ଡ. ରୀନା ରାଉତରାୟ
ପ୍ରକୃତିକୁ ଆମେ ଭଲ ପାଇଲେ ସେ ଆମକୁ ଭଲପାଇବ। ମନୁଷ୍ୟର ଉତ୍ସୃଙ୍ଖଳ ଆଚରଣ ପାଇଁ ଆଜି ପ୍ରକୃତି ବି ଅସହାୟ। ଆମେ ଲୋଭଗ୍ରସ୍ତ ହୋଇ ନିଜର ଆବଶ୍ୟକତା ଠାରୁ ଅଧିକ ହାସଲ କରିବାର ମାନସିକତାରୁ ପ୍ରକୃତିକୁ ଶୋଷଣ ଏବଂ ଖିନଭିନ ଛାରଖାର କରିବାର ପ୍ରବୃତ୍ତି। ବିଶ୍ୱ ତାପମାନ ବୃଦ୍ଧି ଯୋଗୁ ପ୍ରାକୃତିକ ବିପର୍ଯ୍ୟୟ ସହିତ ଅନିୟନ୍ତ୍ରିତ ସ୍ୱାସ୍ଥ୍ୟ ସମସ୍ୟା ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି। ଆମେ ଶାରୀରିକ, ମାନସିକ ଏବଂ ଆର୍ଥିକ ସ୍ତରରେ ଧୀରେ ଧୀରେ ଦୁର୍ବଳ ହୋଇ ଚାଲିଛୁ। ପରିବେଶ କହିଲେ ଯେ କେବଳ ବୃକ୍ଷ, ଲତା, ଜଙ୍ଗଲ ବା ପ୍ରାକୃତିକ ପରିବେଶ ନୁହେଁ, ଆମର ପାରିବାରିକ, ସାମାଜିକ, ରାଜନୈତିକ ଏବଂ ଆଧ୍ୟାତ୍ମିକ ପରିବେଶକୁ ସନ୍ତୁଳିତ କରି ପ୍ରକୃତି ସହିତ ସମନ୍ୱୟ ରକ୍ଷା କରି ଏକ ସୁସ୍ଥ ସୁରକ୍ଷିତ ଜୀବନ ଜିଁଇବାର ସମୟ ଆସିଛି। ସେଥିପାଇଁ ଆମ ସମସ୍ତଙ୍କୁ ଯତ୍ନବାନ ହେବାକୁ ପଡ଼ିବ। ଭାରତୀୟ ସଂସ୍କୃତି ଓ ପରମ୍ପରା ପଛରେ ରହିଥିବା ବୈଜ୍ଞାନିକ ସମ୍ମତ କାରଣକୁ ଆମେ ସମସ୍ତେ ଅଳ୍ପ ବହୁତ ବୁଝି ସାରିଲେଣି। ସଂଯମ, ସତର୍କତା ଓ ସଚେତନ ରହି ଏକ ସୁସ୍ଥ ସକାରାତ୍ମକ ପ୍ରାକୃତିକ ଜୀବନଶୈଳୀକୁ ଆଦରେଇ ନେଇପାରିଲେ ଭବିଷ୍ୟତରେ ଏହି ସମସ୍ୟାର ମଧ୍ୟ ମୁକାବିଲା କରିପାରିବା।
ଭାରତୀୟ ସଂସ୍କୃତିରେ ପ୍ରକୃତି ପୂଜା ଅଛି - ତୁଳସୀ, ବଟବୃକ୍ଷ, ଗାଈ, ଗଙ୍ଗା ଓ ପୃଥିବୀ - ଏମାନେ କେବଳ ପୂଜାର ବସ୍ତୁ ନୁହେଁ, ଏହା ଜୀବନର ଦୃଷ୍ଟିକୋଣ। ପ୍ରକୃତି ସହିତ ସମନ୍ୱୟ ରଖି ଆମେ ମାନବତାକୁ ଉଦ୍ଧାର କରିପାରିବା।
ଆଜି ଆମ ପୃଥିବୀ ଅସୁସ୍ଥ।
