ରବି ଦାସ
ସାରା ଦେଶରେ ଗୋଟିଏ ସମୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ସହିତ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକର ନିର୍ବାଚନ କିପରି କରାଯିବ ସେଥିପାଇଁ ଉପାୟ ସ୍ଥିର କରିବାକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ କମିଟି ଦେଇଥିବା ସୁପାରିଶକୁ କେନ୍ଦ୍ର ସରକାର ଗ୍ରହଣ କରି ଏକ ବିଲ୍ ମଙ୍ଗଳବାର ଅର୍ଥାତ୍ ଡିସେମ୍ବର ୧୭ ତାରିଖରେ ଲୋକସଭାରେ ଆଗତ କରିଛନ୍ତି। ଲୋକସଭାରେ ଏହି ବିଲକୁ ଆଇନମନ୍ତ୍ରୀ ଆଗତ କରିବା ସମୟରେ ସ୍ୱାଭାବିକ ଭାବରେ କଂଗ୍ରେସ ଓ ସମାଜବାଦୀ ପାର୍ଟି ସମେତ ଇଣ୍ଡିଆ ମେଂଟ ସହିତ ଜଡ଼ିତ ଦଳମାନେ ବିରୋଧ କରିଥିବା ସମୟରେ ଏନଡିଏ ମେଂଟର ଦଳମାନେ ପୂର୍ଣ୍ଣମାତ୍ରାରେ ଏହାକୁ ସମର୍ଥନ କରିଛନ୍ତି।
ବିଲ୍ ଆଗତ ନେଇ ହୋଇଥିବା ଭୋଟ୍ ସମୟରେ ବିଲ୍ ସପକ୍ଷରେ ସଂଖ୍ୟାଗରିଷ୍ଠ ୨୬୯ ଭୋଟ୍ ମିଳିଥିବା ବେଳେ ବିରୋଧି ପକ୍ଷରେ ୧୯୮ ଭୋଟ୍ ପଡ଼ିଛି। ଏଣୁ ବିଲ୍ ଆଗତ ନେଇ କୌଣସି ଅସୁବିଧା ନହେଲେ ମଧ୍ୟ ବିଲଟିରେ ବହୁଗୁଡ଼ିଏ ସାମ୍ବିଧାନିକ ସଂଶୋଧନ ପ୍ରସ୍ତାବ ଥିବାରୁ ଉଭୟ ଗୃହରେ ବିଲଟି ଗୃହୀତ ହେବା ପାଇଁ ଦୁଇ ତୃତୀୟାଂଶ ସମର୍ଥନ ଆବଶ୍ୟକ ପଡ଼ିବ। ଯାହା ଏବେ ଏନ୍ଡ଼ିଏ ପାଖରେ ନାହିଁ। ଯେହେତୁ ଲୋକସଭା ଓ ବିଧାନସଭାଗୁଡ଼ିକର ନିର୍ବାଚନ ଏକ ସମୟରେ କରାଯିବ, ସେହେତୁ ଏଥିପାଇଁ ସମ୍ବିଧାନରେ ଲୋକସଭା ଓ ବିଧାନସଭାଗୁଡ଼ିକର ନିର୍ବାଚନ କାର୍ଯ୍ୟକାଳ ପାଇଁ ଥିବା ଯେଉଁସବୁ ଧାରାଗୁଡ଼ିକ ରହିଛି ସେଗୁଡ଼ିକ ଗୋଟିଗୋଟି କରି ସଂଶୋଧନ କରିବାକୁ ପଡ଼ିବ। ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକର ନିର୍ବାଚନ ଲୋକସଭା ଓ ବିଧାନସଭା ନିର୍ବାଚନ ସରିବାର ୧୦୦ ଦିନ ଭିତରେ କରିବା ପାଇଁ ବ୍ୟବସ୍ଥା କରିବାକୁ ହେଲେ ୭୩ତମ ଓ ୭୪ତମ ସମ୍ବିଧାନ ସଂଶୋଧନରେ ଥିବା ବ୍ୟବସ୍ଥାକୁ ମଧ୍ୟ ସଂଶୋଧିତ କରିବାକୁ ପଡ଼ିବ।
