Advertisment

ଅପରେସନ୍ ସିନ୍ଦୂର- ଭାରତୀୟ ଜାଗ୍ରତ ନାରୀଶକ୍ତିର ଗର୍ବର ଗାଥା

ଅପରେସନ୍ ସିନ୍ଦୂର କେବଳ ଏକ ସାମରିକ ଅଭିଯାନ ନୁହେଁ, ଏହା ଏକ ଆତ୍ମସମ୍ମାନ, ଗର୍ବ ଓ ଭାବନାର ଲଢ଼େଇ। ଏହା ଭାରତୀୟ ନାରୀଙ୍କ ଶକ୍ତି, ସାମର୍ଥ୍ୟ ଓ ଜାଗୃତିର ପ୍ରତୀକ। ଆଜି ସମଗ୍ର ଦେଶ ଏହାକୁ ନେଇ ଗର୍ବିତ। ଏହି ଅଭିଯାନ ଦେଖାଇଦେଲା ଯେ ଭାରତୀୟ ନାରୀ କେବଳ ଘର ଓ ପରିବାରର ନୁହେଁ, ଦେଶର ରକ୍ଷା ଓ ସ୍ୱାଭିମାନର ନାୟିକା ମଧ୍ୟ।

author-image
Debendra Prusty
Colonel Sofiya Qureshi And Wing Commander Vyomika Singh

Colonel Sofiya Qureshi And Wing Commander Vyomika Singh

ଡ ରୀନା ରାଉତରାୟ

ଆମ ଦେଶ ଭାରତ ବିଶ୍ୱରେ ଏକ ସୁଉନ୍ନତ, ସୁସଂଗଠିତ ଓ ସାର୍ବଭୌମ ରାଷ୍ଟ୍ର ଭାବରେ ଚିହ୍ନିତ। ଏହି ସାର୍ବଭୌମତ୍ୱ ଓ ସୁରକ୍ଷାକୁ ଅଖଣ୍ଡ ରଖିବା ପାଇଁ ଆମ ସୈନିକ ବଳ ସଦା ସଚେତନ ଓ ସଜାଗ ଅଛନ୍ତି। ଆଜିର ଯୁଗର ଭାରତୀୟ ନାରୀମାନେ ସେହି ସେନାର ଅଭିନ୍ନ ଅଂଶ ହେବାରେ ସମର୍ଥ ହୋଇପାରିଛନ୍ତି। ଏହି ପରିପ୍ରେକ୍ଷୀରେ ପହଲଗାମରେ ହୋଇଥିବା ନିର୍ମମ ଆକ୍ରମଣର ପ୍ରତ୍ୟୁତ୍ତରରେ ଭାରତର ଯେଉଁ ଦୃଢ଼ ପଦକ୍ଷେପ ଥିଲା, ‘ଅପରେସନ୍ ସିନ୍ଦୂର’, ତାହା ଭାରତୀୟ ଜାଗ୍ରତ ନାରୀଶକ୍ତିର ଏକ ଅଲିଭା ଘଟଣା।

Advertisment

ପହଲଗାମରେ ଘଟିଥିବା ଆକ୍ରମଣ କେବଳ ଏକ ଆତଙ୍କବାଦୀ ଘଟଣା ନୁହେଁ, ସେହି ଆକ୍ରମଣ ଭାରତୀୟ ମହିଳାଙ୍କ ସଂସ୍କୃତିକୁ, ତାଙ୍କ ଗର୍ବର ଚିହ୍ନ ‘ସିନ୍ଦୂର’କୁ ଲକ୍ଷ୍ୟ କରି ହୋଇଥିଲା।

‘ସିନ୍ଦୂର’ ମାନେ କେବଳ ଏକ ରଙ୍ଗ ନୁହେଁ, ଏହା ଭାରତୀୟ ସଂସ୍କୃତିର ଏକ ଗଭୀର ପ୍ରତୀକ। ଏହି ସିନ୍ଦୂର ଉପରେ ହାତ ଦେବା ପ୍ରୟାସ ହେଉଛି ଭାରତୀୟ ନାରୀ ଅସ୍ମିତାର ଉପରେ ଆକ୍ରମଣ।

