Postal Parcel
ଦେବ ରଞ୍ଜନ
ପୋଷ୍ଟାଲ ବିଭାଗର କର୍ମଚାରୀଙ୍କୁ ନେଇ ଆମର ଅନେକ ସକାରାତ୍ମକ ଅନୁଭୂତି ରହିଛି। ପ୍ରତିଦିନ ଆମେ ଅପେକ୍ଷା କରିରହୁଥିଲୁ ଯେ ହୁଏତ କାହାଠାରୁ ଚିଠି ବା ମଗାଇଥିବା ପତ୍ରପତ୍ରିକା କି ପୁସ୍ତକଟିଏ ଆସିଯିବ। ପୋଷ୍ଟାଲ କର୍ମଚାରୀମାନେ ମଧ୍ୟ ଅତ୍ୟନ୍ତ ସାଧୁତାର ସହିତ ଆମ ଉତ୍କଣ୍ଠାକୁ ପୂରଣ କରୁଥିଲେ। ସେମାନେ ଗ୍ରାମାଞ୍ଚଳରେ ଠିକ ଭାବରେ ପୁସ୍ତକ, ପତ୍ରିକା, ଚିଠି, ପାର୍ସଲ ଇତ୍ୟାଦି ପହଞ୍ଚାଇ ଦେଉଥିଲେ। ସହରରେ ମଧ୍ୟ। ତେଣୁ ଅପରାହ୍ନ ହେଲେ ଏକ ଅପେକ୍ଷା ରହୁଥିଲା।
ଏହି କାରଣରୁ ପୋଷ୍ଟାଲ କର୍ମଚାରୀ ଅନେକ ଗଳ୍ପ, ନାଟକ, ଫିଲ୍ମ ଓ ଉପନ୍ୟାସର ଚରିତ୍ର ହୋଇଛନ୍ତି। କ୍ରମଶଃ କିନ୍ତୁ ଇଣ୍ଟରନେଟ ସଂଯୁକ୍ତ ମୋବାଇଲ ଫୋନ ଆସିବା ପରେ କୁହାଗଲା ଯେ ପୋଷ୍ଟାଲ ବିଭାଗର ଚାହିଦା ରହିଲା ନାହିଁ। ସେଭଳି ଯୁକ୍ତି ସ୍ଵାଭାବିକ ଥିଲା। କାରଣ ଏହାଦ୍ୱାରା ବିରାଟ ଷଡ଼ଯନ୍ତ୍ରକୁ ଲୁଚାଇ ଦିଆଗଲା।
କେନ୍ଦ୍ର ସରକାରଙ୍କ ପୋଷ୍ଟାଲ ବିଭାଗ ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ରେଜିଷ୍ଟ୍ରି ପାର୍ସଲ ବ୍ୟବସ୍ଥାକୁ ବନ୍ଦ କରିବାର ନିଷ୍ପତ୍ତି ନେଇଛି। ଏହା ପୂର୍ବରୁ ପୋଷ୍ଟାଲ ବିଭାଗ ରେଜିଷ୍ଟ୍ରି ପୁସ୍ତକ ବ୍ୟବସ୍ଥାକୁ ମଧ୍ୟ ବନ୍ଦ କରିଦେଇଥିଲେ। ତାହା ପୂର୍ବରୁ ବିଭାଗ ଖବରକାଗଜ ଓ ପତ୍ରିକାମାନଙ୍କର ଡାକ ‘ପିରିଓଡିକାଲ୍ସ’ ବ୍ୟବସ୍ଥାକୁ ମଧ୍ୟ ଉଠାଇଦେଇଥିଲେ। ଏହି ସମସ୍ତ ବ୍ୟବସ୍ଥା ବାଦ ହେବା ଦ୍ୱାରା ପୁସ୍ତକ ଓ ପତ୍ରିକା ପଠାଇବା ଖର୍ଚ୍ଚ ଏହାପରେ ଅତ୍ୟଧିକ ବଢ଼ିଯିବ। ଏଥିରେ ପାଠକ ସଂଖ୍ୟା କମିବା ନିଶ୍ଚିତ। ଏହା ସହିତ ପୋଷ୍ଟାଲ ବିଭାଗ ନିଜର ଆବଶ୍ୟକତା କ୍ଷେତ୍ରରେ ଆହୁରି ପଛକୁ ଚାଲିଯିବ।
ଏହି ତିନି ବ୍ୟବସ୍ଥା (ରେଜିଷ୍ଟ୍ରି ପାର୍ସଲ, ରେଜିଷ୍ଟ୍ରି ପୁସ୍ତକ ଓ ‘ପିରିଓଡିକାଲ୍ସ’) ଉପନିବେଶ ସମୟରୁ ରହିଆସିଥିଲା। ଦେଶ ସ୍ଵାଧୀନ ହେବା ପରେ ଅନେକ ଖବରକାଗଜ, ପତ୍ରପତ୍ରିକା ଓ ପୁସ୍ତକ ଛପା ହେଲା। ପୁସ୍ତକ ପଠନ ଲାଗି ଏକଦା ବିଜ୍ଞାପନ ମାଧ୍ୟମରେ ପ୍ରୋତ୍ସାହିତ କରାଯାଉଥିଲା। ମନେ କରାଯାଉଥିଲା ଯେ ପୁସ୍ତକ ପଢ଼ିଲେ ଲୋକଙ୍କ ମଧ୍ୟରେ ବୈଜ୍ଞାନିକ ଆଚରଣ ବଢ଼ିବ ଓ ଲୋକେ ଅନ୍ଧବିଶ୍ଵାସରୁ ଦୂରରେ ରହିବେ।
ପୋଷ୍ଟାଲକୁ ଏକ ବ୍ୟାବସାୟିକ ସଂସ୍ଥା ଭାବରେ ନଦେଖି ଏହାକୁ ସେବା ଯୋଗାଉଥିବା ସଂସ୍ଥା ଭାବରେ ନବେ ଦଶକ ପର୍ଯ୍ୟନ୍ତ ଦେଖାଯାଉଥିଲା। କିନ୍ତୁ ଆର୍ଥିକ ସଂସ୍କାର ପରେ ପୋଷ୍ଟାଲ ବିଭାଗ ପ୍ରତି ପ୍ରାଇଭେଟ କୋରିୟର କମ୍ପାନୀମାନଙ୍କ ଶାଗୁଣା ଦୃଷ୍ଟି ପଡ଼ିଲା। ଏବେ କେନ୍ଦ୍ର ସରକାର ବାରମ୍ବାର ଏହି ନିଜର ଏହି ବିଭାଗ ଉପରେ ନିଜେ କୁରାଢ଼ି ମାରିଚାଲିଛନ୍ତି।
ପିରିଓଡିକାଲ୍ସ ବ୍ୟବସ୍ଥାର ଉଚ୍ଛେଦ
ସ୍ଵାଧୀନତା ପରେ ପୁରୁଣା ‘ପ୍ରେସ ଆଣ୍ଡ ରେଜିଷ୍ଟ୍ରେଶନ ଅଫ ବୁକ୍ସ ଆକ୍ଟ’ ଅନୁସାରେ ଏକ ଲକ୍ଷରୁ ଉର୍ଦ୍ଧ ଖବରକାଗଜ ଓ ପତ୍ରିକା ରେଜିଷ୍ଟ୍ରି ହୋଇଥିଲେ। ଉକ୍ତ ରେଜିଷ୍ଟ୍ରି ହୋଇଥିବା ଖବରକାଗଜ ବା ପତ୍ରିକା ନିଜର ପ୍ରକାଶନ ସମୟ ଅନୁସାରେ ପୋଷ୍ଟାଲ ବିଭାଗ ନିକଟରେ ନିଜର ପ୍ରିଣ୍ଟକୁ ପହଞ୍ଚାଉଥିଲେ। ପୋଷ୍ଟାଲ ବିଭାଗ ଅତି ସ୍ୱଳ୍ପ ମୂଲ୍ୟର ଡାକଟିକଟ ବିନିମୟରେ ଏହାକୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଉଥିଲେ। ଏହାଦ୍ୱାରା