Advertisment

ସଂଘ ଶତାବ୍ଦୀ ବର୍ଷର ବିଶାଳ ପଥ ସଞ୍ଚଳନ

ଏହା ହେଉଛି ସଂଘ ଶହେ ବର୍ଷ ଧରି ସାଧନା କରିଥିବା ଅଭ୍ୟାସର ସାର: ‘ଯଦି ଆମେ ଅଛୁ, ତେବେ ରାଷ୍ଟ୍ର ଅଛୁ, ଏବଂ ଯଦି ରାଷ୍ଟ୍ର ଅଛି, ତେବେ ଆମେ ଅଛୁ।’

author-image
Debendra Prusty
rss

Patha Sanchalan Photograph: (Internet)

ସସ୍ମିତାରାଣୀ ରାଉତ

୨୦୨୫ ମସିହା ଅକ୍ଟୋବର ୧୨ ତାରିଖର ଘଟଣା। ସମୟ ପ୍ରାୟ ଅପରାହ୍ନ ୪.୪୦ ମିନିଟ ହେବ। ଭୁବନେଶ୍ୱରର ଖାରବେଳ ନଗରସ୍ଥିତ ଶ୍ରୀରାମ ମନ୍ଦିରରୁ ଆମେ ଦର୍ଶନ ସାରି ଫେରୁଥାଉ। ପାଖରେ ଥିବା ଟ୍ରାଫିକ ଛକରେ ପୋଲିସ ଆମକୁ ଆଗକୁ ଯିବା ପାଇଁ ବାରଣ କଲେ। କେବଳ ଆମେ ନୁହେଁ ଅନେକ ଲୋକ ରାସ୍ତାରେ ଛିଡ଼ା ହୋଇ ରହିଲେ। କ’ଣ ପାଇଁ ପୋଲିସ ଅଟକାଇଲେ ବା ଆଗରେ କ’ଣ ହେଉଛି ତାହା ଦେଖିବା ପାଇଁ ମୁଁ ଆଗକୁ ଆଗେଇ ଯାଇ ଠିଆ ହୋଇଥିବା ଜନତାଙ୍କ ଆଗରେ ଠିଆ ହେଲି। ଦେଖିଲି ପ୍ରଦର୍ଶନୀ ପଡ଼ିଆ ଆଡ଼ୁ, ସହିଦନଗର ପଟୁ ଏବଂ ଶ୍ରୀୟାଛକ ଆଡୁ ତିନି ପାଖରୁ ଲମ୍ବା ଧାଡ଼ିରେ ଲୋକମାନେ ଆସୁଛନ୍ତି। ସେମାନେ କଫି ରଙ୍ଗର ଫୁଲ ପ୍ୟାଣ୍ଟ, ଧଳା ସାର୍ଟ, ମୁଣ୍ଡରେ କଳା ଟୋପି ଏବଂ କଳା ବୁଟ ପିନ୍ଧି କାନ୍ଧରେ ବାଡ଼ି ପକାଇ, ପାଦକୁ ପାଦ ମିଳାଇ, ଶଙ୍ଖ, ବେଗୁଲ, ବଂଶୀ, ଆନକ, ଡ୍ରମ ଆଦି ବାଦ୍ୟଯନ୍ତ୍ର ବଜାଇ  ଯେପରି ସ୍ୱାଧୀନତା ଦିବସରେ ପୋଲିସମାନେ ପ୍ୟାରେଡ଼ କରନ୍ତି ଠିକ୍ ସେହିପରି ଭାବରେ ଆଗକୁ ମାଡ଼ି ଆସୁଥାନ୍ତି, ଆଉ ରାସ୍ତାର ଦୁଇ କଡ଼ରେ ଠିଆ ହୋଇଥିବା ମାଆ ଭଉଣୀମାନେ ସେମାନଙ୍କ ଉପରକୁ ପୁଷ୍ପ ବୃଷ୍ଟି କରୁଥାନ୍ତି। 

