ଦେବ ରଞ୍ଜନ
କବି ଆଶୁତୋଷ ପରିଡ଼ା ଲେଖୁଛନ୍ତି, ‘ଏହା ଯେପରି ମାଆ କୋଳରୁ ଛଡ଼ାଇ ନେଇ ଶିଶୁକୁ ପକାଇ ଦେବା ସଡ଼କ ଉପରେ/ ମାଟିରୁ ଓପାଡ଼ି ନେଇ ଗଛ ରୋଇବାକୁ ଯିବା ମରୁଭୂମିର ବାଲିରେ/ ଏହା ଯେପରି ଗୋଟେ ନଦୀକୁ ଉଠାଇ ନେବା ତାର ଶଯ୍ୟା ଉପରୁ / ଚନ୍ଦ୍ରକୁ ଠେଲି ଦେବା ତା’ର କକ୍ଷପଥରୁ / ସ୍ଵରମାନଙ୍କୁ ଶୋଷିନେବା ବଂଶୀର କମ୍ପନ ଗର୍ଭରୁ। (କବିତା: ବିସ୍ଥାପନ)
ଏ ଦେଶର ମଣିଷ ଯେବେ ବି ନିଜର ଗୋଷ୍ଠୀଗତ ଜୀବନ, ନଦୀ ଓ ପାହାଡ଼କୁ ଲାଗି ରହିଥିବା ଜୀବନ ଓ କୃଷି ଉପରେ ନିର୍ଭରଶୀଳ ଜୀବନରୁ ବିସ୍ଥାପିତ ହୋଇଛି ତାହାର ବିସ୍ଥାପିତ ଜୀବନ ସର୍ବଦା ମାଆ କୋଳରୁ ଛଡ଼ାଇ ନେଇ ରାସ୍ତା ଉପରେ ଫୋପାଡ଼ି ଦେଇଥିବା ଶିଶୁ ଅଥବା ମାଟିରୁ ଓପାଡ଼ି ନେଇ ମରୁଭୁମିରେ ପୋତାଯାଉଥିବା ବୃକ୍ଷ ସଦୃଶ ହୋଇଛି। ବିଗତ ଦଶନ୍ଧିମାନଙ୍କରେ ଆମେ ଆମ ଚାରିପାଖର ଡ୍ୟାମ, ଖଣି, ପ୍ଳାଣ୍ଟ ଇତ୍ୟାଦି ଲାଗି ବିସ୍ଥାପିତଙ୍କ ଜୀବନରେ ଏହା ହିଁ ଦେଖୁଛୁ। ଏହାକୁ ଆଜି ବିରୋଧ କରୁଥିବା ଆନ୍ଦୋଳନରତ ମଣିଷ ପୁଣି ସରକାରଙ୍କ ଦୃଷ୍ଟିରେ ଅପରାଧୀ ତାଲିକାଭୁକ୍ତ ହୋଇଯାଉଛି।
ରାୟଗଡ଼ା ଜିଲ୍ଲା କାଶୀପୁର ଅଞ୍ଚଳରେ ଗଲା ତିନି ଦଶନ୍ଧି ଧରି ଏହା ସ୍ପଷ୍ଟ ଦୃଶ୍ୟ ହେଉଛି। ଉତ୍କଳ ଆଲୁମିନା – ଆଦିତ୍ୟ ବିରଳା କମ୍ପାନୀକୁ ବିରୋଧ କରିବାକୁ ଯାଇ ଡିସେମ୍ବର ୨୦୦୦ ମସିହାରେ ତିନି ଜଣ ଆଦିବାସୀ ପୁଲିସ ଗୁଳିରେ ପ୍ରାଣ ଦେଇଥିଲେ। ସେହି ଗୁଳିଚାଳନାରେ ପୁଣି ଅନେକ ଲୋକ ଆହତ ହୋଇଥିଲେ। କଥା ଏତିକିରେ ସରିନଥିଲା। ସେମାନେ କମ୍ପାନୀର ବାଫଲିମାଳି ବକ୍ସାଇଟ ଖଣି ଖନନ ଓ ଦୋରାଗୁଡ଼ା ଠାରେ ଆଲୁମିନା ପ୍ଳାଣ୍ଟ ସ୍ଥାପନକୁ ତଥାପି ବିରୋଧ କରିବାରୁ ଅନେକ ବାର ପୁଲିସର ଲାଠି ଚାର୍ଜ, ୪୦୦ରୁ ଉର୍ଦ୍ଧ୍ଵ ଲୋକ ଗିରଫ ଓ ୧୦୦୦ରୁ ଅଧିକ ଲୋକ ଆଜି ବି ୱାରେଣ୍ଟ ତାଲିକାରେ ଅଛନ୍ତି।
