ମୟୂରଭଞ୍ଜର ଦୟନୀୟ ସ୍ଥିତି

ରବି ଦାସ ରାଜ୍ୟରେ ମୟୂରଭଞ୍ଜ ଜିଲ୍ଲା ହେଉଛି ଆକାର ଓ ଜନସଂଖ୍ୟା ଦୃଷ୍ଟିରୁ ସବୁଠୁ ବଡ଼ ଆଦିବାସୀ ଜିଲ୍ଲା। ଏହି ଜିଲ୍ଲାର ଜଣେ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ଓ ମହାମହିମ ହେବାର ଗୌରବ ଅର୍ଜନ କରିଛନ୍ତି। ତଥାପି ସବୁଦୃଷ୍ଟିରୁ ଦେଖିଲେ ଏହି ଜିଲ୍ଲାରେ ଆଦିବାସୀମାନଙ୍କ ଅବସ୍ଥା ପ୍ରକୃତରେ ସବୁଠୁ ଖରାପ ସ୍ଥିତିରେ ରହିଛି। ବିଶେଷ ଭାବରେ ଝାଡ଼ଖଣ୍ଡକୁ ଲାଗି ରହିଥିବା ଦୂରନ୍ତ ବ୍ଲକଗୁଡ଼ିକରେ ଲୋକମାନଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ। ଏମାନେ ସରକାରୀ ଭାବରେ […]

jungle

Debendra Prusty
  • Published: Tuesday, 30 August 2022
  • , Updated: 30 August 2022, 05:18 PM IST
  • ରବି ଦାସ

ରାଜ୍ୟରେ ମୟୂରଭଞ୍ଜ ଜିଲ୍ଲା ହେଉଛି ଆକାର ଓ ଜନସଂଖ୍ୟା ଦୃଷ୍ଟିରୁ ସବୁଠୁ ବଡ଼ ଆଦିବାସୀ ଜିଲ୍ଲା। ଏହି ଜିଲ୍ଲାର ଜଣେ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ଓ ମହାମହିମ ହେବାର ଗୌରବ ଅର୍ଜନ କରିଛନ୍ତି। ତଥାପି ସବୁଦୃଷ୍ଟିରୁ ଦେଖିଲେ ଏହି ଜିଲ୍ଲାରେ ଆଦିବାସୀମାନଙ୍କ ଅବସ୍ଥା ପ୍ରକୃତରେ ସବୁଠୁ ଖରାପ ସ୍ଥିତିରେ ରହିଛି। ବିଶେଷ ଭାବରେ ଝାଡ଼ଖଣ୍ଡକୁ ଲାଗି ରହିଥିବା ଦୂରନ୍ତ ବ୍ଲକଗୁଡ଼ିକରେ ଲୋକମାନଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ। ଏମାନେ ସରକାରୀ ଭାବରେ ପ୍ରଦାନ କରାଯାଉଥିବା ସମସ୍ତ ସୁବିଧା ସୁଯୋଗରୁ ବଂଚିତ। କାମଧନ୍ଦା ପାଇଁ ଅଧିକାଂଶଙ୍କ ନିକଟରେ କୌଣସି ବ୍ୟବସ୍ଥା ନାହିଁ। ଫଳରେ ସେହି ସବୁ ଅଂଚଳରେ ଲୋକମାନେ ଜଙ୍ଗଲରୁ ଜାଳେଣି କାଠ ସଂଗ୍ରହ କରି ତାହାକୁ ବଜାରରେ ବିକ୍ରି କିଛି ଅର୍ଥ ରୋଜଗାର କରନ୍ତି। ସେଠାରେ କାମରେ ନିୟୋଜିତ କରାଯାଉଥିବା ଆଦିବାସୀ ମହିଳା ଓ ପୁରୁଷମାନଙ୍କୁ ଦୈନିକ ମଜୁରୀ ଅନେକ ସ୍ଥାନରେ ଶହେ ଟଙ୍କା ଭିତରେ ରହିଛି। ବୁଢ଼ାବୁଢ଼ୀ ହୋଇଯାଉଥିବା ଆଦିବାସୀମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ ମିଳିପାରୁନାହିଁ। ଅନେକ ଜାଣିନାହାନ୍ତି ଯେ, ସେମାନଙ୍କର ବୟସ କେତେ? ଏହିସବୁ ସରକାରୀ ସୁବିଧା ପାଇବା ପାଇଁ କ’ଣ କରାଯିବ ତାହା ମଧ୍ୟ କେତେକ ସ୍ଥାନରେ ଲୋକଙ୍କୁ ଜଣାନାହିଁ।

