- ଜାନକୀଶ ବଡ଼ପଣ୍ଡା
କିଛିଦିନ ତଳେ ଖବର କାଗଜରେ ପ୍ରକାଶ ପାଇଛି ରୋଚକ ଶୀର୍ଷକରେ ବଡ଼ ଖବରଟିଏ। ଶୀର୍ଷକଟି ହେଲା ‘ଗୋଟିଏ ଝଟକାରେ ୧୩,୧୪୭ ମାମଲା ରଦ୍ଦ। ବିଳମ୍ବିତ ନ୍ୟାୟ ପ୍ରକ୍ରିୟାକୁ ନେଇ ସର୍ବଦା ସମାଲୋଚନାର ଶିକାର ହୋଇ ଆସୁଥିବା ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଗତ ୧୬.୯.୨୦୨୨ ତାରିଖରେ ନେଇଥିବା ଏକ ଐତିହାସିକ ପଦକ୍ଷେପ କାରଣରୁ ଦେଶବ୍ୟାପୀ ସେବେଠୁ ଚର୍ଚ୍ଚାରେ। ୮ ବର୍ଷରୁ ୩୦ ବର୍ଷ ତଳର ୧୩,୧୪୭ଟି ପୁରୁଣା ତଥା ଅଣପଞ୍ଜିକୃତ ମାମଲା ଗୋଟିଏ ଝଟକାରେ ବିଚାର ପ୍ରକ୍ରିୟାରୁ ହଟି ଯାଇଛି। ବିଚାର ଅପେକ୍ଷାରେ ପଡ଼ିରହିଥିବା ଗଦା ଗଦା ମାମଲା ବୋଝରୁ ମୁକ୍ତି ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ପଦକ୍ଷେପ ବିଚାର ବିଭାଗ ଇତିହାସରେ ନିଶ୍ଚୟ ଐତିହାସିକ।
୧୩,୧୪୭ଟି ପୁରୁଣା ତଥା ଅଣପଞ୍ଜିକୃତ ମାମଲା ହଟାଇ ଦିଆଯିବା ସମ୍ପର୍କରେ ସମ୍ପୃକ୍ତ ଓକିଲ ଓ ଆବେଦନକାରୀଙ୍କୁ ଆଗୁଆ ସୂଚନା ଦିଆଯାଇ ନଥିଲା। ୨୦୧୪ ପୂର୍ବରୁ ଏସବୁର କେବଳ କେସ ଡାଏରୀ ହୋଇଥିଲା। ଏଗୁଡିକ ମଧ୍ୟରେ ୧୯୮୭ରେ ସୂଚୀବଦ୍ଧ କରାଯାଇଥିବା କିଛି ମାମଲା ଥିଲେ ବି ଆଗକୁ ବଢ଼ୁ ନଥିଲା। ସର୍ବୋଚ୍ଚ ନ୍ୟାୟାଳୟଙ୍କ ୱେବସାଇଟ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ସେପ୍ଟେମ୍ବର ପହିଲା ପର୍ଯ୍ୟନ୍ତ ୭୦,୩୧୦ଟି ବିଳମ୍ବିତ ମାମଲା ରହିଥିଲା। ଏଥି ମଧ୍ୟରୁ ୧୨,୦୯୨ଟି ମାମଲାର ଯାଚିକା ଅସମ୍ପୂର୍ଣ୍ଣ ବା ବିନା ପ୍ରସ୍ତୁତିରେ ରୁଜୁ କରାଯାଇଥିଲା। ସେଥିମଧ୍ୟରୁ ବିଭିନ୍ନ ସାମ୍ବିଧାନିକ ଖଣ୍ଡପୀଠମାନଙ୍କରେ ୪୯୩ଟି ମାମଲା ବିଚାରାଧୀନ ଅଛି। ଏଥିରୁ ପାଞ୍ଚ ଜଣିଆ ପୀଠରେ ୩୪୩, ସାତ ଜଣିଆ ପୀଠରେ ୧୫ଟି ଓ ନଅ ଜଣିଆ ସାମ୍ବିଧାନିକ ପୀଠରେ ୧୩୫ଟି ମାମଲା ବିଚାରାଧୀନ ରହିଛି। ଏଗୁଡିକ ମଧ୍ୟରୁ ବିଭିନ୍ନ ପ୍ରକାର ୫୧,୮୩୯ ମାମଲା ଓ ନିୟମିତ ଶୁଣାଣି ଚାଲୁଥିବା ୧୮,୪୭୧ଟି ମାମଲା ଥିଲା। କୁହାଯାଉଛି ଯେ, ଆଗକୁ ମାମଲାଗୁଡିକର ପରିଚାଳନା ପାଇଁ ସମ୍ପୃକ୍ତ ପକ୍ଷମାନଙ୍କର ଆଉ ଆଗ୍ରହ ନଥିଲା। ଉଭୟ ଆବେଦନକାରୀ ଓ ସେମାନଙ୍କ ଓକିଲଙ୍କୁ ଏ ସଂକ୍ରାନ୍ତରେ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କେହି ବି ମାମଲାଗୁଡିକର ଶୁଣାଣି ପାଇଁ ତତ୍ପରତା ପ୍ରକାଶ କରି ନଥିଲେ। ତ୍ରୁଟି ସଂଶୋଧନ ନକରି ଯାଚିକାକର୍ତ୍ତା ଦୀର୍ଘଦିନ ଧରି ମାମଲାଗୁଡିକୁ କେବଳ ପକାଇ ରଖିଥିଲେ।
ଗତ ଅଗଷ୍ଟ ମାସରେ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରାଧୀନ ମାମଲାର ମୋଟ ସଂଖ୍ୟା ୭୧,୪୧୧ ଥିଲାବେଳେ ସେଥିମଧ୍ୟରୁ ୫୬,୩୬୫ଟି ସିଭିଲ ମାମଲା ଏବଂ ୧୫,୦୭୬ଟି ଫୌଜଦାରୀ ମାମଲା ଥିଲା। ଏହି ମାମଲାଗୁଡ଼ିକ ମଧ୍ୟରୁ ୧୦,୪୯୧ରୁ ଅଧିକ ମାମଲା ଏକ ଦଶନ୍ଧି ଧରି ବିଚାର ପାଇଁ ଅପେକ୍ଷା କରିଥିଲା ବେଳେ ପାଞ୍ଚ ବର୍ଷରୁ କମ୍ ସମୟର ୪୨,୦୦୦ରୁ ଅଧିକ ମାମଲା,୫ -୧୦ ବର୍ଷ ମଧ୍ୟରେ ୧୮,୧୩୪ଟି ମାମଲା ବିଚାରାଧୀନ ଥିଲା। ଚଳିତ ବର୍ଷ ଜୁଲାଇ ୨୯ ସୁଦ୍ଧା ଦେଶର ୨୫ଟି ହାଇକୋର୍ଟରେ ୫୯,୫୫,୯୦୭ ମାମଲା ବିଚାରାଧୀନ ରହିଥିବାର ଜଣାଯାଇଛି। ତଳ ଅଦାଲତରେ ବିଚାର ଅପେକ୍ଷାରେ ଥିବା ମାମଲା ସଂଖ୍ୟା ହେଉଛି ୪.୧୩ କୋଟି।
ନ୍ୟାୟପାଳିକା ହେଉଛି ଏପରି ଏକ ସ୍ତମ୍ଭ, ଯାହା ସବୁଠାରୁ ଶକ୍ତିଶାଳୀ ବୋଲି ଦେଶବାସୀ ମନେକରନ୍ତି। ଏହା ସକଳ ସମାଲୋଚନାର ଊର୍ଦ୍ଧ୍ୱରେ ବୋଲି ମନେକରାଯାଏ। ନ୍ୟାୟପାଳିକା ଅଦାଲତ ଅବମାନନା ଅଭିଯୋଗ ଆଣିପାରେ ଓ ସ୍ୱୟଂ ଦଣ୍ଡିତ କରିପାରେ, ଯାହା ଉଭୟ ବିଧାନପାଳିକା, କାର୍ଯ୍ୟପାଳିକାଙ୍କ କ୍ଷମତା ବହିର୍ଭୂତ। ଏଥିପାଇଁ ଏହା ବିବେକ ରକ୍ଷକର ଦାୟୀତ୍ୱ ନିର୍ବାହ କରିବା ଆଶାକରଯାଏ। କିନ୍ତୁ ଏହା ବଦଳରେ ମହାମହିମ ବିଚାରପତିଗଣ ବିଚାର କରୁଥିବା କାଳରେ ଅବା ବିଚାର ସାରିବା ପରେ ଲିଖିତ ନିଷ୍ପତ୍ତି ଅପେକ୍ଷା ସେମାନଙ୍କ ଉଚ୍ଚାରିତ ଶବ୍ଦ ମାଧ୍ୟମରେ ଆତ୍ମ-ପ୍ରୋତ୍ସାହନ ଦେବାକୁ ପ୍ରଚେଷ୍ଟିତ ରହୁଥିବା ଭଳି ମନେ ହେଉଛନ୍ତି। ମନେ ହେଉଛି, ସତେ ଯେପରି ଏମାନେ ସରକାରଙ୍କ ସପକ୍ଷରେ ଅଣ୍ଟା ଭିଡ଼ିଛନ୍ତି। ଏକ ନିର୍ଦ୍ଦିଷ୍ଟ ଗୁଳାରେ ଚାଲୁଛନ୍ତି ଓ ସେମାନେ ସମ୍ବିଧାନ ଅନୁଯାୟୀ ଭୂମିକା ଗ୍ରହଣ କରିବାର ପ୍ରଚେଷ୍ଟା କଲାପରି ଆଚରଣ ଓ ଉଚ୍ଚାରଣ କରୁନଥିବାର ଅଭିଯୋଗ ଆସୁଛି। ଅତୀତରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସରକାରଙ୍କ ଉଦ୍ଦେଶ୍ୟରେ ଅନେକ ଆଦେଶ ଦେଇଥିଲେ ହେଁ ସେହି ନିର୍ଦ୍ଦେଶାବଳୀଗୁଡ଼ିକୁ ସରକାର କେତେଦୂର କାର୍ଯ୍ୟକାରୀ କରିଛନ୍ତି, ତାହାର ସମୀକ୍ଷା ସେମାନେ ନିଜ ଆଡୁ କରୁ ନାହାନ୍ତି। ଆଶ୍ଚର୍ଯ୍ୟର କଥା ଯେ, ମାନ୍ୟବର ଅଦାଲତମାନେ ବିଧାନପାଳିକା କିମ୍ବା କାର୍ଯ୍ୟନିର୍ବାହୀ ପାଇଁ ହିତକର ଅଥଚ ସାଧାରଣ ନାଗରିକଙ୍କ ଅଧିକାରକୁ ହନନ କରିବା ପାଇଁ ଉଦ୍ଦିଷ୍ଟ ପ୍ରସଙ୍ଗଗୁଡ଼ିକୁ ସର୍ବାଧିକ ଆଗ୍ରହ ପ୍ରଦର୍ଶନ କରୁଥିବାର ଅଭିଯୋଗ ହେଉଛି। ଶ୍ରୀକ୍ଷେତ୍ର ପରିକ୍ରମା ମାର୍ଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନଧିକୃତ ନିର୍ମାଣ ଉପରେ ରହିତାଦେଶ ପ୍ରାର୍ଥନା କରିଥିବା ବ୍ୟକ୍ତିଙ୍କୁ ଅଦାଲତି ଅର୍ଥଦଣ୍ଡ ମିଳିବା ଏହାର ସଦ୍ୟତମ ଉଦାହରଣ। ଅଳ୍ପଦିନ ତଳେ ଏନଏମଏ ବା ଜାତୀୟ ଐତିହ୍ୟ କର୍ତ୍ତୃପକ୍ଷ ଶ୍ରୀକ୍ଷେତ୍ର ପରିକ୍ରମା ମାର୍ଗରେ ଅଭ୍ୟର୍ଥନା ଓ କାର୍ଯ୍ୟାଳୟ ନିର୍ମାଣ ନକରି ୧୦୦ ମିଟର ବାହାରେ କରିବାକୁ ନିର୍ଦେଶ ଦେଲାପରେ ଅଭିଯୋଗକାରୀଙ୍କ ପ୍ରାର୍ଥନା ଯେ ସମୟୋପଯୋଗୀ ଥିଲା ତାହା ପ୍ରମାଣିତ ହୋଇସାରିଛି। ସେମାନେ ଏହା କରି ନଥିଲେ ହୁଏତ ଏତେବେଳକୁ ଶ୍ରୀକ୍ଷେତ୍ର ପରିକ୍ରମା ମାର୍ଗରେ ଅନେକ କୋଠା ନିର୍ମାଣ ସରି ଆଇନର ଖୋଲା ଉଲଂଘନ ହୋଇସାରିଥାଆନ୍ତା।
ଅମଲାତନ୍ତ୍ରର ଅନେକ ଅଧିକାରୀ ଅବସର ପରେ ପୁନର୍ନିଯୁକ୍ତି ଲୋଭରେ ନିଜର କର୍ତ୍ତବ୍ୟବୋଧ ତଥା ସାଧାରଣ ନାଗରିକମାନଙ୍କ ସ୍ୱାର୍ଥକୁ ବିକ୍ରି କରିବାକୁ ପଶ୍ଚାତପଦ ହେଉନଥିବାର ଦେଖାଯାଉଛି। ନ୍ୟାୟାପାଳିକାର କିଛି ବିଚାରପତି ମଧ୍ୟ ସେହି ରାସ୍ତାରେ ଯିବାର ଦେଖାଯାଉଛି। ଏହା ହିଁ ସେମାନଙ୍କୁ କାର୍ଯ୍ୟନିର୍ବାହୀଙ୍କ ନିକଟତର କରିଛି। ଏପରି ବିଚାରପତି ମଧ୍ୟ ଅଛନ୍ତି ଯେଉଁମାନେ ସରକାରଙ୍କ କେତେ ନିକଟତର ତାହା ଦେଖାଇବାକୁ ସୀମାତୀତ ଭାବେ ଆଗ୍ରହୀ। ନିରପେକ୍ଷ ନ୍ୟାୟ ପ୍ରଦାନ ଅପେକ୍ଷା ସହଯୋଗର ଅନେକ ଉଦାହରଣ ରହିଛି ଯାହା ନ୍ୟାୟପାଳିକାର ଗୌରବରେ କଳଙ୍କ।
ଆମର କାରାଗାରମାନଙ୍କରେ ଯେତେ ଅନ୍ତେବାସୀ ରହନ୍ତି ତାହାର ଏକ ବୃହତ ଅଂଶ ହେଲେ ବିଚାରାଧୀନ କଏଦୀ। କାରାଗାରଗୁଡିକ ମୁଖ୍ୟତଃ ଦୋଷୀମାନଙ୍କ ରହିବା ପାଇଁ ଉଦ୍ଦିଷ୍ଟ; ବିଚାର ପାଇଁ ଅପେକ୍ଷା କରିଥିବା ଅଭିଯୁକ୍ତ ବ୍ୟକ୍ତିଙ୍କ ପାଇଁ କେବେ ହେଁ ଉଦ୍ଦିଷ୍ଟ ନୁହେଁ। ଉଭୟ ସଜା କାଟୁଥିବା ଅପରାଧୀ ଓ ବିଚାରାଧୀନ ଅଭିଯୁକ୍ତ ଗୋଟିଏ କାରାଗାରରେ ରହିବା ଅନୁଚିତ। ଏହି ଦୁଇ ଶ୍ରେଣୀର କଏଦୀଙ୍କୁ ପୃଥକ ଭାବରେ ରଖାଯିବା ଉଚିତ। ଅନେକ କାରାଗାର ପରିଦର୍ଶନ କାଳରେ ଦେଖା ଯାଇଛି ଯେ, କେବଳ ଅର୍ଥାଭାବରୁ ଓକିଲ କିମ୍ବା ଜାମିନଦାର ଯୋଗାଡ଼ କରି ନପାରି କୁକୁଡ଼ା, ଛେଳି ଚୋରି ଭଳି ମାମୁଲି ଅପରାଧ ଅଭିଯୋଗରେ ଅନେକ ଅଭିଯୁକ୍ତ ମଧ୍ୟ ବିଚାରାଧୀନ କଏଦୀ ଭାବେ କାରାଗାରମାନଙ୍କରେ ରହିବାକୁ ବାଧ୍ୟ ହେଉଛନ୍ତି। ଅନେକ କ୍ଷେତ୍ରରେ ଲକ୍ଷ୍ୟ କରାଯାଇଛି ଯେ, ଯେଉଁ ଅପରାଧର ଦଣ୍ଡ ମାତ୍ର ତିନିମାସର କାରାବାସ, ସେପରି କ୍ଷେତ୍ରରେ ମଧ୍ୟ ବର୍ଷ ବର୍ଷ ଧରି ଅଭିଯୁକ୍ତମାନେ ସଜା କାଟୁଛନ୍ତି। ପରେ, ସେମାନେ ଦୋଷମୁକ୍ତ ହେଲେ ବି ସେମାନଙ୍କ କଏଦୀ ଜୀବନର ନିର୍ମମ ସତ୍ୟ କାରଣରୁ, ସାମାଜିକ ବାସନ୍ଦର ସମ୍ମୁଖୀନ ହେଉଛନ୍ତି। ବାଘକାମୁଡ଼ିବା ପରେ, ଘୋଷରା କିଛି କାମ କଷ୍ଟ ଦାୟକ ନୁହେଁ। ଅତୀତରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ସମୀକ୍ଷା କରି ବିଚାରାଧୀନ ବନ୍ଦୀଙ୍କୁ ଗୋଟିଏ ଝଟକାରେ କାରାମୁକ୍ତି ଆଦେଶ ଦେଇଥିଲେ।
ଜାମିନ ପାଇବା ପାଇଁ ବର୍ତ୍ତମାନର ନିୟମ ଏବଂ ଏଥିରେ ଆବଶ୍ୟକ ପରିବର୍ତ୍ତନଗୁଡିକ ଉପରେ ବିଚାର କରିବାକୁ ଅନେକ ପ୍ରସ୍ତାବ ଆସିଛି। ବହୁ ସଂଖ୍ୟକ ବିଚାରାଧୀନ କଏଦୀଙ୍କ ସଂଖ୍ୟା ବୃଦ୍ଧିର ଅନ୍ୟ ଏକ କାରଣ ହେଉଛି ବିଚାରରେ ବିଳମ୍ବ; ଯାହାକି ବେଳେବେଳେ ମାମଲାର ଅନୁସନ୍ଧାନରେ ବିଳମ୍ବ କାରଣରୁ ହୋଇଥାଏ। ଫଳସ୍ୱରୂପ ନ୍ୟାୟିକ ହେପାଜତକୁ ପଠାଯାଇଥିବା ଗିରଫ ଅଭିଯୁକ୍ତ ବ୍ୟକ୍ତିମାନେ ବିଚାରାଧୀନ କଏଦୀ ଭାବରେ କାରାଗାରରେ ରହୁଛନ୍ତି। ପୋଲିସ ପକ୍ଷରୁ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ମଧ୍ୟ ମାମଲାର ଅନୁସନ୍ଧାନ ସାରି ଅଭିଯୋଗପତ୍ର ଦାଖଲ କରିବାରେ ବହୁ ବିଳମ୍ବ ହୁଏ। ପୋଲିସ୍ ଅନୁସନ୍ଧାନ ସହ ଆଇନ ଶୃଙ୍ଖଳା ସମସ୍ୟା କଥା ବୁଝୁଥିବାରୁ ଚାପରେ ରହି ଅନୁସନ୍ଧାନ କରିବାରେ ଅବହେଳା କରେ ଓ ମାମଲାର ବିଚାର ବିଳମ୍ବିତ ହୁଏ। ଅଭିଯୁକ୍ତମାନେ ଗିରଫ ହୋଇ କାରାଗାରରେ ଥିବାରୁ ସାଧାରଣ ଜନତାଙ୍କ ପକ୍ଷରୁ ପୋଲିସ ଉପରେ ଚାପ ନଥାଏ। ଗଣମାଧ୍ୟମ ପକ୍ଷରୁ ଅପରାଧ, ଅଭିଯୁକ୍ତଙ୍କୁ ଗିରଫ କରାଗଲା ବେଳେ ଯେପରି ତତ୍ପରତା ପ୍ରକାଶ କରାଯାଏ, ତଦନ୍ତର ସମାପ୍ତି ଉପରେ ସେତିକି ଗୁରୁତ୍ୱ ଦିଆଯାଏନି। ବରଂ ଅଭିଯୁକ୍ତଙ୍କୁ ଜାମିନ ମିଳିଗଲେ, ବହୁ ତୁମ୍ବିତୋଫାନ ହୁଏ, ସତେଯେମିତି ସେ ହିଁ ଅପରାଧୀ ଓ ତାଙ୍କୁ ଦଣ୍ଡରୁ ମୁକ୍ତି ମିଳିଗଲା।
