ବିଶ୍ୱବ୍ୟାପୀ ଠିକ, ମହାମାରୀ ଭୁଲ!

ଦେବେନ୍ଦ୍ର ପୃଷ୍ଟି

ସେତେବେଳେ ହାଇସ୍କୁଲରେ ପଢ଼ୁଥାଏ। ଆମ ଗାଁକୁ ନିତିଦିନିଆ ରାସ୍ତା ନଥାଏ। ନଈ ବନ୍ଧରେ ଯାଜପୁର ଟାଉନ୍‌କୁ ଲୋକେ ଯିବାଆସିବା କରନ୍ତି। ବର୍ଷା ଦିନେ ନଇବନ୍ଧରେ ଚାଲିକି ଯିବା କଷ୍ଟ। ଚପଲ ଓ ଜୋତା କାଦୁଅରେ ଲାଖିଯାଏ। ଚକରେ କାଦୁଅ ଲାଗି ସାଇକେଲ ଗଡ଼େ ନାହିଁ। ସେଇମିତି ଏକ ବର୍ଷା ଦିନେ ଗାଁର ଜଣକ ଘରେ ସାପ ପଶିଛି ବୋଲି ହୁରି ପଡ଼ିଲା। ତାଙ୍କ ଘର ଲୋକ କହିଲେ ନାଗ ସାପ। ଚାଳ ଛପର ଘର। ସାପ ଘଉଡ଼େଇବାକୁ କେତେ ଲୋକ ଜମା ହେଲେ। ଆରେ ସାପ କାହିଁ? ସାପ ସେତେବେଳକୁ କେଉଁ ସଙ୍ଗାରେ କି ଓଳିରେ ଲୁଚି ସାରିଥାଏ। ଥାଏ କି ନାହିଁ ବି ସନ୍ଦେହ। କିଏ ଦେଖିଛି? କିଏ ଜାଣିଛି? ଦିନ ଯାକ ଖୋଜାଖୋଜି ପରେ ସାପ ଦେଖାଗଲା ନାହିଁ। ଯିଏ ଯାହା ଘରକୁ ଫେରିଲେ। କିନ୍ତୁ ସେ ଘରର ଲୋକେ ଆଉ ତାଙ୍କ ଘରେ ରହିଲେ ନାହିଁ। କାଳେ ରାତିରେ ସାପ ବାହାରି କାହାକୁ କାମୁଡ଼ି ଦେବ ସେଇ ଡର। ସେମାନେ ଅନ୍ୟ ଜଣକ ଘରେ ରାତି କାଟିଲେ। ସକାଳୁ ପାଖ ଗାଁରେ ଥିବା ଜଣେ ଗୁଣିଆକୁ ଖବର ଦିଆଗଲା। ସେ ଆସିଲା। ଗୁଣି କଲା। ମନ୍ତ୍ର ପଢ଼ିଲା। ତୁମ୍ବତୁରୀ ବଜେଇଲା। ସାପ ବାହାରିଲା ନାହିଁ। ଗୁଣିଆ ବି ନିରାଶ ହୋଇ ଫେରିଲା। ଶେଷରେ ସେ ଘରର ଲୋକ ସାହସ ବାନ୍ଧିଲେ। ଭାବିନେଲେ ସାପ ବୋଧେ ପଳେଇଛି। ଲୋକେ ବି କୁହାକୁହି ହେଲେ ସାପ ମୂଷା ଖାଇବାକୁ ଆସିଥିଲା। ମୂଷା ନେଇ ପଳେଇଥିବ। ବିଭିନ୍ନ ଲୋକଙ୍କର ବିଭିନ୍ନ କଥା ଶୁଣି ସେ ଘର ଲୋକମାନେ ଆଉ କାହା ଘରକୁ ଗଲେ ନାହିଁ, ନିଜ ଘରେ ଶୋଇଲେ। ସାପ ବାହାରିଲାନି କି କାମୁଡ଼ିଲାନି। ପରେ ଅବଶ୍ୟ ତାଙ୍କ ଘରେ ଓ ଗାଁର ଅନ୍ୟ ବହୁ ଘରେ ସାପ ବାହାରିଛି। ଏପରିକି ଘରେ ଥିବାବେଳେ ସାପ କାମୁଡ଼ାରେ ମଧ୍ୟ ଜଣଙ୍କର ମୃତ୍ୟୁ ହୋଇଯାଇଛି।

