ରବି ଦାସ
ଏଆଇସିସିର ଏକ ଅଧିବେଶନ ଗୁଜୁରାଟରେ ଶେଷ ହୋଇଛି। ଏଆଇସିସି ଅଧିବେଶନ ହେଉଛି କଂଗ୍ରେସ ଦଳର ସବୁଠାରୁ ବଡ଼ ସାଙ୍ଗଠନିକ ବୈଠକ। ଅତୀତରେ କଂଗ୍ରେସ ଦଳ ଯେତେସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି ସେଗୁଡ଼ିକ ଏଆଇସିସି ଅଧିବେଶନରେ ବିସ୍ତୃତ ଭାବେ ଆଲୋଚିତ ହୋଇ ଦେଶବାସୀଙ୍କ ଆଗରେ ଉପସ୍ଥାପିତ ହୋଇଛି। ସେହି ଦୃଷ୍ଟିରୁ ଏଆଇସିସି ଅଧିବେଶନକୁ କଂଗ୍ରେସ ଦଳ ସର୍ବାଧିକ ଗୁରୁତ୍ୱାରୋପ କରିବା ସ୍ୱାଭାବିକ।
ସ୍ୱାଧୀନତା ଆନ୍ଦୋଳନ ସମୟରେ କଂଗ୍ରେସ ହିଁ ଦେଶର ସର୍ବବୃହତ ସଂଗଠନ ଭାବରେ ଦେଶକୁ ବିଦେଶୀ କବଳରୁ ମୁକ୍ତି କରିବା ପାଇଁ ବିଭିନ୍ନ ପର୍ଯ୍ୟାୟରେ ଜନସାଧାରଣଙ୍କ ସ୍ୱାର୍ଥ ସଂପର୍କୀତ ସବୁ ବିଷୟରେ ଆଲୋଚନା କରି ସ୍ୱାଧୀନ ଭାରତରେ ଦେଶ କେଉଁ ଦିଗରେ ଯିବ ତାହାର ମଧ୍ୟ ନକ୍ସା ଏହି ଅଧିବେଶନ ଜରିଆରେ ପ୍ରସ୍ତୁତ କରିଥିଲା। ସ୍ୱାଧୀନତା ପରେ କଂଗ୍ରେସ ଦେଶରେ ସ୍ୱାଭାବିକ ଭାବରେ ସରକାର ଗଠନ କଲା ଓ ସମ୍ବିଧାନ ପ୍ରଣୟନ ହେଲା ପରେ କ୍ରମାଗତ ଭାବରେ ବିଭିନ୍ନ ନିର୍ବାଚନରେ ବିଜୟ ହାସଲ କରି ୧୯୭୭ ପର୍ଯ୍ୟନ୍ତ ଶାସନ କ୍ଷମତାରେ ରହିଥିଲା।
୧୯୭୭ ନିର୍ବାଚନରେ ପରାଜିତ ହେଲାପରେ ପୁଣିଥରେ ୧୯୮୦ରେ କ୍ଷମତାକୁ ଫେରି ପ୍ରାୟ ୧୯୮୯ ପର୍ଯ୍ୟନ୍ତ କ୍ଷମତାରେ ନିରଙ୍କୁଶ ଭାବେ ରହିଥିଲା। ୧୯୯୦ରେ ଦେଶରେ ମଣ୍ଡଳ ରାଜନୀତି ସହିତ ଆମ୍ବେଦକର ଚିନ୍ତାଧାରାର ବିକାଶ ଓ ବିଜେପି ପକ୍ଷରୁ ରାମ ମନ୍ଦିର ଆନ୍ଦୋଳନ ଦେଶର ରାଜନୈତିକ ବ୍ୟବସ୍ଥାକୁ ପୂରା ବଦଳାଇ ଦେଇଥିଲା। ତଥାପି ୧୯୯୧ରୁ ୧୯୯୫ ପର୍ଯ୍ୟନ୍ତ କଂଗ୍ରେସ କେନ୍ଦ୍ରରେ କ୍ଷମତା ପାଇଥିଲା। କିନ୍ତୁ କଂଗ୍ରେସର ଶକ୍ତି ଧୀରେ ଧୀରେ ରାଜ୍ୟଗୁଡ଼ିକରେ ହ୍ରାସ ହେବା ଘଟଣା ୧୯୬୭ରେ ଆରମ୍ଭ ହୋଇ ୧୯୯୬ ବେଳକୁ ଏହା ଏପରି ଏକ ରୂପ ନେଲା ଯେଉଁଠାରେ କଂଗ୍ରେସକୁ ସେହି ପୁରୁଣା ଅବସ୍ଥାକୁ ଫେରାଇବା ଅସମ୍ଭବ ହୋଇପଡ଼ିଲା।
