ଭାରତରେ ନିର୍ବାଚନ ପଦ୍ଧତିରେ ଶାସକ ବାଛିବାର ପ୍ରକ୍ରିୟା ସ୍ଵାଧୀନତା ପରେ ବ୍ୟବସ୍ଥିତ ହୋଇଛି। ଏଥିଲାଗି ଏହା ବଂଶାନୁକ୍ରମିକ ରାଜତନ୍ତ୍ର ବ୍ୟବସ୍ଥାଠାରୁ ଭିନ୍ନ। କୌଣସି ବି ନାଗରିକକୁ ଏଠାରେ ନିଜର ଲିଙ୍ଗ ବା ବର୍ଣ୍ଣ କାରଣରୁ ଭୋଟ ଦେବାରୁ ବାରଣ କରାଯାଇ ନାହିଁ।
ବ୍ରିଟିଶ ପାର୍ଲାମେଣ୍ଟ ଦୀର୍ଘ ବର୍ଷ ପରେ ୧୯୧୮ ମସିହାରେ ମହିଳାଙ୍କୁ ଭୋଟ ଦେବାର ଅଧିକାର ଦେଇଥିଲା। ସେହିଭଳି ଯୁକ୍ତରାଷ୍ଟ୍ର ଆମେରିକା ପାର୍ଲାମେଣ୍ଟ କାର୍ଯ୍ୟ କରିବାର ଦୀର୍ଘ ନବେ ବର୍ଷ ପରେ ଆଫ୍ରିକୀୟ-ଆମେରିକୀୟ କଳା ଲୋକଙ୍କୁ ଭୋଟ ଦେବାର ଅଧିକାର ଦେଇଥିଲା। ଉଭୟ ମହିଳା ଓ କଳା ଲୋକଙ୍କ ସମାନତା ଲାଗି ଲଢ଼େଇ ଅନେକ ଦେଶରେ ପହଞ୍ଚିପାରିଲା। ଭାରତରେ ଆମ୍ବେଦକରଙ୍କ ‘ଗୋଟିଏ ମଣିଷ ଗୋଟିଏ ଭୋଟ’ ଆନ୍ଦୋଳନ ଜାତି, ଧର୍ମ, ଲିଙ୍ଗ, ଧନୀ ଗରିବ ଭେଦଭାବ ଶୂନ୍ୟ ଭୋଟ ଅଧିକାର ସମସ୍ତଙ୍କୁ ଦେଇପାରିଲା।
ଭୋଟ ଦେବାର ଅଧିକାର ହୁଏତ ସମସ୍ତ ଦେଶବାସୀଙ୍କୁ ମିଳିପାରିଲା। କିନ୍ତୁ ଭୋଟ ପାଇ ଥରେ ନିର୍ବାଚିତ ହୋଇଗଲା ପରେ ଶାସକମାନେ ନିଜକୁ ସ୍ଥାୟୀ ଶାସକ ଭାବେ ଦେଖିବାର ଉଦ୍ୟମ ଆରମ୍ଭ କରିଦେଲେ। ସରକାରୀ ସୁଖ, ସୁବିଧା ଓ ନିଜର ଦୁର୍ନୀତି ଚେହେରାକୁ ଲୁଚାଇବାକୁ ଯାଇ ସେମାନେ ନିର୍ବାଚନ ଆସିଲେ ଅନେକ କୌଶଳ ଆପଣାଇଲେ। ଭୋଟ କିଣିବା ଏକ ଅଲିଖିତ ପ୍ରଥା ଆମ ଗଣତନ୍ତ୍ରରେ ବହୁ ବର୍ଷରୁ ରହିଆସିଛି। କିନ୍ତୁ ଭୋଟରଙ୍କୁ ଜାତି, ଧର୍ମ ଓ ଅଞ୍ଚଳ ଭିତ୍ତିରେ ବିଭାଜିତ କରିବା କୌଶଳ ମଧ୍ୟ କିଛି ବର୍ଷ ହେଲା ଚାଲିଛି। ଏତଦବ୍ୟତୀତ, ଭୋଟରଙ୍କୁ ବିଭିନ୍ନ ଭାବରେ ଉତ୍ତେଜିତ କରି ସଙ୍ଘବଦ୍ଧ କରିବାର ସାଂଘାତିକ ଓ ଅମାନବିକ କୌଶଳ ବିଭିନ୍ନ ରାଜନୈତିକ ଦଳଙ୍କ ତରଫରୁ କରାଯାଉଛି।
