/odisha-reporter/media/post_attachments/uploadimage/library/16_9/16_9_0/IMAGE_1757919743.jpg)
Gen Z Protest In Nepal
ଦେବ ରଞ୍ଜନ
୨୦୨୫ ସେପ୍ଟେମ୍ବର ୦୯ ତାରିଖରେ ନେପାଳରେ ଅନେକ କିଛି ଘଟଣା ଘଟିଗଲା। ସଂସଦ ଭବନକୁ ଜାଳି ଦିଆଗଲା, ପ୍ରଧାନମନ୍ତ୍ରୀଙ୍କ ଅଫିସକୁ ଛାରଖାର କରିଦିଆଗଲା, ସୁପ୍ରିମ କୋର୍ଟର ବିଲିଡିଙ୍ଗ ମଧ୍ୟ ବାଦ ଗଲାନାହିଁ। ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ଭିଡିଓ ଦେଖିଲେ ବୁଝି ହେଉଛି ଯେ ଶାସକଙ୍କ ଉପରେ ଲୋକଙ୍କ କ୍ରୋଧ କିଛି କମନଥିଲା। ଅର୍ଥମନ୍ତ୍ରୀଙ୍କୁ ନଦୀ ମଧ୍ୟରେ ଗୋଡ଼ାଇ ଗୋଡ଼ାଇ ପିଟିବା, ପ୍ରଧାନମନ୍ତ୍ରୀଙ୍କୁ ଲୋକେ ଘେରି ରହିବା କାରଣରୁ ଉଦ୍ଧାର କରିବା ଲାଗି ହେଲିକପ୍ଟର ପହଞ୍ଚିବା ଇତ୍ୟାଦି ଲୋକଙ୍କ ଆକ୍ରୋଶକୁ କିଛି ପରିମାଣରେ ବର୍ଣ୍ଣନା କରୁଛି।
କୌଣସିଠାରେ କିନ୍ତୁ କୌଣସି ବହୁରାଷ୍ଟ୍ରୀୟ କମ୍ପାନୀଙ୍କ ସାମାନ୍ୟ ହୋର୍ଡିଂକୁ ମଧ୍ୟ କ୍ଷତି ଘଟାଇବାର ଖବର ମିଳୁନାହିଁ। ବିଶ୍ଵବ୍ୟାଙ୍କ, ଆଇଏମଏଫ ଭଳି ସଂଗଠନ ବିରୁଦ୍ଧରେ ଶବ୍ଦଟିଏ ମଧ୍ୟ ରହୁନାହିଁ। ଯେଉଁ ତଥ୍ୟ ଆମକୁ ମିଳୁଛି ତାହା ସମ୍ପାଦିତ ତଥ୍ୟ ନୁହେଁ ତ? ନେପାଳରେ ପୁଞ୍ଜି ଓ ଋଣ ଖଟାଇଥିବା ଏଜେନ୍ସିମାନେ ପୁଣି ଏହି ପ୍ରତିକ୍ରିୟାକୁ ନିଜ ଆଡ଼କୁ ନେଇଯାଉନାହାନ୍ତି ତ? ଏବେ ନୁହେଁ ନେପାଳରେ ଏଭଳି ପ୍ରତିବାଦର ଲମ୍ବା ଇତିହାସ ରହିଛି। ଦୀର୍ଘ ଦିନର ପ୍ରତିବାଦ ଓ ପ୍ରତିକ୍ରିୟାର କାରଣକୁ ଖୋଜିବା ଏହି ଲେଖାର ଉଦ୍ଦେଶ୍ୟ। ଏହି ଲେଖା ଅଳ୍ପ କେତେକ ପୁସ୍ତକ ଓ ଇଣ୍ଟରନେଟରେ ମିଳୁଥିବା ତଥ୍ୟ ଉପରେ ପର୍ଯ୍ୟବସିତ। ନେପାଳ ସମ୍ବନ୍ଧରେ ମୋର କୌଣସି ସିଧାସଳଖ ଅନୁଭୂତି ନାହିଁ।
୧. ଡିଜିଟାଲ ସର୍ଭିସ ଟାକ୍ସ ଓ ଆଇଏମଏଫର ନିୟନ୍ତ୍ରଣ
୨୦୨୨ ମସିହାରେ ନେପାଳ ସରକାର ବିଶ୍ଵ ଅର୍ଥ ସଂସ୍ଥା ବା ଆଇଏମଏଫର ପ୍ରରୋଚନାରେ ଡିଜିଟାଲ ସର୍ଭିସ ଟାକ୍ସ ଲାଗୁ କରିଥିଲେ। କୁହାଯାଉଛି ଯେ ଦେଶ ମଧ୍ୟରେ ଆୟର ପରିମାଣ ବଢ଼ାଇବା ଲାଗି ସେଭଳି କରିବା ଲାଗି ଆଇଏମଏଫ ଦ୍ଵାରା ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ଆଇଏମଏଫ ଦ୍ଵାରା ନେପାଳର ଅର୍ଥନୀତି ଅଧିକ ଯେ ନିୟନ୍ତ୍ରିତ ତାହା ସ୍ପଷ୍ଟ ଜଣାପଡୁଛି।
