଭାଗ ନିଅନ୍ତି କେରଳ ଜଡ଼ିବୁଟିରୁ ପ୍ରସ୍ତୁତ ‘କେଶବର୍ଦ୍ଧକ ତେଲ’ କମ୍ପାନୀ। ୧୪୫ କୋଟି ଲୋକଙ୍କ ମଧ୍ୟରୁ ମାତ୍ର ଏକ କୋଟି ଚନ୍ଦାପୁରୁଷ ଏମାନଙ୍କ ତେଲ କିଣିଲେ କମ୍ପାନୀର ଲାଭ ହିଁ ଲାଭ। ସେହିପରି କେଶହୀନ ମସ୍ତକରେ କେଶ ରୋପଣ ଏକ ଭଲ ବ୍ୟବସାୟ। ଥରେ ଚେନ୍ନାଇରେ ଇଞ୍ଜିନିୟରିଂ ପଢୁଥିବା ଗଞ୍ଜାମ ଜିଲାର ଜଣେ ସମ୍ପୁର୍ଣ୍ଣ କେଶହୀନ ଯୁବକ ଗାଁକୁ ଆସି ନିଜବଂଶର ଆଉ ଜଣେ ଚନ୍ଦାଙ୍କୁ କେଶ ରୋପଣ କରିବାକୁ ପରାମର୍ଶ ଦିଅନ୍ତେ, ସେ ନାପସନ୍ଦ କରି କହିଲେ, ‘ମୋତେ ବୋକା ପାଇଲୁ କିରେ! ଚାଳିଶ ହଜାର ମୁଦ୍ରା ଗଣି ବାଳ ରୋଇବି, ଡେଇ’ଲି ମଥେଇ (ତେଲ) ଲଗେଇବି, ସେଲୁନ୍ ଯାଇ ବାଳ କାଟିବି! କେତେ ଖର୍ଚ୍ଚ ହେବ ଜାଣିଚୁରେ ପୁଅ! କାହିଁକି ରେ? ମୋର ଏବେ କି’ଅଣ ଅଡୁଆ ହେଇଚି କି!’ ସେ ହୁଏତ ଅର୍ଥ ଲୋଭରୁ ଏପରି କହିଥିବେ। ମାତ୍ର ଭାବିଲେ ଦେଖି, କେଶହୀନତା ଲୁଚାଇବା ପାଇଁ ଏଭଳି ବିକଳ ପ୍ରୟାସ କେତେ ଜରୁରୀ!
ସାନ୍ତ୍ୱନାର କଥା ଯେ ଆଜିକାଲି କେଶଶୂନ୍ୟ ମସ୍ତକ ଚୁପଚାପ୍ ଏକ ପ୍ରତି-ଆନ୍ଦୋଳନ ଆକାର ନେବାକୁ ଆରମ୍ଭ କରିଛି। ଅନେକ ପ୍ରସିଦ୍ଧ ଚଳଚିତ୍ର ତାରକା ପ୍ରଭାବଶାଳୀ ଢଙ୍ଗରେ ଗର୍ବର ସହିତ ଲଣ୍ଡିତ ମସ୍ତକ ଏବଂ ସୁସଜ୍ଜିତ ଦାଢ଼ି ରଖି ଅଭିନୟ ପ୍ରଦର୍ଶନ କଲେଣି, ଯାହା ଚନ୍ଦାପଣକୁ ଏକ ଷ୍ଟାଇଲ୍ ଭାବେ ଗ୍ରହଣ କରିବାକୁ ସମସ୍ତଙ୍କୁ ବସ୍ତୁତଃ ପ୍ରସ୍ତୁତ କରୁଛି। ଏହା ଏବେ ଦୃଢ଼ତା, ପୁରୁଷ ସୁଲଭ ଉଦ୍ଦାମତା ଓ ନୂତନ ‘ହଟ ଏଣ୍ଡ୍ ବୋଲ୍ଡ’ ବ୍ୟକ୍ତିତ୍ୱ ଭାବେ ମୁଣ୍ଡ ଟେକୁଛି। ଯେଉଁ ମୁଣ୍ଡ ଦିନେ ଚନ୍ଦାପଣ କାରଣରୁ ଲଜ୍ଜାନତ ଥିଲା ତାହାକୁ ନେଇ ସଗର୍ବେ ମୁଣ୍ଡଟେକି ଚାଲିବାକୁ ଯୁବକମାନେ ଚିନ୍ତା କଲେଣି। 

ଏବେ ଯେଉଁ ଭଳି ଗରମ ହେଉଛି ଖୋଲା ପବନରେ ବୁଲିବା, ସାଙ୍ଗସାଥୀଙ୍କ ଗହଣରେ ଆଡ୍ଡାମାରିବା, ଫ୍ୟାନ ଓ ଏସି ପବନରେ ସାମାଜିକ ଜୀବନକୁ ଉପଭୋଗ ନକରି ଗ୍ଲାନିମୟ ଜୀବନ ଜିଇଁବାକୁ କିଏବା ଚାହିଁବେ? ଯେତେବେଳେ ପୁରୁଷଙ୍କ କେଶଝଡ଼ିବାର ମୁଖ୍ୟ କାରଣ ‘ବଂଶାନୁକ୍ରମିକ’ ବା ଜିନ୍ ସମ୍ବନ୍ଧିତ, ସବୁଦିନ ପାଇଁ ଜେନେଟିକ୍ସ ସହିତ ଲଢ଼ିବା ଅପେକ୍ଷା ତାହାକୁ ଖୁସିରେ ଗ୍ରହଣ କଲେ ଅସୁବିଧା ନାହିଁ। ହଁ, ଯେଉଁ ଯୁବକମାନେ ପ୍ରେମିକାଙ୍କ ଆଖିରେ ସବୁଠୁ ସୁନ୍ଦର ପୁରୁଷ ଭାବେ ଉଭା ହେବାକୁ ଚାହାନ୍ତି ସେମାନେ ଜାଣି ରଖିବା ଉଚିତ ଯେ, ପ୍ରେମିକା ଜଣେ ମହିଳା। ସେମାନେ ମଧ୍ୟ ପରିବର୍ତ୍ତନକୁ ଲକ୍ଷ୍ୟ କରନ୍ତି। ମଥାରୁ କେଶସଂଖ୍ୟା ହ୍ରାସ ପାଉଥିବା ଜଣେ ପୁରୁଷଙ୍କୁ ଡେଟ୍ କରୁଥିବା ପ୍ରେମିକା ସବୁ କିଛି ଲକ୍ଷ୍ୟ କରନ୍ତି, ଛଳନାପୂର୍ଣ୍ଣ ବ୍ୟବହାରକୁ ନାପସନ୍ଦ କରନ୍ତି। ସେମାନେ ଖୋଲାଖୋଲି ଭାବରେ ଏହି ବିଷୟରେ କଥା ହେଲେ ସବୁକିଛି ବଦଳିଯାଏ। ଆତ୍ମବିଶ୍ୱାସଭରା ପ୍ରେମିକ ଜଣକ ଭରାମସ୍ତକ-କେଶପୂର୍ଣ୍ଣ ଯୁବକ ଅପେକ୍ଷା ସୁନ୍ଦର ଦେଖାଯାଆନ୍ତି।

