Advertisment

ଖୋଲାରେ ଶୌଚ: ଖରାପ ଅଭ୍ୟାସ ନା ଅପରାଧ

ସବ୍ୟସାଚୀ ଅମିତାଭ ଗତ ମିଳିତ ଜାତିସଂଘ ସାଧାରଣ ପରିଷଦ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତା କଥା କହିଥିଲେ। ଗତ ୫ ବର୍ଷରେ କେନ୍ଦ୍ର ସରକାର ସାରା ଦେଶରେ ୧୧କୋଟି ପାଇଖାନା ତିଆରି କରି ସ୍ୱଚ୍ଛ ଭାରତ ମିଶନକୁ କିପରି ଆଗେଇ ନେଇଛନ୍ତି, ତାକୁ ବଖାଣିଥିଲେ। ବିଶ୍ୱସ୍ତରରେ ଭାରତର ସ୍ୱଚ୍ଛତା ମିଶନକୁ ନେଇ ପ୍ରଶଂସା କରାଯାଉଥିବା ବେଳେ ଏହି ଅଭିଯାନର ଆଉ ଗୋଟିଏ ଅନ୍ଧାରୀ ଦିଗ ସାମ୍ନାକୁ ଆସିଛି। ଗାଁ ଗୁଡ଼ିକୁ ମଳମୁକ୍ତ କରିବା ଅଭିଯାନ ନାଁରେ […]

ଅଦ୍ୟତନ ହୋଇଛି
ଖୋଲାରେ ଶୌଚ: ଖରାପ ଅଭ୍ୟାସ ନା ଅପରାଧ

article

Advertisment
  • ସବ୍ୟସାଚୀ ଅମିତାଭ

ତ ମିଳିତ ଜାତିସଂଘ ସାଧାରଣ ପରିଷଦ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତା କଥା କହିଥିଲେ। ଗତ ୫ ବର୍ଷରେ କେନ୍ଦ୍ର ସରକାର ସାରା ଦେଶରେ ୧୧କୋଟି ପାଇଖାନା ତିଆରି କରି ସ୍ୱଚ୍ଛ ଭାରତ ମିଶନକୁ କିପରି ଆଗେଇ ନେଇଛନ୍ତି, ତାକୁ ବଖାଣିଥିଲେ। ବିଶ୍ୱସ୍ତରରେ ଭାରତର ସ୍ୱଚ୍ଛତା ମିଶନକୁ ନେଇ ପ୍ରଶଂସା କରାଯାଉଥିବା ବେଳେ ଏହି ଅଭିଯାନର ଆଉ ଗୋଟିଏ ଅନ୍ଧାରୀ ଦିଗ ସାମ୍ନାକୁ ଆସିଛି। ଗାଁ ଗୁଡ଼ିକୁ ମଳମୁକ୍ତ କରିବା ଅଭିଯାନ ନାଁରେ ଏବେ କିଛି ଏପରି ଘଟଣା ଘଟୁଛି ଯାହା ସଭ୍ୟ ସମାଜ ପାଇଁ ଅନେକ ଗୁଡ଼ିଏ ପ୍ରଶ୍ନ ସୃଷ୍ଟି କରିଛି। ଏହା ଠିକ୍‌ ଯେ ଖୋଲାରେ ମଳତ୍ୟାଗ କରିବା ଏକ ଖରାପ ଅଭ୍ୟାସ। ତେବେ ଏପରି କରିବା ଅପରାଧ କି ? ଏ ପ୍ରଶ୍ନ ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ କିଛି ଦିନ ତଳେ ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ଖୋଲାରେ ଶୌଚ କରୁଥିବା ୨ ଜଣ ନାବାଳକଙ୍କୁ ନିର୍ମମ ଭାବେ ପିଟିପିଟି ହତ୍ୟା କରାଯାଇଥିଲା। ସେମାନଙ୍କ ମୃତ୍ୟୁ ପାଇଁ ସରକାରୀସ୍ତରରେ ଚାଲିଥିବା ବ୍ୟାପକ ପ୍ରଚାରକୁ ପ୍ରମୁଖ କାରଣ ବୋଲି ବିଚାର କରାଯାଉଛି।

Advertisment

ଆପଣମାନେ ଖୋଲାରେ ମଳତ୍ୟାଗ ବନ୍ଦ କରିବା ପାଇଁ ଟିଭିରେ ପ୍ରସାରିତ ହେଉଥିବା ଅମିତାଭ ବଚ୍ଚନଙ୍କ ସେଇ ବିଜ୍ଞାପନଟିକୁ ନିଶ୍ଚିତ ଭାବେ ଦେଖିଥିବେ, ଯେଉଁଥିରେ କ୍ଷେତରେ ଶୌଚ କରୁଥିବା ଲୋକଙ୍କ ଉପରକୁ ପଥର ପିଙ୍ଗାହେଉଛି। ଏହାପରେ ସେହି ଲୋକମାନେ ସେଠାରୁ ପଳାଇଯାଉଛନ୍ତି। ଏବେ ଏହି ପଥର ହିଁ ସାଧାରଣ ଲୋକଙ୍କ ଜୀବନ ନେଉଛି। ଶିବପୁରୀ ଜିଲ୍ଲାରେ ହୋଇଥିବା ଏହି ଭୟାନକ ଘଟଣା ପାଇଁ ଖୋଲାରେ ମଳତ୍ୟାଗକୁ ଦାୟୀ କରାଯାଉଛି। ତେବେ ଏହି ଘଟଣାକୁ ତର୍ଜମା କଲା ବେଳେ ଏକଥା ମଧ୍ୟ ଦେଖିବାକୁ ହେବ ଆମ ଦେଶରେ ଚାଲିଥିବା ସ୍ୱଚ୍ଛତା ଅଭିଯାନ ଏଯାଏ ତାର ନିର୍ଦ୍ଧାରିତ ଲକ୍ଷ୍ୟର ଅଧାରୁ କମ୍‌ ହାସଲ କରିପାରିଛି। କେବଳ ଶିବପୁରୀରେ ଯେ ଏପରି ଘଟଣା ସାମ୍ନାକୁ ଆସିଛି ତାହା ନୁହେଁ, ରାଜସ୍ଥାନର ପ୍ରତାପଗଡ଼ ଜିଲ୍ଲାରେ ଜୁନ୍ ୨୦୧୭ରେ ହୋଇଥିବା ଅନ୍ୟ ଏକ ଘଟଣା ମଧ୍ୟ ଚିନ୍ତାର କାରଣ ପାଲଟିଛି। ଏଠାକାର ଏକ ବସ୍ତିରେ ସ୍ୱଚ୍ଛତା ଅଭିଯାନ ପାଇଁ ପୌର କର୍ମଚାରୀ ଓ କମିଶନର ନିଜେ ଯାଇଥିଲେ। ବସ୍ତିର ମହିଳାମାନେ ପାଖରେ ଥିବା ଏକ ଖୋଲା ପଡିଆରେ ନିଜର ନିତ୍ୟକର୍ମ ଓ ଶୌଚ ହେଉଥିବା ବେଳେ ପୌର କର୍ମଚାରୀମାନେ ସେମାନଙ୍କ ଫଟୋ ଉଠାଇଥିଲେ। ବସ୍ତିର ମହିଳାମାନେ କର୍ମଚାରୀଙ୍କୁ ଏପରି ନ କରିବା ପାଇଁ କାକୁତିମିନତି ହୋଇଥିଲେ ବି କେହି କିଛି ଶୁଣିବା ଅବସ୍ଥାରେ ନଥିଲେ। ସେଇ ସମୟରେ ସେଠାକାର ଜଣେ ସାମାଜିକ କର୍ମୀ ଜଫର ହୁସେନ ଏହି ଘଟଣାରେ ହସ୍ତକ୍ଷେପ କରିବାରୁ ଘଟଣାସ୍ଥଳରେ ଉତ୍ତେଜନା ଉଗ୍ର ରୂପ ଧାରଣ କରିଥିଲା। ପୌର କର୍ମଚାରୀଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ଜଫର ହୁସେନଙ୍କୁ ଡାକ୍ତରଖାନାରେ ମୃତ ଘୋଷିତ କରାଯାଇଥିଲା।