ଉକ୍ତ ଟାକ୍ସ ଅନୁସାରେ ସମସ୍ତ ଅଣ-ନେପାଳୀ ଡିଜିଟାଲ ପ୍ରୋଭାଇଡର, ଯଦି ସେମାନଙ୍କ ଆର୍ଥିକ ଦେଣନେଣ ୩୦ ଲକ୍ଷ ନେପାଳୀ ଟଙ୍କାରୁ ଅଧିକ ହୁଏ, ସମୁଦାୟ ଦେଣନେଣ ଉପରେ ୨ ପ୍ରତିଶତ ଡିଜିଟାଲ ସର୍ଭିସ ଟାକ୍ସ ଦେବାକୁ ବାଧ୍ୟ। ଏହା ପରୋକ୍ଷ ଭାବରେ ଦେଉଥିବା ଭାଟ, ଅବକାରୀ ଓ କଷ୍ଟମ ଟିକସ ଠାରୁ ଭିନ୍ନ।
ଏହାକୁ କିନ୍ତୁ ଗୁଗୁଲ, ଫେସବୁକ, ନେଟଫ୍ଲିକ୍ସ, ଗୁଗୁଲ ଡ୍ରାଇଭ, ଡ୍ରପବକ୍ସ, ମାଇକ୍ରୋସଫ୍ଟ, ଜୁମ ଓ ବିଭିନ୍ନ ଇ-କମର୍ଷ (ଫୋନ ପେ ଇତ୍ୟାଦି) କମ୍ପାନୀ ଆବଶ୍ୟକ ପଞ୍ଜୀକରଣ କରିବାକୁ ମନା କରି ନୀରବ ପ୍ରତିବାଦ କରିଥିଲେ। କିନ୍ତୁ ସରକାର ଧୀରେ ଧୀରେ ଗୋଟିଏ ପରେ ଗୋଟିଏ କମ୍ପାନୀକୁ ବ୍ଲକ କରିବା ଆରମ୍ଭ କରିଦେଲେ।
ହୁଏତ ଏହା ଯୁବ ବର୍ଗ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି କଲା। ଦେଶ ବାହାରୁ ନିୟମିତ ପଠାଯାଉଥିବା ଅର୍ଥ ନେପାଳର ପରିବାରମାନଙ୍କ ପାଖରେ ପହଞ୍ଚିପାରିଲା ନାହିଁ। ଏତଦବ୍ୟତୀତ, ଯୁବାବର୍ଗ ନିଜର ମତ ବ୍ୟକ୍ତ କରିବାର ସ୍ଵାଧୀନତା ହରାଇଲା। କିନ୍ତୁ ବିଦେଶରୁ ସେମାନଙ୍କ ପରିବାରର ଲୋକେ ପଠାଉଥିବା ଅର୍ଥ ଉପରେ ଉପରେ ନେପାଳର ପରିବାରମାନେ ଯେ ନିର୍ଭରଶୀଳ ଏହି ସତ୍ୟ ମଧ୍ୟ ଏଥିରେ ଉନ୍ମୋଚିତ ହେଉଛି।
୨. ବିଦେଶୀ ଋଣ ବୋଝ
୧୯୫୧ ମସିହାରେ ପ୍ରଥମେ ଆମେରିକା ସରକାର ‘ପଏଣ୍ଟ ଫୋର ପ୍ରୋଗ୍ରାମ’ ଅନୁସାରେ ବିଦେଶୀ ସହାୟତା ଭାବରେ ୨୦୦୦ ଆମେରିକା ଡଲାର ନେପାଳକୁ ଦେଇଥିଲେ। ଆମେରିକା ସରକାରଙ୍କ ‘ପଏଣ୍ଟ ଫୋର ପ୍ରୋଗ୍ରାମ’ର ଉଦ୍ଦେଶ୍ୟ ଥିଲା ବିଶ୍ୱରେ କମ୍ୟୁନିଷ୍ଟ ବିଚାର ଯେପରି ବିଭିନ୍ନ ଦେଶରେ ଚେର ସୃଷ୍ଟି ନକରେ ତାହାକୁ ପ୍ରତିହତ କରିବା, ଆମେରିକାର ବିଭିନ୍ନ କମ୍ପାନୀମାନଙ୍କୁ କାର୍ଯ୍ୟ କରିବା ଲାଗି କ୍ଷେତ୍ର ସୃଷ୍ଟି କରିବା, ବିଶ୍ଵ ଅର୍ଥନୀତିକୁ ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ନିୟନ୍ତ୍ରିତ କରିବା ଓ ତଥାକଥିତ ‘ଶାନ୍ତି ପ୍ରତିଷ୍ଠା’ କରିବା।