Advertisment

ଏହି ଅସ୍ମିତାକୁ ରକ୍ଷା କରିବା ପାଇଁ ଯେପରି ଭାବେ ଭାରତ ଏକ ଶକ୍ତିଶାଳୀ ଉତ୍ତର ଦେଲା, ତାହିଁ ହେଉଛି ‘ଅପରେସନ୍ ସିନ୍ଦୂର’। ଏହି ଅପରେସନ୍ ସଫଳ କରିବାରେ ନାରୀ ସେନାର ଭୂମିକା ଗର୍ବ ଓ ଗୌରବର ବିଷୟ।

ଅପରେସନ୍ ସିନ୍ଦୂର କେବଳ ଏକ ସାମରିକ ଅଭିଯାନ ନୁହେଁ, ଏହା ଏକ ଆତ୍ମସମ୍ମାନ, ଗର୍ବ ଓ ଭାବନାର ଲଢ଼େଇ। ଏହା ଭାରତୀୟ ନାରୀଙ୍କ ଶକ୍ତି, ସାମର୍ଥ୍ୟ ଓ ଜାଗୃତିର ପ୍ରତୀକ। ଆଜି ସମଗ୍ର ଦେଶ ଏହାକୁ ନେଇ ଗର୍ବିତ। ଏହି ଅଭିଯାନ ଦେଖାଇଦେଲା ଯେ ଭାରତୀୟ ନାରୀ କେବଳ ଘର ଓ ପରିବାରର ନୁହେଁ, ଦେଶର ରକ୍ଷା ଓ ସ୍ୱାଭିମାନର ନାୟିକା ମଧ୍ୟ। ନାରୀର ସିନ୍ଦୂର କ୍ଷେପଣାସ୍ତ୍ରଠାରୁ ମଧ୍ୟ ଶକ୍ତିଶାଳୀ ଏବଂ ତାହାକୁ ସୁରକ୍ଷିତ ରଖିବାକୁ ଭାରତୀୟ ଜାଗ୍ରତ ନାରୀ ସଦା ସର୍ବଦା ପ୍ରସ୍ତୁତ ଅଛନ୍ତି।

ଏହି ଅପରେସନର ନାମ ‘ସିନ୍ଦୂର’ ମାନେ କେବଳ ଏକ ସାମ୍ପ୍ରଦାୟିକ ପରିଚୟ ନୁହେଁ, ଏହା ଭାରତୀୟ ନାରୀର ଆତ୍ମା, ଗର୍ବ ଓ ଅସ୍ତିତ୍ୱର ପ୍ରତୀକ। ଯେଉଁ ଆସୁରିକ ଶକ୍ତିବଳ ଏହି ‘ସିନ୍ଦୂର’କୁ ଲିଭାଇବାକୁ ଚେଷ୍ଟା କଲା, ସେହି ସିନ୍ଦୂର ନିଜେ ବରଷି ଗଲା ସେମାନଙ୍କ ହୀନ କୁତ୍ସିତ ମାନସିକତାକୁ ତିଳ ତିଳ କରି ଧ୍ଵଂସ କରିବାକୁ।

ଆମ ଦେଶ ଭାରତର ଏହି ଦୃଢ଼ ପଦକ୍ଷେପ ହେଲା ଦେଶର ସେନା ଶକ୍ତିର ସହ ନାରୀ ଶକ୍ତିର ମଧୁର ସମନ୍ୱୟର ଉଦାହରଣ।

ଏହି ଅଭିଯାନର ସଫଳତା ପରେ ଯେପରି ଭାବେ କର୍ଣେଲ୍ ସୋଫିଆ କ୍ୟୁରେସି ଓ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ପ୍ରେସ୍ କନଫରେନ୍ସ ମାଧ୍ୟମରେ ସମଗ୍ର ବିଶ୍ୱକୁ ଭାରତର ଜାଗ୍ରତ ନାରୀଶକ୍ତିର ବାର୍ତ୍ତା ଦେଲେ, ତାହା ପ୍ରଣିଧାନଯୋଗ୍ୟ। ସେମାନେ କେବଳ ଏକ ସେନା ଅଧିକାରୀ ହିସାବରେ ନୁହେଁ, ଭାରତୀୟ ନାରୀର ଗର୍ବ ଓ ସ୍ୱାଭିମାନର ଜୀବନ୍ତ ଦୃଷ୍ଟାନ୍ତ ଭାବେ ଉଦିତ ହେଲେ।

