ଦେବ ରଞ୍ଜନ
ରାଜ୍ୟ-ରାଜ୍ୟ ମଧ୍ୟରେ କୌଣସି ବିବାଦ ଉପୁଜିଲେ ଏହାର ସମାଧାନ ଲାଗି ଏବେ କୌଣସି ଅନୁଷ୍ଠାନ ନାହିଁ। ଏପରିକି କେନ୍ଦ୍ର ସରକାର ମଧ୍ୟ ମଧ୍ୟସ୍ଥିର ଭୂମିକା ନେବା ସ୍ଥିତିରେ ନାହାନ୍ତି। ଗଣମାଧ୍ୟମ ଗୁଡିକ ଦଳୀୟ ଏଜେଣ୍ଡାରେ କାର୍ଯ୍ୟ କରୁଥିବା ହେତୁ ସେମାନେ ସମାଧାନର ରାସ୍ତା ଖୋଜିବା ବଦଳରେ ଏହାକୁ ଅଧିକ ଗମ୍ଭୀର କରିଦେବାରେ ଲାଗିଛନ୍ତି। ହଁ, ଆମେ ଆଲୋଚନା କରୁଛେ ଓଡ଼ିଶାରେ ଗଲା କିଛି ସପ୍ତାହ ହେଲା ଉପୁଜିଥିବା ଆଳୁ ସମସ୍ୟା ଓ ଏହା ପରବର୍ତ୍ତୀ ଘଟଣାର ଦିଗ ସମ୍ପର୍କରେ।
ସରକାରୀ ତଥ୍ୟ ଅନୁସାରେ ଓଡ଼ିଶାରେ ଆବଶ୍ୟକ ହେଉଥିବା ଆଳୁ ମଧ୍ୟରୁ ମାତ୍ର ୨୨ ପ୍ରତିଶତ ଆଳୁ ରାଜ୍ୟ ମଧ୍ୟରେ ଉତ୍ପାଦିତ ହୋଇଥାଏ। ତେଣୁ ପଡ଼ୋଶୀ ପଶ୍ଚିମ ବଙ୍ଗ ଉପରେ ଏହା ଅତ୍ୟଧିକ ନିର୍ଭରଶୀଳ। ଏଥିରେ ଅସୁବିଧା କିଛି ନାହିଁ। ଓଡ଼ିଶାର ଚାଷୀ ତ ପୁଣି ଧାନ, ମାଣ୍ଡିଆ, ଅଳସୀ ଓ ଲେମନ ଗ୍ରାସ ଇତ୍ୟାଦି ରପ୍ତାନୀ କରୁଛନ୍ତି। ପୁଣି, କୌଣସି ଏକ ରାଜ୍ୟ ଯେ ନିଜର ସମସ୍ତ ଆବଶକ ଜିନିଷକୁ ନିଜେ ଉତ୍ପାଦନ କରିବ ଏଭଳି ଯୁକ୍ତି ସଂପୂର୍ଣ୍ଣ ଅମୂଳକ। ଏମିତି ବି ପଶ୍ଚିମ ବଙ୍ଗ ଏକ ଆଳୁ ଅଧିକ ଉତ୍ପାଦନକାରୀ ରାଜ୍ୟ, ଦେଶର ୨୦ ପ୍ରତିଶତ ଆଳୁ ଏହିଠାରୁ ଉତ୍ପାଦିତ ହୋଇଥାଏ। ତେଣୁ ପଶ୍ଚିମ ବଙ୍ଗର ଚାଷୀ ଅନ୍ୟ ରାଜ୍ୟକୁ ରପ୍ତାନୀ କରିପାରିଲେ ହିଁ ଉପଯୁକ୍ତ ମୂଲ୍ୟ ପାଇପାରିବେ।
ହୁଏତ ଅନିୟମିତ ବର୍ଷା କାରଣରୁ ପଶ୍ଚିମ ବଙ୍ଗରେ ଆଳୁର ଉତ୍ପାଦନ କମ ହୋଇଥାଇପାରେ। ଏଥିଲାଗି ଚାଷୀଙ୍କୁ ହେଉଥିବା କ୍ଷତିର ପୂରଣ ଲାଗି ଇନସୁରାନ୍ସ ଅର୍ଥର ଆବଶ୍ୟକ ଥାଇପାରେ ଅଥବା ପରବର୍ତ୍ତୀ ଚାଷ ପାଇଁ ସବସିଡିର ଅବଶ୍ୟକତା ରହିଥାଇପାରେ। ପଶ୍ଚିମ ବଙ୍ଗ ସରକାର ତାହା ପୂରଣ କରିବା ଲାଗି ଯଦି ଅସମର୍ଥ ହେଉଥାନ୍ତି ତେବେ ଏହାକୁ କେନ୍ଦ୍ର ସରକାର ହିଁ ପୂରଣ କରିପାରିବେ। କିନ୍ତୁ ଓଡ଼ିଶାକୁ ଆଳୁ ରପ୍ତାନୀ ବନ୍ଦ କରିବା ଦ୍ଵାରା ଓଡ଼ିଶାବାସୀ ଯେମିତି ହଇରାଣ ସେମିତି ପଶ୍ଚିମବଙ୍ଗର ଚାଷୀ ଆଳୁର ଉପଯୁକ୍ତ ମୂଲ୍ୟ ନପାଇବା ହେତୁ ଅଧିକ କ୍ଷତିଗ୍ରସ୍ତ ହେବେ। ତେଣୁ ସମସ୍ୟାର ସମାଧାନ ଲାଗି କେନ୍ଦ୍ରର ମଧ୍ୟସ୍ଥତାରେ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଆଲୋଚନାର ଆବଶ୍ୟକତା ରହିଛି।
ଗତ କିଛି ବର୍ଷ ଧରି ରାଜ୍ୟ-ରାଜ୍ୟ ଓ ରାଜ୍ୟ-କେନ୍ଦ୍ର ମଧ୍ୟରେ ସମସ୍ତ ପ୍ରକାରର ଆଲୋଚନା ଓ ସମସ୍ୟା ସମାଧାନର ରାସ୍ତା ବନ୍ଦ ହୋଇଯାଇଛି। ସମସ୍ତ କ୍ଷେତ୍ରରେ କେନ୍ଦ୍ର ନିଜକୁ ଅଧିକ ଶକ୍ତିଶାଳୀ କରିବା କାରଣରୁ କ୍ଷମତାର ବିକେନ୍ଦ୍ରୀକରଣର ଆଲୋଚନା ଆଉ ହେଉନାହିଁ। ରାଜ୍ୟ-ରାଜ୍ୟ ଓ ରାଜ୍ୟ-କେନ୍ଦ୍ର ମଧ୍ୟରେ ଉଠୁଥିବା ବିବାଦର ସମାଧାନ ଲାଗି ଆନ୍ତଃ-ରାଜ୍ୟ କାଉନସିଲର ମିଟିଂ ୨୦୧୭ ମସିହା ପରଠାରୁ ବସୁନାହିଁ। ସଂପୂର୍ଣ୍ଣ ଦେଶରେ ବି ଯଦି ଡବଲ ଇଞ୍ଜିନ ବା ଟ୍ରିପଲ ଇଞ୍ଜିନର ସରକାର ହୁଏ ତେବେ ବି ରାଜ୍ୟ-ରାଜ୍ୟ ମଧ୍ୟରେ ସମସ୍ୟାର ସମାଧାନର ରାସ୍ତା କ୍ଷୀଣ, ଯାହା ଆମେ ମହାନଦୀ ପ୍ରସଙ୍ଗରେ ଦେଖୁଛୁ।
ସରକାରିଆ କମିଶନର ପ୍ରସ୍ତାବ କ୍ରମେ ୧୯୯୦ ମସିହାରେ ଆନ୍ତଃ-ରାଜ୍ୟ କାଉନସିଲର ଗଠନ ହୋଇଥିଲା। ଏହି କାଉନସିଲର ଅଧ୍ୟକ୍ଷ ଭାବରେ ପ୍ରଧାନମନ୍ତ୍ରୀ ରହିଛନ୍ତି ଓ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହାର ସଦସ୍ୟ। ଏଭଳି ମିଟିଂର ନିଜସ୍ଵ ଗୁରୁତ୍ଵ ରହିଛି। ଯଦି ଏହା ନିୟମିତ ହେଉଥାନ୍ତା ତେବେ ଓଡ଼ିଶାର ସମସ୍ୟା ଓ ପଶ୍ଚିମ ବଂଗର ସମସ୍ୟା ସମ୍ପର୍କରେ ଆଲୋଚନା ହୋଇ ସମାଧାନର ରାସ୍ତା ନିଶ୍ଚିତ ପ୍ରସ୍ତୁତ ହୋଇପାରିଥାନ୍ତା।
ଏପରିକି ପ୍ରଧାନମନ୍ତ୍ରୀ ମଧ୍ୟ ଆନ୍ତଃ ରାଜ୍ୟ ପରିଷଦ ମାଧ୍ୟମରେ ରାଜ୍ୟ ରାଜ୍ୟ ମଧ୍ୟରେ ସମସ୍ୟାର ସମାଧାନ ଲାଗି ସାମ୍ବିଧାନିକ ଅଧିକାରପ୍ରାପ୍ତ ଅଟନ୍ତି। ଓଡ଼ିଶାର ସମସ୍ୟା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମଧ୍ୟ କୌଣସି ତତ୍ପରତା ପ୍ରକାଶ ନକରିବା ହେତୁ ଲୋକଙ୍କ ସମସ୍ୟା ବଢ଼ିବାରେ ଲାଗିଛି।
ଆଜି ଉଭୟ ଆନ୍ତଃ-ରାଜ୍ୟ କାଉନସିଲ ଓ ପ୍ରଧାନମନ୍ତ୍ରୀଙ୍କ ଦପ୍ତର ନିଷ୍କ୍ରିୟ ରହିବା ହେତୁ ରାଜ୍ୟ ରାଜ୍ୟ ମଧ୍ୟରେ ମାମଲା କୋର୍ଟକୁ ଯାଉଛି। ଓଡ଼ିଶାରେ କୋରାପୁଟ ଜିଲ୍ଲାର କୁଟିଆ ଅଞ୍ଚଳର ସୀମାକୁ ନେଇ ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ମଧ୍ୟରେ ବିବାଦ ଦେଖାଦେଇଥିଲା। ଏ ପ୍ରସଙ୍ଗରେ କିନ୍ତୁ ଆନ୍ତଃ ରାଜ୍ୟ କାଉନସିଲ ସ୍ତରରେ ଆଲୋଚନା ନହୋଇପାରିବା କାରଣରୁ ଓ ଉପଯୁକ୍ତ ଆଲୋଚନା ଅଭାବରୁ ବିଷୟ ସୁପ୍ରିମ କୋର୍ଟକୁ ଗଲା। ଏହାର ରାୟ କେବେ ଆସିବ ଜଣାନାହିଁ।
ସେହିଭଳି ମହାନଦୀ ଜଳ ବିବାଦ ପ୍ରସଙ୍ଗ ଛତିଶଗଡ଼ ସରକାରଙ୍କ ସହିତ ଆଲୋଚନା ନହୋଇପାରିବା କାରଣରୁ କେନ୍ଦ୍ର ସରକାରଙ୍କ ଜଳ ମନ୍ତ୍ରଣାଳୟ ଅଧୀନରେ ରହିଥିବା ଜଳ ଟ୍ରିବ୍ୟୁନାଲରେ ପହଞ୍ଚିଛି। ମହାନଦୀର ଜଳ ଉପରେ ଉଭୟ ଛତିଶଗଡ଼ ଓ ଓଡ଼ିଶାର ଚାଷୀଙ୍କ ଅଧିକାର ରହିଛି। ଆଜି ଛତିଶଗଡ଼, ଓଡ଼ିଶା ଓ କେନ୍ଦ୍ରରେ ବିଜେପି ସରକାର ଥାଇ ମଧ୍ୟ ଜଳ ସମସ୍ୟାର ସମାଧାନ ହୋଇପାରିନାହିଁ। ତେଣୁ ଓଡ଼ିଶାର ଶାସକ ଦଳ ଯଦି ପଶ୍ଚିମ ବଂଗର ତୃଣମୂଳ କଂଗ୍ରେସକୁ ସମସ୍ୟା ବଢ଼ାଉଥିବା ଲାଗି ଦାୟୀ କରୁଥାନ୍ତି ତେବେ ସେମାନେ ମହାନଦୀ ଜଳ ସମସ୍ୟାର ସମାଧାନ କାହିଁକି କରିପାରୁନାହାନ୍ତି?
ପ୍ରଧାନମନ୍ତ୍ରୀଙ୍କ ନିଷ୍କ୍ରିୟତା ପଛର କାରଣ ହେଲା ନୀତି ଆୟୋଗର ଗଠନ। କେନ୍ଦ୍ର ସରକାର ପଚାଶ ଦଶକରୁ ଚାଲିଆସିଥିବା ଯୋଜନା କମିଶନ ବା ପ୍ଲାନିଂ କମିଶନ ବଦଳରେ ନୀତି ଆୟୋଗ ଗଠନ କରିବା ପରଠାରୁ ଏହାକୁ ନେଇ ବିରୋଧ ବଢ଼ିଛି। ଉଭୟ ମଧ୍ୟରେ ମୂଳ ପାର୍ଥକ୍ୟ ହେଲା ଯେ ନୀତି ଆୟୋଗର କୌଣସି ଆର୍ଥିକ କ୍ଷମତା ନାହିଁ। ଆର୍ଥିକ କ୍ଷମତା କେନ୍ଦ୍ର ସରକାରଙ୍କ ଅର୍ଥ ବିଭାଗ ହାତରେ ରହିଛି। ନୀତି ଆୟୋଗ କେବଳ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଲୋଚନା କରିଥାଏ ଓ ପ୍ରସ୍ତାବ ଦେଇଥାଏ। ସେହି ପ୍ରସ୍ତାବକୁ ଅର୍ଥ ବିଭାଗ ଗ୍ରହଣ କରିପାରେ ଅଥବା ନକରିପାରେ। କିନ୍ତୁ ଯୋଜନା କମିଶନର ନିଜସ୍ଵ ଆର୍ଥିକ କ୍ଷମତା ରହିଥିଲା।
ଓଡ଼ିଶାରେ ଆଳୁ ସମସ୍ୟା ଜୁଲାଇ ମାସରୁ ଲାଗି ରହିଛି। କିନ୍ତୁ ଆନ୍ତଃ ରାଜ୍ୟ କାଉନସିଲ ବୈଠକ ବସୁ ନଥିବାରୁ ପ୍ରଧାନମନ୍ତ୍ରୀ ମଧ୍ୟସ୍ଥି ହୋଇ ବା ହସ୍ତକ୍ଷେପ କରି ପଶ୍ଚିମ ବଙ୍ଗ ସରକାରଙ୍କୁ ମନାଇବା ଓ ସମସ୍ୟାର ସମାଧାନର ରାସ୍ତା ବାହାର କରିବାର ରାସ୍ତା ପ୍ରାୟତଃ ବନ୍ଦ ହୋଇଯାଇଛି।
ଆନ୍ତଃ ରାଜ୍ୟ ପରିଷଦ ଅଚଳର ହୋଇଯିବା କାରଣରୁ କେବଳ ଯେ ପ୍ରଧାନମନ୍ତ୍ରୀଙ୍କ ଗାରିମା କ୍ଷୁର୍ଣ୍ଣ ହୋଇଛି ତାହା ନୁହେଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ପଡ଼ୋଶୀ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଆଗରେ ନିଜର ଗୁରୁତ୍ଵ ହରାଇଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ବାରମ୍ବାର ଫୋନ କଲକୁ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ଆଦୌ ଗୁରୁତ୍ଵ ଦେଇନାହାନ୍ତି। ଏହା ମଧ୍ୟ ହୋଇପାରେ ଯେ ପଶ୍ଚିମ ବଙ୍ଗ ସରକାର ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପକୁ ଅପେକ୍ଷା କରିଛନ୍ତି, କାରଣ ତାହା ଦ୍ଵାରା ସେ ରାଜ୍ୟର ସମସ୍ୟାକୁ ଉତ୍ଥାପନ କରିପାରିବେ।
ପଶ୍ଚିମ ବଂଗ ସରକାର ଓଡ଼ିଶାକୁ ଆଳୁ ରପ୍ତାନୀ ବନ୍ଦ କରିବା ନିଷ୍ପତ୍ତିକୁ ବିରୋଧ କରି ଓଡ଼ିଶାର ଗଣମାଧ୍ୟମ ଏହାକୁ ‘ମମତାଙ୍କ ଦାଦାଗିରି’, ‘ଟିଏମସିର ଗୁଣ୍ଡାରାଜ’ ଇତ୍ୟାଦି ଚିତ୍ରିତ କରିବା ଅଥଚ ଆନ୍ତଃ-ରାଜ୍ୟ କାଉନସିଲ ଅଥବା ପ୍ରଧାନମନ୍ତ୍ରୀଙ୍କ ଭୂମିକା ସମ୍ପର୍କରେ କୌଣସି ପ୍ରଶ୍ନ ନଉଠାଇବା ଦ୍ଵାରା ଆଜି ସମସ୍ୟା ଅଧିକ ଜଟିଳ ହେବାରେ ଲାଗିଛି। ମିଡିଆ ଆଜି ସମସ୍ୟାକୁ ଅଧିକ ଜଟିଳ କରିଦେଇଛି।
ଆଳୁ ସମସ୍ୟା ପୁଣି ରାଜ୍ୟ ରାଜ୍ୟ ମଧ୍ୟରେ ବିଦ୍ଵେଷକୁ ବଢ଼ାଇବାର କାରଣ ପାଲଟିଛି। ହିନ୍ଦୁ ସୁରକ୍ଷା ଅଭିଯାନର ନାମରେ ଅନେକ ସାମ୍ପ୍ରଦାୟିକ ସଂଗଠନ ଆଜି ପଶ୍ଚିମ ବଂଗର ଶ୍ରମିକ ଶ୍ରେଣୀଙ୍କୁ ଏଥିଲାଗି ଆକ୍ରମଣ କରିବା ଆରମ୍ଭ କରିଛନ୍ତି। ହୁଏତ ଏହା ବାଂଲାଦେଶର ପରିସ୍ଥିତିରୁ ଉପୁଜିଛି। କିନ୍ତୁ ଆଜି ଏହା ରାଜ୍ୟ ରାଜ୍ୟ ମଧ୍ୟରେ ବିଦ୍ଵେଷର କାରଣ ପାଲଟିଛି। ସେମାନଙ୍କ ଆକ୍ରମଣ ଓ ଭୟ ପ୍ରଦର୍ଶନ କାରଣରୁ ଶହ ଶହ ବଙ୍ଗାଳୀ ଶ୍ରମିକ ଟ୍ରେନରେ ନିଜ ରାଜ୍ୟକୁ ଫେରୁଛନ୍ତି। ଏହା ସାଂଘାତିକ ସମସ୍ୟା। ଏହାର ଜବାବରେ ପଶ୍ଚିମ ବଙ୍ଗର ଅନେକ ରାଜନୀତିକ କର୍ମୀ ମଧ୍ୟ ସେଠାରେ କାମ କରୁଥିବା ଓଡ଼ିଆଙ୍କ ଉପରେ ଆକ୍ରମଣ ଆରମ୍ଭ କରିଛନ୍ତି। ସେମାନେ ଶତାଧିକ ଓଡ଼ିଆଙ୍କୁ ଅଟକ ରଖିଥିଲେ। ଓଡ଼ିଶା ସରକାରଙ୍କ ଚାପରେ ସେମାନେ ଏବେ ମୁକ୍ତ ହୋଇଛନ୍ତି। ଏହା ଦୁଇ ରାଜ୍ୟ ମଧ୍ୟରେ ବିଦ୍ଵେଷକୁ ବଢ଼ାଇବ। ଓଡ଼ିଶା ସରକାରଙ୍କ ପୁଲିସ ଓ ପ୍ରଶାସନ ବିଦ୍ୱେଷ ବୃଦ୍ଧି କରୁଥିବା ସଂଗଠନର ଭୂମିକାକୁ ବିରୋଧ ନକରିବା କାରଣରୁ ସମସ୍ୟା ଜଟିଳ ହେବାରେ ଲାଗିଛି।
ଏହି ବିଦ୍ଵେଷ କେବେ ଭୋଟରେ ରୂପାନ୍ତରିତ ହେବ ଅଥବା ନହେବ ତାହା ପରକଥା। କିନ୍ତୁ ଆଜି ଶାନ୍ତିପ୍ରିୟ ଓଡ଼ିଶା ଏକ ଉଦ୍ଗୀରଣକୁ ଅପେକ୍ଷା କରୁଛି। କାରଣ ସାଧାରଣ ନାଗରିକ ସମାଜ ନିଷ୍କ୍ରିୟ ହୋଇଯାଇଛି ଓ ଗଣମାଧ୍ୟମ ସାମ୍ପ୍ରଦାୟିକ ଶକ୍ତିର ସାଥ ଦେଉଛି। ସେହିଭିତରେ ଗଣତନ୍ତ୍ରପ୍ରେମୀ, ମାନବବାଦୀ ଓ ଅହିଂସାପ୍ରେମୀ ସଚେତନ ନାଗରିକମାନେ ଯଦି ଆମେ ଆମର ଭୂମିକା ଏଥିରେ ସ୍ଥିର ନକରିବା ଓ ଆମେ ଯଦି ସଂଗଠିତ ହୋଇ ସମସ୍ୟାର ସମାଧାନ ଲାଗି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି ନକରିବା ତେବେ ସ୍ଥିତି ଅଧିକ ବିଗିଡିବାର ସମ୍ଭାବନା ରହିଛି।
ମୋବାଇଲ- ୯୪୩୭୭୬୨୨୭୨