ଆତଙ୍କବାଦର ବିପଜ୍ଜନକ ଚେହେରା ‘ପେଜର ବୋମା’

ପେଜର ଓ ୱାକିଟକିରେ ଉପରୋକ୍ତ ବୋମା ବିସ୍ଫୋରଣର ଘଟଣାଗୁଡ଼ିକ ଲୋବାନନରେ ଘଟିଛି କିନ୍ତୁ ଏହା ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଦେଇଛି। ସଂଖ୍ୟାଦୃଷ୍ଟିରୁ ଦେଖିଲେ ଏହି ଘଟଣାରେ ଏଯାଏଁ ଯେତେଜଣ ମୃତାହତ ହୋଇଛନ୍ତି ତାହା ଅତିତରେ ସଂଗଠିତ ଅନେକ ଆତଙ୍କବାଦୀ ଘଟଣା ତୁଳନାରେ କମ୍ ହୋଇପାରେ କିନ୍ତୁ ଏହି ଆତଙ୍କର ସଦ୍ୟତମ ଘଟଣା ନିଶ୍ଚିତ ଭାବେ ପୂର୍ବ ଘଟଣାମାନଙ୍କରୁ ଅଧିକ ବିପଜ୍ଜନକ ମନେହେଉଛି।

Pager Blast

  • Published: Tuesday, 08 October 2024
  • , Updated: 08 October 2024, 03:23 PM IST

ଭାଲଚନ୍ଦ୍ର ଷଡ଼ଙ୍ଗୀ

ବିଶ୍ୱର ପ୍ରମୁଖ ଆତଙ୍କବାଦୀ ଘଟଣାର ତାଲିକାରେ ନିକଟ ଅତିତରେ ଆଉ ଏକ ଘଟଣା ଯୋଡ଼ି ହୋଇଯାଇଛି। ଗତ ସେପ୍ଟେମ୍ବର ୧୭ ଓ ୧୮ ଦୁଇ ଦିନ ଧରି ଲେବାନନର ରାଜଧାନୀ ବେରୁଟ୍ ସମେତ ଦେଶର ବିଭିନ୍ନ ସ୍ଥାନରେ ଏପରିକି ପଡ଼ୋଶୀ ସିରିଆରେ ମଧ୍ୟ ପେଜର୍ ଓ ୱାକିଟକିମାନଙ୍କରେ ଜବରଦସ୍ତ ବିସ୍ଫୋରଣ ଦେଖିବାକୁ ମିଳିଛି। ନିଜର ପେଜରରେ ଆସିଥିବା ଅଜଣା ମେସେଜକୁ ଦେଖିବାକୁ ଯାଇ ସେସବୁକୁ ବ୍ୟବହାର କରୁଥିବା ଉଭୟ ଦେଶର ହଜାର ହଜାର ଲୋକ ବିସ୍ଫୋରଣର ଶିକାର ହୋଇଛନ୍ତି। ପେଜର୍ ଓ ୱାକିଟକି ବ୍ୟତିତ କିଛି ସ୍ଥାନରେ ଲାପଟପ୍ ଓ ସୋଲାର ପ୍ୟାନେଲରେ ମଧ୍ୟ ବିସ୍ଫୋରଣ ସଂଗଠିତ ହୋଇଥିବା ଜଣାପଡ଼ିଛି। ଲେବାନନ୍ ସରକାରଙ୍କ ଘୋଷଣା ଅନୁଯାୟୀ ଉଭୟ ପେଜର୍ ଓ ୱାକିଟକିରେ ବିସ୍ଫୋରଣ ଫଳରେ ଦେଶରେ ୫୦ରୁ ଉର୍ଦ୍ଧ୍ୱ ନାଗରିକ ପ୍ରାଣ ହରାଇଥିବା ବେଳେ ତିନି ହଜାରରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ଉପଲବ୍ଧ ଖବର ଅନୁଯାୟୀ ଏହି ପେଜର ଓ ୱାକିଟକି ବୋମାର ଶିକାର ଲୋକମାନଙ୍କ ମଧ୍ୟରୁ କେହି ବଜାରରେ ଠିଆ ହୋଇ କଫି ପିଉଥିଲେ ତ କେହି ସପିଂ ମଲ୍ ଭିତରେ କାର୍ଟରେ ସପିଂ କରୁଥିଲେ। କେହି କେହି ହସ୍ପିଟାଲରେ ଡ୍ୟୁଟି କରୁଥିଲେ ତ ଆଉ କିଏ ବସରେ ଯାତ୍ରା କରୁଥିଲେ ଏବଂ ସେତିକି ବେଳେ ହଠାତ୍ ସେମାନଙ୍କ ପକେଟରେ ଥିବା ପେଜରରେ ପ୍ରଥମେ ଏକ ଅଜଣା ମେସେଜ୍ ଆସିଛି ଏବଂ ତାକୁ ଯେତେବେଳେ ଦେଖିବାକୁ ଉଦ୍ୟମ କରନ୍ତେ ବଡ଼ ଜୋରରେ ସେସବୁରେ ବିସ୍ଫୋରଣ ଘଟିଛି।

