ରବି ଦାସ
ପ୍ରୟାଗରାଜ ଠାରେ ଦୀର୍ଘ ଦେଢ଼ ମାସ ହେଲା ଚାଲିଥିବା ମହାକୁମ୍ଭ ସ୍ନାନଯାତ୍ରା ଶିବରାତ୍ରି ଦିନ ଶେଷ ହୋଇଛି। ଏହି ସମୟ ଭିତରେ ଦେଶର ପ୍ରାୟ ୬୦ କୋଟି ହିନ୍ଦୁ ବା ସନାତନୀ ବୁଢ଼ ପକାଇଥିବା ଖୋଦ୍ ଉତ୍ତର ପ୍ରଦେଶ ସରକାର ଘୋଷଣା କରିଛନ୍ତି। ୧୪୦ କୋଟି ଲୋକଙ୍କ ଦେଶରେ କୌଣସି ଏକ ଧର୍ମ ବା ଆସ୍ଥା ସମ୍ପର୍କୀୟ ଘଟଣାରେ ପ୍ରାୟ ଅର୍ଦ୍ଧାଧିକ ହିନ୍ଦୁ ଧର୍ମର ଲୋକମାନେ ତ୍ରିବେଣୀ ସଙ୍ଗମ ପୀଠରେ ସ୍ନାନ କରି ନିଶ୍ଚିନ୍ତ ଭାବରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ପ୍ରତି ୧୨ ବର୍ଷରେ ଥରେ ଲେଖାଏଁ ପ୍ରୟାଗରାଜରେ ମହାକୁମ୍ଭର ଆୟୋଜନ ହେଉଥିଲେ ମଧ୍ୟ ପୂର୍ବରୁ କୌଣସି ମହାକୁମ୍ଭରେ ଏତେ ସଂଖ୍ୟକ ଲୋକ ବା ଶ୍ରଦ୍ଧାଳୁ କେବେ ବି ସ୍ନାନ କରିନଥିଲେ। ଏହାର ମୂଳ କାରଣ ସମ୍ଭବତଃ ଏଥିପାଇଁ ଯେ, ମହାକୁମ୍ଭ ଆରମ୍ଭ ପୂର୍ବରୁ ଉତ୍ତର ପ୍ରଦେଶ ସରକାର ନିଜର ପ୍ରଚାର ମାଧ୍ୟମରେ ଧର୍ମଶାସ୍ତ୍ରୀମାନଙ୍କ ମନ୍ତବ୍ୟକୁ ଉଦ୍ଧାର କରି ପ୍ରକାଶ କଲେ ଯେ, ଏଥର ହେଉଥିବା ମହାକୁମ୍ଭ ୧୪୪ ବର୍ଷ ପରେ ଘଟୁଛି।
ବୁଝାଇ ଦିଆଗଲା ଯେ, ପ୍ରୟାଗରାଜରେ ୧୨ ବର୍ଷରେ ଥରେ ଯେଉଁ କୁମ୍ଭ ଅନୁଷ୍ଠିତ ହୁଏ ସେହିପରି ୧୨ଟି କୁମ୍ଭ ପରେ ଅର୍ଥାତ୍ ୧୪୪ ବର୍ଷରେ ଚଳିତ ବର୍ଷ ହେଉଥିବା କୁମ୍ଭ ବାସ୍ତବରେ ଏକ ମହାକୁମ୍ଭ। ତେଣୁ ଜୀବନକାଳ ଭିତରେ କେହି ବି ଭାବିପାରିବ ନାହିଁ ଯେ, ଏପରି ଏକ ସୁଯୋଗ ସେମାନଙ୍କ ଜୀବନରେ ଆଉଥରେ ଆସିବ ବୋଲି। ତେଣୁ ଏହି ସୁଯୋଗରେ ସ୍ନାନ କରିବା ଦ୍ୱାରା ସମସ୍ତ ପାପ ଲୋପ ପାଇଯିବ ଓ ବ୍ୟକ୍ତି ମୋକ୍ଷ ସାଧନ କରିବ ବୋଲି ବ୍ୟାପକ ପ୍ରଚାର ହେତୁ ପ୍ରତ୍ୟେକ ହିନ୍ଦୁ ବା ସନାତନୀ ବିଶ୍ୱାସୀମାନେ ଏହି ସୁଯୋଗକୁ ଉପଭୋଗ କରିବା ପାଇଁ ପ୍ରୟାଗରାଜ ଚାଲିଲେ। ସେଠାରେ ଅସମ୍ଭବ ଭିଡ଼, ରାସ୍ତା ଜାମ୍ ଓ ଅଘଟଣ ଘଟି ପ୍ରାୟେ ୧୦୦ ଲୋକଙ୍କ ମୃତ୍ୟୁ ଘଟଣା ବା ରେଳ ଷ୍ଟେସନରେ ଏହି ଭିଡ଼ ଯୋଗୁ ଦଳା ଚକଟାରେ ୨୦ ଜଣ ଲୋକଙ୍କର ମୃତ୍ୟୁ ଓ ରାସ୍ତାଗୁଡ଼ିକରେ ଅନେକ ଦୁର୍ଘଟଣା ଜନିତ ଖବରଗୁଡ଼ିକ କୌଣସି ଠାରେ ଶ୍ରଦ୍ଧାଳୁମାନଙ୍କୁ ଭୟଭୀତ କରିନଥିଲା। ଏପରିକି ଏତେ ସଂଖ୍ୟକ ଲୋକଙ୍କର ଯେଉଁ ତ୍ରିବେଣୀରେ ସ୍ନାନ କରୁଛନ୍ତି ସେଠାରେ ଜଳର ମାନ ନେଇ କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡର ରିପୋର୍ଟ ମଧ୍ୟ କାହାରିକୁ ପ୍ରଭାବିତ କରିନାହିଁ।
ଏହି ସ୍ଥାନକୁ କେବଳ ଯେ, ବଡ଼ ବଡ଼ ବା ପଇସାବାଲା ଲୋକ ଯାଇଛନ୍ତି ବୋଲି କେହି ବି କହିପାରିବେ ନାହିଁ। ସେମାନଙ୍କ ପାଇଁ ବିମାନ ଟିକଟ ଭଡ଼ା ଅସମ୍ଭବ ଭାବରେ ବଢ଼ିବା ସତ୍ୱେ ପ୍ରତ୍ୟେକ ଏହି ସୁଯୋଗକୁ ହାତଛଡ଼ା କରିବାକୁ ଚାହିଁ ନାହାନ୍ତି। ଏପରିକି ଯେଉଁ ଗରିବ ପରିବାର ଦିଓଳି ଭଲରେ ଚଳିପାରନ୍ତି ନାହିଁ ସେମାନେ ମଧ୍ୟ ଯେତେ ଯାହା କଷ୍ଟ ହେଲେ ମଧ୍ୟ ବସ୍, ଟ୍ରେନ୍, ଟ୍ରାକ୍ଟର, ଟ୍ୟାକ୍ସି ପ୍ରଭୃତି ସମସ୍ତ ପ୍ରକାର ବ୍ୟବସ୍ଥାରେ ସେହି ସ୍ଥଳକୁ ଯାଇ ସ୍ନାନ କରିଛନ୍ତି। ଅପରିଷ୍କାର ଜଳର ବୈଜ୍ଞାନିକ ତଥ୍ୟ ଅପେକ୍ଷା ସେମାନଙ୍କର ଆସ୍ଥା ଅଧିକ ମଜବୁତ୍ ଥିବା ପ୍ରମାଣିତ ହୋଇଛି। କେବଳ ସେତିକି ନୁହେଁ ୧୪୪ ବର୍ଷ ପରେ ଏପରି ଏକ ମହାକୁମ୍ଭ ହେଉଥିବା ନେଇ କରାଯାଇଥିବା ପ୍ରଚାରର ସତ୍ୟତା ମଧ୍ୟ କେହି ପ୍ରଶ୍ନ କରିନାହାନ୍ତି। ୧୪୪ ବର୍ଷ ତଳେ ଅର୍ଥାତ୍ ୧୮୮୧ରେ ପ୍ରୟାଗରାଜରେ ଏପରି ଏକ ମହାକୁମ୍ଭ ହୋଇଥିବାର କୌଣସି ପ୍ରମାଣ ବା ତଥ୍ୟ ସରକାରୀ ରେକର୍ଡରେ ନାହିଁ। କିନ୍ତୁ ଆସ୍ଥା ପ୍ରସଙ୍ଗ ଉପରେ ପ୍ରଶ୍ନ ପଚାରିବାର ସମୟ ଏବେ ଦେଶରେ ନଥିବା ଅନୁମାନ କରାଯାଉଛି।
