ଆମ ପ୍ରଶାସନିକ ବ୍ୟବସ୍ଥା ଓ ସାମାଜିକ ଗଣମାଧ୍ୟମ

ଗତ କିଛି ବର୍ଷ ଧରି ସାଧାରଣ ଜନତାଙ୍କ ଦ୍ୱାରା ସାମାଜିକ ଗଣମାଧ୍ୟମ ବ୍ୟବହାର କରି ସରକାର ଉପରେ ଚାପ ପକାଇବାର ଅନେକ ଉଦାହରଣ ମିଳିବ।

  • ରୁଦ୍ର ପ୍ରସନ୍ନ ରଥ

ଜୁଲଇ କୋଡ଼ିଏ ତାରିଖ ସକାଳେ ଗୋଟିଏ ସମାଜିକ ଗଣମାଧ୍ୟମରେ ୫୫ ନମ୍ବର ଜାତୀୟ ରାଜପଥରେ ଥିବା ବଅଁରପାଳ ଛକର ଶୋଚନୀୟ ଅବସ୍ଥା କଥା ସାମନାକୁ ଆସିଲା। ଲଗାଣ ବର୍ଷାରେ ଏହା ଏପରି ଖରାପ ହୋଇଯାଇ କାଦୁଅ ପଚପଚ ହୋଇଯାଇଥିଲା ଯେ ଏହା ଜାତୀୟ ରାଜପଥର ଏକ ଅଂଶ ବୋଲି ବିଶ୍ୱାସ କରିବାକୁ କଷ୍ଟ ହେଉଥିଲା। ଥରେ ଏହି ରାସ୍ତାର ଚିତ୍ର ସାମନାକୁ ଆସିବା ମାତ୍ରେ ଏହା ଉପରେ ସାମାଜିକ ଗଣମାଧ୍ୟମରେ ଯାବତୀୟ ଟୀକ୍କା ଟିପ୍ପଣୀ ଆରମ୍ଭ ହୋଇଗଲା। କେହି କେହି ଏହାକୁ ଜାତୀୟ ରାଜପଥ ନୁହେଁ ବରଂ ଜାତୀୟ କାଦୁଅପଥର ନାମ ଦେଲେ ଏବଂ ଆଉ କିଛି କିଛି ଏହା ସରକାରଙ୍କର ବିକାଶମୂଳକ କାର୍ଯ୍ୟକ୍ରମର ମାନକ ବୋଲି କହିଲେ।

ଖୁବ୍ କମ୍ ସମୟ ମଧ୍ୟରେ ଏହାକୁ ଲକ୍ଷାଧିକ ଲୋକ ଦେଖିଲେ ଏବଂ ଆହୁରି ଲକ୍ଷାଧିକ ଲୋକ ଓଡ଼ିଶାର ପ୍ରଶାସନିକ ଅପାରଗତାକୁ ନେଇ ପ୍ରଶ୍ନ ଉଠାଇଲେ। ଘଟଣା ବିଧାନସଭାକୁ ଗଲା। ମାତ୍ର କେଇ ଘଂଟା ମଧ୍ୟରେ ସରକାରୀ କଳ ନିଜର ଦୋଷ ଘୋଡ଼ାଇବାକୁ ପ୍ରସ୍ତୁତ ହୋଇ ପଡ଼ିଲା। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଡକାଯାଇ ଏହି ସମସ୍ୟାର ସମାଧାନ ପାଇଁ ସରକାର ଚେଷ୍ଟା କରୁଛନ୍ତି ବୋଲି ବୈଠକର ଫଟୋ ସହ ସରକାରୀ ବିଭାଗ ଟ୍ୱିଟ୍ କଲେ। ଯେଉଁ ସାମାଜିକ ଗଣମାଧ୍ୟମ ସରକାରୀ କଳକୁ ହରଡ଼ଘଣାରେ ପକାଇବାକୁ ଚେଷ୍ଟା କରୁଥିଲା ସେହି ବ୍ୟବସ୍ଥାର ଉପଯୋଗ କରି ସରକାର ଲୋକଙ୍କ ପାଖରେ ସବ୍ ଚଙ୍ଗାସୀ ଅର୍ଥାତ ସବୁ ଠିକ୍ ଚାଲିଛି ଏବଂ ଆମେ ପରିସ୍ଥିତି ଉପରେ ନଜର ରଖିଛୁ ବୋଲି ବାର୍ତ୍ତା ଦେଇଦେଲେ। ଶେଷ ସୂଚନା ମୁତାବକ, ଏହି ବୈଠକକୁ ପାଂଚ ଦିନ ବିତିଯାଇଥିଲେ ମଧ୍ୟ ପରିସ୍ଥିତିରେ କୌଣସି ପରିବର୍ତ୍ତନ ଆସିନାହିଁ ବରଂ ଲୋକ ଯଥା ପୂର୍ବଂ ତଥା ପରଂ ସମସ୍ୟାରେ ହିଁ ଘାଂଟି ହେଉଛନ୍ତି।

