Advertisment

ଅପରାଧ ନିୟନ୍ତ୍ରଣରେ ରାଜନୈତିକ ନେତୃତ୍ୱର ପ୍ରମୁଖ ଭୂମିକା

ରାଜ୍ୟରେ ବୃଦ୍ଧି ପାଉଥିବା ମହିଳା ହିଂସା ବା ଦୁଷ୍କର୍ମ ଭଳି ଘଟଣା ରୋକିବା ଦିଗରେ ରାଜନୈତିକ ଦଳମାନଙ୍କର ଏକ ପ୍ରମୁଖ ଭୂମିକା ରହିଛି। କେବଳ ପୋଲିସ୍ ଉପରେ ଛାଡ଼ିଦେଲେ ଏହା ସମ୍ଭବ ନୁହେଁ ବୋଲି ଖୋଦ୍ ପୋଲିସ୍ ମୁଖ୍ୟମାନେ ପ୍ରକାଶ କରିଛନ୍ତି।

author-image
Debendra Prusty
Political Workers Beating BMC Officer

Political Workers Beating BMC Officer

ରବି ଦାସ

ଭାରତରେ ଅପରାଧିକ ମାନସିକତା ବୃଦ୍ଧି ପାଉଥିବା ଯୋଗୁ ମହିଳା ହିଂସା, ଦୁଷ୍କର୍ମ, ମାରପିଟ, ଓ ହତ୍ୟା ଘଟଣା ବଢୁଛି। ଭାରତରେ ଏହି ପ୍ରକ୍ରିୟାକୁ ଦେଖି ଆମେରିକା ସହିତ ଭଲ ସମ୍ପର୍କ ଥିଲେ ମଧ୍ୟ ସେହି ଦେଶର ରାଷ୍ଟ୍ରପତି ପର୍ଯ୍ୟଟନ ନିମନ୍ତେ ନାଗରିକମାନଙ୍କୁ ଏକ ପରାମର୍ଶ ଦେଇ ଭାରତକୁ ପର୍ଯ୍ୟଟନ କରିବାରେ ସତର୍କତା ପାଇଁ ପରାମର୍ଶ ଦେଇଛନ୍ତି। ଭାରତରେ ଦୁଷ୍କର୍ମ ମାମଲା ବୃଦ୍ଧି ପାଉଥିବା ଦେଖି କୌଣସି ମହିଳା ଏକାକୀ ଭାରତ ପର୍ଯ୍ୟଟନ ନକରିବା ପାଇଁ ବି ପରାମର୍ଶ ଦିଆଯାଇଛି। ଭାରତର କେତେକ ରାଜ୍ୟକୁ ଗସ୍ତ କରିବା ଉପରେ ପ୍ରତିବନ୍ଧକ ଭଳି ଏକ ପରାମର୍ଶ ମଧ୍ୟ ପ୍ରଦାନ କରାଯାଇଛି। ଏଥିରେ ଭାରତର ଲୋକମାନେ ଉତ୍‌କ୍ଷିପ୍ତ ହେବା ସ୍ୱାଭାବିକ। କିନ୍ତୁ ଏହା କେହି ଅସ୍ୱୀକାର କରିପାରିବେ ନାହିଁ ଯେ, ଦେଶରେ ନାରୀମାନଙ୍କ ବିରୋଧରେ ହିଂସା ଓ ବିଶେଷ ଭାବରେ ଦୁଷ୍କର୍ମ ମାମଲା ଯେପରି ବଢୁଛି, ସେଥିରେ ଯେକୌଣସି ଭାରତୀୟ ମଧ୍ୟ ଲଜ୍ଜିତ ହେବେ।

Advertisment

ଆଇନ ଶୃଙ୍ଖଳା ଏକ ରାଜ୍ୟ ବିଷୟ ହୋଇଥିବାରୁ ଯେତେବେଳେ ଯେଉଁଠି ଏପରି କାଣ୍ଡ ଘଟୁଛି ସେଠାରେ ଥିବା ବିରୋଧୀ ଦଳମାନେ ସଂପୃକ୍ତ ରାଜ୍ୟ ସରକାରଙ୍କୁ ଏଥିପାଇଁ ଦାୟୀ କରି ସରକାରର ଇସ୍ତଫା ଦାବି କରୁଛନ୍ତି। ସେହିପରି ଯେଉଁଠାରେ ରାଜନୈତିକ ମାରପିଟ ଅଧିକ ହେଉଛି ସେଠାରେ ସଂପୃକ୍ତ ରାଜ୍ୟର ବିରୋଧୀମାନେ ରାଜ୍ୟ କ୍ଷମତାରେ ଥିବା ଦଳ ଉପରେ ଆକ୍ରମଣ କରୁଛନ୍ତି। ଏହା ଯଥାର୍ଥ ରାଜନୈତିକ ଦାବି ହେଲେ ମଧ୍ୟ ଯଦି ଦେଖାଯାଏ ତେବେ ଭାରତବର୍ଷର ବିଭିନ୍ନ ରାଜ୍ୟରେ ଏହି କାଣ୍ଡ ଘଟୁଛି ଓ ସେହିସବୁ ରାଜ୍ୟରେ ବିଭିନ୍ନ ଦଳର ସରକାର ରହିଛି। ଏଥିପାଇଁ ସିଧାସଳଖ ପୋଲିସ୍ ଓ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ତ ନିଶ୍ଚିନ୍ତ ଦାୟୀ କରାଯିବ। ହେଲେ ପୋଲିସ୍ ଅନେକ ସ୍ଥାନରେ ଏହାକୁ ନିୟନ୍ତ୍ରଣ କରିନପାରିବାର ମୁଖ୍ୟ କାରଣ ହେଉଛି ଯେ, ରାଜନୈତିକ ଦଳମାନେ ଏହି ଅପରାଧିକ ମାନସିକତାର ଲୋକମାନଙ୍କୁ ସମ୍ପୂର୍ଣ୍ଣ ରାଜନୈତିକ କାରଣରୁ ପ୍ରଶ୍ରୟ ଦେଇ ଆସୁଛନ୍ତି।

ନିକଟରେ ମଧ୍ୟପ୍ରଦେଶ ପୋଲିସ୍ ମହାନିର୍ଦ୍ଦେଶକ ଯେପରି ଭାବରେ କହିଛନ୍ତି ଯେ, ପୋଲିସ୍ ଏହା ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ। ଏହି ମାନସିକତା ବୃଦ୍ଧି ପାଇଁ ସୋସିଆଲ୍ ମିଡ଼ିଆ, ଟେଲିଫୋନ୍ ଜରିଆରେ ଅଶ୍ଳୀଳ ଚିତ୍ର ସବୁ ପ୍ରଦର୍ଶିତ ହେବା, ପରିବାରର ନିୟନ୍ତ୍ରଣ ହ୍ରାସ ପାଇବା ଓ ସର୍ବୋପରି ମଦ୍ୟପାନ ବଢ଼ିଯିବା ଏହି ଅପରାଧିକ ମାନସିକତାକୁ ସାହାଯ୍ୟ କରୁଛି। ଏହି ମନ୍ତ୍ରବ୍ୟକୁ ହାଲ୍‌କା ଭାବରେ ବି ନିଆଯାଇ ପାରିବନାହିଁ। କିନ୍ତୁ ଏହି ଅବସ୍ଥାର ପରିବର୍ତନରେ ଯେଉଁମାନେ ମୁଖ୍ୟ ବାହକ ହେବାକଥା ସେଥିରେ ବିଶ୍ୱବିଦ୍ୟାଳୟ, କଲେଜ ସହିତ ରାଜନୈତିକ ଦଳମାନଙ୍କର ଏକ ଗୁରୁଦାୟିତ୍ୱ ରହିଛି। ଯଦିଓ ବର୍ତମାନର ବ୍ୟବସ୍ଥାରେ ନିର୍ବାଚନରେ ଲଢୁଥିବା ପ୍ରାର୍ଥୀମାନଙ୍କର ଅପରାଧିକ ରେକର୍ଡ ପ୍ରାର୍ଥୀପତ୍ର ଦାଖଲ ସମୟରେ ସତ୍ୟପାଠ ଜରିଆରେ ଦିଆଯାଉଛି ତଥାପି ସେଗୁଡ଼ିକ ନିର୍ବାଚନରେ ପ୍ରମୁଖ ବିଷୟ ହେଉନାହିଁ।

