Advertisment

ଗର୍ଭ ବେଦନା

ସେଇଟା ବାଂଝଟା। ଶୁଣି ଶୁଣି ପଥର ହେଇଗଲା। ଅଧା ବୟସରୁ ମାଣିଆ ଚାଲିଗଲା ଏକ ଅଜଣା ରୋଗରେ। ବିଧବା ହେଲା ପରେ ଗାଆଁର କିଛି ବିଧବା ମହିଳାଙ୍କ ସହିତ ଆସିଥିଲା ପୁରୀ। କାର୍ତ୍ତିକ ମାସରେ ହବିଷ କରିବାକୁ। ରହିଗଲା ସେଇଠି। ଆଉ ଗାଆଁକୁ ଫେରିଲାନି। କାହିଁକି ବି ଫେରିବ? କିଏ ଅଛି ତା’ର ସେଠି?

author-image
Debendra Prusty
Representative Image

Representative Image

ରୀନା ରାଉତରାୟ

ସମୁଦ୍ର ଆଡ଼େ ଚାହିଁ ଗୁଣୁଗୁଣୁ ହେଉଥିଲା ମାଣିଆ ଭାଉଜ।

ବାଂଝ ହେବା ଦୁଃଖ ଭୋଗିଲି ଆଉ ପୁଅର ମାଆ ହେଇ ଦୁଃଖ କଷ୍ଟ ପାଇବା ବି ଅଙ୍ଗେ ନିଭଉଛି। ଫିକ୍ କରି ହସିଦେଲା, ହଁ ଏଇତ ଜୀବନ!

Advertisment

ସାରା ଗାଆଁ ଖଣ୍ଡରେ ଏକା ଭାଉଜ ମାଣିଆ ଭାଉଜ। ଛୁଆଟିଏ ଥିଲେ ସିନା ଅମକ ବୋଉ, ସମକ ବୋଉ ନାଁ ରେ ତାକୁ ଡାକିଥାନ୍ତେ!

ତେଣୁ ବୁଢ଼ୀ ହେଲା ପର୍ଯ୍ୟନ୍ତ ବି ମାଣିଆ ଭାଉଜ ହେଇ ରହିଗଲା।

ବାପାବୋଉ ଦେଇଥିବା ଲତା ନାମଟା ତାର ଝାପ୍ସା ହେଇ ଯାଇଛି। ବେଳେବେଳେ ମନେ ପଡ଼େନି ତାର ଅସଲ ନାଆଁଟା କ’ଣ?

Advertisment

ବୟସ କେତେ ହେଇଥିଲା କେଜାଣି, ବୋଧେ ୧୫ କି ୧୬। ବାହା କରିଦେଲେ। ବାହା ହେଲା ମାଣିଆକୁ। ସେଇ ଦିନୁ ମାଣିଆ ଭାଉଜ। ବାପା ବୋଉ ଦୁଇଜଣ ମରିଗଲା ପରଠାରୁ ତା ବାପା ଘର ଗାଆଁକୁ ଯାଇନି। କୁଆଡ଼େ ଯିବ? ବାହା ହେବାର ପ୍ରଥମ କିଛି ବର୍ଷ ଯୁଆଡ଼େ ଗଲେ ସେଇ ଏକା ପ୍ରଶ୍ନ ପିଲାପିଲି ହେଇନି କିଲୋ?

ଧୀରେ ଧୀରେ ପଚାରିବା ବନ୍ଦ ହେଇଗଲା।

ସେଇଟା ବାଂଝଟା। ଶୁଣି ଶୁଣି ପଥର ହେଇଗଲା। ଅଧା ବୟସରୁ ମାଣିଆ ଚାଲିଗଲା ଏକ ଅଜଣା ରୋଗରେ। ବିଧବା ହେଲା ପରେ ଗାଆଁର କିଛି ବିଧବା ମହିଳାଙ୍କ ସହିତ ଆସିଥିଲା ପୁରୀ। କାର୍ତ୍ତିକ ମାସରେ ହବିଷ କରିବାକୁ। ରହିଗଲା ସେଇଠି। ଆଉ ଗାଆଁକୁ ଫେରିଲାନି। କାହିଁକି ବି ଫେରିବ? କିଏ ଅଛି ତା’ର ସେଠି?