Advertisment

ତିନୋଟି ଦିଗରୁ ଆସୁଥିବା ଶୋଭାଯାତ୍ରା ଏକ ସମୟରେ ରାମ ମନ୍ଦିର ଟ୍ରାଫିକ ଛକରେ ମିଳିତ ହୋଇ ମାଷ୍ଟର କ୍ୟାଣ୍ଟିନ ଅଭିମୁଖେ ଆଗେଇ ଯାଇଥିଲେ। କି ସୁନ୍ଦର ଦୃଶ୍ୟ, ଶୃଙ୍ଖଳିତ ବ୍ୟବସ୍ଥା, ଅନୁଶାସିତ ବ୍ୟକ୍ତି। ଏ ଦୃଶ୍ୟ ଦେଖିଲେ କେହି ପ୍ରଶଂସା ନକରି ରହିପାରିବେ ନାହିଁ। କିଏ ଏମାନେ? କ’ଣ ପାଇଁ ଏ ଭବ୍ୟ ଶୋଭାଯାତ୍ରା? ଏହି ପ୍ରଶ୍ନ ମୋ ମନରେ ଉଙ୍କି ମାରୁଥାଏ। ଦେଖିଲି ବିଭିନ୍ନ ଗଣମାଧ୍ୟମ ସମ୍ମୁଖରେ କିଛି ବ୍ୟକ୍ତି ତାଙ୍କର ପ୍ରତିକ୍ରିୟା ରଖୁଥାନ୍ତି। ସେମାନଙ୍କ ନିକଟକୁ ଯାଇ ଜାଣିଲି ଯେ ଭବ୍ୟ ଶୋଭାଯାତ୍ରାରେ ଯାଉଥିବା ଲୋକମାନେ ହେଉଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ୱୟଂସେବକ। ସଂଘ ଶହେ ବର୍ଷରେ ପଦାର୍ପଣ କରିଛି। ଏହି ଅବସରରେ ସାରା ଭାରତ ବର୍ଷରେ ବିଶାଳ ପଥ ସଞ୍ଚଳନମାନ ଅନୁଷ୍ଠିତ ହେଉଛି। 

ଏହାପରେ ଘରକୁ ଫେରିଗଲା ପରେ ମୁଁ ଆମ ଅଞ୍ଚଳରେ ଥିବା ସଂଘର ଅନେକ କାର୍ଯ୍ୟକର୍ତ୍ତାଙ୍କୁ ଭେଟିଲି। ସେମାନଙ୍କ ଠାରୁ ମୋ ମନରେ ଥିବା ଅନେକ ପ୍ରଶ୍ନର ସମାଧାନ ମଧ୍ୟ ପାଇଗଲି। ସେମାନଙ୍କ ମତରେ ଆରଏସ୍‌ଏସ୍ ଶହେ ବର୍ଷରେ ପହଂଚିଛି। ସେଥିପାଇଁ ସଂଘ ତରଫରୁ ବର୍ଷସାରା ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି। ବିଜୟା ଦଶମୀରେ ଶତାବ୍ଦୀ ବର୍ଷର ଉଦ୍‌ଘାଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଓଡ଼ିଶା ପୂର୍ବରେ୧୨୭୧ ମଣ୍ଡଳ ଓ ୪୭୬ ବସତିର ୮୬୯ ସ୍ଥାନରେ ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଁ ଅନେକ ବୈଦ୍ୟୁତିକ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ଗୁଡିକରେ ସଂଘର ସେହି ବିଶାଳ ପଥସଞ୍ଚଳନ ଗୁଡ଼ିକୁ ଅବଲୋକନ କରିଛି। ଯେତେବେଳେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏହି ଶୋଭାଯାତ୍ରାଗୁଡ଼ିକ ଅନୁଷ୍ଠିତ ହେଉଥିଲା ସେତେବେଳେ ସହର ଏବଂ ବସ୍ତି ଗୁଡ଼ିକ ଗୈରିକ ରଙ୍ଗର ପତାକାରେ ପରିପୂର୍ଣ୍ଣ ହୋଇଯାଉଥିଲା। ମହିଳାମାନେ ଛାତରୁ ଫୁଲ ବୃଷ୍ଟି କରୁଥିଲେ ଏବଂ ପିଲାମାନେ ବନ୍ଦେ ମାତରମ୍‌ ଗାନ କରୁଥିଲେ। ପ୍ରତ୍ୟେକ ନଗର, ପ୍ରତ୍ୟେକ ଗାଁ ଏବଂ ବସତି ଏହି ଏକାତ୍ମତା ସାକ୍ଷାତକାରର ସାକ୍ଷୀ ହୋଇଛନ୍ତି। କଟକ, ଭୁବନେଶ୍ୱର, ପୁରୀ, ବାଲେଶ୍ୱର, ଖୋର୍ଦ୍ଧା, ନୟାଗଡ଼, ଜଗତସିଂପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ମୟୂରଭଞ୍ଜ, କେନ୍ଦୁଝର, ରାଇରଙ୍ଗପୁର, ଗଞ୍ଜାମ, ଗଜପତି, ଆସ୍କା ଏବଂ କନ୍ଧମାଳ, ସୁନ୍ଦରଗଡ଼, ରାଉରକେଲା, କୋରାପୁଟ ଆଦି ସ୍ଥାନମାନଙ୍କରେ ପଥ ସଞ୍ଚଳନ ଗୁଡ଼ିକ ସମାନ ଉତ୍ସାହ ଏବଂ ଅନୁଶାସନ ସହିତ ଅନୁଷ୍ଠିତ ହୋଇଥିଲା। 

Advertisment

ଏହି ଶୋଭାଯାତ୍ରା ବା ପଥ ସଞ୍ଚଳନ ଗୁଡ଼ିକ କୌଣସି ରାଜନୈତିକ ପ୍ରଦର୍ଶନ ନଥିଲା, କ୍ଷମତା ପାଇଁ କୌଣସି ଆକାଂକ୍ଷା ନଥିଲା; ବରଂ ଏହା ରାଷ୍ଟ୍ରଭାବ, ଶୌର୍ଯ୍ୟ ଏବଂ ଶୃଙ୍ଖଳାର ଏକ ସାର୍ବଜନୀନ ଦର୍ଶନ ଥିଲା। ଛୋଟ ନଗରରୁ ମହାନଗର ପର୍ଯ୍ୟନ୍ତ, ସଂଘ ୟୁନିଫର୍ମ ପିନ୍ଧା ବା ସଂଘର ଗଣବେଶଧାରୀ ସ୍ୱୟଂସେବକଙ୍କ ଧାଡ଼ି କେବଳ ଦେଖିବା ପାଇଁ ଏକ ଦୃଶ୍ୟ ନୁହେଁ ବରଂ ପ୍ରେରଣାଦାୟକ ମଧ୍ୟ ଥିଲା। ଶିଶୁ, ଯୁବକ ଏବଂ ବୃଦ୍ଧ ସମସ୍ତ ବୟସର ସ୍ୱୟଂସେବକମାନେ ଘୋଷ ବାଦ୍ୟଯନ୍ତ୍ର ବଜାଇ ଦଣ୍ଡ ଏବଂ ଧ୍ୱଜର ସହିତ ଧାଡ଼ି ହୋଇ ଯାଉଥିଲେ। ପଥ ସଞ୍ଚଳନ ଯିବାବେଳ ପଥର ଦୁଇ କଡ଼ରେ ଠିଆ ହୋଇ ମାଆ, ଭଉଣୀମାନେ ଭାରତ ମାତା କି ଜୟ ସ୍ଲୋଗାନ ଦେବା ସହିତ ପୁଷ୍ପ ବୃଷ୍ଟି କରୁଥିଲେ। ଏହି ପଥ ସଞ୍ଚଳନକୁ ଦେଖି ପ୍ରତ୍ୟେକ ଦର୍ଶକ ଅନୁଭବ କରୁଥିଲେ ଯେ ଏହି ସଂଗଠନ କେବଳ ଏକ ଅନୁଷ୍ଠାନ ନୁହେଁ, ବରଂ ରାଷ୍ଟ୍ରୀୟ ଆତ୍ମାର ପ୍ରବାହ।

ଏହି କାର୍ଯ୍ୟକ୍ରମଗୁଡ଼ିକ ପାଇଁ ପ୍ରସ୍ତୁତି ମଧ୍ୟ ନିଜ ଭିତରେ ଏକ ବିଶାଳ ଅଭ୍ୟାସ ଥିଲା ସଂଘର କାର୍ଯ୍ୟ ପଦ୍ଧତିର ଏକ ଉଦାହରଣ। ସ୍ୱୟଂସେବକମାନେ ମାସ ମାସ ପୂର୍ବରୁ ସ୍ଥାନୀୟ ସ୍ତରରେ ଯୋଜନା କରିଥିଲେ। ସହରଗୁଡ଼ିକରେ ପଥ ଚିହ୍ନିତ କରାଯାଇଥିଲା, ନାଗରିକ କମିଟି ଗଠନ କରାଯାଇଥିଲା, ଏବଂ ପ୍ରଶାସନ ସହିତ ସମନ୍ୱୟ ସ୍ଥାପନ କରାଯାଇଥିଲା। ସମାଜର ପ୍ରତ୍ୟେକ ବର୍ଗ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହା ସ୍ପଷ୍ଟ କରେ ଯେ ଆଜି ସଂଘ କେବଳ ଶାଖାରେ ସୀମିତ ନୁହେଁ, ବରଂ ଶିକ୍ଷା, ଗ୍ରାମୀଣ ବିକାଶ, ମହିଳା ସଶକ୍ତିକରଣ, ପରିବେଶ, ସ୍ୱାସ୍ଥ୍ୟ ଏବଂ ସେବା କ୍ଷେତ୍ରରେ ବ୍ୟାପକ ସାମାଜିକ ସଚେତନତାର ଏକ ମାଧ୍ୟମ ପାଲଟିଛି। ସଂଘର ପଥ ସଞ୍ଚଳନ ଦୃଶ୍ୟଗୁଡ଼ିକ ପ୍ରମାଣ କରେ ଯେ ସଂଘର କାର୍ଯ୍ୟ  କେବଳ ପୁରୁଷ-କୈନ୍ଦ୍ରିକ ନୁହେଁ, ବରଂ ସମାଜର ପ୍ରତ୍ୟେକ ବର୍ଗର ଅଂଶଗ୍ରହଣ ସହିତ ଏକ ସମରସ ରୂପ ନେଇଛି।    