ମାଆ ଦୁର୍ଗା ଓ ମାଆ କାଳୀ ରୂପୀ କର୍ଣେଲ୍ ସୋଫିଆ କ୍ୟୁରେସି ଏବଂ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ପ୍ରମାଣ କରିଦେଲେ ଯେ ନାରୀମାନେ କେବଳ ଘରେ ନୁହେଁ, ରଣଭୂମିରେ ମଧ୍ୟ ସମାନ ଦକ୍ଷତା ଓ ସାହସ ଦେଖାଇପାରନ୍ତି। ତାଙ୍କ ବିବେଚନା ଶକ୍ତି, କୌଶଳ ଓ ଆତ୍ମବିଶ୍ୱାସ ସେହି ଅପରେସନ୍ କୁ ସଫଳତା ପ୍ରଦାନ କଲା।

ଏହି ସମୟରେ ସମଗ୍ର ଦେଶ ଏହି ଅଭିଯାନରେ ନାରୀ ସେନାଙ୍କ ଭୂମିକା ପ୍ରତି ଗର୍ବ ଅନୁଭବ କରୁଛି। ଏହା ଭାରତୀୟ ନାରୀଙ୍କ ପାଇଁ ଏକ ନୂଆ ଅଧ୍ୟାୟର ଆରମ୍ଭ। ତାଙ୍କ ଶକ୍ତି, ସମର୍ଥନା ଓ ଦୃଢ଼ତା ପ୍ରମାଣିତ କରୁଛି ଯେ, ‘ନାରୀ କେବଳ ଘର ଚଲାଇପାରେ ନୁହେଁ, ଦେଶ ମଧ୍ୟ ଚଲାଇପାରେ’।

ଏହି ଅପେରେସନ୍ ପରେ ଭାରତବାସୀଙ୍କ ମନରେ ଗର୍ବ ଓ ଆତ୍ମବିଶ୍ୱାସ ଜନ୍ମ ନେଇଛି। ଭାରତୀୟ ନାରୀ କେବଳ ଘର ଘରେ ନୁହେଁ, ସେ ଆଜି ଆକାଶ ଉଡୁଛନ୍ତି, ଶତ୍ରୁ ସେନାଙ୍କ ସହ ମୁହଁମୁହିଁ ଲଢ଼ୁଛନ୍ତି, ଓ ଦେଶର ଗର୍ବ ଓ ଗୌରବର ପ୍ରତୀକ ହୋଇଛନ୍ତି।

ଏହା ମଧ୍ୟ ପ୍ରମାଣିତ କରେ ଯେ ନାରୀର ପହଞ୍ଚ ‘ଭୂ’ରୁ ‘ଭୂମା’ ପର୍ଯ୍ୟନ୍ତ। ସେମାନେ ଏହି ଜଗତର ମାନବତା, ସଂସ୍କୃତି ଓ ଆସ୍ଥାର ରକ୍ଷା କରିପାରନ୍ତି। ଭାରତୀୟ ନାରୀ ସାହସ, ସମର୍ପଣ ଓ ଦୃଢତାର ଅଦ୍ଭୁତ ମିଶ୍ରଣ। ସେଥିରେ ଏକ ଗଭୀର ଅର୍ଥ ଅଛି। ନାରୀ କେବଳ ଏକ ଶରୀର ନୁହେଁ, ସେ ଏକ ଶକ୍ତି, ଏକ ସୃଷ୍ଟି ଓ ଏକ ରକ୍ଷାକର୍ତ୍ତ୍ରୀ।

ଭାବୀ ପିଢ଼ି ପାଇଁ ଏହା ଏକ ପ୍ରେରଣାଦାୟକ ଘଟଣା। ଏହା ଦେଖାଇଛି ଯେ ଯଦି ଆଭିମୁଖ୍ୟ ଓ ସାହସ ଥାଏ, ତେବେ ନାରୀ କୌଣସି ମାନଦଣ୍ଡରେ ପଛରେ ନୁହେଁ। ସେ ବିଜୟର ଗାଥା ଲେଖିପାରିବା ଶକ୍ତି ରଖିଥାଏ।

ଅପରେସନ୍ ସିନ୍ଦୂର କେବଳ ଏକ ସେନା ଅଭିଯାନ ନୁହେଁ, ଏହା ଏକ ବାର୍ତ୍ତା, ଏକ ଘୋଷଣା- ଭାରତ ଅପରାଧ, ଆତଙ୍କ ଓ ଭେଦଭାବକୁ ପ୍ରଶ୍ରୟ ଦେବ ନାହିଁ।

ଫୋ- ୯୪୩୮୨୭୨୧୫୨

Pakistan Narendra Modi India Indian Army Operation Sindoor