କେଶ ଝଡ଼ିଯିବା ଏକ ଦୁର୍ବଳ ପରିଚୟ ନୁହେଁ। କେଶ ବଢ଼େ, ଝଡ଼ିଯାଏ ଏବଂ ପୁରୁଷମାନଙ୍କୁ ମଧ୍ୟ ଅଦିନରେ ଚନ୍ଦା କରିପାରେ। ଚନ୍ଦାପଣ ଏକ ଭାବପ୍ରବଣତାର ସଙ୍କଟ। ଶିକ୍ଷା ହେଉଛି ଏହାର ଏକମାତ୍ର ପ୍ରକୃତ ଉପଚାର। ଶିକ୍ଷା ଚେତାଇ ଦିଏ ଯେ, ଏକ- ଦର୍ପଣ ଆଗରେ ପରିଭାଷିତ ଦୃଶ୍ୟ ପୁରୁଷର ମୂଲ୍ୟାୟନ କରେ ନାହିଁ। ଦୁଇ- କେଶ ଝଡ଼ିଯିବାର ଶୀଘ୍ର ସମାଧାନ ବିପଦପୂର୍ଣ୍ଣ। ତିନି- ବାସ୍ତବତାକୁ ଗ୍ରହଣ ହେଉଛି ଆରୋଗ୍ୟ। ଚାରି- ଚର୍ମ ବିଶେଷଜ୍ଞଙ୍କ ପରାମର୍ଶ ନେଇ ଉପଯୁକ୍ତ ଚିକିତ୍ସା ଗ୍ରହଣ କଲେ ପୁରୁଷମାନେ କେଶ-ପ୍ରତିଛବିରୁ ଆତ୍ମ-ପ୍ରତିଛବିକୁ ଅଲଗା କରିପାରିବେ।

କେଶ ହରାଇବା ଅର୍ଥ ଆତ୍ମବିଶ୍ୱାସ ହରାଇବା ନୁହେଁ। ଗୋଟିଏ ମଜାକଥା ମନେ ପଡୁଛି। ଖରାଛୁଟିରେ ଗାଁକୁ ଯାଇଥିବା ଯୁବ ଅଧ୍ୟାପକ ଜଣକ ଫେସବୁକ୍ ବାନ୍ଧବୀଙ୍କ ଅନୁରୋଧରେ ସିନେମା ଦେଖିବା ପାଇଁ ସହରକୁ ଆସିଲେ। ସେହି ସହରରେ ରହୁଥିବା ବଡ଼ଭାଇ ଭାଉଜଙ୍କ ଘରେ ପହଞ୍ଚିଲା ପରେ ଗାଧୋଇସାରି ଇସ୍ତ୍ରୀକରା ପୋଷାକପିନ୍ଧି ସିନେମା ଯିବାକୁ ମନ କଲେ। ଅସୁବିଧା ହେଲା, ଯେତେବେଳେ ସେ ନିଜର ସୁନ୍ଦର ଗହଳ କେଶରେ ସାମ୍ପୋ ବୋଳିବା ବଦଳରେ ଭାଉଜଙ୍କ ବ୍ୟବହୃତ ‘ଲୋମ ବିଧ୍ୱଂସକାରୀ ଜେଲ୍’ ପ୍ରୟୋଗ କରି କାଚ ମାର୍କା ଗାଧୁଆ ସାରି ବାହାରିଲେ। ତାଙ୍କର କେଶତକ ଗାଧୁଆ ଘର ଚଟାଣରେ ଥାଇ ତାଙ୍କୁ କେବଳ ବିଦ୍ରୁପ କରୁ ନଥିଲା, ଦର୍ପଣରେ ସେ ନିଜକୁ ଦେଖି ଶିହରି ଉଠୁଥିଲେ। ସିନେମା ଯିବା ନୋହିଲା। ପ୍ରେମିକା ଅଭିମାନରେ ସମ୍ପର୍କ କାଟିଦେଲେ। କିଛି ବର୍ଷ ପରେ ସେହି ସିନେମା ହଲ୍ ପାଖରେ ତାଙ୍କର ଦେଖା ହୋଇଥିଲା ସୁନ୍ଦରୀ ପ୍ରେମିକାଙ୍କ ସହିତ। ସାଥିରେ ଥିଲେ ତାଙ୍କର ପତିଦେବ; ଯାହାଙ୍କ ମଥା ଥିଲା ସମ୍ପୂର୍ଣ୍ଣ କେଶଶୂନ୍ୟ! ଆହାଃ, ସେଦିନ ସେ ଲାଜରେ ସିନେମା ନଆସି କି ଭୁଲ କରି ନଥିଲେ ସତରେ!

ଫୋ- ୯୪୩୮୨୯୯୦୩୭

Haircut Hair Care Tips Hair Health Hair Salon Hair Growth Hair Fall Hair Fall Treatment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe