- ରୁଦ୍ର ପ୍ରସନ୍ନ ରଥ
ଏବେ ସାରା ରାଜ୍ୟରେ ପିକନିକ୍ ଋତୁ ଚାଲିଛି। ଗ୍ରୀଷ୍ମ ବର୍ଷା ପରି ଏହା ପ୍ରାକୃତିକ ଋତୁ ହୋଇନଥିଲେ ମଧ୍ୟ ଅନେକ ଏହାକୁ ଚାତକ ପରି ଚାହିଁରହିଥାନ୍ତି। ଓଡିଶାରେ ପିକି୍ନିକ୍ ଋତୁ ଆରମ୍ଭ ହୁଏ ନଭେମ୍ବର ମାସରୁ। ନଭେମ୍ବରରେ ଶୀତ ପଡ଼ିବା ଆରମ୍ଭ ହୁଏ। ଆଉ ଏହି ଶୀତଦିନେ ସହରଠୁ ଦୂରରେ ଯାଇ କିଛି ସମୟ କାଟି ତାଜାପଣ ଅନୁଭବ କରି ପୁଣି ଘରକୁ ଫେରିବାକୁ ସମସ୍ତେ ବ୍ୟଗ୍ର ହୋଇ ପଡ଼ନ୍ତି। ଖାସ୍ କରି ରବିବାର ଏବଂ ଅନ୍ୟ ଛୁଟି ଦିନଗୁଡ଼ିକରେ ଏଥିପାଇଁ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ବେଶ୍ ଭିଡ଼ଜମେ। ଲୋକ ଦଳଦଳ ହୋଇ ଗାଡ଼ି ନେଇ ପର୍ବତ, ଝରଣା କିମ୍ବା ସମୁଦ୍ର କୂଳରେ ପହଁଚି ଯାଆନ୍ତି। ଜଳଖିଆ ଖାଇବା ପରେ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ଆରମ୍ଭ ହୁଏ। ଜଣେ ଦୁଇଜଣ ରୋଷେଇ ପାଖରେ ଥାଆନ୍ତି ଆଉ ସବୁ ଯିଏ ଯାହା ବାଟରେ। କିଏ ଫଟୋ ଉଠାଏ ତ ଆଉ କିଏ ନଦୀରେ ଗାଧୋଇବାକୁ ବାହାରି ପଡ଼େ। ଘଂଟାରେ ଦୁଇଟା ବାଜିଲାବେଳକୁ ସମସ୍ତଙ୍କ ପେଟ ଭୋକରେ ଡହଳ ବିକଳ ହେଉଥାଏ। ଯିଏ ଯେମିତି ଥାଉ ପଛେ ଖାଇବା ହେବାମାତ୍ରେ ରୋଷେଇ ପାଖକୁ ଦୌଡ଼ି ଆସନ୍ତି। ଧାଡ଼ିରେ ବସନ୍ତି। ଗପ ଗମାତ ଭିତରେ ଭୋଜି ଶେଷ ହୁଏ। ମଣିଷ ନିଜ ନିଜର ହାଣ୍ଡି କୁଣ୍ଢେଇକୁ ଅଧାମଜା କରି ଗାଡ଼ିରେ ଲୋଡ଼ କରି ଘରକୁ ଫେରେ। ଦେହ ହାତ ଦରଜ ହୋଇଯାଇଥାଏ ସିନା ମନ କିନ୍ତୁ ତାଜା ହୋଇଯାଇଥାଏ। ଆଉ ଗୋଟିଏ ବର୍ଷ ମନଭରି ଖଟିବାକୁ ସେ ବଳ ପାଇଯାଇଥାଏ। ଏମିତି ଏମିତିରେ ଶୀତ ମେଲାଣି ନିଏ ଆଉ ପିକନିକ୍ ଋତୁରେ ଯବନିକା ପଡ଼ିଯାଇଥାଏ। ମଣିଷ ଆଉ ଗୋଟିଏ ବର୍ଷ କାଟିଦିଏ ଆଉ ଗୋଟିଏ ପିକନିକ୍ ପାଇଁ ନିଜକୁ ପ୍ରସ୍ତୁତ କରି।
ଏବେ ସମୟ ବଦଳିବା ସହ ପିକନିକର ତରିକା ବି ବଦଳିଯାଇଛି। ଆଗେ ମଣିଷ ବର୍ଷକୁ ଥରେ ଅଧେ ପିକନିକ୍ ଗଲେ ବହୁତ ହେଉଥିଲା। ଏବେ ପିକନିକ୍ ଯିବା ପାଇଁ ଅଗଣିତ ଅନୁରୋଧ। ସାହିରୁ, ଅଫିସରୁ, ଖଟି ସାଙ୍ଗଙ୍କ ମେଳରୁ ଆରମ୍ଭ କରି ପୁରୁଣା କଲେଜ ଏବଂ ପୁରୁଣା ହାଇସ୍କୁଲ ସାଙ୍ଗଙ୍କ ସୌଜନରୁ ଡକରା ପହଁଚୁଛି। ଆପଣ କେଉଁ ପିକନିକ୍ ଯିବେ ଆଉ କେଉଁଟି ଯିବେ ନାହିଁ ସେ ନିଷ୍ପତ୍ତି ଆପଣଙ୍କର। ତେବେ ଏହା ନିଶ୍ଚିତ ଯେ ଆପଣ ସବୁ ପିକନିକ୍ ଯାଇ ପାରିବେ ନାହିଁ। ଆପଣ ଯାହାକୁ ମନା କରିବେ ତା ମୁହଁ ଭାରୀ କରିବେ। ଆପଣ ନଯିବାର ମିଛ ସତ କାରଣ ଦେଖାପାରନ୍ତି। କିନ୍ତୁ ସେ ବନ୍ଧୁ ଜଣଙ୍କ ଆପଣଙ୍କ କଥାରେ ସନ୍ତୁଷ୍ଟ ନହୋଇ ମୁହଁ ଫୁଲାଇବା ନିଶ୍ଚିତ। ତେବେ ଏହା ନିଶ୍ଚିତ ଆପଣ ସବୁ ପିକନିକ ଯିବା ପାଇଁ ନା ଆପଣଙ୍କ ପାଖରେ ସମୟ ଅଛି ନା ଆପଣଙ୍କ ପାଖରେ ଅର୍ଥ ଥିବ।
ଏବେ ପିକନିକରେ ବି ଆଗପରି ମଜା ନାହିଁ। ଗାଡ଼ି ପିକନିକ୍ ସ୍ଥାନରେ ପହଁଚୁ ପହଁଚୁ ଦରି ବିଛା ହେଉଛି। ତାପରେ ପରିବା କାଟିବା କିମ୍ବା ରୋଷେଇ ପାଇଁ ଚେଷ୍ଟା କରିବା ଅପେକ୍ଷା ମଦ ବୋତଲ ଖୋଲି ପିଇବାରେ ସମୟ ଯାଉଛି। କିଏ ରାନ୍ଧୁଛି କଣ ରାନ୍ଧୁଛି ତାହାର ହିସାବ ରଖିବାକୁ କେହି ନାହିଁ। ସକାଳୁ ମଦର ଆସର ଆରମ୍ଭ ହୋଇ ଅପରାହ୍ନ ଯାଏ ଚାଲିଛି। ଖାଇବାକୁ ଡାକିଲେ ବି ଖାଇବା ଅବସ୍ଥାରେ କେହି ନାହିଁ। ପୁଣି ଗୋଟିଏ ଗୋଟିଏ ଛୋଟ ଛୋଟ ଜାଗାରେ ପିକନିକ୍ ପାଇଁ ଏକାଧିକ ପାର୍ଟି ପହଁଚି ଯାଉଥିବାରୁ ଏହା ଲୋକଙ୍କ ଯିବା ଆସିବା, ଖାଇବା ବସିବା ଆଦି ପାଇଁ ସମସ୍ୟା ସୃଷ୍ଟି ହେଉଛି। ଅନେକ ଯାଗାରେ ଉଚ୍ଚ ସ୍ୱରରେ ସଂଗୀତ ଲଗାଇ ନାଚଗୀତ କରିବା ମଜାରେ ମଜାରେ ଆରମ୍ଭ ହେଉଛି ସତ କିନ୍ତୁ କଥା ଅଶ୍ଳୀଳ କମେଂଟ ମରାଯାଏ ଯାଉଛି। ଗାଳିଗୁଲଜ ଖାଦ୍ୟ ଫିଙ୍ଗାଫିଙ୍ଗିରେ ସମୟ ଏବଂ ଅର୍ଥ ନଷ୍ଟ ହେଉଛି। କେଉଁଠି କେଉଁଠି ମାମଲା ଥାନା ଯାଏ ଯାଉଛି ଏବଂ ପିକନିକ୍ ପାର୍ଟି ଭୋକରେ ଘରକୁ ଫେରୁଛନ୍ତି।
ପିକନିକରୁ ଫେରୁଥିବା ଦଳର ଡ୍ରାଇଭର ମଦ୍ୟପାନ କରି ଗାଡ଼ି ଚଲାଇ ନିଜର ଜୀବନ ହରାଇବା ସହ ପିକନିକ୍ ପାର୍ଟିମାନଙ୍କର ଜୀବନକୁ ମଧ୍ୟ ବିପଦକୁ ଠେଲି ଦେଉଛି। ଘରୁ ସଜବାଜ ହୋଇ ପିକନିକ୍ ପାଳନ କରିବାକୁ ଯାଇଥିବା ଭେଣ୍ଡିଆମାନେ ଶବ ହୋଇ ଫେରୁଛନ୍ତି। ଏପରି ସ୍ଥିତିରେ ପିକନିକକୁ ନେଇ କଥା ଉଠିଲା ମାତ୍ରେ ବଢ଼ିଲା ପୁଅଝିଅର ପିତାମାତାଙ୍କର