/odisha-reporter/media/post_attachments/uploadimage/library/16_9/16_9_0/IMAGE_1676631969.jpg)
Shebaz Sharif
ଗତମାସରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହେବାଜ ଶରିଫ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ନିଃସର୍ତ୍ତ ଶାନ୍ତି କଥାବାର୍ତ୍ତା ପାଇଁ ପ୍ରସ୍ତାବ ଦେଇଛନ୍ତି। କାଶ୍ମୀର ସମେତ ବିଭିନ୍ନ ସମ୍ବେଦନଶୀଳ ଦ୍ୱିପାକ୍ଷିକ ପ୍ରସଙ୍ଗରେ ମୋଦିଙ୍କ ସହ ଆଲୋଚନା କରିବାକୁ ନିଜର ଆଗ୍ରହ ଦେଖାଇ ସେ କହିଥିଲେ ଯେ, "ଭାରତ ସହ ତିନିଥର ଯୁଦ୍ଧକରି ପାକିସ୍ତାନ ପାଇଛି ଦୁଃଖ, ଦାରିଦ୍ର୍ୟ ଓ ବେରୋଜଗାରୀI ଏଣୁ, ଆଉ ଯୁଦ୍ଧ ନୁହେଁ, ଆମେ ଚାହୁଁ ଶାନ୍ତି।" ୟୁନାଇଟେଡ଼ ଆରବ ଏମିରଟସ୍ ମଧ୍ୟସ୍ଥତାରେ ଶାନ୍ତି ଆଲୋଚନା ପାଇଁ ସେ ପ୍ରସ୍ତାବ ରଖିଛନ୍ତି। ପ୍ରାଥମିକ ପ୍ରତିକ୍ରିୟା ଦେଇ ଭାରତର ବୈଦେଶିକ ମନ୍ତ୍ରଣାଳୟ କଥାବାର୍ତ୍ତା ପାଇଁ ଆଗ୍ରହୀ ଥିବା ପ୍ରକାଶ କରିଛି।
ଶେହେବାଜ ଶରିଫଙ୍କ ପ୍ରସ୍ତାବ ଶୁଣିଲା ପରେ ପ୍ରତ୍ୟେକ ଭାରତୀୟଙ୍କ ମନରେ ସ୍ୱତଃ ପ୍ରଶ୍ନ ଆସୁଛି ଯେ, ପାକିସ୍ତାନକୁ କଣ ବିଶ୍ୱାସ କରିହେବ? ଧର୍ମ ଆଧାରରେ ଭାରତରୁ ଅଲଗା ହୋଇ ଗଠିତ ହୋଇଥିବା ପଡ଼ୋଶୀ ପାକିସ୍ତାନ କଣ କେବେ ଭାରତ ଓ ଭାରତୀୟଙ୍କୁ ଆପଣାର ଭାବି ପାରିବ? ଭାରତଠାରୁ ବଳପୂର୍ବକ ମାଡ଼ିବସିଥିବା କାଶ୍ମୀରକୁ ଭାରତକୁ ଫେରାଇଦେବ? କାଶ୍ମୀରରୁ ୩୭୦ ଧାରା ପ୍ରତ୍ୟାହାର କରିନେଇ ଏହାକୁ ରାଜ୍ୟ ମାନ୍ୟତାରୁ କେନ୍ଦ୍ରଶାସିତ ଅଞ୍ଚଳ ମାନ୍ୟତା ଦେଇଥିବା ଭାରତକୁ ବନ୍ଧୁରାଷ୍ଟ୍ର ଭାବି ପାରିବ?
ଭାରତ କାଶ୍ମୀରରୁ ୩୭୦ ଧାରା ପ୍ରତ୍ୟାହାର କରିଥିବାରୁ, ପାକିସ୍ତାନର ସାଧାରଣ ନାଗରିକ ଅସନ୍ତୁଷ୍ଟ ଅଛନ୍ତି। ସେଥିପାଇଁ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ତାଳି ପକାଇଲା ଭଳି କହିଛନ୍ତି ଯେ, କାଶ୍ମୀରରେ ଭାରତୀୟ ସମ୍ବିଧାନର ୩୭୦ ଧାରା ପୁନଃସ୍ଥାପିତ ନହେବା ପର୍ଯ୍ୟନ୍ତ ଭାରତ ସହ କୌଣସି ବାର୍ତ୍ତାଳାପ କରାଯିବ ନାହିଁ। ପାକିସ୍ତାନ ଏଭଳି ଏକ ରାଷ୍ଟ୍ର, ଯେଉଁଠି ପ୍ରଧାନମନ୍ତ୍ରୀଙ୍କ ମତ ସହ ବୈଦେଶିକ ମନ୍ତ୍ରୀ ଏକମତ ନୁହନ୍ତି। ଅତୀତରେ ପାକିସ୍ତାନ ସହିତ ସୁସମ୍ପର୍କ ସ୍ଥାପନ ପାଇଁ ଭାରତ ଅନେକ ଉଦ୍ୟମ କରିଛି। ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିଲାବେଳେ ପାକିସ୍ତାନ ସହ ଶାନ୍ତି ଆଲୋଚନା ପାଇଁ ବାରମ୍ବାର ପ୍ରୟାସ କରାଯାଇଥିଲା। ସେ ନିଜେ ମଧ୍ୟ ବସରେ ବସି ଲାହୋର ଯାତ୍ରା କରିଥିଲେ। ପରିଣାମରେ କିନ୍ତୁ ଭାରତ ପାଇଥିଲା ପାକିସ୍ତାନ ଦ୍ୱାରା ପ୍ରାୟୋଜିତ ଆତଙ୍କବାଦୀ ଆକ୍ରମଣ। ଆଜି ନିଜେ ରୋପଣ କରିଥିବା ଆତଙ୍କବାଦ-ବିଷବୃକ୍ଷରୁ ଫଳୁଥିବା ଆତଙ୍କବାଦୀ କାର୍ଯ୍ୟକଳାପ କାରଣରୁ ପାକିସ୍ତାନରେ ନିଆଁ ଜଳୁଛି। ଗୋଟିଏ ସୈନିକ ସ୍କୁଲ ଉପରେ ଏମାନେ ଆକ୍ରମଣ କରି ୧୪୬ ଜଣ ନିରୀହ ଛାତ୍ରଙ୍କୁ ହତ୍ୟା କରିବା ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା ବେଳେ ପାକିସ୍ତାନର ବିଭିନ୍ନ ସ୍ଥାନରେ ଆତଙ୍କୀ ଆକ୍ରମଣ କାରଣରୁ ଶହ ଶହ ସାଧାରଣ ଜନତା ପ୍ରାଣ ହରାଉଛନ୍ତି। ଭାରତ କୌଶଳ ଓ ଉଦ୍ୟମିତା ତାଲିମ ଦେଇ ଯୁବବର୍ଗଙ୍କୁ ଆତ୍ମନିର୍ଭରଶୀଳ କରୁଥିଲା ବେଳେ ପାକିସ୍ତାନରେ କିଶୋରମାନଙ୍କୁ ମିଳୁଛି ଆତଙ୍କୀ ତାଲିମ।
