ରବି ଦାସ
କାଶ୍ମୀରର ପହେଲଗାମ୍ରେ ଆତଙ୍କବାଦୀମାନେ ୨୬ ଜଣ ପର୍ଯ୍ୟଟକଙ୍କୁ ସେମାନଙ୍କ ଧର୍ମ ପଚାରି ହତ୍ୟା କରିବା ଘଟଣାରେ ସାରାଦେଶ କ୍ରୋଧାନ୍ୱିତ ହୋଇ ପ୍ରତିଶୋଧ ପାଇଁ ସମସ୍ୱରରେ ଦାବି କରୁଥିବା ସମୟରେ କେନ୍ଦ୍ର କ୍ୟାବିନେଟ୍ର ରାଜନୈତିକ ବ୍ୟାପାର କମିଟି ଏକ ବୈଠକରେ ଆସନ୍ତା ଜନଗଣନାରେ ଜାତିଗତ ଜନଗଣନା କରାଯିବା ପାଇଁ ନିଷ୍ପତି ଘୋଷଣା କରିବା ଭାରତବର୍ଷର ରାଜନୈତିକ ଓ ସାମାଜିକ ଜୀବନରେ ଏକ ବଡ଼ ହଲଚଲ ସୃଷ୍ଟି କରିଦେଇଛି। କାରଣ ଭାରତରେ ବ୍ରିଟିଶ ଶାସନ ସମୟରେ ୧୮୮୧ ମସିହାରୁ ଜନଗଣନା ହେବା ସମୟରେ ଜାତି ଜନଗଣନା କରାଯାଉଥିଲେ ମଧ୍ୟ ୧୯୩୧ ପରେ କୌଣସି ଜନଗଣନାରେ ଜାତି ଜନଗଣନା କରାଯାଇନଥିଲା। ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଜନଗଣନାରେ ଜାତିଗଣନାକୁ ସାମିଲ କରିବା ପାଇଁ କ୍ୟାବିନେଟ୍ ନିଷ୍ପତି କରିବା ସମସ୍ତଙ୍କୁ ବିସ୍ମିତ କରିଦେଇଛି।
ଜାତିଗଣନା ପାଇଁ ଦେଶରେ ତଥାକଥିତ ଜାତିବାଦୀ ଦଳ କୁହାଯାଉଥିବା ଦଳମାନେ ଅନେକ ବର୍ଷ ଧରି ଦାବି କରିଆସୁଥିଲେ। ତେବେ ଗତ ୪ ବର୍ଷ ହେଲା କଂଗ୍ରେସ ନେତା ରାହୁଲ ଗାନ୍ଧୀ କ୍ରମାଗତ ଭାବରେ ଜାତି ଜନଗଣନା କରିବା ପାଇଁ ସଂସଦ ଭିତରେ ଓ ବାହାରେ ଦାବି କରିଆସୁଛନ୍ତି। କିନ୍ତୁ କେନ୍ଦ୍ରରେ କ୍ଷମତାସୀନ ବିଜେପି ଓ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବରାବର କହିଆସୁଥିଲେ ଯେ, ଜାତି ଜନଗଣନା ଦ୍ୱାରା ଦେଶରେ ସାମାଜିକ ବିଭାଜନ ବଢ଼ିବ। ଏପରିକି ବିଜେପିର ହିନ୍ଦୁତ୍ୱ ପ୍ରଚାର ଓ ହିନ୍ଦୁ ସମାଜକୁ ଏକଜୁଟ କରିବାର ପ୍ରୟାସରେ ଜାତି ଜନଗଣନା ବାଧକ ସାଜିବ ବୋଲି ବିଚାର କରାଯାଉଥିଲା। ସେହି ଦୃଷ୍ଟିରୁ କେନ୍ଦ୍ର କ୍ୟାବିନେଟ୍ ଏପରି ଏକ ନିଷ୍ପତି ବିଜେପି ସମର୍ଥକମାନଙ୍କୁ ମଧ୍ୟ ଚମକାଇ ଦେଇଛି।
ଠିକ୍ ଏହିପରି ଭାବରେ ୧୯୯୦ରେ ଯେତେବେଳେ ଭି.ପି ସିଂହଙ୍କ ସରକାର ମଣ୍ଡଳ କମିସନ୍ ସୁପାରିଶ କାର୍ଯ୍ୟକାରୀ କରିବା ପାଇଁ ବିଜ୍ଞପ୍ତି ଜାରି କରିଥିଲେ। ତାହା ବିରୋଧରେ ସଂରକ୍ଷଣ ବିରୋଧୀମାନେ ଦେଶବ୍ୟାପୀ ତୀବ୍ର ଆନ୍ଦୋଳନ କରିଥିଲେ। କିନ୍ତୁ ଏଥର କେନ୍ଦ୍ର ସରକାରଙ୍କ ନିଷ୍ପତିରେ ସେପରି ଖୋଲାଖୋଲି ଏହାକୁ ବିରୋଧ କରିବା ପାଇଁ କୌଣସି ଦଳ ବା ସଂଗଠନ ସାହସ କରିପାରି ନାହାନ୍ତି। ଯଦିଓ ସମସ୍ତେ ଭଲଭାବରେ ଜାଣନ୍ତି ଯେ, ମଣ୍ଡଳ କମିସନ୍ ସୁପାରିଶ କାର୍ଯ୍ୟକାରୀ କରିବା ପରେ ଦେଶର ରାଜନୈତିକ ଜୀବନରେ ଯେଉଁ ପରିବର୍ତନ ହୋଇଥିଲା ତାହାଠାରୁ ଅଧକ ବଡ଼ ଧରଣର ପରିବର୍ତନ ଜାତି ଜନଗଣନା ତଥ୍ୟ ପ୍ରକାଶ ପାଇଲା ପରେ ନିଶ୍ଚିତ ଭାବରେ ହେବ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୧୯୩୧ରେ ହୋଇଥିବା ଶେଷ ଜାତି ଗଣନା ମୋଟ ୪୧୪୭ ଜାତି ଓ ଉପଜାତିଙ୍କୁ ଚିହ୍ନଟ କରାଯାଇଥିଲା। ଏହି ଜନଗଣନାରେ ଯେଉଁ ଜାତିମାନଙ୍କୁ ସାମାଜିକ ଦୃଷ୍ଟିରୁ ଓ ଶିକ୍ଷାଗତ ଦୃଷ୍ଟିରୁ ପଛୁଆବର୍ଗ ବୋଲି ଚିହ୍ନଟ କରାଯାଇଥିଲା ସେମାନଙ୍କ ସଂଖ୍ୟା ଦେଶର ମୋଟ ଲୋକସଂଖ୍ୟାର ଶତକଡ଼ା ପ୍ରାୟ ୫୦ ଭାଗରୁ ଉର୍ଦ୍ଧ୍ୱ ଥିଲେ। ସଂରକ୍ଷଣ ସୀମା ୫୦ ଭାଗ ଅତିକ୍ରମ କରିପାରିବ ନାହିଁ ବୋଲି ସୁପ୍ରିମ୍କୋର୍ଟର ପୂର୍ବରୁ ଥିବା ନୀତି ଆଧାରରେ ମଣ୍ଡଳ କମିସନ୍ରେ ଚିହ୍ନଟ ହୋଇଥିବା ପଛୁଆବର୍ଗ ମାନଙ୍କ ପାଇଁ କେନ୍ଦ୍ର ଚାକିରୀରେ ୨୭ ଭାଗ ସ୍ଥାନ ସଂରକ୍ଷଣ ପାଇଁ ସୁପାରିଶ କରାଯାଇଥିଲା। ଅନୁସୂଚିତ ଜାତି ଓ ଜନଜାତିକୁ ମିଶାଇ ମୋଟ୍ ସଂରକ୍ଷଣ ସଂଖ୍ୟା ୫୦ ଭାଗ ଭିତରେ ରହିବା ପାଇଁ ୨୭ ଭାଗ ସ୍ଥାନ ସଂରକ୍ଷଣ କଥା କୁହାଗଲା।
