Pahalgam
ପଞ୍ଚାନନ କାନୁନ୍ଗୋ
କାଶ୍ମୀର ଉପତ୍ୟାକାରେ ଗତ କିଛି ଦିନ ତଳେ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ ହେତୁ ଭାରତ-ପାକିସ୍ତାନ ମଧ୍ୟରେ ଏକ ଯୁଦ୍ଧର ଆଶଙ୍କା ଦେଖାଦେଇଛି। ସଂପ୍ରତି ଦୁଇ ଦେଶ ଭିତରେ ଏକ ଶୀତଳ ଯୁଦ୍ଧ ଚାଲୁ ରହିଛି। ଭାରତ-ପାକିସ୍ତାନ ଭିତରେ ଥିବା ବ୍ୟବସାୟିକ ସଂପର୍କ ପ୍ରାୟତଃ ଛିନ୍ନ ହୋଇଛି। ଏହା ପୂର୍ବରୁ ଆମେରିକା-ଚୀନ୍ ମଧ୍ୟରେ ହୋଇଥିବା ବାଣିଜ୍ୟିକ କାରବାରରେ ଅନେକ ବିଶୃଙ୍ଖଳା ଦେଖାଦେଇଥିଲା। ବିଶ୍ୱ ବଜାର ସେଥିରେ ଚହଲି ଯାଇଥିଲା। ଏବେ ପାକିସ୍ତାନ-ଭାରତର ଏହି ସଂପର୍କ ବିଚ୍ଛିନ୍ନ ହେବା ଫଳରେ କେବଳ ଯେ ପାକିସ୍ତାନର ଆର୍ଥିକ ସ୍ଥିତି ଦୋହଲିଯିବ ତା’ ନୁହେଁ, ଭାରତରେ ମଧ୍ୟ ଏହାର ଅନେକ କୁପ୍ରଭାବ ପଡ଼ିବ।
ଜାମ୍ମୁ-କାଶ୍ମୀରର ସବୁଠାରୁ ବଡ଼ ଆୟ ତା’ର ପର୍ଯ୍ୟଟନ କ୍ଷେତ୍ରରୁ ମିଳିଥାଏ। ଏହା ଭାରତବର୍ଷର ସାମଗ୍ରିକ ଅର୍ଥନୈତିକ ବିକାଶରେ ଅନେକ ସହାୟକ ହୋଇଥାଏ। ୨୦୨୪-୨୫ ମସିହାରେ ପାଖାପାଖି ୧.୦୮ କୋଟି ପର୍ଯ୍ୟଟକ ଜାମ୍ମୁ କାଶ୍ମୀରକୁ ଆସିଥିବା ହିସାବ କରାଯାଇଛି। ଏହାର ପର୍ଯ୍ୟଟନ କ୍ଷେତ୍ରରୁ ଆୟ ଭାରତୀୟ ମୁଦ୍ରାରେ ୨୦ ହଜାର କୋଟି ଟଙ୍କା ଥିଲା। ଚଳିତ ୨୦୨୫-୨୬ରେ ଏହା ଆହୁରି ଅଧିକ ହେବ ବୋଲି ଆଶା କରାଯାଉଥିବା ବେଳେ ପହଲଗାମ ଘଟଣା ଏଥିରେ ପୂର୍ଣ୍ଣ ବାଧା ଉପୁଯାଇଛି ଏବଂ ପର୍ଯ୍ୟଟକଙ୍କ ଆସିବା ସଂପୂର୍ଣ୍ଣ ମଳିନ ପଡ଼ିଛି। ଏବେ ଏହି ବିଶୃଙ୍ଖଳା ଫଳରେ ପର୍ଯ୍ୟଟନ ପ୍ରାୟତଃ ବନ୍ଦ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ତେଣୁ ଆଗରୁ ଯେଉଁ କଳ୍ପନା କରାଯାଉଥିଲା ଯେ ଚଳିତ ବର୍ଷର ଭାରତର ଅଭିବୃଦ୍ଧି ହାର ୬.୨ ପ୍ରତିଶତରେ ରହିବ ତାହା ହୁଏତ ସମ୍ଭବ ହୋଇନପାରେ। ଏହା ୬ ପ୍ରତିଶତ ତଳକୁ ଖସିଯାଇପାରେ।