ଗତ କିଛି ବର୍ଷ ଧରି ସାଧାରଣ ଜନତାଙ୍କ ଦ୍ୱାରା ସାମାଜିକ ଗଣମାଧ୍ୟମ ବ୍ୟବହାର କରି ସରକାର ଉପରେ ଚାପ ପକାଇବାର ଏହିପରି ଉଦାହରଣ ଅନେକ ମିଳିବ। ଗତ କିଛି ବର୍ଷ ମଧ୍ୟରେ ଅନେକ ଅନେକ ଲୋକ ବିଭିନ୍ନ ବିଭାଗଜନିତ ସମସ୍ୟା ସବୁକୁ ଲୋକ ଲୋଚନକୁ ଆଣି ଏହାର ସମାଧାନ ପାଇଁ ଅନେକ ଉଦ୍ୟମ କରିଛନ୍ତି। ଲୋକଙ୍କ ଉଦ୍ୟମ ଯୋଗୁଁ ଅନେକ ଅଂଚଳରେ ପୋଲ ହୋଇଛି, ରାସ୍ତା ହୋଇଛି, ପିଇବାକୁ ଲୋକଙ୍କୁ ପାନୀୟ ଜଳ ମିଳିଛି। କେତେବେଳେ ଗରୀବ ଖଟିଖିଆର ଝିଅର ସ୍କୁଲରେ ଆଡ଼୍‌ମିଶନ ମାଗଣାରେ ହୋଇଛି ତ ଆଉ କେତେବେଳେ ହାତ ନଥିବା ଲୋକକୁ ମାଗଣାରେ ଅଂଗପ୍ରତ୍ୟେଙ୍ଗ ମିଳିପାରିଛି। ବୋଧହୁଏ ସାମାଜିକ ଗଣମାଧ୍ୟମ ନଥିଲେ ଏ ସବୁ ସମସ୍ୟା ସହଜରେ ଲୋକଙ୍କ ପାଖରୁ ସରକାର ଯାଏ ଆସିପାରିନଥାନ୍ତା। ସବୁଲୋକଙ୍କ ହାତରେ ଫୋନ, ଶସ୍ତା ଡାଟା ଏବଂ ବିଭିନ୍ନ ପ୍ରସଙ୍ଗ ଉପରେ ଲୋକଙ୍କର ବର୍ଦ୍ଧିତ ସଚେତନତା ଯୋଗୁଁ ଏହା ସଂଭବ ହୋଇ ପାରୁଛି। ସାମାଜିକ ଗଣମାଧ୍ୟମ ଯୋଗୁଁ ଲୋକଙ୍କଠାରୁ ଅପହଞ୍ଚ ଦୂରତାରେ ଥିବା ପ୍ରଶାସନ ଏବେ ଲୋକଙ୍କର କାମ କରିବାକୁ ବାଧ୍ୟ ହେଉଛି। ସାମାଜିକ ଗଣମାଧ୍ୟମ ଏବେ ସରକାରୀ ବାବୁମାନଙ୍କର ଦୁର୍ନୀତି, ପ୍ରିୟାପ୍ରୀତି ତୋଷଣ, ଅନ୍ୟାୟ ଆଦିକୁ ଲୋକଙ୍କ ସାମନାରେ ତୋଳି ଧରୁଛି। ଯେଉଁ କାମଟିକୁ ସାମ୍ବାଦିକ କରିବା କଥା ସେ କାମଟିକୁ ଜନ ସାମ୍ବାଦିକ କରିଦେଉଛି। ସାମ୍ବାଦିକ ହୁଏତ ଭୟ କିମ୍ବା ଲୋଭର ଶିକାର ହେଉଛି କିନ୍ତୁ ଜନ ସାମ୍ବାଦିକ ଏସବୁର ଶିକାର ହେଉନାହିଁ। ବରଂ ଦଳ ଏବଂ ମତ ନିର୍ବିଶେଷରେ ଖବରଟିକୁ ଲୋକଙ୍କ ପାଖରେ ବ୍ରେକିଂ ଭାବେ ଥୋଇଦେଇ ମାନସିକ ଶାନ୍ତି ଲାଭ କରୁଛି।