୭୫ ବର୍ଷ ତଳେ ଆମଠୁ ଅଲଗା ହୋଇ ଏକାସାଙ୍ଗରେ ସ୍ୱାଧୀନତା ପାଇଥିବା ଆମର ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ଏବେ ଏକପ୍ରକାର ଆର୍ଥିକ ବିକଳାଙ୍ଗ ହୋଇ ପଡ଼ିଛି। ଦୁର୍ବଳ ଆର୍ଥିକ ସ୍ଥିତିକୁ ମୁକାବିଲା କରିବାକୁ ସଂଗ୍ରାମ କରୁଥିବା ଏହି ଦେଶ ଏବେ ନିଜର ନାଗରିକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବାକୁ ଅସମର୍ଥ। ସେଠାରେ ପିଲାଙ୍କ ପାଇଁ କ୍ଷୀର ଟୋପାଏ କିଣି ପାରୁନାହାନ୍ତି ବାପାମା’। ଦରଦାମ ଆକାଶ ଛୁଇଁଛି। ରୋଷେଇ ଗ୍ୟାସ ମିଳୁନି। ଦଶ ହଜାର ଟଙ୍କା ଗଣିଲେ, ଘରୋଇ ଗ୍ୟାସଟାଙ୍କି ମିଳୁଛି। ଖାଦ୍ୟ ସାମଗ୍ରୀ ପରିବହନ ହେଲାବେଳେ ଲୋକମାନେ ଛଡ଼ାଇ ନେଉଛନ୍ତି। ପ୍ରଥମେ ସେମାନଙ୍କୁ ଦେବାକୁ ଦାବୀ କରୁଛନ୍ତି। ମୁଦ୍ରାସ୍ଫୀତି ହାର ବଢ଼ି ପହଞ୍ଚିଛି ୨୯ ପ୍ରତିଶତରେ। ପାକିସ୍ତାନକୁ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ସ୍ଥଗିତ ରଖିଥିବା ଋଣପ୍ରଦାନ କାର୍ଯ୍ୟକ୍ରମ ପୁଣି ଥରେ ଆରମ୍ଭ କରିବାକୁ ରାଜି ହେବାପରେ ସର୍ତ୍ତ ମୁତାବକ ଶେହବାଜ ସରିଫ ସରକାର ବିଦ୍ୟୁତ ସବସିଡି ବନ୍ଦ କରିବା, ରପ୍ତାନି ପାଇଁ କଞ୍ଚାମାଲ ଉପରେ ବିକ୍ରୟ ଟିକସ ଲାଗୁ କରିବା ସହିତ ବିଦ୍ୟୁତ୍ ଏବଂ ପେଟ୍ରୋଲିୟମ ଜାତ ପଦାର୍ଥ ଉପରେ ଶୁଳ୍କ ବୃଦ୍ଧି କରିବାକୁ ବାଧ୍ୟ ହେଉଛନ୍ତି। ନିୟାମକ ଶୁଳ୍କ ବୃଦ୍ଧି କରିବାକୁ ବାଧ୍ୟ ହୋଇଛନ୍ତି। ପାକିସ୍ତାନକୁ ଋଣ ଦେବାକୁ ଚୀନ ସମେତ ଅନ୍ୟାନ୍ୟ ବନ୍ଧୁ ରାଷ୍ଟ୍ରମାନେ କୁଣ୍ଠିତ ହେବା ପରେ ସରକାରଙ୍କୁ ଆଇଏମ୍ଏଫ୍ ସର୍ତ୍ତ ଗ୍ରହଣ କରିବା ବ୍ୟତୀତ ଆଉକିଛି ଚାରା ନାହିଁ। ଏବେ ଏହାର ବୈଦେଶିକ ମୁଦ୍ରା ଭଣ୍ଡାର ୩୧୦ କୋଟି ଡଲାରରେ ପହଞ୍ଚିଛି, ଯାହା ତିନି ସପ୍ତାହ ଆମଦାନୀ ଖର୍ଚ୍ଚ ବହନ କରିବାକୁ ଅସମର୍ଥ। ୨୫୦ ପାକିସ୍ତାନ ଟଙ୍କା ଦେଲେ ମିଳୁଛି ୧ ଡଲାର। ମୋଟ ଘରୋଇ ଉତ୍ପାଦ ଅଭିବୃଦ୍ଧି ହାର ମାତ୍ର ୧.୫ ପ୍ରତିଶତକୁ ଖସି ଆସିଛି। ଆଇଏମ୍ଏଫ୍ ଋଣ ମିଳିଗଲେ ପାକିସ୍ତାନର ଆର୍ଥିକ ଦୁରାବସ୍ଥାର ହୁଏତ ସାମୟିକ ନିରାକରଣ ହୋଇପାରେ; କିନ୍ତୁ ନିଜର ଅର୍ଥନୀତିକୁ ନସଜାଡ଼ିଲେ, ପାକିସ୍ତାନର ଅସ୍ତିତ୍ୱ ସଙ୍କଟ ମଧ୍ୟକୁ ଠେଲି ହୋଇଯିବା ନିଶ୍ଚିତ।
ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର ନାଁରେ ସମ୍ପ୍ରସାରଣବାଦୀ ଚୀନ ପାକିସ୍ତାନର ଭୂଭାଗକୁ ନିଜ ଦଖଲକୁ ନେବାର ଉଦ୍ୟମ କରୁଛି। ତା ସହ, ସେଠାକାର ଆଭ୍ୟନ୍ତରୀଣ ବ୍ୟବସ୍ଥାରେ ଅନାବଶ୍ୟକ ହସ୍ତକ୍ଷେପ କରୁଛି। ପାକିସ୍ତାନରେ ଚୀନର ଆର୍ଥିକ ସହାୟତାରେ ନିର୍ମାଣଧୀନ ବନ୍ଦର, ହାଇୱେ ଇତ୍ୟାଦିରେ କାମ କରୁଥିବା ଚୀନ ଇଞ୍ଜିନିୟର ଓ ଶ୍ରମିକଙ୍କୁ ସୁରକ୍ଷା ଦେବା ଆଳରେ ଉପନିବେଶ ସ୍ଥାପନ କଲାଭଳି ଅବସ୍ଥା ସୃଷ୍ଟି ହୋଇଛି। ପାକ-ସେନାକୁ ଅଣଦେଖା କରି ନିର୍ମାଣାଧୀନ ପ୍ରକଳ୍ପର ସୁରକ୍ଷାରେ ନିଜର ସେନାବାହିନୀର ଯବାନମାନଙ୍କୁ ମୁତୟନ କରୁଛି। ଏହା ପାକିସ୍ତାନୀ ନାଗରିକଙ୍କ ଚିନ୍ତା ବଢ଼ାଇଛି। ଭାରତ-ପାକିସ୍ତାନ ଏକ ସମୟରେ ଇଂରେଜ ଶାସନରୁ ମୁକ୍ତ ହୋଇ ସ୍ୱାଧୀନ ସାର୍ବଭୌମ ରାଷ୍ଟ୍ରରେ ପରିଣତ ହୋଇଥିଲେ ବି ଭାରତ 'ଅମୃତକାଳ' ଉତ୍ସବ ପାଳନ କଲାବେଳେ ପାକିସ୍ତାନ ଆକାଶରେ ଅମା-ଅନ୍ଧକାର। ଭାରତ ଏବେ ବିଶ୍ୱର ଅନ୍ୟତମ ବଳିଷ୍ଠ ଅର୍ଥନୈତିକ ଶକ୍ତି ପାଲଟିଥିଲା ବେଳେ ପାକିସ୍ତାନର ଅର୍ଥନୀତି ବିପର୍ଯ୍ୟସ୍ତ। କେବଳ ଅର୍ଥନୀତି ନୁହେଁ, ବରଂ ଏହା ସହିତ ଆଇନ-ଶୃଙ୍ଖଳା ପରିସ୍ଥିତି, ଆତଙ୍କବାଦ ଆକ୍ରମଣ ଓ ଶାସନ ବ୍ୟବସ୍ଥାରେ ସେନାବାହିନୀର ହସ୍ତକ୍ଷେପ ସହିତ ରାଜନୈତିକ ଅସ୍ଥିରତା କାରଣରୁ ପାକିସ୍ତାନରେ ପୁଞ୍ଜି ନିବେଶ କରିବାକୁ ଉଦ୍ୟୋଗପତିମାନେ ଚାହୁଁନାହାନ୍ତି। ବରଂ, ସେମାନେ ମୁହଁ ଫେରାଇ ନେଉଛନ୍ତି। ଏହା ପାକିସ୍ତାନର ସ୍ୱାର୍ଥ ଅନୁକୂଳ ନୁହେଁ। ଏହା ଫଳରେ ସେହି ଦେଶ ଓ ତାହାର ନାଗରୀକମାନଙ୍କର ଭାବମୂର୍ତ୍ତୀ କ୍ଷୁଣ୍ଣ ହେଉଛି।
