ରବି ଦାସ
ଭାରତୀୟ ନିର୍ବାଚନଗୁଡ଼ିକରେ ଗତ ପ୍ରାୟ ଦୁଇ ଦଶନ୍ଧି ହେଲା ଦେଖାଯାଉଛି ଯେ, ଭୋଟଦାନରେ ମହିଳାମାନଙ୍କ ଭାଗୀଦାର ଧୀରେ ଧୀରେ ବଢ଼ିବାରେ ଲାଗିଛି। ଭାରତୀୟ ସମ୍ବିଧାନରେ ନାରୀ ଓ ପୁରୁଷର ସବୁ କ୍ଷେତ୍ରରେ ସମାନ ଅଧିକାର ସହିତ ଭୋଟ୍ ଦାନରେ ସମସ୍ତଙ୍କର ଗୋଟିଏ ଭୋଟର ଯେଉଁ ବ୍ୟବସ୍ଥା ରହିଛି, ସେଥିରେ ମହିଳାମାନଙ୍କୁ ଯେକୌଣସି ଦଳ ବା ସରକାର ଆକର୍ଷିତ କରିବା ପାଇଁ କିପରି ବ୍ୟବସ୍ଥା କରିପାରୁଛି ତାହା ଉପରେ ଅନେକ ସ୍ଥାନରେ ଭୋଟ୍ ଫଳାଫଳ ନିର୍ଭର କରୁଛି।
ନିକଟରେ ଅନୁଷ୍ଠିତ ରାଜ୍ୟ ବିଧାନସଭା ନିର୍ବାଚନରେ ପ୍ରଥମେ କର୍ଣ୍ଣାଟକ, ପରେ ମଧ୍ୟ ପ୍ରଦେଶ ଓ ଏବେ ଶେଷ ହୋଇଥିବା ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନରେ ବିଜୟୀ ଦଳମାନଙ୍କର ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ସ୍କିମ୍ ଓ କାର୍ଯ୍ୟକ୍ରମଗୁଡ଼ିକ ମହିଳାଙ୍କୁ ଆକର୍ଷିତ କରିଥିବା କୁହାଯାଉଛି। ପୂର୍ବରୁ ପଶ୍ଚିମବଙ୍ଗରେ ମଧ୍ୟ ବିଜେପିର ପ୍ରବଳ ଆହ୍ୱାନ ଭିତରେ ତୃଣମୂଳ କଂଗ୍ରେସ କ୍ରମାଗତ ନିର୍ବାଚନ ଜିଣିବା ପାଇଁ ମହାଲକ୍ଷ୍ମୀ ଭଣ୍ଡାର, ମହିଳା ସମୃଦ୍ଧି ଯୋଜନା, ରୂପଶ୍ରୀ ପ୍ରକଳ୍ପ, କନ୍ୟାଶ୍ରୀ ପ୍ରକଳ୍ପ ବେଶ୍ ପ୍ରଭାବଶାଳୀ ହୋଇଥିବା ସମସ୍ତେ ସ୍ୱୀକାର କରିଛନ୍ତି। ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କର ବିଜୁ ଜନତା ଦଳ କ୍ରମାଗତ ଭାବରେ ନିର୍ବାଚନ ଜିଣିବାରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଜରିଆରେ ବିନା ସୁଧରେ ମହିଳାମାନଙ୍କୁ ଋଣ ଦେଇ ସେମାନଙ୍କୁ ସଶକ୍ତିକରଣ କରିବାର ଯୋଜନା ବେଶ୍ କାମ ଦେଇଥିଲା। ଯଦିଓ ୨୦୨୪ ନିର୍ବାଚନରେ ବିଜେଡିର ତ୍ରୁଟିପୂର୍ଣ୍ଣ ରାଜନୈତିକ ପରିଚାଳନା ସହିତ ବିଜେପି ପକ୍ଷରୁ ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ୫୦,୦୦୦ ଟଙ୍କାର ସହାୟତା ପାଇଁ ନୂଆ ସ୍କିମ୍ ଘୋଷଣା ମହିଳାମାନଙ୍କର ବିଜେଡ଼ି ପ୍ରତି ଥିବା ସମର୍ଥନକୁ ପୂରା ମାତ୍ରାରେ ଦୋହଲାଇ ଦେବାରୁ ସେମାନେ ପରାଜିତ ହେଲେ।