ଆଦିତ୍ୟ ବିରଳା କମ୍ପାନୀ ୧୦୦ କୋଟି ଟଙ୍କା ବିଜେଡ଼ି ଦଳକୁ ଇଲେକ୍ଟରାଲ ବଣ୍ଡରେ ଅର୍ଥ ଦେଇଥିଲା। ରାଜ୍ୟର ବିକାଶ ନାମରେ ଉଭୟ କମ୍ପାନୀ ଓ ବିଜେଡ଼ି ଦଳ ଭଲ ଆୟ କରୁଥିଲେ। ଏବେ ସେହି ସମାନ ଅବସ୍ଥା କାଶୀପୁର ବ୍ଲକର ସିଜିମାଳି ପାହାଡ଼ ଅଞ୍ଚଳରେ ଦେଖାଯାଇଛି।
ସିଜିମାଳିରେ ଗଚ୍ଛିତ ଅଛି ୩୧୧ ନିୟୁତ ଟନ ବକ୍ସାଇଟ। ଏହାର ଇ-ନିଲାମ ହୋଇଥିଲା ଫେବୃଆରୀ ୦୯, ୨୦୨୩ ତାରିଖରେ। ବେଦାନ୍ତ କମ୍ପାନୀ ତତ୍କାଳୀନ ବିଜେଡ଼ି ସରକାରଙ୍କ ଦ୍ଵାରା ଘୋଷିତ ହୋଇଥିଲା ‘ପସନ୍ଦଯୋଗ୍ୟ ନିଲାମଦାର’ (ପ୍ରିଫର୍ଡ ବିଡର)। ଓଡ଼ିଶା ସରକାର ତୁରନ୍ତ ଅର୍ଥାତ ମାର୍ଚ୍ଚ ୦୧, ୨୦୨୩ ରେ ‘ଖୁସି ଖବର’ ବେଦାନ୍ତ କମ୍ପାନୀକୁ ଜଣାଇଦେଇଥିଲେ। ଆଶ୍ଚର୍ଯ୍ୟ ଯେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ଏକ ସରକାର ଏହା ପୂର୍ବରୁ ସ୍ଥାନୀୟ ଲୋକଙ୍କୁ ପଚାରିବାର କୌଣସି ଆବଶ୍ୟକତା ଅନୁଭବ କରିନଥିଲେ।
ବେଦାନ୍ତ କମ୍ପାନୀ ପ୍ରି-ଫିଜିବିଲିଟି ରିପୋର୍ଟ ପ୍ରକାଶ କରିଥିଲା। ଏଥିରେ ଦର୍ଶାଯାଇଥିଲା ଯେ କମ୍ପାନୀ ସମୁଦାୟ ପୁଞ୍ଜି ବିନିଯୋଗ କରିବ ୯୭୨ କୋଟି ଟଙ୍କା। ବାର୍ଷିକ ୯ ନିୟୁତ ବକ୍ସାଇଟ ଏଠାରୁ ଉତ୍ତୋଳିତ ହେବ ଓ ସମସ୍ତ ବକ୍ସାଇଟ ଟ୍ରକ ମାଧ୍ୟମରେ ଲାଞ୍ଜିଗଡ଼ ପ୍ଳାଣ୍ଟକୁ ପଠାଯିବ। ସେଠାରେ ସିଜିମାଳିର ବକ୍ସାଇଟରୁ ଆଲୁମିନା ପାଉଡର ପ୍ରସ୍ତୁତ ହେବ।