ପାଠକ ଶସ୍ତାରେ ଅନେକ ପତ୍ରିକା ଓ ଖବରକାଗଜ ପାଉଥିଲେ। କେନ୍ଦ୍ର ସରକାର କିନ୍ତୁ ସେହି ବ୍ୟବସ୍ଥାକୁ ୨୦୨୩ ମସିହାରେ ଉଠାଇଦେଲେ। ଫଳରେ ଅନେକ ପତ୍ରିକା ଆଜି ‘ପିରିଓଡିକାଲ୍ସ’ ବ୍ୟବସ୍ଥାରୁ ବଞ୍ଚିତ ହୋଇ ସାଧାରଣ ‘ବୁକପୋଷ୍ଟ’ରେ ପହଞ୍ଚାଉଛନ୍ତି। ଏଥିରେ ଅଧିକ ଖର୍ଚ୍ଚ ହେଉଛି।
ପ୍ରତ୍ୟେକ ପତ୍ରିକାର ପ୍ରକାଶକ ନିଜର ଏକ ସ୍ଵତନ୍ତ୍ର ପାଠକ ସଂଖ୍ୟାକୁ ଦେଖି ପତ୍ରିକା ଛାପିଥାନ୍ତି। ପାଠକ ନିକଟରେ ସହଜରେ ପତ୍ରିକା ପହଞ୍ଚିବା ଦ୍ଵାରା ପଢ଼ିବାର ପରିବେଶ ମଧ୍ୟ ରହିଥିଲା। କୌଣସି ପତ୍ରିକାର ଗ୍ରାହକ ହେଲେ ଦେଶର ଯେ କୌଣସି ଅଞ୍ଚଳରେ ତାହା ପ୍ରକାଶିତ ହୋଇଥାଉ ନା କାହିଁକି ତାହା ଅନ୍ତତଃ ନିଜ ଠିକଣାରେ ଆସି ପହଞ୍ଚୁଥିଲା।
କେନ୍ଦ୍ର ସରକାରଙ୍କ ‘ପିରିଓଡିକାଲ୍ସ’ ବ୍ୟବସ୍ଥାକୁ ବନ୍ଦ କରିବା ଦ୍ଵାରା ପତ୍ରିକା ପ୍ରକାଶନ କ୍ରମଶଃ ଅନିୟମିତ ହୋଇଛି। ସେମାନଙ୍କୁ ରେଜିଷ୍ଟ୍ରି କରି ପତ୍ରିକା ପଠାଇବା ସମ୍ଭବ ହେଉନାହିଁ। ସେମାନେ ନିଜର ଗ୍ରାହକ ବା ପାଠକଙ୍କ ସମର୍ଥନ ନପାଇବା କାରଣରୁ ପତ୍ରିକା ପ୍ରକାଶନ ବନ୍ଦ ହୋଇଯାଉଛି। ଏଥିଲାଗି ଅଣବ୍ୟାବସାୟିକ ସାହିତ୍ୟ, ସାମାଜିକ, ବିଜ୍ଞାନ, ରାଜନୈତିକ ଓ ବିଭିନ୍ନ ଅନୁଷ୍ଠାନର ପତ୍ରପତ୍ରିକା ଆଜିକାଲି ମିଳୁନାହିଁ।
ରେଜିଷ୍ଟ୍ରି ପୁସ୍ତକ ବ୍ୟବସ୍ଥାର ଉଚ୍ଛେଦ
ପୂର୍ବରୁ ‘ପିରିଓଡିକାଲ୍ସ’ରେ ପତ୍ରିକା ପଠାଇବା ସବୁଠାରୁ ଶସ୍ତା ଥିଲା। ଏଥିରେ କିନ୍ତୁ ପ୍ରେରକ ନିଶ୍ଚିତ ହେଉନଥିଲା ଯେ ପୁସ୍ତକ ବା ପତ୍ରିକା ଠିକ ସ୍ଥାନରେ ପହଞ୍ଚିବ। କାରଣ ଏହାର କୌଣସି ଟ୍ରାକିଂ ନମ୍ବର ପୋଷ୍ଟାଲ ବିଭାଗ ତରଫରୁ ଦିଆଯାଉନଥିଲା। ଦୁଇ ହଜାର ମସିହା ପରେ କ୍ରମଶଃ ପୋଷ୍ଟାଲ ବିଭାଗର ଅବ୍ୟବସ୍ଥା ବଢ଼ିଲା। ଠିକରେ ପୁସ୍ତକ ଓ ପତ୍ରିକା ଠିକଣା ସ୍ଥାନରେ ପହଞ୍ଚିଲା ନାହିଁ। ଏଥିଲାଗି ଆମେ ରେଜିଷ୍ଟ୍ରି ପୁସ୍ତକ ବ୍ୟବସ୍ଥାକୁ ବ୍ୟବହାର କରିବା ଆରମ୍ଭ କରିଥିଲୁ। ଗଲା ଜାନୁଆରୀ ୧, ୨୦୨୫ ଠାରୁ ରେଜିଷ୍ଟ୍ରି ପୁସ୍ତକ ବ୍ୟବସ୍ଥା ବନ୍ଦ ହୋଇଯାଇଛି।
ରେଜିଷ୍ଟ୍ରି ପୁସ୍ତକ ଏକ କମ ଦରର ପୁସ୍ତକ ପଠାଇବା ବ୍ୟବସ୍ଥା ଆମକୁ ପୋଷ୍ଟାଲ ବିଭାଗ ତରଫରୁ ଗଲା ସତୁରୀ ବର୍ଷ ହେଲା ଯୋଗାଇଦିଆଯାଇଥିଲା। ଦୂରତା ଅନୁସାରେ ମୂଲ୍ୟ ଅଲଗା ହେଉଥିଲା। ରେଜିଷ୍ଟ୍ରି ପୁସ୍ତକକୁ ପ୍ୟାକେଟରେ ବନ୍ଦ କରିଦିଆଯାଉଥିଲା ବେଳେ ଏହାର ଏକ ପାଖ ସାମାନ୍ୟ ଖୋଲା ରଖାଯାଉଥିଲା। ଏହାଦ୍ୱାରା ପୋଷ୍ଟ ବିଭାଗ ଯେମିତି ଜାଣିପାରିବ ଯେ ପ୍ୟାକେଟ ମଧ୍ୟରେ କେବଳ ପୁସ୍ତକ ରହିଛି। ରେଜିଷ୍ଟ୍ରି ପାର୍ସଲରେ ଏହା ଆବଶ୍ୟକ ନଥିଲା। ରେଜିଷ୍ଟ୍ରି ପୁସ୍ତକରେ ରେଜିଷ୍ଟ୍ରି ପାର୍ସଲ ଠାରୁ କମ ଖର୍ଚ୍ଚ ଲାଗୁଥିଲା।
ଏହାକୁ ବନ୍ଦ କରିବା ପଛରେ ପୋଷ୍ଟାଲ ବିଭାଗ ଯୁକ୍ତି କରିଥିଲା, ‘ଲୋକେ ବହୁତ ମୋଟା ମୋଟା ପୁସ୍ତକ ବି କମ ଦରରେ ପଠାଇଲେ। ଏହା ଲାଭଜନକ ନହେବା କାରଣରୁ ସରକାର ଏହାକୁ ବନ୍ଦ କରିଦେଲେ।’ ଗୋପୀନାଥ ମହାନ୍ତିଙ୍କ ଜ୍ଞାନପୀଠ ପୁରସ୍କୃତ ପୁସ୍ତକ ‘ମାଟି ମଟାଳ’ ପ୍ରାୟ ୬୦୦ ପୃଷ୍ଠା। ଇଂଜିନିୟରିଂ, ମେଡିକାଲ ବିଭାଗର ପୁସ୍ତକ ଅଧିକ ପୃଷ୍ଠା ବିଶିଷ୍ଟ। ରେଜିଷ୍ଟ୍ରି ପୁସ୍ତକ ବ୍ୟବସ୍ଥା ବନ୍ଦ ହେବା ପରେ ଏବେ ପ୍ରକାଶକମାନେ ଏଥିଲାଗି ଅଧିକ ଅର୍ଥ ଦାବି କରୁଛନ୍ତି।
ରେଜିଷ୍ଟ୍ରି ପାର୍ସଲ ବ୍ୟବସ୍ଥାର ଉଚ୍ଛେଦ
