ଦେବ ରଞ୍ଜନ
ବିଶ୍ଵ ପ୍ରସିଦ୍ଧ ଚିଲିକା ହ୍ରଦ ଲାଗି ଏବେ ଏକ ନୂଆ ବିପଦ ଆସି ପହଞ୍ଚିଛି। ତାହା ହେଉଛି ପ୍ରଦୂଷଣ। ହୁଏତ କେବେ ଏହାର ସୌନ୍ଦର୍ଯ୍ୟରେ ଅଭିଭୂତ ହୋଇ କବି ରାଧାନାଥ ଲେଖିଥିଲେ କବିତା, ‘ଉତ୍କଳ-କମଳା-ବିଳାସ-ଦୀର୍ଘିକା / ମରାଳମାଳିନୀ ନୀଳାମ୍ବୁ ଚିଲିକା’। କିନ୍ତୁ ସରକାରୀ ନିଷ୍କ୍ରିୟତା ଆଜି ଏହାକୁ ଦୂଷିତ ଚିଲିକାରେ ପରିଣତ କରିଚାଲିଛି। ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ନୀରବତା ଆମକୁ ଆଶ୍ଚର୍ଯ୍ୟ କରୁଛି।
ଗଲା ଦଶ ବର୍ଷ ହେଲା ବିଭିନ୍ନ ଗବେଷଣାତ୍ମକ ନିବନ୍ଧରେ ପ୍ରକାଶ ପାଇଆସୁଛି ଯେ ଚିଲିକାର ଜଳରାଶିରେ ସୀସା (ଲିଡ), ତମ୍ବା, ଲୁହା, କାଡମିୟମ, କୋବାଲ୍ଟ ଆଦି ଧାତବ ଦ୍ରବ୍ୟର ମାତ୍ରା ବଢ଼ିବାରେ ଲାଗିଛି। ଏହି ସମସ୍ତ ଧାତବ ଦ୍ରବ୍ୟ ଲୁଣ ଅଥବା ଚିନି ଭଳି ଜଳରେ ସଂପୂର୍ଣ୍ଣ ଦ୍ରବିଭୂତ ହୋଇନଥାଏ। ଏହା ପାଣି ଓ ମାଟିରେ ମିଶ୍ରିତ ହୋଇ ରହିଥାଏ। ତେଣୁ ଚିଲିକାରୁ ମିଳୁଥିବା ଅଥବା ଏଠାରେ ଚାଷ ହେଉଥିବା ମାଛ, କଙ୍କଡ଼ା, ଚିଙ୍ଗୁଡ଼ିଙ୍କ ଦେହକୁ ଏହା ଯିବା ସହିତ ମଣିଷ ଦେହକୁ ମଧ୍ୟ ଆସିବା ସ୍ଵାଭାବିକ।
ଚେତାବନୀର ବିଷୟ ଯେ ଏହି ସମସ୍ତ ଖଣିଜ ଦ୍ରବ୍ୟ ଅତ୍ୟଧିକ ମାତ୍ରାରେ କ୍ୟାନସର ସୃଷ୍ଟିକାରକ ଦ୍ରବ୍ୟ ବା କାର୍ସିନୋଜେନିକ ଉତ୍ପାଦକ ପଦାର୍ଥ। ପାଣି ଓ ମାଟିରେ ସୀସା ଓ ତମ୍ବା ଇତ୍ୟାଦି ଦ୍ରବ୍ୟ ଖାଦ୍ୟ ବାଟରେ ମଣିଷ ଦେହକୁ ଆସିଲେ କର୍କଟ ବେମାରୀ, ପେଟ ବେମାରୀ, ମସ୍ତିଷ୍କ ବେମାରୀ ଓ ପିଲାଙ୍କ ସ୍ମରଣ ଶକ୍ତି ଦୁର୍ବଳ ହେବା ଇତ୍ୟାଦି ବେମାରୀ ହୋଇଥାଏ।
ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟର କିଛି ବୈଜ୍ଞାନିକ ଅକ୍ଟୋବର ୨୦୧୫ରୁ ଅଗଷ୍ଟ ୨୦୧୮ ମଧ୍ୟରେ ଚିଲିକାର ବିଭିନ୍ନ ସ୍ଥାନରୁ ପାଣି ଓ ମାଟି ନେଇ ଲାବରଟୋରୀରେ ପରୀକ୍ଷା କରିଥିଲେ। ଅବଶ୍ୟ ସେମାନେ ଚିଲିକା ସମେତ ଅନ୍ୟ କେତେକ ସ୍ଥାନରୁ ମଧ୍ୟ ମାଟି ନେଇଥିଲେ। ତେବେ ଚିଲିକାରେ କ୍ରୋମିୟମ ମାତ୍ରା କମ ରହିଥିଲେ ବି ସୀସା, ତମ୍ବା ଓ ଦସ୍ତା ବା ଜିଙ୍କ ଅଧିକ ରହିଥିବା ସେମାନେ ଏହି ଲେଖା ମାଧ୍ୟମରେ ପ୍ରକାଶ କରିଛନ୍ତି। ଏହି ଲେଖା ୨୦୨୩ ମସିହାର ‘ସାଇଣ୍ଟିଫିକ ରିପୋର୍ଟସ’ରେ ପ୍ରକାଶ ପାଇଛି। ଲେଖାଟି ଅବଶ୍ୟ ଇଣ୍ଟରନେଟରେ ମୁକ୍ତରେ ଉପଲବ୍ଧ। (ଉତ୍ସ: Assessment of environmental and carcinogenic health hazards from heavy metal contamination in sediments of wetlands)
ଚିଲିକା ହ୍ରଦର ବ୍ୟାପକତାକୁ ଦେଖିଲେ ଏଭଳି ପ୍ରଦୂଷଣକୁ ବିଶ୍ଵାସ କରିହେଉନାହିଁ। ଏହା ୧୧୦୦ ବର୍ଗ କିଲୋମିଟର ବ୍ୟାପ୍ତ ଜଳରାଶି। ପ୍ରାୟ ତିନୋଟି ଜିଲ୍ଲାକୁ ଛୁଇଁଛି। ଏହାର ଚାରିପାଖରେ କେତେ ଲକ୍ଷ ମତ୍ସଜୀବୀ, ଚାଷୀ, କୃଷି ଶ୍ରମିକ ଅନ୍ୟ ପାରମ୍ପରିକ ବୃତ୍ତିର ଲୋକେ ରହୁଛନ୍ତି। ସେମାନେ ପ୍ରତ୍ୟକ୍ଷ ଅଥବା ପରୋକ୍ଷ ଭାବରେ ଚିଲିକା ଉପରେ ନିର୍ଭରଶୀଳ।
ଯଦି ଚିଲିକା ସମ୍ପର୍କରେ ଏଭଳି ଗବେଷଣାତ୍ମକ ନିବନ୍ଧକୁ ଆଜି ଗୁରୁତ୍ଵର ସହିତ ନିଆଯିବ ନାହିଁ ତେବେ କେବେ ନିଆଯିବ? ଆଜି ବଢୁଥିବା ଧାତବ ଦ୍ରବ୍ୟ ହେତୁ ଯଦି ଆସନ୍ତା କାଲି ବିଦେଶରେ ଚିଲିକାରୁ ଉତ୍ପାଦିତ ଚିଙ୍ଗୁଡ଼ି, କଙ୍କଡ଼ା ଓ ମାଛର ଆମଦାନୀକୁ ନିଷେଧ କରିଦିଆଯାଏ ତେବେ ଏହା ଉପରେ ନିର୍ଭରଶୀଳ ଅନେକ ପରିବାର ନିଜର ବୃତ୍ତି ହରାଇବେ। ଏହାପରେ ଦେଶ ମଧ୍ୟରେ ଏହାର ବଜାର ମଧ୍ୟ ବନ୍ଦ ହୋଇଯିବ। ଅଥଚ କୌଣସି ସ୍ତରରେ ତତ୍ପରତା ପ୍ରକାଶ ନପାଇବା ଏକ ଆଶ୍ଚର୍ଯ୍ୟର ବିଷୟ।