ଭୋଟର ସଂଖ୍ୟାରେ ବିଭାଜନ
ଭାରତରେ ମୁଖ୍ୟଧାରାର ରାଜନୈତିକ ଦଳର ସଦସ୍ୟମାନେ ନିର୍ବାଚନ ମଣ୍ଡଳୀର ସମସ୍ତ ଭୋଟରଙ୍କୁ ବିଭିନ୍ନ ଭାବରେ ବାଣ୍ଟିଦେଇଥା’ନ୍ତି। ପୂର୍ବ ନିର୍ବାଚନରେ ଜିତିଥିବା ପ୍ରତିନିଧିଙ୍କ ଭୋଟର ସଂଖ୍ୟାରେ ପହଞ୍ଚିବା ଲାଗି ଯେତିକି ଭୋଟ ଆବଶ୍ୟକ ସେହି ସଂଖ୍ୟାକୁ ଛୁଇଁବା ଲାଗି ସେମାନେ ଚେଷ୍ଟା କରିଥାନ୍ତି।
ମନେ କରାଯାଉ ଯେ ଗଲା ସରପଞ୍ଚ ନିର୍ବାଚନରେ ନିଜର ନିର୍ବାଚନ ମଣ୍ଡଳୀର ୧୦,୦୦୦ ଭୋଟରଙ୍କ ମଧ୍ୟରୁ ୪,୦୦୦ ଭୋଟ ପାଇଥିବା ବ୍ୟକ୍ତି ନିର୍ବାଚିତ ହୋଇଥିଲେ। ତେବେ, ଏହି ଥର ନିର୍ବାଚନରେ କେଉଁ ଅଞ୍ଚଳରୁ କେତେ ଭୋଟ ଆସିଲେ ବା କେଉଁ ସମ୍ପ୍ରଦାୟରୁ କେତେ ଭୋଟ ଆସିଲେ ସେହି ୪,୦୦୦ ପାଖାପାଖି ସଂଖ୍ୟାକୁ ଛୁଇଁହେବ ତାହା ହିଁ ପ୍ରାର୍ଥୀଙ୍କ ମୂଳ ଲକ୍ଷ୍ୟ।
ନିର୍ବାଚନ ମଣ୍ଡଳୀର ସମୁଦାୟ ଭୋଟରଙ୍କୁ ଜାତି, ଉପଜାତି, ଧର୍ମ, ବିଶ୍ଵାସ, ଅଞ୍ଚଳ, ନିଜ ପରିବାର ଇତ୍ୟାଦି ଭାଗରେ ବିଭକ୍ତ କରିଦେଇ ସେ ମଧ୍ୟରୁ ଆବଶ୍ୟକୀୟ ଭୋଟ ଏକାଠି କରିନିଅନ୍ତି। ସେହି ସମାନ ଆଧାରରେ ସେମାନେ ବିରୋଧୀ ସଦସ୍ୟଙ୍କ ଭୋଟକୁ ମଧ୍ୟ ଭାଗ ଭାଗ କରିବାକୁ ଚେଷ୍ଟା କରିଥା’ନ୍ତି। ଯଦି ବିରୋଧୀ ସଦସ୍ୟ କୌଣସି ଏକ ଜାତି ବା ଧର୍ମ ବା ଅଞ୍ଚଳର ହୋଇଛନ୍ତି ତେବେ ପ୍ରାର୍ଥୀଙ୍କ ଭୋଟ କମ କରିବା ଲାଗି ସେମାନଙ୍କ ସେହି ଜାତି ବା ଅଞ୍ଚଳର ଜଣେ କେହି ସଦସ୍ୟଙ୍କୁ ନିଜେ ଅର୍ଥ ଖର୍ଚ୍ଚ କରି ପ୍ରାର୍ଥୀ କରିଦିଅନ୍ତି। ଏହା ନିର୍ବାଚନ ବ୍ୟୟବହୁଳ ହେବାର ଅନ୍ୟତମ କାରଣ।
ବିଧାନସଭା ଓ ଲୋକସଭା ନିର୍ବାଚନ ମଣ୍ଡଳୀ ବୃହତ ହେବା କାରଣରୁ ନିଜ ଭୋଟରଙ୍କୁ ନିଜ ପାଖରେ ରଖିବା ଲାଗି ଏହାର ସଦସ୍ୟମାନେ ବିପରୀତ ଗୋଷ୍ଠୀ ବିପକ୍ଷରେ ମିଥ୍ୟା ଓ ମନଗଢ଼ା ମନ୍ତବ୍ୟ ଅଧିକ ପ୍ରଚାର କରିଥାନ୍ତି, ଘୃଣା ତିଆରି କରିଥାନ୍ତି, ହିଂସାର ରାସ୍ତା ନେଇଥାନ୍ତି ଯାହା ଦ୍ଵାରା ନିଜ ଭୋଟର ସଂଗଠିତ ହୋଇରହିବେ।
ନିର୍ବାଚନ ସରିବା ପରେ ନିର୍ବାଚିତ ସଦସ୍ୟ ସମଗ୍ର ନିର୍ବାଚନ ମଣ୍ଡଳୀର ସମସ୍ତ ଭୋଟରଙ୍କ ପ୍ରତିନିଧି ଭାବରେ ନିଜକୁ ନଦର୍ଶାଇ ‘ନିଜ ଭୋଟର’ ଓ ‘ବିରୋଧୀ ଭୋଟର’ ଭାବରେ ସମସ୍ତଙ୍କୁ ବାଣ୍ଟି ଦେବା ଦ୍ଵାରା ଗ୍ରାମାଞ୍ଚଳରେ ରାଜନୈତିକ ହିଂସା, ଦ୍ଵେଷ ଓ ବିଭିନ୍ନ ଅପରାଧ ବଢ଼ିବାରେ ଲାଗିଛି। ପଞ୍ଚାୟତ ପିଛା ବଣ୍ଟାଯାଉଥିବା ବିଭିନ୍ନ ଭତ୍ତା, ପ୍ରଧାନମନ୍ତ୍ରୀ ଆବାସିକ ଗୃହ, ବିଭିନ୍ନ ଠିକା ଓ ସବସିଡ ଯୁକ୍ତ ରୁଣ ସୁବିଧା ଯେପରି “ନିଜର ଭୋଟର” ପାଇବେ ସେହି ଦିଗରେ ନିର୍ବାଚିତ ଜନପ୍ରତିନିଧି ଉଦ୍ୟମ କରିବା ଓ ଏ ଦିଗରେ ସ୍ଥାନୀୟ ପ୍ରଶାସନ ମଧ୍ୟ ପୂର୍ଣ୍ଣ ସହଯୋଗ କରିବା କାରଣରୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭାଜନ, ହିଂସା ଓ ଅନେକ ସାମାଜିକ ସମସ୍ୟା ଦେଖାଦେଇଛି।
ଗଣତନ୍ତ୍ରର ଏହି ସ୍ଥିତି ଆଜି ଦେଖାଯାଉଛି। କେହି କେହି ସାଧାରଣ ଲୋକଙ୍କୁ ଏଥିଲାଗି ଦୋଷ ଦିଅନ୍ତି। କିନ୍ତୁ ମୂଳତଃ ଦାୟିତ୍ଵ ଓ କର୍ତ୍ତବ୍ୟକୁ କ୍ଷମତା ରାଜନୀତିରେ ବାଦ ଦେଇ କ୍ଷମତାକୁ ଉପଭୋଗ କରିବାର ଧାରା ଦେଶରେ ତିଆରି ହେବା ପରଠାରୁ ଏହି ବିକୃତି ଆଜି ଦେଖାଯାଇଛି। ଏ ସମ୍ପର୍କରେ ଆଲୋଚନା କିନ୍ତୁ କେଉଁଠି ହେଉନାହିଁ।
