ସମସ୍ତଙ୍କୁ ପେନସନ୍ ଏକ ଅନୁକମ୍ପା ନୁହେଁ, ଅଧିକାର

ଭାଲଚନ୍ଦ୍ର ଷଡ଼ଙ୍ଗୀ ଏହି ସମୟରେ ସାରା ଦେଶରେ ପେନସନକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାଜସ୍ଥାନ ଓ ଛତିଶଗଡ଼ ସରକାର ଇତିମଧ୍ୟରେ ନିଜର କର୍ମଚାରୀଙ୍କ ପାଇଁ ବର୍ତ୍ତମାନ ଥିବା ଜାତୀୟ ପେନସେନ୍ ଯୋଜନାକୁ ହଟେଇ ପୁରୁଣା ପେନସେନ୍ ବ୍ୟବସ୍ଥା ଲାଗୁ କରିଥିବା ବେଳେ ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ ଓ ପଞ୍ଜାବ ସରକାର ମଧ୍ୟ ତାକୁ ଖୁବଶୀଘ୍ର ଲାଗୁ କରିବାକୁ ଘୋଷଣା କରିଛନ୍ତି। ନିକଟରେ ଓଡ଼ିଶାରେ ମଧ୍ୟ ନିଜର ଦରମା ଓ ପେନସନ ବଢ଼େଇବାକୁ ବିଧାୟକମାନେ ସରକାରଙ୍କ ପାଖରେ […]

pension

Debendra Prusty
  • Published: Wednesday, 04 January 2023
  • , Updated: 04 January 2023, 12:20 PM IST

ଭାଲଚନ୍ଦ୍ର ଷଡ଼ଙ୍ଗୀ

ଏହି ସମୟରେ ସାରା ଦେଶରେ ପେନସନକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାଜସ୍ଥାନ ଓ ଛତିଶଗଡ଼ ସରକାର ଇତିମଧ୍ୟରେ ନିଜର କର୍ମଚାରୀଙ୍କ ପାଇଁ ବର୍ତ୍ତମାନ ଥିବା ଜାତୀୟ ପେନସେନ୍ ଯୋଜନାକୁ ହଟେଇ ପୁରୁଣା ପେନସେନ୍ ବ୍ୟବସ୍ଥା ଲାଗୁ କରିଥିବା ବେଳେ ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ ଓ ପଞ୍ଜାବ ସରକାର ମଧ୍ୟ ତାକୁ ଖୁବଶୀଘ୍ର ଲାଗୁ କରିବାକୁ ଘୋଷଣା କରିଛନ୍ତି। ନିକଟରେ ଓଡ଼ିଶାରେ ମଧ୍ୟ ନିଜର ଦରମା ଓ ପେନସନ ବଢ଼େଇବାକୁ ବିଧାୟକମାନେ ସରକାରଙ୍କ ପାଖରେ ଦାବି କରିବା ପରେ ରାଜ୍ୟ ବିଧାନସଭାର ଏକ କମିଟି ବିଧାୟକମାନଙ୍କ ଦରମା ଓ ପେନସନକୁ ଅଢ଼େଇ ଗୁଣ ବଢ଼େଇବାକୁ ସୁପାରିଶ କରିଛନ୍ତି। ତେବେ ପେନସନ ନେଇ ଏହି ସମ୍ପୂର୍ଣ୍ଣ ଚର୍ଚ୍ଚାରେ କେବଳ ସଂସଦ/ବିଧାନସଭାର ସଦସ୍ୟ, ବିଚାରପତି ଓ ସରକାରୀ କର୍ମଚାରୀମାନଙ୍କ କଥା ହିଁ ଅସୁଥିବା ବେଳେ ସମାଜର ସିଂହ ଭାଗ ରୂପେ ପରିଚିତ ସାଧାରଣ ଜନତା ଏଥିରୁ ଏକଦମ୍ ବାଦ୍ ପଡ଼ିବା ଦେଖିବାକୁ ମିଳିଛି।