ପ୍ରକୃତି ଆମକୁ ନିଃଶ୍ୱାସ ନେବାକୁ ପ୍ରାଣବାୟୁ ଦିଏ ପିଇବାକୁ ଜଳ, ପେଟକୁ ଖାଦ୍ୟ ଓ ଔଷଧ ଦିଏ ପ୍ରତି ବଦଳରେ ଆମେ ତାକୁ ଦେଉଛୁ, ବିଷ, ପ୍ଲାଷ୍ଟିକ, ଧୁଆଁ ଓ କଟା ଜଙ୍ଗଲ। ଏହି ଅସନ୍ତୁଳନ ଜନ୍ମାଉଛି ଭୟଙ୍କର ବିପଦ।
ବିଶ୍ୱର ୪୦% ଭୂମି ଡିଗ୍ରେଡେସନରେ ଆକ୍ରାନ୍ତ। ପ୍ରତିବର୍ଷ ୧୦୦ ଲକ୍ଷ ହେକ୍ଟର ଭୂମି ଚାଷ ଅନୁପଯୋଗୀ ହେଉଛି। ୨୦୫୦ ବେଳକୁ ବିଶ୍ଵର ୫0% ଲୋକ ଜଳ ଅଭାବ ଭୋଗିବେ। ମନୁଷ୍ୟର ଲୋଭ ଓ ବେପରୁଆ ଆଚରଣ ଯୋଗୁଁ ପ୍ରାଣୀ ଓ ଉଦ୍ଭିଦ ପ୍ରଜାତି ହ୍ରାସ ହେଉଛି।
ସମସ୍ତ ବିଜ୍ଞାନୀମାନେ ଏକ ଅନ୍ତିମ ସତ୍ୟ ଉପରେ ଏକମତ, ଯଦି ଆମେ ମାଟି, ପାଣି ଓ ବାୟୁକୁ ପୁନଃଜୀବନ ଦେବାକୁ ଉଦ୍ୟମ ନକରିବା, ତେବେ ମାନବ ଜାତିର ଅସ୍ତିତ୍ୱ ବିପଦରେ ପଡ଼ିବ।
ଏ ବର୍ଷ ବିଶ୍ୱ ପରିବେଶ ଦିବସର ଲକ୍ଷ୍ୟ ରହିଛି Ending plastic solution ବା ପ୍ଲାଷ୍ଟିକ ପ୍ରଦୂଷଣ ଅବସାନ। ପ୍ଲାଷ୍ଟିକ ପ୍ରଦୂଷଣ ହେଉଛି ପୃଥିବୀ ଉପରେ ସବୁଠୁ ଅଧିକ ବିପଦଜନକ ଏବଂ ଦୀର୍ଘମିଆଦୀ କୁପ୍ରଭାବ ସୃଷ୍ଟି କରୁଥିବା ସବୁଠୁ ଗମ୍ଭୀର ସମସ୍ୟାଗୁଡ଼ିକ ମଧ୍ୟରୁ ଗୋଟିଏ।
ପ୍ଲାଷ୍ଟିକ ପ୍ରଥମେ ଆବିଷ୍କାର ହେଉଥିବା ବେଳେ ଏହା ଜୀବନକୁ ସହଜ କରିଥିଲା। ଏହା ଶସ୍ତା, ହାଲକା, ସୁନ୍ଦର ଓ ସହଜ ଉପଲବ୍ଧ ହେତୁ ଖୁବ୍ ଶୀଘ୍ର ଆଦୃତ ହେଇଗଲା। କିନ୍ତୁ ଏହି ସୁବିଧା ସମୟ ସହିତ ବିପଦର ରୂପ ନେଲା। ଅନାବଶ୍ୟକ ବ୍ୟବହାର ଏବଂ ପୁନଃଚକ୍ରଣ ହେବା ଅସମ୍ଭବ ଥିବା ପ୍ଲାଷ୍ଟିକ ପ୍ରଦୂଷଣକୁ ଜନ୍ମ ଦେଲା।
ୟୁଏନଇପି-୨୦୨୫ (Source: UNEP, 2023) ତଥ୍ୟ ଅନୁଯାୟୀ ବିଶ୍ୱରେ ପ୍ରତି ବର୍ଷ ୪୨ କୋଟି ଟନ୍ ପ୍ଲାଷ୍ଟିକ ଉତ୍ପାଦିତ ହୁଏ, ଏହା ମଧ୍ୟରୁ ମାତ୍ର ୯% ରିସାଇକ୍ଲ ହୁଏ।