ବିଶ୍ୱ ଇତିହାସରେ ପ୍ରଥମ ଥର ପାଇଁ ଏଭଳି ପେଜର୍ ଓ ୱାକିଟକି ଜରିଆରେ ବିସ୍ଫୋରଣ ଆତଙ୍କବାଦର ଏକ ଭୟାନକ ଚେହେରାକୁ ସାମନାକୁ ଆଣିଛି। ଗୋଟିଏ ପରେ ଗୋଟିଏ ଏପରି ହଜାର ହଜାର ଲୋକଙ୍କ ପକେଟରେ ଅଥବା ହାତରେ ଥିବା ପେଜରରେ ବା ୱାକିଟକିରେ ଏକାଥରକେ ବିସ୍ଫୋରଣ ହେବା ଏବଂ ସେଥିରେ ହଜାର ହଜାର ସଂଖ୍ୟାରେ ସାଧାରଣ ଲୋକ ମୃତାହତ ହେବା, ସହସ୍ରାଧିକ ଲୋକଙ୍କ ଶରୀର ବିଶେଷ କରି ହାତ ଓ ଆଖି ବିସ୍ଫୋରଣରେ ସବୁବେଳେ ପାଇଁ ନଷ୍ଟ ହୋଇଯିବା କୌଣସିମତେ ଏକ ଛୋଟିଆ ଆତଙ୍କବାଦୀ ଘଟଣା ନଥିଲା। ବିସ୍ଫୋରଣର ତୁରନ୍ତ ପରେ ଲେବାନନ ସରକାର ପେଜର ଓ ୱାକିଟକି ବ୍ୟବହାର ନକରିବାକୁ ନିଜର ନାଗରିକମାନଙ୍କୁ ନିର୍ଦ୍ଦେଶ ଜାରୀ କରିଥିବା ବେଳେ ସେଠାକାର ବ୍ୟବସାୟୀମାନେ ବିସ୍ଫୋରଣ ଭୟରେ ନିଜ ନିଜ ଦୋକାନରୁ ପେଜର, ୱାକିଟକି ସମେତ ମୋବାଇଲ ଫୋନ, ସୋଲାର ପ୍ୟାନେଲ୍ ଏପରିକି ଟିଭି ଆଦିକୁ ବି ବାହାର କରିଦେଇଥିବା ଦେଖାଯାଇଛି।

ଯଦିଓ ପେଜର ଓ ୱାକିଟକିରେ ଉପରୋକ୍ତ ବୋମା ବିସ୍ଫୋରଣର ଘଟଣାଗୁଡ଼ିକ ଲୋବାନନରେ ଘଟିଛି କିନ୍ତୁ ଏହା ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଦେଇଛି। ସଂଖ୍ୟାଦୃଷ୍ଟିରୁ ଦେଖିଲେ ଏହି ଘଟଣାରେ ଏଯାଏଁ ଯେତେଜଣ ମୃତାହତ ହୋଇଛନ୍ତି ତାହା ଅତିତରେ ସଂଗଠିତ ଅନେକ ଆତଙ୍କବାଦୀ ଘଟଣା ତୁଳନାରେ କମ୍ ହୋଇପାରେ କିନ୍ତୁ ଏହି ଆତଙ୍କର ସଦ୍ୟତମ ଘଟଣା ନିଶ୍ଚିତ ଭାବେ ପୂର୍ବ ଘଟଣାମାନଙ୍କରୁ ଅଧିକ ବିପଜ୍ଜନକ ମନେହେଉଛି। କାରଣ ଯୋଗାଯୋଗ ପାଇଁ ନଜରଦାରୀ ଓ ସୁରକ୍ଷା ଦୃଷ୍ଟିରୁ ଏଯାଏଁ ଅପେକ୍ଷାକୃତ ଅଧିକ ସକ୍ଷମ ଓ ସୁରକ୍ଷିତ ବୋଲି ବିଚାର କରାଯାଉଥିବା ପେଜର୍ ଜରିଆରେ ଯଦି ଏଭଳି ସାମୂହିକ ବିସ୍ଫୋରଣକୁ ସଂଗଠିତ କରାଯାଇ ପାରୁଛି, ସେ କ୍ଷେତ୍ରରେ ଯଦି କୌଣସି ଦେଶ ବା ସଂଗଠନ ଚାହିଁବ, ତାହେଲେ ଗୋଟିଏ ଥରରେ ଲକ୍ଷ ଲକ୍ଷ ଲୋକଙ୍କୁ ନିଜର ଆକ୍ରମଣର ଶିକାର କରିପାରିବ। ଆଜିର ଦିନରେ ପ୍ରାୟତଃ ସମସ୍ତଙ୍କ ହାତରେ ମୋବାଇଲ ଫୋନ୍ ରହିଛି ଏବଂ ଲେବାନନର ପେଜର ବୋମା ବିସ୍ଫୋରଣ ଘଟଣା ପ୍ରମାଣିତ କରୁଛି ଯେ ଯଦି ପେଜର କିମ୍ବା ୱାକିଟକି ପରି ମୋବାଇଲକୁ ମଧ୍ୟ ବିସ୍ଫୋରଣର ମାଧ୍ୟମ କରି ଦିଆଯିବ ତାହେଲେ ତାହା ଯେକୌଣସି ଗଣ ବିଧ୍ୱଂସକାରୀ ଅସ୍ତ୍ରଶସ୍ତ୍ର ଠାରୁ ବି ଅନେକ ଗୁଣ ବିଧ୍ୱଂସକାରୀ ପ୍ରମାଣିତ ହେବ। କୌଣସି ଦେଶର ସୁରକ୍ଷା ଓ ଅର୍ଥନୀତିକୁ ବହୁତ କମ୍ ସମୟ ମଧ୍ୟରେ ତଥା ବ୍ୟାପକ ଭାବେ ଆଘାତ କରି ସାଧାରଣ ଜନତାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବାକୁ ଏହି କୌଶଳଟି ଏକଦମ୍ ସକ୍ଷମ ଥିବା ମନେହୁଏ। ପାରମ୍ପରିକ ଯୁଦ୍ଧ କୌଶଳର ବାହାରେ ଆତଙ୍କର ଏହି ନୂଆ ଚେହେରା ବିଶ୍ୱବାସୀଙ୍କୁ ଏକଦମ୍ ସ୍ତବ୍ଧ କରିଦେଇଛି କହିଲେ ଚଳେ।