ଜାମ୍ମୁ କାଶ୍ମୀରର ଆଉ ଏକ ଉତ୍ପାଦନ ହେଉଛି ପଶମ ବସ୍ତ୍ର। ହସ୍ତତନ୍ତ ଓ ହସ୍ତ କାରିଗରୀ କାମ ଭାରତ ବାହାରକୁ ରପ୍ତାନୀ କରିବାରେ କାଶ୍ମୀରର ଭୂମିକା ଅଗ୍ରଗଣ୍ୟ। ଏ ବାବଦରେ ଭାରତରୁ ବାହାରକୁ ରପ୍ତାନୀ ହେଉଥିବା ମୋଟ ମୂଲ୍ୟର ୧ ପଞ୍ଚମାଂଶ କେବଳ କାଶ୍ମୀରରୁ ହିଁ ଯାଇଥାଏ। କେଶର ଉତ୍ପାଦନରେ ଏହା ହେଉଛି ପୃଥିବୀର ସବୁଠାରୁ ଶ୍ରେଷ୍ଠ ଅଞ୍ଚଳ ଏବଂ ଏହା ଏକ ମୂଲ୍ୟବାନ ପଦାର୍ଥ ଭାବେ ବ୍ୟବହୃତ ହୋଇଥାଏ। ପୃଥିବୀର ଅନେକ ବଡ଼ ହୋଟେଲ ଠାରୁ ବଜାର କାଶ୍ମୀର କେଶରକୁ ଚାହିଁ ବସିଥାନ୍ତି। ଏବେ ତାହା ସେମାନଙ୍କ ପାଇଁ ଦୁର୍ମୂଲ୍ୟ ହେବ। କାଶ୍ମୀରରୁ ଉତ୍ପାଦନ ହେଉଥିବା ଅନେକ ମସଲା ଜାତୀୟ ଦ୍ରବ୍ୟ ମଧ୍ୟ ଉତ୍ପାଦନ ଓ ରପ୍ତାନୀ କମିଯିବ।
ଅନ୍ୟ ଏକ ଆୟକାରୀ ବ୍ୟବସ୍ଥା ହେଉଛି ଏଠାରୁ ଉତ୍ପାଦନ ହେଉଥିବା ଫଳ ଓ ପନିପରିବା। ଏହାର ଜଳବାୟୁ ସହଯୋଗୀ ହୋଇଥିବା ହେତୁ ଭାରତର ସବୁଠାରୁ ଅଧିକ ଫଳ ଓ ପନିପରିବା ଉତ୍ପାଦନ କାଶ୍ମୀର ଓ ଜାମ୍ମୁ ଅଞ୍ଚଳରେ ହିଁ ହୋଇଥାଏ।
ଯଦି କୌଣସି କାରଣରୁ ଯୁଦ୍ଧ ହୁଏ ତେବେ ଭାରତର ସାମରିକ ଖର୍ଚ୍ଚ ବଢ଼ିଯିବାର ସମ୍ଭାବନା ରହିଛି। ତତ୍ସହିତ ଭାରତରେ ମଧ୍ୟ ଦରଦାମ ବୃଦ୍ଧି କଟିବାର ଆଶଙ୍କା ରହିଛି। ଭାରତ ଏକ ବିକଶିତ ଦେଶରେ ପରିଣତ ହେବା ପାଇଁ ୨୦୪୭କୁ ଯେଉଁ ଲକ୍ଷ୍ୟ ରଖିଥିଲା ତାହା ପୂରଣ ହେବାକୁ ହେଲେ ପ୍ରତିବର୍ଷ ଅତିକମରେ ୮ ପ୍ରତିଶତ ସମୃଦ୍ଧି ହାର ବଢ଼ିବାର କଳନା ଅର୍ଥଶାସ୍ତ୍ରୀମାନେ କରିଥାନ୍ତି। ସମସ୍ତ କଥାକୁ ଲକ୍ଷ୍ୟ କରି ସ୍ୱୀକାର କରିବାକୁ ହେବ ଯେ ଦେଶର ଆର୍ଥିକ ସ୍ଥିତି ବର୍ତ୍ତମାନ ଯେଉଁ ଅବସ୍ଥାରେ ଅଛି ସେଥିରେ ୨୦୪୭ର ଲକ୍ଷ୍ୟ ବିକଶିତ ଭାରତ ପୂରଣ ହେବା ହୁଏତ ସଫଳ ହେବନାହିଁ।
ଅଧିକନ୍ତୁ ପାକିସ୍ତାନ ଅଧିକୃତ କାଶ୍ମୀର ଓ ଅପରପକ୍ଷରେ ବାଂଲାଦେଶରେ ବିଶୃଙ୍ଖଳା ଲାଗି ରହିଲେ ତା’ର ପ୍ରଭାବ ଭାରତରେ ମଧ୍ୟ ଅନୁଭୂତ ହେବ। ସୂଚନା ମିଳୁଛି ଯେ ଚୀନ୍ ପାକିସ୍ତାନକୁ ସମର୍ଥନ କରିବ। ତାହା ଯଦି ହୁଏ ତେବେ ଭାରତର ବାଣିଜ୍ୟିକ କାରବାର ଚୀନ୍ ସହିତ ମଧ୍ୟ ଅସ୍ଥିର ହେବାର ସମ୍ଭାବନା ରହିଛି । ତେବେ ତା’ର ପ୍ରଭାବ ଗୁରୁତର ଭାବେ ଭାରତର ଆଭ୍ୟନ୍ତରୀଣ ସାମଗ୍ରିକ ବିକାଶରେ ଅନୁଭୂତ ହେବ। ଅନ୍ୟପକ୍ଷରେ ଭାରତରେ ଭାରିଶିଳ୍ପ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉତ୍ପାଦନ ହାର ସେପରି ଉତ୍ସାହଜନକ ନୁହେଁ। କୃଷି ମଧ୍ୟ ଆଶାତୀତ ଭାବେ ଅଧିକ ଉତ୍ପାଦନ ସହିତ ଭାରତୀୟ ସମୃଦ୍ଧିକୁ ସହାୟକ ଦେବା ଚଳିତବର୍ଷ ଦେଖାଦେଇନାହିଁ। ସେଥିରେ ଯଦି ଭାରତବର୍ଷର ବାଣିଜ୍ୟିକ କାରବାର ବିଶୃଙ୍ଖଳିତ ହେଲା ଓ ଦେଶର ପର୍ଯ୍ୟଟନ ବ୍ୟବସ୍ଥାରୁ ଆୟ କମିଲା ତେବେ ମୋଟାମୋଟି ଭାବେ ଭାରତର ସାମଗ୍ରିକ ବିକାଶର ପ୍ରତିବନ୍ଧକ ହେବ। ଦେଶର ଯୋଜନାକାରୀମାନେ ଯେଉଁପରି ଭାବରେ ସ୍ୱପ୍ନ ଦେଖୁଛନ୍ତି ବା ବାଣ୍ଟୁଛନ୍ତି ସେଥିରେ ଦେଶର ଶାସକ ବର୍ଗଙ୍କ ନିଷ୍ପତ୍ତି ଓ ଅଚାନକ ଅପ୍ରତ୍ୟାଶିତ ବିଶୃଙ୍ଖଳା ପରସ୍ପର ପରିପନ୍ଥୀ ହେବାର ଦେଖାଯାଉଛି। ଚୀନ୍ ପରି ଭାରତବର୍ଷ ଏପରି ଏକ ବିଶେଷ ସମୃଦ୍ଧ ଦେଶରେ ପରିଣତ ହୋଇନାହିଁ। ଯେଉଁଥିରେ ଯେ କୌଣସି ଅପ୍ରତ୍ୟାଶିତ ରାଜନୈତିକ ଦୁର୍ଘଟଣା ହେଲେ ମଧ୍ୟ ନିଜର ଅର୍ଥନୀତି ବା ଆର୍ଥିକ ବ୍ୟବସ୍ଥା ଚହଲିବ ନାହିଁ ଓ ଦେଶରେ ଅର୍ଥନୈତିକ ବିକାଶରେ ବିଶେଷ କ୍ଷତି ଘଟିବ ନାହିଁ। ବର୍ତ୍ତମାନ ସମୟରେ ଦେଶରେ ଥିବା ସମସ୍ତ ପୁଞ୍ଜିପତିମାନେ ନିଜର ପୁଞ୍ଜି ଜାତୀୟ ସ୍ୱାର୍ଥରେ ଖଟାଇବା ନିମନ୍ତେ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି। ତାହା ହେଲେ କିଛି ପରିମାଣରେ ଭାରତବର୍ଷର ପୁଞ୍ଜି ଯୋଗାଣରେ ଓ ପୁଞ୍ଜି ବିନିଯୋଗରେ ସୁଧାର ଆସିବ।
ଉଭୟ ଭାରତର ଆଭ୍ୟନ୍ତରୀଣ ବଜାର ଓ ବିଦେଶୀ ବଜାର କାଶ୍ମୀରର ଉତ୍ପାଦନ କ୍ଷତିଗ୍ରସ୍ତ ହୋଇଥିବା ଦୃଷ୍ଟିରୁ ସଂକଟର ସମ୍ମୁଖୀନ ହେବ। ଏହା ସତ୍ୟ ଯେ ପାକିସ୍ତାନ ଓ ଭାରତ ମଧ୍ୟରେ କୌଣସି ବିବାଦ ସୃଷ୍ଟି ହେଲେ ପାକିସ୍ତାନ ଅଧିକ କ୍ଷତିଗ୍ରସ୍ତ ହେବ। କିନ୍ତୁ ଭାରତ ମଧ୍ୟ କମ୍ କ୍ଷତିଗ୍ରସ୍ତ ହେବ ନାହିଁ। ଭାରତର ଅଯଥା ବ୍ୟୟବୃଦ୍ଧି ଘଟିବ ଓ କାଶ୍ମୀର ସଂପର୍କିତ ହେଉଥିବା ଆୟର ହାନି ଘଟିବ। ଏ ସମସ୍ତକୁ ଦୃଷ୍ଟିରେ ରଖି ସାମ୍ପ୍ରତିକ ପରିସ୍ଥିତିର ପାକିସ୍ତାନ-ଭାରତ ସଂଘର୍ଷ ଉପରେ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି। ଆଶା ଓ ବିଶ୍ୱାସ ମିଳିତ ଜାତିସଂଘ ଏଥିରେ ହସ୍ତକ୍ଷେପ କରି ଉପଯୁକ୍ତ ସମୟରେ ଉପଯୁକ୍ତ ପଦକ୍ଷେପ ନେବେ।
ମୋ- ୯୪୩୮୩୬୦୮୪୯
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Pahalgam_1746263343.jpg)