Advertisment

ଏହାଠାରୁ ଅଧିକ ସାଂଘାତିକ ହେଉଛି ରାଜନୈତିକ ଦଳମାନଙ୍କ ସହିତ ସଂପୃକ୍ତ ଯୁବ ଓ ଛାତ୍ର ନେତାମାନେ ଯେତେବେଳେ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି ସେଥିରେ ସେମାନଙ୍କୁ ଦଳରୁ ବାରଣ କରାଯିବା ପରିବର୍ତେ ନେତୃମଣ୍ଡଳୀରେ ତାହାକୁ ଉତ୍ସାହିତ କରାଯାଉଛି। ସେହି କାରଣରୁ ଏହି ଅପରାଧିକ ମାନସିକ ଥିବା ଯୁବ ଓ ଛାତ୍ରମାନଙ୍କ ସଂଖ୍ୟା ବଢୁଛି। ଏହି ଯୁବ ଓ ଛାତ୍ର ନେତାମାନଙ୍କ ସହିତ ଯେଉଁମାନେ କାମ କରୁଛନ୍ତି ସେମାନେ ଧରିନେଇଛନ୍ତି ଯେ, କିଛି ଅସୁବିଧା ହେଲେ ସଂପୃକ୍ତ ରାଜନୈତିକ ଦଳ ସହିତ ଥିବା ଯୁବ ଓ ଛାତ୍ରନେତା ସେମାନଙ୍କର ସହାୟତା କରିବେ। ସେହି ସାହାସ ନେଇ ଅପରାଧିକ ମାନସିକତା ଥିବା ଗୋଷ୍ଠି ବଢ଼ିବାରେ ଲାଗିଛନ୍ତି।

ଏକ ଉଦାହରଣ ଦେଖାଯାଉ, ଗତ କିଛିଦିନ ତଳେ କଲିକତାର ଏକ ଆଇନ କଲେଜରେ ଜଣେ ଛାତ୍ରୀଙ୍କୁ ଜବରଦସ୍ତି ଗଣଧର୍ଷଣ କରାଯାଇଥିଲା। ପଶ୍ଚିମବଙ୍ଗ ପୋଲିସ୍ ଏହି ଘଟଣାରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରିଛି। କିନ୍ତୁ ଏହାର ଯିଏ ମୁଖ୍ୟ ଅଭିଯୁକ୍ତ ତାଙ୍କ ବିଷୟରେ ଅନୁଧ୍ୟାନ କଲେ ଗୋଟିଏ କଥା ସ୍ପଷ୍ଟ ଯେ, ସେ ଜଣେ ଚିରାଚରିତ ଅପରାଧିକ ମାନସିକତାର ବ୍ୟକ୍ତି। ସେହି ଅଭିଯୁକ୍ତଙ୍କ ନାମ ହେଉଛି ମନୋଜିତ୍ ମିଶ୍ର। ସେହି ବ୍ୟକ୍ତିଜଣକ କଲେଜର ପୁରୁଣା ଛାତ୍ର। କିନ୍ତୁ ତାଙ୍କର ଶାସନ କ୍ଷମତାରେ ଥିବା ତୃଣମୂଳ କଂଗ୍ରେସର ନେତାମାନଙ୍କ ସହିତ ଘନିଷ୍ଠ ସମ୍ପର୍କ ରହିଛି। ସେମାନଙ୍କ ସହିତ ଫଟୋ ଉଠାଇ ସେ ସାଧାରଣରେ ନିଜର କର୍ତ୍ତୃତ୍ୱ ଜାହିର କରନ୍ତି। ସଂପୃକ୍ତ ବ୍ୟକ୍ତିଙ୍କର ବୟସ ୩୧ ବର୍ଷ। ସେ କଲେଜରେ ୨୦୧୨ ମସିହାରେ ତୃଣମୂଳ କଂଗ୍ରେସର ଜଣେ ନେତାଙ୍କର ସୁପାରିଶ କ୍ରମେ ନାମ ଲେଖାଇଥିଲେ। କିନ୍ତୁ ତାଙ୍କର ବ୍ୟବହାର ଅତ୍ୟନ୍ତ ଖରାପ ହେବାରୁ କଲେଜରୁ ୨୦୧୫ରେ ତାଙ୍କୁ ରଷ୍ଟିକେଟ୍ କରିଦିଆଯାଇଥିଲା। କିନ୍ତୁ ୨୦୧୭ ମସିହାରେ ସେ କ୍ଷମା ପ୍ରାର୍ଥନା କରି କଲେଜରେ ଦ୍ୱିତୀୟଥର ନାମ ଲେଖାଇଥିଲେ। ୨୦୨୨ ମସିହାରେ ସେ ଆଇନ ପାସ୍ କରି କଲେଜରୁ ବିଦାୟ ନେଇଥିଲେ। କିନ୍ତୁ ସେ ବରାବର କଲେଜକୁ ଆସୁଥିଲେ ଓ କଲେଜର ସମସ୍ତ କାମରେ ତୃଣମୂଳ କଂଗ୍ରେସର ନାମ ନେଇ ହସ୍ତକ୍ଷେପ କରୁଥିଲେ।

ଏବେ ପୋଲିସ୍ ସୂତ୍ରରୁ ଜଣାପଡୁଛି ଯେ, ମହିଳାମାନଙ୍କ ପ୍ରତି ଅସଦାଚରଣ କରିବା, ମାଡ଼ ମାରିବା ଓ ଚୋରି କରିବା ଘଟଣାରେ ତାଙ୍କ ନାମରେ ବହୁଗୁଡ଼ିଏ ମାମଲା ଅଛି। ଏପରିକି ୨୦୧୯ ରେ ଜଣେ ମହିଳାଙ୍କର କଲେଜ ଭିତରେ ଲୁଗା ଚିରି ଦେଇଥିବାରୁ ତାଙ୍କ ବିରୋଧରେ ଏକ ମାମଲା ମଧ୍ୟ ହୋଇଥିଲା। କଲେଜ ଭିତରୁ ସୁନା ଚେନ୍ ଚୋରି କରିବା ଓ ବିଭିନ୍ନ ଜିନିଷ ଛଡ଼େଇ ନେବାର ଅଭିଯୋଗ ମଧ୍ୟ ପୋଲିସ୍ ପାଖରେ ହୋଇଥିଲା। ୨୦୨୨ ମସିହାରେ କଲେଜ ଭିତରେ ଜଣେ ମହିଳାଙ୍କ ପ୍ରତି ଅସଦାଚରଣ କରିବା ଅଭିଯୋଗରେ ତାଙ୍କ ବିରୋଧରେ ଏକ ଚାର୍ଜିସିଟ୍ ମଧ୍ୟ ହୋଇଥିଲା। କଲେଜର ଜଣେ ଗାର୍ଡଙ୍କୁ ମାଡ଼ ମାରିବା ଓ କଲେଜ ସଂପତି ନଷ୍ଟ କରିବା ଅଭିଯୋଗରେ କଲେଜ କର୍ତ୍ତୃପକ୍ଷ ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ସେହି ବ୍ୟକ୍ତିଙ୍କର ବଡ଼ ଯୋଗ୍ୟତା ହେଲା ଯେ, ତୃଣମୂଳ କଂଗ୍ରେସ ଛାତ୍ର ପରିଷଦର କଲେଜ ଶାଖାର ସେ ସଭାପତି ଥିଲେ। ସେହି ତାକତ୍ ବଳରେ ସେ ବରାବର କଲେଜକୁ ଆସୁଥିଲେ ଓ କଲେଜ ଛାତ୍ର ୟୁନିୟନ୍‌ର କାର୍ଯ୍ୟକଳାପ ବୁଝୁଥିଲେ।