ଲେବାନନ୍ ଓ ସିରିଆରେ ପେଜର ଓ ୱାକିଟକି ଜରିଆରେ ଘଟିଥିବା ଏଭଳି ବିସ୍ଫୋରଣ ଘଟଣା ପାଇଁ ଏଯାଏଁ ଯଦିଓ କେହି ଆନୁଷ୍ଠାନିକ ଭାବେ ନିଜକୁ ଦାୟୀ କରିନାହାନ୍ତି, କିନ୍ତୁ ଏହା ଯେ ଇସ୍ରାଏଲୀ ଗୁଇନ୍ଦା ସଂସ୍ଥା, ମୋସାଦର ହିଁ କାରନାମା, ଏଥିରେ କାହାର ତିଳେମାତ୍ର ସନ୍ଦେହ ନାହିଁ। କାରଣ ଇସ୍ରାଏଲର ଗୋଇନ୍ଦା ବାହିନୀ ଲେବାନନ୍ ଓ ଅନ୍ୟ ଦେଶମାନଙ୍କରେ ରହିଥିବା ନିଜର ଶତୃ ରୂପେ ପରିଚିତ ବ୍ୟକ୍ତିମାନଙ୍କୁ ଏଭଳି ଗୁପ୍ତ ଭାବେ ହତ୍ୟା କରିବାର ଏକ ଲମ୍ବା ଇତିହାସ ରହିଛି। ଅତ୍ୟାଧୁନିକ ଜ୍ଞାନକୌଶଳର ସାହାଯ୍ୟରେ ନିଜର ଗୁପ୍ତଚରଙ୍କ ଗୁପ୍ତ ସୂଚନାକୁ ଆଧାର କରି ଅତିତରେ ସେମାନେ ନିଜର ବିରୋଧି ରୂପେ ପରିଚିତ ବିଶ୍ୱର ଅନେକ ଦେଶର ରାଜନୀତିଜ୍ଞ, ସାମରିକ ଅଧିକାରୀ ଏବଂ ବିଦ୍ରୋହୀ ନେତାଙ୍କୁ ଅତ୍ୟନ୍ତ ସୁନିୟୋଜିତ ଭାବେ ହତ୍ୟା କରିବା ଦେଖାଯାଇଛି। ପେଜର ବିସ୍ଫୋରଣ ପରି ପୂର୍ବର କୌଣସି ବି ହତ୍ୟା କିମ୍ବା ବିସ୍ଫୋରଣ ଘଟଣା ପାଇଁ ଇସ୍ରାଏଲ ସରକାର କିମ୍ବା ତାଙ୍କର ଗୁଇନ୍ଦା ବାହିନୀ ନିଜକୁ ଦାୟୀ କରିନାହାନ୍ତି। କିଛି ସପ୍ତାହ ତଳେ ଇରାନ୍ର ତତ୍କାଳୀନ ରାଷ୍ଟ୍ରପତି ଇବ୍ରାହିମ୍ ରଇସୀ ଓ ତାଙ୍କ ପ୍ରତିରକ୍ଷା ମନ୍ତ୍ରୀ ତାଜିକିସ୍ଥାନରୁ ହେଲିକପ୍ଟର ଯୋଗେ ଦେଶକୁ ଫେରୁଥିବା ବେଳେ ଏଭଳି ଏକ ବିସ୍ଫୋରଣରେ ତାଙ୍କ ହେଲିକପ୍ଟର ଧ୍ୱଂସ ହୋଇ ରଇସୀଙ୍କ ସମେତ ସମସ୍ତ ଯାତ୍ରୀ ମୃତ୍ୟୁବରଣ କରିଥିଲେ। ଏବେ ଲେବାନନର ଘଟଣା ପରେ ସେ ଧରିଥିବା ପେଜରରେ ବିସ୍ଫୋରଣ ଜରିଆରେ ହିଁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ରଇସୀଙ୍କ ମୃତ୍ୟୁର କିଛି ଦିନ ପରେ ଖୋଦ୍ ଇରାନର ରାଜଧାନୀ ତେହେରାନରେ ହିଁ ଇରାନ ସରକାରଙ୍କ ନିମନ୍ତ୍ରିତ ହୋଇ ଆସିଥିବା ହାମାସର ମୁଖ୍ୟ ହାନିଆଙ୍କୁ ବୋମା ବିସ୍ଫୋରଣ କରି ହତ୍ୟା କରାଯାଇଛି। ଉପରୋକ୍ତ ସମସ୍ତ ହତ୍ୟା ଘଟଣାରେ ଇସ୍ରାଏଲ ସରକାର ଓ ତାଙ୍କ ଗୁଇନ୍ଦା ସଂସ୍ଥା ମୋସାଦର ଭୂମିକା ନେଇ କାହାରି ସନ୍ଦେହ ନାହିଁ। ଅବଶ୍ୟ ମୋସାଦକୁ ଠିଆ କରାଇବାରେ ଓ ତାକୁ ଗୁପ୍ତ ସୂଚନା ଦେଇ ଅପରେସନଗୁଡ଼ିକୁ ସଫଳ କରାଇବାରେ ଆମେରିକା ଓ ତା’ର ଗୁପ୍ତଚର ସଂସ୍ଥା ସିଆଇଏର ପ୍ରଛନ୍ନ ଭୂମିକା ରହିଥିବା କଥାକୁ ସ୍ୱୀକାର କରିବାକୁ ହେବ।