ନେପାଳ କେବେ ବ୍ରିଟିଶ ସରକାରଙ୍କ ସିଧାସଳଖ ଉପନିବେଶ ନଥିଲା। କିନ୍ତୁ ମହାରାଜା ରାଣାଙ୍କ ବିରୁଦ୍ଧରେ ୧୯୫୦ ଦଶକରେ ପ୍ରଥମ ଆନ୍ଦୋଳନ ହିଂସାତ୍ମକ ରାସ୍ତାରେ ଆରମ୍ଭ ହୋଇଥିଲା। ଏହାର ନେତୃତ୍ଵ ‘ନେପାଳୀ କଂଗ୍ରେସ’ ନେଉଥାଏ। ସେ ସମୟରେ ଭାରତରେ ମଧ୍ୟ କମ୍ୟୁନିଷ୍ଟ ଦଳର ପ୍ରଭାବ ହେତୁ କଂଗ୍ରେସ ସରକାର ଜମିଦାରୀ ଉଚ୍ଛେଦ ଓ ଜମିର ସମବଣ୍ଟନ ବ୍ୟବସ୍ଥା ଲାଗି ଆଇନ ପ୍ରଣୟନ କରୁଥାନ୍ତି। ଏହାର ପ୍ରଭାବ ନେପାଳ ଉପରେ ପଡ଼ିଥିବ। ହେଲେ ଏହି ଜନ ଆନ୍ଦୋଳନକୁ ପ୍ରଶମିତ କରିବା ଲାଗି ଉଭୟ ରାଜା ଓ ନେପାଳୀ କଂଗ୍ରେସର ମିଳିତ ସରକାର ନେପାଳରେ ପ୍ରତିଷ୍ଠିତ ହେଲା। ଏଥିରେ ରାଜା ଶାସନର ଉଚ୍ଛେଦ, ଜମିର ସମବଣ୍ଟନକୁ ବାଦ ଦେଇଦିଆଗଲା। କିନ୍ତୁ ବିଦେଶୀ ଅନୁଦାନ ନେବା ଆରମ୍ଭ ହୋଇଥିଲା।
ଏହି ଆର୍ଥିକ ସହଯୋଗ ୧୯୬୧ ବେଳକୁ ବିଦେଶୀ ଋଣରେ ପରିଣତ ହେଲା। ରାଜା ମହେନ୍ଦ୍ର ନୂତନ ସମ୍ବିଧାନ ପ୍ରଣୟନ କଲେ। ଦଳ ବ୍ୟବସ୍ଥାକୁ ବାଦ ଦେଇ ପଞ୍ଚାୟତମାନଙ୍କୁ ଶକ୍ତିଶାଳୀ କଲେ ଓ ନିଜ ହାତରେ ସମସ୍ତ କ୍ଷମତା ରଖିଲେ। ପଚାଶ ଦଶକର ନେପାଳର ଆନ୍ଦୋଳନ ବ୍ୟର୍ଥ ହୋଇଗଲା, ରାଜା ପୁଣି ଶକ୍ତିଶାଳୀ ହେଲେ। ସେହି ସମୟରେ ନେପାଳର ବିକାଶ ଲାଗି ଆମେରିକା ଠାରୁ ଋଣ କରିବା ଆରମ୍ଭ କରିଥିଲେ। ଯଦି ଦେଶରେ କେବେ ରାଜାଙ୍କୁ ଉତ୍ଖାତ କରିବା ଲାଗି ଉଦ୍ୟମ ହୁଏ ତେବେ ଆମେରିକାର ସମର୍ଥନ ଯେ ଭଳି ମିଳିପାରିବ ଏହା ତାଙ୍କର ଉଦ୍ଦେଶ୍ୟ ରହିଥାଇପାରେ। ହେଲେ ସମଗ୍ର ନେପାଳ ପାଇଁ ତାହା ଥିଲା ନତମସ୍ତକର ଆଉ ଏକ ଅଧ୍ୟାୟ। ଏହାପରେ ସହଯୋଗ ବା ଏଡ୍ ଠାରୁ ଋଣ ରାଶି କ୍ରମାଗତ ଭାବରେ ବଢ଼ିବାରେ ଲାଗିଲା।
୧୯୬୧ ମସିହାରେ ଋଣ ପରିମାଣ ବହୁତ କମ ଥିବ। ସେହି ଦିନଠାରୁ ଆଜିକୁ ଦେଖିଲେ, ୨୦୨୪- ୨୫ର ବଜେଟ ଅନୁସାରେ, ସମୁଦାୟ ବଜେଟର ପ୍ରାୟ ୩୬,୭୦୦ କୋଟି ନେପାଳୀ ଟଙ୍କା କେବଳ ସୁଧ ଓ ଋଣ ଶୁଝିବାରେ ଯାଉଛି। ନେପାଳର ୨୦୨୪-୨୫ ବର୍ଷର ବଜେଟ ହେଲା ୧,୮୬,୦୦୦ କୋଟି ନେପାଳୀ ଟଙ୍କା। ପୁରୁଣା ଋଣ ସୁଝିବା ଲାଗି ଗଲା ବର୍ଷ ୨୬,୭୦୦ କୋଟି ବିଦେଶୀ ଋଣ କରାଯାଇଛି। ଗଲା ବର୍ଷ ବିଦେଶୀ ସହାୟତା ମାତ୍ର ୫୨୦୦ କୋଟି ନେପାଳୀ ଟଙ୍କା ଆସିଛି। ଅର୍ଥାତ ବିଦେଶୀ ସହାୟତା ଠାରୁ ବିଦେଶୀ ଋଣ ଅଧିକ ହୋଇଯାଇଛି।