ଖଣି ଲାଗି ସମୁଦାୟ ନିଯୁକ୍ତିର ସଂଖ୍ୟା କମ୍ପାନୀର ରିପୋର୍ଟ ଅନୁସାରେ ମାତ୍ର ୨୭୭, ତାହା ପୁଣି ଅତି କୁଶଳୀ ଓ ମ୍ୟାନେଜମେଣ୍ଟ ସ୍ତରରେ। କିନ୍ତୁ କମ୍ପାନୀ ସ୍ଵୀକାର କରିଛି ଯେ ଏଥିଲାଗି ୧୦୦ ପରିବାର ବିସ୍ଥାପିତ ହେବେ ଓ ୫୦୦ ପରିବାର ପ୍ରଭାବିତ ହେବେ। ଯେଉଁମାନେ କେବଳ ଜମି ହରାଇବେ କିନ୍ତୁ ଘର ନୁହେଁ ସେମାନଙ୍କୁ ପ୍ରଭାବିତ କୁହାଯାଇଥାଏ। କମ୍ପାନୀର ଖଣି ଖୋଳା ଲାଗି ପାହାଡ଼ ଉପରେ ଥିବା ଦୁଇଟି ଗାଁ ନିଜର ଠିକଣା ସଂପୂର୍ଣ୍ଣ ହରାଇବ। ପୁଣି କମ୍ପାନୀ ଉଲ୍ଲେଖ କରିଛି ଯେ ଦୈନିକ ୭୨୫ କିଲୋ ଲିଟର (କେଏଲଡି) ପାଣି ଅର୍ଥାତ ଦିନକୁ ୭,୨୫,୦୦୦ ଲିଟର ପାଣି ନିଜ ଲାଗି ବ୍ୟବହାର କରିବ ଯେଉଁଥି ପାଇଁ ଅତି ଗଭୀର କୂପ ସ୍ଥାପନ କରାଯିବ। ସରକାର ମଧ୍ୟ ସଂପୂର୍ଣ୍ଣ ପ୍ରକଳ୍ପକୁ ‘ରାଜ୍ୟର ବିକାଶ ଲାଗି ଜରୁରୀ’ କହି ସବୁଜ ସଂକେତ ଦେଇଥିଲେ। ସଂକେତ ସବୁଜ ନୁହେଁ ବରଂ ଲୋକଙ୍କ ପାଇଁ ନାଲି ବା ବିପଦପୂର୍ଣ୍ଣ କହିଲେ ଅତ୍ୟୁକ୍ତି ହେବ ନାହିଁ।
ରାୟଗଡ଼ା ଜିଲ୍ଲାର କାଶୀପୁର ଓ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକକୁ ଏହି ସିଜିମାଳି ଛୁଇଁଛି। ସମ୍ବିଧାନର ପଞ୍ଚମ ଅନୁଚ୍ଛେଦ ଅଞ୍ଚଳ। ଜନସଂଖ୍ୟା ଦୃଷ୍ଟିରୁ ଆଦିବାସୀ ବହୁଳ। ମୁଖ୍ୟତଃ କନ୍ଧ ଓ ପରଜାଙ୍କ ଆସ୍ଥାନ। ପୁଣି ଅନୁସୂଚୀତ ଜାତିର ଲୋକଙ୍କ ଉପସ୍ଥିତି ରହିଛି ଓ ଏହା ସହିତ ଓବିସି ମଧ୍ୟ। ଚାଷ, ଗୋପାଳନ ଓ ଜଙ୍ଗଲରୁ ବିଭିନ୍ନ ଦ୍ରବ୍ୟ ସଂଗ୍ରହ କରିବା ସମସ୍ତଙ୍କ ମୁଖ୍ୟ ଜୀବିକା। ପାହାଡ଼ ଢାଲୁରେ ସେମାନେ ବର୍ଷା ଦିନିଆ ମକା, ମଣ୍ଡିଆ, ଝୁଡୁଙ୍ଗ, କୋଶଳା, ବିରି, ମସୁରୀ, କାନ୍ଦୁଲ ଚାଷ କରିଥାନ୍ତି। ଏହା ସହିତ ପରିବା ଚାଷ ମଧ୍ୟ। ସରକାର ଯାହାକୁ ‘ସରକାରୀ ଜମି’ କହୁଛନ୍ତି ତାହା ସେମାନଙ୍କ ଲାଗି ପିଢ଼ି ପିଢ଼ିର ଚାଷଜମି। ପୁଣି ଗାଈ ଗୋରୁଙ୍କ ଚରାଭୂମି ମଧ୍ୟ। ଏଠାରେ ପ୍ରତ୍ୟେକ ଇଞ୍ଚ ଜମି ଲୋକଙ୍କ ଜୀବନ ଜୀବିକା ସହିତ ଜଡ଼ିତ।
ଲୋକଙ୍କୁ ସଂପୂର୍ଣ୍ଣ ଅନ୍ଧାରର ରଖି ବେଦାନ୍ତ କମ୍ପାନୀ ବିଶାଖାପାଟଣାର ଅନ୍ୟ ଏକ କମ୍ପାନୀ ସହିତ ଅଲିଖିତ ବୁଝାମଣା ଜରିଆରେ ସିଜିମାଳିରୁ ବକ୍ସାଇଟ ଚାଲାଣ କରିବାର ବୁଝାମଣା କରିଥିଲା। ଏହି ନୂତନ କମ୍ପାନୀର ଲୋକେ ପୁଲିସ ଏସକର୍ଟରେ ଅଗଷ୍ଟ ୧୨, ୨୦୨୩ ତାରିଖରେ ସିଜିମାଳି ଉପରକୁ ଯାଇଥିଲେ। ସେମାନଙ୍କ ପାଖରେ ନା ଗ୍ରାମସଭାର ଅନୁମୋଦନ ଥିଲା ନା ଜନଶୁଣାଣି ହୋଇଥିଲା। ଏଭଳି କୌଣସି କମ୍ପାନୀ ଯାହା ହାତରେ ଓଡ଼ିଶା ସରକାରଙ୍କ ଅନୁମୋଦନ ପତ୍ର ମଧ୍ୟ ନାହିଁ ଅଞ୍ଚଳକୁ ସର୍ଭେ ପାଇଁ ଯିବା ଦୋଷାବହ କାର୍ଯ୍ୟ। ତେଣୁ ଆଇନତଃ ଏହା ଅପରାଧ।
ହେଲେ ଜାଣି ଜାଣି ଆଇନ ଶୃଙ୍ଖଳାର ସ୍ଥିତି ସୃଷ୍ଟି କରିବା ବେଦାନ୍ତ କମ୍ପାନୀର ଉଦ୍ଦେଶ୍ୟ ଥିଲା। ସ୍ଥାନୀୟ କାଶୀପୁର ଗ୍ରାମାବାସୀ କମ୍ପାନୀର ସର୍ଭେ ଦଳକୁ ବିରୋଧ କରିଥିଲେ। କିଛି ସମୟ ଘେରାଉ କରି ମଧ୍ୟ ରଖିଥିଲେ। କିନ୍ତୁ କୌଣସି ଶାରୀରିକ ଆଘାତ ଦେଇନଥିଲେ। କମ୍ପାନୀ ସହିତ କାଶୀପୁର ପୁଲିସ ମଧ୍ୟ ଥିଲେ।
ସିଜିମାଳିକୁ ଏପରି ବିନା ଅନୁମତିରେ ନଆସିବା ଲାଗି ଲିଖିତ ପ୍ରତିଶୃତି ଦେବା ପରେ କମ୍ପାନୀର ଲୋକଙ୍କୁ ସେଦିନ ସ୍ଥାନୀୟ ଗ୍ରାମବାସୀ ଛାଡ଼ିଥିଲେ। ଏହାର ସାକ୍ଷୀ ନିଜେ ସ୍ଥାନୀୟ ପୁଲିସ ଥିଲେ। ଅଥଚ ଲୋକଙ୍କ ନିକଟରୁ ଆସିବା ପରେ କମ୍ପାନୀର ଜଣେ କର୍ମଚାରୀ ୯୪ ଜଣ ଗ୍ରାମବାସୀ ଓ ୧୦୦ ‘ଅନ୍ୟାନ୍ୟ’ଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ। କାଶୀପୁର ଭଳି ଏକ ଶାନ୍ତ ଅଞ୍ଚଳ ରାଜ୍ୟ ସରକାରଙ୍କ ଦୃଷ୍ଟିରେ ହଠାତ ‘ଅପରାଧୀଙ୍କ ପେଣ୍ଠସ୍ଥଳୀରେ’ ପରିଣତ ହୋଇଗଲା। ସେହି ଅଗଷ୍ଟ ୧୨, ୨୦୨୩ ତାରିଖରୁ ପୁଲିସ ଗିରଫ କରିବା ଆରମ୍ଭ କରିଦେଲେ। ଲୋକେ ଗାଁର ବଜାର, ହାଟ ଭୁଲିଗଲେ। ରାତିରେ ମଧ୍ୟ ପୁଲିସର ଚଢ଼ାଉ ଚାଲିଲା। ଦୀର୍ଘ ତିନି ମାସ ପରେ ଲୋକେ ଜାମିନରେ ଆସିଥିଲେ।
ନିୟମଗିରି ଅଞ୍ଚଳରେ ସୁପ୍ରିମ କୋର୍ଟ ଅନୁମୋଦନ କ୍ରମେ ୧୦ଟି ଗ୍ରାମସଭା ଅଗଷ୍ଟ ୨୦୧୩ ମସିହାରେ ଅନୁଷ୍ଠିତ ହୋଇଥିଲା। ସେହି ସମସ୍ତ ଗ୍ରାମସଭାରେ ବେଦାନ୍ତ କମ୍ପାନୀ ବିରୁଦ୍ଧରେ ପ୍ରସ୍ତାବ ପାସ ହୋଇଥିଲା। ଫଳରେ, ବେଦାନ୍ତ କମ୍ପାନୀ ଲାଗି ନିୟମଗିରିର ରାସ୍ତା ବନ୍ଦ ହୋଇଗଲା। କମ୍ପାନୀ ପୁଣି ଛତିଶଗଡ଼ ଓ ଉତ୍ତରପ୍ରଦେଶରୁ ବକ୍ସାଇଟ ଆଣିବାର ଉଦ୍ୟମ କରିଥିଲା। ଏହି ଯୋଜନା ମଧ୍ୟ ସଫଳ ହେଉନାହିଁ। ସେ ଯାହା ହେଉ ନିଜର ଲାଞ୍ଜିଗଡ଼ ପ୍ଳାଣ୍ଟକୁ ଚଳାଇ ରଖିବା ଲାଗି ବେଦାନ୍ତ କମ୍ପାନୀ ସବୁଆଡ଼କୁ ହାତ ମାରି ଚାଲିଛି।
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଓ ପଡ଼ୋଶୀ ଦଶମନ୍ତପୁର ବ୍ଲକକୁ ଲାଗି ରହିଛି କୋଡ଼ିଙ୍ଗା ମାଳି। ଏଠାରେ ଗଚ୍ଛିତ ରହିଥିବା ବକ୍ସାଇଟର ପରିମାଣ ହେଲା ୮୧ ନିୟୁତ ଟନ। ୨୦୧୧ ମସିହାରେ ମିଥ୍ୟା ଗ୍ରାମସଭା ଅନୁଷ୍ଠିତ ହୋଇ ଆଦିତ୍ୟ ବିରଳା – ଓଏମସିକୁ ଲିଜ ଦେବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମାତ୍ର ଦୁଇ ତାରିଖରେ ୯ଟି ଗ୍ରାମସଭାରେ ଓଏମସି ଓ ଆଦିତ୍ୟ ବିରଳା କମ୍ପାନୀ ସପକ୍ଷରେ ପ୍ରସ୍ତାବ ପାସ ହୋଇଥିବା ତତ୍କାଳୀନ ଜିଲ୍ଲାପାଳ ରିପୋର୍ଟ ଦେବା କାରଣରୁ ତାହା ବେଶ ଚର୍ଚ୍ଚିତ ହୋଇଥିଲା।
କୋଡ଼ିଙ୍ଗା ମାଳିରୁ ବେଦାନ୍ତ କମ୍ପାନୀର ଖଣି ଖନନ ଲାଗି ରାଜ୍ୟ ସରକାର ଅକ୍ଟୋବର ୨୦୧୭ ମସିହାରେ ଓଏମସିକୁ ଜଙ୍ଗଲ ବିଭାଗ ଅନୁମତି ପତ୍ର ଦେଲେ। ରାଜ୍ୟ ସରକାରଙ୍କ ନିଜସ୍ଵ ଉଦ୍ୟୋଗ ଓଏମସି ବେଦାନ୍ତ କମ୍ପାନୀ ଲାଗି ବକ୍ସାଇଟ ଉତ୍ତୋଳନ ଅନୁମତି ପାଇଥିଲା।
ବେଦାନ୍ତ ଲାଗି ରାଜ୍ୟ ସରକରା ଫେବୃଆରୀ ୨୦୧୮ରେ ଆଗାମୀ ପାଞ୍ଚ ବର୍ଷ ଲାଗି ଦୀର୍ଘ ସୂତ୍ରୀ ସଂଯୋଗ ନୀତି (Long term linkage policy)ରେ ପରିବର୍ତ୍ତନ ମଧ୍ୟ କଲେ। ଏହି ନୀତି ହେତୁ ବେଦାନ୍ତ ଏକ ପ୍ରାଇଭେଟ କମ୍ପାନୀ ହୋଇମଧ୍ୟ ରାଷ୍ଟ୍ରାୟତ୍ତ କମ୍ପାନୀକୁ ଦିଆଯାଉଥିବା ସାହାଯ୍ୟ ଓ ସହଯୋଗର ସୁବିଧା ପାଇଲା।
ଓଏମସି ମଧ୍ୟ ନିଜେ ଖଣି ଉତ୍ତୋଳନ ନକରି ମୈତ୍ରୀ କମ୍ପାନୀକୁ ଉତ୍ତୋଳନ ଅଧିକାର ଦେଲା ଯାହା ବେଆଇନ ଥିଲା। ଅତ୍ୟଧିକ ପ୍ରଦୂଷଣ, ଶ୍ରମିକଙ୍କୁ କମ ପେମେଣ୍ଟ ଦେବା, ସ୍ଥାନୀୟ ଲୋକଙ୍କୁ ଭୟ ଦେଖାଇ ଓ ମିଥ୍ୟା କେସରେ ଗିରଫ କରାଇ କମ୍ପାନୀ ଖଣି ଉତ୍ତୋଳନ କରୁଥିବାରୁ ଏହା ବିରୁଦ୍ଧରେ ଜନ ପ୍ରତିବାଦ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବେଦାନ୍ତ କମ୍ପାନୀ ଓ ପୂର୍ବ ରାଜ୍ୟ ସରକାର ବିକଳ୍ପ ଖଣି ଲିଜ ଲାଗି ସିଜିମାଳି ଅଞ୍ଚଳରେ ଦ୍ଵାରସ୍ଥ ହୋଇଛନ୍ତି। ବେଦାନ୍ତ କମ୍ପାନୀ ତତ୍କାଳୀନ ସରକାର ଥିବା ବିଜେଡ଼ି ଦଳକୁ ୪୦ କୋଟି ଟଙ୍କା ଇଲେକ୍ଟରାଲ ବଣ୍ଡରେ ଅର୍ଥ ଦେଇଥିଲା। (ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏସବିଆଇ ଦେଇଥିବା ତଥ୍ୟ ଅନୁସାରେ)