୧୯୯୬ ମସିହା ଜାନୁଆରୀ ୫ ତାରିଖରେ ମୋସାଦ ପକ୍ଷରୁ ପାଲେଷ୍ଟାନୀୟ ସଂଗଠନ, ହାମାସର ଜଣେ ପ୍ରମୁଖ ନେତା ୟାହିୟା ଆୟେଶଙ୍କ ମୋଟୋରୋଲା ମୋବାଇଲ ଫୋନ ଭିତରେ ଗୁପ୍ତରେ ବିସ୍ଫୋରକ ରଖି ତା’କୁ ରିମୋଟ୍ ଜରିଆରେ ବିସ୍ଫୋରଣ କରି ତାଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପରଠାରୁ ହିଁ ଇସ୍ରାଏଲ ବିରୁଦ୍ଧରେ ସଶସ୍ତ୍ର ଯୁଦ୍ଧ ଚଳାଇ ଆସିଥିବା ହାମାସ୍, ହିଜବୁଲ୍ଲା ପରି ପ୍ରତିରୋଧି ସଙ୍ଗଠନର ନେତା ଓ ଯୋଦ୍ଧାମାନେ ନିଜକୁ ସୁରକ୍ଷିତ ରଖିବାକୁ ମୋବାଇଲ୍ ଫୋନ୍ ବଦଳରେ ପେଜର୍ ଓ ୱାକିଟକିର ବ୍ୟବହାର କରିଆସୁଛନ୍ତି। କାରଣ ମୋବାଇଲ ଫୋନ୍ ଜରିଆରେ ବ୍ୟବହାରକାରୀର ଭୌଗୋଳିକ ଅବସ୍ଥାନ ବା ଲୋକେସନ ଜଣାପଡ଼ି ଯାଉଥିବା ବେଳେ ପେଜର୍ ବା ୱାକିଟକିରେ ତାହା ଜଣାପଡ଼ିବାର ସମ୍ଭାବନା ନଥାଏ। ସେହି କାରଣରୁ ଇସ୍ରାଏଲ ସେନା ଓ ମୋସାଦ୍ ପକ୍ଷରୁ ହିଜବୁଲ୍ଲାର ଗୁପ୍ତ ନେଟୱାର୍କକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଗତ ୧୭ ଓ ୧୮ ଅକ୍ଟୋବରର ପେଜର୍ ତଥା ୱାକିଟକି ବିସ୍ଫୋରଣକୁ ରୂପ ଦିଆଯାଇଥିଲା। ଉଦ୍ଦେଶ୍ୟ ହେଲା ପେଜର ଓ ୱାକିଟକି ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହିଜବୁଲ୍ଲାର ଆଭ୍ୟନ୍ତରୀଣ ଯୋଗାଯୋଗର ଢାଞ୍ଚା ବା ନେଟୱାର୍କକୁ ଧ୍ୱଂସ କରିବା ଏବଂ ସେମାନଙ୍କୁ ମନୋବୈଜ୍ଞାନିକ ଭାବେ ଆତଙ୍କିତ କରିବା।

ଏହା ସତ ଯେ ଉପରୋକ୍ତ ବିସ୍ଫୋରଣରେ ହିଜବୁଲ୍ଲାର ଅନେକ ବିଦ୍ରୋହୀ ବି ମୃତାହତ ହୋଇଛନ୍ତି। କିନ୍ତୁ ସେମାନଙ୍କ ଠାରୁ ବହୁ ଅଧିକ ସାଧାରଣ ଲୋକ ମଧ୍ୟ ଏହି ବିସ୍ଫୋରଣରେ ମୃତାହତ ହୋଇଛନ୍ତି। ବିଶେଷ କରି ଲେବାନନର ହସ୍ପିଟାଲମାନଙ୍କରେ ସ୍ୱାସ୍ଥ୍ୟସେବାରେ ନିୟୋଜିତ ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀମାନେ ନିଜର ଦୈନନ୍ଦିନ ସ୍ୱାସ୍ଥ୍ୟସେବାରେ ପେଜରର ବହୁଳ ବ୍ୟବହାର କରୁଥିବାରୁ ଏହି ବିସ୍ଫୋରଣ ଫଳରେ ସେମାନେ ସବୁଠାରୁ ବେଶୀ ମୃତାହତ ହୋଇଥିବା ଜଣାପଡ଼ିଛି। ସେଠାକାର ହସ୍ପିଟାଲମାନଙ୍କରେ କାର୍ଯ୍ୟରତ ଅନେକ ଡାକ୍ତର ଓ ନର୍ସଙ୍କର ହାତ ଓ ଆଖି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି। ତେବେ ପେଜର୍ ବା ୱାକିଟକି ବିସ୍ଫୋରଣରେ ସେଠାକାର ଜନତାଙ୍କ ସିଧାସଳଖ ଯେତିକି କ୍ଷତି ହୋଇନାହିଁ, ସ୍ୱାସ୍ଥ୍ୟସେବା ପ୍ରଭାବିତ ହେବା କାରଣରୁ ତା’ଠାରୁ ବହୁ ଅଧିକ ଗୁଣ ପରୋକ୍ଷ କ୍ଷତି ହୋଇଛି, ଯାହାକି ଅତ୍ୟନ୍ତ ଚିନ୍ତାଜନକ ଅଟେ। କାରଣ ଲେବାନନର ସ୍ୱାସ୍ଥ୍ୟସେବା, ପୂର୍ବରୁ ହିଁ ଚାପଗ୍ରସ୍ତ ହୋଇରହି ଆସିଛି। ନିକଟ ଅତିତରେ ଘଟିଥିବା ସେଠାକାର ଭୟାବହ ବନ୍ୟା ପରିସ୍ଥିତି ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଏକଦମ୍ ଧ୍ୱଂସ କରିଦେଇଛି। ଏଭଳି ପରିସ୍ଥିତିରେ ସ୍ୱାସ୍ଥ୍ୟସେବାରେ ସିଧାସଳଖ ଭାବେ ନିୟୋଜିତ ଏତେସଂଖ୍ୟାରେ ଡାକ୍ତର, ନର୍ସ ବିସ୍ଫୋରଣର ଶିକାର ହୋଇ ମୃତାହତ ହେବା, ସେଠାକାର ସ୍ୱାସ୍ଥ୍ୟସେବା ଉପରେ ଭୟଙ୍କର ପ୍ରଭାବ ପକାଇଛି। ବିସ୍ଫୋରଣର ଏହି ପରୋକ୍ଷ ଚାପ କେବଳ ଆହତମାନଙ୍କ ଚିକିତ୍ସା କରିବାରେ ଦେଶର କ୍ଷମତାକୁ ବାଧିତ କରିନାହିଁ, ବରଂ ସାଧାରଣ ନାଗରିକଙ୍କ ପାଇଁ ମାନବିକ ସଙ୍କଟ ମଧ୍ୟ ସୃଷ୍ଟି କରିଛି।