ମଧ୍ୟ ପ୍ରଦେଶରେ ଏଥର ବିଧାନସଭା ନିର୍ବାଚନ ସମୟରେ ବିଜେପି ସରକାର ବିରୋଧି ଏକ ବାତାବରଣ ଯୋଗୁ କଂଗ୍ରେସ ଦଳ ସେଠାରେ କ୍ଷମତାସୀନ ହେବେ ବୋଲି ଧରି ନିଆଯାଇଥିଲା। କିନ୍ତୁ ସେତେବେଳେ ମଧ୍ୟ ପ୍ରଦେଶରେ ଥିବା ଶିବରାଜ୍ ସିଂ ଚୌହାନଙ୍କ ସରକାର ଲାଡଲି ବେହନା ଯୋଜନା ନିର୍ବାଚନର ୪ ମାସ ପୂର୍ବରୁ ଆରମ୍ଭ କରି ନିର୍ବାଚନ ବେଳକୁ ପ୍ରତି ମହିଳାମାନଙ୍କୁ ମାସିକ ୧୨୦୦ ଟଙ୍କା ଭାବରେ ଅର୍ଥ ତିନିମାସ କାଳ ସେମାନଙ୍କ ବ୍ୟାଙ୍କ ଆକାଉଂଟକୁ ପଠାଇ ଦେବାରୁ ସେଠାରେ ନିର୍ବାଚନ ଫଳାଫଳ ପୂରା ଓଲଟି ଯାଇ ବିଜେପିକୁ ବିପୁଳ ସମର୍ଥନ ମିଳିଲା। ଝାଡ଼ଖଣ୍ଡରେ ହେମନ୍ତ ସୋରେନଙ୍କ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ସରକାର ମୈୟା ସମ୍ମାନ ଯୋଜନା ଆରମ୍ଭ କରି ପ୍ରତି ମହିଳାଙ୍କୁ ମାସିକ ୧୦୦୦ ଟଙ୍କା ଲେଖାଏଁ ପ୍ରଦାନ କରିବା ଫଳରେ ଲୋକସଭା ନିର୍ବାଚନର ଫଳାଫଳକୁ ବିଧାନସଭା ନିର୍ବାଚନରେ ହେମନ୍ତ ସୋରେନଙ୍କ ସରକାର ବଦଳାଇ ଦେଇ ବିଧାନସଭାରେ ବିପୁଳ ବିଜୟ ହାସଲ କଲେ।
ସବୁଠାରୁ ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଫଳାଫଳ ମହାରାଷ୍ଟ୍ରରେ ହୋଇଛି। ସେଠାରେ ଗତ ଲୋକସଭା ନିର୍ବାଚନ ଅର୍ଥାତ୍ ମାତ୍ର ୫ ମାସ ପୂର୍ବରୁ ହୋଇଥିବା ନିର୍ବାଚନରେ ମହାୟୁତି ବା ଏନଡିଏ ମେଣ୍ଟକୁ ପରାସ୍ତ କରି ମହା ଅଘାଡ଼ି ମେଣ୍ଟ ବା ଇଣ୍ଡିଆ ମେଣ୍ଟ ରାଜ୍ୟର ୪୮ଟି ଲୋକସଭା ଆସନ ମଧ୍ୟରୁ ୩୦ଟି ହାସଲ କରିଥିଲା। କିନ୍ତୁ ଏହି ଫଳାଫଳ ପ୍ରକାଶ ପରେ ପରେ ସିନ୍ଦେଙ୍କ ନେତୃତ୍ୱଧୀନ ମହାୟୁତି ସରକାର ସେଠାରେ ଲଡକି ବହିନ ସ୍କିମ୍ ଘୋଷଣା କରି ୩ ମାସ କାଳ ରାଜ୍ୟର ପ୍ରାୟ ୨ କୋଟି ୪୦ ଲକ୍ଷ ମହିଳାଙ୍କୁ ମାସିକ ୧୫୦୦ ଟଙ୍କା ହିସାବରେ ଅର୍ଥ ବ୍ୟାଙ୍କ ଆକାଉଂଟରେ ପଠାଇଦେବା ଫଳରେ ସେଠାରେ ଫଳାଫଳ ଏପରି ହୋଇଛି ଯେ, ମହା ଅଘାଡ଼ି ମେଣ୍ଟ ନିଜର ଅସ୍ତିତ୍ୱ ହରାଇଛି। ଏହି ଘଟଣାଗୁଡ଼ିକରୁ ଗୋଟିଏ କଥା ସ୍ପଷ୍ଟ ଯେ, ପ୍ରତ୍ୟେକ ଦଳ ବା ସରକାର ସିଧାସଳଖ ମହିଳାମାନଙ୍କୁ ଅର୍ଥ ଜରିଆରେ ଆକର୍ଷିତ କରିବା ପାଇଁ ସ୍କିମମାନ ଘୋଷଣା କରି ସଫଳତା ପାଉଛନ୍ତି।