ହିନ୍ଦୁତ୍ୱ ବା ହିନ୍ଦୁରାଷ୍ଟ୍ର ଭାବନା ସ୍ୱାଧୀନତା ପୂର୍ବରୁ ଆରମ୍ଭ ହୋଇଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ଭାବରେ ବା ବହୁ ସଂଖ୍ୟାରେ ଜନମାନସକୁ ପ୍ରଭାବିତ କରିପାରୁ ନଥିଲା। ହେଲେ ଗତ ୧୦ ବର୍ଷ ଭିତରେ ଏହି ପ୍ରସଙ୍ଗ ଭାରତୀୟ ଜନମାନସରେ ଏକ ପ୍ରମୁଖ ସ୍ଥାନ ଦଖଲ କରିଥିବାରୁ ମହାକୁମ୍ଭ ବ୍ୟବସ୍ଥାକୁ ଯେଉଁମାନେ ସମାଲୋଚନା କରୁଛନ୍ତି ତାହାକୁ ପ୍ରଧାନମନ୍ତ୍ରୀ ସମାଲୋଚନା କରି ଭାରତର ଆସ୍ଥା, ବିଶ୍ୱାସ ଓ ସାଂସ୍କୃତିକ ପ୍ରଥାକୁ ଉପହାସ କରୁଥିବା ନେତାମାନେ ଦେଶର ଐତିହ୍ୟକୁ ନଷ୍ଟ କରୁଥିବା ଅଭିଯୋଗ କରିଛନ୍ତି। ପୂର୍ବରୁ ମଧ୍ୟ ଏହିପରି କୁମ୍ଭ ପ୍ରୟାଗରାଜରେ ପ୍ରତି ୧୨ ବର୍ଷରେ ଥରେ ହେଉଥିବା ଓ ବହୁ ସଂଖ୍ୟକ ହିନ୍ଦୁମାନେ ସେଠାରେ ସ୍ନାନ କରୁଥିବାର ରେକର୍ଡ ଥିଲେ ମଧ୍ୟ ଚଳିତ ଥର ଯାହା ଘଟିଛି ଓ ଯାହା ପ୍ରଚାରିତ ହୋଇଛି ତାହା ସମ୍ପୂର୍ଣ୍ଣ ଅଲଗା। ହେଲେ ମହାକୁମ୍ଭ ପ୍ରସଙ୍ଗ ରାଜନୈତିକ ଜୀବନକୁ କେତେଦୂର ପ୍ରଭାବିତ କରିବ ତାହା ଉପରେ ଏବେ ଠାରୁ ବକ୍ତବ୍ୟ ଦେବା ଠିକ୍ ହେବନାହିଁ। କାରଣ ୨୦୨୪ ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ପୂର୍ବରୁ ଓ ପରେ ଦେଶରେ ଯେଭଳି ଭାବରେ ରାଜନୈତିକ ଆଲୋଚନା ଚାଲିଥିଲା ତାହାର ପ୍ରତିଫଳନ ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଫଳିତ ହେଲା ନାହିଁ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ଧର୍ମ ସମ୍ପର୍କୀୟ ଆସ୍ଥା ଉପରେ ରାଜନୀତିର ସବୁ ଦିଗ ନିୟନ୍ତ୍ରିତ ହେବନାହିଁ।