ଆମ ଦେଶରେ ଜନସଂଖ୍ୟାର ଏକ ଛୋଟ ଭାଗ ଭାବେ ପରିଚିତ ସରକାରୀ କର୍ମଚାରୀ, ସଂସଦ/ବିଧାନସଭାର ସଦସ୍ୟ, ଉଚ୍ଚ ପ୍ରଶାସନିକ ଅଧିକାରୀ, ସେନାରେ କାର୍ଯ୍ୟରତ ଲୋକେ ଓ ବିଚାର ବିଭାଗୀୟ ଅଧିକାରୀମାନେ ହିଁ ନିୟମିତ, ପର୍ଯ୍ୟାପ୍ତ ଓ ନିଶ୍ଚିତ ପେନସନର ସୁବିଧା ପାଇଥାନ୍ତି। ସରକାରୀ କ୍ଷେତ୍ରରେ କାର୍ଯ୍ୟରତ ଉପରୋକ୍ତ କ୍ଷୁଦ୍ର ଗୋଷ୍ଠୀଙ୍କୁ ବାଦ ଦେଲେ କୃଷକ, କୃଷି ଶ୍ରମିକ ଓ ଶ୍ରମିକଙ୍କ ପରି ସମାଜର ସଂଖ୍ୟାଗରିଷ୍ଠ ଲୋକଙ୍କ ପାଇଁ ସରକାରଙ୍କ କୌଣସି ବିଧିବଦ୍ଧ ପେନସନ ବ୍ୟବସ୍ଥା ନାହିଁ। ଏପରିକି ସରକାରୀ କ୍ଷେତ୍ରରେ କାର୍ଯ୍ୟରତ ଥିଲେ ବି ତଳିଆ କର୍ମଚାରୀମାନେ ୨୦୦୪ ପରଠାରୁ ପେନସନ ବ୍ୟବସ୍ଥାରୁ ବଂଚିତ ରହିଛନ୍ତି। ୨୦୦୪ରେ ତତ୍କାଳୀନ ବିଜେପି ସରକାର ଦେଶରେ ପୁରୁଣା ପେନସନ ବ୍ୟବସ୍ଥାକୁ ହଟେଇ ନୂଆ ପେନସନ ଯୋଜନା ରୂପେ ପରିଚିତ ଜାତୀୟ ପେନସନ ଯୋଜନା ଆରମ୍ଭ କରିବା ପରେ ସେହି ଦିନଠାରୁ ସରକାରୀ ଚାକିରୀରେ ଯୋଗ ଦେଇଥିବା ଦେଶର ଲକ୍ଷ ଲକ୍ଷ କର୍ମଚାରୀ ପୂର୍ବ ପରି ପେନସନ ସୁବିଧା ପାଇବାକୁ ବଂଚିତ ହୋଇଛନ୍ତି। ସେମାନଙ୍କ ବ୍ୟତିତ ସରକାରୀ ସେବାରେ ନିୟୋଜିତ ଲକ୍ଷ ଲକ୍ଷ ଠିକା ଓ ଆଉଟସୋର୍ସିଂ କର୍ମଚାରୀ ମଧ୍ୟ କୌଣସି ପ୍ରକାର ପେନସନ ପାଇନଥାନ୍ତି। ନିକଟରେ କେନ୍ଦ୍ର ସରକାର ସେନା ବାହିନୀରେ ନିୟମିତ ସିପାହୀ ନିଯୁକ୍ତି ବଦଳରେ ଯେଉଁ ଚାରି ବର୍ଷିଆ ଅଗ୍ନିବୀର ଯୋଜନା ଆରମ୍ଭ କରିଛନ୍ତି, ତାରି ଫଳରେ ସେମାନେ ମଧ୍ୟ ସେବାନିବୃତ୍ତ ହେବା ପରେ କୌଣସି ପେନସନ ପାଇବେ ନାହିଁ। ଏଭଳି ସ୍ଥିତିରେ ଆମ ସମାଜର ବହୁତ କମ୍ ଭାଗ ବରିଷ୍ଠ ନାଗରିକ ହିଁ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଉପରୋକ୍ତ ପେନସନ ସୁବିଧା ପାଉଛନ୍ତି ବୋଲି କୁହାଯାଇପାରେ।

ସଂଯୁକ୍ତ ରାଷ୍ଟ୍ର ଜନସଂଖ୍ୟା ନିଧିର ରିପୋର୍ଟ ଅନୁଯାୟୀ ୨୦୫୦ ସୁଦ୍ଧା ଭାରତରେ ୬୦ ବର୍ଷରୁ ଅଧିକ ବୟସର ବୟସ୍କ ନାଗରିକଙ୍କ ସଂଖ୍ୟାରେ ୩୨୬% ଏବଂ ୮୦ ବର୍ଷ ବା ତାଠାରୁ ଅଧିକ ବୟସର ନାଗରିକଙ୍କ ସଂଖ୍ୟାରେ ୭୦୦% ବୃଦ୍ଧି ପାଇବାର ସମ୍ଭାବନା ରହିଛି। ୨୦୫୦ ସୁଦ୍ଧା ଭାରତର ମୋଟ ଜନସଂଖ୍ୟାର ୧୯% ବା ପ୍ରାୟ ଏକ ପଞ୍ଚମାଂଶ ଲୋକ ବୟସ୍କ ନାଗରିକ ହୋଇଥିବେ। ୨୦୧୧ ଜନଗଣନା ଅନୁଯାୟୀ ଦେଶରେ ଜନସଂଖ୍ୟାର ୮.୬% ଅର୍ଥାତ୍ ୧୦.୩୮ କୋଟି ଜଣ ବରିଷ୍ଠ ନାଗରିକ ରହିଛନ୍ତି। ଗତ ପଚାଶ ବର୍ଷରେ ଦେଶର ଜନସଂଖ୍ୟା ତିନି ଗୁଣ ହୋଇଥିବା ବେଳେ ବରିଷ୍ଠ ନାଗରିକଙ୍କ ସଂଖ୍ୟାରେ ଚାରିଗୁଣ ବୃଦ୍ଧି ହୋଇଛି। କେବଳ ଗତ ଦଶ ବର୍ଷ ମଧ୍ୟରେ ହିଁ ଏହା ୩୯.୩% ହାରରେ ବୃଦ୍ଧି ପାଇଛି। ଆଗାମୀ ଦିନରେ ଦେଶରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ୪୫-୫୦% ହାରରେ ବୃଦ୍ଧି ପାଇବାର ଅନୁମାନ କରାଯାଉଛି। ଜନସଂଖ୍ୟାର ବୃଦ୍ଧିହାରକୁ ଦେଖିଲେ ବର୍ତ୍ତମାନ ଏହି ସଂଖ୍ୟା ପ୍ରାୟ ୧୪ କୋଟି ହେବ ଏବଂ ୨୦୫୦ ସୁଦ୍ଧା ତାହା ୩୨ କୋଟି ଟପିବ ବୋଲି ଅନୁମାନ କରାଯାଉଛି। ଦେଶରେ ପୂର୍ବାପେକ୍ଷା ଆଧୁନିକ ଚିକିତ୍ସା ବ୍ୟବସ୍ଥାର ପ୍ରସାର ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଫଳରେ ଆମର ହାରାହାରି ପରମାୟୁ ବୃଦ୍ଧି ପାଇ ବରିଷ୍ଠ ନାଗରିକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଭଳି ଅବସ୍ଥାରେ ବୟସ୍କ ନାଗରିକଙ୍କ ସମସ୍ୟା ଆଗାମୀ ଦିନରେ ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଚାଲେଞ୍ଜରେ ପରିଣତ ହେବାକୁ ଯାଉଛି। ଅତଏବ ଦେଶର କ୍ରମ ବର୍ଦ୍ଧମାନ ବୟସ୍କ ଜନସଂଖ୍ୟାକୁ ଆଖିରେ ରଖି ସରକାର ଓ ନୀତି ନିର୍ମାତାମାନେ ଆଜିଠାରୁ ଠୋସ୍ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି।

୨୦୧୮ ମସିହାରେ ହେଲପ୍ ଏଜ୍‌ ସଂସ୍ଥା ଦ୍ୱାରା ହୋଇଥିବା ଅଧ୍ୟୟନ ଅନୁଯାୟୀ ଦେଶର ମୋଟ ବୟସ୍କ ନାଗରିକଙ୍କ ମାତ୍ର ୨୪,୧% ହିଁ କୌଣସି ପ୍ରକାର ବାର୍ଦ୍ଧକ୍ୟ ପେନସନ୍ ପାଉଛନ୍ତି। ଅବଶ୍ୟ ସରକାରଙ୍କ ବାର୍ଦ୍ଧକ୍ୟ ପେନସନ୍ ତଥା ବ୍ୟାଙ୍କ୍ ଓ କମ୍ପାନୀମାନଙ୍କ ଦ୍ୱାରା ଉପଲବ୍ଧ ପେନସନ୍ ପ୍ଳାନ୍ ବି ସେଥିରେ ଅନ୍ତର୍ଭୁକ୍ତ। ଯଦି ହିସାବ କରାଯାଏ, ତେବେ ଆଜିର ଦିନରେ ଅତିବେଶିରେ ପୂର୍ବରୁ ସରକାରୀ ବ୍ୟବସ୍ଥାରେ କାର୍ଯ୍ୟ କରିଥିବା ଦେଶର ୪-୫% ବରିଷ୍ଠ ନାଗରିକ ହିଁ ନିୟମିତ, ନିଶ୍ଚିତ ଓ ପର୍ଯ୍ୟାପ୍ତ ପେନସନର ସୁବିଧା ପାଉଛନ୍ତି। ସେମାନଙ୍କ ବ୍ୟତିତ ଆଉ ୨୫-୩୦% ବରିଷ୍ଠ ନାଗରିକ ସରକାରଙ୍କ ଦ୍ୱାରା ଚାଲିଥିବା ସାମାଜିକ ସୁରକ୍ଷା ଯୋଜନା ଜରିଆରେ ନାମକୁ ମାତ୍ର ଆର୍ଥିକ ସହାୟତା ପାଇଥାନ୍ତି। ବଳକା ୬୦-୬୫% ବରିଷ୍ଠ ନାଗରିକ ନିଜର ବୃଦ୍ଧାବସ୍ଥାରେ କୌଣସି ପ୍ରକାରର ପେନସନ ସୁବିଧା ନପାଇ ଅତ୍ୟନ୍ତ ଦୁର୍ଦ୍ଦଶାମୟ ଓ ଅସହାୟ ଜୀବନ ଜୀଇଁବାକୁ ବାଧ୍ୟ ହୋଇଥାନ୍ତି।

କେନ୍ଦ୍ର ଓ ରାଜ୍ୟ ସରକାରମାନେ ନିଜର ସାମାଜିକ ସହାୟତା କାର୍ଯ୍ୟକ୍ରମ ଜରିଆରେ ଦେଶର ଯଥାକ୍ରମେ ୨,୯,୭୭,୦୮୬ ଜଣ ଓ ୧,୭୪,୯୦,୮୮୯ ଜଣ ବରିଷ୍ଠ ନାଗରିକଙ୍କୁ ମାସିକ ବୃଦ୍ଧାବସ୍ଥା ପେନସନ୍ ଦେଉଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାର ଉପରୋକ୍ତ ହିତାଧିକାରୀଙ୍କୁ ମିଶାଇଲେ ଏହି ସଂଖ୍ୟା ୪,୭୧,୯୨,୨୦୯ ହେଉଛି। ଓଡ଼ିଶାରେ କେନ୍ଦ୍ର ସରକାର ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନ୍ଏସ୍ଏପି) ଜରିଆରେ ୨୦,୩୭,୯୫୫ ଜଣଙ୍କୁ ଓ ରାଜ୍ୟ ସରକାର ମଧୂବାବୁ ପେନସେନ୍ ଯୋଜନାରେ ୨୭,୮୦,୧୬୩ ଲୋକଙ୍କୁ ବୃଦ୍ଧାବସ୍ଥା ପେନସନ୍ ପ୍ରଦାନ କରୁଛନ୍ତି। ଉଭୟ ଯୋଜନାରେ ରାଜ୍ୟର ମୋଟ ୪୮,୧୮,୧୧୮ ଲୋକଙ୍କୁ ମାସିକ ପେନସନ୍ ଦିଆଯାଉଛି। ତେବେ ୬୦ରୁ ୮୦ ବର୍ଷ ବୟସର ହିତାଧିକାରୀଙ୍କୁ ମାସିକ ୫୦୦ ଟଙ୍କା ମିଳୁଥିବା ବେଳେ ୮୦ ବର୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ମାସିକ ୭୦୦ ଟଙ୍କା ଦିଆଯାଉଛି।