ଏବେ ରାଜ୍ୟରେ ସରକାର ବଦଳିଛି। ବେଦାନ୍ତ ପୁଣି ପୁରୁଣା ସରକାରଙ୍କୁ ଛାଡ଼ି ନୂଆ ସରକାରଙ୍କ ସହିତ ସମ୍ବନ୍ଧ ବାନ୍ଧିଛି। ଖବରକାଗଜର ତଥ୍ୟ ଅନୁସାରେ ବେଦାନ୍ତ କମ୍ପାନୀ ନୂତନ ସରକାରଙ୍କୁ ‘ଏକ ଲକ୍ଷ କୋଟି ଟଙ୍କା ନିବେଶ ଓ ୨ ଲକ୍ଷ ନୂଆ ନିଯୁକ୍ତିର ଆଶା’ର ସ୍ଵପ୍ନ ଦେଖାଇଛି। ଏହି ହେତୁ କାଶୀପୁରବାସୀଙ୍କ ଉପରେ ପୁଣି ଗିରଫର ଭୟ ସୃଷ୍ଟି କରାଯାଇଛି। ଗଲା ସେପ୍ଟେମ୍ବର ୧୯, ୨୦୨୪ ତାରିଖରେ କାଶୀପୁର ପୁଲିସ ଆନ୍ଦୋଳନର ଅନ୍ୟତମ ମୁଖ୍ୟ କାର୍ତ୍ତିକ ନାୟକଙ୍କୁ ପୁରୁଣା ମାମଲାରେ ଗିରଫ କରିଛି। ତାଙ୍କର ଜାମିନ ଆଜି ପର୍ଯ୍ୟନ୍ତ ହୋଇନାହିଁ।
ନିକଟରେ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୦୪, ୨୦୨୪ ମଧ୍ୟରେ କାଶୀପୁର ବ୍ଲକର ୮ଟି ଗାଁ ଓ ଥୁଆମୂଳ ରାମପୁର ବ୍ଲକର ୨ଟି ଗାଁରେ ଜଙ୍ଗଲ ଅଧିକାର ଆଇନ ଓ ପେସା ଆଇନ ଅନୁଯାୟୀ ଗ୍ରାମସଭା ହୋଇଥିଲା। ଏଥିରେ ଲୋକେ କମ୍ପାନୀ ବିରୁଦ୍ଧରେ ମତ ରଖିଥିଲେ। କିନ୍ତୁ ଏହାର ପ୍ରତିକ୍ରିୟାରେ କାର୍ତ୍ତିକ ନାୟକଙ୍କୁ ଗିରଫ କରାଯାଇଥିବା ବିଭିନ୍ନ ଗଣସଙ୍ଗଠନ ଓ ମାନବିକ ଅଧିକାର ସଂଗଠନ ଦ୍ଵାରା ଦିଆଯାଇଥିବା ପ୍ରେସ ବିବୃତ୍ତିରେ ଉଲ୍ଲେଖ କରାଯାଇଛି।
ସରକାରୀ ନିୟମରେ ରହିଥିବା ଫାଙ୍କ ଓ ଏଥିଲାଗି ନିଆଯାଉଥିବା ସୁଯୋଗ ସମ୍ପର୍କରେ ଏଠାରେ ଦେଖିବା କଥା। ଆମେ ସାଧାରଣ ଜୀବନରେ ଚାଉଳ ଦେଖି ଚୁଲିରେ ହାଣ୍ଡି ବସାଇଥାଉ। କେହି କ’ଣ ଚାଉଳ ନଥାଇ ହାଣ୍ଡି ବସାଇଛି କି? କିନ୍ତୁ ବେଦାନ୍ତ କମ୍ପାନୀ ନିଜ ଲାଗି ବକ୍ସାଇଟର କୌଣସି ଉତ୍ସ ନଥାଇ ମଧ୍ୟ ଲାଞ୍ଜିଗଡ଼ଠାରେ ଏକ ବିଶାଳ ଆଲୁମିନା ପ୍ଳାଣ୍ଟ ବସାଇବା ଲାଗି ଅନୁମତି ପାଇଥିଲା। କେମିତି?