୨୦୧୭ ମସିହାରେ ଠିକ ଏହି ଭଳି ‘କରେଣ୍ଟ ସାଇନ୍ସ’ ପତ୍ରିକାରେ ପ୍ରକାଶିତ ଏକ ନିବନ୍ଧକୁ ଇଣ୍ଡିଆନ ଏକ୍ସପ୍ରେସ ସମ୍ବାଦ କରିଥିଲା। ସେ ସମୟରେ ବୈଜ୍ଞାନିକମାନେ ବାଲୁଗାଁ, କଳୁପଡ଼ାଘାଟ ଓ ରମ୍ଭା ଅଞ୍ଚଳରୁ ନମୁନା ବା ସାମ୍ପଲ ନେଇଥିଲେ। ସେମାନେ ଦର୍ଶାଇଥିଲେ ଯେ କାଳୁପଡ଼ାଘାଟ ଅଞ୍ଚଳରେ ସର୍ବାଧିକ ଲୁହା ଓ ସୀସା ବା ଲିଡ ମିଳୁଛି। ସେହିଭଳି ସେମାନେ ଦର୍ଶାଇଛନ୍ତି ଯେ ରମ୍ଭାରେ କୋବାଲ୍ଟର ମାତ୍ରା ଅଧିକ ଓ ବାଲୁଗାଁ ଅଞ୍ଚଳରେ ତମ୍ବା ବା କପରର ମାତ୍ରା ଅଧିକ। କିନ୍ତୁ ସମଗ୍ର ଚିଲିକାରେ ସୀସା (ଲିଡ), ତମ୍ବା, ଲୁହା, କାଡମିୟମ, କୋବାଲ୍ଟର ମାତ୍ରା ବଢ଼ିବାରେ ଲାଗିଥିବା କଥା ସେମାନେ ୨୦୧୭ ମସିହାରେ ଦର୍ଶାଇଥିଲେ। (‘Metal threat heavy in Chilika Lake’ / The New Indian Express / 11 January 2017)
୨୦୧୭ ମସିହାର ଉକ୍ତ ନିବନ୍ଧରେ ସେମାନେ କେଉଁ ସମୟରେ ନମୁନା ନେଇଥିଲେ ସେ ସମ୍ବନ୍ଧରେ ଇଣ୍ଡିଆନ ଏକ୍ସେପ୍ରେସ ନ୍ୟୁଜରେ ଉଲ୍ଲେଖ ନାହିଁ। ନିଶ୍ଚୟ କିଛି ବର୍ଷ ପୂର୍ବରୁ ଏହା ନିଆଯାଇଥିବ। କାରଣ ଲାବରେଟୋରୀରେ ଏହାର ପରୀକ୍ଷା କରିବା ଓ ରେଜଲ୍ଟ ଆସିବାକୁ ସମୟ ଲାଗିଥାଏ।
ଫେବୃଆରୀ ୨୦୧୯ରେ ‘ସାଇନ୍ସ ଡାଇରେକ୍ଟ’ ଚିଲିକା ସମ୍ବନ୍ଧରେ ପୁଣି ଏକ ଗବେଷଣାତ୍ମକ ନିବନ୍ଧ ପ୍ରକାଶ କରୁଛନ୍ତି। ସେମାନେ କିନ୍ତୁ ଏଥର ନମୁନା ସାତପଡ଼ା ଓ ନଳବଣ ଅଞ୍ଚଳରୁ ନେଇଛନ୍ତି। ଏହି ନିବନ୍ଧର ମଧ୍ୟ ସମାନ ଯୁକ୍ତି ରହୁଛି। ଏହି ନିବନ୍ଧର ଯୁକ୍ତି ହେଉଛି ଯେ ପୂର୍ବ ଚିଲିକାରେ ମଧ୍ୟ ଧାତବ ଦ୍ରବ୍ୟ ଅଧିକ ମିଳୁଛି। ଯେପରିକି ସେମାନଙ୍କ ଗବେଷଣା କହୁଛି ଯେ ନମୁନା ନିଆଯାଇଥିବା ଅଞ୍ଚଳରେ ସବୁଠାରୁ ଅଧିକ ଲୁହା, ତାପରେ ମାଙ୍ଗାନିଜ ଓ ଏହା ପରେ ତମ୍ବା ଓ ଶେଷରେ କାଡମିୟମ (Fe > Mn > Cu > Pb > Zn > Ni > Co > Cd) ରହିଛି। (ଉତ୍ସ: Heavy metal fractionation in core sediments and potential biological risk assessment from Chilika lagoon, Odisha state, India)