ଏହି ସମସ୍ତ ଅଭିଯୋଗ ସତ୍ୱେ ସଂପୃକ୍ତ ବ୍ୟକ୍ତିଙ୍କୁ ଜଣେ କାଜୁଆଲ୍ ଷ୍ଟାଫ୍‌ ଭାବରେ ଗତ ସେପ୍ଟେମ୍ବର ମାସରେ କଲେଜ ଗ୍ରହଣ କରିଥିଲା ଓ ସେହି ବ୍ୟକ୍ତି ହିଁ ୨ ଜଣ ସାଙ୍ଗଙ୍କ ଉପସ୍ଥିତିରେ କଲେଜ କ୍ୟାମ୍ପସ୍‌ରେ ଗଣଧର୍ଷଣ କରିବାକୁ ସାହସ କଲେ। ଯେଉଁ ରାଜନୈତିକ ଦଳ ରାଜ୍ୟ କ୍ଷମତାରେ ଅଛି ସେହି ଦଳର ନେତୃତ୍ୱ ପାଖରେ ଏହାର ଅପରାଧିକ କାର୍ଯ୍ୟକଳାପ ଭିତରେ ତଥ୍ୟ ଆଦୌ ନଥିଲା ବୋଲି କିଏ ବିଶ୍ୱାସ କରିବ? କଲେଜ ଗଭର୍ଣ୍ଣିଙ୍ଗ ବଡ଼ିର ଅଧ୍ୟକ୍ଷ ଭାବରେ ସ୍ଥାନୀୟ ତୃଣମୂଳ କଂଗ୍ରେସ ବିଧାୟକ ରହିଥିବାରୁ ତାଙ୍କରି ସୁପାରିଶ କ୍ରମେ ତାଙ୍କୁ କାଜୁଆଲ୍ କର୍ମଚାରୀ ଭାବରେ କଲେଜ ନିଯୁକ୍ତି ଦେଇଥିଲା। ସେଥିପାଇଁ ତାଙ୍କର ଅପରାଧିକ ରେକର୍ଡ ସ୍ପଷ୍ଟ ହେଲା ପରେ ଓ ସେ ଗିରଫ ହେଲା ପରେ ମଧ୍ୟ ତୃଣମୂଳ କଂଗ୍ରେସର ଅତି ବରିଷ୍ଠ ସାଂସଦ କଲ୍ୟାଣ ବାନାର୍ଜୀ ଓ ବରିଷ୍ଠ ବିଧାୟକ ମଦନ ମିତ୍ର ସଂପୃକ୍ତ ଅଭିଯୁକ୍ତଙ୍କୁ ସହାୟତା କଲା ଭଳି ସଂପୃକ୍ତ ମହିଳା କାହିଁକି ଏହି ବ୍ୟକ୍ତିର ଡାକରାରେ କଲେଜକୁ ଯାଇଥିଲେ ବୋଲି ପ୍ରଶ୍ନ କରିଛନ୍ତି। ଯଦିଓ ମହୁଆ ମୈତ୍ର ଓ ଖୋଦ୍ ମୁଖ୍ୟମନ୍ତ୍ରୀ ଏହି ନେତାମାନଙ୍କ ମନ୍ତବ୍ୟରେ କ୍ଷୋଭ ପ୍ରକାଶ କରି ମଦନ ମିତ୍ରକୁ ଏକ କଇଫତ୍ ତଲବ କରିଛନ୍ତି।

ଅଭିଯୁକ୍ତମାନେ ଜେଲ୍‌ରେ ଅଛନ୍ତି ଓ ସେମାନଙ୍କ ବିରୋଧରେ ପୋଲିସ୍ କାର୍ଯ୍ୟାନୁଷ୍ଠାନ କରିବ ବୋଲି ବିଶ୍ୱାସ ଅଛି। କିନ୍ତୁ ଏହି ଘଟଣା ସୂଚାଇ ଦେଉଛି ଯେ, ରାଜନୈତିକ ଦଳମାନେ ଅପରାଧିକ ରେକର୍ଡ ଥିବା ବ୍ୟକ୍ତିମାନଙ୍କୁ କାହିଁକି ଓ କେଉଁ କାରଣରୁ ବାରମ୍ବାର ପ୍ରଶ୍ରୟ ଦେଉଛନ୍ତି, ତାହା ବୁଝିବାକୁ ପଡ଼ିବ। ନିୟମ ହେଉଛି, ପ୍ରତ୍ୟେକ ଥାନା ତାହା ଅଂଚଳରେ ଯେଉଁ ଅପରାଧିକ ରେକର୍ଡର ଯୁବକ ବା ଯୁବତୀମାନେ ଥାଆନ୍ତି ସେମାନଙ୍କର ସ୍ୱତନ୍ତ୍ର ଫାଇଲ୍ ପ୍ରସ୍ତୁତ କରନ୍ତି। ତେଣୁ ମନୋଜିତ୍ ମିଶ୍ରଙ୍କ ବିଷୟରେ ବ୍ୟାପକ ଅପରାଧିକ ରେକର୍ଡ ନିଶ୍ଚିତ ପୋଲିସ୍ ଭଲଭାବରେ ଜାଣିଥିଲେ। କିନ୍ତୁ ଦେଶରେ କୌଣସି ବ୍ୟବସ୍ଥା ନାହିଁ ଯେଉଁଠାରେ ପୋଲିସ୍ ଅଧିକାରୀ ରାଜନୈତିକ ବ୍ୟବସ୍ଥା ସହିତ ଥିବା କର୍ମୀ ବା ନେତାମାନଙ୍କ ସଂକ୍ରାନ୍ତରେ ସେମାନଙ୍କ ରେକର୍ଡ ବିଷୟରେ ସଂପୃକ୍ତ ଦଳର ନେତାଙ୍କୁ ଅବଗତ କରାଇବେ। ଏପରି ଏକ ବ୍ୟବସ୍ଥା ହେବା ନିହାତି ଜରୁରୀ।

ଏହିପରି ଏକ ଉଦାହରଣ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଘଟିଛଇ। ବିଏମସି ଅଫିସ୍ ଭିତରେ କେତେକ ରାଜନୈତିକ ସଂପୃକ୍ତି ଥିବା ବ୍ୟକ୍ତି ପ୍ରବେଶ କରି ଅତିରିକ୍ତ କମିସନର୍ ଯିଏକି ଜଣେ ଅତିରିକ୍ତ ସଚିବ ପାହ୍ୟାର ଅଫିସର୍ ତାଙ୍କୁ ସିଧାସଳଖ କଲର୍ ଧରି ମାଡ଼ ମାରିବା ସହିତ ବାହାରକୁ ଟାଣି ଆଣି ବିଧା ଗୋଇଠା ମାରିଥିଲେ। ଏ ଘଟଣା ଭିଡ଼ିଓ ଜରିଆରେ ସମସ୍ତ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା ଓ ଆକ୍ରମଣର ଶିକାର ହୋଇଥିବା ଅତିରିକ୍ତ କମିସନର୍ ଲିଖିତ ଭାବରେ ଥାନାରେ ଏହା ଉପରେ ଏତଲା ଦେଇଥିଲେ। ପୋଲିସ୍ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି। କିନ୍ତୁ ଏହି ଘଟଣା ଏତେ ନିନ୍ଦନୀୟ ଥିଲା ଯେ, ଏହା ଉପରେ ସେମାନେ ସଂପୃକ୍ତ ଥିବା ବିଜେପି ଦଳ କାର୍ଯ୍ୟାନୁଷ୍ଠାନ କରିବା ଆବଶ୍ୟକ ବୋଲି କୁହାଗଲା। ଏପରିକି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏହି ଘଟଣାକୁ ନିନ୍ଦା କରିବା ସହିତ ସେହି ବ୍ୟକ୍ତିମାନଙ୍କୁ ତୁରନ୍ତ ବିଜେପି ଦଳରୁ ବହିଷ୍କାର କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ମୁଖ୍ୟମନ୍ତ୍ରୀ ସିଧାସଳଖ ଭାବରେ ଅଭିଯୁକ୍ତଙ୍କ ଉପରେ ଦୃଢ଼ ପୋଲିସ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବାରେ ବିଳମ୍ବ କରିନଥିଲେ। କିନ୍ତୁ ତାହା ଠାରୁ ବଡ଼କଥା ହେଉଛି ଯେ, ବିଜେପିର ରାଜ୍ୟ ସଭାପତି ଭିଡ଼ିଓ ଫଟୋଗୁଡ଼ିକୁ ତର୍ଜମା କରି ୫ ଜଣଙ୍କୁ ଦଳରୁ ସସ୍‌ପେଣ୍ଡ୍ କରିଛନ୍ତି।