ବୃଦ୍ଧାବସ୍ଥାରେ ପ୍ରତ୍ୟେକ ବ୍ୟକ୍ତି ପାଇଁ ଆର୍ଥିକ ଓ ସାମାଜିକ ସୁରକ୍ଷା ଅତ୍ୟନ୍ତ ଜରୁରୀ। କାରଣ ସେତେବେଳେ ବ୍ୟକ୍ତିଟି ନିଜର ଦୈନନ୍ଦିନ ଜୀବନର ଆର୍ଥିକ ଆବଶ୍ୟକତାକୁ ପୂରଣ କରିବାକୁ ପୂର୍ବପରି ରୋଜଗାର କରିବା ପାଇଁ ଉଭୟ ଶାରୀରିକ ଓ ମାନସିକ ସ୍ଥିତିରେ ରହିନଥାଏ। ଏହା ସାଙ୍ଗକୁ ବାର୍ଦ୍ଧକ୍ୟ ଜନିତ ବିଭିନ୍ନ ରୋଗ ଓ ଶାରୀରିକ ଅକ୍ଷମତା, ଅନ୍ୟ ଉପରେ ତା’ର ନିର୍ଭରଶୀଳତାକୁ ବଢ଼ାଇ ଦେବା ସହ ଦୈନନ୍ଦିନ ଖର୍ଚ୍ଚକୁ ମଧ୍ୟ ବଢ଼େଇ ଦେଇଥାଏ। ତା’ର ନିଜ ପାଇଁ ଆବଶ୍ୟକ ଏହି ଅତିରିକ୍ତ ଖର୍ଚ୍ଚକୁ ସେ ଚାହିଁଲେ ବି ତାକୁ ଭରଣା କରିବା ସ୍ଥିତିରେ ପ୍ରାୟତଃ ନଥାଏ। ଏଭଳି ପରିସ୍ଥିତିରେ ପରିବାରରେ ଓ ସମାଜରେ ନିଜର ସର୍ବନିମ୍ନ ଆବଶ୍ୟକତା ପୂରଣ ପାଇଁ ସେ କାହାରିକୁ ହାତ ନପାତି ସମ୍ମାନର ସହ ବଂଚିବାକୁ ହେଲେ ପେନସନ୍ ପରି ଏକ ନିୟମିତ ଓ ସର୍ବନିମ୍ନ ଆର୍ଥିକ ସହାୟତା ଅତ୍ୟନ୍ତ ଜରୁରୀ ହୋଇଥାଏ। ଏହି କାରଣରୁ ହିଁ ଆମ ଦେଶରେ ଶାସନ ବ୍ୟବସ୍ଥାରେ କାର୍ଯ୍ୟରତ କର୍ମଚାରୀ, ଅଧିକାରୀ, ବିଚାରପତି ଓ ସେନା ବାହିନୀରେ କାର୍ଯ୍ୟରତ ଅଧିକାରୀ ଓ ସୈନିକଙ୍କ ପାଇଁ ନିୟମିତ ପାରିବାରିକ ପେନସନ ବ୍ୟବସ୍ଥା ରହିଛି। ଏପରିକି ଜଣେ ନିର୍ବାଚିତ ସାଂସଦ ବା ବିଧାୟକ ନିର୍ବାଚିତ ହେବାର ଗୋଟିଏ ଦିନ ପରେ ଇସ୍ତଫା ଦେଲେ ବି ତାଙ୍କୁ ନିୟମିତ ପାରିବାରିକ ପେନସନ୍ ମିଳିଥାଏ।

ଆମ ଦେଶରେ ସରକାରୀ କ୍ଷେତ୍ରକୁ ଛାଡ଼ିଦେଲେ ଘରୋଇ କ୍ଷେତ୍ରରେ କାର୍ଯ୍ୟରତ ଲୋକେ ଏଭଳି ପେନସନର ସୁବିଧା ପାଉନଥିବା ବେଳେ ପାଶ୍ଚାତ୍ୟର ବିକଶିତ ଦେଶମାନଙ୍କରେ ଘରୋଇ କ୍ଷେତ୍ରରେ କାର୍ଯ୍ୟରତ ଲୋକେ ବି ଏଭଳି ପେନସନ୍ ସୁବିଧା ପାଇଥାନ୍ତି। ଆଇସଲାଣ୍ଡ୍ ପରି କିଛି ଦେଶର ସବୁ ବରିଷ୍ଠ ନାଗରିକ ସରକାରଙ୍କ ଦ୍ୱାରା ପର୍ଯ୍ୟାପ୍ତ ପେନସନ ସୁବିଧା ପାଇଥାନ୍ତି। ବରିଷ୍ଠ ନାଗରିକମାନଙ୍କ ପାଇଁ ପେନସନ୍ ବ୍ୟବସ୍ଥାଟି କୌଣସି ଦୟା ବା ଅନୁକମ୍ପା ନୁହେଁ ବରଂ ଏକ ଜନ କଲ୍ୟାଣକାରୀ ରାଷ୍ଟ୍ରରେ ସବୁ ନାଗରିକମାନଙ୍କର ଏହା ଅଧିକାର ହେବା ଉଚିତ।

ସରକାର ବର୍ତ୍ତମାନ ଦେଶରେ ବରିଷ୍ଠ ନାଗରିକମାନଙ୍କୁ ଯେଉଁ ବୃଦ୍ଧାବସ୍ଥା ପେନସନ୍ ଦେଉଛନ୍ତି, ସେଥିରେ ଭୟଙ୍କର ତାରତମ୍ୟ ରହିଛି। ସରକାରୀ ଚାକିରୀରୁ ସେବାନିବୃତ୍ତ ହୋଇ ନିୟମିତ ପେନସନ୍ ପାଉଥିବା ବରିଷ୍ଠ ନାଗରିକମାନେ ସେମାନଙ୍କ ଶେଷ ଦରମାର ପ୍ରାୟ ଅର୍ଦ୍ଧେକ ପେନସନ୍ ବାବଦରେ ପାଉଥିବା ବେଳେ ବଜାର ଦର ଅନୁଯାୟୀ ମହଙ୍ଗା ଭତ୍ତା ବୃଦ୍ଧି ହେବା ସହ ସେମାନଙ୍କ ପେନସନ୍ ରାଶିରେ ମଧ୍ୟ ନିୟମିତ ବୃଦ୍ଧି ହୋଇଥାଏ। ସେହି ହିସାବରେ ଦେଖିଲେ ଜଣେ ସେବାନିବୃତ୍ତ ଆଇଏଏସ ଅଧିକାରୀ ମାସିକ ଦେଢ଼ରୁ ଦୁଇ ଲକ୍ଷ ପର୍ଯ୍ୟନ୍ତ ପେନସନ୍ ପାଉଥିବା ବେଳେ ଜଣେ ବିଶ୍ୱବିଦ୍ୟାଳୟର ପ୍ରଫେସର ଲକ୍ଷେରୁ ଦେଢ଼ ଲକ୍ଷ ପର୍ଯ୍ୟନ୍ତ ପେନସନ୍ ପାଇଥାନ୍ତି। ଏପରିକି ବୟସ ବୃଦ୍ଧି ସହିତ ସେମାନଙ୍କ ପେନସନ୍ ରାଶି ବଢ଼ିବା ସହ ମୃତ୍ୟୁ ପରେ ତାଙ୍କର ଜୀବନସାଥୀ ବି ପେନସନ୍ ପାଇବାକୁ ହକଦାର ହୋଇଥାନ୍ତି। ଦେଶରେ କିଛି ଉଚ୍ଚ ଅଧିକାରୀଙ୍କୁ ଏତେ ପରିମାଣରେ ପେନସନ୍ ଦେବା କେବଳ ଅନାବଶ୍ୟକ ନୁହେଁ ବରଂ ସରକାରୀ ଅର୍ଥର ଅନାବଶ୍ୟକ ବିନିଯୋଗ ବୋଲି କୁହାଯାଇପାରେ। ଅତଏବ ଦେଶରେ ସର୍ବନିମ୍ନ ପେନସନ୍ ପରି ସର୍ବୋଚ୍ଚ ପେନସନ ସିଲିଂ ବ୍ୟବସ୍ଥା ହେବା ଦରକାର।

ଅନ୍ୟପଟେ ସମାଜର ଅଧିକାଂଶ ବରିଷ୍ଠ ନାଗରିକ କୌଣସି ପ୍ରକାର ପେନସନ୍ ପାଉନଥିବା ବେଳେ ମାତ୍ର କିଛି ଭାଗ ହିଁ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସାମାଜିକ ସୁରକ୍ଷା ପେନସନ୍ ବାବଦରେ ପ୍ରତି ମାସରେ ମାତ୍ର କିଛି ଶହ ଟଙ୍କାର ଆର୍ଥିକ ସହାୟତା ପାଇଥାନ୍ତି। ପୁଣି, ସରକାରଙ୍କ ଏହି ଯୋଜନାଟି ସାର୍ବଜନିନ ହୋଇ ନଥିବାରୁ ସମାଜର ସବୁ ବରିଷ୍ଠ ନାଗରିକ ଏହାର ସୁବିଧା ପାଇନଥାନ୍ତି। ସବୁଠାରୁ ପରିତାପର ବିଷୟ ହେଲା, ଏଥିରେ ମିଳୁଥିବା ରାଶିଟି ବଜାରର ଦରବୃଦ୍ଧି ଅନୁରୂପ ନୁହେଁ ବରଂ ସରକାରଙ୍କ ଅନୁକମ୍ପା ବା ଦୟା ଉପରେ ନିର୍ଭରଶୀଳ। ସାମାଜିକ ସୁରକ୍ଷା ଯୋଜନାରେ ବରିଷ୍ଠ ନାଗରିକଙ୍କୁ ସରକାର ଯେଉଁ ମାସିକ ପେନସନ୍ ରାଶି ଦେଉଛନ୍ତି, ତାହା ଅତ୍ୟନ୍ତ ଲଜ୍ଜାଜନକ। ଏକ ସମ୍ମାନଜନକ ଜୀବନ ଅତିବାହିତ କରିବା ପାଇଁ ପେନସନ୍ ପାଇବାକୁ ଯୋଗ୍ୟ ରାଜ୍ୟର ତଥା ଦେଶର କୋଟି କୋଟି ଅସହାୟ ମଣିଷଙ୍କୁ ପେନସନ୍ ନାଁରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଗତ ଦେଢ଼ ଦଶନ୍ଧୀ ଧରି କ୍ରୁର ପରିହାସ କରି ଆସିଛନ୍ତି। ଏଥିପାଇଁ ଉଭୟ କେନ୍ଦ୍ର ତଥା ରାଜ୍ୟରେ ଭିନ୍ନ ଭିନ୍ନ ସମୟରେ କ୍ଷମତାରେ ରହି ଆସିଥିବା ରାଜ୍ୟର ସମସ୍ତ ଦଳଙ୍କୁ ଦାୟୀ କରାଯାଇପାରେ।