ଏହା ସହିତ ଭୋଟ ରାଜନୀତି ମଧ୍ୟରେ ଛୋଟ ଛୋଟ ସମୁଦାୟ ନିଜର ପ୍ରତିନିଧିତ୍ଵ ହରାଉଛନ୍ତି। କେଉଁଠି କେଉଠି ଦଳିତ ବର୍ଗଙ୍କ ପାଖରେ ଜମି ପଟ୍ଟା ନଥିବା କାରଣରୁ ଜାତି ସାର୍ଟିଫିକେଟ ମଧ୍ୟ ମିଳୁନଥିବ, ଇନ୍ଦିରା ଆବାସ ଘର ହୁଏତ ଅନ୍ୟ କେହି ନେଇଯାଇଥିବ, ବାତ୍ୟା ସମୟରେ ଆସିଥିବା ରିଲିଫ ସେମାନଙ୍କ ନିକଟରେ ପହଞ୍ଚୁନଥିବ, କିନ୍ତୁ ସେମାନଙ୍କ ଅଭିଯୋଗକୁ କେହି କର୍ଣ୍ଣପାତ ମଧ୍ୟ କରୁନଥିବେ, ଏହି ସ୍ଥିତି ରହୁଛି।
ଧର୍ମର ସୁରକ୍ଷା ନାମରେ ବିଭାଜନ
ଆମ ସମାଜରେ ଧର୍ମ ବିଭିନ୍ନତାପୂର୍ଣ୍ଣ। ଆମର ଭାଷା ଯେମିତି ପ୍ରତି ୫୦ କିଲୋମିଟରରେ କିଛି କିଛି ବଦଳି ଚାଲିଥାଏ ସେମିତି ଆମର ଧର୍ମ ବିଶ୍ଵାସ ମଧ୍ୟ ପ୍ରତି ୫୦ରୁ ୧୦୦ କିଲୋମିଟର ପରିଧି ମଧ୍ୟରେ ବଦଳି ଚାଲିଥାଏ। ପ୍ରତ୍ୟେକ ଅଞ୍ଚଳରେ ନିଜସ୍ଵ ଆରାଧ୍ୟ ଦେବୀ ଦେବତାଙ୍କ ପର୍ବ, ଯାତ୍ରା, ପୂଜାବିଧି ଓ ତାଙ୍କୁ ନେଇ କାହାଣୀ ଅନ୍ୟ ଅଞ୍ଚଳଠାରୁ ଭିନ୍ନ। କେଉଁଠି ଠାକୁରାଣୀଙ୍କ ପାଖରେ ଆମିଷ ଭୋଗ ଲାଗୁଥିଲେ ବା ସଂକ୍ରାନ୍ତିରେ ଆମିଷ ଖାଉଥିଲେ ଅନ୍ୟ କେଉଁଠି ଆମିଷର ପ୍ରବେଶ ନିଷେଧ ରହିଛି।
ଗ୍ରାମୀଣ ସ୍ତରରେ ଏହି ସମସ୍ତ ଧର୍ମ ବିଶ୍ୱାସ କେବେ ଲିଖିତ ନହୋଇ ମଧ୍ୟ କାହିଁ କେଉଁ ଆବହମାନ କାଳରୁ ଚାଲିଆସୁଛି। ଏ ସମସ୍ତ ପୀଠର ପୂଜକ ବ୍ରାହ୍ମଣ ନୁହନ୍ତି କିମ୍ବା ଠାକୁରାଣୀ (ସହରର ଧର୍ମପୀଠ ଗୁଡ଼ିକର ଇତିହାସ ଭିନ୍ନ।) ପୀଠଗୁଡ଼ିକ ଆଦୌ ବିଶାଳ ମନ୍ଦିର ନୁହେଁ। କିନ୍ତୁ ଆଜି ସମସ୍ତେ ଏକ ଅଜଣା ଭୟର ତଳେ ଏକାଠି ହୋଇଯାଇଛନ୍ତି। ଅଶି କି ନବେ ପ୍ରତିଶତ ହିନ୍ଦୁ ଆମ ଦେଶରେ ଅନୁଭବ କରୁଛନ୍ତି ଯେ ସେମାନଙ୍କ ଧର୍ମ ସଙ୍କଟରେ।
ଦକ୍ଷିଣପନ୍ଥୀ ଦଳ ନିଜର ଭୋଟ ବ୍ୟାଙ୍କକୁ ସୁରକ୍ଷିତ କରିବା ଲାଗି ସମାଜରେ ହିନ୍ଦୁ ଭୋଟ ବ୍ୟାଙ୍କକୁ ଏକାଠି କରିବାକୁ ମନସ୍ଥ କରି ନିଜର ରାଜନୀତି ଆରମ୍ଭ କରିଥିଲା। ଏହି କାରଣରୁ ଭାରତର ଅନେକ ଅଲିଖିତ ଧର୍ମବିଶ୍ଵାସକୁ (ଆଦିବାସୀ ହୁଅନ୍ତୁ କି ଗାଁ ଠାକୁରାଣୀ ହୁଅନ୍ତୁ) ହିନ୍ଦୁ ଧର୍ମ ସହିତ ଯୋଡ଼ିବାର ଚେଷ୍ଟା କରାଗଲା। ଏତଦବ୍ୟତୀତ, ଅନ୍ୟ ଧର୍ମ ବିପକ୍ଷରେ ଘୃଣାପୂର୍ଣ୍ଣ ମନ୍ତବ୍ୟ ବାରମ୍ବାର ଗଣମାଧ୍ୟମ, ଧାର୍ମିକ ଟ୍ରଷ୍ଟ ଓ ବିଭିନ୍ନ ସଂସ୍ଥାମାନଙ୍କ ସାହାଯ୍ୟରେ ଦିଆଯିବା ହେତୁ ହିନ୍ଦୁ ଧର୍ମ କ୍ରମଶଃ ଏକ ଭୋଟ ବ୍ୟାଙ୍କରେ ପରିଣତ ହୋଇଯାଇଛି। ଏହା ହିନ୍ଦୁ ଧର୍ମୀୟ ବିଶ୍ଵାସର ଦଳୀୟ (ରାଜନୀତି) କରଣ। ଏହି କାରଣରୁ ଅଣପାରମ୍ପରିକ ଓ ସଂଖ୍ୟାନ୍ୟୁନ ଧର୍ମ ଅନୁଷ୍ଠାନ ନିଜର ଗୁରୁତ୍ଵ ହରାଉଛନ୍ତି।
ନିଜ ପକ୍ଷକୁ ନେବାର ଉଦ୍ୟମ
ସମଗ୍ର ଦେଶରେ ମୁସଲମାନ ଯୁବକଙ୍କୁ ଗାଈ ମାଂସ ରଖିବା, ଗୋରୁ କାଟିବା, ଲଭ ଜିହାଦ ଆଦି ଆରୋପରେ ଆକ୍ରମଣ ଓ ହତ୍ୟା କରାଯାଉଛି, ଜେଲ ପଠା ଯାଉଛି। ପୁଣି ସେହି ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ମହିଳା ଭୋଟଙ୍କୁ ଆପଣାଇବା ଲାଗି ‘ତିନି ତଲାକ’, ‘ହିଜବ’ ଇତ୍ୟାଦି ପ୍ରସଙ୍ଗ ଉତ୍ଥାପନ କରାଯାଉଛି। ଏହା ନୁହେଁ ଯେ ହିନ୍ଦୁ ଧର୍ମୀୟ ଦଳ ମୁସଲମାନ ମହିଳାଙ୍କ ପ୍ରତି ଅତି ସଂବେଦନଶୀଳ। ତାହା ହୋଇଥିଲେ ଗୁଜୁରାଟର ବିଲକିସ ବାନୋଙ୍କ ନ୍ୟାୟ-ପାଇଁ-ଉଦ୍ୟମରେ ବାଧା ସୃଷ୍ଟି କରାଯାଇନଥାନ୍ତା।
ସେହିଭଳି ରାଜ୍ୟରେ କନ୍ଧମାଳ ହିଂସା ୨୦୦୮ ମସିହାରେ ହୋଇଥିଲା। ଏଥିରେ ନନଙ୍କ ଗଣଧର୍ଷଣ ଅପରାଧର କୌଣସି ଉପଯୁକ୍ତ ଅନୁସନ୍ଧାନ ହେଲା ନାହିଁ। କିନ୍ତୁ ମହିଳା ମିଶନ ଓ ମହିଳା ମଣ୍ଡଳ ନାମରେ ମହିଳାଙ୍କ ‘ଆତ୍ମସମ୍ମାନ’ର ସ୍ଲୋଗାନ ଦିଆଗଲା। ଉଭୟ ଗୁଜରାଟ ଓ କନ୍ଧମାଳ କଦାପି ବ୍ୟତିକ୍ରମ ନୁହେଁ, ବରଂ କ୍ଷମତାକୁ ନିଜ ହାତରେ ରଖିବାର ରଣନୀତି। ଏଥିରେ ବଳି ପଡ଼ୁଛନ୍ତି ଅନେକ ଗୋଷ୍ଠୀ।
ତଥାପି ଏହା କେବଳ ଯଦି ଭୋଟ ରାଜନୀତି ମଧ୍ୟରେ ସୀମିତ ରହିଥାନ୍ତା ଓ ନିର୍ବାଚନ ଚାଲିଯିବା ପରେ ହିଂସା କମିଥାନ୍ତା ତେବେ ହୁଏତ ଏହାର ପ୍ରତିକାର ସମ୍ପର୍କରେ ଆମେ ଚିନ୍ତା କରିଥାନ୍ତେ। ଆଜି ଆମ ସାମ୍ନାରେ ମୁସଲମାନ, ଖ୍ରୀଷ୍ଟିୟାନ, ଦଳିତ ଓ ଆଦିବାସୀ ବର୍ଗ ଘୃଣା ରାଜନୀତିରେ ଶିକାର ହେଉଛନ୍ତି। ଆମେ ଦାବି କରୁଛୁ ଯେ ସେମାନଙ୍କୁ ନ୍ୟାୟ ମିଳୁ। ସେମାନଙ୍କୁ ନ୍ୟାୟ ତ ମିଳୁ ନାହିଁ, ମାତ୍ର ଏହି ଗୋଷ୍ଠୀର ଏକ ବଡ଼ ଅଂଶକୁ ସରକାରୀ ଦଳ ମିଛ ପ୍ରତିଶୃତି ଦେଇ ନିଜ ପକ୍ଷକୁ ନେଇଯାଉଛନ୍ତି। ଏହା ମାଧ୍ୟର୍ମରେ ରାଜନୈତିକ ଦଳମାନେ ନିଜର ଭୋଟ ବ୍ୟାଙ୍କ ତିଆରି କରୁଛନ୍ତି। ଦେଶର ଅର୍ଥନୈତିକ ସମସ୍ୟାକୁ ଲୁଚାଇବାର ଏହା ଏକ ଷଡ଼ଯନ୍ତ୍ର ଭଳି ମନେହୁଏ।
