Military Operation
- ରବି ଦାସ
ଗତ ମାସର ୨୨ ତାରିଖରେ କାଶ୍ମୀରର ପହେଲଗାମରେ ଆତଙ୍କବାଦୀମାନେ ୨୬ ଜଣ ପର୍ଯ୍ୟଟକଙ୍କୁ ସେମାନଙ୍କର ଧର୍ମ ପଚାରି ଗୁଳିକରି ମାରିବା ଘଟଣାରେ ଭାରତରେ ପ୍ରତିଶୋଧ ପାଇଁ ଦାବି ହେବା ଘଟଣା ମୋଦୀ ସରକାରଙ୍କ ପାଇଁ ଯେଉଁ ଆହ୍ୱାନ ସୃଷ୍ଟି କରିଥିଲା ତାହାର ଜବାବରେ ୧୪ ଦିନ ପରେ ଭାରତ ପକ୍ଷରୁ ଅପରେସନ୍ ସିନ୍ଦୂର ଜରିଆରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରର ୯ଟି ସ୍ଥାନରେ ବାୟୁସେନା ପକ୍ଷରୁ ଆକ୍ରମଣ କରାଯାଇଛି । ଭାରତ ପ୍ରଥମରୁ ସ୍ପଷ୍ଟ କରିଦେଇଛି ଯେ, ଏହି ଅପରେସନର ଏକମାତ୍ର ଲକ୍ଷ୍ୟ ହେଉଛି ସନ୍ତ୍ରାସବାଦ ଭିତ୍ତିଭୂମିକୁ ନଷ୍ଟ କରିବା । ସେହି ଦୃଷ୍ଟିରୁ ଅପରେସନ୍ ସିନ୍ଦୂରରେ କେବଳ ସେହି ସ୍ଥାନମାନଙ୍କରେ ଆକ୍ରମଣ ହୋଇଛି ଯେଉଁ ସ୍ଥାନଗୁଡ଼ିକ ସନ୍ତ୍ରାସବାଦୀମାନଙ୍କର ଆଡ୍ଡାସ୍ଥଳୀ ବା ପ୍ରଶିକ୍ଷଣ ଶିବିର ଭାବରେ କାମ କରୁଥିବାର ନିର୍ଦ୍ଧିଷ୍ଟ ଭାବରେ ଭାରତ ପାଖରେ ଗୋଇନ୍ଦା ସୂଚନା ଥିଲା । ବିଶେଷ ଭାବରେ ଲସ୍କୋର-ଇ-ତୈବା, ଜୈଶ-ଇ-ମହମ୍ମଦ ଓ ରେଜିଷ୍ଟାନ୍ସ୍ ଫ୍ରଂଟର କାର୍ଯ୍ୟକାରୀ ଦଫ୍ତର୍ କୁହାଯାଉଥିବା ସନ୍ତ୍ରସବାଦୀ ଭିତ୍ତିଭୂମି ଉପରେ ଭାରତୀୟ ବିମାନ ବାହିନୀ ମେ ୭ ତାରିଖରେ ଆକ୍ରମଣ କରିବା ସମୟରେ ପାକିସ୍ତାନର କୌଣସି ସାମରିକ ଅନୁଷ୍ଠାନ ଓ ସାଧାରଣ ଲୋକମାନଙ୍କୁ କ୍ଷତିଗ୍ରସ୍ତ ନକରିବା ପାଇଁ ଲକ୍ଷ୍ୟ ରଖିଥିଲେ । ଅପରେସନ୍ ସିନ୍ଦୂର ନାମକରଣ ପଛରେ ହିନ୍ଦୁ ମହିଳାମାନଙ୍କ ଭିତରେ ଏକ ଭାବପ୍ରବଣତା ସହିତ ସନ୍ତ୍ରାସବାଦୀମାନେ ହିନ୍ଦୁ ମୁସଲିମ ବିଭାଜନ ପାଇଁ ଯେଉଁ ପ୍ରୟାସ କରିଥିଲେ ତାହାକୁ ଭଣ୍ଡୁର କରି ସାମ୍ପ୍ରଦାୟିକ ଏକତାର ଭାବନା ଜାଗ୍ରତ ପାଇଁ ଅପରେସନ୍ ସିନ୍ଦୂର ବିଷୟରେ ଜନସାଧାରଣଙ୍କୁ ଜଣାଇବାରେ ସେନାବାହିନୀର ଦୁଇଜଣ ମହିଳା ଅଫସରଙ୍କୁ ଦାୟିତ୍ୱ ଦିଆଯାଇଥିଲା । ସେମାନଙ୍କ ଭିତରୁ ଜଣେ ମୁସଲମାନ ଓ ଆଉ ଜଣେ ହିନ୍ଦୁ । ପହେଲଗାମ ଘଟଣାରେ ଭାରତର ନିରାପତ୍ତା ବ୍ୟବସ୍ଥାରେ ଥିବା ତ୍ରୁଟି ପଦାକୁ ଆସିଥିଲା । କିନ୍ତୁ ପର୍ଯ୍ୟଟକମାନଙ୍କୁ ସହାୟତା ଯୋଗାଉଥିବା ସ୍ଥାନୀୟ ମୁସଲମାନମାନେ ଯେପରି ଭାବରେ ଗୁଳିକାଣ୍ଡରେ ନିହତ ଓ ଆହତମାନଙ୍କୁ କାହାରିକୁ ଅପେକ୍ଷା ନକରି ପର୍ଯ୍ୟଟକମାନଙ୍କୁ ସାହାଯ୍ୟ ସହଯୋଗ କରିଥିଲେ ତାହା ବେଶ୍ ପ୍ରଶଂସନୀୟ ଥିଲା । ଏପରିକି ପର୍ଯ୍ୟଟକଙ୍କୁ ଘୋଡା ସବାରୀ ପାଇଁ ସାହାଯ୍ୟ କରୁଥିବା ଜଣେ ମୁସଲମାନ ଆତଙ୍କବାଦୀଙ୍କ ଠାରୁ ବନ୍ଧୁକ ଛଡ଼ାଇ ନେବାରୁ ତାଙ୍କୁ ମଧ୍ୟ ଗୁଳିକରି ହତ୍ୟା କରାଗଲା । ସାରାଦେଶରେ ପହେଲଗାମ୍ ଆତଙ୍କବାଦୀ ଘଟଣାରେ ଯେଉଁ ଧରଣର ଆଲୋଡ଼ନ ଓ ଏକତା ପ୍ରଦର୍ଶୀତ ହୋଇଥିଲା କାଶ୍ମୀରରେ ମଧ୍ୟ ଠିକ୍ ସେହି ଧରଣର ଏକତା ଓ ରାଜନୈତିକ ଏକମତ ପ୍ରଦର୍ଶନ ଲକ୍ଷ୍ୟ କରାଗଲା । ଯଦିଓ ଏହି ଘଟଣା ପୂର୍ବରୁ କାଶ୍ମୀରରେ ୨୦୧୯ରେ ୩୭୦ ଧାରା ଉଚ୍ଛେଦ ପରେ ସେଠାରେ ପରିସ୍ଥିତି ସ୍ୱାଭାବିକ ହୋଇଯାଇଛି ଓ ସନ୍ତ୍ରାସବାଦୀ କାର୍ଯ୍ୟକଳାପ ଲୋପ ପାଇଯାଇଛି ବୋଲି ଦାବି କରାଯାଉଥିଲା । କିନ୍ତୁ ଏଥର ପହେଲଗାମ୍ ଘଟଣାପରେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ନିଆଯାଇଥିବା ଅପରେସନ୍ ସିନ୍ଦୂର ୨୦୧୯ ରେ ପୁଲୱାମା ଆତଙ୍କବାଦୀ ଘଟଣାପରେ ହୋଇଥିବା ସର୍ଜିକାଲ୍ ଷ୍ଟ୍ରାଇକ୍ ଠାରୁ ଅତ୍ୟନ୍ତ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଥିଲା । ପାକିସ୍ତାନ ସୀମା ଭିତରେ ଓ ବିଶେଷ ଭାବରେ ପଞ୍ଜାବ ପ୍ରଦେଶରେ ସୀମାନ୍ତ ଠାରୁ ପ୍ରାୟ ୧୦୦ କି.ମି ଦୂରରେ ଯାଇ ସନ୍ତ୍ରାସବାଦୀ ଭିତ୍ତିଭୂମିକୁ ନଷ୍ଟ କରିବା ପାଇଁ ପଦକ୍ଷେପ ନିଶ୍ଚିତ ଭାବରେ ଏକ ସାହାସିକ ନିଷ୍ପତ୍ତି ବୋଲି ବିଚାର କରାଯିବ । ଏପରି ଏକ ଘଟଣା ଭାରତ ପକ୍ଷରୁ ନିଆଯିବାର ଆଶଙ୍କା ପାକିସ୍ତାନରେ ଥିବାରୁ ପାକିସ୍ତାନର ସେନାବାହିନୀ ସମ୍ଭବତଃ ଏଥିପାଇଁ ପ୍ରସ୍ତୁତ ଥିଲା । ସେଥିପାଇଁ ସେମାନଙ୍କର ବିମାନବାହିନୀ ପକ୍ଷରୁ ଭାରତୀୟ ଆକ୍ରମଣ କରିଥିବା ଯୁଦ୍ଧବିମାନଗୁଡ଼ିକ ଉପରେ ଆକ୍ରମଣ ହୋଇଥିଲା । ସେଥିରେ ଭାରତର ୫ଟି ବିମାନ କ୍ଷତିଗ୍ରସ୍ତ ହୋଇଥିବା ପାକିସ୍ତାନ ଦାବି କରୁଥିଲେ ମଧ୍ୟ ତାହାର କୌଣସି ପ୍ରମାଣ ଦେଇନାହିଁ । ଅପରପକ୍ଷରେ ଭାରତ ଏହାକୁ ସିଧାସଳଖ ଅଗ୍ରାହ୍ୟ କରିନାହିଁ । କିନ୍ତୁ ସବୁଠୁ ବଡ଼ କଥା ଯେ, ସର୍ଜିକାଲ୍ ଷ୍ଟ୍ରାଇକ୍ ସମୟରେ ଭାରତର ଜଣେ ପାଇଲଟଙ୍କୁ ଯେପରି ପାକିସ୍ତାନ ଅଟକ ରଖି ପରେ ଭାରତକୁ ହସ୍ତାନ୍ତର କରିଥିଲା, ଏଥର ସେପରି କିଛି ଘଟଣା ଘଟିନାହିଁ । ଅର୍ଥାତ୍ ଭାରତର ବୈମାନିକମାନେ ନିରାପତ୍ତାରେ ଭାରତକୁ ଫେରିଛନ୍ତି । କିନ୍ତୁ ଭାରତର ଅପରେସନ୍ ସିନ୍ଦୂର ପରେ ପାକିସ୍ତାନ ପକ୍ଷରୁ ସୀମାନ୍ତରେ ପ୍ରବଳ ଗୁଳିଗୁଳା ଚାଳନ ସହିତ ଭାରତର ସାମରିକ ଓ ବୈମାନିକ ସ୍ଥଳଗୁଡ଼ିକ ଉପରେ ପାଲଟା କାର୍ଯ୍ୟାନୁଷ୍ଠାନ କରାଯାଇଛି । ଏହିସବୁ କାର୍ଯ୍ୟନୁଷ୍ଠାନଗୁଡ଼ିକ ମୁଖ୍ୟତଃ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ସାହାଯ୍ୟରେ କରାଯାଇଛି । ଭାରତ ପକ୍ଷରୁ ଅଧିକାଂଶ ଘଟଣାରେ ଡ୍ରୋନଗୁଡ଼ିକୁ ନିଷ୍କିୟ କରାଯାଇଥିବା ସମୟରେ କେତେଗୁଡ଼ିଏ ଲୋକମାନଙ୍କୁ ଓ ବିମାନବନ୍ଦର ଗୁଡ଼ିକୁ ଅକ୍ଷମ କରିଦେଇଛି । ଭାରତର ପାଲଟା କାର୍ଯ୍ୟାନୁଷ୍ଠାନରେ ଭାରତୀୟ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଫଳରେ ଲାହୋର ସମେତ କେତେକ ଅଂଚଳରେ ସାମରିକ ପ୍ରତିଷ୍ଠାନ ଓ ବିଶେଷ ଭାବରେ ବିମାନ ପ୍ରତିରକ୍ଷା ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଛି । ତଥାପି ଦୁଇଦେଶ ପକ୍ଷରୁ ବ୍ୟାପକ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲେ ମଧ୍ୟ ଉଭୟ ପକ୍ଷ ଯଥାସମ୍ଭବ ସଂଯମତା ରକ୍ଷାକରି ନିଜଆଡୁ ଯୁଦ୍ଧ ଚାହୁଁଥିବାର କୌଣସି କାର୍ଯ୍ୟ କରିନାହାନ୍ତି । ଭାରତ ପକ୍ଷରୁ ସାମ୍ବାଦିକମାନଙ୍କୁ ସୂଚନା ଦେଉଥିବା ବୈଦେଶିକ ସଚିବ ଭାରତର କାର୍ଯ୍ୟାନୁଷ୍ଠାନ ମାପିଚୁପି ଓ ଯେତିକି କେବଳ ସନ୍ତ୍ରାସବାଦୀମାନଙ୍କ ଭିତ୍ତିଭୂମି ନଷ୍ଟପାଇଁ ଉଦ୍ଦିଷ୍ଟ ତା’ଛଡ଼ା ଅନ୍ୟ କୌଣସି ପ୍ରକାର ଆକ୍ରମଣାତ୍ମକ କାର୍ଯ୍ୟ କରାଯାଇନଥିବା କୁହାଯାଉଛି । ଯଦିଓ ଭାରତର ଅନେକ ଗଣମାଧ୍ୟମ ମିଥ୍ୟା ସମ୍ବଳିତ ତଥ୍ୟ ଓ ସମ୍ବାଦଗୁଡ଼ିକ ପ୍ରଚାର କରି କରାଚି ବନ୍ଦର ଉପରେ ଆକ୍ରମଣ ଠାରୁ ଆରମ୍ଭ କରି ଇସଲାମବାଦ ଦଖଲ ହୋଇଯିବା ସମ୍ବାଦ ମଧ୍ୟ ଦେଉଛନ୍ତି । ଯଦିଓ ଦୁଇଦେଶ ଭିତରେ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ କୌଣସି ଯୁଦ୍ଧ ହୋଇନାହିଁ । ସେଥିପାଇଁ ଭାରତ ସରକାର ବାରମ୍ବାର ମିଥ୍ୟା ବା ଫେକ୍ ନ୍ୟୁଜ୍ ପ୍ରସାରଣ ନକରିବା ପାଇଁ ଗଣମାଧ୍ୟମଗୁଡ଼ିକୁ ତାଗିଦ କରୁଛନ୍ତି ।
ବାସ୍ତବରେ ଦେଖିବାକୁ ଗଲେ ପହେଲଗାମ ଆତଙ୍କବାଦୀ ଘଟଣା ସମୟରେ ଭାରତର ଆଭ୍ୟନ୍ତରୀଣ ନିରାପତ୍ତାରେ ତ୍ରୁଟି ଥିବା ସତ୍ତ୍ୱେ ନରେନ୍ଦ୍ର ମୋଦୀ ସରକାରଙ୍କ ପାଇଁ ଅପରେସନ୍ ସିନ୍ଦୂର ସଫଳତା ଯେଉଁଥିରେ କି ଭାରତର କହିବା ଅନୁସାରେ ପ୍ରାୟ ୧୦୦ ଜଣ ଓ ପାକିସ୍ତାନର ବକ୍ତବ୍ୟ ଅନୁସାରେ ପ୍ରାୟ ୩୬ ଜଣ ଲୋକଙ୍କ ପ୍ରାଣହାନୀ ଘଟିଛି । ଏମାନେ ସମସ୍ତେ ସନ୍ତ୍ରାସବାଦୀ ନହୋଇପାରନ୍ତି । କିନ୍ତୁ ସନ୍ତ୍ରାସବାଦୀର ଭିତ୍ତିଭୂମି ଥିବା ଅଂଚଳରେ ସେମାନେ ଆଡ୍ଡା ଜମାଇ ବସିଥିଲେ । ଜୈଶ-ଇ-ମହମ୍ମଦର ମୁଖ୍ୟ ମାସୁଦ ଅଜହରଙ୍କ ପରିବାରର ୧୦ଜଣ ଲୋକଙ୍କ ମୃତ୍ୟୁ ଓ ଏଥିରେ ଥିବା ମୃତ ବ୍ୟକ୍ତିମାନଙ୍କ ଭିତରେ ପାକିସ୍ତାନର ସରକାର ଓ ସେନାବାହିନୀର ନିବିଡ଼ ସମ୍ପର୍କ ସେମାନଙ୍କର କବର ସମୟରେ ଉପସ୍ଥିତ ନେତା ଓ ସାମରିକ ଅଫିସରଙ୍କ ଉପସ୍ଥିତିରୁ ବେଶ୍ ସ୍ପଷ୍ଟ । ତେଣୁ ଅପରେସନ୍ ସିନ୍ଦୂର କାର୍ଯ୍ୟକ୍ରମ ସଫଳ ହୋଇଥିବା ଭାରତୀୟ ଲୋକମାନେ ଓ ଏଥିରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ପରିବାରମାନେ ବିଶ୍ୱାସ କରୁଛନ୍ତି । ଏହା ହିଁ ମୋଦୀ ସରକାରର ସବୁଠାରୁ ବଡ଼ ସତକଥା । ଅବସ୍ଥା ଏପରି ହୋଇଛି ଯେ, ଭାରତର ପ୍ରତ୍ୟେକ ଦଳ, ସଂଗଠନ ଓ ବ୍ୟକ୍ତିବିଶେଷ ଭାରତୀୟ ସେନାର କାର୍ଯ୍ୟକୁ ପ୍ରଶଂସା କରିବା ସହିତ ସନ୍ତ୍ରାସବାଦୀ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଲୋପପାଇ ସରକାର ଯାହା ପଦକ୍ଷେପ ନେବେ ତାହାକୁ ସମର୍ଥନ କରିବେ ବୋଲି କହିସାରିଲେଣି । ୨୦୦୧ ପରଠାରୁ ଭାରତରେ ହୋଇଥିବା ପାର୍ଲାମେଂଟ ଆକ୍ରମଣ, ୨୦୦୮ ବମ୍ବେ ଆକ୍ରମଣ ଓ ଶେଷରେ ମୋଦୀ ସରକାରଙ୍କ ସମୟରେ ହୋଇଥିବା ତିନୋଟି ଆତଙ୍କି ଘଟଣାର ଏହା ପ୍ରତିଶୋଧ ବୋଲି ଯାହା ପ୍ରଚାର କରାଯାଉଛି ତାହାକୁ ଲୋକମାନେ ଗ୍ରହଣ କରିଛନ୍ତି । ଅସଲକଥା ହେଉଛି ଯେ, ଏହିପରି ଭାବରେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଦ୍ୱାରା ଆତଙ୍କବାଦ ପୂରା ଲୋପ ହେବନାହିଁ । ସର୍ଜିକାଲ୍ ଷ୍ଟ୍ରାଇକ୍ ପରେ ଏହା କାମ ଦେଇନାହିଁ । ପାକିସ୍ତାନର ସେନାବାହିନୀ ଯିଏକି ଏହି ସୀମାପର ଆତଙ୍କବାଦୀ କାର୍ଯ୍ୟକଳାପର ପ୍ରକୃତ ଜନକ ସେମାନେ ଏପର୍ଯ୍ୟନ୍ତ ଏହି ଦୋଷକୁ ସ୍ୱୀକାର କରିନାହାନ୍ତି । ସେମାନେ ଏବେ ମଧ୍ୟ ଭାରତ ପାକିସ୍ତାନ ବିଭାଜନ ସମୟର ଦୁଇଦେଶ ତତ୍ତ୍ୱ ଉପରେ ନିର୍ଭର କରୁଛନ୍ତି । କାଶ୍ମୀର ପରି ଏକ ମୁସଲମାନ ବହୁଳ ରାଜ୍ୟ ଭାରତ ସାଙ୍ଗରେ ରହିବା ସେମାନଙ୍କୁ ହଜମ ହୋଇନାହିଁ । ହେଲେ ଦୁଇଦେଶ ତତ୍ତ୍ୱ ନିତିଗତ ଭାବରେ ଏକ ଭୁଲ୍ ନିଷ୍ପତି ଥିଲା । ଭାରତ କେବେ ବି ଏହି ତତ୍ତ୍ୱକୁ ଗ୍ରହଣ କରିନାହିଁ । ଭାରତର ସମ୍ବିଧାନ ଏହି ତତ୍ତ୍ୱକୁ ସଂପୂର୍ଣ୍ଣ ଭାବରେ ଅଗ୍ରାହ୍ୟ କରିଦେଇଛି।
ଭାରତରେ ଅଧିକାଂଶ ଲୋକମାନଙ୍କର ଧାରଣା ଯେ, ଯୁଦ୍ଧ ହେଲେ ଅତି ସହଜରେ ପାକିସ୍ତାନ ବିରୋଧରେ ଭାରତ ବିଜୟ ହାସଲ କରିବ । ଅତୀତରେ ଦୁଇଦେଶ ଭିତରେ ହୋଇଥିବା ତିନୋଟିଯାକ ଯୁଦ୍ଧରେ ତାହା ହିଁ ପ୍ରତିଫଳିତ ହୋଇଛି । ୧୯୭୧ ହେଉଛି ଦୁଇଦେଶ ଭିତରେ ସିଧାସଳଖ ଯୁଦ୍ଧ ଯେଉଁଠାରେ ପାକିସ୍ତାନ ଦୁଇଭାଗରେ ବିଭକ୍ତ ହୋଇ ବଙ୍ଗଳାଦେଶ ସୃଷ୍ଟି ହେଲା। କାର୍ଗିଲ୍ ଏକ ରେଗୁଲାର୍ ଯୁଦ୍ଧ ନଥିଲା । ୧୯୬୫ ରେ ଯେଉଁ ଯୁଦ୍ଧ ହୋଇଥିଲା ସେଥିରେ ଭାରତ ଯେପରି ଭାବରେ ପାକିସ୍ତାନର ଅନେକ ଅଂଚଳ ଦଖଲ କରିଥିଲା ଠିକ୍ ସେହିପରି ଭାବରେ ପାକିସ୍ତାନ ମଧ୍ୟ ଭାରତର କିଛି ଅଂଶ ଦଖଲ କରିଥିଲା । ତାସ୍କେଂଟ ଚୁକ୍ତିନାମା ଯୋଗୁ ଉଭୟ ପରସ୍ପରର ଅଂଚଳ ଫେରିପାରିଥିଲେ । ହେଲେ ଏବେ ଦୁଇଦେଶ ପରମାଣୁ ଶକ୍ତି ସମ୍ପନ୍ନ। ତଥାପି କୌଣସି ରାଷ୍ଟ୍ର କେବେ ବି ପରମାଣୁ ଯୁଦ୍ଧ ଚାହିଁବନାହିଁ । ପାକିସ୍ତାନ ଆର୍ଥିକ ଦୃଷ୍ଟିରୁ ଏପରିକି ସାମରିକ ଦୃଷ୍ଟିରୁ ଭାରତ ଠାରୁ ଦୁର୍ବଳ ହେଲେ ମଧ୍ୟ ପାକିସ୍ତାନ ପଛରେ ଚୀନର ସବୁପ୍ରକାର ସହାୟତା ଯୋଗୁ ପରିସ୍ଥିତି ଭିନ୍ନ ହୋଇଛି । ପାକିସ୍ତାନ ହାତରେ ମଧ୍ୟ ଯୁଦ୍ଧ ଲଢ଼ିବା ପାଇଁ ଯଥେଷ୍ଟ ଅତ୍ୟାଧୁନିକ ଓ ବିଶେଷ ଭାବରେ ଚୀନର ଅସ୍ତ୍ରଶସ୍ତ୍ର ଓ ବିମାନ ବ୍ୟବସ୍ଥା ରହିଛି । କିନ୍ତୁ ପହେଲଗାମ୍ ଘଟଣା ଯୋଗୁ ସାରା ବିଶ୍ୱ ଏହି ଘଟଣାରେ ଭାରତ ପ୍ରତି ସହାନୁଭୂତଶୀଳ ଥିଲେ ମଧ୍ୟ ଦୁଇଦେଶ ଭିତରେ ଯୁଦ୍ଧ ମାଧ୍ୟମରେ ଏହାର ସମାଧାନ କେହି ଚାହାନ୍ତି ନାହିଁ । ତୁର୍କୀ ସମେତ କେତେକ ମୁସଲମାନ ରାଷ୍ଟ୍ର ପାକିସ୍ତାନ ସପକ୍ଷରେ ଛିଡ଼ା