/odisha-reporter/media/post_attachments/uploads/2020/03/lockdown.jpg)
lockdown
ଦେବେନ୍ଦ୍ର ପୃଷ୍ଟି
କରୋନା ବିରୋଧୀ ଲଢ଼େଇରେ ସଙ୍ଗରୋଧ ଓ ତାଲାବନ୍ଦ ଯୋଗୁଁ ଗୃହବନ୍ଦୀ ହୋଇଯାଇଛନ୍ତି ଅନେକ ଲୋକ। ସେମାନଙ୍କ ମଧ୍ୟରେ ଧନୀ ତ ଅଛନ୍ତି, ଗରୀବ ବି ଅଛନ୍ତି। ଅଛନ୍ତି ମଧ୍ୟ ମଧ୍ୟବିତ୍ତ। ବିଶ୍ୱରେ ଧନୀଙ୍କ ସଂଖ୍ୟା ଅଳ୍ପ। ଗରିବଙ୍କ ସଂଖ୍ୟା ଅଧିକ। ଭାରତ ଓ ଓଡ଼ିଶାରେ ବି ସମାନ ସ୍ଥିତି। ଓଡ଼ିଶାରେ ଏଯାଏଁ ଚିହ୍ନଟ ହୋଇଛନ୍ତି ୨ ଜଣ କରୋନା ଆକ୍ରାନ୍ତ ରୋଗୀ। ଦୁହେଁ ସମାଜର ଉଚ୍ଚ ବର୍ଗର। ଜଣେ ଇଟାଲୀରୁ ଦିଲ୍ଲୀ ଦେଇ ଭୁବନେଶ୍ୱର ଫେରିଛନ୍ତି। ଆର ଜଣକ ଇଂଲଣ୍ଡରେ ପଢ଼ୁଥିଲେ, ଘରକୁ ଫେରିଛନ୍ତି। ଏଇଭଳି ଧନୀ ଓ ଉଚ୍ଚ ବର୍ଗର ଲୋକଙ୍କ ପାଇଁ ଲଢ଼େଇରେ ସାମିଲ ହୋଇଛନ୍ତି ଅନେକ ଗରୀବ। ସେମାନେ ଏବେ ଗୃହବନ୍ଦୀ ଓ ରୋଜଗାରହୀନ। କିଏ ଦେବ କ୍ଷତିପୂରଣ? ଚୀନ ନା ଆମେରିକା? ଭାରତ ସରକାର ନା ଓଡ଼ିଶା ସରକାର?
ଚୀନ ହେଉଛି ବିଶ୍ୱର ଏକ ଧନୀ ଦେଶ। ହୁବେଇ ପ୍ରଦେଶ ହେଉଛି ଚୀନର ଏକ ଧନୀ ରାଜ୍ୟ। ଏହି ଧନୀ ରାଜ୍ୟର ରାଜଧାନୀ ଉହାନ ହେଉଛି ଏକ ଧନୀ ସହର। ଏହି ସହରରେ ବସବାସ କରନ୍ତି ୧.୧୧ କୋଟି ଲୋକ। ସହରଟି ଶିଳ୍ପ ଓ ବାଣିଜ୍ୟ ପାଇଁ ପ୍ରସିଦ୍ଧ। ଏହି ସହରରୁ ସମଗ୍ର ବିଶ୍ୱକୁ ବ୍ୟାପିଛି ନଭେଲ କରୋନା ଭୂତାଣୁ ବା କୋଭିଡ-୧୯। ଏବେ ସୁଦ୍ଧା ଚୀନରେ ୮୧,୬୦୦ ଲୋକ କରୋନାକ୍ରାନ୍ତ ଚିହ୍ନଟ ହେଲେଣି। ସେମାନଙ୍କ ମଧ୍ୟରୁ ଭଲ ହେଲେଣି ୭୨,୮୪୧। ମରିଛନ୍ତି ୩୨୭୮।
କରୋନା ଜନିତ ମୃତ୍ୟୁ ପରିସଂଖ୍ୟାନରେ ଇଟାଲୀ ସବା ଉପରେ। ଏଇ ଧନୀ ଦେଶରେ ଏବେ ସୁଦ୍ଧା ୫୯,୧୩୮ ଜଣ କରୋନାକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରାଣ ହରାଇଲେଣି ୫୪୭୬। ଇଟାଲୀରେ କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ହେଉଛି ୭୦୨୪।
କରୋନାର ତୃତୀୟ ସର୍ବାଧିକ ଶିକାର ହୋଇଛି ସ୍ପେନ, ୟୁରୋପର ଅନ୍ୟତମ ସମୃଦ୍ଧ ଦେଶ। ସ୍ପେନର ୨୯,୯୦୯ ଜଣ କରୋନାକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ମୃତ୍ୟୁବରଣ କରିଛନ୍ତି ୧୮୧୩। ଭଲ ହୋଇଛନ୍ତି ୨୫୭୫।