ସମାଜର ବୟସ୍କ ନାଗରିକ ତଥା ବିଧବାମାନଙ୍କୁ ପେନସନ୍ ବାବଦରେ ମାସିକ କିଛି ସହାୟତା ଦେବାକୁ ସରକାର ସର୍ବପ୍ରଥମେ ୧୯୯୫ ମସିହାରେ ଏକ ଯୋଜନା ଆରମ୍ଭ କରିଥିଲେ। ପରେ ୨୦୦୭ ମସିହାରେ ‘ଇନ୍ଦିରା ଗାନ୍ଧୀ ଜାତୀୟ ବୃଦ୍ଧାବସ୍ଥା ପେନସନ୍ ଯୋଜନା’ ଏବଂ ‘ଇନ୍ଦିରା ଗାନ୍ଧୀ ଜାତୀୟ ବିଧବା ପେନସନ୍ ଯୋଜନା’ ନାମରେ କେନ୍ଦ୍ର ସରକାର ଯେଉଁ ଯୋଜନା ଆରମ୍ଭ କରିଥିଲେ ତା’ର ହିତାଧିକାରୀମାନଙ୍କ ପାଇଁ ମାସକୁ ମାତ୍ର ୨୦୦ ଟଙ୍କାର ସହାୟତା ଧାର୍ଯ୍ୟ କରାଯାଇଥିଲା। ତେବେ ପରିତାପର ବିଷୟ, ପେନସନ୍ ବାବଦରେ ଦିଆଯାଉଥିବା ଏହି ନାମକୁ ମାତ୍ର ରାଶି ବି ଗତ ୧୫ ବର୍ଷ ଧରି ନବଢ଼ି ଏକଦମ୍ ସ୍ଥିର ରହିଛି। କେବଳ ସେତିକି ନୁହେଁ, ବୟସ୍କ ନାଗରିକଙ୍କ ପେନସନ୍ ବାବଦରେ ବଜେଟରେ ବ୍ୟୟବରାଦଟି ବି କେବଳ ୨୦୨୦-୨୧ ବର୍ଷକୁ ଛାଡ଼ିଦେଲେ ବାକି ବର୍ଷମାନଙ୍କରେ ଲଗାତାର ସ୍ଥିର ରହିଛି ଅଥବା ହ୍ରାସ ପାଇଛି। ବର୍ତ୍ତମାନ ବୃଦ୍ଧାବସ୍ଥା ପେନସନ୍ ବାବଦରେ କେନ୍ଦ୍ର ସରକାର ଦେଶର ଜିଡିପିର ମାତ୍ର ୦.୦୪% ରାଶି ହିଁ ବିନିଯୋଗ କରୁଛନ୍ତି। ତେବେ ତାକୁ ଏକ ସମ୍ମାନଜନକ ସ୍ଥିତିକୁ ନେବାକୁ ହେଲେ କମ୍ ସେ କମ୍ ଜିଡିପିର ୧.୮% ଭାଗ ଖର୍ଚ୍ଚ କରିବାକୁ ହେବ। ଏପରିକି ବର୍ତ୍ତମାନ ଆନ୍ଧ୍ର ସରକାରଙ୍କ ଅନୁରୂପ ହାରରେ ଦେଶର ସମସ୍ତ ବରିଷ୍ଠ ନାଗରିକଙ୍କୁ ଯଦି ମାସିକ ୨୭୫୦ ଟଙ୍କାର ପେନସନ୍ ଦିଆଯାଏ ତାହେଲେ ସରକାରଙ୍କୁ ସେ ବାବଦରେ ବର୍ଷକୁ ୩.୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ହେବ, ଯାହାକି ଦେଶର ମୋଟ ଜିଡିପିର ମାତ୍ର ୨%।

ଗତ ପନ୍ଦର ବର୍ଷ ମଧ୍ୟରେ ରାଜ୍ୟ ବିଧାନସଭାର ସଦସ୍ୟମାନଙ୍କ ଦରମା ଦୁଇ ଦୁଇ ଥର ବଢ଼ି ପୂର୍ବ ତୁଳନାରେ ପାଞ୍ଚଗୁଣ ହୋଇଛି। ଷଷ୍ଠ ଓ ସପ୍ତମ ବେତନ କମିଶନର ସୁପାରିଶ ପରେ ସରକାରୀ କର୍ମଚାରୀ ବିଶେଷ କରି ଅଫିସରମାନଙ୍କ ଦରମା ବହୁଗୁଣ ବୃଦ୍ଧି ପାଇଛି। ବିଚାରପତିମାନଙ୍କ ଦରମା ଓ ପେନସନ ବି ଯଥେଷ୍ଟ ବୃଦ୍ଧି ପାଇଛି। ଅଥଚ ଆଜି ବି କେନ୍ଦ୍ର ସରକାର ୬୦-୬୯ ବର୍ଷ ବୟସର ବରିଷ୍ଠ ନାଗରିକଙ୍କୁ ମାସିକ ୨୦୦ ଟଙ୍କା ଏବଂ ୮୦ରୁ ଊର୍ଦ୍ଧ୍ୱ ବୟସର ବରିଷ୍ଠ ନାଗରିକଙ୍କୁ ମାସିକ ୫୦୦ ଟଙ୍କା ପେନସନ୍ ବାବଦରେ ଦେଉଛନ୍ତି। ଗତ ୧୫ ବର୍ଷ ମଧ୍ୟରେ ମୂଦ୍ରାସ୍ଫୀତିକୁ ହିସାବ କଲେ ୨୦୦ ଟଙ୍କାର ଏହି ପେନସନର ମୂଲ୍ୟ ଏବେ ୯୩ ଟଙ୍କାରେ ପହଂଚିଥିବା ଜଣାପଡ଼ିଛି। ସବୁଠାରୁ ବଡ଼ କଥା ହେଲା, ପେନସନ୍ ପାଇବାକୁ ଯୋଗ୍ୟ ଦେଶର ସମସ୍ତ ବରିଷ୍ଠ ନାଗରିକ ଏହି ଯୋଜନାରେ ଅନ୍ତର୍ଭୁକ୍ତ ନୁହଁନ୍ତି। ଅନେକ ବରିଷ୍ଠ ନାଗରିକ ନିଜର ଜୀବନ କାଳ ମଧ୍ୟରେ ଏହି ସାମାନ୍ୟତମ ପେନସନ ପାଇବାକୁ ସଂଘର୍ଷ କରି ଶେଷ ନିଃଶ୍ୱାସ ତ୍ୟାଗ କରୁଥିବା ଜଣାପଡ଼ିଛି।