ଶାସନ କ୍ଷମତାରେ ଥିବା ବିଜେଡି ଗର୍ବ କରୁଛି ଯେ, ଗତ ପଂଚାୟତ ନିର୍ବାଚନରେ ଓ ଗତ ସାଧାରଣ ନିର୍ବାଚନ ସମୟରେ ବିଜେପି ଏହି ଜିଲ୍ଲାରୁ ଯେଉଁ ସଫଳତା ପାଇଥିଲା ତାହା ଚଳିତ ବର୍ଷ ପଂଚାୟତ ନିର୍ବାଚନରେ ଓଲଟା ହୋଇଯାଇଛି। ଅର୍ଥାତ୍ ଏହି ଜିଲ୍ଲାରେ ପଂଚାୟତ ନିର୍ବାଚନରେ ଶାସକ ବିଜେଡି ସଂପୂର୍ଣ୍ଣ ପ୍ରାଧାନ୍ୟ ହାସଲ କରି ନିର୍ବାଚିତ ହୋଇଛି। କିନ୍ତୁ ଏହା ସତ୍ତ୍ୱେ ଏହାର ଜନସାଧାରଣ ସମସ୍ତ ସରକାରୀ ସୁବିଧାରୁ କାହିଁକି ବଂଚିତ ହେଉଛନ୍ତି? ଏହି ଜିଲ୍ଲାରେ ଲୋକମାନଙ୍କର କର୍ମସଂସ୍ଥାନ ପାଇଁ କାହିଁକି କାର୍ଯ୍ୟକ୍ରମ ନିଆଯାଉନାହିଁ? ସ୍ୱାଧୀନତା ପୂର୍ବରୁ ମୟୂରଭଂଜ ଓଡ଼ିଶାର ଗଡ଼ଜାତ ଅଂଚଳ ଭିତରେ ସବୁଠାରୁ ଏକ ଅଗ୍ରଣୀ ଗଡ଼ଜାତ ଭାବରେ ପରିଚିତ ଥିଲା। ସେହି ଜିଲ୍ଲାର ବାଦାମପାହାଡ଼ ଓ ଗୋରୁମହିଷାଣୀ ଲୁହାପଥର ନେଇ ଟାଟା ଇସ୍ପାତ କାରଖାନା ପ୍ରତିଷ୍ଠିତ ହୋଇଥିଲା। ସେହି ଜିଲ୍ଲାରେ ଜଙ୍ଗଲ ସଂପଦ ଓ ବନ୍ୟପ୍ରାଣୀ ଭରପୂର ଥିଲେ। କିନ୍ତୁ ସେହି ଜିଲ୍ଲାରେ ପ୍ରକୃତ ଖଣି କାର୍ଯ୍ୟ ଏକପ୍ରକାର ବନ୍ଦ ହୋଇଯାଇଛି, ଯଦିଓ ଏବେବି ଖଣିଗୁଡ଼ିକର କିଛି କାରବାର ହେଉଛି। କିନ୍ତୁ କେନ୍ଦୁଝର ବା ସୁନ୍ଦରଗଡ଼ ଜିଲ୍ଲା ଭଳି ଏଠାରେ ଖଣି କାର୍ଯ୍ୟ ନାହିଁ। ବିଶେଷ ଭାବରେ ମୟୂରଭଂଜର ପାହାଡ଼ ଅଂଚଳ ବା ରାଇରଙ୍ଗପୁର ଡିଭିଜନରେ ପରିସ୍ଥିତି ଅତ୍ୟନ୍ତ ଦୟନୀୟ। ସାଧାରଣତଃ ରାଜ୍ୟ ସରକାର ଏହି ଅଂଚଳ ପ୍ରତି ସ୍ୱତନ୍ତ୍ର ଦୃଷ୍ଟିଦେଇ ଯେଉଁ କାର୍ଯ୍ୟ କରିବା କଥା ତାହା କରୁନାହାନ୍ତି।

ମୟୂରଭଂଜ ଜିଲ୍ଲା ପ୍ରତି ସରକାରଙ୍କର ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ଚଳିତ ବର୍ଷ ହୋଇଥିବା ବର୍ଷା ସମୟରେ ସ୍ପଷ୍ଟ ହୋଇଯାଇଛି। ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଘୋଷଣା କରିଥିଲେ ଯେ, ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କାଘର ପ୍ରଦାନ କରାଯିବ। ଏଥିପାଇଁ ରାଜକୋଷରୁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଯଦିଓ ହିତାଧିକାରୀଙ୍କୁ ଚିହ୍ନଟ କରିବା ଦାୟିତ୍ୱ ପ୍ରଶାସନର। କିନ୍ତୁ ପ୍ରକାଶିତ ରିପୋର୍ଟ ଅନୁସାରେ ଚଳିତ ବର୍ଷର ଲଗାଣ ବର୍ଷା ସମୟରେ ମାଟିଘର କାନ୍ଥ ଭୁଶୁଡ଼ି ବିଭିନ୍ନ ଅଂଚଳରେ ୫ ଜଣ ଶିଶୁଙ୍କର ମୃତ୍ୟୁ ହେଲା ଓ ହଜାରେରୁ ଅଧିକ ମାଟିଘର ଭୁଶୁଡ଼ିଗଲା। ପ୍ରକାଶିତ ରିପୋର୍ଟ ଅନୁସାରେ, ୨୦୧୪ରୁ ୨୦୧୮ ମଧ୍ୟରେ ଜିଲ୍ଲାରେ ୮୫ ହଜାର ପକ୍କାଘର ବଂଟାଯାଇଛି। ଘର ବଂଟାଯିବା ପୂର୍ବରୁ ଜିଲାରେ ୭ ଲକ୍ଷ ୮୨ ହଜାର ଚାଳଘର ଓ ଝୁମ୍ପୁଡ଼ି ଘର ଥିଲା। ତେଣୁ ୮୫ ହଜାର ଘର ବଂଟାଯିବା ପରେ ମଧ୍ୟ ଜିଲାରେ ୨୦୧୮ ହିସାବ ଅନୁସାରେ ୭ ଲକ୍ଷ ୫୨ ହଜାର ଚାଳଘର ଓ ଝୁମ୍ପୁଡ଼ି ଘର ରହିଥିବା ରେକର୍ଡ ଦର୍ଶାଉଛି। ଅର୍ଥାତ୍ ୩୦ ହଜାର ପକ୍କାଘରର କୌଣସି ହିସାବ ନାହିଁ। ଏଠାରେ ସବୁ ଲୋକଙ୍କୁ କେବେ ପକ୍କାଘର ଦିଆଯିବ ତାହାର ହିସାବ କାହାକୁ  ଜଣାନାହିଁ। ପକ୍କା ଘର ପାଇଁ ଜିଲ୍ଲାରେ ଆବେଦନକାରୀଙ୍କ ସଂଖ୍ୟା ୨ ଲକ୍ଷ ୩୨ ହଜାର ବୋଲି କୁହାଯାଉଛି। କିନ୍ତୁ ଅସଲ କଥା ହେଉଛି ଯେଉଁ ଜିଲ୍ଲାରେ ଆଦିବାସୀମାନଙ୍କୁ ସେମାନଙ୍କର ସର୍ବନିମ୍ନ ପ୍ରାପ୍ୟ ଯଥା ବାର୍ଦ୍ଧକ୍ୟ ଭତ୍ତା ଓ ରେସନ କାର୍ଡ ଉପଲବ୍ଧ ହେଉନାହିଁ ସେଠାରେ ପକ୍କାଘର ପାଇଁ ସେମାନେ କିପରି ଆଶା କରିବେ?