ତେଣୁ ୨୦୧୭, ୨୦୧୯ ଓ ୨୦୨୩ ମସିହାରେ ପ୍ରକାଶିତ ସମସ୍ତ ନିବନ୍ଧ ସେହି ସମାନ କଥା କହୁଛନ୍ତି ଯେ ଚିଲିକା ଜଳ ଓ ମାଟିରେ ଧାତବ ଦ୍ରବ୍ୟ ମିଳୁଛି। ହୁଏତ ଏହା ହୋଇପାରେ ଯେ ମଣିଷର ସହନସୀମା ବା ଟକ୍ସିସିଟି ରେଫେରେନ୍ସ ଭାଲ୍ୟୁ (ଟିଆରଭି) ର ନିମ୍ନରେ ଏବେ ଧାତବ ଦ୍ରବ୍ୟ ରହିଛି। କିନ୍ତୁ ଏହାକୁ ମଧ୍ୟ ସ୍ଵୀକାର କରିବା ଆବଶ୍ୟକ ଯେ ଏହାର ମାତ୍ରା ବଢ଼ିବାରେ ଲାଗିଛି। ଯେବେ ଟିଆରଭି ଠାରୁ ଅଧିକ ସୀସା, ତମ୍ବା, ମାଙ୍ଗାନିଜ ଇତ୍ୟାଦି ମିଳିବ ସେତେବେଳେ ସରକାରଙ୍କ ଦ୍ଵାରା କଣ ପଦକ୍ଷେପ ନିଆଯିବ? ଚିଲିକା କୌଣସି ଛୋଟ ପୋଖରୀ ତ ନୁହେଁ ଯେ ଏହାର ଜଳକୁ ନିଷ୍କାସନ କରି ପୁଣି ଉତ୍ତମ ଜଳରେ ଭରି ଦିଆଯିବ!
ଉପରୋକ୍ତ ତିନି ନିବନ୍ଧରେ ସେହି ସମାନ ଯୁକ୍ତି କରାଯାଉଛି ଯେ ମହାନାଦୀ ଅବବାହିକାରେ ହେଉଥିବା ସହରୀକରଣ, ଶିଳ୍ପ କାରଖାନାର ବର୍ଜ୍ୟବସ୍ତୁ କ୍ରମଶଃ ଚିଲିକା ମଧ୍ୟକୁ ଆସୁଛି। ଭୁବନେଶ୍ୱରର ବର୍ଜ୍ୟବସ୍ତୁ ଗାଙ୍ଗୁଆ ନଦୀ ଦେଇ ଚିଲିକାରେ ମିଶୁଥିବା କଥା ପ୍ରକାଶିତ ହେବାରେ ଲାଗିଛି। ଏଠାରେ ଜାଣିବା କଥା ଯେ ଚିଲିକାରେ ମିଳୁଥିବା ଧାତବ ଦ୍ରବ୍ୟ କୌଣସି ଝରଣା ବା ପ୍ରାକୃତିକ ସ୍ରୋତରୁ ମିଳିନଥାଏ। ତମ୍ବା, ଜିଙ୍କ, ସୀସା, କାଡମିୟମ ଇତ୍ୟାଦି ଦ୍ରବ୍ୟ କେବଳ ଶିଳ୍ପ କାରଖାନର ବର୍ଜ୍ୟବସ୍ତୁ ମଧ୍ୟରୁ ମିଳିଥାଏ।
ଚିଲିକା ପରିବେଶ ଦୃଷ୍ଟି କୋଣରୁ ଏକ ଅତି ସଂବେଦନଶୀଳ ସ୍ଥାନ। ଏହାର ସୁରକ୍ଷା କରିବା ଲାଗି ଭାରତ ୧୯୮୧ ମସିହାରେ ରାମସର ଚୁକ୍ତିରେ ସ୍ଵାକ୍ଷର କରିଥିଲା। ଓଡ଼ିଶାର ଏହିପରି ଅନ୍ୟ କେତେକ ଅଞ୍ଚଳ ମଧ୍ୟ ରହିଛି ଯେମିତି କି ଅଂଶୁପା ହ୍ରଦ, ହୀରାକୁଦ ଜଳଭଣ୍ଡାର, ଭିତରକନିକା ଇତ୍ୟାଦି। କିନ୍ତୁ ଆଜି ବି କୌଣସି ସରକାର ଚିଲିକାର ସୁରକ୍ଷା ଦିଗରେ ଆଦୌ ନିଜର ଇଚ୍ଛା ଦେଉନାହାନ୍ତି। ସେମାନେ ଜାଣୁଛନ୍ତି ଯେ ଏ ଦିଗରେ ସେମାନେ କିଛି ଦୃଢ଼ ପଦକ୍ଷେପ ନେଇପାରିବେ ନାହିଁ।