କରୋନାର ଚତୁର୍ଥ ସର୍ବାଧିକ ଶିକାର ହେଉଛି ଇରାନ, ଏସିଆର ଏକ ଧନୀ ଓ ବିକଶିତ ରାଷ୍ଟ୍ର। ଇରାଜନରେ ଏଯାଏଁ ୨୧,୬୩୮ ଜଣ କରୋନାକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ମୃତ୍ୟୁବରଣ କରିଛନ୍ତି ୧୬୮୫। ଭଲ ହୋଇଛନ୍ତି ୭୯୧୩।
ବିଶ୍ୱର ସବୁଠୁ ଧନୀ ଓ ବିତ୍ତଶାଳୀ ରାଷ୍ଟ୍ର ଆମେରିକାରେ ଏଯାଏଁ ୩୫,୦୭୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରାଣ ହରାଇଛନ୍ତି ୪୫୮। ଆମେରିକାରେ କରୋନାରୁ ସୁସ୍ଥ ହେଲେଣି ୧୭୮।
ଏଭଳି ଧନୀ ଦେଶ ସବୁ ଏଇ ରୋଗ ପାଇଁ ଆତଙ୍କିତ। କାରଣ ଏହାର ଔଷଧ ଏଯାଏଁ ବାହାରିନାହିଁ। ଏହାର ଟୀକା ମଧ୍ୟ ନାହିଁ। ଉପଯୁକ୍ତ ଚିକିତ୍ସା ଯୋଗୁଁ ଯଦିଓ ଅଧିକ ଲୋକ ଏହି ରୋଗରୁ ସଂପୂର୍ଣ୍ଣ ସୁସ୍ଥ ହୋଇସାରିଲେଣି ତଥାପି ଏହାର ସଂକ୍ରମଣ ସହଜ ହୋଇଥିବାରୁ ସରକାର ସବୁ ଚିନ୍ତିତ। ଲୋକମାନେ ଆତଙ୍କିତ। କରୋନା ସଂକ୍ରମଣ ରୋକିବା ପାଇଁ ବିଶ୍ୱର ବହୁ ଦେଶ ସହ ମିଶି ଭାରତ ସରକାର ମଧ୍ୟ ତାଲାବନ୍ଦ ଓ ସାମାଜିକ ଏକାନ୍ତବାସ ବା ସଙ୍ଗରୋଧ ଉପାୟ ଅବଲମ୍ବନ କରିଛନ୍ତି। କାରଣ ସଂକ୍ରମଣ ରୋକିବା ପାଇଁ ଏବେ ଆଉ ପ୍ରାୟ ଅନ୍ୟ ଉପାୟ କିଛି ନାହିଁ। ତେବେ, ଏହି ଉପାୟ ସାମଗ୍ରିକ ଭାବେ ସମାଜ ପାଇଁ ଏକ ଉପକାର ହୋଇଥିବାବେଳେ ଅନେକ ଲୋକଙ୍କ ପାଇଁ ଏହା ଏକ ଭୟଙ୍କର ଆର୍ଥିକ ଅପକାରରେ ପରିଣତ ହୋଇଛି। ଭାରତ ସରକାରଙ୍କ ଘୋଷଣା ଅନୁସାରେ କେହି ଯଦି କରୋନା ସଂକ୍ରମିତ ହୋଇଥାନ୍ତି ତେବେ ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ। ଯଦି ତାଙ୍କର ମୃତ୍ୟୁ ହୁଏ ତେବେ ତାଙ୍କ ପରିବାର ୪ ଲକ୍ଷ ଟଙ୍କାର ସହାୟତା ପାଇବେ। ଧନୀଦରିଦ୍ର ନିର୍ବିଶେଷରେ ଏହା ସମସ୍ତଙ୍କ ପାଇଁ ସମାନ। କିନ୍ତୁ ସଙ୍ଗରୋଧ ଓ ତାଲାବନ୍ଦର କୁପ୍ରଭାବ ଭୋଗିବେ କେବଳ ଗରୀବ ଦିନ ମଜୁରୀଆ।
ଏହି କରୋନା-ଯୁଦ୍ଧରେ ଦୈନିକ ନିଯୁକ୍ତି ସୁଯୋଗ ଓ ମଜୁରୀ ହରାଇଛନ୍ତି ଅନେକ ଦିନ ମଜୁରୀଆ, ଘରୋଇ କ୍ଷେତ୍ରର ଅସ୍ଥାୟୀ କର୍ମଚାରୀ, ରାସ୍ତାକଡ଼ ଉଠା ଦୋକାନୀ ଏବଂ ଅସଂଗଠିତ କ୍ଷେତ୍ରର ଅନେକ ଶ୍ରମିକ। ତାଲାବନ୍ଦ ଓ ସଙ୍ଗରୋଧରେ ଧନୀ ଓ ମଧ୍ୟବିତ୍ତ ବର୍ଗର ବିଶେଷ କ୍ଷତି ହେବନାହିଁ। ସେମାନେ ଏହା ସହି ପାରିବେ। ବରଂ ସେମାନଙ୍କ ବ୍ୟସ୍ତ ଜୀବନରେ ପିଲାପରିବାର ପାଇଁ ସମୟ ଦେଇପାରୁ ନଥିଲେ। ଏବେ ତାଲାବନ୍ଦ ଓ ସଙ୍ଗରୋଧ ଯୋଗୁଁ ଘରେ ପିଲାପରିବାରଙ୍କ ପାଇଁ ସମୟ ଦେଇପାରିବେ। ଖୁସି ହୋଇପାରିବେ। ସେମାନଙ୍କ ମଧ୍ୟରେ ସଂପର୍କ ସୁଦୃଢ଼ ହେବ।