କିଛି ସ୍ଥାନରେ ବିଦେଶୀ ନାଗରିକମାନେ ମଧ୍ୟ ଏହି ପଥ ସଞ୍ଚଳନଗୁଡ଼ିକୁ ଦେଖି ଭାରତର ସାଂଗଠନିକ ଶକ୍ତି, ଶୃଙ୍ଖଳା ଏବଂ ଆତ୍ମୀୟତାର ପ୍ରଶଂସା କରିଥିଲେ। ଏହା ହେଉଛି ଭାରତର ନରମ ଶକ୍ତିର ପ୍ରତିଫଳନ, ଯାହାକୁ ସଂଘ ସମାନ ପୋଷାକ, ସଂଯମିତ ଗତି ଏବଂ ସାମୂହିକ ନିଷ୍ଠା ମାଧ୍ୟମରେ କୌଣସି ରାଜନୈତିକ କିମ୍ବା ଧାର୍ମିକ ସ୍ଲୋଗାନ ବିନା  ଭାରତୀୟ ସଂସ୍କୃତିର ଜୀବନ୍ତତା ମାଧ୍ୟମରେ ପରିଚିତ କରାଇଛି। ଏହି ଅନୁଶାସନ କୌଣସି ଭୟରୁ ନୁହେଁ ବରଂ ଆତ୍ମ-ସଂଯମ ଏବଂ ଦେଶପ୍ରେମରୁ ଉତ୍ପନ୍ନ ହୁଏ ଯାହା ଭାରତୀୟ ସଭ୍ୟତାର ଏକ ବିଶେଷ ପରିଚୟ।

ପ୍ରତ୍ୟେକ ସ୍ୱୟଂସେବକଙ୍କ ପାଇଁ ଏହି ପଥ ସଞ୍ଚଳନ ଥିଲା ବର୍ଷ ବର୍ଷର ଶାଖା ପ୍ରଶିକ୍ଷଣ ଏବଂ ଆତ୍ମସଂଯମର ପ୍ରତିଫଳନ ଓ ଏକ ସାଧନା। ଏହି କାର୍ଯ୍ୟକ୍ରମ ସଂଘର ମୂଳ ଉଦ୍ଦେଶ୍ୟର ପ୍ରତିଫଳନ ଥିଲା ରାଷ୍ଟ୍ରର ସେବା କେବଳ ଶବ୍ଦ କିମ୍ବା ସ୍ଲୋଗାନ ମାଧ୍ୟମରେ ନୁହେଁ, ବରଂ ଶୃଙ୍ଖଳିତ ଜୀବନ ଏବଂ ସମର୍ପିତ କାର୍ଯ୍ୟ ଦ୍ୱାରା ସମ୍ଭବ। ସଂଘର ଏହି ‘ଶତାବ୍ଦୀ ପଥ ସଞ୍ଚଳନ’ ସ୍ୱୟଂସେବକମାନଙ୍କ ପାଇଁ ଆତ୍ମନିରୀକ୍ଷଣ ଏବଂ ଆତ୍ମ-ପ୍ରତିଫଳନର ଏକ ସୁଯୋଗ ତଥା ନିଜ ଭିତରେ ସଂଗଠନର ଭାବନାକୁ ଆହୁରି ମଜବୁତ କରିବା ପାଇଁ ଏକ ଆହ୍ୱାନ ହୋଇଗଲା।    