ବେଦାନ୍ତ କମ୍ପାନୀ ହାତରେ କୌଣସି ଖଣି ଲିଜ ନଥାଇ ମଧ୍ୟ କମ୍ପାନୀ ଆଲୁମିନା ପ୍ଳାଣ୍ଟ ନିର୍ମାଣ କରିଚାଲିଲା ଓ ରାଜ୍ୟ ସରକାର ଏହାର କାରଣ ମଧ୍ୟ ପଚାରି ନଥିଲେ। ଏହା ପଛରେ ପୂର୍ବ ରାଜ୍ୟ ସରକାରଙ୍କ ପ୍ରଚ୍ଛନ୍ନ ସହଯୋଗ ରହିଥିଲା। ନିୟମଗିରିରେ ଆଇନଗତ ଅଧିକାର ପାଇବାର ଯଥେଷ୍ଟ ପୂର୍ବରୁ କମ୍ପାନୀ ନିଜର ପ୍ଳାଣ୍ଟ କାମ ଶେଷ କରିଦେଇଥିଲା। ପ୍ରଥମେ ନିୟମଗିରି ଓ ସେଠାରୁ ପୁଣି କୋଡ଼ିଙ୍ଗା ମାଳି ଓ ଏବେ ପୁଣି ସିଜିମାଳିରୁ ଖଣି ଖୋଳିବା ଲାଗି କମ୍ପାନୀ ଓ ରାଜ୍ୟ ସରକାର ଲୋକଙ୍କ ଉପରେ ଚାପ ସୃଷ୍ଟି କରିଚାଲିଛନ୍ତି।
ବେଦାନ୍ତ କମ୍ପାନୀ ଲାଞ୍ଜିଗଡ଼ଠାରେ ନିଜର ଆଲୁମିନା ପ୍ଳାଣ୍ଟ ନିର୍ମାଣ ପରଠାରୁ ରାଜ୍ୟର ଏବର ଅମଲାତନ୍ତ୍ର, ଅବସରପ୍ରାପ୍ତ ଅମଲାତନ୍ତ୍ର ଓ ସରକାରୀ ଦଳ ମଧ୍ୟରେ କମ୍ପାନୀ ପ୍ରତି ଦୟାଳୁ ଭାବ ବେଶ ପ୍ରକଟ ହେଉଛି। ଏକ ବିଶାଳ ପ୍ଳାଣ୍ଟକୁ ଚଳାଇବା ଲାଗି ବକ୍ସାଇଟ ତ ଆବଶ୍ୟକ, ଏଭଳି ଯୁକ୍ତି ସରକାରୀ ସ୍ତରରେ ହେଉଛି। କେହି ପଚାରୁ ନାହାନ୍ତି ଯେ, କାହିଁକି କମ୍ପାନୀ ବକ୍ସାଇଟ ଲିଜ ନଥାଇ ପ୍ଳାଣ୍ଟ ବସାଇଲା?
କେହି ପଚାରୁ ନାହାନ୍ତି ଯେ, ଲୋକଙ୍କ ଇଚ୍ଛା ବିରୁଦ୍ଧରେ ସରକାର ଯାଇ କେଉଁଭଳି କମ୍ପାନୀକୁ ସହଯୋଗ କରିପାରିବ? ଲୋକଙ୍କ ଆକ୍ରୋଶ ପୁଣି ନିର୍ବାଚନରେ ପ୍ରତିଫଳିତ ହେବ ନାହିଁ ତ? ଆମେ ଗଣତନ୍ତ୍ରରେ ଏକ ବିଚିତ୍ର ସ୍ଥିତିରେ ପହଞ୍ଚିଛେ। ଏଥିଲାଗି କଣ ଲୋକଙ୍କୁ ପୁଣି ପାଞ୍ଚ ବର୍ଷ ଅପେକ୍ଷା କରିବାକୁ ହେବ? ଲୋକେ ଏବେ ବି ଏକ ଦୃଢ଼ ପ୍ରାଚୀର ସଦୃଶ କମ୍ପାନୀର ପ୍ରବେଶକୁ ବନ୍ଦ କରିରଖିଛନ୍ତି।
କବିଙ୍କ କବିତାର ଶେଷ ଧାଡ଼ି ମନେପଡୁଛି। ‘ତୁମେ ସେମାନଙ୍କୁ ନିର୍ବାସିତ କରିପାରିବନି ଭିଟାମାଟିରୁ/ ଭୁଲାଇ ଦେଇ ପାରିବନି ନାମ ଓ ଠିକଣା/ ତୁମେ ଆଉ ଶୋଷି ପାରିବନି ମାଟିର ସମ୍ପଦ/ ସେମାନେ ଜଗି ରହିଛନ୍ତି ଅତନ୍ଦ୍ର ପ୍ରହରୀ ଓ ତିଆରି କରିଛନ୍ତି ଗୋଟେ ଦୁର୍ଗ।’ (କବିତା : ବିସ୍ଥାପନ)
ମୋବାଇଲ - ୯୪୩୭୭୬୨୨୭୨