ଆଇଏମଏଫ ଦ୍ଵାରା ନେପାଳର ଅର୍ଥନୀତି ପରିଚାଳିତ ହେବାର ଅନ୍ୟତମ ଉଦାହରଣ ହେଉଛି, ୨୦୨୪ ମସିହାରେ ନେପାଳ ଜିଡିପିର ୪୪ ପ୍ରତିଶତ ହେଉଛି ପବ୍ଲିକ ଋଣ। ଏବେ ନେପାଳ ଉପରେ ସମୁଦାୟ ୨ ଲକ୍ଷ ୫୨ ହଜାର ୩୦୦ କୋଟି ଡଲାର ଋଣବୋଝ ରହିଛି। ସେ ମଧ୍ୟରୁ ୫୧% ହେଉଛି ବିଦେଶୀ ଦେଶମାନଙ୍କ ଠାରୁ ଆସିଥିବା ଋଣ। ଏବେ ବିଦେଶୀ ଋଣ ସୁଝିବା ଲାଗି ନେପାଳ ସରକାରଙ୍କୁ ନୂଆ ଋଣ କରିବାକୁ ପଡୁଛି।
ସରକାରଙ୍କ ବଜେଟର ବଡ଼ ଭାଗ ବିଦେଶୀ ଋଣ ଶୁଝିବାରେ ଯାଉଛି। ଡଲାର ଅନୁସାରେ ନେପାଳି ଟଙ୍କାର ମୂଲ୍ୟ ହ୍ରାସ ହେବା ଦ୍ଵାରା (ଯାହା ଆଜି ଭାରତରେ ହୋଇଛି) ଯେତିକି ଋଣ ଆସିଥିଲା ତାହା ଠାରୁ ଅନେକ ଅଧିକ ଋଣ ଶୁଝିବାକୁ ହେଉଛି। କ୍ରମାଗତ ଭାବରେ ଲୋକଙ୍କ ଲାଗି ଆବଶ୍ୟକ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ କୃଷି ଦିଗରେ ଆବଶ୍ୟକୀୟ ଖର୍ଚ୍ଚ ନହେବା କାରଣରୁ ଲୋକଙ୍କ ଅସନ୍ତୋଷ ବଢ଼ିବା ସ୍ଵାଭାବିକ। ଅନ୍ୟପଟରେ ମନ୍ତ୍ରୀ ଓ ଅମଲାତନ୍ତ୍ର ଲାଗି ଦରମା ଦେବାରେ ବଜେଟର ମୁଖ୍ୟ ଭାଗ ଖର୍ଚ୍ଚ ହୋଇଛି। ଏହା କୋଭିଡ ପରେ ଅଧିକ ଦେଖାଯାଇଛି। ଏଭଳି ସ୍ଥିତିରେ ଲୋକଙ୍କ ବିଦ୍ରୋହ ବା କେମିତି ଦେଖାନଯିବ?
୩. ପ୍ରବାସୀ ଶ୍ରମିକଙ୍କ ଉପରେ ନିର୍ଭରଶୀଳ ଅର୍ଥନୀତି
ନେପାଳର ସମୁଦାୟ ଜନସଂଖ୍ୟା ମାତ୍ର ୩ କୋଟି। ସେ ମଧ୍ୟରୁ ବିଦେଶରେ ଯାଇ କାମ କରିବା ଲାଗି ଗଲା ବର୍ଷ ୮,୩୯,୨୬୬ ଶ୍ରମ କାର୍ଡ ସରକାରଙ୍କ ତରଫରୁ ବଣ୍ଟାଯାଇଛି। ସରକାର କେବଳ ଅନୁମତି ପତ୍ର ବାଣ୍ଟିବା ଏଜେନ୍ସିରେ ପରିଣତ ହୋଇଗଲେ। ଏହା ବ୍ୟତୀତ ଅନେକ ଯୁବକ ଯୁବତୀ ବିନା କାର୍ଡରେ ଭାରତ ଓ ଚୀନରେ କାମ କରୁଛନ୍ତି। ଏପରିକି ରୁଷିଆ-ୟୁକ୍ରେନ ଯୁଦ୍ଧରେ ଭଡ଼ାଟିଆ ସୈନ୍ୟବାହିନୀ ଭାବରେ ସେମାନେ ରୁଷିଆ ଦ୍ଵାରା ନିଯୁକ୍ତ ହୋଇଛନ୍ତି। ସେମାନଙ୍କର ଯୁଦ୍ଧରେ ମୃତ୍ୟୁ ହେଉଥିବା ଖବର ପ୍ରକାଶିତ ହୋଇଛି।