ଉଭୟ ରେଜିଷ୍ଟ୍ରି ପାର୍ସଲ ଓ ରେଜିଷ୍ଟ୍ରି ପୁସ୍ତକ ମଧ୍ୟରେ ସାମଞ୍ଜସ୍ୟ ହେଲା ଯେ ଏହାକୁ ଡାକ ବିଭାଗ କମ୍ପ୍ୟୁଟରରେ ରେକର୍ଡ କରିବେ ଓ ଆମକୁ ଏକ ଟ୍ରାକିଂ ସଂଖ୍ୟା ଦେବେ। ସେହି ଟ୍ରାକିଂ ସଂଖ୍ୟା ସାହାଯ୍ୟରେ ଆମେ ଆମର ପୋଷ୍ଟ ଗନ୍ତବ୍ୟ ସ୍ଥାନରେ ପହଞ୍ଚିଲା କି ନାହିଁ ଜାଣିପାରିବୁ। ଅର୍ଥାତ ଥରେ ରେଜିଷ୍ଟ୍ରି ହୋଇଗଲେ ପ୍ୟାକେଟଟି ନିଶ୍ଚିତ ଭାବରେ ଯେ ଗନ୍ତବ୍ୟ ସ୍ଥାନରେ ପହଞ୍ଚିବ ସେଥିରେ ଆଉ କୌଣସି ଦ୍ଵିଧା ରହିନଥାଏ। ଏହାଦ୍ୱାରା ଯେ କୌଣସି ପୁସ୍ତକକୁ ପଠାଇବାର ବ୍ୟବସ୍ଥା ଥିଲା।
ରେଜିଷ୍ଟ୍ରି ପୁସ୍ତକ ବନ୍ଦ ହେବା ସମୟରେ ଯୁକ୍ତି କରାଯାଇଥିଲା ଯେ ଲୋକେ ରେଜିଷ୍ଟ୍ରି ପାର୍ସଲ ମାଧ୍ୟମରେ ବହି ପଠାଇବେ। ଏହା ସହିତ ନିଜର ବହି, ଚିଠି, ସରକାରୀ ଦଲିଲ, ନିଯୁକ୍ତି ପତ୍ର ଇତ୍ୟାଦି ପଠାଇବେ। ଏବେ ତାହା ମଧ୍ୟ ବନ୍ଦ ହୋଇଗଲା।
ଆର୍ଥିକ ସଂସ୍କାରର ପ୍ରଭାବ
କଂଗ୍ରେସ ସରକାରଙ୍କ ସମୟରେ ଆର୍ଥିକ ସଂସ୍କାର ଆରମ୍ଭ ହୋଇଥିଲା। ଏହା ପରଠାରୁ ଜାଣନ୍ତୁ ପୋଷ୍ଟାଲ ବିଭାଗ ଉପରେ ପ୍ରାଇଭେଟ କମ୍ପାନୀଙ୍କ କୁଦୃଷ୍ଟି ପଡ଼ିଲା। ପ୍ରଥମେ ପୋଷ୍ଟାଲ ଷ୍ଟାଫ ସଂଖ୍ୟା କମାଇବାରେ କଂଗ୍ରେସ ସରକାର ଧ୍ୟାନ ଦେଲେ। ପୋଷ୍ଟାଲ ବିଭାଗ କର୍ମଚାରୀଙ୍କ ଦୀର୍ଘ ଆନ୍ଦୋଳନ ସତ୍ତ୍ୱେ କେନ୍ଦ୍ର ସରକାର ନୂଆ ନିଯୁକ୍ତି ବନ୍ଦ କରିଦେଇଥିଲେ। ଫଳରେ, ପୋଷ୍ଟ ଅଫିସରେ ଷ୍ଟାଫ ଅଭାବ କାରଣରୁ ଚିଠି ପଡ଼ିରହିଲା। ଏହାକୁ ପୋଡ଼ି ଦିଆଗଲା ଅଥବା ନଦୀରେ ଭସାଇ ଦେବା ଖବର ପ୍ରକାଶ ପାଉଥିଲା।