ମୋଟାମୋଟି ଭାବରେ ଏହି ଲକ୍ଷ୍ୟ ହାସଲ ନିମନ୍ତେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଦୁଇ ତୃତୀୟାଂଶ ସମର୍ଥନ ଆବଶ୍ୟକ ପଡ଼ିବ। ଅବଶ୍ୟ କେନ୍ଦ୍ର ସରକାର ବିଲ୍କୁ ଆଗତ କଲା ପରେ ତାହାକୁ ପାର୍ଲାମେଣ୍ଟର ଯୁଗ୍ମ ସଂସଦୀୟ କମିଟିକୁ ପଠାଇ ସେହି ପର୍ଯ୍ୟାୟରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିମାନଙ୍କ ସହିତ ଆଲୋଚନା କରି ଏକ ସହମତି ହାସଲ କରିବାର ଉଦ୍ୟମ କରିବେ ବୋଲି କୁହାଯାଉଛି। କିନ୍ତୁ ଏହି ପ୍ରସ୍ତାବ ସମ୍ପର୍କରେ ପ୍ରକାଶ ପାଇବା ପରେ କଂଗ୍ରେସ ସମେତ ଦେଶର ସବୁ ବିରୋଧି ଦଳ ଏହା ବିରୋଧରେ ମତ ପ୍ରକାଶ କରି ସଂଘୀୟ ବ୍ୟବସ୍ଥା ପ୍ରତି ଏହା ଏକ ବଡ଼ ଆଘାତ ହେବ ବୋଲି ମତପ୍ରକାଶ କରିଛନ୍ତି। ଯଦି ଏହି ବିରୋଧୀ ଦଳମାନେ ସେମାନଙ୍କର ମତ ନ ବଦଳାନ୍ତି, ତେବେ ଲୋକସଭାର ବା ରାଜ୍ୟସଭାରେ ଏହା ସପକ୍ଷରେ ଦୁଇ ତୃତୀୟାଂଶ ସମର୍ଥନ ହାସଲ କରିବା ଆଦୌ ସହଜ ହେବନାହିଁ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦେଶରେ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକୁ ଯଥା- ପଂଚାୟତ ଓ ପୌର ପରିଷଦର ନିର୍ବାଚନ ପ୍ରତି ୫ ବର୍ଷରେ କରାଯିବା ସହିତ ସେହି ସବୁ ସଂସ୍ଥାଗୁଡ଼ିକୁ କ୍ଷମତା ହସ୍ତାନ୍ତର ପାଇଁ ସମ୍ବିଧାନର ୭୩ ଓ ୭୪ତମ ସଂଶୋଧନରେ ବ୍ୟବସ୍ଥା କରାଯିବାର ୩୦ ବର୍ଷ ପରେ ମଧ୍ୟ ଏଗୁଡ଼ିକ ଠିକ୍ ଭାବରେ ରୂପାୟିତ ହୋଇନାହିଁ। ଅନେକ କ୍ଷେତ୍ରରେ ପଂଚାୟତ ନିର୍ବାଚନକୁ ରାଜ୍ୟ ସରକାରମାନେ ଘୁଂଚାଇ ଦେଉଛନ୍ତି। ପୌର ପରିଷଦ ନିର୍ବାଚନ କ୍ଷେତ୍ରରେ ପରିସ୍ଥିତି ଆହୁରି ଭୟଙ୍କର। ଏହି ସବୁ ନିର୍ବାଚନ କେଉଁ ସମୟରେ କରାଯିବ ତାହା ସମ୍ପୂର୍ଣ୍ଣ ଭାବରେ ସଂପୃକ୍ତ ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରୁଛି। ବିଭିନ୍ନ କାରଣ ଦର୍ଶାଇ ଦେଶର ସର୍ବବୃହତ ବମ୍ବେ ମୁନିସିପାଲ୍ କର୍ପୋରେସନର ନିର୍ବାଚନ ଦୁଇ ବର୍ଷ ହେଲା କରାଯାଇନାହିଁ। ଓଡ଼ିଶା ଭଳି ରାଜ୍ୟରେ ୫ଟି ମହାନଗର ନିଗମ ଗଠିତ ହୋଇଥିଲେ ମଧ୍ୟ ରାଉରକେଲା ଓ ସମ୍ବଲପୁରରେ ଏପର୍ଯ୍ୟନ୍ତ ନିର୍ବାଚନ ହୋଇନାହିଁ। ସ୍ୱାୟତ୍ତ ଶାସନ ସଂସ୍ଥା ରାଜ୍ୟ ସରକାରଙ୍କ ବିଷୟ ହୋଇଥିବାରୁ ପାର୍ଲାମେଂଟାରୀ କମିଟି ଓ ନିତି ଆୟୋଗ ଏ ସମ୍ପର୍କରେ ହଠାତ୍ ମତ ପ୍ରକାଶ କରୁନାହାନ୍ତି।
ଏକ ଦେଶ ଓ ଏକ ନିର୍ବାଚନ ପ୍ରସ୍ତାବ ଭାରତର ରାଜନୈତିକ ଓ ଶାସନଗତ ଢାଞ୍ଚାକୁ ସବୁଦିନ ପାଇଁ ବଦଳାଇ ଦେବ ବୋଲି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ୍ ଦୃଢ଼ ମତ ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ସେ ସମ୍ବାଦପତ୍ରରେ ଏକ ଲେଖା ପ୍ରକାଶ କରି ତାଙ୍କ ମତକୁ ଏକ୍ସ ଜରିଆରେ ଦେଶବାସୀଙ୍କ ଆଗରେ ରଖିଛନ୍ତି। ସେ ଇଣ୍ଡିଆ ମେଂଟର ଜଣେ ପ୍ରମୁଖ ସଦସ୍ୟ ଓ ନେତା। ତାଙ୍କର ମତ ହେଲା ଯେ, ତଥାକଥିତ ନିର୍ବାଚନ ସଂସ୍କାର ନାମରେ ଯେଉଁ ବ୍ୟବସ୍ଥା କରାଯିବାର ଉଦ୍ୟମ ହେଉଛି ସେଥିରେ ଭାରତର ବିବିଧତା ଓ ସମ୍ବିଧାନକୁ ବଦଳାଇ ଦେବାର ଏକ ପ୍ରଚେଷ୍ଟା ହୋଇଥିବାରୁ ଦେଶର ସମସ୍ତ ଗଣତାନ୍ତ୍ରିକ ଶକ୍ତି ଏହି ବିଲ୍ ବିରୋଧରେ ମିଳିତ ଭାବେ ଛିଡ଼ା ହେବା ଉଚିତ। ଷ୍ଟାଲିନଙ୍କ ବିଚାରରେ ଏକ ସମୟରେ ଲୋକସଭା ଓ ବିଧାନସଭା ନିର୍ବାଚନ କରାଇବା ପାଇଁ ସାମ୍ବିଧାନିକ ସଂଶୋଧନ ବସ୍ତୁତଃ ଦେଶରେ ରାଷ୍ଟ୍ରପତି ଶାସନ ଭିତ୍ତିକ ବ୍ୟବସ୍ଥା ପାଇଁ ରାସ୍ତା ପରିଷ୍କାର କରିବ। ଯାହା ଭାରତୀୟ ସମ୍ବିଧାନର ମୂଳ ଧାରାର ସମ୍ପୂର୍ଣ୍ଣ ବିରୋଧି। ଏକ ଦେଶ, ଏକ ନିର୍ବାଚନ ବ୍ୟବସ୍ଥା ଏକ ଅତ୍ୟନ୍ତ ଜଟିଳ ଓ ଅବାସ୍ତବ ପରିକଳ୍ପନା ବୋଲି ଷ୍ଟାଲିନ୍ ଦେଇଥିବା ମତକୁ ଇଣ୍ଡିଆ ମେଂଟ ସମର୍ଥନ କରିବା ଜଣାପଡୁଛି।
ଏହି ବିଲ୍ ଯଦି ଆଇନରେ ପରିଣତ ହୁଏ ତେବେ ଏକ ନିର୍ଦ୍ଦିଷ୍ଟ ବର୍ଷ ଯେତେବେଳେ ଲୋକସଭା ନିର୍ବାଚନ ହେବ ସେହି ସମୟରେ ବିଧାନସଭାଗୁଡ଼ିକର ନିର୍ବାଚନ ପାଇଁ ବ୍ୟବସ୍ଥା ହେବ। ଯେଉଁ ବିଧାନସଭାର କାର୍ଯ୍ୟକାଳ ଶେଷ ହୋଇ ନଥିବ ସେମାନେ ଏହାର ପ୍ରତିବାଦ କରିବା ସ୍ୱାଭାବିକ। ସମ୍ବିଧାନ ପ୍ରଣୟନ ପରେ ଦେଶର ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକର ନିର୍ବାଚନ ଚାରୋଟି ନିର୍ବାଚନ ପର୍ଯ୍ୟନ୍ତ ସମାନ ସମୟରେ ହେଉଥିଲା। ଅବଶ୍ୟ ତାହା ଭିତରେ କେରଳ ବିଧାନସଭାରେ ଅସ୍ଥିରତା ଯୋଗୁ ସେଠାରେ ଏକ ସାନି ନିର୍ବାଚନ କରାଯାଇଥିଲା। କିନ୍ତୁ ଦେଶର ଅନ୍ୟ ସବୁ ପ୍ରାନ୍ତରେ ୧୯୬୭ ପର୍ଯ୍ୟନ୍ତ ଏକ ସମୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେଉଥିଲା। ସେପର୍ଯ୍ୟନ୍ତ କେନ୍ଦ୍ର ସହିତ ଦେଶର ସବୁ ରାଜ୍ୟରେ କଂଗ୍ରେସ ଦଳର ସରକାର ରହିଥିଲା। କିନ୍ତୁ ୧୯୬୭ ପରେ ଉତ୍ତର ଭାରତର ଅଧିକାଂଶ ରାଜ୍ୟରେ କଂଗ୍ରେସକୁ ହଟାଇ ସଂଯୁକ୍ତ ବିଧାୟକ ଦଳ ନାଁରେ ଅଣକଂଗ୍ରେସ ଦଳମାନେ ସରକାର କରିଥିଲେ। କିନ୍ତୁ ସେହି ଦଳମାନଙ୍କ ଭିତରେ କୌଣସି ଆଦର୍ଶଗତ ବା ନୀତିଗତ ମିଳନ ନଥିବାରୁ ସେହିସବୁ ସରକାର ଭାଙ୍ଗିଯିବା ଫଳରେ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ସମୟରେ ନିର୍ବାଚନ ହେବାର ଆବଶ୍ୟକତା ପଡ଼ିଲା।