ମଣ୍ଡଳ କମିସନ୍ ସୁପାରିଶ ବିଜ୍ଞପ୍ତି ଜାରି ପରେ ପରେ ଦେଶବ୍ୟାପୀ ହୋଇଥିବା ହିଂସାକାଣ୍ଡ ଭିତରେ ସୁପ୍ରିମ୍କୋର୍ଟରେ ଏହି ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରାଯାଇଥିଲା। ଦୀର୍ଘ ଦୁଇବର୍ଷର ଶୁଣାଣୀ ପରେ ସୁପ୍ରିମ୍କୋର୍ଟର ସାମ୍ବିଧାନିକ ବେଂଚ ଏହି ବିଜ୍ଞପ୍ତିକୁ ସମ୍ବିଧାନ ଦୃଷ୍ଟିରୁ ବୈଧ ବୋଲି ଘୋଷଣା କରି ରାୟ ପ୍ରଦାନ କରିବା ସମୟରେ କେନ୍ଦ୍ରରେ କଂଗ୍ରେସ ଦଳର ସରକାର ଥିଲା। ତାହା ସେମାନେ କାର୍ଯ୍ୟକାରୀ କରିଥିଲେ। କିନ୍ତୁ ମଣ୍ଡଳ କମିସନ୍ ସୁପାରିଶ୍ କାର୍ଯ୍ୟକାରୀ ସମୟରେ କଂଗ୍ରେସ ଯେହେତୁ ଏହାକୁ ବିରୋଧ କରିଥିଲା, ସେହେତୁ ଉତ୍ତର ଭାରତ ରାଜ୍ୟଗୁଡ଼ିକରେ କଂଗ୍ରେସର ପ୍ରଭାବ ହଠାତ୍ ଦୃତ ଗତିରେ ହ୍ରାସ ପାଇଥିଲା। ଯଦିଓ ବିଜେପି ରାମ ଜନ୍ମଭୂମି ଆନ୍ଦୋଳନ ନାମରେ ଲାଲକୃଷ୍ଣ ଆଡଭାନୀଙ୍କ ରଥଯାତ୍ରା ଆରମ୍ଭ କରିବା ଓ ସେହି ରଥଯାତ୍ରାକୁ ବିହାରରେ ଲାଲୁ ପ୍ରସାଦ ଯାଦବଙ୍କ ସରକାର ଅଟକାଇ ଆଡଭାନୀଙ୍କୁ ଗିରଫ କରିବା ଫଳରେ ଭି.ପି ସିଂହ ସରକାରର ପତନ ଘଟିଥିଲା।
ପ୍ରକୃତରେ ଦେଖିଲେ, ମଣ୍ଡଳ କମିସନ୍ ସଂକ୍ରାନ୍ତରେ କଂଗ୍ରେସ ଓ ବିଜେପିର ଦୃଷ୍ଟିଭଙ୍ଗୀ ମୋଟାମୋଟି ଭାବରେ ଏକପ୍ରକାର ଥିଲା। କିନ୍ତୁ ମଣ୍ଡଳ କମିସନ୍ ସୁପାରିଶକୁ ନେଇ କଂଗ୍ରେସ ଦଳ ଯେପରି ଭାବରେ ଖୋଲାଖୋଲି ବିରୋଧ କରିଥିଲା ତାହା ବିଜେପି ନକରି କମଣ୍ଡଳ ନାମରେ ଏହି ପ୍ରସଙ୍ଗକୁ ପଛକୁ ନେଇଯାଇଥିଲେ। କିନ୍ତୁ ସଂରକ୍ଷଣ ରାଜନୀତିର ତୀବ୍ରତା ଭିତରେ କଂଗ୍ରେସ ଦଳ ଉତ୍ତର ଭାରତରେ କ୍ଷତିଗ୍ରସ୍ତ ହେବା ସମୟରେ ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି ଓ ରାଷ୍ଟ୍ରୀୟ ଜନତା ଦଳ ପରି ଦଳଗୁଡ଼ିକ ଯେଉଁମାନଙ୍କୁ ଜାତିବାଦୀ ଦଳ କୁହାଯାଉଥିଲା ସେମାନେ ଲାଭବାନ୍ ହେଲେ। ଅପରପକ୍ଷରେ କମଣ୍ଡଳ ରାଜନୀତି ଭିତରେ ବିଜେପି