୧୯୬୭ ମସିହା ପୂର୍ବରୁ ବିଭିନ୍ନ ରାଜ୍ୟ କଂଗ୍ରେସଗୁଡ଼ିକରେ କ୍ଷମତା ଜନିତ ଆଭ୍ୟନ୍ତରୀଣ ବିବାଦଗୁଡ଼ିକ ଆସିବା ଫଳରେ କେତେକ ପୁରୁଖା କଂଗ୍ରେସ ନେତା କଂଗ୍ରେସ ଛାଡ଼ି ଆଂଚଳିକ ଦଳ ଗଠନ କଲେ। ୧୯୬୯ରେ କଂଗ୍ରେସର ଯେଉଁ ପ୍ରଥମ ବିଭାଜନ ହେଲା ସେତେବେଳେ ପ୍ରଧାନମନ୍ତ୍ରୀ ଆସନରେ ଥିବା ଇନ୍ଦିରା ଗାନ୍ଧୀ ବ୍ୟାଙ୍କ ଜାତୀୟକରଣ ଓ ରାଜା ମହାରାଜାମାନଙ୍କର ହାତପାଣ୍ଠି ଉଚ୍ଛେଦ ପ୍ରସଂଗକୁ ଏପରି ଭାବରେ ଉପସ୍ଥାପିତ କଲେ ଯେ, ୧୯୬୯ରେ ରାଷ୍ଟ୍ରପତି ନିର୍ବାଚନ ସମୟରେ ଦଳର ଯେଉଁ ବିଭାଜନ କରିଦିଆଗଲା ତାହାକୁ ଲୋକମାନେ ଭୁଲିଯାଇ ଇନ୍ଦିରା ଗାନ୍ଧୀଙ୍କ ସପକ୍ଷରେ ଛିଡ଼ାହେଲେ। ଫଳରେ ୧୯୭୧ ନିର୍ବାଚନରେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱଧୀନ କଂଗ୍ରେସକୁ ବିପୁଳ ସମର୍ଥନ ମିଳିଲା ଓ ସାଙ୍ଗଠନିକ ଦୁର୍ବଳତା ସତ୍ତ୍ୱେ ଇନ୍ଦିରା ଗାନ୍ଧୀଙ୍କ ଏକକ ନେତୃତ୍ୱରେ ଦଳ ସର୍ବଶକ୍ତିମାନ ବୋଲି ବିଚାର କରାଗଲା।
ବଙ୍ଗଳାଦେଶ ସୃଷ୍ଟି କରିବାରେ ଇନ୍ଦିରା ଗାନ୍ଧୀଙ୍କ ଭୂମିକା ଯୋଗୁ ୧୯୭୨ ରାଜ୍ୟ ନିର୍ବାଚନଗୁଡ଼ିକରେ କଂଗ୍ରେସ ଦଳ ବସ୍ତୁତଃ ସବୁ ରାଜ୍ୟରେ କ୍ଷମତାକୁ ଆସିବାରେ କିଛି ଅସୁବିଧା ହେଲା ନାହିଁ। କିନ୍ତୁ କଂଗ୍ରେସ ସାଂଗଠନିକ ବ୍ୟବସ୍ଥାରେ ଯେଉଁ ଗଣତାନ୍ତ୍ରିକ ପ୍ରକ୍ରିୟା ଥିଲା ତାହା ଅନେକ ପରିମାଣରେ ଦୁର୍ବଳ ହୋଇଯାଇ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଏକକ ନେତୃତ୍ୱ ଉପରେ କଂଗ୍ରେସ ନିର୍ଭର କରିଚାଲିଲା। ତେବେ ୧୯୭୧ ନିର୍ବାଚନରେ ବିଜୟ ଓ ୧୯୭୨ରେ ସବୁ ରାଜ୍ୟରେ କଂଗ୍ରେସର କ୍ଷମତାକୁ ପ୍ରତ୍ୟାବର୍ତ୍ତନ ପରେ ଏହି ଅଣତାନ୍ତ୍ରିକ ବ୍ୟବସ୍ଥା ଉପରେ ଆଲୋଚନା କରାଗଲା ନାହିଁ। ଏହି କ୍ରମରେ ଓଡ଼ିଶାରେ ବିଜୁ ପଟ୍ଟନାୟକଙ୍କ ଭଳି ଜଣେ ପ୍ରଭାବଶାଳୀ ନେତା କଂଗ୍ରେସରୁ ଅଲଗା ହୋଇଗଲେ।