ରାଷ୍ଟ୍ରୀୟ ଚେତନାକୁ ଜୀବିତ ରଖୁଥିବା ସଂଗଠନର ମୂଲ୍ୟାଙ୍କନ କେବଳ  ସେମାନଙ୍କର ବର୍ଷ ଗଣନା ଦ୍ୱାରା ନୁହେଁ ବରଂ ସମାଜରେ ସେମାନେ ସୃଷ୍ଟି କରିଥିବା ଆତ୍ମବିଶ୍ୱାସ, ଅନୁଶାସନ ଏବଂ ଏକାତ୍ମତାର ଭାବନା ଦ୍ୱାରା ବିଚାର କରାଯାଏ। ୧୯୨୫ ମସିହାରେ ଡକ୍ଟର ହେଡଗେୱାରଙ୍କ ନେତୃତ୍ୱରେ ନାଗପୁରରେ ଏକ ଛୋଟ ଶାଖାରୁ ନିଜର ଯାତ୍ରା ଆରମ୍ଭ କରିଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଆଜି ଶତବାର୍ଷିକୀ ବର୍ଷରେ ପ୍ରବେଶ କରିଛି। ଏହି ଅବସରରେ ଦେଶବ୍ୟାପୀ ଆୟୋଜିତ ‘ବିରାଟ ପଥ ସଞ୍ଚଳନ’ (ଭବ୍ୟ ଶୋଭାଯାତ୍ରା) କେବଳ ଏକ ସ୍ମରଣୋତ୍ସବ କିମ୍ବା ପ୍ରଦର୍ଶନ ନୁହେଁ, ବରଂ ଗତ ଶହେ ବର୍ଷ ଧରି ସଂଘ ଭାରତୀୟ ସମାଜ ଚେତନାରେ ଗଭୀର ଭାବରେ ସ୍ଥାପିତ କରିଥିବା ସାଂଗଠନିକ ଅନୁଶାସନ, ଆତ୍ମୀୟତା ଏବଂ ରାଷ୍ଟ୍ରୀୟ ଭାବନାର ଏକ ଜୀବନ୍ତ ପ୍ରମାଣ। ତେଣୁ ଆଜି ଏହା ସମାଜ ପ୍ରତି ତାହାର ଅଟଳ ନିଷ୍ଠାର ଏକ ଜୀବନ୍ତ ପ୍ରତୀକ ପାଲଟି ଯାଇଛି।

ସଂଘର ଏହି ଶତବାର୍ଷିକୀ ବର୍ଷ ଐତିହାସିକ ବର୍ଷ ରୂପେ ପରିଚିତ ହୋଇଛି। ଏହା ଏପରି ଏକ ସମୟ ଯେତେବେଳେ ଭାରତ ବିଶ୍ୱ ସ୍ତରରେ ଏକ ଆତ୍ମବିଶ୍ୱାସୀ ରାଷ୍ଟ୍ର ଭାବରେ ଉଭା ହେଉଛି। ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଅର୍ଥନୀତି ଏବଂ ଅନ୍ତର୍ଜାତୀୟ ରାଜନୀତିରେ ଭାରତର ଭୂମିକା ନିରନ୍ତର ବୃଦ୍ଧି ପାଉଛି। ଏପରି ସମୟରେ  ସଂଘର ଶତବାର୍ଷିକୀ ବର୍ଷ ଏକ ନୂଆ ମୁହୂର୍ତ୍ତକୁ ସୂଚିତ କରେ, ଯେଉଁଠାରେ ସଂଗଠନ ନିଜକୁ ନୁହେଁ ବରଂ  ଭାରତର ‘ସ୍ୱ’ ଭାବକୁ ପୁନଃସ୍ଥାପିତ କରୁଛି। ଯେତେବେଳେ ହଜାର ହଜାର ସ୍ୱୟଂସେବକ ଗୋଟିଏ ବେଶରେ, ଗୋଟିଏ ସ୍ୱରରେ ଏବଂ ଗୋଟିଏ ଲୟରେ ଆଗକୁ ବଢ଼ିଥାନ୍ତି ସେହି ଦୃଶ୍ୟ କେବଳ ସଂଘର ନୁହେଁ ବରଂ ରାଷ୍ଟ୍ରର ଏକତ୍ମତାର ପ୍ରତୀକ ହୋଇଯାଏ।
ଡକ୍ଟର କେଶବ ବଳିରାମ ହେଡଗେୱାର କହିଛନ୍ତି ‘ସଂଘର ଲକ୍ଷ୍ୟ ହେଉଛି ବ୍ୟକ୍ତି ନିର୍ମାଣ କରିବା, ଏବଂ ବ୍ୟକ୍ତି ମାଧ୍ୟମରେ ସମାଜର ଉତ୍‌ଥାନ କରିବା।’ ଶତାବ୍ଦୀ ବର୍ଷର ଏହି ପଥ ସଞ୍ଚଳନ ସେହି ଚିନ୍ତାଧାରାକୁ ମୂର୍ତ୍ତିମନ୍ତ କରିଛି। ଯେତେବେଳେ ହଜାର ହଜାର ସ୍ୱୟଂସେବକ ଏକ ଲୟରେ ଗୋଟିଏ ଦିଗରେ ଆଗକୁ ବଢ଼ୁଥିଲେ, ସେତେବେଳେ ଏପରି ଅନୁଭବ ହେଉଥିଲା ଯେ ଯେପରି ରାଷ୍ଟ୍ରର ଆତ୍ମା ସ୍ୱୟଂ ଚାଲୁଛନ୍ତି। ଏହି ଘଟଣା କେବଳ ବିଗତ ଶହେ ବର୍ଷର ସାଧନାକୁ ସ୍ମରଣ କରୁନଥିଲା ବରଂ ଆଗାମୀ ଶତାବ୍ଦୀର ଦିଗକୁ ମଧ୍ୟ ସୂଚାଉଥିଲା।

ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ ସଂଘର ଏହି ଶତାବ୍ଦୀ ପାଳନ ଏପରି ଏକ ସମୟରେ ହେଉଛି ଯେତେବେଳେ ଭାରତ ବିଶ୍ୱ ନେତୃତ୍ୱ ଭୂମିକାରେ ଆଗକୁ ବଢ଼ୁଛି। ଜି-୨୦, ମହାକାଶ ବିଜ୍ଞାନ, ଡିଜିଟାଲ ବିପ୍ଳବ, ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱ ସଂଘର୍ଷ ମଧ୍ୟରେ ଭାରତର ଦୃଷ୍ଟିକୋଣ ବିଶ୍ୱକୁ ଗୋଟିଏ ପରିବାର ଭାବରେ ବିବେଚନା କରୁଛି। ସଂଘର ମୂଳମନ୍ତ୍ର, ‘ବସୁଧୈବ କୁଟୁମ୍ବକମ୍‌’ର ଭାବନା ଆଉ କେବଳ ଶାସ୍ତ୍ର ମଧ୍ୟରେ ସୀମିତ ନୁହେଁ ବରଂ ବିଶ୍ୱ ନୀତିର ମାର୍ଗଦର୍ଶକ ହୋଇପାରୁଛି। ତେଣୁ ଶତବାର୍ଷିକୀ ପଥ ସଞ୍ଚଳନ ଏହି ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ଯାହା କେବଳ ରାଷ୍ଟ୍ରୀୟ ନୁହେଁ ବରଂ ବିଶ୍ୱ ଏକତାର ପ୍ରତୀକ।    

ଇତିହାସର ପୃଷ୍ଠା ଲେଉଟାଇଲେ ଆମେ ସ୍ପଷ୍ଟ ଦେଖିପାରିବା ଯେ ସଂଘ ଅନେକ ସଙ୍କଟ ସମୟରେ ଦେଶକୁ ଏକ ସୂତ୍ରରେ ବାନ୍ଧିବା ପାଇଁ କାର୍ଯ୍ୟ କରିଛି। ବିଭାଜନ ସମୟରେ ରିଲିଫ୍ କାର୍ଯ୍ୟ, ୧୯୬୨, ୧୯୬୫ ଏବଂ ୧୯୭୧ ଯୁଦ୍ଧ ସମୟରେ ନାଗରିକ ସହାୟତା, ୧୯୭୫ ଜରୁରୀକାଳୀନ ପରିସ୍ଥିତି ସମୟରେ ଗଣତନ୍ତ୍ରର ରକ୍ଷା, ୧୯୯୦ ଦଶକରେ ସାମାଜିକ ସମରସତା ପାଇଁ ପ୍ରୟାସ, ୧୯୯୯ ମହାବାତ୍ୟାର ଓଡ଼ିଶାରେ ସେବାକାର୍ଯ୍ୟ, କୋଭିଡ୍‌-୧୯ ମହାମାରୀ ସମୟରେ ସେବା ଭାରତୀ ମାଧ୍ୟମରେ କରାଯାଇଥିବା ରିଲିଫ୍ ଅଭିଯାନ ଏବଂ ପ୍ରତିବର୍ଷ ପୁରୀ ରଥଯାତ୍ରା ସମୟରେ ବିଭିନ୍ନ ପ୍ରକାର ସେବାକାର୍ଯ୍ୟ ଆଦି ଏସବୁ ଦର୍ଶାଏ ଯେ ସଂଘର କାର୍ଯ୍ୟକଳାପ କେବଳ ବିଚାରଗତ ନୁହେଁ ବରଂ ବ୍ୟବହାରିକ ରାଷ୍ଟ୍ର ସେବା ସହିତ ଜଡ଼ିତ। ତେଣୁ ଶତବାର୍ଷିକୀ ପାଳନକୁ ସେହି ନିରନ୍ତର ସାଧନାର ପରିଣାମ ଭାବରେ ଦେଖାଯିବା ଉଚିତ।