ତେବେ କେନ୍ଦ୍ର ଦ୍ୱାରା ଦିଆଯାଉଥିବା ଏହି ପେନସନ୍ ଯୋଜନାରେ ରାଜ୍ୟମାନେ ମଧ୍ୟ ନିଜର ଅଂଶ ଯୋଡ଼ିବାର ବ୍ୟବସ୍ଥା ରହିଛି। ସେହି କାରଣରୁ କ୍ରମାଗତ ଭାବେ ସବୁ କେନ୍ଦ୍ର ସରକାର ବର୍ଷ ବର୍ଷ ଧରି ଉପରୋକ୍ତ ପେନସନ୍ ରାଶିରେ ନିଜର ଅଂଶକୁ ନବଢ଼ାଇବା ସତ୍ତ୍ୱେ ବିଭିନ୍ନ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଅଧିକ ଅନୁଦାନ ଦେଇ ପେନସନ୍ ରାଶିର ପରିମାଣକୁ ମଝିରେ ମଝିରେ ବଢ଼େଇବା ଦେଖାଯାଇଛି। ଫଳସ୍ୱରୂପ ଆଜି ଅନେକ ରାଜ୍ୟରେ ବରିଷ୍ଠ ନାଗରିକମାନେ କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ରାଶିଠାରୁ ବହୁତ ଅଧିକ ପେନସନ୍ ପାଇପାରୁଛନ୍ତି। ଆମ ଓଡ଼ିଶା ସରକାର ବି କେନ୍ଦ୍ର ସରକାରଙ୍କ ପେନସନ୍ ରାଶିରେ ମାସିକ ଅତିରିକ୍ତ ୩୦୦ ଟଙ୍କା ମିଶାଇ ତାକୁ ୫୦୦ ଟଙ୍କା କରିଥିବା ବେଳେ ଅଶୀ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କୁ କେନ୍ଦ୍ର ଦେଉଥିବା ୫୦୦ ଟଙ୍କା ପେନସନରେ ମାସିକ ୨୦୦ ଟଙ୍କା ମିଶାଇ ତାକୁ ୭୦୦ ଟଙ୍କା କରିଛନ୍ତି। ତେବେ ଆମଠାରୁ ଅଧିକ ପଛୁଆ ରାଜ୍ୟ ଭାବେ ପରିଚିତ ଛତିଶଗଡ଼, ଝାଡ଼ଖଣ୍ଡ, ବିହାର ଏବଂ ଉତ୍ତର ପ୍ରଦେଶ ପରି ରାଜ୍ୟମାନେ ମାସିକ ୭୦୦ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ୍ ଦେଉଛନ୍ତି। ତେବେ ପେନସନ୍ ନାଁରେ ଓଡ଼ିଶା ସରକାର ରାଜ୍ୟର ଲକ୍ଷ ଲକ୍ଷ ବୃଦ୍ଧ, ବୃଦ୍ଧା, ବିଧବାଙ୍କୁ ଯେଉଁ ରାଶି ଦେଉଛନ୍ତି ତାହା ଦେଶରେ ତ ସର୍ବନିମ୍ନ ରହିଛି ଏବଂ ତାହା ବି ସମସ୍ତଙ୍କୁ ଉପଲବ୍ଧ ହୋଇପାରିନି।

ବଜାରରେ ଦରବୃଦ୍ଧି ଓ ହିତାଧିକାରୀମାନଙ୍କ ବର୍ଦ୍ଧିତ ଆବଶ୍ୟକତାକୁ ଦେଖିଲେ ଏହି ରାଶି ଅତ୍ୟନ୍ତ ମାମୁଲି ମନେହୁଏ। ସେହି କାରଣରୁ ବର୍ତ୍ତମାନ ଦିଆଯାଉଥିବା ଏହି ନାମମାତ୍ର ପେନସନ୍ ରାଶିକୁ ବଢ଼ାଇବାକୁ ରାଜ୍ୟର ବିଭିନ୍ନ ସଙ୍ଗଠନମାନେ ଲଗାତାର ଦାବି କରି ଆସିଛନ୍ତି। ରାଜ୍ୟ ବିଧାନସଭାର ସ୍ଥାୟୀ କମିଟି ମଧ୍ୟ ବର୍ତ୍ତମାନ ଦିଆଯାଉଥିବା ପେନସନ୍ ରାଶିକୁ ୫୦୦ ଟଙ୍କାକୁ ୭୫୦ ଟଙ୍କାକୁ ଏବଂ ୭୦୦ ଟଙ୍କାକୁ ୯୦୦ ଟଙ୍କାକୁ ବୃଦ୍ଧି କରିବାକୁ ସୁପାରିଶ କରିଛନ୍ତି।

୨୦୦୮ ମସିହାରେ ରାଜ୍ୟ ସରକାର ନିଜର ଏକ ସ୍ୱତନ୍ତ୍ର ଯୋଜନା ମଧୂବାବୁ ପେନସନ୍ ଯୋଜନା ଆରମ୍ଭ କରିବା ସତ୍ତ୍ୱେ  ରାଜ୍ୟର ଲକ୍ଷ ଲକ୍ଷ ବରିଷ୍ଠ ନାଗରିକ ଏଯାଏଁ ପେନସନ୍ ସୁବିଧାରୁ ବଂଚିତ ରହିଛନ୍ତି। ଆଜି ବି ବରିଷ୍ଠ ନାଗରିକମାନଙ୍କୁ ଏହି ସାମାନ୍ୟତମ ପେନସନ୍ ପାଇବାକୁ ସରକାରୀ ଦପ୍ତରକୁ ବାରମ୍ବାର ଦୌଡ଼ିବାକୁ ପଡ଼ୁଛି। ପ୍ରତିବର୍ଷ ଅଧିକରୁ ଅଧିକ ଲୋକଙ୍କୁ ଏଥିରେ ସାମିଲ କରିବା ପରିବର୍ତ୍ତେ କେବଳ ମୃତ ହିତାଧିକାରୀଙ୍କ ସ୍ଥାନରେ ହିଁ ନୂଆ ଲୋକଙ୍କୁ ସାମିଲ କରାଯାଉଛି। ସରକାର ସାର୍ବଜନୀନ ପେନସନ୍ ଯୋଜନା ବା ସବୁ ହିତାଧିକାରୀଙ୍କୁ ଏକକାଳୀନ ପେନସନ୍ ଦେବା ପରିବର୍ତ୍ତେ କିଛି ଜଣଙ୍କୁ ହିଁ ତାହା ଦେବା ଫଳରେ ଏହାକୁ ନେଇ ଯାବତୀୟ ଦୁର୍ନୀତି ଓ ପ୍ରିୟାପ୍ରୀତି ହେଉଛି। ସରକାରୀ ଦଳର ଲୋକେ ନିଜର ନିର୍ବାଚନୀ ସ୍ୱାର୍ଥ ପାଇଁ ପେନସନକୁ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି।