ସେହିପରି କେନ୍ଦ୍ରରେ ଶାସନକୁ ଆସିଥିବା କଂଗ୍ରେସ ଦଳରେ ୧୯୬୯ରେ ବିଭାଜନ ପରେ ଅନ୍ୟ ଦଳମାନଙ୍କ ସମର୍ଥନରେ ଇନ୍ଦିରା ଗାନ୍ଧୀଙ୍କ ସରକାର ବଂଚିଗଲେ ମଧ୍ୟ ଶାସନ କାର୍ଯ୍ୟ ଚଳାଇବାରେ ଅସୁବିଧା ହେବାରୁ ସେ ଲୋକସଭାକୁ ଆଗୁଆ ଭାଙ୍ଗି ୧୯୭୧ରେ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ କଲେ। ବାସ୍ତବରେ ଜାତୀୟ ସ୍ତରରେ ଲୋକସଭାରେ ସମର୍ଥନ ଥିବା ଜଣେ ପ୍ରଧାନମନ୍ତ୍ରୀ ବା ରାଜ୍ୟରେ ବିଧାନସଭାରେ ସମର୍ଥନ ଥିବା ଜଣେ ମୁଖ୍ୟମନ୍ତ୍ରୀ ଆଗୁଆ ବିଧାନସଭାକୁ ଭାଙ୍ଗି ନିର୍ବାଚନ ପାଇଁ ସୁପାରିଶ କରିବାର କ୍ଷମତା ରହିଛି। ସେହିପରି କେନ୍ଦ୍ରରେ ବା ରାଜ୍ୟରେ ସମ୍ବିଧାନ ବ୍ୟବସ୍ଥା ଅନୁସାରେ ଗୋଟିଏ ସରକାର ଯଦି ଚାଲିପାରୁନାହିଁ ଓ ସରକାର ସଂଖ୍ୟାଗରିଷ୍ଠତା ହରାଉଛନ୍ତି, ତେବେ ସେ କ୍ଷେତ୍ରରେ ସାନି ନିର୍ବାଚନ କରିବା ପାଇଁ ବ୍ୟବସ୍ଥା ଅଛି। ଯେପରି ଇନ୍ଦିରା ଗାନ୍ଧୀଙ୍କ ସରକାର ୧୯୭୧ରେ ଆଗୁଆ ନିର୍ବାଚନ କରିଥିଲେ, ଠିକ୍ ସେହିପରି ୧୯୯୭ରେ ମିଳିତ ସାମୁଖ୍ୟ ସରକାର ଭାଙ୍ଗିଯିବା ଫଳରେ ୧୯୯୮ରେ ଲୋକସଭା ନିର୍ବାଚନ ହେଲା, କିନ୍ତୁ ବାଜପେୟୀଙ୍କ ଏନଡିଏ ସରକାରରୁ ଜୟଲଳିତାଙ୍କ ଦଳ ସମର୍ଥନ ପ୍ରତ୍ୟାହାର କରିବାରୁ ଲୋକସଭାରେ ଅନାସ୍ଥା ପ୍ରସ୍ତାବରେ ବାଜପେୟୀଙ୍କ ସରକାର ହାରିଯିବାରୁ ପୁଣି ୧୯୯୯ରେ ଦେଶରେ ସାନି ଲୋକସଭା ନିର୍ବାଚନ ହେଲା। ତେଣୁ ଦେଶର ଲୋକସଭା ଓ ବିଧାନସଭା ନିର୍ବାଚନଗୁଡ଼ିକୁ ପୁଣି ୧୯୫୨ ସ୍ଥିତିକୁ ଆଣିବା ପାଇଁ ଏକ ରାଷ୍ଟ୍ର, ଏକ ନିର୍ବାଚନର ଆହ୍ୱାନ ଦିଆଯାଇ ବିଲ୍ ଆସିଛି। ଏହା ସହିତ ପଂଚାୟତ ନିର୍ବାଚନ ମଧ୍ୟ ଲୋକସଭା ନିର୍ବାଚନ ସରିବାର ୧୦୦ ଦିନ ଭିତରେ ଗୋଟିଏ ସମୟରେ ସାରା ଦେଶରେ କରିବା ପାଇଁ ପ୍ରସ୍ତାବ ଦିଆଯାଉଛି। ଯଦିଓ ପଂଚାୟତ ଓ ପୌରସଂସ୍ଥାଗୁଡ଼ିକ ରାଜ୍ୟର ବିଷୟ।