ପୁରୀରେ ରହି ମନ୍ଦିର ଭିତରେ ସେବା କରେ। ଅବଢ଼ା ଗଣ୍ଡିଏ ଖାଇବାକୁ ମିଳି ଯାଏ। ରହୁ ରହୁ କାଳିଆ ପାଖରେ ଡୋରି ଲାଗିଗଲା। ଦିନେ ନ ଦେଖିଲେ ଜମା ବି ଭଲ ଲାଗେନା। ସତେ ଯେମିତି ପୁଅ ଟିଏ ତା’ର। ବାଂଝ ହେବାର ଯନ୍ତ୍ରଣା ଉପଶମ ହେବାକୁ ଲାଗିଲା।

କାର୍ତ୍ତିକ ମାସରେ ବହୁତ ଆଡୁ ହବିଷ୍ୟାଳିମାନେ ଆସନ୍ତି। ମଠ ମନ୍ଦିର ବୁଲେ। ଗାଆଁରୁ ଯଦି କିଏ ଆସିଥାନ୍ତି ତାଙ୍କ ସାଙ୍ଗରେ ଦୁଃଖ ସୁଖ ହୁଏ, ଗାଆଁ କଥା ଟିକେ ଶୁଣେ। ଭଲ ଲାଗେ।

ଆଜି ତାଙ୍କ ଗାଆଁରୁ ଆସିଥିବା ସନା ବୋଉକୁ ପୂଜା କଲା ବେଳେ କାନ୍ଦୁ ଥିବାର ଦେଖିଲା। ପଚାରିଲା କ’ଣ ହେଇଛି ବା? ହବିଷ କରି ଆସିଛୁ। କାନ୍ଦୁଛୁ କିଆଁ?

ସେ କହିଲା ନାଇଁ ଲୋ ମାଣିଆ ଭାଉଜ, କି ଦୁଃଖ କହିବି? ଆଜି ବୁଝୁଛି ତୁ ବାଂଝ ହେଇଛୁ ଭଲ। ମୁଁ ପୁଅର ମାଆ ହୋଇ ଯେଉଁ କଷ୍ଟ ପାଉଛି ନ କହିଲେ ଭଲ।

ବୋହୁ କଥାରେ ପଡ଼ି ମୋର ପୁଅ ଯୋଉ ହଇରାଣ ହରକତ କରୁଛି ଯେ ବେଳେ ବେଳେ ଭାବୁଛି ମରଣ କାହିକିଁ ହେଉନି ମୋର!

ଏ ବୁଢ଼ୀ ବୟସରେ ରାତି ଅନ୍ଧାରରୁ ଉଠି ବାସି ପାଇଟି କରିବି। ରାନ୍ଧିବି, ବୋହୂର ଲୁଗା ବି କାଚିବି। କାଳେ ଖୁସି ହୋଇ ଖାଇବାକୁ ଭଲରେ ଟିକେ ଦବ ବୋଲି। କୁକୁର ପରି ଖାଇବା ଗଣ୍ଡେ ଫୋପାଡ଼ି ଦେବ। ଭାଷା ଅଭାଷାରେ ଦିନ ସାରା ଯାଉ ଆସୁ ଗାଳି ଦଉଥିବ। ସହି ହୁଏନି ଲୋ। ବୋହୂ ସିନା କହିଲେ ସହିବି! ହେଲେ ପୁଅ ସନା ବି ମାର କି ନ ମାର। ଭାରି କଷ୍ଟ ଲାଗେ। କୁଆଡ଼େ ପଳାନ୍ତି କି? କୁଆଡ଼େ ଯିବି ବି?

ଏଇ କାର୍ତ୍ତିକ ମାସକୁ ଅନେଇ ଥାଏ। ମାସଟିଏ ବିଶ୍ରାମ ଟିକିଏ ମିଳେ। ଶାନ୍ତିରେ ଓଳିଏ ଖାଇବାକୁ ପାଏ। ସେଇ ଲୋଭରେ ଆସେ। ହେଲେ କାଳିଆ ମୁହଁକୁ ଅନେଇ ଦେଲେ ମନ ଭିତରେ ଥିବା ଦୁଃଖ କଷ୍ଟ ଯେତେ ଲୁହ ହୋଇ ବାହାରି ଆସେ। ମନଟା ହାଲକା ହେଇଯାଏ।

ଏ ଲୁହ ଦୁଃଖର ନୁହେଁ ଲୋ ମାଣିଆ ଭାଉଜ, ସୁଖର..

ଫୋ- ୯୪୩୮୨୭୨୧୫୨

Women Empowerment Pregnancy