କଂଗ୍ରେସ ହାତରେ ୧୯୮୯ ପର୍ଯ୍ୟନ୍ତ ଓ ପରେ ୧୯୯୫ ପର୍ଯ୍ୟନ୍ତ କେନ୍ଦ୍ର ସହିତ ଅଧିକାଂଶ ରାଜ୍ୟରେ କ୍ଷମତା ରହିଥିବାରୁ ସାଙ୍ଗଠନିକ ସ୍ତରରେ ଦଳର କେଉଁ ଧରଣର ଦୁର୍ବଳତା ଗ୍ରାସ କରୁଛି ତାହାକୁ ଅନୁଧ୍ୟାନ କରାଗଲା ନାହିଁ। ୨୦୦୪ରେ କଂଗ୍ରେସ ନେତୃତ୍ୱରେ ୟୁପିଏ କ୍ଷମତାକୁ ଫେରିବା ପରେ ମଧ୍ୟ ଦଳର ସାଙ୍ଗଠନିକ ଦୁର୍ବଳତାକୁ ସଜାଡ଼ିବା ଦିଗରେ ଆଦୌ ଉଦ୍ୟମ କରାଗଲା ନାହିଁ। ୧୯୯୦ ପରଠାରୁ ଗୁଜୁରାଟ, ଉତ୍ତରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ ପ୍ରଭୃତି ଯେଉଁସବୁ ରାଜ୍ୟରେ କଂଗ୍ରେସ ସରକାର ହାରିଥିଲା ସେହସବୁ ରାଜ୍ୟରେ ସ୍ଥିତି ବା ସଂଗଠନ କେଉଁ ଭାବରେ ସୁଦୃଢ଼ ହେବ ତାହା ଦୃଷ୍ଟି ଦିଆଗଲା ନାହିଁ। ଯେଉଁ ରାଜ୍ୟଗୁଡ଼ିକରେ କଂଗ୍ରେସ କ୍ଷମତାଚ୍ୟୁତ ହୋଇଥିଲା ସେଗୁଡ଼ିକରେ ଆଉ ସଂଗଠନ ବଢ଼ାଇବା ଦିଗରେ କାର୍ଯ୍ୟ ହେଲାନାହିଁ।
ପୂର୍ବରୁ ଅନେକ କଂଗ୍ରେସ ଲୋକଙ୍କର ଧାରଣା ଥିଲା ଯେ, କଂଗ୍ରେସ ବ୍ୟତୀତ ଅନ୍ୟ କେହି ଠିକ୍ ଭାବରେ ଦେଶ ଚଳାଇ ପାରିବେନାହିଁ। ଯେପରି ୧୯୭୭ରେ ଦଳ କ୍ଷମତାଚ୍ୟୁତ ହେଲା ପରେ ପୁଣି ୧୯୮୦ରେ କ୍ଷମତା ଫେରିପାଇଲା ଓ ଭିପି ସିଂହ ଓ ଚନ୍ଦ୍ରଶେଖର ସରକାର ଚଳାଇ ନପାରିବାରୁ ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ପରେ ୧୯୯୧ରେ ପୁନର୍ବାର କଂଗ୍ରେସ କ୍ଷମତାକୁ ଫେରିଲା ଠିକ୍ ସେହି ପ୍ରକ୍ରିୟା ଦେଶରେ ବରାବର ଚାଲିବ। ତେଣୁ ଚିନ୍ତା କରିବାର କୌଣସି କାରଣ ନାହିଁ ଭାବି କଂଗ୍ରେସ ନେତାମାନେ କ୍ଷମତା ନିଶାରେ ରହିଗଲେ। କିନ୍ତୁ ଏମାନେ ଭୁଲିଗଲେ ଯେ, ସ୍ୱାଧୀନତା ଆନ୍ଦୋଳନର ଏକ ବିରାଟ ଶକ୍ତି ଉପରେ କଂଗ୍ରେସ ଦଳ ଛିଡା ହୋଇଥିଲା ଓ ସ୍ୱାଧୀନତା ପରେ କେବଳ ପଣ୍ଡିତ ନେହରୁ ନୁହଁନ୍ତି ସାରା ଦେଶର ସବୁ ରାଜ୍ୟରେ ଥିବା ପ୍ରଭାବଶାଳୀ ରାଜ୍ୟ ନେତାମାନଙ୍କର ନେତୃତ୍ୱ ସହିତ କଂଗ୍ରେସ ଭିତରେ ପ୍ରତ୍ୟେକ ନିଷ୍ପତି ଗଣତାନ୍ତ୍ରିକ ଉପାୟରେ କରିବା ପାଇଁ ଶକ୍ତିଶାଳୀ ସଂସଦୀୟ ବୋର୍ଡ ତଥା କାର୍ଯ୍ୟକାରୀ କମିଟି ରହିଥିଲା। ହେଲେ ଏହି ବ୍ୟବସ୍ଥାଗୁଡ଼ିକ ଦୁର୍ବଳ କରିଦିଆଯିବା ଓ ରାଜ୍ୟ ନେତାମାନଙ୍କର ମତାମତକୁ ଗୁରୁତ୍ୱ ନଦେଇ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ ସୃଷ୍ଟି ହୋଇଥିବା ଏକକ ନେତୃତ୍ୱ ବ୍ୟବସ୍ଥାରେ ରାଜ୍ୟ ଗୁଡ଼ିକରେ ନେତା ମନୋନୟନ ଦ୍ୱାରା କଂଗ୍ରେସ ସଂଗଠନ ଦୁର୍ବଳ ହେବା ପ୍ରକ୍ରିୟା କ୍ରମାଗତ ଭାବରେ ଚାଲିଲା। କେବଳ ସେହି ରାଜ୍ୟମାନଙ୍କରେ କଂଗ୍ରେସ ଦଳ ଏବେ ବି ତିଷ୍ଠି ରହିଛି ଯେଉଁଠାରେ ରାଜ୍ୟସ୍ତରୀୟ ଗ୍ରହଣଯୋଗ୍ୟ ନେତୃତ୍ୱ ରହିଛନ୍ତି।
ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ୟୁପିଏ ସରକାରର ଏକ ମେଂଟ ସରକାର ୧୦ ବର୍ଷ ଚଳାଇଥିଲେ ମଧ୍ୟ ଦଳର ଦୁର୍ବଳ ହୋଇଯାଉଥିବା ସାଂଗଠନିକ ଢ଼ାଂଚାକୁ ବଦଳାଇବା ଦିଗରେ କୌଣସି ପ୍ରୟାସ କରାଗଲା ନାହିଁ। ଦଳର ସାମାଜିକ ଓ ଆର୍ଥିକ ନୀତିର ଯେଉଁ ପରିବର୍ତନ ଆବଶ୍ୟକ ଥିଲା ତାହା ହୋଇପାରିଲା ନାହିଁ। ଉତ୍ତର ଭାରତରେ ଦଳର ମଣ୍ଡଳ ବିରୋଧୀ ଆଭିମୁଖ୍ୟ ଓ କଂଗ୍ରେସ ସହିତ କ୍ରମାଗତ ଭାବରେ ସମର୍ଥନ କରି ଆସୁଥିବା ଦଳିତ ସଂପ୍ରଦାୟକୁ ଉପଯୁକ୍ତ ସମ୍ମାନ ଓ ଥଇଥାନ କରିବାରେ କଂଗ୍ରେସର ଦୁର୍ବଳତା ଯୋଗୁ ପଛୁଆବର୍ଗ ଓ ଦଳିତମାନଙ୍କ ଭିତରେ କଂଗ୍ରେସର ସଂଗଠନ ଆଉ ବିଶ୍ୱାସ ସୃଷ୍ଟି କରିପାରିଲା ନାହିଁ। ସେହି କାରଣରୁ ୨୦୧୪ରେ ୟୁପିଏ ସରକାରର ଦୁର୍ନୀତି ସ୍ଳୋଗାନ ବିରୋଧରେ ଆନ୍ଦୋଳନ ସମ୍ଭବ ହେଲା ଓ କଂଗ୍ରେସ ଦଳ ପ୍ରଥମଥର ପାଇଁ ଲୋକସଭାରେ ଏକ ମାନ୍ୟତାପ୍ରାପ୍ତ ଦଳ ଭାବରେ ସ୍ୱୀକୃତି ପାଇଲାନାହିଁ। ୨୦୧୪ରୁ ୨୦୨୪ ପର୍ଯ୍ୟନ୍ତ କଂଗ୍ରେସ ଲୋକସଭାରେ ମୁଖ୍ୟ ବିରୋଧୀ ଦଳର ମର୍ଯ୍ୟାଦା ନ ପାଇବା ପରେ ପ୍ରଥମଥର ପାଇଁ ୨୦୨୪ରେ ଏହା ଏକ ମର୍ଯ୍ୟାଦା ସମ୍ପନ୍ନ ଆସନ ଲୋକସଭାରେ ହାସଲ କରି ମୁଖ୍ୟ ବିରୋଧୀ ଦଳ ହୋଇପାରିଛି।
କିନ୍ତୁ ରାଜ୍ୟମାନଙ୍କରେ ଏହାର ସ୍ଥିତି ଯଦି ଦେଖାଯାଏ ତେବେ କେବଳ କର୍ଣ୍ଣାଟକ, ତେଲେଙ୍ଗାନା ଓ ହିମାଂଚଳକୁ ଛାଡ଼ିଦେଲେ ଅନ୍ୟ କୌଣସି ରାଜ୍ୟରେ ଏହାର ନିଜସ୍ୱ ରାଜ୍ୟ ସରକାର ନାହିଁ। ଗତ ନିର୍ବାଚନ ପରେ ୭ଟି ରାଜ୍ୟରେ କଂଗ୍ରେସର କୌଣସି ସାଂସଦ ନାହାନ୍ତି ଓ ୩ଟି ରାଜ୍ୟରେ କଂଗ୍ରେସର ଜଣେ ହେଲେ ବିଧାୟକ ନାହାନ୍ତି। ଯଦିଓ ରାହୁଲ ଗାନ୍ଧୀ ୨୦୨୩ ଭାରତଯୋଡ଼ ଯାତ୍ରା ଓ ୨୦୨୪ରେ ଭାରତନ୍ୟାୟ ଯାତ୍ରା ପରେ ବିଜେପି ବିରୋଧୀ ମୁଖ୍ୟ ଦଳମାନଙ୍କୁ ନେଇ ଇଣ୍ଡିଆ ମେଂଟ ଜରିଆରେ ବିଜେପିକୁ ଏକାକୀ କ୍ଷମତା ହାସଲ କରିବା ପ୍ରୟାସକୁ ରୋକି ପାରିଛନ୍ତି ହେଲେ କଂଗ୍ରେସର ସାଂଗଠନିକ ଶକ୍ତି ବଢ଼ାଇବାରେ ଦଳର ନିଜସ୍ୱ ପ୍ରୟାସ ପ୍ରଭାବଶାଳୀ ହୋଇପାରିନାହିଁ। ମୋଦୀ ସରକାରର ଅନେକ କାର୍ଯ୍ୟକଳାପ ନେଇ ସାଧାରଣରେ ଅସନ୍ତୋଷ ଥିଲେ ମଧ୍ୟ କଂଗ୍ରେସର ସାଙ୍ଗଠନିକ ଦୁର୍ବଳତା ହେତୁ ଏହା ଯେଉଁ ରାଜନୈତିକ ଓ ପ୍ରସଙ୍ଗ ଭିତିକ ବିଚାର ଲୋକଙ୍କ ନିକଟରେ ପହଂଚାଇବାକୁ ଚାହୁଁଛି ତାହା ପହଂଚି ପାରୁନାହିଁ। ଆର୍ଥିକ ଦୃଷ୍ଟିରୁ ଓ ସମ୍ବଳ ଦୃଷ୍ଟିରୁ ବିଜେପି ଏତେ ଶକ୍ତିଶାଳୀ ଯେ, ତାହାକୁ ସହଜରେ ହଟାଇବା ସହଜ ନୁହେଁ। କେବଳ ଦୃଢ଼ ସାଙ୍ଗଠନିକ ଶକ୍ତି ହିଁ ଲୋକମାନଙ୍କ ନିକଟରେ ବିକଳ୍ପ ଚିନ୍ତା ପାଇଁ ଭାବନା ଆଣିପାରିବ।
ବିଜେପି ପାଇଁ ଏକ ବଡ଼ ଶକ୍ତି ହେଉଛି ଆର୍ଏସ୍ଏସ୍। ଏହା ଏକ ରାଜନୈତିକ ସଙ୍ଗଠନ ହୋଇନଥିଲେ ମଧ୍ୟ ଏହାର ଭିତିଭୂମି ଉପରେ ବିଜେପି ଛିଡ଼ା ହୋଇଛି। ବିଜେପିରେ କୌଣସି ଅସୁବିଧା ସୃଷ୍ଟି ହେଲେ ଓ ଏହା ଯେଉଁଠାରେ ଲୋକମାନଙ୍କ ଦ୍ୱାରା ଗ୍ରହଣୀୟ ହେଉନାହିଁ ସେଠାରେ ଆର୍ଏସ୍ଏସ୍ ନିଜର ସାଙ୍ଗଠନିକ ଶକ୍ତି ବଳରେ ବିଜେପି ପାଇଁ ବିଚାର ଆଧାର ଯୋଗାଇ ଦେଉଛି। ଟିକେ ବିଶ୍ଳେଷଣ କଲେ ସ୍ପଷ୍ଟ ହୁଏ ଯେ ଆର୍ଏସ୍ଏସ୍ ବିଭିନ୍ନ କ୍ଷେତ୍ରରେ ବିଜେପିର ମୁରବି ବା ମାର୍ଗଦର୍ଶକ ଭାବରେ କାମ କରୁଛି। ତେଣୁ ବିଜେପି ଯେଉଁଠାରେ ଯେଉଁ ଭୁଲ୍ କରୁଛି ସେଥିରୁ ରକ୍ଷା ପାଇ ପୁଣି କିପରି ଲୋକଙ୍କ ଦ୍ୱାରା ଗ୍ରହଣୀୟ ହେବ ସେଥିପାଇଁ ଆର୍ଏସ୍ଏସ୍ ପଥ ପରିଷ୍କାର କରୁଛି। କଂଗ୍ରେସ ପାଇଁ ସେପରି କିଛି ବ୍ୟବସ୍ଥା ଅନେକ ଦିନରୁ ନାହିଁ। ଗାନ୍ଧିଜୀ ବଂଚିଥିବା ସମୟରେ କଂଗ୍ରେସର ମୁଖିଆ ଭାବରେ କାମ କରି ଦଳକୁ ବିଭିନ୍ନ ଭାବରେ ମାର୍ଗଦର୍ଶନ ଦେଉଥିଲେ। ଗାନ୍ଧିଜୀଙ୍କ ପରେ ମଧ୍ୟ ନେହରୁ ଓ ଅନ୍ୟମାନେ ଜାତୀୟ ଓ ରାଜ୍ୟ ସ୍ତରରେ ଥିବା ନେତାମାନଙ୍କ ସହିତ ବିଚାର ଆଲୋଚନା କରିବାର ପରମ୍ପରାକୁ ରଖିଥିଲେ। ନେହରୁ ସ୍ୱାଧୀନତା ଆନ୍ଦୋଳନ ସମୟରେ ଏପରି ଏକ ସ୍ତରରେ ପହଂଚିଥିଲେ ଯେଉଁଠାରେ କଂଗ୍ରେସ ଦଳ ଭିତରୁ ତାଙ୍କୁ ସିଧାସଳଖ କେହି ଚାଲେଞ୍ଜ କରୁନଥିଲେ। ନେହରୁ ସାଙ୍ଗଠନିକ ବ୍ୟାପାରରେ ନିଜ ମତକୁ ଲଦିଦେବା ଅପେକ୍ଷା ସମସ୍ତ ବରିଷ୍ଠ ନେତାମାନଙ୍କର ମତାମତକୁ ବିଚାର କରି ନିଷ୍ପତି ନେଉଥିଲେ। କଂଗ୍ରେସ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ସେହି ଅବସ୍ଥାକୁ ଫେରିପାରିବା ଏତେ ସହଜକଥା ନୁହେଁ। କାରଣ ରାହୁଲ କଂଗ୍ରେସରେ ମୁଖ୍ୟ ନେତା ହୋଇଥିଲେ ମଧ୍ୟ ଜନସାଧାରଣଙ୍କ ସ୍ତରରେ ସେହି ସ୍ଥାନରେ ପହଂଚି ନାହାନ୍ତି ଯେଉଁଠାରେ ସବୁ ଶ୍ରେଣୀର ଲୋକ ତାଙ୍କ ମତାମତକୁ ଗୁରୁତ୍ୱ ଦେବେ। ଜରୁରୀ ପରିସ୍ଥିତି ସମୟରେ ଦେଶର ସବୁ ରାଜନୈତିକ ଦଳ ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱ ଓ ବିଚାରକୁ ଗ୍ରହଣ କରିନେଲେ ବୋଲି ଇନ୍ଦିରାଙ୍କ କଂଗ୍ରେସ ପରାସ୍ତ ହୋଇଥିଲା।
ଗୁଜୁରାଟ ହେଉଛି ଏପରି ଏକ ରାଜ୍ୟ ଯେଉଁଠାରେ କଂଗ୍ରେସ ୧୯୯୦ ପରଠାରୁ କେବେ ବି କ୍ଷମତା ପାଇନାହିଁ। କଂଗ୍ରେସର ସର୍ବୋଚ୍ଚ ନାୟକ ମହାତ୍ମା ଗାନ୍ଧୀଙ୍କ ଓ କଂଗ୍ରେସର ଦ୍ୱିତୀୟ ପ୍ରଭାବଶାଳୀ ନେତା ଭାବରେ ସ୍ୱୀକୃତ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ରାଜ୍ୟ ହେଉଛି ଗୁଜୁରାଟ। କିନ୍ତୁ ସେହି ରାଜ୍ୟରେ ୧୯୬୧ ପରେ ପ୍ରଥମଥର ପାଇଁ କଂଗ୍ରେସ ଦଳ ଏଆଇସିସି ଅଧିବେଶନ ଆୟୋଜନ କରିଛି। ୧୯୦୨ରେ ଗୁଜୁରାଟରେ ଏଆଇସିସିର ପ୍ରଥମ ଅଧିବେଶନ ହୋଇଥିଲା। ସର୍ଦ୍ଦାର ପଟେଲ୍ଙ୍କ ପରି କଂଗ୍ରେସର ଜଣେ ମହାନ୍ ନେତାଙ୍କୁ ବିଜେପି ଯେପରି ଭାବରେ କଂଗ୍ରେସ ପ୍ରଭାବରୁ ନେଇ ନିଜର ପ୍ରତୀକ କରିଦେଲେ ତାହାକୁ କଂଗ୍ରେସ ଦଳ ରୋକିପାରିଲା ନାହିଁ। ଏହା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ୧୫୦ ବର୍ଷ ପୂର୍ତ୍ତି ଓ ଗାନ୍ଧିଜୀ କଂଗ୍ରେସ ସଭାପତି ହେବାର ୧୦୦ ବର୍ଷ ପୂର୍ତ୍ତି। କଂଗ୍ରେସ ଏବେ ଠାରୁ କେଉଁ ରାସ୍ତାରେ ଯିବ ସେଥିପାଇଁ ଗୁଜୁରାଟ ଅଧିବେଶନର ବାର୍ତ୍ତା ଭାବରେ ନ୍ୟାୟପଥ: ସଂକଳ୍ପ, ସମର୍ପଣ ଓ ସଂଘର୍ଷ ରଖାଯାଇଛି। ଆଉ ରାଜ୍ୟ ମୁଖ୍ୟଙ୍କ ଉପରେ ପୂରା ଦାୟିତ୍ୱ ନଦେଇ ଜିଲ୍ଲା କଂଗ୍ରେସ ସଂଗଠନକୁ କ୍ଷମତାଶାଳୀ କରିବା ଦିଗରେ ସାଙ୍ଗଠନିକ ପ୍ରସ୍ତାବ ଗୃହୀତ ହେବା କଂଗ୍ରେସକୁ କେତେଦୂର ବଂଚାଇବ ସେଥିପାଇଁ ଅପେକ୍ଷା କରିବାକୁ ପଡ଼ିବ।
ମୋ- ୮୦୧୮୦୯୪୪୫୫