ତେବେ ଏ ପୂରା ପ୍ରକ୍ରିୟାରେ ଗୋଟିଏ ବିଯୁକ୍ତାତ୍ମକ ଦିଗ ରହିଛି। ସାଧାରଣ ଲୋକଟିଏ ଖବରଟିଏ କରି ସରକାରଙ୍କ ଉପରେ ଚାପ ସୃଷ୍ଟି କଲାବେଳକୁ ଅନେକ ସମୟରେ ନିଜର ସ୍ୱାର୍ଥ ବି ଦେଖୁଛି। ଜାଲ୍ ଭିଡିଓ କରି ଲୋକଙ୍କୁ ଫସାଇବା, ସରକାରୀ ଅଫିସରଙ୍କୁ ବଦନାମ କରିବା ଏବଂ ବିନା କୌଣସି ବୈଷୟିକ ଜ୍ଞାନଥାଇ ବିଭିନ୍ନ ପ୍ରକଳ୍ପ ଉପରେ ନିଜର ସ୍ୱାର୍ଥ ଅନୁସାରେ ମାମଲତି ଦେଖାଇବା ଆଦି କାର୍ଯ୍ୟ ଯୋଗୁଁ ସରକାରୀ ଅଫିସର ଚାପରେ ରହୁଛନ୍ତି। ଭଲ କାମ କରୁଥିବା ଅଫିସର ନେତୃତ୍ୱ ନେବାକୁ ଭୟ କରୁଛନ୍ତି।

ତେବେ ପ୍ରମୁଖ କଥା ହେଉଛି ଯେ ଆମ ପ୍ରଶାସନିକ ବ୍ୟବସ୍ଥା ଏବେ ବି ଅଭିଯୋଗକାରୀଙ୍କୁ ଶତ୍ରୁ କିମ୍ବା ଶାନ୍ତିଭଙ୍ଗକାରୀ ଭାବେ ଦେଖୁଛି। ବିଭିନ୍ନ ବିଭାଗ ସାମାଜିକ ଗଣମାଧ୍ୟମରେ ନିଜର ଠିକଣା ରଖିଥିଲେ ବି ଲୋକଙ୍କ ପ୍ରଶ୍ନର ଉତ୍ତର ଦେଉ ନାହାନ୍ତି। ଏ ସବୁ ବିଭାଗର ସାମାଜିକ ଗଣମାଧ୍ୟମ ଠିକଣାକୁ ଆସୁଥିବା ଚିଠି କିମ୍ବା ଅଭିଯୋଗର କୌଣସି ଉତ୍ତର ମିଳୁନାହିଁ। ଏପରିକି ପ୍ରାପ୍ତି ସ୍ୱୀକାର ରସିଦ୍ ଖଣ୍ଡେ ବି ମିଳିବା କଷ୍ଟ ହେଉଛି। ବିଭିନ୍ନ ବିଭାଗର ଟ୍ୱିଟର ହ୍ୟାଣ୍ଡେଲକୁ ଗଲେ ଯେ କେହି ଏହା ସହଜରେ ଅନୁମାନ କରିପାରିବ। ଯଦି ଜଣଙ୍କର ପ୍ରଶ୍ନ ବା ଅଭିଯୋଗର ଉତ୍ତର ନ ମିଳେ ତେବେ ଏହି ବ୍ୟବସ୍ଥାର ସ୍ଥାପନା କରିବା କି ଦରକାର ଥିଲା? ଏହି ସବୁ ସାମାଜିକ ଗଣମାଧ୍ୟମ ପୃଷ୍ଠା ଖୋଲିବା ପାଇଁ କାହା ସ୍ୱାର୍ଥରେ ଏତେ ଟଙ୍କା ଖର୍ଚ୍ଚ ହୋଇଛି? ଏହି ବିଭାଗର ଦାୟିତ୍ୱରେ ଥିବା ଅଫିସରମାନେ କରୁଛନ୍ତି କ’ଣ? ତେବେ ମଜାର କଥା ହେଉଛି ଏତେ ସବୁ ପ୍ରଶ୍ନ ଆପଣ ପଚାରିବେ କାହାକୁ ଏହାର ଉତ୍ତର ଦେବ କିଏ ତାହା ମଧ୍ୟ ଆମମାନଙ୍କ ମଧ୍ୟରୁ ଅନେକଙ୍କୁ ଜଣା ନାହିଁ।

ସାମାଜିକ ଗଣମାଧ୍ୟମ ଦିନକୁ ଦିନ ଶକ୍ତିଶାଳୀ ହୋଇ ଚାଲିଛି। ଏହାକୁ ମାଧ୍ୟମ କରି ଲୋକ ନିଜ ନିଜର ଆଶା ଆକାଙ୍‌କ୍ଷା ପୂରଣ କରୁଛନ୍ତି। ଅନେକ ବେସରକାରୀ ସଂସ୍ଥା ମଧ୍ୟ ଏହାକୁ ଉପଯୋଗ କରି ନିଜର ସେବାକୁ ଆହୁରି ବିକଶିତ ଏବଂ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପିତ କରିପାରୁଛନ୍ତି। ତେବେ ସରକାର ଏହାକୁ ନେଇ ଆଗକୁ ବଢ଼ିବା ପାଇଁ ଆଗ୍ରହ ଦେଖାଉ ନାହାନ୍ତି କାହିଁକି?

ବୋଧହୁଏ ଉପରୋକ୍ତ ପ୍ରଶ୍ନର ଦୁଇଟି ଉତ୍ତର ଥାଇପାରେ। ପ୍ରଥମଟି ଏଇଆ ଯେ ସରକାରଙ୍କ ପାଖରେ ଏ ସାମାଜିକ ଗଣମାଧ୍ୟମ ଚଲାଇବା ପାଇଁ ଆବଶ୍ୟକ ସଂଖ୍ୟକ ତାଲିମ୍‌ପ୍ରାପ୍ତ କୌଶଳୀ ଲୋକବଳ ନାହାନ୍ତି। ଯେଉଁ କେତୋଟି ବିଭାଗରେ ଦକ୍ଷ ଲୋକବଳ ଅଛନ୍ତି ସେଠାରେ ସେମାନଙ୍କୁ ସ୍ୱତନ୍ତ୍ରଭାବେ ଖୋଲାଖୋଲି କାର୍ଯ୍ୟ କରିବାକୁ ଅନୁମତି ନାହିଁ। ଆମ ପ୍ରଶାସନିକ ବ୍ୟବସ୍ଥାର ଚରିତ୍ର ହେଉଛି ଧୀରେ ସ୍ଥିରେ କଚ୍ଛପ ଗତିରେ କମ୍ କାମ କରିବା, ବେଳେବେଳେ ଆଦୌ କାମ ନ କରିବା କିମ୍ବା କେବଳ ବସ୍‌ଙ୍କୁ ସନ୍ତୁଷ୍ଟ କରିବା ପାଇଁ କାମ କରିବା। ଏପରି ସ୍ଥିତିରେ ଆମ ପ୍ରଶାସନିକ ବ୍ୟବସ୍ଥା ଲୋକଙ୍କର ଆଶା ଆକାଂକ୍ଷା ପୂରଣ କରିବାରେ ଅସମ୍ଭବ ହୋଇପଡ଼େ। ଏହାର ବିପରୀତ ଭାବେ ସାମାଜିକ ଗଣମାଧ୍ୟମ ତ୍ୱରିତ୍ ନିଷ୍ପତି, ଜଲଦି କ୍ରିୟାନ୍ୱୟନ ଏବଂ ନିର୍ଭୁଲ କାର୍ଯ୍ୟ ରୂପାୟନ ଉପରେ ବିଶ୍ୱାସ କରେ। ଏଣୁ ଏହି ପରସ୍ପର ବିପରୀତ ଧର୍ମୀ ବ୍ୟବସ୍ଥାରେ ଉଭୟ ଉଭୟଙ୍କୁ ସାଥୀରେ ନେଇ ଚାଲିବା କଷ୍ଟକର ହୋଇପଡ଼େ। ଯଦି ଆବଶ୍ୟକ ସଂଖ୍ୟକ କର୍ମଠ ଲୋକଙ୍କୁ ବ୍ୟବସ୍ଥାର ଦୃଢୀକରଣ ପାଇଁ ବିନିଯୋଗ କରାନଯିବ ତେବେ ବ୍ୟବସ୍ଥା ଦୁର୍ବଳ ଏବଂ ଅପାରଗ ପ୍ରଶାସକମାନଙ୍କୁ ବୋଝ କରି ବୋହି ଚାଲିଥିବ। ଏପରି ପ୍ରଶାସକ ଏବଂ ବ୍ୟବସ୍ଥା ଲୋକଙ୍କର ଆଶା ଆକାଂକ୍ଷାକୁ ପୂରଣ କରିବାକୁ ସବୁବେଳେ ଅକ୍ଷମ।

