Advertisment

Pandian Syndrome: ପାଣ୍ଡିଆନ୍ ଏକ ରୋଗ ନୁହେଁ; ଉପସର୍ଗ

ଏହି ସିଣ୍ଡ୍ରୋମ୍ ହେଉଛି ଏପରି ଏକ ପରିସ୍ଥିତି ଯେଉଁଥିରେ ଜଣେ ପ୍ରତିଭାସମ୍ପନ୍ନ ତରୁଣ ଆଇଏଏସ ଅଧିକାରୀ ନିଜର ବୃତ୍ତିଗତ ଜୀବନରେ ଅନୈତିକ ଉପାୟ ଅବଲମ୍ବନ କରି ପ୍ରଶାସନିକ କ୍ଷମତା ସହିତ ଶାସନ କ୍ଷମତା ହଡ଼ପ କରିବାର ଅପଚେଷ୍ଟା କରି ମଧ୍ୟ ନିଜର କଳାତ୍ମକ ପ୍ରୟାସରେ ବିଫଳ ହେବା।

author-image
Janakish Badapanda
pandian

VK Pandian With Naveen Patnaik Photograph: (Internet)

ଜାନକୀଶ ବଡ଼ପଣ୍ଡା

ଏବେ ଭୈରବ କାର୍ତ୍ତିକେୟନ୍ ପାଣ୍ଡିଆନ୍ ଜଣେ ବହୁଚର୍ଚ୍ଚିତ ବ୍ୟକ୍ତି। ଏହି ଅଣଓଡ଼ିଆ ବ୍ୟକ୍ତିଙ୍କ ବିବର୍ତ୍ତନ ସମ୍ବନ୍ଧରେ କିଛି ଲେଖିବା ପୂର୍ବରୁ ୧୪,୩୫୬ କୋଟି ଟଙ୍କା ଋଣ ହଡ଼ପ କରି ବିଦେଶ ପଳାୟନ କରି ଥିବା ଗହଣା ବ୍ୟବସାୟୀ ନୀରଵ ମୋଦି, ମେହୁଲ୍ ଚୋକ୍ସିଙ୍କ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଠକେଇ ବିଷୟରେ ସୂଚନା ଦେବା ଉଚିତ ହେବ। ଏହି ଠକେଇରେ ଯେଉଁ ବେତନଭୋଗୀ ଅଧିକାରୀ ସମ୍ପୃକ୍ତ ଥିଲେ ସେମାନେ ହେଲେ ବ୍ୟାଙ୍କର ତତ୍କାଳୀନ ମୁଖ୍ୟ ଉଷା ଅନନ୍ତସୁବ୍ରମନିୟନ୍, ପରିଚାଳନା ନିର୍ଦ୍ଦେଶକ କେଭି ବ୍ରହ୍ମାଜୀ ରାଓ ଏବଂ ଋଣ ପ୍ରଦାନ କରିଥିବା ମୁମ୍ବାଇ ସ୍ଥିତ ବ୍ରାଡି ହାଉସ୍ ଶାଖାର ଜଣେ ଅଧିକାରୀ ସଞ୍ଜିବ ଶରଣ। ଏହି ଅଧିକାରୀ ଜଣକ ପାଣ୍ଡିଆନଙ୍କ ଭଳି ଦୀର୍ଘ କାଳ ଗୋଟିଏ ଟେବୁଲରେ ବସି ବିଦେଶୀ ମୁଦ୍ରା କାରବାର ଏବଂ ଋଣପତ୍ର ବିଶେଷଜ୍ଞ ଭାବେ ସର୍ବମାନ୍ୟତା ଲାଭ କରିଥିଲେ। ଦିନେ ସଞ୍ଜିବ ଶରଣ ଛୁଟିରେ ଥିଲାବେଳେ ଅନ୍ୟ ଜଣେ ଅଧିକାରୀ ସେହି ଟେବୁଲରେ ବସିବା ଫଳରେ ବ୍ୟାଙ୍କ ଠକେଇର ପର୍ଦାଫାସ ହୋଇଥିଲା। ସର୍ବୋଚ୍ଚ ଅଧିକାରୀଙ୍କ ସମ୍ପୃକ୍ତି, ନିୟମିତ ତନଖି ନହେବା ଏବଂ ନିୟମ ଉଲଂଘନ କରାଯାଇ ଦୀର୍ଘଦିନ ଧରି ଅଧିକାରୀଙ୍କୁ ବଦଳି ନକରି ତାଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳତା କାରଣରୁ ଏତେବଡ଼ ବ୍ୟାଙ୍କ ଠକେଇ ସମ୍ଭବ ହୋଇଥିଲା। ଓଡ଼ିଶାରେ ମଧ୍ୟ ଏହିଭଳି କିଛି ସର୍ବଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କୁ (ଆଇଏଏସ) ବିନା ବଦଳିରେ ଗୋଟିଏ ପଦରେ ଦୀର୍ଘ ବର୍ଷ ଧରି ରଖାଯାଇ ସେମାନଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳତା ଦେଖିବାକୁ ମିଳିଥିଲା। ଏହାକୁ 'ପାଣ୍ଡିଆନ୍ ସିଣ୍ଡ୍ରୋମ୍' ବା ଏକ ଭୟାବହ ରୋଗର ଲକ୍ଷଣ ଏବଂ ଉପସର୍ଗ କୁହାଯାଇପାରେ।  

Advertisment

ଆମେ ଯେଉଁ ସିଣ୍ଡ୍ରୋମ୍ ବିଷୟରେ ଆଲୋଚନା କରୁଛେ ତାହା ଏପରି ଏକ ପରିସ୍ଥିତି ଯେଉଁଥିରେ ଜଣେ ପ୍ରତିଭାସମ୍ପନ୍ନ ତରୁଣ ଆଇଏଏସ ଅଧିକାରୀ ନିଜର ବୃତ୍ତିଗତ ଜୀବନରେ ଅନୈତିକ ଉପାୟ ଅବଲମ୍ବନ କରି ପ୍ରଶାସନିକ କ୍ଷମତା ସହିତ ଶାସନ କ୍ଷମତା ହଡ଼ପ କରିବାର ଅପଚେଷ୍ଟା କରିଥିଲେ ମଧ୍ୟ ନିଜର କଳାତ୍ମକ ପ୍ରୟାସରେ ବିଫଳ ହୋଇଥିଲେ। ଆମେ ତାମିଲନାଡୁରେ ଜନ୍ମିତ ଆଇଏଏସ ଭଳି ସମ୍ମାନଜନକ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ୨୦୦୦ ମସିହାରେ କୃତକାର୍ଯ୍ୟ ହୋଇଥିବା ଭୈରବ କାର୍ତ୍ତିକେୟନ୍ ପାଣ୍ଡିଆନଙ୍କ (ଭିକେ ପାଣ୍ଡିଆନ୍) ବିଷୟରେ ହିଁ କହୁଛୁ। ଜଣେ ଓଡ଼ିଶା କ୍ୟାଡରର ଓଡ଼ିଆ ଆଇଏଏସ ଅଧିକାରୀଙ୍କ ସହିତ ବିବାହ ପରେ ପଞ୍ଜାବ କ୍ୟାଡରରୁ ଓଡ଼ିଶା କ୍ୟାଡରକୁ ସେ ବଦଳି ହୋଇଆସିଥିଲେ। ବିଭିନ୍ନ ପଦବୀରେ ରହି କଠିନ ପରିଶ୍ରମ କରିଥିବାରୁ ତାଙ୍କୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଜିଲ୍ଲା ଗଞ୍ଜାମର ଜିଲ୍ଲାପାଳ ଭାବେ ଦାୟିତ୍ୱ ଦେଇଥିଲେ। 
୨୦୧୧ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବରେ ତାଙ୍କୁ ନିଯୁକ୍ତି ମିଳିଲା। ସେ ଏହି ପଦବୀରେ ଦୀର୍ଘ ବାରବର୍ଷ କାଳ ବିନା ବଦଳିରେ ବିତାଇଥିଲେ। ତାଙ୍କୁ ଏତେ ଦିନ ଧରି ସେହି ଗୋଟିଏ ପଦବୀରେ କାର୍ଯ୍ୟକରିବାକୁ କିଏ ଅନୁମତି ଦେଇଥିଲେ? ତାଙ୍କୁ ଅନ୍ୟ ପଦବୀକୁ କିମ୍ବା କେନ୍ଦ୍ର ଡେପୁଟେସନରେ କାହିଁକି ପଠାଯାଇ ନଥିଲା? ଏହିପରି କିଛି ପ୍ରଶ୍ନର ସଠିକ୍ ଉତ୍ତର ମିଳିବା କଷ୍ଟ। ସର୍ବଭାରତୀୟ ସେବା ଅଧିକାରୀମାନଙ୍କ ନିୟମିତ ବଦଳି ସଚରାଚର ଦେଖାଯାଏ, ଯଦିଓ ଏହାର ବିଭିନ୍ନ ଉଦ୍ଦେଶ୍ୟ ଥାଇପାରେ। ସେଥିମଧ୍ୟରୁ ଗୋଟିଏ ହେଉଛି ସରକାରୀ କାର୍ଯ୍ୟ ମାଧ୍ୟମରେ ବ୍ୟକ୍ତିଗତ ସ୍ୱାର୍ଥ ସାଧନ କରିବାରୁ ଅଧିକାରୀମାନଙ୍କୁ ରୋକିବା। ଏହି ନୀତି ଭିକେ ପାଣ୍ଡିଆନଙ୍କ ସମେତ ତାଙ୍କର କିଛି ମନୋନୀତ ଅଧିକାରୀଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ହୋଇ ନଥିଲା ଏବଂ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନିଶ୍ଚିତ ଭାବରେ ଏଥିପାଇଁ ଅନୁମତି ଦେଇଥିଲେ। ଓଡ଼ିଶାର ଅମଲାତାନ୍ତ୍ରିକ ଏବଂ ରାଜନୈତିକ କ୍ଷେତ୍ରରେ ଏହା ଏକ ଅଦ୍ଭୁତ ପରିସ୍ଥିତି ସୃଷ୍ଟି କରିଥିଲା।

ଯେତେବେଳେ ନିର୍ଦ୍ଦିଷ୍ଟ ସମୟାନ୍ତରରେ ପାଣ୍ଡିଆନ୍ ଓଡ଼ିଶା ସରକାରଙ୍କ ସଚିବ ସ୍ତରୀୟ ଅଧିକାରୀ ହେଲେ ଫାଇଭ୍-ଟି ନାମକ ଏକ ଅଦୃଶ୍ୟ ବିଭାଗ ସୃଷ୍ଟି କରାଯାଇ ତାଙ୍କୁ ଏହି ବିଭାଗର ସଚିବ କରାଯାଇଥିଲା। ଏହି ‘ଫାଇଭ୍-ଟି’ର ଅର୍ଥ ହେଉଛି ଦଳଗତ କାର୍ଯ୍ୟ, ସ୍ୱଚ୍ଛତା, ପ୍ରଯୁକ୍ତିବିଦ୍ୟା, ସମୟ ଏବଂ ପରିବର୍ତ୍ତନ। ଏହି ଗୁଣଗୁଡ଼ିକ ସର୍ବଦା ସୁଶାସନ ଏବଂ ସାଧାରଣ ବ୍ୟାପାର ପରିଚାଳନାର ଏକ ସାଧାରଣ ଅଂଶ ହୋଇ ରହିଆସିଛି। ତଥାପି, କେହି ବି ମନ୍ତ୍ରୀ ନଥିବା ଏହି ବିଭାଗର ସଚିବ ଅପ୍ରମିତ କ୍ଷମତା ଆହରଣକରି ନିଜକୁ ସର୍ବସାଧାରଣରେ ମୁଖ୍ୟମନ୍ତ୍ରୀଙ୍କ ‘ଫାଇଭ୍-ଟି’-ସଚିବ ଭାବରେ ସମ୍ବୋଧିତ ହେଉଥିଲେ। ‘ଫାଇଭ୍-ଟି’ ପରିକଳ୍ପନାକୁ ପ୍ରତ୍ୟେକ ବିଭାଗରେ କାର୍ଯ୍ୟକାରୀ କରିବା ଏବଂ ସେସବୁର ତଦାରଖ କରିବା ବାହାନାରେ ଏହି ବିଭାଗର ସଚିବ ଅବାଧରେ କ୍ରୀଡ଼ା, କୃଷି, ଜଳସେଚନ, ରାସ୍ତା, ସେତୁ, ମନ୍ଦିର ଏବଂ ହସ୍ପିଟାଲ ଥିବା ସ୍ଥାନ ପରିଦର୍ଶନ କରିବାକୁ ଆରମ୍ଭ କଲେ। ସେ ଓଡ଼ିଶାର ସରକାରୀ ଏବଂ ସାଧାରଣ ବ୍ୟାପାର ପରିଚାଳନା କ୍ଷେତ୍ରରେ ସର୍ବଶକ୍ତିମାନ ଏବଂ ସର୍ବବ୍ୟାପୀ ହୋଇଗଲେ; ଯଦିଓ ‘ଫାଇଭ୍-ଟି’ ରାଜ୍ୟ ସରକାରଙ୍କର ଏକ ନୂତନ ବିଭାଗ ଭାବେ କ୍ୟାବିନେଟ୍ ଅନୁମୋଦନ ପାଇନଥିଲା କିମ୍ବା ବିଭାଗରେ କେହି ବି କର୍ମଚାରୀ ନିଯୁକ୍ତ ହୋଇ ନଥିଲେ। ତଥାପି, ଶାସକ ଓ ପ୍ରଶାସନିକ ସ୍ତରରେ କେହି ଜଣେ ବି ଏହି ବେନିୟମ ବ୍ୟବସ୍ଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ଦେଖାଯାଇ ନଥିଲା I

Advertisment

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ‘ଫାଇଭ୍-ଟି’ ସଚିବ ଥିବା ଏହି ସର୍ବଶକ୍ତିମାନ ପ୍ରଶାସକ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗ ପରିଚାଳନା କରୁଥିବା ବରିଷ୍ଠ ବାବୁମାନଙ୍କର ଏକ ନ୍ୟସ୍ତସ୍ୱାର୍ଥୀ ଗୋଷ୍ଠୀ ସ୍ଥାପନ କରିଥିଲେ ଏବଂ ଏହି ଗୋଷ୍ଠୀର ସଦସ୍ୟମାନେ ଅନେକ ବର୍ଷ ଧରି ଗୋଟିଏ ପଦବୀରେ ରହିଥିଲେ। ଏହି ବାବୁମାନେ ସେମାନଙ୍କର ସରକାରୀ କାର୍ଯ୍ୟ ସହିତ ସରକାରୀ ଦଳ ଅର୍ଥାତ ବିଜେଡିର ରାଜନୈତିକ ବ୍ୟାପାର ମଧ୍ୟ ପରିଚାଳନା କରୁଥିଲେ। ଏହି ବାବୁମାନଙ୍କ ମଧ୍ୟରେ ତାଙ୍କର ଝାରଖଣ୍ଡୀ-ଓଡ଼ିଆଣୀ ପତ୍ନୀ ସାମିଲ ଥିଲେ; ଯେ କି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଅଧୀନସ୍ଥ ‘ମିଶନ ଶକ୍ତି’ ପରିଚାଳନା କରୁଥିଲେ। ପରେ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ଏକ ପୂର୍ଣ୍ଣାଙ୍ଗ ବିଭାଗକୁ ଉନ୍ନୀତ କରାଯାଇଥିଲା। ବିଜେଡି ପାଇଁ ଭୋଟ ସଂଗ୍ରହର ପ୍ରମୁଖ ମାଧ୍ୟମ ପାଲଟିଥିବା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ପରିଚାଳନା କରୁଥିଲା ଏହି ବିଭାଗ। ଅନେକ ବାବୁ ଶାସକ ଦଳର ପାଣ୍ଠି ସଂଗ୍ରହକାରୀ ମଧ୍ୟ ହୋଇଥିଲେ। ଓଡ଼ିଶାରେ କାର୍ଯ୍ୟରତ କିଛି ବରିଷ୍ଠ ଏବଂ କନିଷ୍ଠ ବାବୁ ‘ଫାଇଭ୍-ଟି’-ସଚିବଙ୍କ ଭଳି ତାମିଲନାଡୁରେ ଜନ୍ମ ଗ୍ରହଣ କରିଥିବାରୁ କୌଣସି ଆପତ୍ତି ନକରି ସକ୍ରିୟ ସହଯୋଗ କରିଥିଲେ। ଏହି ବାବୁମାନେ ନିଜର ରାଜନୈତିକ-ଅମଲାତନ୍ତ୍ର ଗୋଷ୍ଠୀ ମାଧ୍ୟମରେ ନୀରବରେ ରାଜ୍ୟ ପ୍ରଶାସନର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ନେବାକୁ ସାହସ କରିଥିଲେ। ସେତେବେଳେ ତାହା ବୈଧ ମନେ ହେଉଥିଲେ ମଧ୍ୟ ଏକ ବିରଳ ଦୁଃସାହସିକ କାର୍ଯ୍ୟରେ ପରିଣତ ହୋଇଥିଲା।

ତାହା ପରେ ପାଣ୍ଡିଆନ୍ ଆଉ ପଛକୁ ଫେରି ଚାହିଁ ନଥିଲେ। ସେ ଏଭଳି ଏକ କାର୍ଯ୍ୟରେ ହାତ ଦେଲେ ଯାହା ଥିଲା ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଅଧିକାର କ୍ଷେତ୍ର। ନବୀନ ବାବୁ ଅନାଗ୍ରହ, ଅନିଚ୍ଛା, ଆଳସ୍ୟ କିମ୍ବା ଅସୁସ୍ଥତା କାରଣରୁ ବିଭିନ୍ନ ଜିଲ୍ଲାକୁ ଗସ୍ତ କରିବାକୁ ଚାହୁଁ ନଥିଲେ। ଏହାର ସୁଯୋଗ ନେଇଥିଲେ ପାଣ୍ଡିଆନ୍। ସେ ‘ମୁଖ୍ୟମନ୍ତ୍ରୀଙ୍କ ଆଦେଶରେ’ କରୁଛନ୍ତି ବୋଲି ପ୍ରଚାର କରି ସମସ୍ତ ଜିଲ୍ଲା ବୁଲି ଲୋକଙ୍କଠାରୁ ଅଭିଯୋଗ ପତ୍ର ସଂଗ୍ରହ କରିବାରେ ଲାଗି ପଡ଼ିଲେ, ଯାହା ସ୍ଥାନୀୟ ଜିଲ୍ଲାପାଳ, ଏପରିକି  ବ୍ଲକ ଉନ୍ନୟନ ଅଧିକାରୀ ମଧ୍ୟ କରିପାରି ଥାଆନ୍ତେ। ରାଜ୍ୟର ବିଭିନ୍ନ ସ୍ଥାନକୁ ତାଙ୍କର ନିରନ୍ତର ଗସ୍ତ ଏକ ବିରାଟ ରାଜନୈତିକ ଝଡ଼ ସୃଷ୍ଟି କରିଥିଲା ଏବଂ ଜନସାଧାରଣ, ଗଣମାଧ୍ୟମ ଏବଂ ରାଜନେତାଙ୍କ ମଧ୍ୟରେ ବିତର୍କ ସୃଷ୍ଟି କରିଥିଲା। ବିରୋଧୀ ଦଳର ରାଜନେତା ଏବଂ ବରିଷ୍ଠ ସାମ୍ବାଦିକମାନେ ତାଙ୍କ ପଦକ୍ଷେପକୁ ତୀବ୍ର ସମାଲୋଚନା କରିଥିଲେ। ଶାସକ ଦଳର ବରିଷ୍ଠ ରାଜନେତା, ଏପରିକି ମନ୍ତ୍ରୀମାନେ ମଧ୍ୟ ତାଙ୍କୁ ବିଭିନ୍ନ ସ୍ଥାନରେ ସ୍ୱାଗତ କରି ଏବଂ ତାଙ୍କର ଗସ୍ତ ପାଇଁ ସୁବ୍ୟବସ୍ଥା କରି ଆହ୍ଲାଦିତ  ହେଉଥିଲେ। ଏହି ନେତା, ମନ୍ତ୍ରୀ ଏବଂ ବିଧାୟକମାନଙ୍କୁ ସେମାନଙ୍କ ନିଜ ନିର୍ବାଚନମଣ୍ଡଳୀରେ ଆୟୋଜିତ ସଭାରେ  ଅନେକ ସମୟରେ ଲୋକଙ୍କୁ ଉଦବୋଧନ ଦେବାର ସୁଯୋଗ ମଧ୍ୟ ଦିଆଯାଇ ନଥିଲା। ପାଣ୍ଡିଆନ କିମ୍ବା ତାଙ୍କ ଗୋଷ୍ଠୀ ଦ୍ୱାରା ଗୋପନୀୟ ଭାବେ ସର୍ଭେ କରାଯାଉଥିଲା। ପାଣ୍ଡିଆନ ପରିଦର୍ଶନ କରିଥିବା ସ୍ଥାନଗୁଡ଼ିକୁ ଯାଇ ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଉଥିଲା ଯେ ସେମାନେ ପାଣ୍ଡିଆନଙ୍କ ଗସ୍ତକୁ କେତେଦୂର ପ୍ରଶଂସା କରୁଛନ୍ତି! ଯଦି ପାଣ୍ଡିଆନ ଭବିଷ୍ୟତରେ ପ୍ରଶାସନିକ ଅଧିକାରୀ ଭୂମିକା ପରିତ୍ୟାଗ କରି ରାଜନୈତିକ ଭୂମିକା ଗ୍ରହଣ କରନ୍ତି, ତେବେ ଭୋଟରମାନେ ତାହାକୁ କିଭଳି ଭାବେ ଗ୍ରହଣ କରିବେ?

ନିରନ୍ତର ଭାବେ ବିରୋଧୀ ଏବଂ ବୁଦ୍ଧିଜୀବୀଙ୍କ ପକ୍ଷରୁ ଆହ୍ୱାନ ଆସୁଥିଲା ଯେ, ପାଣ୍ଡିଆନ ଯଦି ରାଜନୀତିରେ ରୁଚି ରଖୁଛନ୍ତି, ପରୋକ୍ଷ ରାଜନୀତି ନକରି ଚାକିରୀ ଛାଡ଼ି ପ୍ରତ୍ୟକ୍ଷ ରାଜନୀତି କରନ୍ତୁ। ସେ ଏହି ଆହ୍ୱାନ ଗ୍ରହଣ କଲେ ଏବଂ ୨୦୨୩ ଶେଷ ଆଡ଼କୁ ପଦରୁ ଇସ୍ତଫା ଦେଇ ତୁରନ୍ତ ବିଜୁ ଜନତା ଦଳରେ ଯୋଗଦେଲେ। ସରକାରୀ ଦାୟିତ୍ୱମୁକ୍ତ ପାଣ୍ଡିଆନ ଖୋଲାଖୋଲି ଭାବେ ଶାସକ ଦଳର ମୁଖ୍ୟ ରଣନୀତିଜ୍ଞ ହୋଇଗଲେ। ନବୀନ ବାବୁ ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ପଦବୀ ସହିତ ‘ଫାଇଭ୍-ଟି’ ଅଧ୍ୟକ୍ଷ ପଦରେ ବସାଇଦେଲେ। ଏବେ ବିଭିନ୍ନ ସ୍ଥାନକୁ ତାଙ୍କର ବାରମ୍ବାର ଗସ୍ତ ଦୃତ ଗତିରେ ବୃଦ୍ଧି ପାଇଲା ଏବଂ ସେ ସରକାରୀ ହେଲିକପ୍ଟର ବ୍ୟବହାର କରି ଓଡ଼ିଶାବାସୀଙ୍କ ମଧ୍ୟରେ ନିଜର ଲୋକପ୍ରିୟତା ଏବଂ ଗ୍ରହଣୀୟତା ବୃଦ୍ଧି କରିବା ପାଇଁ ପ୍ରାଣପଣେ ପ୍ରୟାସ କରି ଚାଲିଲେ। ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଯୋଜନା ପ୍ରଣୟନ କରାଗଲା। ନିର୍ବାଚନ ସମୟରେ ନବୀନ ପଟ୍ଟନାୟକ ଯେଉଁସ୍ଥାନକୁ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ ଯାଉଥିଲେ ନବୀନଙ୍କ ସହିତ ମଞ୍ଚରେ ରହୁଥିଲେ କେବଳ ପାଣ୍ଡିଆନ। ଅନ୍ୟ କେହି ଦୃଶ୍ୟମାନ ହେଉନଥିଲେ। ପାଣ୍ଡିଆନ ହିଁ ଲୋକମାନଙ୍କ ସହିତ କଥାବାର୍ତ୍ତା କରୁଥିଲେ ଏବଂ ନବୀନ ପଟ୍ଟନାୟକ ସ୍ୱଭାବତଃ ବହୁତ କମ୍ କଥା ହେଉଥିଲେ। ଲୋକମାନଙ୍କୁ ଏକ ଧାରଣା ଦିଆଯାଉଥିଲା ଯେ ନବୀନ ପଟ୍ଟନାୟକ ଜାଣିଶୁଣି ପାଣ୍ଡିଆନଙ୍କୁ ଦଳର ନିୟନ୍ତ୍ରଣ ଭାର ଟେକିଦେଇଛନ୍ତି! ନବୀନ ପଟ୍ଟନାୟକ ପାଣ୍ଡିଆନଙ୍କୁ ଏଭଳି ସର୍ବବ୍ୟାପୀ ହେବାକୁ ଅନୁମତି ଦେଇଥିଲେ ଯେ ଲୋକମାନେ ପାଣ୍ଡିଆନଙ୍କୁ କ୍ରମଶଃ ନବୀନଙ୍କ ଚଳନ୍ତି ପ୍ରତିମା ମନେକରି ଚାଲିଲେ, ନବୀନଙ୍କ ସ୍ପଷ୍ଟୀକରଣ ଉପରେ ବିଶ୍ୱାସ କଲେ ନାହିଁ। ନିଜର ଅଢ଼େଇ ଦଶନ୍ଧି ଧରି ସାର୍ବଜନୀନ ଜୀବନରେ ନବୀନ ଓଡ଼ିଶାବାସୀଙ୍କ ଯେଉଁ ବିଶ୍ୱାସ ଏବଂ ଭଲପାଇବାର ଭାବମୂର୍ତ୍ତୀ ପ୍ରତିଷ୍ଠା କରିଥିଲେ, ତାହା କିଛି ସପ୍ତାହ ମଧ୍ୟରେ ଜଳିପୋଡ଼ି ଧ୍ୱଂସ ହୋଇଗଲା!

ଭିକେ ପାଣ୍ଡିଆନ୍ ନବୀନଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟ  ଏବଂ ବିଜେଡି ରାଜନେତାଙ୍କ ଆଚରଣକୁ ମାପି ପାରିଥିଲେ ସତ; କିନ୍ତୁ ସେହି ମାପଦଣ୍ଡରେ ଓଡ଼ିଆଲୋକଙ୍କୁ ମାପିବା ଏକ ବଡ଼ ଭୁଲ ଥିଲା। କାରଣ ପୂର୍ବରୁ କିଛିକିଛି ନେତାଙ୍କୁ ପଦେପଦେ କଥାରେ ଦଳରୁ ବାହାର କରିଦିଆଯାଇଥିଲେ ବି ସମସ୍ତ ଆଗଧାଡ଼ିର ଦଳୀୟ ରାଜନେତା ପାଣ୍ଡିଆନଙ୍କ ପାଖରେ ନମ୍ର-ଆତ୍ମସମର୍ପଣ କରିଥିଲେ। ଏହା ତାଙ୍କୁ ଉତ୍ସାହିତ କରିଥିଲା। ପାଣ୍ଡିଆନ୍ ଭାବି ନେଇଥିଲେ ଯେ ଯେଭଳି ବିଜେଡି ନେତାମାନଙ୍କର ମେରୁଦଣ୍ଡ ନାହିଁ, ଓଡ଼ିଆମାନଙ୍କର ମଧ୍ୟ ମେରୁଦଣ୍ଡ ନଥିବ। କିନ୍ତୁ, ଏହା ଏକ ଭ୍ରମାତ୍ମକ ଆକଳନ ଥିଲା। ଏହି ଭୁଲ ହିଁ ପାଣ୍ଡିଆନ୍, ନବୀନ ପଟ୍ଟନାୟକ ଏବଂ ବିଜେଡିର ପତନର କାରଣ ହୋଇଗଲା। ସଂସଦରେ ଆଶାଜନକ ସଫଳତା ପାଇପାରି ନଥିବା ଭାରତୀୟ ଜନତା ପାର୍ଟି  ଓଡ଼ିଶାର ୨୧ଟି ସଂସଦୀୟ କ୍ଷେତ୍ର ମଧ୍ୟରୁ ୨୦ଟିରେ ବିଜୟୀ ହେଲା ଏବଂ ବିଧାନସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ମଧ୍ୟ ହାସଲ କରିଥିଲା। ବିଜେପି ଭଳି ରାଷ୍ଟ୍ରୀୟ ଦଳ ସହିତ ଘନିଷ୍ଠତା ବଜାୟ ରଖିବା ବିଜେଡି ଭଳି ଏକ ଆଞ୍ଚଳିକ ଦଳ ପକ୍ଷରେ  ନିଶ୍ଚିତ ଭାବେ ଆତ୍ମଘାତୀ ରାଜନୈତିକ ନିଷ୍ପତ୍ତି ଥିଲା। ଭାଜପା ବିରୁଦ୍ଧରେ କେନ୍ଦ୍ରୀୟ ଅବହେଳା, ଓଡ଼ିଶାର ବିକାଶ ପାଇଁ ଯତ୍ନ ନେଉନାହିଁ ବୋଲି ବିଜେଡିର ପୁରୁଣା ଏବଂ ସମୟାନୁସାରେ ତୀବ୍ର ପ୍ରତିକ୍ରିୟା ୨୦୨୪ ସାଧାରଣ ନିର୍ବାଚନ ସମୟରେ ଅପ୍ରାସଙ୍ଗିକ ପାଲଟିଗଲା। ଏହାକୁ କେହି ବିଶ୍ୱାସ କରିବାକୁ ପ୍ରସ୍ତୁତ ନଥିଲେ। 'ପାଣ୍ଡିଆନ୍ ସିଣ୍ଡ୍ରୋମ୍' ଆହୁରି ବଢ଼ିବା ପରିବର୍ତ୍ତେ ନିଃଶେଷ ହୋଇଗଲା; ଯାହାକୁ ପ୍ରତିଷ୍ଠା କରିବାକୁ ଭିକେ ପାଣ୍ଡିଆନ୍ ତାଙ୍କର ସର୍ବୋତ୍ତମ ଚେଷ୍ଟା କରିଥିଲେ।

ଯୁବ ଆଇଏଏସ୍ ଅଧିକାରୀମାନେ ସମୁଦାୟ ଘଟଣାବଳୀକୁ ଦୁଇଟି ଦୃଷ୍ଟିକୋଣରୁ ଦେଖିପାରିବେ। ପ୍ରଥମ, ମହତ୍ୱାକାଂକ୍ଷୀ ଯୁବ ଆଇଏଏସ୍ ଅଧିକାରୀମାନେ ପାଣ୍ଡିଆନଙ୍କ କୃତକର୍ମ ତଥା ଭୁଲରୁ ଅନେକ କିଛି ଶିଖିପାରିବେ। ଦେଶରେ ପ୍ରଚଳିତ ପ୍ରଶାସନିକ ବ୍ୟବସ୍ଥା ସେମାନଙ୍କୁ ଉତ୍ତମ ସେବା ପ୍ରଦାନକାରୀ ପ୍ରଶାସକ ହେବାକୁ ସୁଯୋଗ ଦେଇଛି। ସେମାନେ ତାହାଠାରୁ ଅଧିକ ଶକ୍ତିଶାଳୀ ହେବାକୁ ପ୍ରଚେଷ୍ଟା କରିବା ଅନୁଚିତ। ଗଣତନ୍ତ୍ରରେ ଲୋକ ହିଁ ମାଲିକ। ସେମାନେ ନିଜର ପ୍ରତିନିଧିଙ୍କ ଦ୍ୱାରା ଶାସିତ ହେବା ଆଶା କରନ୍ତି, ପ୍ରଶାସକଙ୍କ ଦ୍ୱାରା କେବେ ହେଁ ନୁହେଁ। ଦ୍ୱିତୀୟ, ଯେଉଁମାନେ ନିୟମ ଅନୁସାରେ ନିଜର ଦାୟିତ୍ୱ ନିର୍ବାହ କରିବାକୁ ଚାହାଁନ୍ତି, ସେମାନେ ପାଣ୍ଡିଆନଙ୍କ ପରି ମହତ୍ୱାକାଂକ୍ଷୀ ନହୋଇ ସଦାସତର୍କ ରହନ୍ତୁ, ଯେପରି ସେମାନଙ୍କ ପ୍ରଶାସନିକ କ୍ୟାରିଅରରେ ପାଣ୍ଡିଆନ ସିଣ୍ଡ୍ରୋମରେ ସଂକ୍ରମିତ ହେବେନାହିଁ। ସେମାନଙ୍କର ରାଜନୈତିକ ପ୍ରଭୁମାନେ ସେମାନଙ୍କୁ ଶାସନ ବ୍ୟବସ୍ଥାରେ ଅନୁପ୍ରବେଶ ଜାରି ରଖିବାକୁ ଯେତେ ସୁଯୋଗ ଦେଲେ ମଧ୍ୟ ସେମାନେ ନିଜର ନିର୍ଦ୍ଦିଷ୍ଟ ଭୂମିକାରେ ସ୍ଥିର ରହିବା ଉଚିତ। ସେମାନେ ବିଭିନ୍ନ ଭୂମିକା ଏବଂ ଦାୟିତ୍ୱ ଗ୍ରହଣ କରି ନିଜ ଶିକ୍ଷା, ବୁଦ୍ଧି, ଅଭିଜ୍ଞତା ଆଧାରରେ ଦଳ-ନିରପେକ୍ଷ ରହି ରାଜ୍ୟ ଓ ରାଷ୍ଟ୍ରବିକାଶରେ ଯୋଗଦାନ ଦେବାକୁ ଅଧିକ ଆଗ୍ରହୀ ହେବା ଉଚିତ। ଆଶା କରାଯାଉଛି, ଯୁବ ଆଇଏଏସ୍  ଅଧିକାରୀମାନେ ଦ୍ୱିତୀୟ ବିକଳ୍ପକୁ ହିଁ ବାଛିବେ। ଫଳରେ, ବିକଶିତ ଭାରତର ଭବିଷ୍ୟତ ଗତିପଥରେ 'ପାଣ୍ଡିଆନ ସିଣ୍ଡ୍ରୋମ' ପୁନର୍ବାର ଦେଖିବାକୁ ମିଳିବ ନାହିଁ।

ଫୋ- ୯୪୩୮୨୯୯୦୩୭

BjD Naveen Patanaik Naveen Govt. Odisha Politics Vk Pandian Odisha Politcs Odisha political analysis