ଆମ ଦେଶର ଆଧୁନିକ ଆଇନ ବ୍ୟବସ୍ଥା ମୁଖ୍ୟତଃ ୟୁରୋପୀୟ ବ୍ୟବସ୍ଥା ଦ୍ୱାରା ପ୍ରଭାବିତ। ଆମ ଦେଶର ପ୍ରାଚୀନ ଆଇନ ବ୍ୟବସ୍ଥା ମୁଖ୍ୟତଃ ପଞ୍ଚ ପରମେଶ୍ୱର ପ୍ରଧାନ। ଆମ ଦେଶରେ ଅନେକ ମାମଲା ଓକିଲ, କଚେରୀ ଓ ଅର୍ଥବ୍ୟୟ ବିନା ଫଇସଲା ହୋଇପାରେ। ଏହାକୁ ନ୍ୟାୟ ବ୍ୟବସ୍ଥାର ଅଙ୍ଗ ଭାବେ ଆମକୁ ନେବାକୁ ହେବ। ଏଠାରେ ନ୍ୟାୟ ମିଳି ନଥିବାର ଅଭିଯୋଗ କରି ଯେ କୌଣସି ପକ୍ଷ ଆଧୁନିକ ଅଦାଲତରେ ମାମଲା କଲେ, ତାହାକୁ ମୂଳ ମାମଲା ଭାବେ ନଦେଖି ପୁନର୍ବିଚାର ନିବେଦନ ଭାବେ ଦେଖିଲେ, ମାମଲା ସଂଖ୍ୟା କମିଯିବା ନିଶ୍ଚିତ। ଫୌଜଦାରୀ ଓ ଆର୍ଥିକ ମାମଲାରେ ଅନେକ ସମୟରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେବା ପାଇଁ ଅନେକ ପ୍ରମାଣ ଥିବାରୁ ପୋଲିସ ଗିରଫଦାରୀ, ଅଦାଲତି କାରବାର, ଜାମିନ ମିଳିବା ଯାଏଁ ବିଚାରାଧୀନ କଏଦୀ ଜୀବନ, ନିଯୁକ୍ତିଦାତାଙ୍କ ଦ୍ୱାରା ଦଣ୍ଡ ସ୍ୱରୂପ କର୍ମକ୍ଷେତ୍ରରୁ ବହିଷ୍କାର, ସାମାଜିକ ଦୃଷ୍ଟିରୁ ସମଗ୍ର ପରିବାରକୁ ଘୃଣା ଚକ୍ଷୁରେ ଦେଖିବା ଇତ୍ୟାଦି ଅନେକ ପ୍ରକ୍ରିୟା ରହିଥାଏ। ଜଣେ ଅପରାଧୀ ଗୋଟିଏ ଭୁଲ ପାଇଁ ନିଜର ପରିବାର ଆଗରେ ଛୋଟ ହେବାଠୁ ଆରମ୍ଭ କରି ସମାଜରେ ନିନ୍ଦିତ ହେବା, ସମ୍ମାନ ଓ ଅର୍ଥହାନୀ, କର୍ମଚ୍ୟୁତି ଇତ୍ୟାଦି ଭୋଗ କରି ସାରିବା ପରେ ଦେଶର ଆଇନ ଅନୁସାରେ ଅଦାଲତୀ ଜେଲଦଣ୍ଡ ପାଏ। ଯେଉଁଠି, ଜଣେ କର୍ମଚାରୀ ଆର୍ଥିକ ଅପରାଧ କରିଥିବାରୁ ନିଜ ନିଯୁକ୍ତିଦାତାଙ୍କ ପକ୍ଷରୁ ତଦନ୍ତ ପରେ କଠୋର କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇ ଆତ୍ମସାତ କରିଥିବା ଅର୍ଥ ଫେରସ୍ତ କରି ଥାଆନ୍ତି ଓ ଏଥିରେ ରାଷ୍ଟ୍ର ସମ୍ପତ୍ତିର କିଛି ବି କ୍ଷତି ହୋଇ ନଥାଏ, ପୋଲିସ ପକ୍ଷରୁ ଏହାକୁ ଅପରାଧ ଭାବେ ଗ୍ରହଣ କରାଯିବା ଅଦରକାରୀ ନୁହେଁ କି? ଏହିପରି ଅନେକ ଉଦାହରଣ କାରଣରୁ ଆମ ଦେଶରେ ଅଦାଲତୀ ମାମଲା ସଂଖ୍ୟା କମିବାର ନାଁ ନେଉନାହିଁ।
ଅନେକ ସମୟରେ ବିଧାନପାଳିକା ପକ୍ଷରୁ ଅସାମ୍ବିଧାନିକ ତଥା ଭୁଲ ଆଇନ ପ୍ରଣୟନ, କାର୍ଯ୍ୟପାଳିକା ପକ୍ଷରୁ ଲୋକବିରୋଧୀ କାର୍ଯ୍ୟକ୍ରମ ନିଷ୍ପାଦନ ଓ ନିମ୍ନ ନ୍ୟାୟାଳୟ ପକ୍ଷରୁ ଉଚିତ ବିଚାର ହୋଇ ନଥିବା ଅଭିଯୋଗକରି ମାମଲା ମାନ କରାଯାଇଥାଏ। ଉଦ୍ଦେଶ୍ୟ ଥାଏ ଯେ, ଉପଯୁକ୍ତ ନ୍ୟାୟ ମିଳୁ, ସ୍ୱାଧୀନ ଦେଶର ଜଣେ ନାଗରିକର ଆତ୍ମମର୍ଯ୍ୟାଦା କ୍ଷୁର୍ଣ୍ଣ ନହେଉ।
ଯାହାର ଅର୍ଥ ଅଛି ସେ କର୍ପୋରେଟେ ହାସପାତାଳ ଯାଇ ସୁସ୍ଥ ହୋଇ ଫେରୁଛି। ଯାହା ପାଖରେ ଅର୍ଥାଭାବ ସେ ସରକାରୀ ଡାକ୍ତରଖାନା ବାରଣ୍ଡାରେ ହୁଏତ ପ୍ରାଣତ୍ୟାଗ କରୁଛି। ଅର୍ଥ ଥିଲେ, ଜଣେ ସ୍ୱତନ୍ତ୍ର କରିଡରରେ ଯାଇ ଏୟାର ଆମ୍ବୁଲାନ୍ସ ଯୋଗେ କର୍ପୋରେଟ ହାସପାତାଳରେ ପହଞ୍ଚି ପାରୁଛି। ଉଭୟେ ରୋଗୀ ହୋଇଥିଲେ ବି କିଏ ଖଟିଆରେ ବୁହା ହୋଇ ରାସ୍ତାରେ ମରୁଛି ତ ଆଉକିଏ ମାସ ମାସ ଡାକ୍ତରଖାନାରେ ଚିକିତ୍ସା ପାଇ ମୃତ୍ୟୁବରଣ କରୁଛି। ଏହା ଡାକ୍ତରୀ ଚିକିତ୍ସା କ୍ଷେତ୍ରରେ ହେଉଥିଲେ ହେଁ ନ୍ୟାୟ ପାଇବାରେ ମଧ୍ୟ ହେଉଛି, ତାହା ଯେତିକି ଲଜ୍ଜାଜନକ ସେତିକି ବିସ୍ମୟ କାରକ। ଅତୀତରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ସମୀକ୍ଷା କରି ବିଚାରାଧୀନ ବନ୍ଦୀଙ୍କୁ ଗୋଟିଏ ଝଟକାରେ କାରାମୁକ୍ତି ଆଦେଶ ଦେଇଥିଲେ, ଏବେ ସେମିତି ଗୋଟିଏ ଝଟକାରେ ୧୩,୧୪୭ ମାମଲା ରଦ୍ଦ ଆଦେଶ ଦେଇଛନ୍ତି। ଉଭୟ ସ୍ୱାଗତଯୋଗ୍ୟ।
ଏବେ ନିମ୍ନ, ଜିଲ୍ଲାସ୍ତରୀୟ, ଉଚ୍ଚ ଓ ସର୍ବୋଚ୍ଚ ନ୍ୟାୟାଳୟମାନେ ବହୁ ବର୍ଷ ହେଲାଣି ଗଦା ହୋଇ ରହିଥିବା ନିମ୍ନ ଲିଖିତ ପର୍ଯ୍ୟାୟର ମାମଲାଗୁଡିକୁ ସମୀକ୍ଷା କରି ଆଉ ଗୋଟିଏ ଝଟକା ଦେବାର ଆବଶ୍ୟକତା ଅଛି।
ସେଗୁଡ଼ିକ ହେଲା- ୧. ଯେଉଁ ବିଚାରାଧୀନ ମାମଲାରେ ଅଭିଯୁକ୍ତଙ୍କ ବୟସ ୭୦ ବା ଅଧିକ, ୨. ଯେଉଁ ମାମଲାରେ ଅଭିଯୁକ୍ତ ନିଯୁକ୍ତିଦାତାଙ୍କ ତଦନ୍ତରେ ଦୋଷୀ ସାବ୍ୟସ୍ତ ହୋଇ କର୍ମକ୍ଷେତ୍ରରୁ ନିଷ୍କାସିତ ହୋଇ ସାରିଛନ୍ତି, ୩. ଯେଉଁ ମାମଲାରେ ଅଭିଯୁକ୍ତ ସାମାଜିକ ପ୍ରତିଷ୍ଠା ହରାଇଛନ୍ତି, ଅର୍ଥ ଦଣ୍ଡ ଦେଇଛନ୍ତି ଓ କର୍ମନିଯୁକ୍ତି ହରାଇ ଦୀନହୀନ ଜୀବନ ଜୀଉଁଛନ୍ତି, ୪. ଯେଉଁ ମାମଲାରେ ଉଭୟ କ୍ଷତିଗ୍ରସ୍ତ ଓ ଅଭିଯୁକ୍ତ ପାରସ୍ପରିକ ସମ୍ମତ୍ତିରେ ମୀମାଂସା ଚାହୁଁଛନ୍ତି, ୫. ଯେଉଁ ମାମଲାରେ ରାଷ୍ଟ୍ର ସୁରକ୍ଷା, ପ୍ରତିରକ୍ଷା, ମହିଳା, ଶିଶୁ, ଅପମିଶ୍ରଣ, ମାନବ ବିଧ୍ଵଂସୀ ଅଭିଯୋଗ ନାହିଁ ଏବଂ ୬. ସରକାରଙ୍କ ପକ୍ଷରୁ ରାଜନେତା, ଆନ୍ଦୋଳନକାରୀ, କୃଷକ-ଶିଳ୍ପଶ୍ରମିକଙ୍କ ବିରୁଦ୍ଧରେ ଦାୟର କରାଯାଇଥିବା ମାମଲା।
ଏହି ସମସ୍ତ ପ୍ରକାର ଅଭିଯୋଗ ସମ୍ପର୍କିତ ମାମଲା ହୋଇଥିଲେ ଗୋଟିଏ ଝଟକାରେ ସମସ୍ତଙ୍କୁ ସର୍ବକ୍ଷମା ଦେଇଦେଲେ ଅନେକ ମାମଲା କମିଯିବ। ତେବେ, ସର୍ବକ୍ଷମା ଯୋଜନାରେ ଲାଭାର୍ଥୀ ଅଭିଯୁକ୍ତ ଭବିଷ୍ୟତରେ କୌଣସି ବି ଅପରାଧ କଲେ, ପୂର୍ବ ମାମଲା ଜୀବନ୍ୟାସ ପାଇବ ଓ ଉଭୟ ପୁରୁଣା ଓ ନୂଆ ମାମଲା ଏକତ୍ର ବିଚାର ହେବ। ଏପରି ହେଲେ, ଜନସାଧାରଣ କେବଳ ଉପକୃତ ହେବେ ନାହିଁ, ବରଂ ନ୍ୟାୟପାଳିକାର ଜାତୀୟ ବିକାଶ ପ୍ରତି ପ୍ରତିବଦ୍ଧତା ପ୍ରତିଭାତ ହେବ।
ଫୋ- ୯୪୩୮୨୯୯୦୩୭
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।