ସ୍ୱଚ୍ଛତା ମିଶନରେ ନିୟୋଜିତ ଥିବା କର୍ମଚାରୀଙ୍କ ଏହି ଉଗ୍ର ସ୍ୱଭାବର କାରଣକୁ ବିଶ୍ଳେଷଣ କଲେ ଜଣାପଡ଼େ, ମିଶନକୁ ସଫଳ କରିବା ପାଇଁ ଥିବା ଚାପ କାରଣରୁ ସେମାନେ ଯେକୌଣସି ସ୍ତରକୁ ଖସିଯାଉଛନ୍ତି। ଖୋଲାରେ ମଳତ୍ୟାଗ କରୁଥିବା ଲୋକଙ୍କୁ ଦେଖି ହ୍ୱିସିଲ ବଜାଇବାଠାରୁ ଆରମ୍ଭ କରି ସେମାନଙ୍କୁ ପିଡିଏସ ସାମଗ୍ରୀରୁ ବଞ୍ଚିତ କରାଯିବା ଯାଏ ଅନେକ ଘଟଣା ଏବେ ଦେଖିବାକୁ ମିଳୁଛି। ସ୍ୱଚ୍ଛତା ମିଶନ ବା ମଳମୁକ୍ତ ଅଭିଯାନ ନାଁରେ କର୍ମଚାରୀମାନେ କରୁଥିବା ଦମନଲୀଳା ଏହି ଯୋଜନାର ଦିଶାନିର୍ଦେଶର ପୂରାପୂରି ଓଲଟା କହିଲେ ଭୁଲ ହେବନି। ସ୍ୱଚ୍ଛତା ଅଭିଯାନ ବେଳେ ଗତ ୫ ବର୍ଷ ମଧ୍ୟରେ କିଛି ସରକାରୀ କର୍ମଚାରୀ ଓ ଅଫିସରଙ୍କ ଦ୍ୱାରା କରାଯାଇଥିବା ମନମାନି। ଏଥିରେ ସାଧାରଣ ନାଗରିକଙ୍କୁ ସମ୍ୱିଧାନ ପ୍ରଦତ ଅଧିକାରକୁ ପ୍ରଭାବିତ କରାଯାଇଛି। ଉଦାହରଣ ଭାବେ ଛତିଶଗଡ଼ର ବାଲୋଦ ଜିଲ୍ଲାର କପାସୀ ଗାଁକୁ ନିଆଯାଇପାରେ। ଏହି ଗାଁରେ ସିସିଟିଭି ଲଗାଯାଇ ଖୋଲାରେ ଶୌଚ କରୁଥିବା ବ୍ୟକ୍ତିବିଶେଷଙ୍କ ଉପରେ ନଜର ରଖାଯାଉଥିଲା। ସରକାରୀ କର୍ମଚାରୀଙ୍କ ଉତ୍ସାହକୁ ଦେଖି ପଞ୍ଚାୟତ ବି ଆଉ ଦୁଇ ପାଦେ ଆଗକୁ ପଳାଇ ଖୋଲାରେ ମଳତ୍ୟାଗ କରୁଥିବା ଲୋକଙ୍କୁ ଅପରାଧୀ ଦର୍ଶାଇ ୫୦୦ ଟଙ୍କା ଜୋରିମାନା ନେଉଥିଲା। ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ବି ଅନେକ ପଞ୍ଚାୟତରେ ଲଜ୍ଜ୍ୟାର ପ୍ରାଚୀର ବା 'ୱାଲ ଅଫ ଶେମ‌୍‍' ତିଆରି କରାଯାଇଥିଲା। ଖୋଲାରେ ମଳତ୍ୟାଗ କରୁଥିବା ବ୍ୟକ୍ତିବିଶେଷଙ୍କ ନାଁ ଓ ଫଟୋ ଏହି ପ୍ରାଚୀରରେ ଲଗାଯାଇ ଅପମାନିତ କରାଯାଉଥିଲା। ଏପରି ଘଟଣାମାନ ସମ୍ୱିଧାନରେ ଥିବା ୨୧ ଅନୁଚ୍ଛେଦର ବିରୁଦ୍ଧାଚରଣ କରୁଛି କହିଲେ ଭୁଲ ହେବନି।