ଛାତିରେ ଛନକା ପଶୁଛି। କେତେବେଳେ ପହଁରା ଜାଣିନଥିବାରୁ ଲୋକ ନିଶାରେ ହେଉ ବା ମଜାରେ ହେଉ ସମୁଦ୍ରକୁ ଡେଇଁ ପ୍ରାଣ ହରାଉଛି ତ ଆଉ କେତେବେଳେ ସେଲ୍ଫି ନେବା ଚକ୍କରରେ ଝିଅ ପିଲାଟିଏ ପାହାଡ଼ ଧାରରୁ ଖସି ପଡୁଛି। ଏହି ସବୁ କାରଣରୁ ଆମ ପିକନିକ୍ ସବୁ ବିପଦ ସଂକୁଳ ହେବା ସହ ଅନେକ ସମୟରେ ଆମର ପ୍ରାଣହାନୀର କାରଣ ହେଉଛି।
ତେବେ ସାମାନ୍ୟ ଲୋକମାନଙ୍କ ମଧ୍ୟରେ ସାମାନ୍ୟ ସଚେତନତା ସୃଷ୍ଟି କଲେ ପିକନିକକୁ ବେଶ୍ ଆମୋଦଦାୟକ କରିହେବ। ଯେମିତି ପିକନିକ୍ ପାର୍ଟିରେ ମଦ୍ୟପାନକୁ ନିଷେଧ କରିବା। ବିପଦଜ୍ଜନକ ସ୍ଥାନରେ ସେଲଫି ନନେବା, ପହଁରା ଆଦି ଜାଣିନଥିବା ଲୋକ ପାଣିରେ ଗାଧୋଇଲାବେଳେ ସତର୍କତା ଅବଲମ୍ବନ କରିବା, ପରିବେଶକୁ କ୍ଷତି ନପହଁଚାଇବା, ସ୍ଥାନୀୟ ପଶୁପକ୍ଷୀଙ୍କ ପ୍ରତି ଅମାନୁଷିକ ବ୍ୟବହାର ନ ଦେଖାଇବା ସହ ସ୍ଥାନୀୟ ସଂସ୍କୃତି ଏବଂ ପରମ୍ପରାକୁ ସମ୍ମାନ ଦେବା କାମ ଆଦି ଆମେ ସହଜରେ କରିପାରିବା। ଏହା ବାଦ୍ ପିକନିକ୍ ଦଳରେ ଥିବା ବଡ଼ ମଣିଷମାନେ ଛୋଟ ପିଲାଙ୍କ ଗତିବିଧି ଉପରେ ଲକ୍ଷ୍ୟ ରଖିବା ସହ ସେମାନଙ୍କ ପାଇଁ ସୁରକ୍ଷିତ ଭାବେ ଖେଳିବା ପାଇଁ ସୁଯୋଗ ସୃଷ୍ଟି କରିବା ଆବଶ୍ୟକ। ପିକନିକ୍ ସରିଲା ପରେ ନିଜ ନିଜର ସ୍ଥାନକୁ ସଫା କରିବା ଏବଂ ସହଯାତ୍ରୀ ମହିଳା ଓ ଝିଅମାନଙ୍କ ପ୍ରତି ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ପ୍ରଦର୍ଶନ କରିବା ଦ୍ୱାରା ଆପଣ ପିକନିକ୍ ପରିସରରେ ହାଲକା ଫୁଲକା ପରିବେଶ ସୃଷ୍ଟି କରିପାରିବେ। ପୁଣି ଉଚ୍ଚ ସ୍ୱରରେ ମାଇକ କିମ୍ବା ଲାଉଡ ସ୍ପିକର ନବଜାଇ ନିଜ ନିଜ ଦଳର ସଦସ୍ୟମାନଙ୍କୁ ଗୀତ ଗାଇବା ପାଇଁ ଉତ୍ସାହିତ କରିପାରିବେ। ଥରେ କରିକି ଦେଖନ୍ତୁ ତ।
ଆମେ ସମସ୍ତେ ଯଦି ଦାୟିତ୍ୱବାନ ହେବା ପିକନିକ୍ ବେଶ୍ ଶୃଙ୍ଖଳିତ ହେବା ସହ ଏହାର ପରିଚାଳନା ବେଶ ସହଜ ହୋଇ ପାରିବ। ଏସବୁ ଆମ ହାତରେ ଅଛି। ଆମେ ପିକନିକକୁ ବିପଦସଂକୁଳ କରି ରଖିବା ନା ଏହାକୁ ଉପଭୋଗ୍ୟ କରିବା ଏହି ନିଷ୍ପତି ଆମର ନୁହେଁ କି?
ଧବଳଗିରି, ଯାଜପୁର ରୋଡ
ଫୋ-୭୯୭୮୬୭୧୭୭୬