ଆମ ପ୍ରଶାସନିକ ବ୍ୟବସ୍ଥା ମୋଟ୍ ଉପରେ ବ୍ରିଟିଶ୍ ଶାସନ ସମୟର ଯେଉଁଠାରେ ଆଜି ବି ଲୋକଙ୍କୁ ସରକାରୀ ବିରୋଧୀ ବୋଲି ଚିତ୍ରଣ କରାଯାଏ। ବାହାରେ ଲୋକ ପ୍ରଶାସନର ଆତ୍ମା ବୋଲି କୁହାଯାଉଥିଲେ ବି ଭିତରେ ସରକାର ନିଜର ତଥ୍ୟକୁ ଲୋକଙ୍କଠାରୁ ଗୋପନୀୟ ରଖିବାକୁ ସବୁ ବ୍ୟବସ୍ଥା କରିଥାଆନ୍ତି। ଲୋକଙ୍କ ହାତରେ ତଥ୍ୟ ପଡ଼ିଲେ ସରକାର ବଦଳିଯିବାର ଭୟ ଅଛି ବୋଲି ସରକାର ବିଶ୍ୱାସ କରନ୍ତି। ଏପରି ସ୍ଥିତିରେ ସରକାର ଚାହାନ୍ତି ଯେ ସାମାଜିକ ଗଣମାଧ୍ୟମରେ ତଥ୍ୟକୁ ନେଇ ବେଶୀ ଆଲୋଚନା ନ ହେଉ।

ଏହି ପରିସ୍ଥିତିରେ ଆମ ପ୍ରଶାସନିକ ବ୍ୟବସ୍ଥା ଅନ୍ୟ ବିକାଶଶୀଳ ଦେଶଠାରୁ ଶିଖିବା ଦରକାର। ସାମାଜିକ ଗଣମାଧ୍ୟମରେ ଆସୁଥିବା ଅଭିଯୋଗର ତ୍ୱରିତ୍ ସମାଧାନ ଲୋକଙ୍କ ପାଖରେ ସରକାରୀ ଇମେଜ୍‌କୁ ଆହୁରି ସଫେଦ କରିଦିଏ, ଏ ବିଶ୍ୱାସ ସରକାର ରଖିବା ଦରକାର। ପ୍ରଶାସନିକ ବ୍ୟବସ୍ଥାରେ ସାମାଜିକ ଗଣମାଧ୍ୟମ କେବେ ବାଧକ ନୁହେଁ ବରଂ ଏହା ବ୍ୟବସ୍ଥାକୁ ଆହୁରି କର୍ମଠ, ସ୍ୱଚ୍ଛ, ପାରଦର୍ଶୀ ଏବଂ ଲୋକଭିମୁଖୀ କରିଦିଏ ତାହା ସରକାର ବୁଝିବା ଆବଶ୍ୟକ। ତେବେ ସାମାଜିକ ଗଣମାଧ୍ୟମର ଏ କ୍ଷମତା ବିଷୟରେ ଯେଉଁଦିନ ସରକାର ଦୃଢ଼ ନିଶ୍ଚିତ ହେବେ ସେଦିନ ପ୍ରଶାସନିକ ବ୍ୟବସ୍ଥା ଆହୁରି ପାରଂଗମ ହୋଇ ଉଠିବ ଏକଥା କହିବାରେ କୌଣସି ଦ୍ୱିଧା ନାହିଁ।

ଫୋ- ୭୯୭୮୬୭୧୭୭୬

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।