Advertisment

ସମାଜରେ ସମ୍ମାନ ଓ ସ୍ୱାଧୀନତାର ସହ ବଞ୍ଚିବାର ଅଧିକାର ସମସ୍ତଙ୍କର ରହିଛି। ଖୋଲାରେ ମଳତ୍ୟାଗ ନାଁରେ କାହାକୁ ଅପରାଧୀ କରିବା ଅବା ଅପମାନିତ କରିବାର ଅଧିକାର କାହାର ନାହିଁ। ତେବେ ଏପରି ଘଟଣା ବଢିବାର ବଡ଼ କାରଣ ହେଉଛି, ଅନେକ ସମୟରେ ମନମାନି କରୁଥିବା ସରକାରୀ କର୍ମଚାରୀଙ୍କୁ ଜିଲ୍ଲା ପ୍ରଶାସନ ଓ ସରକାରୀ ସୁରକ୍ଷା ମିଳୁଛି। ଛତିଶଗଡ଼ର ଜସପୁର ଜିଲ୍ଲାର ଅଧିକାରୀମାନେ ପାଖାପାଖି ୨ ହଜାର ସ୍କୁଲ ପିଲାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ  ସେମାନେ ନିଜ ନିଜ ପରିବାର ବା ପଡ଼ିଶାର ସେଇ ବ୍ୟକ୍ତିମାନଙ୍କ ନାଁକୁ ଗୋପନୀୟ ଭାବେ ଦାଖଲ କରନ୍ତୁ, ଯେଉଁମାନେ ଖୋଲାରେ ମଳତ୍ୟାଗ କରୁଛନ୍ତି। ଏପରି ଘଟଣା ମୌଳିକ ଅଧିକାରର ଖୋଲାଖୋଲି ଉଲ୍ଲଂଘନ କହିଲେ ବି ଅତ୍ୟୁକ୍ତି ହେବନି।

ସ୍ୱଚ୍ଛତା ଅଭିଯାନକୁ ସାଧାରଣ ଲୋକଙ୍କ ପାଖରେ ପହଁଚାଇବା ପାଇଁ ନରେନ୍ଦ୍ର ମୋଦି ସରକାର ଅମିତାଭ ବଚ୍ଚନ, କଙ୍ଗନା ରଣାୱତ, ଶିଳ୍ପା ସେଟ୍ଟୀ, ରବି କିସନ, ଇସା କୋପିକର, ଅନୁଷ୍କା ଶର୍ମାଙ୍କ ପରି ନାମୀଦାମୀ ଅଭିନେତା ଅଭିନେତ୍ରୀଙ୍କ ସହାୟତା ନେଉଛନ୍ତି। ଖେଲାରେ ଶୌଚ କଲେ କ'ଣ ସବୁ କୁପରିଣାମ ବା ସମସ୍ୟା ଭୋଗିବାକୁ ପଡ଼େ ସେନେଇ ଲୋକଙ୍କୁ ସଚେତନ କରାଇବାରେ ଏହି ଷ୍ଟାରମାନଙ୍କ ବିଜ୍ଞାପନ କେତେଦୂର ପ୍ରଭାବୀ ହୋଇପାରିଛି, ତାହା ବଡ଼ ପ୍ରଶ୍ନ। ତେବେ ଏହି ବିଜ୍ଞାପନଗୁଡ଼ିକ ସାଧାରଣ ଖଟିଖିଆ ଗରିବ ଲୋକଙ୍କ ପ୍ରତି ସମାଜରେ ଏକ ଘୃଣାଭାବ ଜାତ କରୁଥିବାର ଆଶଙ୍କା ସୃଷ୍ଟି ହେଲାଣି। ଖୋଲାରେ ମଳତ୍ୟାଗ କରୁଥିବା ଲୋକଙ୍କୁ ଅପରାଧୀ ବୋଲି ଭାବି ସେମାନଙ୍କୁ ଦଣ୍ଡିତ କରିବାର ବ୍ୟବସ୍ଥା ମାନବିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛି। ପଥର ଫିଙ୍ଗିବା ପରି ମାନସିକତା କେବଳ ପ୍ରଚାରରେ ସମୀତ ନ ରହି ବରଂ ଖୋଲାରେ ମଳତ୍ୟାଗ କରୁଥିବା ବ୍ୟକ୍ତିଙ୍କୁ ଜୀବନରୁ ଶେଷ କରିଦେଉଛି, ଯାହା ବର୍ତ୍ତମାନ ସମୟରେ ଚିନ୍ତାର କାରଣ।

ଭୁବନେଶ୍ୱର

ମୋ- ୯୪୩୮୨୯୬୫୧୯

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe