/odisha-reporter/media/media_files/2025/11/17/democracy-2025-11-17-16-57-44.jpg)
Indian Democracy Photograph: (Internet)
ପଞ୍ଚାନନ କାନୁନଗୋ
ସଂସଦୀୟ ଗଣତନ୍ତ୍ର ସମସ୍ତ ଗଣତାନ୍ତ୍ରିକ ବ୍ୟବସ୍ଥା ଭିତରେ ଅତି ଉତ୍କୃଷ୍ଟତମ। ଭାରତବର୍ଷର ସମ୍ବିଧାନ ପ୍ରଣେତାମାନେ ସେ ସମୟ ପର୍ଯ୍ୟନ୍ତ ଅନେକ ରାଷ୍ଟ୍ରରେ ପ୍ରଚଳିତ ଶାସନ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ, ଅନୁଶୀଳନ କରିଥିଲେ। ନିଜ ଦେଶର ସାର୍ଭଭୌମ୍ୟ ବ୍ୟବସ୍ଥା ଓ ପରମ୍ପରାକୁ ଆଖି ଆଗରେ ରଖି ସଂସଦୀୟ ଗଣତନ୍ତ୍ରକୁ ଅଗ୍ରାଧିକାର ଦେଇଥିଲେ। ସେହି ଅନୁସାରେ ସମ୍ବିଧାନ ପ୍ରଣୟନ କରାଯାଇଥିଲା। ସମ୍ବିଧାନର ଆଦ୍ୟକଥନ ହିଁ ହେଉଛି ସମ୍ବିଧାନ ପ୍ରଣେତାମାନଙ୍କର ସର୍ବଶ୍ରେଷ୍ଠ ଅବଦାନ। ଅବଶ୍ୟ ଏହି ଆଦ୍ୟକଥନରେ ଦୁଇଟି ଶବ୍ଦ ଧର୍ମନିରପେକ୍ଷତା ଓ ସମାଜବାଦ ମୂଳରୁ ନଥିଲା। ଏହା ପରବର୍ତ୍ତୀକାଳରେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ସଂଶୋଧିତ ହୋଇ ଯୋଡ଼ାଯାଇଛି ଓ ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱାରା ଏହାକୁ ସାବ୍ୟସ୍ତ କରାଯାଇଛି ଓ ସ୍ୱୀକୃତି ଦିଆଯାଇଛି।
ସମ୍ବିଧାନ ପ୍ରଣୟନ କାଳରେ ପ୍ରଣେତାମାନଙ୍କର ଯୁକ୍ତି ଥିଲା ଯେ, ଏହି ଦୁଇଟି ଶବ୍ଦ ପ୍ରବେଶର ଆବଶ୍ୟକତା ନାହିଁ। କାରଣ ସମ୍ବିଧାନର ଗଣ୍ଡି ଭିତରେ ରହିଥିବା ମୌଳିକ ଅଧିକାରଗୁଡ଼ିକ ଏହାକୁ ସାବ୍ୟସ୍ତ କରୁଛି। ଅଧିକନ୍ତୁ, ସମ୍ବିଧାନ ଭିତରେ ଥିବା ଡାଇରେକ୍ଟିଭ୍ ପ୍ରିନ୍ସପିଲ୍ସ୍ଭ ଅଫ୍ ଷ୍ଟେଟ୍ସ୍ସ ପଲିସିକୁ ଯଦି ଆନ୍ତରିକତାର ସହିତ କାର୍ଯ୍ୟକାରୀ କରାଯାଏ, ତେବେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ବେଳେ ସମତାକୁ ସର୍ବଦା ଅଗ୍ରାଧିକାର ଦିଆଯିବ। ଏହିସବୁ ଦୃଷ୍ଟିରୁ ଶବ୍ଦ ଦୁଇଟି ସମ୍ବିଧାନର ପ୍ରେୟାମ୍ବୁଲରେ ପ୍ରବେଶ କରିନଥିଲା। କିନ୍ତୁ ୧୯୭୩-୭୪ ମସିହା ପରେ ଦେଖାଗଲା ଯେ, ଅନେକ ମୌଳବାଦୀ ଚିନ୍ତାଧାରାର ଲୋକ ଦେଶର ପରମ୍ପରାକୁ, ଦେଶର ସମ୍ବିଧାନକୁ ପୂରାପୂରି ଖତମ କରି ଭାରତକୁ ଏକ ଧର୍ମୀୟ ରାଷ୍ଟ୍ରୀୟରେ ପରିଣତ କରିବା ଉଦ୍ଦେଶ୍ୟରେ କାମ ଆରମ୍ଭ କରିଦେଇଛନ୍ତି। ଏହି କଥାଟି ବିଶେଷତଃ ଗାନ୍ଧିଜୀଙ୍କର ଜନ୍ମସ୍ଥାନ ଗୁଜୁରାଟରୁ ଆରମ୍ଭ ହେଲା ଓ ଉଦ୍ୟମକାରୀଙ୍କ ଉଦ୍ୟମକୁ ଯଥାର୍ଥରେ ବୁଝିନପାରି ଜୟପ୍ରକାଶ ନାରାୟଣଙ୍କ ପରି ଜଣେ ରାଷ୍ଟ୍ରନେତା, ଗାନ୍ଧିବାଦୀ ଏଥିରେ ସହଯୋଗର ହାତ ରଖିଥିଲେ। ଯାହାଫଳରେ ଦୂରଦୃଷ୍ଟି ଥିବା ଅନେକ ରାଷ୍ଟ୍ର ନାୟକ ଚିନ୍ତାରେ ପଡ଼ିଯାଇଥିଲେ ଓ ଭାରତକୁ ଏଥିରୁ କିପରି ଉଦ୍ଧାର କରାଯିବ, ସେ ବିଷୟରେ ଅନେକ ଭାବେ ବିଚାର ବିମର୍ଶ ଆରମ୍ଭ କରିଦେଇଥିଲେ। ଫଳସ୍ୱରୂପ ସମ୍ବିଧାନ ଜରିଆରେ ରାଷ୍ଟ୍ରକୁ ସୁରକ୍ଷା ଦେବାପାଇଁ ଏ ଶବ୍ଦ ଦୁଇଟି ଯୋଡ଼ି ରଖାଗଲା।
ଭାରତବର୍ଷର ସମ୍ବିଧାନ ଅନେକ ପରୀକ୍ଷା ନୀରିକ୍ଷା ଭିତରେ ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ବୈଶିଷ୍ଟ୍ୟ ପ୍ରତିପାଦିତ କରିଚାଲିଛି। ଏପରିକି ସାମ୍ବିଧାନିକ ବ୍ୟବସ୍ଥା ଭିତରେ ରାଜନୈତିକ ବିଚାରର ବିବିଧତା ଅନେକ ସମୟରେ ଦେଖିବାକୁ ମିଳିଛି। ସମ୍ବିଧାନ ପ୍ରଣୟନର ପରବର୍ତ୍ତୀ ପ୍ରଥମ ଦଶକରେ କେରଳରେ ସାମ୍ୟବାଦୀମାନଙ୍କର ଓ ସମାଜବାଦୀମାନଙ୍କର ସରକାର ପ୍ରତିଷ୍ଠା ହେବାରେ ବିଶେଷ କିଛି ଅସୁବିଧା ହେଲାନାହିଁ। ଯଦିଓ ଏହା କ୍ଷଣସ୍ଥାୟୀ ହେଲା, କିନ୍ତୁ ଦେଖାଯାଇଛି କେରଳରେ ଗତ ୭୦ ବର୍ଷ ଭିତରେ ବାମପନ୍ଥୀ ଗଠବନ୍ଧନର ଜୟଯାତ୍ରା ଅତି ନିଖୁଣ ଭାବେ ଜାରି ରହିଛି। ଏଥିସହିତ ଭାରତବର୍ଷରେ ଅନ୍ୟଏକ ସୌଭାଗ୍ୟର ସ୍ଥିତି ହେଉଛି, ସଂଘୀୟ ବ୍ୟବସ୍ଥା। ରାଜ୍ୟ ଓ କେନ୍ଦ୍ରରେ ଭିନ୍ନ ଭିନ୍ନ ଚିନ୍ତାଧାରାର ସରକାର ଥାଇ ମଧ୍ୟ ରାଜ୍ୟର ବିକାଶ, ରାଜ୍ୟର ଅଗ୍ରଗତି କ୍ଷୀପ୍ର ଗତିରେ ଘଟିଥିବାର ଦେଖାଯାଇଛି। ତା’ର ଉଦାହରଣ କେରଳ, ପଞ୍ଜାବ, ତାମିଲନାଡୁ ଓ ମହାରାଷ୍ଟ୍ର। ବୋଧହୁଏ କେରଳର ଅତି ଦାରିଦ୍ର୍ୟା ହାର ଶୂନ ସ୍ତରରେ ରହିଛି, ସେପରି ବ୍ୟବସ୍ଥା ପୃଥିବୀର ଅନେକ ଦେଶରେ ଦେଖିବାକୁ ମିଳେନାହିଁ।
ସଂସଦୀୟ ଗଣତନ୍ତ୍ର ଭିତରେ ବଡ଼ ଚମତ୍କାରିତା ହେଉଛି କେନ୍ଦ୍ର ହେଉ ବା ରାଜ୍ୟ ହେଉ ଗତ ଚାରି ଦଶନ୍ଧି ଧରି ମିଳିତ ମନ୍ତ୍ରୀମଣ୍ଡଳ ଅତି ଦୃଢ଼ ଓ ସ୍ଥାୟୀ ଭାବରେ ଚଳିଆସିଛି। କେଉଁଠି ଜାତୀୟ ଦଳ ଭାରତୀୟ ଜନତା ପାର୍ଟିର ସହିତ ଗଠବନ୍ଧନ କରି ବା କେଉଁଠି ଜାତୀୟ ଦଳ କଂଗ୍ରେସ ସହିତ ଗଠବନ୍ଧନ କରି ରାଜ୍ୟର ଛୋଟ ଛୋଟ ଦଳମାନେ ବିଭିନ୍ନ ସମୟରେ ଦେଶରେ ହେଉ ବା ରାଜ୍ୟରେ ହେଉ ସରକାର ଗଠନ କରିଛନ୍ତି ଓ ବିକାଶର ଧାରା ଅବ୍ୟାହତ ରହିଛି। ଯେଉଁ ନିର୍ଦ୍ଦିଷ୍ଟ ଦଳ ଏକ ଦଳ, ଏକ ପ୍ରଧାନ, ଏକ ଦେଶର ସ୍ଳୋଗାନ ଦେଇ ଭାରତରେ ଜନ୍ମଲାଭ କରିଥିଲା ଓ କାର୍ଯ୍ୟ ଆରମ୍ଭ କରିଥିଲା, ସେହି ଦଳ ଏବେ ସେ ଭାବଟିକୁ ଲୁଚାଇ ରଖି ଡବଲ୍ ଇଞ୍ଜିନ୍ ସରକାରର ଘୋଷଣା ପତ୍ର ଜାହିର କରିଛି। ଅର୍ଥାତ୍ ତାଙ୍କ ଦଳ ବା ଗଠବନ୍ଧନ ଭାରତୀୟ ସ୍ତରରେ ରହିଥିବା ବେଳେ ରାଜ୍ୟରେ ମଧ୍ୟ ସେହି ବ୍ୟବସ୍ଥା ଲାଗୁ କରିବାରେ ଇସ୍ତାହାର ଦେଇ ଅନେକ କ୍ଷେତ୍ରରେ ଜୟଯୁକ୍ତ ହେଉଥିବା ଦାବି କରୁଛନ୍ତି। ଏବେ ନିକଟ ଅତୀତରେ ବିହାରରେ ରାଜ୍ୟ ବିଧାନସଭା ପାଇଁ ନିର୍ବାଚନ ଶେଷ ହେଲା। ଯେଉଁଥିରେ ଦିଲ୍ଲୀ ଶାସନରେ ଥିବା ଏନ୍ଡି ଏ ଗଠବନ୍ଧନ ବିହାରରେ ବହୁ ସଂଖ୍ୟା ଜନମତ ହାସଲ କରିବାରେ ସଫଳ ହେଲା।
ଏହି ନିର୍ବାଚନ ବେଳେ ଓ ପରେ ଅଭିଯୋଗ ପ୍ରତି ଅଭିଯୋଗ ଭିତରେ ସବୁଠାରୁ ବଡ଼ ଅଭିଯୋଗ ହେଉଛି ଭୋଟ୍ଚୋରୀ ଓ ଅନେକ ଭାବରେ ଅସତ୍ ଉପାୟରେ ଲୁଚାଛପାରେ ଭୋଟଦାତାମାନଙ୍କୁ ନିଜ ଅକ୍ତିଆରକୁ ଆଣିବା। ଏପରି ଅଭିଯୋଗ ବର୍ତ୍ତମାନ ଯେ ଏନଡିଏ ଗଭର୍ଣ୍ଣମେଣ୍ଟ ପାଇଁ ହେଉଛି ତା’ ନୁହେଁ, ଆଗରୁ କଂଗ୍ରେସ ସରକାର ସମୟରେ ମଧ୍ୟ ବିରୋଧୀ ଦଳମାନେ ଏପରି ଅଭିଯୋଗ ଆଣୁଥିଲେ। ମୋଟ ଉପରେ ଦେଖିବାକୁ ଗଲେ, ସଂସଦୀୟ ଗଣତନ୍ତ୍ରରେ ନିର୍ବାଚନ ପ୍ରକ୍ରିୟା ଆଦୌ ସ୍ୱଚ୍ଛ ନୁହେଁ ଏବଂ ଅଳ୍ପ ସଂଖ୍ୟକ ଭୋଟ୍ ପାଇଁ ଗାଦିସୀନ ହେବା ବ୍ୟବସ୍ଥା ପରମ୍ପରା ଭିତରେ ଯୋଡ଼ି ହୋଇରହିଛି। ସେସବୁରୁ ମୁକୁଳିବା ପାଇଁ ଲୋକପ୍ରତିନିଧି ଆଇନ ଓ ଆବଶ୍ୟକ ଭୋଟ୍ଦାଏତାଙ୍କ ତାଲିକା ପ୍ରସ୍ତୁତ କରିବାରେ ଥିବା ନିୟମାବଳୀର ସଂଶୋଧନ ହେବା ଦରକାର। ଅଧିକନ୍ତୁ, ଭୋଟବେଳେ ପ୍ରାର୍ଥୀମାନେ ଅବା ଦଳମାନେ କରୁଥିବା ସମସ୍ତ ଖର୍ଚ୍ଚ ଉପରେ ଆଙ୍କୁଶ ଲାଗିବା ଦରକାର।
ଭୋଟବେଳେ ଅର୍ଥ ଖର୍ଚ୍ଚ କରିବାକୁ ଦଳମାନେ ବଡ଼ ବଡ଼ ଶିଳ୍ପପତି ପୁଞ୍ଜିପତିଙ୍କ ପାଖରୁ ଲୁଚାଛପାରେ ହେଉ ବା ଦାନ ଆକାରରେ ହେଉ ଅର୍ଥସଂଗ୍ରହ କରିଥାନ୍ତି ଓ ଏହି ଅର୍ଥକୁ ଭୋଟ୍ଦା ତାଙ୍କ ପାଖରେ ପହଞ୍ଚାଇ ନିଜ ପକ୍ଷକୁ ସେମାନଙ୍କୁ ଆକୃଷ୍ଟ କରିଥାନ୍ତି। ସେହି ଦଳ ସରକାରକୁ ଆସିଲେ ସେହି ପୁଞ୍ଜିପତି ଓ ଶିଳ୍ପପତିଙ୍କ ସ୍ୱାର୍ଥରକ୍ଷା କଲାଭଳି ଆଇନ ପ୍ରଣୟନ ଓ ତାଙ୍କ ସପକ୍ଷରେ କାର୍ଯ୍ୟ କରିବା ପାଇଁ ବସ୍ତୁତଃ ବାଧ୍ୟ ହୋଇଥାନ୍ତି। ସେଥିରେ ସମାଜବାଦ ବା ଜନସାଧାରଣଙ୍କ ଭିତରେ ଆର୍ଥିକ ଆୟ ବ୍ୟୟର ତାରତମ୍ୟ ଅଧିକ ହୋଯାଏ ଯାହା ଫଳରେ ଗୋଟିଏ ସମତୁଲ ଅର୍ଥନୀତି ଆସିବା ଆଦୌ ସମ୍ଭବ ହୁଏ ନାହିଁ। ଏହି ବ୍ୟବସ୍ଥାକୁ ସମ୍ବିଧାନ ପ୍ରଣୟନକାରୀମାନେ ଯେ ପୂର୍ବରୁ ବିଚାର କରିନଥିଲେ ତା’ ନୁହେଁ, ସମ୍ବିଧାନ ପ୍ରଣୟନ ସଭାରେ ନିର୍ବାଚନର ସମସ୍ତ ଖର୍ଚ୍ଚ ସରକାର ବହନ କରିବା ଉଚିତ୍ ବୋଲି ସଦସ୍ୟ ଲୋକନାଥ ମିଶ୍ର ଅନ୍ୟ କେତେକ ବନ୍ଧୁଙ୍କ ସମର୍ଥନରେ ଉଠାଇଥିଲେ। ତାଙ୍କର ଏହି ପ୍ରସ୍ତାବ ଉପଯୁକ୍ତ ଓ ଦରକାରୀ ବୋଲି ସମ୍ବିଧାନ ପ୍ରଣୟନ ସଭାର ମୁଖ୍ୟ ଡକ୍ଟର ବାବା ସାହେବ ଆମ୍ବେଦକର ସ୍ୱୀକାର କରିଥିଲେ ମଧ୍ୟ ବର୍ତ୍ତମାନ ଏହା ଉପଯୁକ୍ତ ସମୟ ନୁହେଁ, କାରଣ ଭୋଟ୍ଦାାତାମାନେ ଏତେ ସଚେତନ ବା ଶିକ୍ଷିତ ନୁହଁନ୍ତି, ସମୟ ଆସିଲେ ଏହା କରାଯିବା ଉଚିତ୍ ବୋଲି ମତ ଦେଇଥିଲେ।
ଏ ମଧ୍ୟରେ ସମ୍ବିଧାନ ସଂଶୋଧନ ପ୍ରାୟତଃ ୧୩୦ ଥର ହୋଇସାରିଲାଣି। କିନ୍ତୁ ନିର୍ବାଚନ ସଂସ୍କାର ସମ୍ପର୍କରେ ଏକ ବିସ୍ତୃତ ଆଲୋଚନା କରାଯାଇ ଗୋଟିଏ ସ୍ୱଚ୍ଛ ନିର୍ବାଚନ ଆଣିବା ପରିପ୍ରେକ୍ଷୀରେ ଆଇନର ବ୍ୟବସ୍ଥା ଏପର୍ଯ୍ୟନ୍ତ କରାଗଲା ନାହିଁ। ସମସ୍ତେ ସମସ୍ତଙ୍କୁ ଦୋଷ ଦେଉଛନ୍ତି, ନହେଲେ ଭୋଟ୍ ମେସିନ୍ ଇଭିଏମ୍କୁ ଦୋଷ ଦେଉଛନ୍ତି। କିନ୍ତୁ ସରକାରରେ ଥିଲାବେଳେ ଏହାର ସଂସ୍କାର ଆଦୌ କରୁନାହାନ୍ତି। ଅଧିକନ୍ତୁ, ସମ୍ବିଧାନରେ ରଖାଯାଇଥିବା ନିର୍ବାଚନ କମିଶନ ବ୍ୟବସ୍ଥାଟିକୁ ସରକାରମାନେ ନିଜ ହାତମୁଠାରେ ରଖି ସଖିକଣ୍ଢେଇ ପରି ବ୍ୟବହାର କରିବାର ଅଭିଯୋଗ ଶୁଣିବାକୁ ମିଳୁଛି।
ସଂସଦୀୟ ଗଣତାନ୍ତ୍ରିକ ପରମ୍ପରାକୁ ସ୍ୱଚ୍ଛ ଓ ଭ୍ରଷ୍ଟାଚାରୀମାନଙ୍କ କବଳରୁ ମୁକ୍ତ ନକରାଗଲେ ଦେଶରେ ହେଉଥିବା ନିର୍ବାଚନକୁ ନେଇ ସବୁବେଳେ କେହି ନା କେହି ପ୍ରଶ୍ନ ଉଠାଇବେ। ଏବେ କେନ୍ଦ୍ରରେ ଯେଉଁ ସରକାର ଅଛନ୍ତି ସେ ଅତ୍ୟନ୍ତ ସ୍ୱଚ୍ଛ, ନିର୍ମଳ ଭାବମୂର୍ତ୍ତିର ଅଧିକାରୀ ବୋଲି ଦାବି କରିଥାନ୍ତି। ସମ୍ବିଧାନରେ ଥିବା ଅନେକ ବ୍ୟବସ୍ଥାକୁ ରୁଗ୍ଣ କରିବାରେ ମଧ୍ୟ ଚେଷ୍ଟା କରି ଆସିଛନ୍ତି। ହେଲେ ନିର୍ବାଚନକୁ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ କରିବା ନିମନ୍ତେ କୌଣସି ସଂସ୍କାର ଆଣିବାର ଚେଷ୍ଟା କରୁଥିବା ଦେଖାଯାଉନାହିଁ। ତେବେ ପ୍ରଶ୍ନ ଉଠୁଛି ଯେ, ପ୍ରଚଳିତ ନିର୍ବାଚନ ବ୍ୟବସ୍ଥା ଥିବା ପର୍ଯ୍ୟନ୍ତ ବଡ଼ ବଡ଼ ଶିଳ୍ପପତି ଓ ବ୍ୟବସାୟୀଙ୍କ ପାଖରୁ ସରକାରରେ ଥିବା ଦଳ ପ୍ରଭୃତ ଅର୍ଥ ଉଠାଇବାରେ ସକ୍ଷମ ହେବେ ଓ ଲୋକଙ୍କୁ ବିଭ୍ରାନ୍ତ କରାଇ ସେମାନଙ୍କ ଭିତରେ ଭ୍ରଷ୍ଟାଚାର, ଦୁର୍ନୀତିକୁ ବୃଦ୍ଧି କରାଇ ଭୋଟ୍ ହାତେଇବାର ପ୍ରଚେଷ୍ଟାରେ ସବୁପ୍ରକାର ଉଦ୍ୟମ କରିବାରେ ସକ୍ଷମ ହେବେ।
ଦୁର୍ନୀତି, ଭ୍ରଷ୍ଟାଚାରୀ ବ୍ୟବସ୍ଥା ନହେବା ବା ଏହାକୁ ନିର୍ବାଚନରେ ଦୂର କରିବା ଯଦି ପ୍ରକୃତ ଉଦ୍ଦେଶ୍ୟ ଥାଆନ୍ତା, ତେବେ ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛ, ନିର୍ମଳ କରିବାରେ ଶାସକବର୍ଗ ଚେଷ୍ଟା କରନ୍ତେ। ତାହା କରୁନଥିବାରୁ ଶାସନ ଗାଦିରେ ଥିବା ବ୍ୟକ୍ତିମାନଙ୍କର ସ୍ୱଚ୍ଛତା ଓ ସଚ୍ଚୋଟତାକୁ ନେଇ ପ୍ରଶ୍ନ ଉଠୁଛି ଓ ସେମାନେ ନିଜୁ ଯେତେ ସାଧୁ କହିଲେ ବି ସେମାନଙ୍କୁ ନେଇ ଅନେକ ସନ୍ଦେହ ପ୍ରକାଶ ପାଉଛି।
ଜାତି ଓ ଧର୍ମକୁ ସାମ୍ନାକୁ ଆଣି ଭୋଟ୍ ଦାତାମାନଙ୍କୁ ନିଜ ପକ୍ଷକୁ ଆକୃଷ୍ଟ କରିବା ଯେପରି ଏକ ଅପରାଧ ସରକାରରେ ଥାଇ କରଦାତାମାନଙ୍କର ଧନର ଅପବ୍ୟବହାର କରି ଭୋଟଙ୍କୁ ପ୍ରଭାବିତ କରିବା ତା’ଠାରୁ ବେଶି ବଡ଼ ଅପରାଧ ବୋଲି ବିଚାର କରାଯାଏ। ସଂଖ୍ୟାଲଘୁ ସଂପ୍ରଦାୟକୁ ଭୟଭୀତ କରାଇ ଭୋଟ୍ ନେବାର ପ୍ରଚେଷ୍ଟା ଭାରତୀୟ ସମ୍ବିଧାନର ପରିପନ୍ଥୀ। ସେହିପରି ଧର୍ମ ନାମରେ ଅନ୍ଧତ୍ୱ ପ୍ରକଟିତ କରି କିଛି ଭାବବିହ୍ୱଳ ଧର୍ମଭୀରୁମାନଙ୍କୁ ଆକୃଷ୍ଟ କରିବା ଏବଂ ତାଙ୍କର ଭୋଟ୍ ହାତେଇବା ବିରାଟ ଅପରାଧ। ଏସବୁ କେବଳ ନିର୍ବାଚନ କମିଶନଙ୍କ କିଛି ସମୟର ଘୋଷଣା ଦ୍ୱାରା ବନ୍ଦ ହୋଇଯିବ ସେପରି ଭାବିବା ଉଚିତ୍ ନୁହେଁ। ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବା ଦରକାର। ଏଥିସହିତ ଭୋଟର୍ ତାଲିକା ସଠିକ୍ ଭାବରେ ପ୍ରସ୍ତୁତ କରିବା ଓ ସେହି ଅନୁସାରେ ଭୋଟ୍ ଦାତାମାନଙ୍କୁ ଭୋଟ୍ କେନ୍ଦ୍ରକୁ ଅଣାଇବାର ବ୍ୟବସ୍ଥା ରହିବା ଉଚିତ୍। ଏକଦା ଜଣେ ଭୋଟ୍ଦାତତା ଏହି ଲେଖକଙ୍କୁ ପ୍ରଶ୍ନ କଲେ, ଆପଣ କୁହନ୍ତୁ ବଡ଼ ବଡ଼ ଅଫିସର୍ ଓ ସରକାରୀ କର୍ମଚାରୀମାନେ ଭୋଟ୍ ପାଇଁ ଛୁଟି ପାଉଛନ୍ତି ନା ନାହିଁ? ସେହି ଛୁଟି ଦିନ ପାଇଁ ସେମାନଙ୍କର ଦରମାର କିଛି ଅଂଶ କଟାଯାଏ କି? ସେମାନଙ୍କ ଭିତରୁ ଅଧିକାଂଶ ଭୋଟ୍ କେନ୍ଦ୍ରକୁ ଯାଆନ୍ତିନାହିଁ। ଅପରପକ୍ଷରେ ଗରିବ ଲୋକ ମୂଲିଆ, ଦିନମଜୁରିଆ ତା’ର ମଜୁରି ଛାଡ଼ି ଭୋଟ୍ କେନ୍ଦ୍ରକୁ ଭୋଟ୍ ଦେବାକୁ ଯାଏ। ସେଥିପାଇଁ ସେ ମଜୁରୀ ହରାଏ ନାହିଁ କି? ଅଥଚ ତାକୁ କେହି ଜଣେ ଟଙ୍କା କେଇଟା ଦେଇଦେଲେ ଆପଣ ଏତେ ଚର୍ଚ୍ଚା କରୁଛନ୍ତି କାହିଁକି? ଭୋଟ୍ଦାନତା ଟଙ୍କା ନେଇ ଭୋଟ୍ ଦେବ ଏହାର କୌଣସି ଗ୍ୟାରେଣ୍ଟି ନାହିଁ।
ଲୋକଟିର ଯୁକ୍ତି ଆଦୌ ଦୁର୍ବଳ ନୁହେଁ। ଏହା ବିଚାର କରିବାର ଅଛି। ଯେଉଁମାନେ ଭୋଟ୍ ଦେଉନାହାନ୍ତି, ସେମାନଙ୍କ ପାଇଁ ରାଷ୍ଟ୍ର କିଛି ବ୍ୟବସ୍ଥା କରିବା ଆବଶ୍ୟକ। ଏହିପରି ଅନେକ ବିଚାର ବା ଚର୍ଚ୍ଚା ଭୋଟ୍ ସମୟରେ ହେଉଛି ଅଥଚ ଭୋଟ୍ ସରିଗଲେ ଭୋଟ୍ ବେଳର ସ୍ଥିତି, ଅବସ୍ଥା ଓ ଆବଶ୍ୟକତାକୁ ନେଇ କୌଣସି ଭାବେ କାର୍ଯ୍ୟ କରାଯାଉନାହିଁ।
ଫୋ- ୯୪୩୮୩୬୦୮୪୯
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