ପ୍ରତି ବର୍ଷ ୧.୨ କୋଟି ଟନ୍ (11 million tonnes) ପ୍ଲାଷ୍ଟିକ ସାମଗ୍ରୀ ସମୁଦ୍ରରେ ପଡ଼େ ଏବଂ ଏହା ଆଗାମୀ ୨୦୪୦ରେ ଦୁଇ ଗୁଣ ହେବା ସମ୍ଭାବନା ଅଛି (Source: Pew Research Center, 2021)। ଡବ୍ଲୁଡବ୍ଲୁଏଫ୍ ୨୦୨୨ ତଥ୍ୟ ଅନୁଯାୟୀ ଜଣେ ବ୍ୟକ୍ତି ପ୍ରତି ସପ୍ତାହରେ ପାଖାପାଖି ୫ ଗ୍ରାମ (ପ୍ରାୟ ଏକ କ୍ରେଡିଟ୍ କାର୍ଡ ସମାନ) ମାଇକ୍ରୋ ପ୍ଲାଷ୍ଟିକ ଖାଉଛନ୍ତି (Source: WWF, 2022)।
ଭାରତ ପ୍ରତି ବର୍ଷ ପ୍ରାୟ ୬୦ ଲକ୍ଷ ଟନ୍ (6 million tonnes) ପ୍ଲାଷ୍ଟିକ ଆବଶ୍ୟକତା ପୂରଣ କରୁଛି (Source: CPCB, 2022)। ଏଥିରୁ ପ୍ରାୟ ୪୩% ଏକକ ବ୍ୟବହୃତ ପ୍ଲାଷ୍ଟିକ (single-use plastic)। ୨୦୨୧ UNEP ରିପୋର୍ଟ ଅନୁସାରେ ଭାରତରେ ପ୍ଲାଷ୍ଟିକ ରିସାଇକ୍ଲିଂ ବା ପୁନଃଚକ୍ରଣ ହାର ଅନ୍ୟାନ୍ୟ ଦେଶ ଠାରୁ ଆଗୁଆ, ୬୦%। କିନ୍ତୁ ଏଥି ମଧ୍ୟରୁ ଅନେକାଂଶ ମାନ୍ୟତା ମିଳି ନ ଥିବା ପୁନଃଚକ୍ରଣ କାରଖାନା ମାନେ କରୁଛନ୍ତି।
୨୦୨୨ରୁ ଭାରତରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ନିଷେଧ ଘୋଷଣା ହେଲା। ବୋତଲ, ଠିପି, ପ୍ଲାଷ୍ଟିକ ବାସନ, କପ୍ ଇତ୍ୟାଦି ଉପରେ ନିଷେଧ ଆଦେଶ ଜାରିହେଲା। କିନ୍ତୁ ଅନୁଷ୍ଠାନିକ ଭାବରେ ଏହାକୁ କାର୍ଯ୍ୟକାରୀ କରାଯାଇ ପାରି ନାହିଁ। ସହର, ବଜାର, ଗାଁ, ହାଟ, ମେଳା ଓ ଅନ୍ୟାନ୍ୟ ସ୍ଥାନରେ ଏବେ ମଧ୍ୟ ଏହାର ବିକ୍ରି ଓ ବ୍ୟବହାର ହେଉଛି।
ଓଡ଼ିଶା ସରକାର ମଧ୍ୟ ୨୦୧୮ ଭୁବନେଶ୍ୱର, ପୁରୀ, କଟକ ଓ ବଡ଼ ସହରରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବା Single-use Plastic ବ୍ୟବହାର ଉପରେ ନିଷେଧ ଲାଗୁ କରିଥିଲେ।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ୨୦୨୩ ଅନୁଯାୟୀ ଓଡ଼ିଶା ପ୍ରତିଦିନ ପ୍ରାୟ ୧୨୦ରୁ ୧୫୦ ଟନ୍ ପ୍ଲାଷ୍ଟିକ ବର୍ଜ୍ୟ ବସ୍ତୁ ନିଷ୍କାସନ କରେ। କିନ୍ତୁ କେମିତି କମିପାରିବ ପ୍ଲାଷ୍ଟିକ ବ୍ୟବହାର?