ଲୋକସଭା ଓ ରାଜ୍ୟସଭାରେ ଏନଡିଏର ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ନଥିବାରୁ ଏବଂ ଇଣ୍ଡିଆ ମେଂଟ ଦୃଢ଼ ଭାବରେ ଏହି ସଂଶୋଧନ ପ୍ରସ୍ତାବକୁ ବିରୋଧ କରୁଥିବାରୁ ଏହି ସମ୍ବିଧାନ ସଂଶୋଧନ ବିଲ୍ ଗୃହୀତ ହେବାର ସମ୍ଭାବନା ନାହିଁ। ତଥାପି ଏହି ବିଲ୍କୁ ଅଣାଯିବା ପଛରେ ସରକାରଙ୍କର ପ୍ରକୃତ ଉଦ୍ଦେଶ୍ୟ କ’ଣ ତାହା କହିବା ମୁସ୍କିଲ୍। ଏକଥା ମଧ୍ୟ ଜଣା ଯେ, ବିଲ୍ ଗୃହୀତ ହେଲେ ମଧ୍ୟ ସେଗୁଡ଼ିକ ୨୦୨୯ ନୁହେଁ, ୨୦୩୪ ବେଳକୁ ହୁଏତ କାର୍ଯ୍ୟକାରୀ ହେବ। ଠିକ୍ ଯେଉଁ କାରଣରୁ ମହିଳା ସଂରକ୍ଷଣ ବିଲ୍ ଗତ ଲୋକସଭା ନିର୍ବାଚନ ପୂର୍ବରୁ ଗୃହୀତ ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ। ଜନଗଣନା ପରେ ନିର୍ବାଚନ ମଣ୍ଡଳୀ ପୁନଃ ନିର୍ଦ୍ଧାରଣ କମିସନ୍ ଜରିଆରେ ସ୍ଥିର ହେଲା ପରେ ହିଁ ଯାଇ ମହିଳା ସଂରକ୍ଷଣ କଥା ବିଚାର କରାଯିବ। ଠିକ୍ ସେହିପରି ଏକ ରାଷ୍ଟ୍ର ଓ ଏକ ନିର୍ବାଚନ ବିଲ୍ ଗୃହୀତ ହେଲେ ମଧ୍ୟ ୨୦୩୪ ପୂର୍ବରୁ ତାହା କାର୍ଯ୍ୟକାରୀ ହେବନାହିଁ।
ତଥାପି ଏହି ବିଲ୍ ଗୃହୀତ କରିବାରେ ମୋଦୀ ସରକାର ବ୍ୟଗ୍ର ହେବାର କାରଣ କ’ଣ? କିନ୍ତୁ ଏହି ବିଲ୍ ଯଦି କାର୍ଯ୍ୟକାରୀ ହୁଏ ସେଥିରେ ରାଜ୍ୟମାନଙ୍କ ଓ ବିଶେଷ ଭାବରେ ସଂଘୀୟ ବ୍ୟବସ୍ଥା ଉପରେ ଏହା ଆଂଚ ଆଣିବ ବୋଲି ବିରୋଧୀ ଦଳମାନଙ୍କର ବଳିଷ୍ଠ ଯୁକ୍ତି ରହିଛି। କିନ୍ତୁ ଅସଲ କଥା ହେଉଛି ଏପରି ଏକ ବିଲ୍ କାର୍ଯ୍ୟକାରୀ ହେଲେ ନାଗରିକମାନେ ପ୍ରକୃତରେ ଏକ ବଡ଼ କ୍ଷମତା ହରାଇବେ। ଦେଶରେ ରାଜନୈତିକ ଦଳ ଓ ପଦାଧିକାରୀମାନଙ୍କୁ ନିର୍ବାଚନ ସମୟରେ ହିଁ ଜନସାଧାରଣ ପ୍ରଶ୍ନ କରନ୍ତି। ସେହି ଚାପରେ ସରକାର ଯଦି କିଛି ଭୁଲ୍ କରିଥାନ୍ତି, ତେବେ ତାହାର ସୁଧାର ଆଣିବା ପାଇଁ ବା ଲୋକଙ୍କୁ ସନ୍ତୁଷ୍ଟ କଲା ଭଳି କାର୍ଯ୍ୟ କରିବାକୁ ବାଧ୍ୟ ହୁଅନ୍ତି।