ନେପାଳର ଅର୍ଥନୀତି ବିଦେଶରେ କାମ କରୁଥିବା ନେପାଳୀ ଯୁବାବର୍ଗ ଠାରୁ ଆସୁଥିବା ଅର୍ଥ ଉପରେ ଅଧିକ ନିର୍ଭରଶୀଳ। ଗଲା ବର୍ଷ ସମୁଦାୟ ଜିଡିପିର ୩୩ ପ୍ରତିଶତ ଅର୍ଥ ଏହି ଭଳି ବିଦେଶରୁ ଆସିଛି। କୌଣସି ଏକ ଅର୍ଥନୀତି ଯଦି ବିଦେଶର ଏହି ଭଳି ଆସୁଥିବା ଅର୍ଥ ଓ ବିଦେଶୀ ଋଣ ଉପରେ ନିର୍ଭର କରେ ତେବେ ତାହାର ଭବିଷ୍ୟତ କଦାପି ଭଲ ହୋଇନଥାଏ।
୪. ଆର୍ଥିକ ଅସମାନତା
ବିନୋଦ ଚୌଧୁରୀଙ୍କ ଚୌଧୁରୀ ଗୃପ ଫୋର୍ବସ ପତ୍ରିକା ଦ୍ଵାରା ପ୍ରସ୍ତୁତ ବିଶ୍ଵ ବିଲିୟୋନାୟାର ତାଲିକାରେ ୨୦୧୩ ମସିହାରେ ନେପାଳର ପ୍ରଥମ ବିଲିୟୋନାୟାର ବା ଅତି ଧନୀ ବ୍ୟକ୍ତି ଭାବରେ ସ୍ଥାନ ପାଇଛନ୍ତି। ଏବେ ବିନୋଦ ଚୌଧୁରୀଙ୍କ ସମୁଦାୟ ସମ୍ପତ୍ତି ୨୦୦ କୋଟି ଡଲାରରେ ପହଞ୍ଚିଛି। ସେ ୧୯ଟି ଦେଶରେ ସିମେଣ୍ଟ ଓ ହୋଟେଲ ଠାରୁ ଶକ୍ତି କ୍ଷେତ୍ର ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ବ୍ୟବସାୟକୁ ବଢ଼ାଇ ଚାଲିଛନ୍ତି। ଅଥଚ ସରକାରୀ ଭାବରେ ୨୦ ପ୍ରତିଶତ ଯୁବକ ବେକାର ଅଛନ୍ତି। ଏଭଳି ଅର୍ଥନୈତିକ ବୈଷମ୍ୟ ଗୋଟିଏ ଦିନରେ ସମ୍ଭବ ହୋଇନଥାଏ।
ବିଡ଼ମ୍ବନା ହେଲା ଯେ ୨୦୧୩ ମସିହାରେ ଏହା ପୂର୍ବରୁ ଲୋକଙ୍କ ସଂଗଠିତ ପ୍ରତିବାଦ ଅର୍ଥନୀତିକୁ ନେଇ ହୋଇଥିଲା। ଏହାର ପଛରେ ରାଜନୈତିକ କାରଣ ରହିଛି ବୋଲି କୁହାଗଲା। ଏହିହେତୁ ୨୦୧୫ ମସିହାରେ ସମ୍ବିଧାନ ସଂଶୋଧନ କରଯାଇଥିଲା। ନୂତନ ସଂଶୋଧନରେ ନେପାଳରେ ରାଜ୍ୟ ବ୍ୟବସ୍ଥା ବା ଫେଡେରାଲ ବ୍ୟବସ୍ଥାକୁ ଗୁରୁତ୍ଵ ଦିଆଗଲା। ବହୁ ଦଳୀୟ ବ୍ୟବସ୍ଥା ଲାଗୁ ହେଲା। ନାଗରିକର ମୌଳିକ ଅଧିକାର ପରିସରକୁ ବ୍ୟାପକ କରାଗଲା। ନ୍ୟାୟ ବ୍ୟବସ୍ଥାକୁ ଅଧିକ ସ୍ଵାଧୀନତା ଦିଆଗଲା। କିନ୍ତୁ ଆର୍ଥିକ ଅସମାନତାକୁ ଦୂର କରିବା ଦିଗରେ କୌଣସି ଠୋସ ପଦକ୍ଷେପ ନିଆଯିବାର ନିଷ୍ପତ୍ତି ରହିନଥିଲା।
ଏପରିକି ୧୯୫୦ ମସିହାରେ ମହାରାଜା ରାଣାଙ୍କ ବିରୁଦ୍ଧରେ ପ୍ରତିବାଦ ହେଉ ବା ୧୯୯୦ ଦଶକରେ ରାଜା ମହେନ୍ଦ୍ର ବିରୋଧରେ ପ୍ରତିବାଦ ଓ ୨୦୦୮ ମସିହାରେ ସଂପୂର୍ଣ୍ଣ ରାଜ ପରିବାରକୁ କ୍ଷମତାଚ୍ୟୁତ କରିବାର ବିଦ୍ରୋହ ପଛରେ ଆର୍ଥିକ ଅସମାନତା ମୁଖ୍ୟ କାରଣ ରହିଆସିଛି। ପ୍ରତିଥର ଏହାକୁ ରାଜନୈତିକ କ୍ଷମତା ହସ୍ତାନ୍ତର ମଧ୍ୟରେ ସୀମିତ କରିଦିଆଯାଇଛି।
ଆଜି ନେପାଳରେ ୨୦ ପ୍ରତିଶତ ଯୁବକ ରୋଜଗାର ବିହୀନ ବୋଲି ସରକାରୀ ତଥ୍ୟ ଅନୁସାରେ ସ୍ଵୀକାର କରାଯାଉଛି। ଅଥଚ ଏହି ସମୟ ମଧ୍ୟରେ କୋଟିପତିଙ୍କ ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ଘଟିଛି। ଦେଶରେ ଗରିବୀ ଓ ସ୍ଥାନାନ୍ତର ବଢ଼ିବା ସହିତ ଅଳ୍ପ ଲୋକଙ୍କ ହାତରେ ସମ୍ପତ୍ତି ଠୁଳ ହେବାରେ ଲାଗିଛି। ଦେଶର ଅର୍ଥନୀତିରେ କୌଣସି ପରିବର୍ତ୍ତନ ସମ୍ପର୍କରେ କୌଣସି ଠୋସ ପଦକ୍ଷେପ ନିଆଯାଉନାହିଁ। ଏହାର କାରଣ ବିଦେଶୀ ଋଣ ସହିତ ଅନେକ ବିଦେଶୀ କମ୍ପାନୀଙ୍କ ପୁଞ୍ଜି ନିବେଶ ମଧ୍ୟ ରହିଛି ଯାହାକୁ ପବ୍ଲିକ ବିତର୍କ ମଧ୍ୟକୁ ଅଣାଯାଉନାହିଁ।
୫. ଖଣି କମ୍ପାନୀଙ୍କୁ କୋହଳ
ଚୌଧୁରୀ ଗୃପ ଅଫ କମ୍ପାନୀ ସହିତ ଭାରତର ଅଦାନୀ, ଆଦିତ୍ୟ ବିରଳା କମ୍ପାନୀ ନେପାଳର ସିମେଣ୍ଟ, ହାଇଡ୍ରୋ ପାୱାର (୪୦,୦୦୦ ମେଗା ୱାଟ) ଇତ୍ୟାଦି କ୍ଷେତ୍ରରେ ପୁଞ୍ଜି ଲଗାଣ ରହିଛି। ନେପାଳର ୧୭ଟି ମିନେରାଲରେ ୧୫୬ଟି କମ୍ପାନୀ ଖଣି ଖୋଳିବାର ଲିଜ ପାଇଛନ୍ତି। ସେମାନେ କପର, ଡୋଲୋମାଇଟ, ମାର୍ବଲ, ରେଡ ଅକ୍ସାଇଡ ଓ କ୍ଵାର୍ଜ ଇତ୍ୟାଦିରେ ନିଯୁକ୍ତ। ଖଣି କମ୍ପାନୀଙ୍କ ଠାରୁ ଆସୁଥିବା ରେଭେନ୍ୟୁ ଏତେ କମ ରଖାଯାଇଛି ଯେ ଏହା ସ୍ଵତନ୍ତ୍ର ଭାବରେ ନେପାଳର ବଜେଟରେ ଦର୍ଶାଉନାହିଁ। ଏହା ବଡ଼ ଷଡ଼ଯନ୍ତ୍ର ଯାହା ସମ୍ପର୍କରେ ସମସ୍ତେ ସଂପୂର୍ଣ୍ଣ ନୀରବ। ସବୁଠାରୁ ପୁରୁଣା ଆମେରିକୀୟ ବହୁରାଷ୍ଟ୍ରୀୟ କମ୍ପାନୀ ୟୁନିଲିଭରର ବହୁତ ବଡ଼ ପୁଞ୍ଜି ନେପାଳରେ ରହିଛି। ସେମାନେ ଅନେକ କ୍ଷେତ୍ରରେ ପ୍ରାୟ ୬୦ ଦଶକରୁ ସକ୍ରିୟ। ବିରାଟ ପୁଞ୍ଜି ଅର୍ଥନୀତି ଦ୍ଵାରା ଯେ ନେପାଳର ସ୍ଥିତି ଅନେକଟା ଶୋଚନୀୟ ସେ ସମ୍ପର୍କରେ ଜାଣି ଜାଣି ଆଲୋଚନାକୁ ବନ୍ଦ କରାଯାଉଛି।
୬. ଶ୍ରୀଲଙ୍କାରୁ ଶିକ୍ଷା ନପାଇବା
୨୦୧୦ ମସିହାରୁ ୨୦୨୦ ମସିହା ମଧ୍ୟରେ ଶ୍ରୀଲଙ୍କାର ଋଣ ଭାର ଦୁଇ ଗୁଣ ହୋଇଥିଲା। ୨୦୧୯ ମସିହାରେ ଜିଡିପିର ବୈଦେଶିକ ଋଣ ଶତକଡ଼ା ୪୨ ଭାଗ ଥିବା ବେଳେ ୨୦୨୧ରେ ଏହା ୧୧୯ ଶତକଡ଼ାକୁ ବୃଦ୍ଧି ଘଟିଥିଲା। ୨୦୨୨ରେ ଶ୍ରୀଲଙ୍କାରେ ଯେଉଁ ଗଣ ବିପ୍ଳବ ଦେଖାଗଲା ତାହାକୁ କିନ୍ତୁ ରାଷ୍ଟ୍ରପତି ଗୋଟାବାୟାଙ୍କ ପାଗଳାମି ବିରୁଦ୍ଧରେ ପ୍ରତିବାଦ କହି ସୀମିତ କରିଦିଆଯାଇଥିଲା। ନେପାଳର ଅର୍ଥନୀତିରେ ବିଦେଶୀ ସହଯୋଗ, ବିଦେଶୀ ଋଣ ଓ ପରୋକ୍ଷ ଟିକସ ବ୍ୟବସ୍ଥା ଉପରେ ଅଧିକ ନିର୍ଭର।
ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କ ଦ୍ଵାରା ପ୍ରକୃତିକ ସମ୍ପଦ ଉପରେ କର୍ତ୍ତୃତ୍ୱ ବଢ଼ିବାରେ ଲାଗିଛି। ବିଗତ ଦିନମାନଙ୍କରେ ଯେଉଁ ଦଳମାନେ ଏହି ଅର୍ଥନୀତିକୁ ପରିଚାଳିତ କରିଆସୁଥିଲେ (ନେପାଳୀ କଂଗ୍ରେସ ଠାରୁ କମ୍ୟୁନିଷ୍ଟ ପାର୍ଟି ଅଫ ନେପାଳ-ମାଓଇସ୍ଟ ସେଣ୍ଟର ପର୍ଯ୍ୟନ୍ତ) ଆଜି ସେମାନେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଅଥଚ ଆଜି ନେପାଳରେ ଚାଲିଥିବା ଦୃଢ଼ ପ୍ରତିବାଦ ସମୟରେ ଅର୍ଥନୈତିକ ପ୍ରସଙ୍ଗରେ କୌଣସି ଆଲୋଚନା ହେଉନାହିଁ। ନେପାଳୀ କଂଗ୍ରେସ ଠାରୁ କମ୍ୟୁନିଷ୍ଟ ପାର୍ଟି ଅଫ ନେପାଳ-ମାଓଇସ୍ଟ ସେଣ୍ଟର ପର୍ଯ୍ୟନ୍ତ ସବୁ ଦଳ ପୁଣି ନିର୍ବାଚନରେ ଭାଗ ନେବେ ଓ ସେହିମାନଙ୍କୁ ପୁଣି ସୁରକ୍ଷା ଦେବେ ଯେଉଁମାନଙ୍କ ଲାଗି ନେପାଳରେ ସେମାନଙ୍କୁ ଆକ୍ରମଣ କରାଗଲା। ଦେଶୀୟ ଆତ୍ମନିର୍ଭରଶୀଳ ଅର୍ଥବ୍ୟବସ୍ଥା ଆଡ଼କୁ ନେବା ଲାଗି ରାଜନୈତିକ ଦଳ ମଧ୍ୟରେ ଆଲୋଚନା ନାହିଁ।
୭. ଭାରତରେ ପ୍ରତିବାଦର ସମ୍ଭାବନା
ଭାରତରେ ଜାଣି ଜାଣି ସର୍ବନିମ୍ନ ମଜୁରୀକୁ ଅତି କମ ରଖାଯାଇଛି ଯେପରି ଶ୍ରମିକ ଅନ୍ତତଃ କେବଳ ମୁଠେ ଖାଇ ଓ ଢୋକେ ପିଇ ଜୀବନ ବିକଳରେ ପୁଣି ପ୍ଳାଣ୍ଟ ସାମ୍ନାରେ କାମ ଲାଗି ଠିଆ ହେବ। ଏଠାରେ କୃଷିଜାତ ଦ୍ରବ୍ୟର ମୂଲ୍ୟ ଜାଣି ଜାଣି କମ ରଖାଯାଇଛି କାଳେ ଶ୍ରମିକ ଅଧିକ ମଜୁରୀ ଦାବି କରିବ। ଏଠାରେ ଟମାଟୋ କିଲୋ ଦୁଇ ଟଙ୍କା ଓ ଆଳୁ ଦଶ ଟଙ୍କାରେ ବିକ୍ରି ହୁଏ କିନ୍ତୁ ଆମେରିକୀୟ ୟୁନିଲିଭରର ଟମାଟ ସସ ୫୦୦ ଗ୍ରାମକୁ ଏକ ଶହ ଟଙ୍କା ଓ ଆମେରିକୀୟ ଲେୟଜ କମ୍ପାନୀର ପଟାଟୋ ଚିପ୍ସ ୬୭ ଗ୍ରାମ ପ୍ୟାକେଟକୁ ୩୦ ଟଙ୍କାରେ ବିକ୍ରି କରାଯାଉଛି। ପେପ୍ସିର ପାଣି ଲିଟର ୨୦ ଟଙ୍କା ଓ ତିନି ମାସର ଅକ୍ଲାନ୍ତ ପରିଶ୍ରମ ତଥା ପ୍ରକୃତିକ ଦୁର୍ବିପାକରୁ ବଞ୍ଚାଇ ପାରିଥିବା ଧାନ କିଲୋ ଅତି ବେଶୀରେ ୧୫ ଟଙ୍କା। ଭାରତରେ ଏହାର ଅର୍ଥନୀତିକୁ ଜାଣି ଜାଣି ଶ୍ରମିକ ଓ କୃଷକ ଠାରୁ ଅନେକ ଦିନରୁ ଛଡ଼ାଇ ନିଆଯାଇଛି। ତେଣୁ ଭାରତରେ ଲୋକଙ୍କ ପ୍ରତିବାଦ କେବେ ଆର୍ଡିନାନ୍ସ ବିରୁଦ୍ଧରେ ଆଦିବାସୀଙ୍କ ଆନ୍ଦୋଳନ, ତିନି କୃଷି ନୀତି ବିରୁଦ୍ଧରେ କୃଷକ ଆନ୍ଦୋଳନ ଓ ଏନଆରସି ବିରୁଦ୍ଧରେ ଧର୍ମନିରପେକ୍ଷ ଆନ୍ଦୋଳନ ମୁଣ୍ଡ ଟେକୁଛି। କିନ୍ତୁ କିଛି ଦିନ ନୀରବ ରହିବା ପରେ ପୁଣି ଭିନ୍ନ ରାସ୍ତାରେ ସେହି ସବୁ ନୀତିକୁ ସରକାର ଲାଗୁ କରୁଥିବା ଦେଖାଯାଉଛି। ସରକାର ଲୋକଙ୍କ ଶାନ୍ତିପୂର୍ଣ୍ଣ ପ୍ରତିବାଦକୁ ଏଭଳି ଅଣଦେଖା କରୁଥିବା ହେତୁ ଭାରତରେ କେବେ ହୁଏତ ଆକ୍ରୋଶ ଦେଖାଯାଇପାରେ।
ଶେଷରେ
ସଂଗଠିତ ପ୍ରତିବାଦ ଓ ପ୍ରତିରୋଧ ମଣିଷର ସହଜାତ ପ୍ରବୃତ୍ତି। ନିଜ ଉପରେ ହେଉଥିବା ଅତ୍ୟାଚାର ଓ ଶୋଷଣ ବିରୁଦ୍ଧରେ ପ୍ରତିବାଦ ସେ କରିବ ହିଁ କରିବ। ସେଥିରୁ ବର୍ତ୍ତିବା ଲାଗି କ୍ଷମତାଶାଳୀ ବର୍ଗ ନିଜକୁ ସଜାଡ଼ିବା ଅପେକ୍ଷା ଲୋକଙ୍କୁ ବିଭାଜିତ କରିଥାନ୍ତି। ତଥାପି ପୃଥିବୀର କୌଣସି ନା କୌଣସି କୋଣରେ ଏହାର ପ୍ରତିବାଦରେ ବିସ୍ଫୋରକ ସ୍ଥିତି ସୃଷ୍ଟି ହୋଇଥାଏ। କିନ୍ତୁ ଏହାକୁ ବ୍ୟାପକ କରିବା ପୂର୍ବରୁ ପୁଞ୍ଜି ବିନିଯୋଗ କରିଥିବା ଶକ୍ତି ଏହାକୁ ବଶୀଭୂତ କରିନେଉଛନ୍ତି। ଏହା ନେପାଳରେ ଦେଖାଯାଉଛି ଓ ଏହା ଶ୍ରୀଲଙ୍କାରେ ମଧ୍ୟ ଦେଖାଗଲା। ନେପାଳ ସନ୍ଦର୍ଭରେ ଭାରତରେ ହେଉଥିବା ଆଲୋଚନା ସ୍ପଷ୍ଟ କରୁଛି ଯେ ଲୋକଙ୍କ ମଧ୍ୟରେ ରହିଥିବା କ୍ଷୋଭ, ଯନ୍ତ୍ରଣା, ଠକି ଯାଇଥିବାର ଅନୁଭବ, ଅତ୍ୟଧିକ ଅର୍ଥନୈତିକ ବୈଷମ୍ୟ, ସାମ୍ବିଧାନିକ ଅଧିକାର ବିହୀନ ଅସୁରକ୍ଷିତ ଜୀବନ ସେମାନଙ୍କୁ ଏଭଳି ଆଲୋଚନାରୁ କିଛି ଆଶା ଦେଉଛି। ଭାରତରେ ଧାର୍ମିକ ମୌଳବାଦୀମାନେ ପୁରପଲ୍ଲୀ ଠାରୁ ଟିଭି ହାଉସ ପର୍ଯ୍ୟନ୍ତ ସବୁଠାରେ ଏଭଳି ଭାବରେ ଲୋକଙ୍କ ମଧ୍ୟରେ ବିଭାଜନ ରାଜନୀତିର ବିଷ ବୁଣିବାରେ ଲାଗିଛନ୍ତି ଯେ ସେମାନଙ୍କ ଠାରୁ ବର୍ତ୍ତିବା ଓ ଆର୍ଥିକ ପ୍ରସଙ୍ଗରେ ଲୋକଙ୍କ ପ୍ରତିବାଦ ସଂଗଠିତ ହେବ ବୋଲି ଆଶା କରିବା କଠିନ ଯଦି ସେମାନଙ୍କ ଠାରୁ ଏହି ସାମାଜକୁ ମୁକ୍ତ କରାନଯାଏ। ତେଣୁ ନେପାଳର ସ୍ଥିତି ସମ୍ପର୍କରେ ସକାରାତ୍ମକ ଆଲୋଚନା ଜରୁରୀ।
ମୋବାଇଲ- ୯୪୩୭୭୬୨୨୭୨
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