ଉତ୍ତର ପ୍ରଦେଶରେ କଲ୍ୟାଣ ସିଂହ, ମଧ୍ୟ ପ୍ରଦେଶରେ ଉମା ଭାରତୀ ଓ ମହାରାଷ୍ଟ୍ରରେ ଗୋପୀନାଥ ମୁଣ୍ଡେଙ୍କ ପରି ପଛୁଆବର୍ଗର ନେତାଙ୍କୁ ଦଳରେ ଶୀର୍ଷ ସ୍ଥାନ ଦେଇ ମଣ୍ଡଳ କମିସନ୍ ଜଡ଼ିତ ବିଭାଜନରୁ ଫାଇଦା ବି ପାଇଥିଲେ। ହେଲେ କଂଗ୍ରେସ ଦଳ ପ୍ରଥମେ ସୁପ୍ରିମ୍କୋର୍ଟ ରାୟ ପରେ ମଣ୍ଡଳ କମିସନ୍ ସୁପାରିଶକୁ କାର୍ଯ୍ୟକାରୀ କରିବାରେ ଓ ଅର୍ଜୁନ ସିଂହ ୟୁପିଏ ସରକାର ସମୟରେ ଦେଶର ମାନବ ସମ୍ବଳ ବିକାଶର ମନ୍ତ୍ରୀ ଥିବା ସମୟରେ ଶିକ୍ଷା କ୍ଷେତ୍ରରେ ମଣ୍ଡଳ କମିସନ୍ ସୁପାରିଶରେ ସେମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ କରିଥିଲେ।
କଂଗ୍ରେସ ଦଳ ପ୍ରାରମ୍ଭିକ ଭାବରେ ମଣ୍ଡଳ କମିସନ୍ ସୁପାରିଶ ସମୟରେ ଯେଉଁ ଭୁଲ୍ କରିଥିଲା ସେଥିରେ ଦଳର ସ୍ଥିତିକୁ ଫେରାଇ ଆଣିବା ଏତେ ସହଜ ନଥିଲା। ରାହୁଲ ଗାନ୍ଧୀ କଂଗ୍ରେସର ଏହି ଭୁଲ୍କୁ ସ୍ୱୀକାର କରି ଗତ ନିର୍ବାଚନରେ ଜାତିଗତ ଜନଗଣନାକୁ ନିର୍ବାଚନୀ ଇସ୍ତାହାରରେ ସ୍ଥାନଦେବା ଓ ପାର୍ଲାମେଂଟ ଭିତରେ ଓ ବାହାରେ ବରାବର ଏହାପରେ ସ୍ୱର ଉଠାଇ ଚାଲିଥିଲେ। ଗତ ନିର୍ବାଚନରେ ବିଜେପି ୪୦୦ ସିଟ୍ର ସ୍ଳୋଗାନ ଦେଇଥିବା ସମୟରେ ସମ୍ବିଧାନ ରକ୍ଷା କରିବା ପାଇଁ କଂଗ୍ରେସ ଆହ୍ୱାନ ଦେଇ ଦର୍ଶାଇଥିଲା ଯେ, ସମ୍ବିଧାନ ସଂଶୋଧନ ହେଲେ ଆମ୍ବେଦକର ଯେଉଁ ସଂରକ୍ଷଣ ସୁବିଧା ପ୍ରଦାନ କରିଛନ୍ତି ତାହା ପୁରାପୂରି ଚାଲିଯିବ। ରାମ ମନ୍ଦିର ନିର୍ମାଣ ସତ୍ୱେ ଜନସାଧାରଣ ଏହାକୁ ବିଶ୍ୱାସ କରି ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ବିଜେପିକୁ ଆଗକୁ ବଢ଼ିବା ପାଇଁ ସୁଯୋଗ ଦେଲେ ନାହିଁ। ବାସ୍ତବରେ ସମ୍ବିଧାନ ବିପଦରେ ସ୍ଳୋଗାନ ପୂରା ଇଣ୍ଡିଆମେଂଟର ଏକ ବାର୍ତାରେ ପରିଣତ ହୋଇଗଲା। ଫଳରେ ବିଜେପି ବିଭିନ୍ନ ଭାବରେ ପଛୁଆବର୍ଗ ଓ ଦଳିତମାନଙ୍କ ଭିତରେ ସୃଷ୍ଟି କରିଥିବା ଭିତ୍ତିଭୂମି ଅନେକ ପରିମାଣରେ କମିଯିବାରୁ ବିଜେପି ଏକାକୀ ଲୋକସଭାରେ ସଂଖ୍ୟା ଗରିଷ୍ଠତା ପାଇଲାନାହିଁ। ଏହି ପରିପ୍ରେକ୍ଷୀରେ ବିହାରରେ ସେପ୍ଟେମ୍ବର ମାସରେ ହେବାକୁ ଥିବା ନିର୍ବାଚନ ଦୃଷ୍ଟିରୁ ଜାତି ଜନଗଣନା ଦାବିକୁ ଏଡାଇବା ସହଜ ହେବନାହିଁ ବୋଲି ଅନୁମାନ କରି ବିଜେପି କ୍ୟାବିନେଟ୍ ଏକ ଆଗୁଆ ପଦକ୍ଷେପ ନେଇ ଜାତି ଜନଗଣନା ପାଇଁ ରାଜି ହୋଇଥିବାରୁ ବିରୋଧୀଙ୍କ ହାତରୁ ଏକ ବଡ଼ ଅସ୍ତ୍ର ଦୁର୍ବଳ ହେଲା ବୋଲି କୁହାଯାଉଛି।
ଏବେ ଦେଶରେ ହେଉଥିବା ଜନଗଣନାରେ ଦଳିତ ଓ ଆଦିବାସୀମାନଙ୍କ ସହିତ ବିଭିନ୍ନ ଧର୍ମର ଲୋକମାନଙ୍କ ସଂଖ୍ୟା ନିରୂପଣ କରାଯାଏ। ଜଣେ ନିଜକୁ ଅନୁସୂଚିତ ଜାତି ବୋଲି କହିଲେ ସେ କେଉଁ ଜାତିର ଉଲ୍ଲେଖ କରୁଥିଲା। ସେହିପରି ଜଣେ ଜନଜାତି ସମ୍ପ୍ରଦାୟର ଲୋକ ସେ କେଉଁ ନିର୍ଦ୍ଧିଷ୍ଟ ଜନଜାତି ବୋଲି ଜନଗଣନା ସମୟରେ ଉଲ୍ଲେଖ ରହୁଥିଲା। ଏବେ ସବୁ ଲୋକମାନଙ୍କର ଜାତି ଉଲ୍ଲେଖ ହେବ। ଯିଏ ଜାତି ଉଲ୍ଲେଖ କରିବାକୁ ଚାହୁଁନାହାନ୍ତି, ସେ ଏଥିପାଇଁ ମନା କରିଦେଇ ପାରିବେ। କିନ୍ତୁ ଜାତିସଂଖ୍ୟା ନେଇ ଆଉ କୌଣସି ଦ୍ୱନ୍ଦ ରହିବନାହିଁ। ବିହାରରେ ନୀତୀଶ କୁମାର ମହାଗଠବନ୍ଧନ ସରକାରର ମୁଖ୍ୟମନ୍ତ୍ରୀ ଥିଲା ବେଳେ ସେଠାରେ ଏକ ଜାତିଗତ ସର୍ଭେ କରିଥିଲେ। ସେଥିରେ ଦେଖାଗଲା ଯେ, ସେହି ରାଜ୍ୟରେ ପଛୁଆବର୍ଗ ଓ ଅତି ପଛୁଆବର୍ଗ ମିଳିତ ଭାବରେ ରାଜ୍ୟ ଲୋକସଂଖ୍ୟାର ପ୍ରାୟ ଶତକଡ଼ା ୬୩ ଭାଗ। ଏଥିରେ କେଉଁ ଜାତିର କେତେ ଲୋକ ଅଛନ୍ତି ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା, ଚାକିରୀ, ଜମି ଓ ବିଭିନ୍ନ ତଥ୍ୟ ପ୍ରକାଶ ପାଇଥିଲା। ଏହା ପ୍ରକାଶ ପାଇବା ପରେ ସେଠାରେ ପଛୁଆବର୍ଗ ସଂରକ୍ଷଣ ସୀମା ବଢ଼ାଇବା ପାଇଁ ନିଷ୍ପତି ହୋଇଥିଲେ ମଧ୍ୟ ଅଦାଲତ ଏହା ୫୦ ଭାଗ ସୀମା ଅତିକ୍ରମ କରିପାରିବ ନାହିଁ ବୋଲି କହି ନିଷ୍ପତିକୁ ଅବୈଧ ଘୋଷଣା କରିଥିଲେ। ଏବେ ଏହା ସୁପ୍ରିମ୍କୋର୍ଟରେ ଅଛି।