ଏହି ଜିଲ୍ଲାରେ ମନରେଗାରେ ସର୍ବାଧିକ କାମ କରାଯାଇ ଲୋକମାନଙ୍କୁ ଧନ୍ଦା ଯୋଗାଇବା ଦିଗରେ ପଦକ୍ଷେପ ନିଆଯିବା କଥା। କିନ୍ତୁ ପ୍ରଶାସନିକ ଅଧିକାରୀମାନଙ୍କର ସେଥିପ୍ରତି ଦୃଷ୍ଟି ନାହିଁ। ପଛୁଆ ଅଂଚଳଗୁଡ଼ିକରେ ସରକାରୀ ଅଧିକାରୀମାନେ କାମ କରିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଅନେକ ସରକାରୀ ପଦବୀ ଖାଲି ରହୁଛି। ଯେଉଁଠି ସର୍ବନିମ୍ନ ଆବଶ୍ୟକତା ଲୋକଙ୍କୁ ମିଳୁନାହିଁ ସେଠାରେ ସ୍ୱାସ୍ଥ୍ୟସେବା କଥା କିପରି କୁହାଯିବ? ଜିଲ୍ଲାଟି ଅପେକ୍ଷାକୃତ ଭାବରେ ଏକ ବଡ଼ ଜିଲ୍ଲା ହୋଇଥିବାରୁ ଜିଲ୍ଲାପାଳମାନେ ଅଧିକାଂଶ ଅଂଚଳକୁ ଯାଉନାହାନ୍ତି। ଟେକ୍ନୋଲୋଜିର ସୁବିଧା ଏହି ଜିଲ୍ଲାରେ ପହଁଚିପାରୁନାହିଁ। ନିମ୍ନସ୍ତରରେ ଥିବା ସରକାରୀ ଅଧିକାରୀମାନଙ୍କୁ କାର୍ଯ୍ୟ ପାଇଁ ପ୍ରେରଣା ଦିଆଯାଉନାହିଁ। ପଂଚାୟତ ବ୍ୟବସ୍ଥା ଏବେ ସଂପୂର୍ଣ୍ଣ ଭାବରେ ଶାସକ ବିଜେଡି ହାତରେ ଥିଲେ ମଧ୍ୟ କାହିଁକି ରାଜ୍ୟ ସରକାରଙ୍କ ସୁବିଧା ଏହି ଜିଲ୍ଲାର ଆଦିବାସୀମାନେ ପାଉନାହାନ୍ତି ତାହା ଉପରେ ସମୀକ୍ଷା କରାଯାଉନାହିଁ। ଶାସକ ଦଳ ଏପରିକି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଆସନରେ ବସାଇ ଗର୍ବିତ ହେଉଥିବା ବିଜେପି ପ୍ରମୁଖ ବିରୋଧୀ ଦଳ ଭାବରେ ଲୋକମାନଙ୍କ ସମସ୍ୟାକୁ ନେଇ କୌଣସି ବଡ଼ ଧରଣର ଆନ୍ଦୋଳନ କରୁନାହିଁ। ସତେଯେମିତି କେବଳ ଭୋଟ ପାଇବା ପାଇଁ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି।

ଅସହାୟ ଅବସ୍ଥାରେ ଥିବା ଏହି ଜିଲ୍ଲାର ଆଦିବାସୀ ପରିବାରଗୁଡ଼ିକର ଚିହ୍ନଟ କରିବା ସହିତ ସେମାନଙ୍କୁ ସମସ୍ତ ସରକାରୀ ସୁବିଧା ଯଦି ଠିକ୍ ଭାବରେ ଉପଲବ୍ଧ ହୋଇପାରନ୍ତା ତେବେ ପରିସ୍ଥିତି ଭିନ୍ନରୂପ ନିଅନ୍ତା। କିନ୍ତୁ ସରକାରୀ ବ୍ୟବସ୍ଥାରେ ଦୁର୍ନୀତି ଓ ଅନୀତି ଗ୍ରାସ କରୁଥିବାରୁ ନିଜର ଦାବି ଉପସ୍ଥାପିତ କରିପାରୁନଥିବା ହଜାର ହଜାର ଆଦିବାସୀ ଭାଗ୍ୟକୁ ଆଦରି ବଂଚିରହିଛନ୍ତି। ଜଙ୍ଗଲରୁ ଜାଳେଣି କାଠ ସଂଗ୍ରହ କରି ବିକିବା ବା ଜମି ମାଲିକ ବା ବ୍ୟବସାୟୀ କାମଦେଳେ ୧୦୦ ଟଙ୍କାର ମଜୁରୀରେ ସେମାନେ ସନ୍ତୁଷ୍ଟ ହୋଇନଥାନ୍ତି। ଅନେକଙ୍କ ପାଖରେ ପରିସ୍ଥିତି ଏପରି ହୋଇଛି ଯେ, ନିଜ ବିଷୟରେ ସରକାରୀ ଅଧିକାରୀମାନଙ୍କୁ କହିବା ପାଇଁ ଯିବା ନିମନ୍ତେ ବସ୍ ଭଡ଼ା ଦେବାର କ୍ଷମତା ମଧ୍ୟ ସେମାନଙ୍କ ନିକଟରେ ନାହିଁ।