ଉଦାହରଣ ସ୍ୱରୂପ ଓଡ଼ିଶାରେ ଗତ ନିର୍ବାଚନରେ ରାଜ୍ୟରେ ୨୪ ବର୍ଷ ଧରି କ୍ଷମତାରେ ଥିବା ବିଜେଡ଼ି କ୍ଷମତାଚ୍ୟୁତ ହୋଇ ପ୍ରଥମ ଥର ପାଇଁ ବିଜେପି ଶାସନ କ୍ଷମତାକୁ ଆସିଛି। ତଥାପି ରାଜ୍ୟରେ ବିଜେଡ଼ି ଏବେ ବି ବେଶ୍ ଶକ୍ତିଶାଳୀ ଅବସ୍ଥାରେ ଅଛି। ସମସ୍ତ ଜିଲ୍ଲା ପରିଷଦ ଓ ଅଧିକାଂଶ ପୌର ପରିଷଦ ଏହା ଅଧୀନରେ ରହିଛି। ଓଡ଼ିଶାରେ ପଂଚାୟତ ନିର୍ବାଚନ ୨୦୨୭ରେ ହେବ। ଓଡ଼ିଶାରେ ପ୍ରକୃତରେ ଲୋକମାନେ ବିଜେଡ଼ିକୁ ଛାଡ଼ି ବିଜେପିକୁ କେତେଦୂର ଗ୍ରହଣ କରିନେଇଛନ୍ତି ତାହା ପଂଚାୟତ ନିର୍ବାଚନରେ ଆକଳନ କରିହେବ ବୋଲି କୁହାଯାଉଛି। ବିଜେପି ସରକାରର କାର୍ଯ୍ୟକଳାପ ଯଦି ଲୋକଙ୍କ ଦ୍ୱାରା ପ୍ରଶଂସିତ ହୁଏ ତେବେ ସେମାନେ ୨୦୨୭ ପଂଚାୟତ ନିର୍ବାଚନରେ ପ୍ରାଧାନ୍ୟ ହାସଲ କରିବେ ଓ ବିଜେଡ଼ି ପଂଚାୟତରୁ ହଟିଯିବ। କିନ୍ତୁ ରାଜ୍ୟ ସରକାରଙ୍କର କାର୍ଯ୍ୟ ଯଦି ପସନ୍ଦଯୋଗ୍ୟ ହୋଇନଥାଏ ତେବେ ପଂଚାୟତ ନିର୍ବାଚନରେ ଜନସାଧାରଣ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରି ପଂଚାୟତରେ ହୁଏତ ଦଳକୁ ସମର୍ଥନ ଦେବେନାହିଁ। ତେଣୁ ନାଗରିକମାନଙ୍କର ଏହି ଯେଉଁ ସୁଯୋଗ ରହିଛି ତାହା ଏକାଥରେ ନିର୍ବାଚନ ହେଲେ ୫ ବର୍ଷ ପର୍ଯ୍ୟନ୍ତ ସରକାର ଯାହା କଲେ ମଧ୍ୟ କିଛି କରିପାରିବେ ନାହିଁ। ରାଜନୈତିକ ଦଳ ଓ ନେତାମାନଙ୍କୁ ପ୍ରଶ୍ନ କରିବା ପାଇଁ ନାଗରିକମାନଙ୍କର ଯେଉଁ ଅଧିକାର ରହିଛି ତାହା ଏକ ସମୟରେ ସବୁ ନିର୍ବାଚନ ହୋଇଗଲେ ୫ ବର୍ଷ ପାଇଁ ନାଗରିକମାନଙ୍କର କ୍ଷମତା ଚାଲିଯିବ ନାହିଁ ତ?
ଫୋ - ୯୪୩୭୪୦୪୪୫୫