ଲିଙ୍ଗଗତ ବିଭେଦ ଦୂର କରି ମହିଳାମାନଙ୍କୁ ସବୁ କ୍ଷେତ୍ରରେ ସମାନ ଅବସ୍ଥାକୁ ଆଣିବା ଏକ ଆନ୍ତର୍ଜାତିକ ଲକ୍ଷ୍ୟ ଭାବରେ ରଖାଯାଇଛି। କାରଣ ବିଶ୍ୱର ଯେକୌଣସି ଦେଶ ହେଉ ନା କାହିଁକି ଲିଙ୍ଗଗତ ବିଭେଦ ସବୁଦେଶରେ ରହିଛି। ସେଥିପାଇଁ ଯେତେ ଆଇନକାନୁନ୍ ହେଲେ ମଧ୍ୟ ଲିଙ୍ଗଗତ ସମାନତା ହାସଲ ହେଉନାହିଁ। ଏବେ ଜାତିସଂଘ ଦ୍ୱାରା ନିକଟରେ ପ୍ରକାଶିତ ନିରନ୍ତର ବିକାଶ ରିପୋର୍ଟରେ କୁହାଯାଇଛି ଯେ ଯେଉଁଭଳି ଭାବରେ ଲିଙ୍ଗଗତ ସମାନତା ଦିଗରେ କାର୍ଯ୍ୟଚାଲିଛି ସେଥିରେ ଗୋଟିଏ ଶତାବ୍ଦୀ ମଧ୍ୟରେ ମଧ୍ୟ ଏହା ପ୍ରତିଷ୍ଠା ହୋଇପାରିବ ନାହିଁ। ଯେହେତୁ ଲିଙ୍ଗଗତ ସମାନତା ଲକ୍ଷ୍ୟ ହାସଲ ହୋଇପାରିବା ସମ୍ଭବ ହେଉନାହିଁ, ତେଣୁ ୨୦୩୦ ସୁଦ୍ଧା ନିରନ୍ତର ବିକାଶ ଲକ୍ଷ୍ୟର ୭୪ ଭାଗ କଦାପି ହାସଲ ହୋଇପାରିବ ନାହିଁ।
ନିକଟରେ ଆମେରିକାରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ କମଳା ହାରିସଙ୍କର ପରାଜୟ ପଛରେ ଏହା ହିଁ ଅନ୍ୟ ଏକ ମୁଖ୍ୟ କାରଣ। ଏପରିକି ୨୦୧୬ରେ ହିଲାରୀ କ୍ଲିଣ୍ଟନ୍ ମଧ୍ୟ ନିର୍ବାଚନରେ ପରାଜିତ ହୋଇଥିଲେ। ଆମେରିକାର ୨୦୦ ବର୍ଷରୁ ଅଧିକ ଗଣତନ୍ତ୍ରରେ ଜଣେ ହେଲେ ମହିଳା ରାଷ୍ଟ୍ରପତି ଭାବରେ ନିର୍ବାଚିତ ନହେବା ପଛରେ ପୁରୁଷପ୍ରଧାନ ମାନସିକତା ରହିଥିବା ଅନୁମାନ କରାଯାଉଛି। ଭାରତ କ୍ଷେତ୍ରରେ ଇନ୍ଦିରା ଗାନ୍ଧୀଙ୍କ ପରି ମହିଳା ପ୍ରଧାନମନ୍ତ୍ରୀ ହେବା ସହିତ ଜୟଲଳିତା, ମାୟାବତୀ ଓ ମମତା ବାନାର୍ଜୀଙ୍କ ପରି ଅନେକ ମହିଳା ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଜନସାଧାରଣଙ୍କ ସମର୍ଥନ ବଳରେ ପଦବୀ ହାସଲ କରିଥିଲେ ମଧ୍ୟ ଭାରତର ପାର୍ଲାମେଂଟ ଓ ବିଧାନସଭାଗୁଡ଼ିକୁ ଦେଖିଲେ ମହିଳାମାନଙ୍କ ପ୍ରତିନିଧିତ୍ୱ ଶତକଡ଼ା ୧୫ ମଧ୍ୟ ଟପିପାରୁନାହିଁ। ସେଥିପାଇଁ ସମ୍ଭବତଃ ସେହି ମହିଳାମାନଙ୍କୁ ଆକୃଷ୍ଟ କରିବା ପାଇଁ ପାର୍ଲାମେଂଟ ଓ ବିଧାନସଭାରେ ସେମାନଙ୍କ ପାଇଁ ଶତକଡ଼ା ଏକତୃତୀୟାଂଶ ସ୍ଥାନ ଦେବାକୁ ସମ୍ବିଧାନ ସଂଶୋଧନ କରି ଏକ ଆଇନ କରିଥିଲେ ମଧ୍ୟ ତାହା କେବେ ଲାଗୁ ହେବ ଜଣାନାହିଁ। ହେଲେ ମହିଳାମାନଙ୍କ ଭୋଟ୍ ଭାରତ ବର୍ଷର ନିର୍ବାଚନର ମାର୍ଗ ବଦଳାଇ ଦେବାରେ ଏବେ ଏକ ପ୍ରମୁଖ କୌଶଳରେ ପରିଣତ ହୋଇଛି।
ବିଶେଷ ଭାବରେ ପ୍ରଥମେ ମଧ୍ୟ ପ୍ରଦେଶ ଓ ନିକଟରେ ଶେଷ ହୋଇଥିବା ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନ ଫଳାଫଳ ସମ୍ପୂର୍ଣ୍ଣ ଭାବରେ ମହିଳାମାନଙ୍କୁ ସଂପୃକ୍ତ ସରକାର ପ୍ରଦାନ କରୁଥିବା ଆର୍ଥିକ ସହାୟତା ଉପରେ ହୋଇଥିବା ପ୍ରାୟ ପ୍ରତ୍ୟେକ ରାଜନୈତିକ ବିଚାରକ ଓ ପରାଜିତ ବିରୋଧି ପକ୍ଷମାନେ ସ୍ୱୀକାର କରୁଛନ୍ତି। ଝାଡ଼ଖଣ୍ଡରେ ବିଜେପିର ନିର୍ବାଚନ ପରାଜୟ ପରେ ହୋଇଥିବା ସମୀକ୍ଷା ବୈଠକରେ ମତ ପ୍ରକାଶ ପାଇଛି ଯେ, ବହୁ ସଂଖ୍ୟାରେ ମହିଳାମାନେ ମତଦେବା ଓ ରାଜ୍ୟ ସରକାର ପକ୍ଷରୁ ମୁଖ୍ୟମନ୍ତ୍ରୀ ମୈୟା ସମ୍ମାନ ଯୋଜନାରେ ମହିଳାମାନଙ୍କୁ ୧୦୦୦ ଟଙ୍କା ପ୍ରତି ମାସରେ ଆର୍ଥିକ ସହାୟତା ପ୍ରଦାନ ନିର୍ବାଚନରେ ଜେଏମ୍ଏମ୍ ମେଂଟ ଜିତିବାର ମୁଖ୍ୟ କାରଣ। ରାଜ୍ୟ ବିଜେପି ସଭାପତି ବାବୁଲାଲ୍ ମାରାଣ୍ଡି ଏହି ତଥ୍ୟ ପ୍ରଦାନ କରିଛନ୍ତି। ଯଦିଓ ମାତ୍ର ୫ ମାସ ତଳେ ହୋଇଥିବା ଲୋକସଭା ନିର୍ବାଚନରେ ଜେଏମ୍ଏମ୍ ବା ଇଣ୍ଡିଆ ମେଂଟ ରାଜ୍ୟର ୧୪ଟି ଆସନ ମଧ୍ୟରୁ ମାତ୍ର ୫ଟି ହାସଲ କରିଥିଲା ଓ ବିଜେପି ୮ ଓ ଆଜସୁ ଗୋଟିଏ ଆସନ ପାଇଥିଲା। କିନ୍ତୁ ବିଧାନସଭାରେ ଜେଏମ୍ଏମ୍ ମେଂଟ ୮୧ଟି ବିଧାନସଭା ଆସନରୁ ୫୬ଟି ଜିତିନେବା ସମୟରେ ବିଜେପିକୁ ୨୧ଟି ଆସନ ମିଳିଛି।
ଠିକ୍ ସେହିପରି ଦେଖିଲେ ମହାରାଷ୍ଟ୍ରରେ ଲୋକସଭା ନିର୍ବାଚନରେ ଇଣ୍ଡିଆ ମେଂଟ ୪୮ଟି ଆସନରୁ ୩୦ଟି ଆସନ ପାଇବା ଓ କଂଗ୍ରେସ ବଡ଼ ଦଳ ଭାବରେ ୧୩ଟି ଲୋକସଭା ଆସନ ନେଇଯିବା ସମୟରେ ବିଜେପିକୁ ୧୨ଟି ଆସନ ମିଳିଥିଲା। କିନ୍ତୁ ମାତ୍ର ୫ ମାସ ପରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ମହାୟୁତି ମେଂଟ ୨୮୮ ଆସନରୁ ୨୩୨ଟି ପାଇବା ଓ ଖୋଦ୍ ବିଜେପି ୧୩୨ଟି ଆସନ ପାଇବା ସମସ୍ତଙ୍କୁ ବିସ୍ମିତ କରିଦେଇଛି। କଂଗ୍ରେସ ଓ ମହା ଅଘାଡ଼ି ମେଂଟ ବସ୍ତୁତଃ ଧୂଳିସାତ୍ ହୋଇଯାଇଛି। କିନ୍ତୁ ସମସ୍ତେ ସ୍ୱୀକାର କରୁଛନ୍ତି ଯେ, ଲୋକସଭା ନିର୍ବାଚନ ଫଳ ପରେ ମହାୟୁତି ସରକାର ରାଜ୍ୟର ପ୍ରାୟ ୨ କୋଟି ୩୦ ଲକ୍ଷ ମହିଳାଙ୍କୁ ମାସିକ ୧୫୦୦ ଟଙ୍କା ହିସାବରେ ୪ ମାସର ଅର୍ଥ ଦେଇଦେବା ଫଳରେ ପରିସ୍ଥିତିରେ ଏତେ ବଡ଼ ଧରଣର ପରିବର୍ତ୍ତନ ହୋଇଗଲା। ଝାଡ଼ଖଣ୍ଡରେ ମଧ୍ୟ ମୈୟା ସମ୍ମାନ ଯୋଜନା ଠିକ୍ ଲୋକସଭା ନିର୍ବାଚନ ପରେ ପରେ କାର୍ଯ୍ୟକାରୀ ହୋଇଥିଲା। ଠିକ୍ ସେହି ଦୃଶ୍ୟ ମଧ୍ୟପ୍ରଦେଶ ନିର୍ବାଚନ ପୂର୍ବରୁ ହୋଇଥିଲା।
ମହିଳାମାନଙ୍କୁ ଠିକ୍ ନିର୍ବାଚନ ପୂର୍ବରୁ ଏଭଳି ସହାୟତାକୁ କ’ଣ କେବଳ ଏକ ଜନମଙ୍ଗଳକାରୀ କାର୍ଯ୍ୟକ୍ରମ ବା ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଭାବରେ ଗ୍ରହଣ କରାଯିବ? ଏହା ଭାରତୀୟ ନିର୍ବାଚନ ଆଇନରେ ଲାଂଚ ଭାବରେ ବିବେଚିତ ହେବାର କୌଣସି ବ୍ୟବସ୍ଥା ନାହିଁ। କିନ୍ତୁ ମହିଳାଙ୍କୁ ସଶକ୍ତିକରଣ କରିବା ଅପେକ୍ଷା କେବଳ ଭୋଟ୍ ଲକ୍ଷ୍ୟରେ ଲାଂଚ ଭାବରେ ଏହା ବ୍ୟବହୃତ ହେଉଛି ବୋଲି କାହିଁକି କୁହାନଯିବ? ମହିଳାମାନେ ଘରେ ପରିବାର ଚଳାଇବାଠାରୁ ଆରମ୍ଭ କରି ଶିଶୁମାନଙ୍କର ଲାଳନପାଳନରେ ବହୁ ସମୟ ଅତିବାହିତ କରୁଥିଲେ ମଧ୍ୟ ସେମାନେ ଏଥିପାଇଁ କୌଣସି ଅର୍ଥ ପାଆନ୍ତିନାହିଁ। ଶିଶୁର ଲାଳନପାଳନ ଓ ପରିବାର ଚଳାଇବା ଦାୟିତ୍ୱ ସେମାନେ ବିନା ମୂଲ୍ୟରେ କରୁଥିବାରୁ ସେମାନଙ୍କର ପାରିଶ୍ରମିକ ମୂଲ୍ୟ ଭାବରେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଆର୍ଥିକ ସହାୟତା ଦିଆଯିବା ଯୁକ୍ତିଯୁକ୍ତ। କାରଣ ଶିଶୁମାନଙ୍କର ଲାଳନପାଳନ ମଧ୍ୟ ଏକ ରାଷ୍ଟ୍ରୀୟ ଦାୟିତ୍ୱ। ହେଲେ ଏହି ଅର୍ଥକୁ ଏପରି ଭାବରେ ଦିଆଯିବା ଉଚିତ୍ ନୁହେଁ, ଯାହାକୁ ଭୋଟ୍ ପାଇଁ ଲାଂଚ ବୋଲି କୁହାଯାଇପାରିବ।
ଫୋ- ୯୪୩୭୪୦୪୪୫୫
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।