ହୋଇଛନ୍ତି । କିନ୍ତୁ ଅତୀତରେ ଆମେରିକା ଯେପରି କାର୍ଗିଲ୍ ଯୁଦ୍ଧ ସମୟରେ ମଧ୍ୟସ୍ଥତା କରି ଦୁଇଦେଶ ଭିତରେ ବ୍ୟାପକ ଯୁଦ୍ଧକୁ ନିୟନ୍ତ୍ରଣ କରିଥିଲା ଏବେ ମଧ୍ୟ ତାହା ସେହିଦେଶ କରିପାରିବ । ଅସଲକଥା ହେଉଛି ଦୁଇଦେଶ ଭିତରେ କଥାବାର୍ତା ଆରମ୍ଭ ଯିଏବି ମଧ୍ୟସ୍ଥି ହେଉ ନା କାହିଁକି ସମ୍ଭବ ହେବ ଯେତେବେଳେ ଉଭୟ ରାଷ୍ଟ୍ର ସନ୍ତ୍ରାସବାଦ ଦମନ ବିଷୟରେ ମିଳିତ ଭାବରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜି ହେବେ । ଅବଶ୍ୟ ପାକିସ୍ତାନ ସରକାର ଯାହାଙ୍କ ପଛରେ ଲୋକମତ କମ୍ ରହିଛି ଓ କେବଳ ସେନାବାହିନୀ ସାହାଯ୍ୟରେ ସେମାନେ କ୍ଷମତାରେ ଅଛନ୍ତି, ସେମାନଙ୍କ ପାଇଁ ଭାରତ ପକ୍ଷରୁ ଅପରେସନ୍ ସିନ୍ଦୂର କାର୍ଯ୍ୟକ୍ରମ କିଛିଟା ଜନସମର୍ଥନ ଯୋଗାଇଦେବାରେ ସାହାଯ୍ୟ କରିଛି । ଏପରିିକି ସେନାବାହିନୀ ବିରୋଧରେ ଉଠୁଥିବା ବହୁ ପ୍ରସଙ୍ଗ ଏବେ ପଛକୁ ଚାଲିଯାଇଛି ।
ମୋଟାମୋଟି ଭାବରେ ଦେଖିଲେ ଅପରେସନ୍ ସିନ୍ଦୂର ଜରିଆରେ ଉଭୟ ଭାରତ ଓ ପାକିସ୍ତାନ ସେମାନଙ୍କର ରାଜନୈତିକ ଲକ୍ଷ୍ୟ ହାସଲ କଲେ ମଧ୍ୟ ଦୁଇଦେଶ ଭିତରେ ଏକ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କିପରି ସମ୍ଭବ ହେବ ତାହା ଦୁଇଦେଶର ଚିନ୍ତାଶୀଳ ଲୋକମାନଙ୍କ ପାଇଁ ମୁଖ୍ୟ ଆବଶ୍ୟକତା । ଭାରତୀୟ ଗଣମାଧ୍ୟମଗୁଡ଼ିକ ଯୁଦ୍ଧର ବାତାବରଣକୁ ତୀବ୍ରତର କରି ସାମ୍ପ୍ରଦାୟିକ ବିଭାଜନ ପାଇଁ ମିଥ୍ୟା ଓ ଆଜେଣ୍ଡା ଭିତ୍ତିକ କାର୍ଯ୍ୟକ୍ରମ ନକରି କେବଳ ବାସ୍ତବତା ଓ ସତ୍ୟ ପରିବେଶଣ କରନ୍ତି ତେବେ ଏହି ଘଟଣା ଯୋଗୁ ସୀମାନ୍ତରେ ଏବେ ଦୁଃଖ, କଷ୍ଟ ଓ ଯନ୍ତ୍ରଣା ଭିତରେ ଥିବା ଲକ୍ଷଲକ୍ଷ ଲୋକ ଭବିଷ୍ୟତ ସୁରକ୍ଷିତ ହୋଇପାରିବ ।
ମୋ- ୮୦୧୮୦୯୪୪୫୫
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1746960000.jpg)