ଏବେ ଦୁନିଆ ସାରା ଆତଙ୍କ ଖେଳାଇଛି ଏହିପରି ଏକ ସାପ- ସାପ ଦେହରୁ ମଣିଷକୁ ଦେହକୁ ସଂକ୍ରମଣ କରିଥିବା ଏକ ଭୂତାଣୁ ଯାହାକୁ କୁହାଯାଉଛି କରୋନା। ଏ ଭୂତାଣୁ ଚୀନ ଦେଶର ଉହାନ୍‌ରୁ ବାହାରି ସାରା ବିଶ୍ୱକୁ ସଂକ୍ରମଣ କରିଗଲାଣି। ଉହାନରେ ଆଉ ନାହିଁ। କିନ୍ତୁ ଇଟାଲୀ, ସ୍ପେନ, ଆମେରିକା, ଇରାନ, ଇଂଲଣ୍ଡ ସମେତ ପୃଥିବୀର ବହୁ ଦେଶରେ ଏବେ କରୋନା ଆତଙ୍କ। ଏ ଭୂତାଣୁ ନିର୍ଦ୍ଦିଷ୍ଟ ଭାବରେ କେଉଁ ସହରରେ ଅଛି, କେଉଁ ଗଳିରେ ଅଛି, କେଉଁ ଘରେ ଅଛି, କାହା ହାତରେ ଅଛି, କାହା ଦେହରେ କିଛି କେହି କିଛି ଜାଣି ନାହାନ୍ତି। କାରଣ ଅଧିକାଂଶ ଦେଶରେ କରୋନା ଚିହ୍ନଟ ପାଇଁ ଆବଶ୍ୟକ ପରିମାଣର ପରୀକ୍ଷା ଯନ୍ତ୍ର ବା କରୋନା ଟେଷ୍ଟିଂ କିଟ୍‌ ନାହିଁ। ତେଣୁ ସମସ୍ତେ ଏବେ ସନ୍ଦେହରେ। ସାପ ଅଛି କି ନାହିଁ ନିଶ୍ଚିତ ନହୋଇଥିବା ଆମ ଗାଁର ସେହି ଲୋକ ସାପକୁ ଡରି ପରଘରେ ରାତି କାଟିବା ପରି ଭାରତ ସମେତ ଅନ୍ୟ କେତେକ ଦେଶର ଲୋକେ ବି ଏବେ ଛାନିଆରେ ତାଟିକବାଟ ପକେଇ ଦେଇଛନ୍ତି। ବହୁ ବର୍ଷ ପରେ ଯେତେବେଳେ ହଇଜା ଲାଗୁଥିଲା ସେତେବେଳେ ଲୋକମାନେ ଠିକ ଏଇପରି ତାଟିକବାଟ ପକେଇ ଦେଉଥିଲେ। ସେତେବେଳେ ହଇଜାର ଔଷଧ ବାହାରି ନଥିଲା। ଲୋକେ ବି ସଚେତନ ନଥିଲେ। ପତଳା ଝାଡ଼ାରେ ଦେହର ଜଳୀୟ ଅଂଶ କମିଯାଉଥିବାରୁ ଲୋକଙ୍କର ମୃତ୍ୟୁ ହୋଇପାରେ ବୋଲି ବି ଲୋକେ ଜାଣିନଥିଲେ। ଓଲଟି ପତଳା ଝାଡ଼ା ହେଉଥିବା ଲୋକକୁ ପାଣି ପିଇବାକୁ ଦିଆଯାଉ ନଥିଲା। କାରଣ ପାଣି ପିଇଲେ ଝାଡ଼ା ପତଳା ହୁଏ ବୋଲି କେହି କେହି ବୁଝୁଥିଲେ। ଏବେ ଆଉ ସେ ପରିସ୍ଥିତି ନାହିଁ। ଏବେ ପତଳା ଝାଡ଼ା ହେଲା ମାତ୍ରେ ଲୋକେ ଲୁଣଚିନି ପାଣି ଘୋଳ ବା ଓଆରଏସ ପାଣି ପିଇବାକୁ ଦେଉଛନ୍ତି। ହଇଜା ଠାକୁରାଣୀଙ୍କୁ ପୂଜା ନକରି ଡାକ୍ତରଖାନା ଯାଉଛନ୍ତି। ଡିପେଣ୍ଡାଲ ଆଦି ଅନେକ ପ୍ରକାର ଔଷଧ ମିଳୁଛି। ଯାହାର ଯେମିତି ଝାଡ଼ା ସେଇ ଅନୁସାରେ ଔଷଧ ଖାଇ ଭଲ ହେଉଛନ୍ତି। ଡାଇରିଆ ଓ କଲେରା ଆଦି ରୋଗ ଆଉ ଏକ ଆତଙ୍କ ହେଇ ରହିନାହିଁ।

କିନ୍ତୁ ନୂଆ ଏକ ଥଣ୍ଡା ରୋଗ କରୋନା ଏବେ ଆତଙ୍କ। କାରଣ ଏ ରୋଗର ଔଷଧ ଏଯାଏଁ ବାହାରିନାହିଁ। ଏହା ଏକ ସଂକ୍ରାମକ ରୋଗ। ମଣିଷ ଦେହରୁ ମଣିଷ ଦେହକୁ ବ୍ୟାପିବାର ଦକ୍ଷତା ରଖିଛି କରୋନା ଭୂତାଣୁ। ଏ ରୋଗ ଯେବେ ଯାଏଁ ଚୀନର ଉହାନ ଓ ଅନ୍ୟ କେତେକ ସହରରେ ଥିଲା ଦୁନିଆରେ ଆତଙ୍କ ଖେଳି ନଥିଲା। କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥାର ଜଣେ ପଣ୍ଡିତ ଏହାକୁ ପାଣ୍ଡେମିକ୍‌ ଘୋଷଣା କରିବାରୁ ଭାରତ ସମେତ ଅନ୍ୟ ସବୁ ଦେଶରେ ଆତଙ୍କ ଦ୍ରୁତଗତିରେ ଖେଳିଗଲା। କାରଣ ଓଡ଼ିଶା ପରି ଅନେକ ଅଞ୍ଚଳରେ ଇଂରାଜୀ ପାଣ୍ଡେମିକ୍‌ର ଅନୁବାଦ ସ୍ଥାନୀୟ ଭାଷାରେ ମହାମାରୀ ବୋଲି ପ୍ରଚଳିତ ହୋଇଯାଇଛି। ଯଦିଓ ପାଣ୍ଡେମିକ୍‌ ଅର୍ଥ ମହାମାରୀ ନୁହେଁ। ମହାମାରୀ ହେଉଛି ଯେଉଁ ରୋଗରେ ବହୁ ଲୋକ ମରନ୍ତି। ହଇଜା ଏକ ମହାମାରୀ ଥିଲା। ସେତେବେଳେ ଏହି ରୋଗରେ ଗାଁ ଗାଁ ସଫା ହୋଇଯାଉଥିଲା। ଫକିରମୋହନଙ୍କ ରେବତୀ ଗପ ପଢ଼ିଥିବା ଲୋକମାନେ ନିଶ୍ଚୟ ମହାମାରୀ କ’ଣ ବୁଝିପାରୁଥିବେ। କରୋନାରେ ଏଯାଏଁ ଉହାନ୍‌ ଜନଶୂନ୍ୟ ହୋଇନାହିଁ। ଅନ୍ୟ କେଉଁ ଦେଶର କେଉଁ ସହର ବି ପଦା ହୋଇଯାଇନାହିଁ। ପାଣ୍ଡେମିକ୍‌ ଶବ୍ଦର ପ୍ରକୃତ ଅର୍ଥ ହେଉଛି ବିଶ୍ୱବ୍ୟାପି ରୋଗ। ଯେଉଁ ରୋଗ ବିଶ୍ୱର ବିଭିନ୍ନ ଅଞ୍ଚଳକୁ ସଂକ୍ରମିତ ହୁଏ ତାହାକୁ ପାଣ୍ଡେମିକ୍‌ କୁହାଯାଏ। ରୋଗ ସଂକ୍ରମିତ ହେବା ଓ ସେହି ରୋଗରେ ଗଣମୃତ୍ୟୁ ହେବା ଦୁଇଟି ଭିନ୍ନ କଥା। ସେହିପରି ଏଣ୍ଡେମିକ୍ ରୋଗ କହିଲେ ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବା ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟରେ ବ୍ୟାପୁଥିବା ରୋଗକୁ ବୁଝାଏ। କରୋନା ଏବେ ଏଣ୍ଡେମିକ୍‌ରୁ ପାଣ୍ଡେମିକ୍‌ ହୋଇଯାଇଛି। ମହାମାରୀ ହୋଇନାହିଁ।