ଚୀନରେ ଗଧମାନଙ୍କ ମାଂସ ଓ ଚମଡ଼ାରୁ ଏକପ୍ରକାର ଔଷଧ ପ୍ରସ୍ତୁତ ହୁଏ। ଏବେ, ସେଠାରେ ଗଧମାନଙ୍କ ସଂଖ୍ୟା ଦ୍ରୁତ ହ୍ରାସ ଘଟିଥିବାରୁ ଚୀନ ସରକାର ପାକିସ୍ତାନରୁ ଏହି ପଶୁଙ୍କୁ ଆମଦାନୀ କରିବା ସହିତ ଆର୍ଥିକ ଋଣଦେଇ ଗଧ-ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରାଉଛନ୍ତି। ଗଧବଂଶ ବିସ୍ତାରିତ ହେଲେ ଆଗକୁ ଗଧ ରପ୍ତାନୀ କରି ୠଣମୁକ୍ତ ହେବାକୁ ମସୁଧା କରିଛି ପାକିସ୍ତାନ। ସେଥିପାଇଁ ପାକିସ୍ତାନର 'ଖାଇବର' ଓ 'ପାଖତୁନଖାୱା' ଅଞ୍ଚଳରେ ସଘନ ଗଧ ପ୍ରଜନନ ଓ ଉତ୍ପାଦନ କେନ୍ଦ୍ରମାନ ଗଢ଼ିଉଠିଛି। ସମ୍ପ୍ରସାରଣବାଦୀ ଚୀନ ସରକାରଙ୍କ କୂଟଚକ୍ରାନ୍ତର ପରିଣାମ ଶ୍ରୀଲଙ୍କା ଭଳି ପାକିସ୍ତାନ ମଧ୍ୟ ଭୋଗୁଛି।
ପାକିସ୍ତାନଠାରୁ ପୂର୍ବ-ପାକିସ୍ତାନ ଅଲଗା ହୋଇ ୧୯୭୧ ମସିହା ମାର୍ଚ୍ଚ ମାସ ୨୬ ତାରିଖରେ ବାଂଲାଦେଶ ନାମରେ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ହାସଲ କରିଥିଲା। ଏବେ କିନ୍ତୁ ବାଂଲାଦେଶ ତୁଳନାରେ ପାକିସ୍ତାନ ବହୁ ପଛରେ। ପାକିସ୍ତାନ ରାଜନୀତିରେ କଟ୍ଟର ଧାର୍ମିକ ମୌଳବାଦୀ, ଆତଙ୍କବାଦୀ ଓ ସେନା ହସ୍ତକ୍ଷେପ ଫଳରେ ସେଠାକାର ବିଧାୟକ ଓ ସାଂସଦମାନେ ଦେଶ ବିକାଶରେ ପଦକ୍ଷେପ ନେବାର ସାହସ ଯୁଟାଇ ପାରୁନାହାନ୍ତି, କାର୍ଯ୍ୟପାଳିକା ଅଥର୍ବ ହୋଇଯାଇଛି। ଫଳତଃ ପାକିସ୍ତାନର ବିକାଶ ଏବେ ପଙ୍ଗୁ, ଭୁଶୁଡି ଯାଇଛି ଅର୍ଥନୀତି। ଆୟତନରେ ପ୍ରାୟ ପାଞ୍ଚଗୁଣ ବଡ଼ ସିନ୍ଧୁ ଉପତ୍ୟକାର ଦେଶ ପାକିସ୍ତାନର ବିଦେଶୀ ମୁଦ୍ରା ଭଣ୍ଡାର ପରିମାଣ ବାଂଲାଦେଶର ପାଞ୍ଚ ଭାଗରୁ ଭାଗେ ହୋଇଥିବାରୁ ଏବେ ଅଟା କିଣିବା ପାଇଁ ହାତ ପତାଇଲେ ବି, କିଣିବାକୁ ନଅଣ୍ଟ ପଡୁଛି। ବାଂଲାଦେଶର ଆର୍ଥିକ ଅଭିବୃଦ୍ଧି ଦେଖିଲା ପରେ ଏହାକୁ ଦକ୍ଷିଣପୂର୍ବ ଏସିଆର ‘ନୂଆ ବାଘ’ କୁହାଗଲାବେଳେ ପାକିସ୍ତାନ ଋଣ ପରିଶୋଧ କରିବାକୁ ଗଧଚାଷ କରିବା ଅକଳ୍ପନୀୟ। ପାକିସ୍ତାନ ଆତଙ୍କବାଦର ଜନକ ଭାବେ ବିଶ୍ୱ ସମୁଦାୟଙ୍କ ନିକଟରେ କୁଖ୍ୟାତି ଅର୍ଜନ କରିଥିଲାବେଳେ ଭାରତ ଜି-୨୦ ରାଷ୍ଟ୍ର ସମୂହର ଅଧ୍ୟକ୍ଷତା କରିବାର ସମ୍ମାନ ପାଇଛି।
ଆତଙ୍କବାଦୀ ସଙ୍ଗଠନକୁ ପାଣ୍ଠି ଯୋଗାଣକୁ ନିୟନ୍ତ୍ରିତ କରିବା ପାଇଁ ଅନ୍ତର୍ଜାତୀୟ ସ୍ତରରେ ଗଠିତ 'ଆର୍ଥିକ ଆକ୍ସନ ଟାସ୍କ ଫୋର୍ସ' (ଏଫଏଟିଏଫ) ପାକିସ୍ତାନକୁ ବାରମ୍ବାର ତାଗିଦ କରୁଥିବା ସତ୍ତ୍ୱେ କିଛି ପରିବର୍ତ୍ତନ ହେଉନି। ଆଜି ବି ପାକିସ୍ତାନ ସେନାର ଗୁଇନ୍ଦା ବିଭାଗ ପାକ ଅଧିକୃତ କାଶ୍ମୀର ଘାଟିରେ ଥିବା ପ୍ରାୟ ଡଜନେ ତାଲିମ କେନ୍ଦ୍ରରେ ବିଭିନ୍ନ ଦେଶରୁ ଅଣା ଯାଇଥିବା ଯୁବକଙ୍କୁ ଆତଙ୍କବାଦ ତାଲିମ ଦେଉଛି। ସେଠାରେ ତାଲିମ ନେଇ ସରକାରଙ୍କ ଛତ୍ରଛାୟାରେ ପ୍ରତିପାଳିତ ଲସ୍କର-ଇ-ତୋଇବା ଏବଂ ଜୈଶ-ଇ-ମହମ୍ମଦ ଇତ୍ୟାଦି ଆତଙ୍କବାଦୀ ସଙ୍ଗଠନମାନେ ଯେ ପାକିସ୍ତାନରୁ କେବଳ ଆର୍ଥିକ ସହଯୋଗ ପାଉଛନ୍ତି ତାହା ନୁହେଁ, ବରଂ ସେମାନଙ୍କୁ ଭାରତ ଓ ଅନ୍ୟାନ୍ୟ ରାଷ୍ଟ୍ରକୁ ପଠାଯାଇ ସନ୍ତ୍ରାସବାଦ ଚଳାଇ ରଖିଛନ୍ତି। 'ଏଫଏଟିଏଫ' ଚେତାବନୀକୁ ବେଖାତିର କରି ପାକିସ୍ତାନ ସରକାର ଆନ୍ତର୍ଜାତୀୟ ସ୍ତରରେ କୁଖ୍ୟାତ ଜୈଶ-ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାରକୁ ମୁକ୍ତି ଦେବIଠୁ ଆରମ୍ଭ କରି ଲସ୍କର-ଇ-ତୋଇବା ମୁଖ୍ୟ ହାଫିଜ ସୟିଦକୁ ଓ ମୁମ୍ବାଇ ବୋମା ବିସ୍ଫୋରଣର ଖଳନାୟକ ଦାଉଦ ଇବ୍ରାହିମ ସମେତ ଅନେକ ଆତଙ୍କ ସୃଷ୍ଟିକାରୀଙ୍କୁ ସୁରକ୍ଷା ଦେଉଛି। ଆଫଗାନିସ୍ତାନରେ ସକ୍ରିୟ ଥିବା 'ହକ୍କାନୀ ଗୋଷ୍ଠୀ' ଓ 'ଅଲ୍ କାଏଦା'କୁ ପାକିସ୍ତାନର ଗୁପ୍ତଚର ସଂସ୍ଥା 'ଆଇଏସଆଇ' ସାମରିକ, ଆର୍ଥିକ ଓ ତଥ୍ୟଗତ ସହଯୋଗ ଯୋଗାଇଦେଉଥିବାର ଅଭିଯୋଗ ଆସୁଛି। ଏହି ଅଭିଯୋଗ କେବଳ ଭାରତ ନୁହେଁ, ବରଂ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ ଓ ଆମେରିକା ଆଣୁଛନ୍ତି; ଯାହା କେବଳ ନିଛକ ବାସ୍ତବତାକୁ ପ୍ରମାଣ କରୁଛି।