ଦେଶରେ ନେହରୁ-ମହାଲୋନୋବିଶଙ୍କ ମିଶ୍ର ଅର୍ଥନୀତି, ସବୁଜ ବିପ୍ଲବ, ଇନ୍ଦିରା ଗାନ୍ଧୀଙ୍କ ଗରିବୀ ହଟାଅ, ନରସିଂହ ରାଓ-ମନମୋହନ ସିଂହଙ୍କ ନୂତନ ଅର୍ଥନୀତି (ଲିବରାଇଜେସନ - ପ୍ରାଇଭେଟଜାଇସେନ - ଗ୍ଲୋବାଲାଇଜେସନ)’, ବାଜପେୟୀଙ୍କ ସମୟର ‘ଭାରତ ଉଦୟ’ ଓ ନରେନ୍ଦ୍ର ମୋଦୀଙ୍କ ‘ଆତ୍ମନିର୍ଭର ଭାରତ’ ଯୋଜନା ବିଫଳ ହେବାରେ ଲାଗିଛି। ଦେଶରେ କ୍ରମାଗତ ଭାବରେ ବେକାରୀ, କ୍ଷୁଧା ଓ ଗରିବୀ ବଢ଼ିବାରେ ଲାଗିଛି। ଏହାର ସମାଧାନ ବଦଳରେ ଧର୍ମ, ଜାତିକୁ ନେଇ ହିଂସା ଆମ ସମାଜରେ ବଢ଼ିବାରେ ଲାଗିଛି। ଏ ସମସ୍ତ ହିଂସାର କୌଣସି ଉପଯୁକ୍ତ ଅନୁସନ୍ଧାନ ଓ ବିଚାର ହେଉନାହିଁ, କାରଣ, ଏହା ପଛରେ କେଉଁଠି ନା କେଉଁଠି କ୍ଷମତା ରାଜନୀତି ସମ୍ପୃକ୍ତ।
ସମାଜରେ ଯେଉଁ ଉଦ୍ଦେଶ୍ୟରେ ଅର୍ଥାତ ସ୍ଵାଧୀନତା, ସମାନତା ଓ ଶାନ୍ତି ପ୍ରତିଷ୍ଠାର ଆଶାରେ ସମସ୍ତ ଦେଶ ‘ଜଣେ ନାଗରିକ ଗୋଟିଏ ଭୋଟ’ ନୀତି ଲାଗୁହୋଇଥିଲା ଭାରତୀୟ ଗଣତନ୍ତ୍ର ଆଜି ଏହାଠାରୁ ଦୂରକୁ ଦୂର ଚାଲିଯାଉଛି। ଦେଶର ଶାସକ ଏକ ଭୋଟ ବ୍ୟାଙ୍କ ରାଜନୀତି ଆପଣାଇବା ପରେ ଦେଶର ଗଣତନ୍ତ୍ରରେ ଗଣର ସୀମା ସଙ୍କୁଚିତ ହୋଇ ଧର୍ମ, ଜାତି, ଅର୍ଥ, ଲିଙ୍ଗ ଓ ଅଞ୍ଚଳ ଆଧାରରେ ବାଣ୍ଟି ହୋଇଛି। ଆଜି ଭୋଟକୁ ଛାଡ଼ି ଦେଲେ କୌଣସି ବିକଳ୍ପ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ଚିନ୍ତା କରିବା ଅସମ୍ଭବ। ହେଲେ, ଆମକୁ ସହମତିରେ ଚାଲିପାରୁଥିବା ଶାସନ ବ୍ୟବସ୍ଥା ଆବଶ୍ୟକ। ସମସ୍ତ ପ୍ରକାରର ସାମାଜିକ ଓ ଅର୍ଥନୈତିକ ବିଭାଜନକୁ ବିରୋଧ କରିବା ଓ ସହଭାଗିତା-ସମାନତା ଆଡ଼କୁ ଯିବା ବ୍ୟତୀତ ଆଜି ଅନ୍ୟ କିଛି ଦେଖାଯାଉନାହିଁ।
ଦେବ ରଞ୍ଜନ
ମୋବାଇଲ - ୯୪୩୭୭୬୨୨୭୨