ବିଜେପି ସଭାପତିଙ୍କର ଏହି ପଦକ୍ଷେପ ସାରା ରାଜ୍ୟରେ ବିଜେପି କର୍ମୀମାନଙ୍କୁ ଏକ ଠିକଣା ସଂକେତ ପ୍ରଦାନ କରିବ। ଯେକୌଣସି ଲୋକ ଦଳର ନେତା ବା କର୍ମୀ ହୋଇଥିଲେ ମଧ୍ୟ ସେମାନେ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହିଲେ ଦଳ ତାହାକୁ ପ୍ରଶୟ ଦେବନାହିଁ ବୋଲି ବାର୍ତା ପ୍ରଦାନ କରାଗଲା। କିନ୍ତୁ ଏହା ବାହାରେ ଯଦି ଦଳ ପକ୍ଷରୁ ସବୁ ସ୍ତରର ନେତା ଓ ବିଧାୟକମାନଙ୍କୁ କୁହାଯିବ ଯେ, କୌଣସି କ୍ଷେତ୍ରରେ ସେମାନେ ଅପରାଧିକ ରେକର୍ଡ ଥିବା ବ୍ୟକ୍ତିମାନଙ୍କୁ ଦଳରେ ଆଦୌ ପ୍ରଶ୍ରୟ ଦିଅନ୍ତୁ ନାହିଁ। ତେବେ ଶାସକ ଦଳର ସଭ୍ୟ ଭାବରେ ଏକ ଅହଂକାରପୂର୍ଣ୍ଣ ଭାବନାରେ ଯେଉଁମାନଙ୍କର ଅସାମାଜିକ ରେକର୍ଡ ଅଛି ସେମାଙ୍କର କାର୍ଯ୍ୟକଳାପକୁ ଦଳ ସବୁ ସମୟରେ ନିୟନ୍ତ୍ରଣ କରିବା ଆବଶ୍ୟକ। ଏମାନେ ନିୟନ୍ତ୍ରିତ ହେଲେ ସମାଜରେ ଅନେକ ଅସାମାଜିକ କାର୍ଯ୍ୟ ଉପରେ ଆପେ ଆପେ ନିୟନ୍ତ୍ରଣ ଆସିବ। କେବଳ ବିଜେପି ନୁହେଁ ଓଡ଼ିଶାରେ ଦୀର୍ଘ ୨୪ ବର୍ଷ ଧରି କ୍ଷମତାରେ ଥିବା ସମୟରେ ବିଜେଡ଼ିର ବିଭିନ୍ନ ସ୍ତରରେ ଅସାମାଜିକ ବ୍ୟକ୍ତିମାନଙ୍କର ପ୍ରାଧାନ୍ୟ ରହିଥିବା ଜଣାଅଛି। ତେଣୁ ରାଜ୍ୟର ପୋଲିସ୍ କର୍ତ୍ତୃପକ୍ଷ ବା ବିଭିନ୍ନ ସ୍ତରରେ ଥିବା ପୋଲିସ୍ ଅଧିକାରୀମାନେ ବିଜେଡ଼ିରେ ରହିଥିବା ଅସାମାଜିକ ବ୍ୟକ୍ତିମାନଙ୍କ ରେକର୍ଡ ବିଷୟରେ ଦଳର ସ୍ଥାନୀୟ ନେତାମାନଙ୍କୁ ସୂଚାଇ ଦେବା ଉଚିତ୍।

ବିଜେଡ଼ି ଓ ବିଜେପି ଯଦି ନିଜକୁ ନିୟନ୍ତ୍ରିତ କରିପାରିବେ ଓ ଦଳ ଭିତରୁ ଅସାମାଜିକ ବ୍ୟକ୍ତିମାନଙ୍କୁ ଦୂରରେ ରଖିବା ସହିତ ନିରୁତ୍ସାହିତ କରିବେ ତେବେ ଓଡ଼ିଶାରେ ଆଇନ ଶୃଙ୍ଖଳା ରକ୍ଷା କରିବାରେ ପୋଲିସ୍ ପାଇଁ ତାହା ବେଶ୍ ସହାୟକ ହେବ। ଚଳିତ ବର୍ଷ ରାଜ୍ୟରେ କଲେଜ ନିର୍ବାଚନ ହେବାର ସମ୍ଭାବନା ଥିବାରୁ ଅସାମାଜିକ ବ୍ୟକ୍ତିମାନେ ଯେପରି କଲେଜ ନିର୍ବାଚନ ପ୍ରକ୍ରିୟାରେ ଆଦୌ ସାମିଲ ହୋଇପାରିବେ ନାହିଁ ସେଥିପାଇଁ ପ୍ରମୁଖ ଦଳଗୁଡ଼ିକ ବା ଛାତ୍ର ସଂଗଠନଗୁଡ଼ିକ ଶପଥ ନେବା ଦରକାର। ରାଜ୍ୟରେ ବୃଦ୍ଧି ପାଉଥିବା ମହିଳା ହିଂସା ବା ଦୁଷ୍କର୍ମ ଭଳି ଘଟଣା ରୋକିବା ଦିଗରେ ରାଜନୈତିକ ଦଳମାନଙ୍କର ଏକ ପ୍ରମୁଖ ଭୂମିକା ରହିଛି। କେବଳ ପୋଲିସ୍ ଉପରେ ଛାଡ଼ିଦେଲେ ଏହା ସମ୍ଭବ ନୁହେଁ ବୋଲି ଖୋଦ୍ ପୋଲିସ୍ ମୁଖ୍ୟମାନେ ପ୍ରକାଶ କରିଛନ୍ତି।

ମୋ- ୮୦୧୮୦୯୪୪୫୫

Murder Crime Police Rape