ବିକଳ୍ପ ବସ୍ତୁ ପ୍ରସ୍ତୁତ ଓ ଏହାର ବ୍ୟବହାର ହିଁ ଏହାର ଏକମାତ୍ର ସମାଧାନ ଅଟେ। କାଠ ଜୁଟ କାଗଜରୁ ତିଆରି ବ୍ୟାଗ୍, କାଚ ଓ ଧାତୁରେ ତିଆରି ବୋତଲ ଇକୋ-ଫ୍ରେଣ୍ଡଲି ଉଦ୍ଭିଦରୁ ପ୍ରସ୍ତୁତ ସରଞ୍ଜାମ ପ୍ରସ୍ତୁତ କରିବା ପାଇଁ ପ୍ରଶିକ୍ଷଣ ଦେବା ସହିତ ଏହାକୁ ପ୍ରସ୍ତୁତ କରିବା ପାଇଁ ଇଛୁକ ବ୍ୟକ୍ତିମାନଙ୍କୁ ସରକାରୀ ପ୍ରୋତ୍ସାହନ ଦିଆଗଲେ ଏଥିପାଇଁ ଆଗ୍ରହ ସୃଷ୍ଟି ହୋଇ ପାରିବ।
ଶିକ୍ଷା ଓ ସଚେତନତା ମୂଳକ କାର୍ଯ୍ୟକ୍ରମ ଜରିଆରେ ସ୍କୁଲ କଲେଜ ସ୍ତରରୁ ଛାତ୍ରଛାତ୍ରୀମାନଙ୍କୁ ଇକୋ-ଫ୍ରେଣ୍ଡଲି ଜିନିଷ ବ୍ଯବହାର କରିବା ନିମନ୍ତେ ଶିକ୍ଷା ଦେବା। ସ୍କୁଲ, କଲେଜ ଓ ପଞ୍ଚାୟତରେ ସଚେତନତା ଅଭିଯାନ। ପୁନଃଚକ୍ରଣ ଓ ପୁନଃବ୍ୟବହାର ପାଇଁ ଆଗ୍ରହ ସୃଷ୍ଟି କରିବା ସହିତ ଏଥିପାଇଁ ଭିତ୍ତି ଭୂମି ପ୍ରସ୍ତୁତ କରିବା।
ପ୍ରଶାସନ ଓ ନାଗରିକଙ୍କ ମିଳିତ ସହଯୋଗରେ ଯୋଜନା ପ୍ରସ୍ତୁତ କରି ଆମେ ସମସ୍ତେ ମିଶି ପ୍ଲାଷ୍ଟିକ ମୁକ୍ତ ଅଞ୍ଚଳ ଘୋଷଣା କରିପାରିବା।
ପ୍ଲାଷ୍ଟିକ ପ୍ରଦୂଷଣ ଅବସାନ କରିବା କେବଳ ସରକାର ବା ବୃହତ ସଂସ୍ଥାମାନଙ୍କ ଦାୟିତ୍ୱ ନୁହେଁ। ଏହା ମୋ, ଆପଣ, ଆମ ସମସ୍ତଙ୍କ ଦାୟିତ୍ୱ। ଆମ ଦୈନନ୍ଦିନ ଜୀବନର ଛୋଟ ଛୋଟ ଚେଷ୍ଟା, ଯେପରିକି ପ୍ଲାଷ୍ଟିକ ବ୍ୟାଗ ବ୍ୟବହାର ନ କରି ବଜାର ଯିବା ସମୟରେ ନିଜର କପଡ଼ା ତିଆରି ବ୍ୟାଗ୍ ସାଙ୍ଗରେ ନେବା, ଘରୁ ବାହାରିଲା ବେଳେ ନିଜର ପାଣି ବୋତଲ ସାଙ୍ଗରେ ନେବା, ପୁନଃବ୍ୟବହାର କରିବା ପାଇଁ ଉପଯୁକ୍ତ ବସ୍ତୁ ଓ ବସ୍ତ୍ର ଚୟନ କରିବା, ଏହିସବୁ ଅଭ୍ୟାସ ଏକ ନୂଆ ପ୍ରଥା ଗଢ଼ିପାରିବ।
ଆଜି ନୁହେଁ, ଏହି ମୁହୂର୍ତ୍ତରୁ ଆରମ୍ଭ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।