କିନ୍ତୁ ଯେଉଁମାନେ ଦୈନିକ ମଜୁରୀ ଉପରେ ନିର୍ଭର କରନ୍ତି, ଯେଉଁମାନଙ୍କର ଚାକିରି ସାମୟିକ ବା ଅସ୍ଥାୟୀ, ଯେଉଁମାନେ ରାସ୍ତାକଡ଼ରେ, ହାଟବଜାରରେ ଅସ୍ଥାୟୀ ଉଠାଦୋକାନ କରି ଗୁଜୁରାଣ ମେଣ୍ଟାନ୍ତି ସେମାନଙ୍କ ପାଇଁ ତାଲାବନ୍ଦ ଓ ସଙ୍ଗରୋଧ ଭୟଙ୍କର ପାରିବାରିକ ଓ ଆର୍ଥିକ ସମସ୍ୟାରେ ପରିଣତ ହୋଇପାରେ। ଏହି ବର୍ଗର ଲୋକମାନେ ଘରେ ରହି ରୋଜଗାର ହରାଇବେ। ରୋଜଗାର ହରେଇବା ଯୋଗୁଁ ପରିବାର ପ୍ରତିପୋଷଣ କରିବା କଷ୍ଟକର ହେବ। ଅଭାବୀ ଘରର ମୁରବୀ ଘରେ ବସି ରହିଲେ ପତ୍ନୀ ଓ ପିଲାଛୁଆଙ୍କଠାରୁ ଅନେକ କଥା ଶୁଣିପାରନ୍ତି। ଏଭଳି ପରିବାର ବହୁ ସମୟ ଏକାଠି ରହିଲେ ସେମାନଙ୍କ ମଧ୍ୟରେ ସ୍ୱର୍ଗ ସୁଖ ବିଷୟରେ ପ୍ରାୟ ଆଲୋଚନା ହୋଇନଥାଏ। ଅଧିକ ଆଲୋଚନା ହୋଇଥାଏ ଜୀବନର ବାସ୍ତବତା ନେଇ। ସେମାନଙ୍କ ପାଇଁ ଏ ବାସ୍ତବତା ଆଦୌ ସୁଖକର ନୁହେଁ।
ଏଭଳି ଲୋକମାନଙ୍କୁ ଘରେ ରହିବା ପାଇଁ ସରକାର ପର୍ଯ୍ୟାପ୍ତ ଆର୍ଥିକ ସହାୟତା ଯୋଗାଇଦେବା ଦରକାର। ଉତ୍ତର ପ୍ରଦେଶ ସରକାର ଏଭଳି ଲୋକଙ୍କ ପାଇଁ ମାଗଣାରେ ମାସକର ରାସନ ବ୍ୟବସ୍ଥା କରିଛନ୍ତି। ଏହା ସହିତ ସବୁ ଶ୍ରମିକଙ୍କୁ ମାସିକ ୧୦୦୦ ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଦିଲ୍ଲୀ ସରକାର ମାସିକ ୭ କିଲୋ ଗହମ ଓ ୫ କିଲୋ ଚାଉଳ ମାଗଣା ଦେବେ। କେରଳ ସରକାର ଏହି ବର୍ଗ ପାଇଁ ମାଗଣା ଖାଦ୍ୟ ବ୍ୟବସ୍ଥା କରିଛନ୍ତି। ରାଜସ୍ଥାନ ସରକାର ସମସ୍ତ ଗରୀବଙ୍କ ପାଇଁ ମାଗଣା ଗହମ ଏବଂ କର୍ଣ୍ଣାଟକ ସରକାର ସମସ୍ତ ବିପିଏଲଙ୍କୁ ୨ ମାସ ପାଇଁ ମାଗଣାରେ ମାସିକ ୧୦ କିଲୋ ଚାଉଳ ଓ ୨ କିଲୋ ଗହମ ଦେବେ। ଓଡ଼ିଶା ସରକାର ରାଜ୍ୟର ଗରୀବ ଓ ଦିନ ମଜୁରୀଆଙ୍କ ପାଇଁ କିଛି ସ୍ୱତନ୍ତ୍ର ସହାୟତା ଘୋଷଣା କରିନାହାନ୍ତି। ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଓ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ହିତାଧିକାରୀମାନେ ଯାହା ପାଇବାର ଥିଲା ତାହାକୁ ଏକାଥରକେ ୪ ମାସ ପାଇଁ ଅଗ୍ରୀମ ଦେଉଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