ତେବେ ଯିଏ ବି କରୁ ଥାଉନା କାହିଁକି, ସମାଜର ସାଧାରଣ ଜନତାଙ୍କ ଧନ ଜୀବନକୁ ଅକାରଣରେ ନଷ୍ଟ କରି ସମାଜରେ ଆତଙ୍କ ସୃଷ୍ଟି କରୁଥିବା ଏହି ପେଜର୍ ଓ ୱାକିଟକି ବିସ୍ଫୋରଣର ଘଟଣା ସବୁ ଯେ ନିଛକ ଆତଙ୍କବାଦୀ କାର୍ଯ୍ୟ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ, ବିଶ୍ୱର ଅନ୍ୟାନ୍ୟ ବଡ଼ ଆତଙ୍କବାଦୀ ଘଟଣା ପରି ଲେବାନନର ଏହି ଆତଙ୍କବାଦୀ ଘଟଣାକୁ ବିଶ୍ୱର ପ୍ରମୁଖ ଦେଶମାନେ ବିଶେଷ କରି ଆମେରିକା ଓ ଅନ୍ୟ ପାଶ୍ଚାତ୍ୟ ଦେଶମାନେ ଖୋଲାଖୋଲି ଭାବେ ନିନ୍ଦା କରିନାହାନ୍ତି। ବୋଧହୁଏ ଏଯାଏଁ ନିଜର ବକ୍ତବ୍ୟରେ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତାର କଥା କହିଆସୁଥିବା ବିଶ୍ୱର ଶକ୍ତିଶାଳୀ ଦେଶମାନେ ଏନେଇ କୌଣସି ପ୍ରତିକ୍ରିୟା ପ୍ରକାଶ ନକରି ଚୁପ୍ ରହି ପରୋକ୍ଷରେ ଇସ୍ରାଏଲର ପକ୍ଷରେ ଠିଆହେବାକୁ ଉଚିତ ମଣିଛନ୍ତି।

ବିଶ୍ୱରେ ମୋବାଇଲ୍ ଫୋନର ପ୍ରଚଳନ ପୂର୍ବରୁ ପେଜର ବହୁଳ ଭାବରେ ପ୍ରଚଳିତ ଥିଲା। ପେଜର୍ ମାଧ୍ୟମରେ ଲିଖିତ କିମ୍ବା ମୌଖିକ ବାର୍ତ୍ତା ପଠାଯାଇଥାଏ। ଏଥିପାଇଁ ନେଟୱାର୍କର ଆବଶ୍ୟକତା ନଥିବାରୁ ଯେକୌଣସି ପରିସ୍ଥିତିରେ ବିଶେଷ କରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତଥା ଯୁଦ୍ଧ ସମୟରେ ଏହା ଅଧିକ ଜରୁରୀ ହୋଇଯାଇଥାଏ। ଏହାକୁ ଦୁନିଆର ସବୁଠାରୁ ସୁରକ୍ଷିତ ଯୋଗାଯୋଗର ମାଧ୍ୟମ ଭାବରେ ବ୍ୟବହାର କରାଯାଇଥାଏ। ପେଜର୍ ହେଉଛି ଏକ ଇଲୋକ୍ଟ୍ରୋନିକ୍ ଉପକରଣ ଯାହା କୌଣସି ସଫ୍ଟୱେର୍ ସହିତ ଆଦୌ ସଂଯୁକ୍ତ ନୁହେଁ। ସେହି କାରଣରୁ ଏହାକୁ ବାହାରୁ କେହି ପରିଚାଳିତ ବା ହ୍ୟାକ୍ କରିବା ସମ୍ଭବ ନୁହେିଁ ବୋଲି କୁହାଯାଇଥାଏ। ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ୍ତ ତଥା ଅପେକ୍ଷାକୃତ ସହଜ ବ୍ୟବହାର ଲାଗି ସେଲଫୋନର ବ୍ୟାପକ ପ୍ରଚଳନ ଯୋଗୁଁ ପେଜରର ବ୍ୟବହାର ଅନେକ ମାତ୍ରାରେ କମି ଯାଇଥିଲେ ମଧ୍ୟ କିଛି କ୍ଷେତ୍ରରେ ଏହାର ବହୁଳ ବ୍ୟବହାର ଆଜି ବି ଦେଖିବାକୁ ମିଳେ। ବିଶ୍ୱର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଜି ବି ପେଜର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛି। ଇଂଲଣ୍ଡର ଜାତୀୟ ସ୍ୱାସ୍ଥ୍ୟସେବା ସମେତ ବିଶ୍ୱର ଅନେକ ଦେଶରେ ଡାକ୍ତର ଓ ନର୍ସମାନେ ପେଜରକୁ ହିଁ ନିଜ ନିଜ ମଧ୍ୟରେ ଯୋଗାଯୋଗର ପ୍ରମୁଖ ମାଧ୍ୟମ ଭାବେ ବ୍ୟବହାର କରି ଆସୁଛନ୍ତି। ୨୦୧୯ର ତଥ୍ୟ ଅନୁଯାୟୀ କେବଳ ଇଂଲଣ୍ଡର ସ୍ୱାସ୍ଥ୍ୟସେବାରେ ୧.୩୦ ଲକ୍ଷ ପେଜର ବ୍ୟବହୃତ ହେଉଛି। ସ୍ୱାସ୍ଥ୍ୟସେବାରେ ନିୟୋଜିତ ୮୦% ଆମେରିକୀୟ ସ୍ୱାସ୍ଥ୍ୟ କର୍ମଚାରୀ ପେଜର ବ୍ୟବହାର କରୁଥିବା ପ୍ରକାଶ ପାଇଛି। କିନ୍ତୁ ଲେବାନନର ପେଜର ବିସ୍ଫୋରଣ ପରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଏଣିକି ପେଜର ବ୍ୟବହାର କରିବାକୁ ସୁରକ୍ଷିତ ମନେ କରିବେ ନାହିଁ।

ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଲେବାନନର ହିଜବୁଲ୍ଲା ସଂଗଠନକୁ କ୍ଷତି ପହଂଚାଇବା ଲକ୍ଷ୍ୟରେ ଇସ୍ରାଏଲର ଗୁପ୍ତଚର ସଂସ୍ଥା ମୋସାଦ ବହୁଦିନରୁ ସୁନିୟୋଜିତ ଭାବେ ନିଜର ଅପରେସନ୍ ଆରମ୍ଭ କରିଥିଲା। ଗତ ମାର୍ଚ୍ଚ ମାସରେ ଯେତେବେଳେ ଲେବାନନର ଏକ ବ୍ୟବସାୟିକ ସଂସ୍ଥା ଗୋଲ୍ଡ ଆପୋଲୋ ନାମକ ଏକ ତାଇୱାନ ପେଜର୍ କମ୍ପାନୀକୁ ପ୍ରାୟ ତିନି ହଜାର ପେଜର୍ ଯୋଗାଇବା ପାଇଁ ବରାଦ ଦେଇଥିଲା, ସେତେବେଳେ ଆମେରିକୀୟ ଗୁପ୍ତଚର ସଂସ୍ଥା ସିଆଇଏର ସହଯୋଗରେ ମୋସାଦ ସକ୍ରିୟ ହୋଇଯାଇଥିଲା। ମୋସାଦ୍ ହଙ୍ଗେରୀରେ ନିଜର ଏକ ବେନାମୀ କମ୍ପାନୀ ସ୍ଥାପନ କରିବା ସହ ତାଇୱାନର କମ୍ପାନୀଠାରୁ ଫ୍ରାନଚାଇଜ୍ ଆଣି ପେଜର୍ ଯୋଗାଇବା ଆରମ୍ଭ କରିଥିଲା। ଯେତେବେଳେ ତାଇୱାନର କମ୍ପାନୀକୁ ଲେବାନନରୁ ପେଜର୍ ଯୋଗାଇବା ପାଇଁ ବରାଦ ଆସିଥିଲା, ସେତେବେଳେ ମୋସାଦର ଏହି ବେନାମୀ କମ୍ପାନୀ ସେହି ବରାଦକୁ ଆଣି ଲେବାନନକୁ ପେଜର୍ ଓ ୱାକିଟକି ସବୁ ପଠାଇଥିଲା। ତେବେ ବରାଦ ହୋଇଥିବା ପେଜର୍ ଓ ୱାକିଟକି ଲେବାନନରେ ପହଂଚିବା ପୂର୍ବରୁ ମୋସାଦ ଦ୍ୱାରା ଏଥିରେ ଟ୍ୟାମ୍ପରିଂ କରାଯାଇ ଗୁପ୍ତ ଭାବେ ସେଥିରେ ବିସ୍ଫୋରକ ସାମଗ୍ରୀ ଓ ସେନସେର୍ ଲଗାଇ ତା’କୁ ବାହାରୁ ବିସ୍ଫୋରଣ କରିବାର ବ୍ୟବସ୍ଥା କରାଯାଇଥିଲା।

ପେଜର୍ ବିସ୍ଫୋରଣ ପରେ ବିଶ୍ୱରେ ବିଶେଷ କରି ପଶ୍ଚିମୀ ଦୁନିଆରେ ଆତଙ୍କବାଦକୁ ନେଇ ରହିଥିବା ଦୋହରା ମାପଦଣ୍ଡ ପୁଣି ଥରେ ସାମ୍ନାକୁ ଆସିଛି। ବିଶେଷ କରି ଆତଙ୍କବାଦ ଦମନ ନାଁରେ ଗତ କିଛି ଦଶକ ଧରି ଇରାକ୍, ଆଫଗାନିସ୍ଥାନ, ସିରିଆ, ଲିବିଆ ପରି ବିଶ୍ୱର କ୍ଷୁଦ୍ର ଓ ଦୁର୍ବଳ ଦେଶମାନଙ୍କ ଉପରେ ସାମରିକ ଆକ୍ରମଣ ଓ ଦଖଲ କରି ସେମାନଙ୍କୁ ଧ୍ୱସ୍ତ ବିଧ୍ୱସ୍ତ କରିବା ଏବଂ ସେମାନଙ୍କ ଲକ୍ଷ ଲକ୍ଷ ନିରୀହ ନାଗରିକଙ୍କୁ ହତ୍ୟା ଓ ଆହତ କରାଇ ଆସିଥିବା ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଦେଶମାନେ ଲେବାନନରେ ପେଜର ବୋମା ବିସ୍ଫୋରଣ ଓ ସେଥିରେ ଅନେକ ନିରୀହ ଲୋକଙ୍କ ମୃତାହତ ଘଟଣା ନେଇ ଆଶ୍ଚର୍ଯ୍ୟଜନକ ନୀରବତା ଅବଲମ୍ବନ କରିଛନ୍ତି। ଏପରିକି ଅତ୍ୟାଧୁନିକ ଜ୍ଞାନ କୌଶଳରେ ସଜ୍ଜିତ ସେମାନଙ୍କ ଗୁଇନ୍ଦା ସଂସ୍ଥା ଏସବୁ ବିସ୍ଫୋରଣ ଘଟଣାର ତଦନ୍ତ କରି ଏହା ପଛରେ ରହିଥିବା ଷଡ଼ଯନ୍ତ୍ରକୁ ଉନ୍ମୋଚିତ କରିବାକୁ ଆଗେଇ ଆସିନାହାନ୍ତି। କାରଣ ସେମାନେ ଭଲ ରୂପେ ଜାଣିଛନ୍ତି ଯେ ଏହାର ମାଷ୍ଟର ମାଇଣ୍ଡ ଇସ୍ରାଏଲର ମୋସାଦ ଓ ସିଆଇଏ ଅଟନ୍ତି ଏବଂ ନିଜର ସ୍ୱାର୍ଥ ଲାଗି ସେମାନେ ଏହି ଷଡ଼ଯନ୍ତ୍ରକୁ ପଦାରେ ପକାଇବାକୁ ଆଦୌ ଚାହୁଁ ନାହାନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ତୈଳ ସମ୍ପଦଭରା ମଧ୍ୟ ପ୍ରାଚ୍ୟରେ ଇସ୍ରାଏଲ ହେଉଛି ଆମେରିକା ଓ ଅନ୍ୟ ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିଙ୍କ ଏକ ବିଶ୍ୱସ୍ତ ସହଯୋଗୀ ଓ ଆଧିପତ୍ୟର ସବୁଠାରୁ ପ୍ରମୁଖ ସ୍ତମ୍ଭ। ସେଇଥିପାଇଁ ସମସ୍ତ ନିନ୍ଦା, ଅପମାନ ଓ ବିରୋଧ ସତ୍ତ୍ୱେ ସେମାନେ ଏଯାଏଁ ଲଗାତାର ଭାବେ ନିଜର ଅର୍ଥନୈତିକ ଓ ରାଜନୈତିକ ସ୍ୱାର୍ଥ ପାଇଁ ଇସ୍ରାଏଲର ସମସ୍ତ ବର୍ବରତା, ପାଲେଷ୍ଟାଇନ୍ ଜମି ଉପରେ ବେଆଇନ କବ୍ଚା ଏବଂ ସର୍ବୋପରି ହଜାର ହଜାର ଲୋକଙ୍କ ନରସଂହାରକୁ ଆଖିବୁଜି ସମର୍ଥନ ଓ ପ୍ରୋତ୍ସାହନ ଦେଇ ଆସିଛନ୍ତି। ଗତ ଏକବର୍ଷ ଧରି ଗାଜା ଓ ୱେଷ୍ଟବ୍ୟାଙ୍କ୍ ଏବଂ ବର୍ତ୍ତମାନ ଲେବାନନରେ ଆକାଶମାର୍ଗରୁ ହଜାର ହଜାର ଟନ୍ ବୋମା ପକାଇ ଶିଶୁ ଓ ମହିଳାଙ୍କ ସମେତ ୫୦ ହଜାରରୁ ଅଧିକ ନିରୀହ ଲୋକଙ୍କୁ ହତ୍ୟା କରିଥିଲେ ବି ସେମାନେ ତାକୁ ଏହି ବର୍ବରତାପୂର୍ଣ୍ଣ ଅଭିଯାନ ପାଇଁ ବିପୁଳ ଅର୍ଥ ଓ ଅସ୍ତ୍ରଶସ୍ତ୍ର ଯୋଗାଇ ଆସିଛନ୍ତି। ସେହି ଦୃଷ୍ଟିରୁ ବୋଧହୁଏ ସେମାନଙ୍କ ପାଇଁ ଇସ୍ରାଏଲର ପେଜର ବୋମା ବିସ୍ଫୋରଣ ଏକ ଆତଙ୍କବାଦୀ କାର୍ଯ୍ୟର ସଂଜ୍ଞାରେ ଆସୁନାହିଁ! ହୁଏତ ଆଗାମୀ ଦିନରେ ସେମାନେ ମଧ୍ୟ ନିଜର ବିରୋଧି ଦେଶ ବା ଶକ୍ତିଙ୍କ ବିରୁଦ୍ଧରେ ପ୍ରୟୋଗ କରିବା ପାଇଁ ବି ଇସ୍ରାଏଲ ବା ମୋସାଦର ଏହି ଜ୍ଞାନକୌଶଳକୁ ହାସଲ କରି ବ୍ୟବହାର କରିବାକୁ ଚିନ୍ତା କରୁଥାଇ ପାରନ୍ତି। ଅତିତରେ ଆମ ଦେଶ ସମେତ ବିଶ୍ୱର ବିଭିନ୍ନ ଦେଶର ସରକାରମାନେ ନିଜର ରାଜନୈତିକ ବିରୋଧି ଏପରିକି ସାମ୍ବାଦିକ ଓ ବିଚାରପତିମାନଙ୍କ ଫୋନରେ ଇସ୍ରାଏଲ ଠାରୁ ଆଣିଥିବା ପେଗାସେସ୍ ଭର୍ତ୍ତି କରି ସେମାନଙ୍କ ଉପରେ କିପରି ନଜରଦାରୀ କରିଥିଲେ ତା’କୁ ଆମେ ଦେଖିଛେ। ତେଣୁ ପେଜର୍ ବିସ୍ଫୋରଣକୁ ନେଇ ସେମାନଙ୍କ ଠାରୁ କୌଣସି ପ୍ରତିକ୍ରିୟା ଆଶା କରିବା ଭୁଲ ହେବ।