କୁମ୍ଭ ରାଜନୀତି ଛଡ଼ା ଆମେରିକା ରାଷ୍ଟ୍ରପତି ଭାବରେ ଡୋନାଲ୍ଟ ଟ୍ରମ୍ପ ଶପଥ ଗ୍ରହଣ କରିବା ପରଠାରୁ ଯେଉଁ ଭଳି ଭାବରେ ପ୍ରଶାସନିକ ନିର୍ଦ୍ଦେଶ ସହ ବକ୍ତବ୍ୟଗୁଡ଼ିକ ପ୍ରଦାନ କରୁଛନ୍ତି ସେଥିରେ ଆମେରିକାର ପଡ଼ୋଶୀମାନଙ୍କ ସହିତ ୟୁରୋପର ମେଂଟ ରାଷ୍ଟ୍ର ଓ ଭାରତ ପରି ବନ୍ଧୁ ରାଷ୍ଟ୍ର କି ପ୍ରକାର ଭାବରେ ପ୍ରତିକ୍ରିୟା ଦେବେ ତାହା ସ୍ଥିର କରିବା ସମ୍ଭବ ହେଉନାହିଁ। ଭାରତ କ୍ଷେତ୍ରରେ ଟ୍ରମ୍ପଙ୍କର ପ୍ରତ୍ୟେକଟି ମନ୍ତବ୍ୟ ଭାରତରେ ନୂଆ ଧରଣର ରାଜନୈତିକ ବିବାଦକୁ ଜନ୍ମଦେଉଛି। ଗାଜା ସଂକ୍ରାନ୍ତରେ ତାଙ୍କର ବିବାଦୀୟ ମନ୍ତବ୍ୟ ପରେ ରୁଷ ଓ ୟୁକ୍ରେନ୍ ଯୁଦ୍ଧ ଟ୍ରମ୍ପ ବନ୍ଦ କରିଦେବେ ବୋଲି ଘୋଷଣା କରି ଯେଉଁଭଳି ଭାବରେ କାର୍ଯ୍ୟ କରୁଛନ୍ତି ସେଥିରେ କୌଣସି ରାଷ୍ଟ୍ର ତାଙ୍କ ଉପରେ ବିଶ୍ୱାସ କରିପାରୁ ନାହାନ୍ତି। କିନ୍ତୁ ଭାରତ କ୍ଷେତ୍ରରେ ଆମେରିକାର ଅଯଥା ଖର୍ଚ୍ଚ ରୋକିବା ପାଇଁ ସେ ନେଉଥିବା ପଦକ୍ଷେ ପରେ ଆମେରିକୀୟ ଏଜେନ୍ସି ୟୁଏସ୍ଏଆଇଡ଼ି ଭାରତୀୟ ରାଜନୈତିକ ବ୍ୟବସ୍ଥାକୁ ଓ ନିର୍ବାଚନରେ ଭୋଟ୍ ସଂଖ୍ୟା ବଢ଼ାଇବା ପାଇଁ ସାହାଯ୍ୟ ଆକାରରେ ଯେଉଁ ଅର୍ଥ ଦେଇଥିବା ନେଇ ୩ ଦିନ ଭିତରେ ତିନୋଟି ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇଛନ୍ତି ସେଥିରେ ତାଙ୍କର ପ୍ରକୃତ ଲକ୍ଷ୍ୟ କ’ଣ ବୁଝିବା କଷ୍ଟକର।
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜଣେ ବନ୍ଧୁ ବୋଲି କହି ଭାରତୀୟ ରାଜନୈତିକ ବ୍ୟାପାର ଉପରେ ଆମେରିକା ଏଜେନ୍ସିର ସାହାଯ୍ୟ ବିଷୟ ଉଲ୍ଲେଖ କରି ସେ ଭାରତର ଆତ୍ମସମ୍ମାନକୁ ନଷ୍ଟ କରିଛନ୍ତି। ଭାରତ ବିଶ୍ୱର ଏକ ବଡ଼ ଗଣତନ୍ତ୍ର ଓ ଭାରତୀୟ ନିର୍ବାଚନ ବ୍ୟବସ୍ଥା ସାରା ବିଶ୍ୱରେ ଆକର୍ଷଣୀୟ ବୋଲି କୁହାଯାଉଛି, ତଥାପି ଭାରତୀୟ ନିର୍ବାଚନରେ ଭୋଟର୍ ସଂଖ୍ୟା ବଢ଼ାଇବା ପାଇଁ ୨୦୨୪ରେ ଆମେରିକୀୟ ଏଜେନ୍ସି ୨୧ ନିୟୁତ ଡଲାର୍ ପ୍ରଦାନ କରିଥିବା ବିଷୟ ପ୍ରଥମରୁ ଯାହା କହିଲେ ସେଥିରେ ବିଜେପି ସିଧାସଳଖ କଂଗ୍ରେସକୁ ଏହି ସହାୟତା ଦିଆଯାଇଥିବା ଅଭିଯୋଗ କରି ରାହୁଲ ଗାନ୍ଧୀଙ୍କୁ ଦେଶଦ୍ରୋହୀ ବୋଲି ଆଖ୍ୟା ଦେଲା। କିନ୍ତୁ ସେହି ଟ୍ରମ୍ପ ପୁଣି ମତଦେଇ କହିଲେ ଯେ, ସେହି ଅର୍ଥ ତାଙ୍କର ବନ୍ଧୁ ନରେନ୍ଦ୍ର ମୋଦୀଙ୍କୁ ନିର୍ବାଚନରେ ଭୋଟ୍ହାର ବଢ଼ାଇବା ପାଇଁ ସହାୟତା ଭାବରେ ଦିଆଯାଇଛି। ଯଦିଓ ଟ୍ରମ୍ପଙ୍କର ପ୍ରଥମରୁ ଏପରି ମନ୍ତବ୍ୟ ବିରୋଧରେ ଉଭୟ ସରକାର ଓ ବିରୋଧୀ ଦଳମାନେ ଦୃଢ଼ ନିନ୍ଦାକରି ଭାରତର ରାଜନୈତିକ ବ୍ୟାପାରରେ ଆମେରିକାର ହସ୍ତକ୍ଷେପ ଉପରେ ତଦନ୍ତ ପାଇଁ ଦାବି କରିବା କଥା। କିନ୍ତୁ ଭାରତୀୟ ରାଜନୀତି ଏବେ ଏପରି ଭାବରେ ପରସ୍ପର ବିରୋଧୀ ବିଚାରଧାରାରେ ଧ୍ରୁବୀକରଣ ହୋଇଛି ଯେ, ଟ୍ରମ୍ପଙ୍କ ମନ୍ତବ୍ୟକୁ ସରକାରୀ ଦଳ ଅର୍ଥାତ୍ ବିଜେପି ଓ ବିରୋଧୀ ଦଳ ଅର୍ଥାତ୍ କଂଗ୍ରେସ କିପରି ନିଜ ନିଜ ସ୍ୱାର୍ଥ ଦୃଷ୍ଟିରୁ ବ୍ୟବହାର କରି ପରସ୍ପର ବିରୋଧରେ ଅଭିଯୋଗ କରିବେ ସେହି ଲକ୍ଷ୍ୟରେ ରହିଗଲେ। ଏଥିରେ ଦେଶର ସ୍ୱାର୍ଥକୁ ଜଳାଞ୍ଜଳୀ ଦିଆଗଲା।
ଆମେରିକା ଯେଉଁ ଏଜେନ୍ସି ଜରିଆରେ ବିଶ୍ୱର ଅଧିକାଂଶ ଗଣତାନ୍ତ୍ରିକ ଦେଶଗୁଡ଼ିକୁ ସହାୟତା କରୁଥିଲା, ସେଗୁଡ଼ିକ ଆମେରିକାର ସ୍ୱାର୍ଥରେ ନଥିଲା ଓ ଆମେରିକାର ଟିକସଧାରୀ ମାନଙ୍କ ଅର୍ଥର ଅପବ୍ୟୟ ବୋଲି ସେ ଦେଶର ରାଜନୀତି ଦୃଷ୍ଟିରୁ କୁହାଯାଇପାରେ। ଏଥିରେ ଭାରତୀୟ ରାଜନୈତିକ ଦଳଗୁଡ଼ିକ ଟ୍ରମ୍ପଙ୍କ ବକ୍ତବ୍ୟକୁ ନେଇ ପରସ୍ପର ବିରୋଧରେ ମତଦେଇ ଦେଶର ଇଜତ୍କୁ ଧରାଶାୟୀ କରୁଛନ୍ତି କାହିଁକି? ଆମେରିକାର ଆର୍ଥିକ ସାହାଯ୍ୟ ଯଦି ଭାରତର ଆଭ୍ୟନ୍ତରୀଣ ରାଜନୀତିରେ ହସ୍ତକ୍ଷେପ କଲାପରି କୌଣସି କାମ ହୋଇଥାଏ ତେବେ ତାହାର ମିଳିତ ଭାବରେ ଦେଶର ସବୁ ଦଳ ନିନ୍ଦା କରିବା କଥା ଓ ତାହା ଉପରେ ଏକ ନିରପେକ୍ଷ ତଦନ୍ତ ପାଇଁ ଦାବି ହେବା କଥା। ଯେହେତୁ କୌଣସି ବିଦେଶୀ ସାହାଯ୍ୟ କେନ୍ଦ୍ର ସରକାରଙ୍କ ଅଜ୍ଞାତରେ ଆସିପାରିବ ନାହିଁ। ସମସ୍ତ ପ୍ରକାର ବିଦେଶୀ ପାଣ୍ଠିର ଖୋଦ୍ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତଥ୍ୟ ରଖିଥାନ୍ତି ଓ ବୈଦେଶିକ ମନ୍ତ୍ରଣାଳୟ ଆମେରିକା ସରକାର ସହିତ ଜଡ଼ିତ ଏଜେନ୍ସିର ଭାରତକୁ ସାହାଯ୍ୟ ବିଷୟରେ ତଥ୍ୟ ରଖିବାକୁ ବାଧ୍ୟ। ଆମେରିକା ଆର୍ଥିକ ଦୃଷ୍ଟିରୁ ଓ ସାମରିକ ଦୃଷ୍ଟିରୁ ଏକ ବଡ଼ ଶକ୍ତି ହେଲେ ମଧ୍ୟ ଭାରତ ବିଶ୍ୱର ସବୁଠୁ ବଡ଼ ବଜାର ଓ ଭାରତୀୟ ଗଣତନ୍ତ୍ରର ସ୍ୱତନ୍ତ୍ରତା ଦେଶ ପାଇଁ ବହୁମାତ୍ରାରେ ପବିତ୍ର। ଏଥିରେ ହସ୍ତକ୍ଷେପ କଲାପରି କୌଣସି ବକ୍ତବ୍ୟ ବା ଉଚ୍ଚାରଣ ବା ତଥ୍ୟକୁ କୌଣସି ଭାରତୀୟ ସହଜରେ ଗ୍ରହଣ କରିବେ ନାହିଁ।
ବିଦେଶରୁ ବେସରକାରୀ ସୂତ୍ରରେ ଯେଉଁସବୁ ସାହାଯ୍ୟ ଭାରତର ଏନ୍ଜିଓମାନଙ୍କୁ ଆସେ ସେଗୁଡ଼ିକ ଉପରେ କଡ଼ା ନଜର ରଖିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କଠୋର ନିୟମ କରିଛନ୍ତି। ବର୍ତ୍ତମାନ ସରକାରଙ୍କୁ ବିରୋଧ କରୁଥିବା ବା ସମାଲୋଚନା କରୁଥିବା କୌଣସି ଏନ୍ଜିଓ ଯଦି ବିଦେଶୀ ସାହାଯ୍ୟ ପାଉଥାନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଉଛି। ଯାହା ଫଳରେ ଦେଶରେ ଅନେକ ଏନ୍ଜିଓ ବସ୍ତୁତଃ ବନ୍ଦ ହୋଇଗଲାଣି। ଏପରି ଅବସ୍ଥାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଭାରତ ବିଷୟରେ ଯେଉଁସବୁ ମନ୍ତବ୍ୟ ପ୍ରତିଦିନ ଦେଇଚାଲିଛନ୍ତି ତାହାର ସାହାଦେଶ ବିରୋଧ କଲେ ହିଁ ଭାରତର ନିଜସ୍ୱ ପ୍ରତିଷ୍ଠା ଓ ସ୍ୱତନ୍ତ୍ରତା ରକ୍ଷା ହୋଇପାରିବ।
ମୋ- ୮୦୧୮୦୯୪୪୫୫
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।