ବିରାଟ ପଥ ସଞ୍ଚଳନର ଆଉ ଏକ ନିହିତାର୍ଥ ହେଉଛି ସମାଜରେ ସଂଗଠିତ ଜୀବନ ସଂସ୍କୃତିକୁ ପୁନଃସ୍ଥାପିତ କରିବା। ଆଧୁନିକତା ଏବଂ ଉପଭୋକ୍ତାବାଦର ଏହି ଯୁଗରେ ବ୍ୟକ୍ତିମାନେ ସେମାନଙ୍କର ଦାୟିତ୍ୱରୁ ବିମୁଖ ହେଉଛନ୍ତି କିନ୍ତୁ ସଂଘର ଏହି ଶୃଙ୍ଖଳିତ ପ୍ରଦର୍ଶନ ଆମକୁ ମନେ ପକାଇ ଦିଏ ଯେ ରାଷ୍ଟ୍ରୀୟ ଜୀବନର ମୂଳଦୁଆ କେବଳ ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ସାମୂହିକ ଚେତନା। ଏହି ଚେତନା ବିନା ରାଷ୍ଟ୍ର କେବଳ ଏକ  ଭୌଗୋଳିକ ସତ୍ତା ହୋଇ ରହିଥାଏ। ଏହା ମଧ୍ୟ ଉଲ୍ଲେଖନୀୟ ଯେ ଶତାବ୍ଦୀ ପଥ ସଞ୍ଚଳନରେ ବହୁ ସଂଖ୍ୟକ ଯୁବକ ଅଂଶଗ୍ରହଣ କରିଥିଲେ। ଏହା ସୂଚିତ କରେ ଯେ ନୂତନ ପିଢ଼ି ସଂଘର ବିଚାରଧାରାକୁ କେବଳ ଏକ ପରମ୍ପରା ଭାବରେ ନୁହେଁ, ବରଂ ଆଧୁନିକ ରାଷ୍ଟ୍ର ନିର୍ମାଣ ପାଇଁ ଶକ୍ତି ଭାବରେ ଦେଖେ। ଯେତେବେଳେ ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍‌, ସାମାଜିକ ଗଣମାଧ୍ୟମ ଏବଂ ଆଧୁନିକ ଶିକ୍ଷା ସହିତ ଜଡିତ ଏହି ପିଢ଼ି ଶାଖା ଏବଂ ପଥ ସଞ୍ଚଳନରେ ଶୃଙ୍ଖଳାର ସହିତ ଯୋଗ ଦିଏ, ଏହା ଭାରତର ଭବିଷ୍ୟତ ପାଇଁ ଏକ ସକାରାତ୍ମକ ସଙ୍କେତ।