ଏହା ନିଃସନ୍ଦେହ ଯେ ପେଜର୍ ବିସ୍ଫୋରଣ ଜରିଆରେ ବିଶ୍ୱବାସୀଙ୍କ ପାଇଁ ଆତଙ୍କବାଦ ଏକ ନୂତନ ରୂପରେ ସାମନାକୁ ଆସିଛି। ଏହି ଘଟଣା ପରେ ବିଶ୍ୱ ପୂର୍ବାପେକ୍ଷା ଅଧିକ ଅସୁରକ୍ଷିତ ହୋଇଯାଇଛି ବୋଲି କୁହାଯାଇପାରେ। କହିବାକୁ ଗଲେ, ଏହି ବିସ୍ଫୋରଣ କେବଳ ପେଜର୍ ନୁହେଁ ବରଂ ମୋବାଇଲ୍, ୱାକିଟକି, ଲାପଟପ୍ ପରି ଦୁନିଆର ସବୁ ଇଲୋକ୍ଟ୍ରୋନିକ୍ ଉପକରଣକୁ ଅତ୍ୟନ୍ତ ଅସୁରକ୍ଷିତ କରିଦେଇଛି। ଆମ ଦେଶ ସମେତ ବିଶ୍ୱର ଯେଉଁମାନେ ଏହି ଆତଙ୍କବାଦୀ ଘଟଣାକୁ ନିନ୍ଦା କରିବା ବଦଳରେ ସେହି ବାହାନାରେ ଇସ୍ରାଏଲର ଗୁଇନ୍ଦା କୌଶଳ ଓ ଜ୍ଞାନ କୌଶଳର ଉତ୍କର୍ଷତାର ଭୂୟସୀ ପ୍ରଶଂସା କରିବାକୁ ପଛାଉ ନାହାନ୍ତି, ସେମାନେ ଜାଣିବା ଦରକାର ଯେ ଆଜି ଯାହା ଲେବାନନରେ ଘଟିଲା ଆସନ୍ତାକାଲି ତାହା ଅନ୍ୟ କୌଣସି ଦେଶରେ ଯେ ନ ଘଟିବ, ତା’ର କୌଣସି ଗ୍ୟାରେଣ୍ଟି ନାହିଁ। ୧୭ ସେପ୍ଟେମ୍ବରର ଘଟଣା ପରେ ସାରା ଦୁନିଆ ଯେ ଇସ୍ରାଏଲର ଏଭଳି ଆତଙ୍କବାଦୀ କୌଶଳ ଆଗରେ ନିଜକୁ ଅସହାୟ ମନେ କରିବାକୁ ଯାଉଛି, ତାହା ସେମାନେ ହୃଦୟଙ୍ଗମ କରିବା ଦରକାର। ଯଦି ଆମେ ଦୈନନ୍ଦିନ ଜୀବନରେ ବ୍ୟାପକ ଭାବେ ବ୍ୟବହାର କରୁଥିବା ମୋବାଇଲ ଫୋନ୍, ପେଜର, ରେଡ଼ିଓ, ଲାପଟପ୍ ଓ ୱାକିଟକି ଆଦି ଗୋଟିଏ ଗୋଟିଏ ବିନାଶକାରୀ ବୋମାରେ ପରିବର୍ତ୍ତିତ ହୋଇ ଆମକୁ ହତ୍ୟା କରିବାର ହତିଆର ଭାବେ ବ୍ୟବହ୍ୟତ ହେବ, ତାହେଲେ ବିଶ୍ୱବାସୀ ସବୁଦିନ ପାଇଁ ଆତଙ୍କର ଛାଇରେ ଜୀଇଁବାକୁ ବାଧ୍ୟ ହେବେ। କାରଣ ଏସବୁ ଜରିଆରେ ଇସ୍ରାଏଲ ପରି ଶକ୍ତିଶାଳୀ ରାଷ୍ଟ୍ରମାନେ ଭବିଷ୍ୟତରେ ରିମୋଟ୍ ଜରିଆରେ ଦୂରରେ ରହି ଯେକୌଣସି ଦେଶରେ ଏଭଳି ବିସ୍ଫୋରଣ କରାଇ ଏକାଥରକେ ସେଠାକାର ହଜାର ହଜାର ଲୋକଙ୍କୁ ମୃତାହତ ଯେ କରିପାରିବେ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ଆଜିକାଲି ଯେପରି ଯୁଦ୍ଧ ଓ ଆତଙ୍କବାଦ ଉଭୟରେ ଡ଼୍ରୋନର ଅଧିକରୁ ଅଧିକ ଉପଯୋଗ ହେଉଛି ଏବଂ ତା’ର ବିପଜ୍ଜନକ ପ୍ରଭାବକୁ ବିଶ୍ୱ ଅଧିକରୁ ଅଧିକ ଅନୁଭବ କରୁଛି, ଠିକ୍ ସେହିପରି ଯଦି ଆତଙ୍କବାଦର ଏହି ନୂଆଁ ତରିକାଟି ଆଗାମୀ ଦିନରେ ଏକ ରଣକୌଶଳ ଭାବେ ବ୍ୟବହୃତ ହେବ, ତାହେଲେ ଆମ ପାଇଁ କେତେବଡ଼ ବିପଦ ଯେ ଆସିବାକୁ ଯାଉଛି, ତା’ର କଳ୍ପନା କରାଯାଇ ନପାରେ!

ଫୋନ- ୯୪୩୭୧୬୬୩୯୧

Related story