ରାଷ୍ଟ୍ରପତି ମୟୂରଭଂଜ ଜିଲ୍ଲାର ବାସିନ୍ଦା ହୋଇଥିବାରୁ ହୁଏତ ଅନେକ କଥା ସେ ଜାଣନ୍ତି। ସେହିପରି କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସଦସ୍ୟ ହୋଇଥିବା ମୟୂରଭଂଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ବାସ୍ତବତା ବିଷୟରେ ନିଶ୍ଚିତ ଅବଗତ ଅଛନ୍ତି। ସେ ମୟୂରଭଂଜ ଜିଲ୍ଲା ପାଇଁ ଏକ ସ୍ୱତନ୍ତ୍ର ଯୋଜନା ନିମନ୍ତେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେବା ଉଚିତ। ବିଶେଷ ଭାବରେ ବାଦାମପାହାଡ଼ ଓ ଗୋରୁମହିଷାଣୀ ଅଂଚଳରୁ ଯେଉଁ ଅଂଚଳର ଖଣିଜ ସଂପଦ ଉପରେ ଟାଟା କମ୍ପାନୀ ଛିଡ଼ା ହେଲା ସେହି ସଂସ୍ଥା ଏବେବି ଓଡ଼ିଶାରେ ବ୍ୟାପକ ଭାବରେ ଖଣି ଶିଳ୍ପ ଓ ଇସ୍ପାତ ଶିଳ୍ପରେ ରହିଛି। ଏହି ସଂସ୍ଥାର ଏକ ମୌଳିକ ଦାୟିତ୍ୱ ରହିଛି ବାଦାମପାହାଡ଼ ଓ ଗୋରୁମହିଷାଣୀ ଅଂଚଳର ଆଦିବାସୀମାନଙ୍କର ବିକାଶ ପାଇଁ। ସେମାନେ ସିଏସଆର ଫଣ୍ଡରୁ ଏକ ବଡ଼ ଅଂଶ ଏହି ଅଂଚଳରେ ବିନିଯୋଗ କରି ଅତି କଠିନ ଅବସ୍ଥାରେ ଥିବା ଆଦିବାସୀମାନଙ୍କର ବିକାଶ ନିମନ୍ତେ ଯୋଜନା କରିପାରିବେ। ରାଜ୍ୟର ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ କେବଳ ୨୨ ବର୍ଷ ଧରି ରାଜ୍ୟ କ୍ଷମତାରେ ରହିବା ସହିତ ଚଳିତ ବର୍ଷ ଯେପରି ଭାବରେ ମୟୂରଭଂଜ ଜିଲ୍ଲାରେ ପଂଚାୟତ ବ୍ୟବସ୍ଥାକୁ ନିଜ ନିୟନ୍ତ୍ରଣକୁ ନେଇଛି ସେଠାରେ ସେମାନଙ୍କର ଦାୟିତ୍ୱ ହେଉଛି ସବୁପ୍ରକାର ଦୁର୍ଦ୍ଦଷା ଭିତରେ ଥିବା ମୟୂରଭଂଜ ଆଦିବାସୀମାନଙ୍କର ବିକାଶ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା। ଏହି ଜିଲ୍ଲାରେ ସରକାରୀ ବ୍ୟବସ୍ଥାରେ ଯେଉଁଠାରେ ଅଧିକାରୀମାନେ ନାହାନ୍ତି ସେଗୁଡ଼ିକ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେଇ ସବୁ ଆଦିବାସୀ ସରକାରୀ ସୁବିଧା ଯେପରି ନିଶ୍ଚିତ ପାଇବେ ସେଥିପାଇଁ ସମୟସୀମା ଧାର୍ଯ୍ୟ କରିବା ଉଚିତ। ରାଜ୍ୟ ଓ କେନ୍ଦ୍ର ସରକାର ପରସ୍ପର ଉପରେ ଦୋଷ ଲଦି ମୟୂରଭଂଜର ଆଦିବାସୀମାନଙ୍କୁ ଆଉ ଅଧିକ କାଳ ଶୋଷଣ କରିବା ସେମାନଙ୍କ ପାଇଁ ଘୋର ଅନ୍ୟାୟ। ପ୍ରକୃତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ସାରା ଓଡ଼ିଶାରେ ଯେଉଁ ଭାବାବେଗ ସୃଷ୍ଟି ହୋଇଛି ସେଥିରେ ମୟୂରଭଂଜ ଆଦିବାସୀମାନଙ୍କ ପାଇଁ ପ୍ରକୃତ କାର୍ଯ୍ୟ ହୋଇପାରିଲେ ହିଁ ରାଷ୍ଟ୍ରପତିଙ୍କ ପ୍ରତି ରାଜ୍ୟବାସୀଙ୍କ ପ୍ରକୃତ ସମର୍ଥନ ପ୍ରତିପାଦିତ ହେବ।

ବରିଷ୍ଠ ସାମ୍ବାଦିକ

ମୋ- ୮୦୧୮୦୯୪୪୫୫

Related story