ଆଶ୍ଚର୍ଯ୍ୟର ବିଷୟ ଯେ ଚିଲିକାରେ ମତ୍ସ୍ୟଜୀବୀ ମହାସଙ୍ଘ ରହିଛି। ନବେ ଦଶକରେ ଏହି ମହାସଂଘର ସମସ୍ତ ମତ୍ସଜୀବୀ ଟାଟା କମ୍ପାନୀ ବିରୁଦ୍ଧରେ ସକ୍ରିୟ ଲଢ଼େଇ ଲଢ଼ିଥିଲେ। ଏହି ହେତୁ ଟାଟା କମ୍ପାନୀ ଚିଲିକାରେ ଚିଙ୍ଗୁଡ଼ି ଚାଷ ପ୍ରକଳ୍ପକୁ ବାତିଲ କରିବା ଲାଗି ବାଧ୍ୟ ହୋଇଥିଲା। ଚିଲିକାକୁ ଚିଙ୍ଗୁଡ଼ି ଘେରି ମୁକ୍ତ କରିବା ଲାଗି କରିଥିବା ଆନ୍ଦୋଳନ ହେତୁ ଏହି ସଂଘର ଚାରି ଜଣ ସଦସ୍ୟ ପୁଲିସ ଗୁଳିରେ ଜୀବନ ଦେଇଥିଲେ। ସେହି ବିରାଟ ସଂଗଠନ ଆଜି ନୀରବ ହୋଇଯାଇଛି।
ଦେଶର ବିକାଶ ଯେ ଶିଳ୍ପ କାରଖାନ ଦ୍ଵାରା ହେବ ବୋଲି ଏହି କଥା ଦିନେ ସରକାର ବିଶ୍ୱାସ କରିଥିଲେ। ନେହେରୁଭିଆନ ଅର୍ଥନୀତିର ଏହା ମୂଳ ପ୍ରସଙ୍ଗ ଥିଲା। ସତୁରୀ ବର୍ଷ ପରେ ଆଜି ସରକାର ସେହି ଶିଳ୍ପ କାରଖାନର ମାଲିକଙ୍କ କର୍ତ୍ତୃତ୍ଵ ମଧ୍ୟକୁ ଏଭଳି ଚାଲିଯାଇଛନ୍ତି ଯେ ସେ ସବୁକଥା ଜାଣି ମଧ୍ୟ ଅଜଣା ଭଳି ରହୁଛନ୍ତି। ନା ଶିଳ୍ପ କାରଖାନା ଯେଉଁମାନେ ଅଧିକ ପ୍ରଦୂଷଣ କରୁଛନ୍ତି ତାହାକୁ ବନ୍ଦ କରିପାରୁଛନ୍ତି ନା ନିଜର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଦୁର୍ନୀତି ମୁକ୍ତ କରିପାରୁଛନ୍ତି ନା ପ୍ରଦୂଷଣ ରୋକିବା ଲାଗି ନୂଆ ଆଇନ ପ୍ରଣୟନ କରିପାରୁଛନ୍ତି। ଯଦି ଏହି ମାନସିକତା ସମସ୍ତ ନିର୍ବାଚିତ ସରକାରମାନଙ୍କର ରୁହେ ତେବେ ଆଗାମୀ ଦିନରେ ଚିଲିକା କେବଳ ବର୍ଜ୍ୟବସ୍ତୁର ଡମ୍ପିଂ ହ୍ରଦ ହୋଇରହିଯିବ। ସେଭଳି ହେବା ପୂର୍ବରୁ ଲୋକଙ୍କ ସ୍ଵର ଉଠିବା ଜରୁରୀ।
ମୋବାଇଲ - ୯୪୩୭୭୬୨୨୭୨
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।