ପିରିଓଡିକାଲ୍ସ, ରେଜିଷ୍ଟ୍ରି ପୁସ୍ତକ ଓ ରେଜିଷ୍ଟ୍ରି ପାର୍ସଲ ବ୍ୟବସ୍ଥା ବନ୍ଦ ହୋଇଯିବା ପରେ ଏବେ ପୋଷ୍ଟାଲ ବିଭାଗର ଟ୍ରାକିଂ ସୁବିଧା ଭାବରେ କେବଳ ସ୍ପିଡପୋଷ୍ଟ ବ୍ୟବସ୍ଥା ବଞ୍ଚିରହିଛି। କିନ୍ତୁ ଏହା ଦ୍ଵାରା ଲୋକେ ଅଧିକ ଖର୍ଚ୍ଚାନ୍ତ ହେବେ। ଏହାର ସୁବିଧା କେବଳ ଅତି ଜରୁରୀ କ୍ଷେତ୍ରରେ ନିଆଯାଇପାରିବ। ପୋଷ୍ଟାଲ ବିଭାଗରେ ଷ୍ଟାଫ ଅଭାବ ହେତୁ ଏହା ଯେ ସ୍ପିଡ ବା ତୁରନ୍ତ ପହଞ୍ଚିବ ତାହା ନୁହେଁ। ତୁରନ୍ତ ପହଞ୍ଚିବାର ଗ୍ୟାରେଣ୍ଟି ମଧ୍ୟ ପୋଷ୍ଟାଲ ବିଭାଗ ଦେଉନାହିଁ। ତେଣୁ ଲୋକେ ପ୍ରାଇଭେଟ କୋରିୟର ଆଡ଼କୁ ଯିବା ସ୍ଵାଭାବିକ।
ପ୍ରାଇଭେଟ କୋରିୟର କମ୍ପାନୀଙ୍କ ଲାଭ
କୋରିୟର କମ୍ପାନୀଙ୍କ ଅଘୋଷିତ ପ୍ରତିଯୋଗିତା ପୋଷ୍ଟାଲ ବିଭାଗ ସହିତ ନବେ ଦଶକ ପରଠାରୁ ରହିଆସିଛି। ପୋଷ୍ଟାଲ ବିଭାଗ ଯେତେ ଦୁର୍ବଳ ହେବ କୋରିୟର କମ୍ପାନୀଙ୍କର ଉତ୍ଥାନ ସେତିକି ଦ୍ରୁତ ହେବ। ସରକାରୀ ହସ୍ପିଟାଲ ଦୁର୍ବଳ ହେଲେ ପ୍ରାଇଭେଟ ହସ୍ପିଟାଲମାନେ ଭଲ ଲାଭ ପାଇବା ଭଳି କଥା।
ସ୍ପିଡପୋଷ୍ଟ ଓ ବେସରକାରୀ କୋରିୟର କମ୍ପାନୀଙ୍କ ମଧ୍ୟରେ ପାର୍ଥକ୍ୟ ହେଲା ଯେ ପ୍ରାଇଭେଟ କମ୍ପାନୀମାନେ ସ୍ପିଡପୋଷ୍ଟ ମୂଲ୍ୟ ଠାରୁ ଦୁଇ ବା ତିନି ଗୁଣ ଅର୍ଥ ସମାନ ଓଜୋନ ଓ ସମାନ ଦୂରତା ପାଇଁ ନେଇଥାନ୍ତି। ସେମାନେ ଲାଭ କରି ବଜାରରେ ତିଷ୍ଠି ରହିଥିବା ବେଳେ ପୋଷ୍ଟାଲ ବିଭାଗ କାହିଁକି ପ୍ରତିବର୍ଷ ଦୁର୍ବଳ ହୋଇଯାଉଛି? ଏହା ଭାବିବା ଉଚିତ ନୁହେଁ ଯେ ଆଜିର ମୋବାଇଲ ଓ ଇଣ୍ଟରନେଟ ଏହାର କାରଣ। ଏହାଦ୍ଵାରା କିଛିଟା ବାଧାପ୍ରାପ୍ତ ହୋଇଛି କିନ୍ତୁ ମୂଳ କାରଣ ଏଠାରେ ନାହିଁ। ତାହା ଯଦି ମୂଳ କାରଣ ହୋଇଥାନ୍ତା ତେବେ କୋରିୟର କମ୍ପାନୀ ତିଷ୍ଠି ରହିନଥାନ୍ତେ। ମାତ୍ର ଆମକୁ ମୂଳ ପ୍ରସଙ୍ଗରୁ ଧ୍ୟାନ ହଟାଇବା ଲାଗି ମୋବାଇଲ ଓ ଇଣ୍ଟରନେଟର ପ୍ରଚଳନକୁ କାରଣ ଦର୍ଶାଯାଉଛି। ଯେଉଁ ମୁହୂର୍ତ୍ତରେ ପୋଷ୍ଟାଲ ବିଭାଗ କମ ଖର୍ଚ୍ଚରେ ଆମ ନିକଟରେ ପୁସ୍ତକ, ପତ୍ରିକା ଓ ଚିଠି ଇତ୍ୟାଦି ପହଞ୍ଚାଇବାର ଗ୍ୟାରେଣ୍ଟି ଦେବ ସେହି ଦିନ ଠାରୁ ଏହା ପୁଣି ନିଜର ହୃତ ଗୌରବ ଫେରିପାଇବ।
ଶେଷରେ
କେନ୍ଦ୍ର ସରକାର ଯଦି ବେସରକାରୀ କୋରିୟର କମ୍ପାନୀଙ୍କ ଲାଗି ରାଜ୍ୟ ମଧ୍ୟରେ ଓ ରାଜ୍ୟ ବାହାରେ ଦୂରତା ଅନୁସାରେ ପ୍ୟାକେଟର ମୂଲ୍ୟ ନିର୍ଦ୍ଧାରଣ କରିପାରିଥାନ୍ତେ ତେବେ କେନ୍ଦ୍ର ସରକାରଙ୍କ ସାଧୁତାକୁ ନେଇ କୌଣସି ପ୍ରଶ୍ନ ଉଠିନଥାନ୍ତା। ବେସରକାରୀ କୋରିୟର କମ୍ପାନୀକୁ ନିୟନ୍ତ୍ରଣ କରିବା ଲାଗି ଆର୍ଥିକ ସଂସ୍କାର ପରେ କୌଣସି ସରକାର କେବେ ବି କୌଣସି ଉଦ୍ୟମ କରିନାହାନ୍ତି।
ପୋଷ୍ଟାଲ କର୍ମଚାରୀଙ୍କ ଆନ୍ଦୋଳନକୁ ସମାଜ ମଧ୍ୟରୁ ସମର୍ଥନ ନମିଳିବା କାରଣରୁ ତାହା ପ୍ରଭାବଶାଳୀ ହୋଇପାରୁନାହିଁ। ବେସରକାରୀ କୋରିୟର କମ୍ପାନୀମାନଙ୍କୁ ଲାଭ ଦେବା ଲାଗି ପୂର୍ବବର୍ତ୍ତୀ ସରକାରମାନେ ବରଂ ସେମାନଙ୍କ ଆନ୍ଦୋଳନକୁ ଅଧିକ ଦୁର୍ବଳ କରିଦେଉଛନ୍ତି। ସେଥିଲାଗି ଭାବୁଛୁ ଯେ ସରକାରମାନଙ୍କ ନିଷ୍ଠା ଓ ଦାୟିତ୍ଵବୋଧ କେତେ ସହଜରେ ହରଣଚାଳ ହୋଇଯାଇପାରୁଛି! ଯଦି ସରକାର ପୁଣି ପିରିଓଡିକାଲ୍ସ ଓ ବୁକପୋଷ୍ଟ ସମୟକୁ ଫେରନ୍ତେ ଓ ଏହାକୁ ଅଧିକ ନିଶ୍ଚିତ କରିପାରନ୍ତେ ତେବେ ସରକାର ଯେ ପାଠକ ଅନୁରାଗୀ ଓ ସରକାର ଯେ ଜ୍ଞାନର ବିତରଣରେ ବିଶ୍ୱାସ କରୁଛନ୍ତି ତାହା ପ୍ରମାଣିତ ହୋଇପାରନ୍ତା।
ମୋବାଇଲ- ୯୪୩୭୭୬୨୨୭୨
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1756280265.jpg)