କାଶ୍ମୀରରେ ଭାରତୀୟ ସେନା ମାନବାଧିକାର ଉଲଂଘନ କରୁଥିବାର ଅଭିଯୋଗ କରୁଥିବା ପାକିସ୍ତାନୀ ସେନା ବେଲୁଚିସ୍ତାନ, ସିନ୍ଧ ଓ ପାଖତୁନଖାୱାରେ ବର୍ବର ଅତ୍ୟାଚାର ଚଳାଇଛି। ପାକିସ୍ତାନରେ ମାନବାଧିକାର ଏକ ଅଲୋଡ଼ା ଶବ୍ଦ ମାତ୍ର। ଏ ସମ୍ପର୍କରେ ପ୍ରାମାଣିକ ତଥ୍ୟ ଜାତିସଙ୍ଘ ମାନବାଧିକାର ପରିଷଦକୁ ପ୍ରଦାନ କରିଛନ୍ତି ଲଣ୍ଡନରେ ଆଶ୍ରୟ ନେଇଥିବା ନିର୍ବାସିତ ପାକିସ୍ତାନୀ ନେତା ତଥା 'ମୁତାହିଦ କ୍ଵାମି ମୁଭମେଣ୍ଟ'ର ପ୍ରତିଷ୍ଠାତା ଅଲତାଫ ହୁସେନ। ଜଣେ କେହି ବି କାଶ୍ମୀର ନେତା ଭାରତ ଛାଡ଼ି ଅନ୍ୟ ରାଷ୍ଟ୍ରରେ ଆଶ୍ରୟ ନେଇନଥିଲେ ହେଁ ପାକ ଅଧିକୃତ କାଶ୍ମୀର ବା ପିଓକେ ଅନ୍ତର୍ଗତ ଗିଲଗିଟ ବଲଟିସ୍ତାନ ନେତା ସେଙ୍ଗେ ସେରିଙ୍ଗ, ବେଲୁଚିସ୍ତାନ ଓ ସିନ୍ଧ ପ୍ରଦେଶର ଅନେକ ପ୍ରବାସୀ ପାକ-ରାଜନେତା ପାକିସ୍ତାନ ବିରୁଦ୍ଧରେ ପ୍ରତିବାଦ କରୁଛନ୍ତି।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହଵାଜ ସରିଫ ଭାରତ ସହିତ ନିଃସର୍ତ୍ତ କଥାବାର୍ତ୍ତା ଲାଗି ଆଗ୍ରହ ପ୍ରକାଶ କରିଥିବା କଥା ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ବି ତାଙ୍କର ସରକାରଙ୍କ ପକ୍ଷରୁ ଏଭଳି କୌଣସି ବିଧିବଦ୍ଧ ପ୍ରସ୍ତାବ ଭାରତ ସରକାରଙ୍କ ହସ୍ତଗତ ହୋଇନାହିଁ। ବରଂ, ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଉପରେ ପାକ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କିଛି ସର୍ତ୍ତ ବିଷୟରେ ଉଲ୍ଲେଖ କରିଛି। ସେଠାକାର ବିରୋଧୀ ଦଳମାନେ ଓ ଜନସାଧାରଣ ମଧ୍ୟ ସରିଫଙ୍କ ନିଃସର୍ତ୍ତ ଆଲୋଚନା ପ୍ରସ୍ତାବକୁ ଘୋର ବିରୋଧ କରିଛନ୍ତି। ତୁର୍କୀରେ ଘଟିଯାଇଥିବା ପ୍ରଳୟଙ୍କରୀ ଭୂକମ୍ପ ପରେ ପରେ ଭାରତ ଯେଭଳି ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇଲା ତାହାକୁ ସମଗ୍ର ବିଶ୍ୱ ଦେଖିଛି। ଅଥଚ ଭାରତୀୟ ବିମାନ ପାକ-ଆକାଶ ପଥ ବ୍ୟବହାର କରି ତୁର୍କୀରେ ଯଥାଶୀଘ୍ର ପହଞ୍ଚିବା ପାଇଁ ଅନୁମତି ଦେଇନଥିଲା ନିଜକୁ ଇସ୍ଲାମ ରାଷ୍ଟ୍ର ଓ ତୁର୍କୀର ବନ୍ଧୁ ବୋଲାଉଥିବା ପାକିସ୍ତାନ। କାଶ୍ମୀର ପ୍ରସଙ୍ଗରେ ସବୁବେଳେ ପାକିସ୍ତାନକୁ ସମର୍ଥନ କରୁଥିବା ତୁର୍କୀ ଏବେ ଭାରତକୁ ବିପଦକାଳୀନ ବନ୍ଧୁ ମନେକଲାବେଳେ ପାକିସ୍ତାନୀ ଜନତା, ସେନା ଓ ସନ୍ତ୍ରାସବାଦୀ ଆଜି ବି ଭାରତ ବିରୋଧୀ। ଯଦି କେବେ ପାକିସ୍ତାନୀ ଜନଗଣଙ୍କ ଦ୍ୱାରା ନିର୍ବାଚିତ ସରକାର ନିଜ ଦେଶବାସୀଙ୍କ ଦୁଃଖ, ଦୈନ୍ୟ ଦୂରକରି ବିକାଶ ପଥରେ ଆଗେଇବାକୁ ମନ ସ୍ଥିର କରିବେ, ସେଥିପାଇଁ ଭାରତ ସହିତ ଶତୃତା ନୁହେଁ, ବନ୍ଧୁତା ଆଦରିବାକୁ ପଣ କରିବାକୁ ହେବ। ଭାରତ ସହ କଥାବାର୍ତ୍ତା ଲାଗି ଅନୁକୂଳ ପରିବେଶ ସୃଷ୍ଟି ଦାୟିତ୍ୱ ପାକିସ୍ତାନର। ଭାରତ ସହ ଆଲୋଚନା କରି ଶାନ୍ତିର ବାତାବରଣ ସୃଷ୍ଟି କରିବାକୁ ଆଗ୍ରହୀ ବୋଲି ବିଦେଶୀ ଗଣମାଧ୍ୟମରେ କେବଳ ବିବୃତ୍ତି ଦେଇଦେଲେ ତାହାକୁ କପଟ କୂଟନୀତି କୁହାଯିବ ସିନା, ତାହା ପାକିସ୍ତାନୀ ଜନତାଙ୍କର ଅସହାୟତା ଦୂର କରିପାରିବନି। ପାକିସ୍ତାନର ବୁଦ୍ଧିଜୀବୀ ଓ ରାଜନେତାମାନେ ସେ ଦେଶର ଜନସାଧାରଣଙ୍କୁ ଭାରତ ସହ ଶତୃତା ନୁହେଁ, ବନ୍ଧୁତା ଆଦରିବା ସପକ୍ଷରେ ବୁଝାଇବାର ସମୟ ଆସିଛି। ନହେଲେ, ବୁଡ଼ିଗଲା ଗୋଡ଼ ତଳକୁ ତଳକୁ ଗଲା ଭଳି, ପାକିସ୍ତାନ ରସାତଳଗାମୀ ହେବା ଜଳ ଜଳ ଦେଖାଯାଉଛି।
ଜାନକୀଶ ବଡ଼ପଣ୍ଡା
ଫୋ- ୯୪୩୮୨୯୯୦୩୭
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