ତେବେ ସେ ଯାହା ହେଉ, ଆମର ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ସରକାର ବରିଷ୍ଠ ନାଗରିକଙ୍କୁ ପେନସନ୍ ଦେବାରେ ସବୁଠାରୁ ଆଗରେ ଅଛନ୍ତି। ପୂର୍ବରୁ ସେଠାରେ ପେନସନ୍ ବାବଦରେ ମିଳୁଥିବା ମାସିକ ୧୦୦୦ ଟଙ୍କାକୁ ବଢ଼ାଇ ଏବେ ୨୭୫୦ ଟଙ୍କା କରିଛନ୍ତି, ଯାହାକି ଦେଶରେ ସର୍ବାଧିକ। ଆସନ୍ତା ଏକ ବର୍ଷ ମଧ୍ୟରେ ତାକୁ ୩୦୦୦ ଟଙ୍କାରେ ପହଂଚାଇବାକୁ ଘୋଷଣା କରିଛନ୍ତି। ଏହାବ୍ୟତିତ ବରିଷ୍ଠ ନାଗରିକମାନେ ପେନସନ୍ ପାଇଁ ଆବେଦନ କରିବାର ସାତ ଦିନ ମଧ୍ୟରେ ତାକୁ ଯାଂଚ କରିବାକୁ ଏବଂ ଏକମାସ ମଧ୍ୟରେ ପେନସନ୍ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ହିତାଧିକାରୀଙ୍କ ଘରକୁ ଯାଇ ପ୍ରତିମାସରେ ପେନସନ୍ ଦେବାର ବ୍ୟବସ୍ଥା କରିଛନ୍ତି। ଆନ୍ଧ୍ର ପ୍ରଦେଶ ପରେ ତେଲେଙ୍ଗାନା, କେରଳ, ଦିଲ୍ଲୀ, ଗୋଆ, ପଣ୍ଡିଚେରୀ ଏବଂ ଆଣ୍ଡାମାନ ନିକୋବର ମାସିକ ୨୦୦୦ ଟଙ୍କା ପେନସନ୍ ଦେଉଥିବା ବେଳେ ହରିଆନା ଓ ଅରୁଣାଂଚଳ ପ୍ରଦେଶ ଯଥାକ୍ରମେ ୧୮୦୦ ଟଙ୍କା ଏବଂ ୧୭୦୦ ଟଙ୍କା ପ୍ରଦାନ କରୁଛନ୍ତି।

କର୍ମକ୍ଷେତ୍ରରୁ ଅବସର ନେବା ପରେ ପରିବାର ଓ ସମାଜରେ କାହାକୁ ହାତ ନପାତି ସମ୍ମାନର ସହିତ ବଂଚିବା ଲାଗି ପେନସନ ଜରୁରୀ। ଯଦି ସରକାରୀ, ସଂଗଠିତ ଘରୋଇ କ୍ଷେତ୍ରରେ କାମ କରୁଥିବା ଲୋକେ ଓ ବିଧାୟକ ତଥା ସାଂସଦମାନେ ଅବସର ପରେ ପେନସନ ପାଇବାକୁ ନିଜର ଅଧିକାର ବୋଲି ଭାବୁଛନ୍ତି ତାହେଲେ ଯେଉଁ କୃଷକ ଓ ଶ୍ରମିକମାନେ ନିଜର ପୂରା ଜୀବନ ଗରିବୀ, କଠିନ ପରିଶ୍ରମ, ଉପେକ୍ଷା ଓ ଅସମ୍ମାନ ମଧ୍ୟରେ ଅତିବାହିତ କରି ଆସିଛନ୍ତି, ସେମାନଙ୍କର କାହିଁକି ଅଧିକାର ନାହିଁ? ବିକଶିତ ଦେଶମାନଙ୍କ ଭଳି ଆମ ଦେଶରେ ମଧ୍ୟ ଏକ ସର୍ବନିମ୍ନ ତଥା ସାର୍ବଜନିନ ପେନସନ୍ ବ୍ୟବସ୍ଥାର ପ୍ରଚଳନ କରିବା ଦରକାର। ବର୍ତ୍ତମାନ ରହିଥିବା ୬୦ ବର୍ଷର ବୟସ ସୀମାକୁ ପୁରୁଷଙ୍କ ପାଇଁ ୫୫ ବର୍ଷକୁ ଓ ମହିଳାଙ୍କ ପାଇଁ ୫୦ ବର୍ଷକୁ ହ୍ରାସ କରି ରାଜ୍ୟର ସମସ୍ତ ବୃଦ୍ଧ/ବୃଦ୍ଧାଙ୍କୁ ଏବଂ ବୟସ ନିର୍ବିଶେଷରେ ରାଜ୍ୟର ସମସ୍ତ ବିକଳାଙ୍ଗ ଓ ବିଧବାକୁ ମାସିକ ସର୍ବନିମ୍ନ ପାଞ୍ଚ ହଜାର ଟଙ୍କା ବାଧ୍ୟତାମୂଳକ ପେନସେନ୍ ପ୍ରଦାନ କରିବାକୁ ତଥା ସବୁ ପେନସନଧାରୀଙ୍କୁ ରାସନ କାର୍ଡ଼ ତଥା ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଦରକାର। ଏହାସହିତ ସରକାର ସର୍ବନିମ୍ନ ମଜୁରୀ ପରି ବଜାର ଦର ଅନୁଯାୟୀ ନିୟମିତ ବ୍ୟବଧାନରେ ପେନସନ୍ ରାଶିରେ ବି ବୃଦ୍ଧି କରିବା ଜରୁରୀ।

ଫୋନ୍ ନଂ : ୯୪୩୭୧୬୬୩୯୧

Related story