ନିକଟରେ କଂଗ୍ରେସର ତେଲେଙ୍ଗାନା ସରକାର ଏକ ଜାତି ସର୍ଭେ କରି ସେଠାରେ ମୋଟ୍ ଲୋକସଂଖ୍ୟାର ଶତକଡ଼ା ୫୪ ଭାଗ ପଛୁଆବର୍ଗ ଥିବା ଚିହ୍ନଟ କରିଛନ୍ତି। ପୂର୍ବରୁ ୨୦୧୫ରେ କର୍ଣ୍ଣାଟକରେ ହେଉଥିବା ଏକ ଜାତିଗତ ସର୍ଭେ ରିପୋର୍ଟ ସେଠାକାର କଂଗ୍ରେସ ସରକାର ପ୍ରକାଶ କରି ରାଜ୍ୟରେ ମୋଟ ଲୋକସଂଖ୍ୟାର ୭୦ ଭାଗ ପଛୁଆବର୍ଗ ବୋଲି ଚିହ୍ନଟ କରିଛନ୍ତି। ତେଣୁ ଜାତିଗତ ଜନଗଣନା ଯଦି କରାଯାଏ ତେବେ ଯେଉଁ ଫଳ ପ୍ରକାଶ ପାଇବ ତାହା ପରେ ସଂରକ୍ଷଣ ସୀମା ଉଭୟ ଚାକିରୀ ଓ ଶିକ୍ଷା କ୍ଷେତ୍ରରେ ଆଉ ୫୦ ଭାଗ ସୀମା ଭିତରେ ରହିବା ସମ୍ଭବ ହେବନାହିଁ। ଏଥିପାଇଁ ସବୁ ଦଳ ନିଶ୍ଚିତ ଭାବରେ ସାମ୍ବିଧାନିକ ସଂଶୋଧନ ପାଇଁ ଦାବି କରିବେ। କେବଳ କଥା ସେଇଠି ଅଟକି ଯିବନାହିଁ, ଘରୋଇ ବ୍ୟବସ୍ଥାରେ ମଧ୍ୟ ସଂରକ୍ଷଣ ଦାବି ଉଠିବ। ସମ୍ବିଧାନରେ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ଘରୋଇ ଅନୁଷ୍ଠାନ ମାନଙ୍କରେ କରାଯିବା ପାଇଁ ବ୍ୟବସ୍ଥା ଅଛି। ଏହା ଏବେ ଚାକିରୀ କ୍ଷେତ୍ରକୁ ସଂପ୍ରସାରିତ ହେବା ପାଇଁ ଆନ୍ଦୋଳନ ହେବ। ଅସଲକଥା ହେଉଛି, ଜନଗଣନା କେବେ ହେବ ତାହା ଜଣାନାହିଁ। ୨୦୨୧ର ଜନଗଣନା ଏପର୍ଯ୍ୟନ୍ତ ହୋଇନାହିଁ। କିନ୍ତୁ ଜନଗଣନା ସହିତ ଜାତି ଜନଗଣନା ହେବା କ୍ଷଣି ପରବର୍ତୀ ରାଜନୀତି ଓ ଆନ୍ଦୋଳନ ମଣ୍ଡଳ ୨.୦ ପରିବେଶକୁ ଅତ୍ୟନ୍ତ ସରଗରମ କରିଦେବ। ଏଥିରେ ରାଜନୈତିକ ବ୍ୟବସ୍ଥାରେ ଅନେକ ପରିବର୍ତନ ହେବା ନିଶ୍ଚିତ।
ମୋ- ୮୦୧୮୦୯୪୪୫୫
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।