୨୦୨୦ ମାର୍ଚ୍ଚ ୨୭ ତାରିଖ ସନ୍ଧ୍ୟା ସୁଦ୍ଧା ସମଗ୍ର ପୃଥିବୀର ୫,୫୨,୫୮୯ ଜଣ ଏହି ଭୂତାଣୁରେ ସଂକ୍ରମିତ ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୧,୨୮,୭୦୪ ଜଣ ଭଲ ହୋଇସାରିଲେଣି। ଏବେ ଚିକିତ୍ସାଧୀନ ଥିବା ୩,୯୮,୮୪୩ ଜଣଙ୍କ ମଧ୍ୟରୁ ୩,୭୭,୭୯୧ ଜଣଙ୍କଠାରେ ଭୂତାଣୁ ସଂକ୍ରମଣ ମୃଦୁ ବା ହାଲ୍‌କା। ଏହା ଚିକିତ୍ସାଧୀନ ଥିବା ବ୍ୟକ୍ତିମାନଙ୍କ ସଂଖ୍ୟାର ୯୫ ପ୍ରତିଶତ। ମାତ୍ର ୨୧,୦୫୨ ଜଣ ବା ୫ ପ୍ରତିଶତ ରୋଗୀଙ୍କ ସ୍ଥିତି ଗମ୍ଭୀର। କରୋନାରୁ ଭଲ ହୋଇଥିବା ଲୋକଙ୍କ ହାର ଚିକିତ୍ସାଧୀନ ଲୋକସଂଖ୍ୟାର ୮୪ ପ୍ରତିଶତ ଓ ମୃତ୍ୟୁବରଣ କରିଥିବା ଲୋକଙ୍କ ହାର ୧୬ ପ୍ରତିଶତ। ଏହି ପରିସଂଖ୍ୟାନ ଆଧାରରେ ଏହାକୁ ଏକ ମହାମାରୀ ବୋଲି କୁହାଯିବା କେତେ ଯୁକ୍ତିଯୁକ୍ତ? ଅଧିକନ୍ତୁ ଏହାକୁ ଏକ ମହାମାରୀ ଭାବେ ବର୍ଣ୍ଣନା କରି ରୋଗକୁ ଏକ ଆତଙ୍କରେ ପରିଣତ କରାଯାଉଛି। ଭାରତର ୧୩୦ କୋଟି ଲୋକଙ୍କ ମଧ୍ୟରୁ ଏବେ ସୁଦ୍ଧା ଏହି ରୋଗରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି। ଓଡ଼ିଶାରେ ୪.୩ କୋଟି ଲୋକଙ୍କ ମଧ୍ୟରୁ ମାତ୍ର ୩ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଦୁଇ ଜଣ ୧୫ ଦିନ ଧରି ଚିକିତ୍ସାଧୀନ ଓ ମେଡିକାଲ ଖାଦ୍ୟ ଖାଉଛନ୍ତି ବୋଲି ସରକାରଙ୍କ କରୋନା ମୁଖପାତ୍ର ବାରମ୍ବାର କହୁଛନ୍ତି। ଏ ରୋଗରେ କେହି ଏଯାଏଁ ମରି ନଥିବାବେଳେ ଏହାକୁ ମହାମାରୀ ଭାବେ ବର୍ଣ୍ଣନା କରାଯିବା କେତେ ଯୁକ୍ତିଯୁକ୍ତ?

କରୋନା ସଂକ୍ରମଣର ପ୍ରତିରୋଧ ପାଇଁ ଭାରତ ସରକାର ଓ ଓଡ଼ିଶା ସରକାର ଯାହା କରୁଛନ୍ତି ତାହା ଅବହେଳା ଓ ଅପାରଗତା ପରର ଯୁଦ୍ଧକାଳୀନ ମୁକାବିଲା। କରୋନା ସଂକ୍ରମଣ ବାବଦରେ ଅବଗତ ହେବା ପରେ ଯଦି ସରକାର୨୦୧୯ ଡିସେମ୍ବର ମାସରୁ ବିଦେଶରୁ ଫେରିଥିବା ଲୋକମାନଙ୍କୁ ଚିହ୍ନଟ କରି ଘେରାବନ୍ଦୀ କରିଥାନ୍ତେ ତେବେ ଏବେ ଦେଶର ୧୩୦ କୋଟି ଲୋକଙ୍କୁ ଗୃହବନ୍ଦୀ ହେବାକୁ ପଡ଼ିନଥାନ୍ତା। ଓଡ଼ିଶାରେ ମଧ୍ୟ ସେପ୍ରକାର ପଦକ୍ଷେପ ନିଆଯାଇ ନଥିଲା। ବିଦେଶ ଫେରନ୍ତାଙ୍କ ଜରିଆରେ ଏହି ଭୂତାଣୁ ଅନ୍ୟ ବହୁ ଲୋକଙ୍କୁ ସଂକ୍ରମିତ ହୋଇଥିବାର ଆଶଙ୍କା ରହିଛି। ତେଣୁ ସରକାର ଏବେ ଛାନିଆ ହେଲା ଭଳି ପଦକ୍ଷେପ ନେଇଛନ୍ତି। ବିଦେଶ ଫେରନ୍ତାଙ୍କୁ ଚିହ୍ନଟ କରିବାରେ ସରକାରଙ୍କର ଆଦୌ ଅସୁବିଧା ନାହିଁ। ଏହା ବି ଏକ ସହଜ ପ୍ରକ୍ରିୟା। ପାସ୍‌ପୋର୍ଟ, ଭିସା ଓ ବିମାନ ଟିକଟ ବିନା କେହି ଚୀନ, ଆମେରିକା, ଇଟାଲୀ ଓ ସ୍ପେନ ଭଳି ଦେଶ ଗସ୍ତରେ ଯାଇନଥାନ୍ତି। ସେମାନଙ୍କର ସମସ୍ତ ତଥ୍ୟ ବିଦେଶ ମନ୍ତ୍ରଣାଳୟ, ବିମାନ କମ୍ପାନୀ ଓ ବିମାନ ବନ୍ଦରରେ ଉପଲବ୍ଧ ଥିବ। ସରକାର ସେ ତଥ୍ୟ ଏକାଠି କରି ପୁଲିସ ଜରିଆରେ ସେମାନଙ୍କ ଘର ଓ ବନ୍ଧୁବାନ୍ଧବମାନଙ୍କୁ କରୋନା-ସନ୍ଦିଗ୍ଧ ଭାବେ ଘୋଷଣା କରି ଏକାନ୍ତବାସରେ ରଖିଥିଲେ ଆଜି ଅନୁମାନରେ ଦେଶ ସାରା ଲୋକଙ୍କୁ ଗୃହବନ୍ଦୀ ହେବାକୁ ପଡ଼ିନଥାନ୍ତା। ସରକାର ପୁଲିସକୁ ବିଦେଶ ଫେରନ୍ତାଙ୍କ ଘରକୁ ନପଠାଇ ସାଧାରଣ ଲୋକଙ୍କ ଘରକୁ ପଠାଇ ଦୁଆର ବନ୍ଦ କରିବାକୁ କହୁଛନ୍ତି, ଦୋକାନ ବନ୍ଦ କରିବାକୁ କହୁଛନ୍ତି, ରାସ୍ତାରେ ଯିବାକୁ ବାରଣ କରୁଛନ୍ତି।