ସାମୂହିକ ଭାବରେ ଦେଖିଲେ ସଂଘର ପଥ ସଞ୍ଚଳନ ଗୁଡିକ ଭାରତୀୟ ସମାଜର ଅଦୃଶ୍ୟ ଏକତାର ଏକ ଦୃଶ୍ୟମାନକୁ ପରିପ୍ରକାଶ କରିଛି। ଏହାସହିତ  ବାର୍ତ୍ତା ଦେଇଛି ରାଷ୍ଟ୍ରର ପ୍ରଗତି କେବଳ ସରକାର କିମ୍ବା ନୀତି ଦ୍ୱାରା ହୁଏ ନାହିଁ, ବରଂ ନାଗରିକଙ୍କ ଜାଗରଣ ଏବଂ ସଂଗଠନ ଦ୍ୱାରା ହୋଇଥାଏ। ସଂଘର ଏହି କାର୍ଯ୍ୟପଦ୍ଧତି କାହାକୁ ବିରୋଧ କରିବା ଉପରେ ଆଧାରିତ ନୁହେଁ, ବରଂ ଆତ୍ମ-ଅନୁଶାସନ ଏବଂ ସମାଜର ଉତ୍ଥାନ ଉପରେ ଆଧାରିତ। ଏହି କାରଣରୁ ଶତାବ୍ଦୀ ପଥ ସଞ୍ଚଳନଗୁଡ଼ିକୁ କେବଳ ସଂଘର କାର୍ଯ୍ୟକ୍ରମ ଭାବରେ ବିବେଚନା କରାଯିବା ଉଚିତ ନୁହେଁ, ବରଂ ଭାରତୀୟ ସଂସ୍କୃତିର ସାମୂହିକ ଶକ୍ତିର ଉତ୍ସବ ଭାବରେ ବିବେଚନା କରାଯିବା ଉଚିତ।

ଆଜି ଯେତେବେଳେ ଭାରତ ତାର ସଭ୍ୟତାକୁ ପୁନରୁଦ୍ଧାର କରିବାର ଏକ ସୁବର୍ଣ୍ଣ ଯୁଗ ଆଡକୁ ଅଗ୍ରସର ହେଉଛି ସଂଘର ଏହି ବିଶାଳ ପଥ ସଞ୍ଚଳନ ସେହି ଯାତ୍ରାର ଆରମ୍ଭିକ ସ୍ୱର। ଏଥିରେ ଦେଖାଯାଉଥିବା ଏକତା, ଆତ୍ମବିଶ୍ୱାସ ଏବଂ ସାଂଗଠନିକ ଶକ୍ତି କେବଳ ଏକ ସଂଗଠନର ନୁହେଁ ବରଂ ଏକ ରାଷ୍ଟ୍ରୀୟ ଆତ୍ମାର ଅଭିବ୍ୟକ୍ତି। ଏହି ଘଟଣା ଆଗାମୀ ପିଢ଼ି ପାଇଁ ପ୍ରେରଣା ଭାବରେ କାର୍ଯ୍ୟ କରିବ: ଯେତେବେଳେ ସମାଜ ସଂଗଠିତ ହୋଇଯାଏ ସେତେବେଳେ କୌଣସି ଶକ୍ତି ଏହାକୁ ରୋକିପାରିବ ନାହିଁ ।    

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତବାର୍ଷିକୀ ବର୍ଷର ଏହି ବିଶାଳ ପଥ ସଞ୍ଚଳନ ଇତିହାସର ପୃଷ୍ଠାରେ କେବଳ ଏକ ଘଟଣା ଭାବରେ ନୁହେଁ, ବରଂ ଏକ ଯୁଗଚେତନାର ପୁନର୍ଜାଗରଣ ଭାବରେ ଲିପିବଦ୍ଧ ହେବ, ଯେଉଁଠାରେ ଏକ ସଂଗଠନ ନିଜ ଅସ୍ତିତ୍ୱକୁ ଅତିକ୍ରମ କରି ସମଗ୍ର ରାଷ୍ଟ୍ରକୁ ଏହାର ଆତ୍ମାର ସ୍ମରଣ କରାଇ ଦେଇଥିଲା। ଏହା ହେଉଛି ସଂଘ ଶହେ ବର୍ଷ ଧରି ସାଧନା କରିଥିବା ଅଭ୍ୟାସର ସାର: ‘ଯଦି ଆମେ ଅଛୁ, ତେବେ ରାଷ୍ଟ୍ର ଅଛୁ, ଏବଂ ଯଦି ରାଷ୍ଟ୍ର ଅଛି, ତେବେ ଆମେ ଅଛୁ।’ ଏହି ପଥ ସଞ୍ଚଳନ ପ୍ରକୃତରେ ଭାରତର ଅଖଣ୍ଡ ଯାତ୍ରାର ପ୍ରତୀକ, ଯାହା ସହସ୍ରାବ୍ଦ ଧରି ଜାରି ରହିଛି ଏବଂ ଆଗାମୀ ଯୁଗ ପାଇଁ ପ୍ରେରଣା ଦେଇ ଚାଲିବ।

ଘିଗିଡ଼ିଆ, ବାରୁଅ, କେନ୍ଦ୍ରାପଡ଼ା, ମୋ-୯୪୩୮୧୮୩୮୦୧

Rss RSS Foundation Day