ଏଇ ପରିସ୍ଥିତିରେ ଲୋକଙ୍କ ପାଇଁ ସରକାର ତାଙ୍କ କର୍ତ୍ତବ୍ୟ ଅବଶ୍ୟ ଦାୟିତ୍ୱ ସଂପନ୍ନ ଭାବେ ପାଳନ କରୁଛନ୍ତି। ଗୃହବନ୍ଦୀ ରହୁଥିବା ଗରୀବ ଓ ମୂଲିଆ ଶ୍ରେଣୀର ଲୋକଙ୍କ ଚଳିବା ପାଇଁ ଯେଉଁ ଖାଦ୍ୟ ଓ ମଜୁରୀ ସହାୟତା ଘୋଷଣା କରାଯାଉଛି ତାହା ମନ୍ଦ ନୁହେଁ। ତେବେ ସରକାର କର୍ମଚାରୀମାନଙ୍କୁ ଆଗୁଆ ଦରମା ଦେବା ଓ ଆତ୍ମ ପ୍ରଚାରରେ ଅଧିକ ଖର୍ଚ୍ଚ ନକରି ସେଇ ଟଙ୍କାରେ କରୋନା ଟେଷ୍ଟିଂ କିଟ୍‌ ଓ ଡାକ୍ତରୀ କର୍ମଚାରୀଙ୍କ ନିମନ୍ତେ ଭୂତାଣୁ ପ୍ରତିରୋଧୀ ପୋଷାକ କିଣିବା ଜରୁରୀ। ତାହା ସରକାରଙ୍କ କରୋନା ଯୋଜନାରେ ଅଗ୍ରାଧିକାର ପାଇବା କଥା। ଏଯାଏଁ ସେଭଳି ହୋଇନାହିଁ। କରୋନା ମୁକାବିଲା ପାଇଁ ଆଗ ଦରକାର ଟେଷ୍ଟିଂ କିଟ୍‌। ଦେଶ ଭିତରେ ଏହି କିଟ୍‌ ୫୦ ହଜାର ଟଙ୍କାରୁ ୧.୮୦ ଲକ୍ଷ ଟଙ୍କାରେ ମିଳୁଛି। ବିଦେଶରୁ ମଗାଇଲେ ୪-୧୫ ଲକ୍ଷ ଟଙ୍କା ପଡ଼ୁଛି। ଓଡ଼ିଶା ସରକାର ଚାହିଁଲେ ସବୁ ଜିଲ୍ଲା ହସ୍ପିଟାଲରେ ଏଭଳି ଦି’ ଚାରିଟା କିଟ୍‌ ରଖିପାରିବେ। ଟେଷ୍ଟ କିଟ୍‌ ନଥିଲେ କାହାକୁ କରୋନା ହୋଇଛି ଜାଣିବେ କିପରି? କାହାକୁ କରୋନା ହୋଇଛି ବୋଲି ନଜାଣି ସମସ୍ତଙ୍କୁ ସନ୍ଦେହ ପରିସରଭୁକ୍ତ କରିବା ଏବଂ ଦିନଦିନ ଧରି କାର୍ଯ୍ୟନିବୃତ୍ତ କରିବା କେତେ ଠିକ?

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।