ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଚାଲିବାକୁ ଥିବା ରାଜନୈତିକ ଗୋଟିଚାଳନା ଓ ଦକ୍ଷିଣ ଭାରତୀୟ ଚଳଚିତ୍ରର କାହାଣୀ ପରି ମୋଡ଼ ବଦଳାଉଥିବା ଉଭୟ ଶାସକ ଏନଡିଏ ଏବଂ ମିଳିତ ବିରୋଧୀ ଦଳଙ୍କର ପଦକ୍ଷେପ ଖୁବ ରୋଚକ ଓ ଚର୍ଚ୍ଚିତ ହେଉଥିବାର ଦେଖାଯାଉଛି। ଦେଶର ବିଭିନ୍ନ ସ୍ଥାନରେ ଏମିତି ସବୁ ଆକର୍ଷଣୀୟ ଓ ଗୁରୁତ୍ୱପୂର୍ଣ୍ଣ ଘଟଣାମାନ ଘଟିଯାଉଛି ଯେଉଁଥିରୁ ଏହିପରି ପଦକ୍ଷେପଗୁଡ଼ିକ ରୋଚକ ହେଉଥିବାର ସ୍ପଷ୍ଟ ସୂଚନା ମିଳୁଛି। ଏସବୁ ଭିତରେ ଅଧିକ ଚର୍ଚ୍ଚାର ବିଷୟ ହେଉଛି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଦଳର ବରିଷ୍ଠ ନେତାମାନଙ୍କର ଶରଦ ପାୱାରଙ୍କ ବିରୁଦ୍ଧରେ ବିଦ୍ରୋହ। ଶରଦଙ୍କ ପୁତୁରା ଅଜିତ ପାୱାର ଏବଂ ତାଙ୍କ ଘନିଷ୍ଠ ସହକର୍ମୀ ପ୍ରଫୁଲ୍ଲ ପଟେଲ ଏବଂ ଛଗନ ଭୂଜବଳଙ୍କ ସହଯୋଗରେ ସମ୍ମିଳିତ ଭାବେ ଏନସିପି ଦଳକୁ ଦୁଇଫାଳ କରିଦେଇ ମହାରାଷ୍ଟ୍ରରେ ଶିବସେନା (ସିନ୍ଦେ) ଏବଂ ବିଜେପି ମିଳିତ ସରକାରରେ ଯୋଗ ଦେଇଛନ୍ତି।
କିଛି ମାସ ଧରି କ୍ଷମତା ବାହାରେ ରହି ତ୍ରିଶଙ୍କୁ ଅବସ୍ଥା ମଧ୍ୟକୁ ଠେଲି ହୋଇଯାଇଥିବା ଅଜିତ ପାୱାର ଇତିମଧ୍ୟରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିସାରିଛନ୍ତି। ଉଭୟ ଶରଦ ଏବଂ ତାଙ୍କ ପୁତୁରା ଅଜିତଙ୍କ ପଛରେ ସର୍ବାଧିକ ଏନସିପି ବିଧାୟକଙ୍କ ସମର୍ଥନ ଥିବାର ଦାବି କରିଛନ୍ତି ଓ ରାଜ୍ୟରେ ରାଜନୈତିକ ନାଟକର ଅଙ୍କ ପରେ ଅଙ୍କ ଅଭିନୀତ ହୋଇ ଚାଲିଛି। ତାହା ଦେଖୁଛନ୍ତି ଭାରତୀୟ ନାଗରିକ, ବିଶେଷ ଭାବେ ମହାରାଷ୍ଟ୍ରର ମତଦାତା। ତେବେ ଏହା କେହି ବି ଅସ୍ୱୀକାର କରିପାରିବେ ନାହିଁ ଯେ ଏହିସବୁ ଘଟଣାକ୍ରମ ଶିବସେନା (ଉଦ୍ଧବ), କଂଗ୍ରେସ ଏବଂ ଏନସିପିକୁ ନେଇ ପରିକଳ୍ପିତ ମହାଗଠବନ୍ଧନକୁ ବହୁତ ବଡ଼ ଧକ୍କା ଦେଇଛି ଯାହା ଜାତୀୟ ସ୍ତରରେ ୨୦୨୪ ମତଦାନ ପୂର୍ବରୁ ମୋଦୀବିରୋଧୀଙ୍କୁ ବିରୋଧ କରିବା ପାଇଁ ମତଦାତାଙ୍କୁ ଏକ ସ୍ପଷ୍ଟ ବାର୍ତ୍ତା ନିଶ୍ଚୟ ଦେଇସାରିଛି। ତେବେ ଆଶ୍ଚର୍ଯ୍ୟର କଥା ଯେ ବିରୋଧୀ ଦଳମାନେ ଏନସିପି ଦୁଇ ଭାଗରେ ବିଭକ୍ତ ହୋଇସାରିଥିବା କଥାଟିକୁ ବିଜେପିର ଷଡ଼ଯନ୍ତ୍ର ଭାବେ ଚିତ୍ରଣ କରି ବାସ୍ତବତାଠାରୁ ଦୂରେଇ ଯାଇଛନ୍ତି।
କେହି କଳ୍ପନା କରିପାରି ନଥିବେ ଯେ ପ୍ରଫୁଲ୍ଲ ପଟେଲଙ୍କ ଭଳି ଶରଦ ପାୱାର-ଭକ୍ତ କେବେ ବି ନିଜର ରାଜନୈତିକ ଗୁରୁଙ୍କ ହାତ ଛାଡ଼ିଦେବେ। କିନ୍ତୁ ଏହା ରାଜନୀତି, ଯାହା ସବୁବେଳେ ଚକିତକାରକ ଘଟଣାବଳିରେ ଥାଏ ପରିପୂର୍ଣ୍ଣI କୁହାଯାଉଛି ଯେ, ଏନସିପିରେ ହୋଇଥିବା ବିରାଟ ବିଭାଜନ ପଛରେ ସବୁଠାରୁ ମହତ୍ୱପୂର୍ଣ୍ଣ କାରଣ ହେଉଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଖୋଳତାଡ଼। ଅଜିତ ପାୱାର, ପ୍ରଫୁଲ୍ଲ ପଟେଲ ଏବଂ ଭୂଜବଳଙ୍କ ପରି ଦଳର ବରିଷ୍ଠ ନେତାଙ୍କ ପଛରେ ପଡ଼ିଥିବା ଏହି କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ପକ୍ଷରୁ ଆରମ୍ଭ ହୋଇଥିବା ଅନୁସନ୍ଧାନ। ସେମାନେ ସମସ୍ତେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡିଙ୍କ ଜବକାଚରେ ପରିଧିରେ ଥିବାର କୁହାଯାଉଛି। ସ୍ମରଣ ଥାଇପାରେ ଯେ ପ୍ରାୟ ମାସକ ତଳେ ମଧ୍ୟ ପ୍ରଦେଶରେ ଏକ ରାଜନୈତିକ ସମାବେଶରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନସିପିକୁ ଏକ ଘୋଟାଲା (ସ୍କାମ) ଦଳ ବୋଲି ବର୍ଣ୍ଣନା କରିଥିଲେ; ଯେଉଁଥିରୁ ସୃଷ୍ଟି ହୋଇଥିଲା ଏନସିପି ଦଳରେ ପ୍ରକମ୍ପନ। ଇଡ଼ି ରୋଷରୁ ବର୍ତ୍ତିବା ପାଇଁ ଦାଗୀ ନେତାମାନେ ନିଜ ଦଳ ସହ ପ୍ରତାରଣା କରି ମହା-ବିଭାଜନର କାରଣ ହେଲେ ବୋଲି କୁହାଯାଉଛି। ମୋଦି ତାଙ୍କର ଭାଷଣରେ ଜଳସେଚନ ଘୋଟାଲା ବିଷୟରେ ସବିଶେଷ ଉଲ୍ଲେଖ କରିଥିଲେ, ଯେଉଁଥିରେ ଅଜିତ ପାୱାର ଜଡ଼ିତ ଥିବାର ଅଭିଯୋଗ ହୋଇଆସୁଛି। ସେହିଭଳି, ଇଡିପକ୍ଷରୁ କିଛି ମାସ ତଳେ ପ୍ରଫୁଲ୍ଲ ପଟେଲଙ୍କ ମାଲିକାନାରେ ଥିବା ଦକ୍ଷିଣ ମୁମ୍ବାଇସ୍ଥିତ ଏକ ପ୍ରମୁଖ ଅଟ୍ଟାଳିକାର ମାତ୍ର ଚାରି ମହଲା ଜବତ କରିନେଇଥିବାର ଜଣାଯାଇଛି। ରାଜନୈତିକ ଅଳିନ୍ଦରେ ଗୁଜବ ଖେଳି ବୁଲୁଛି ଯେ ଅଧିକାଂଶ ବରିଷ୍ଠ ଏନସିପି ନେତା କେବଳ ଇଡି ଭୟରେ ନିଜଦଳର ସୁପ୍ରିମୋଙ୍କ ହାତ ଛାଡ଼ି ଦେଇ ନିଜକୁ ସୁରକ୍ଷିତ ରଖିବାକୁ ପ୍ରଚେଷ୍ଟା କରିଛନ୍ତି।
ତେବେ ମହାରାଷ୍ଟ୍ରରେ ରାଜନୈତିକ ପରିସ୍ଥିତି ଏବେ ତରଳ ହୋଇ ରହିଥିବାରୁ ରାଜ୍ୟ ରାଜନୀତିରେ ଅଭିନୀତ ନାଟକର ଶେଷ ଅଙ୍କ ପ୍ରଦର୍ଶନ ଆଜିବି ବାକି ରହିଛି। ଧୂରିଣ ରାଜନେତା ଶରଦ ପାୱାରଙ୍କ ପରବର୍ତ୍ତୀ ପଦକ୍ଷେପକୁ ଲୋକମାନେ ଉଦବେଗ ସହିତ ଏକ ନିଃଶ୍ୱାସରେ ଅପେକ୍ଷା କରିଛନ୍ତି। ଆହୁରି ମଧ୍ୟ କଳ୍ପନାଜଳ୍ପନା ହେଉଛି ଯେ ଏନସିପିରେ ଯାହା ସବୁ ଘଟୁଛି, ତାହା କୁଆଡେ ଶରଦ ପାୱାରଙ୍କ ଅଜାଣତରେ ଘଟୁନାହିଁ। ବରଂ ସେ ନିଜେ ଏହି ମହା ନାଟକର ନାଟ୍ୟକାର। ଶେଷ ଅଙ୍କରେ ନାଟକ କେଉଁ ମୋଡ଼ ନେବ, ତାହା ଏନସିପି ସୁପ୍ରିମୋ ଶାରଦଙ୍କୁ ହିଁ ଜଣା!
ଅନ୍ୟ ଏକ ଦୃଷ୍ଟିକୋଣରୁ ମଧ୍ୟ ଏହି ବିଭାଜନକୁ ବିଚାର କରାଯାଉଛି। ମହାରାଷ୍ଟ୍ରର ପୁରୁଖା ନେତା ଶରଦ ପାୱାର ଲୋକଙ୍କର ନାଡ଼ିଚିପି ଜନମତ ଚିହ୍ନିବାରେ ଅତୁଳନୀୟ। ଉଦ୍ଧବ ଠାକରେ ପୀଡ଼ିତ-କାର୍ଡ ଖେଳି ପରିସ୍ଥିତିର ସୁଯୋଗ ନେବାକୁ ଚେଷ୍ଟା କରୁଥିଲା ଭଳି ସେ ମଧ୍ୟ ଆଗାମୀ ନିର୍ବାଚନରେ ତାଙ୍କ ସପକ୍ଷରେ ଜନସାଧାରଣଙ୍କ ସହାନୁଭୂତି ଆଶା କରୁଥାଇ ପାରନ୍ତି। ଅନେକେ ତ ଭାବନ୍ତି ଯେ ପାୱାରଙ୍କ ଶେଷ ଲକ୍ଷ୍ୟ ହେଉଛି ତାଙ୍କ ଝିଅ ସୁପ୍ରିୟା ସୁଲେଙ୍କୁ ରାଜନୈତିକ ଉତ୍ତରାଧିକାରିତ୍ୱ ହସ୍ତାନ୍ତର ଭଳି ମହତ୍ତ୍ୱାକାଂକ୍ଷା ହାସଲ। ଭାରତୀୟ ସମ୍ବିଧାନର ଦଶମ ସୂଚୀ ଅନୁଯାୟୀ ଏନସିପି ବିଦ୍ରୋହୀ ବିଧାୟକଙ୍କ ଅଯୋଗ୍ୟତା ପାଇଁ ପଦକ୍ଷେପ ନେଇ ସାରିଥିବାର ଖବର ମିଳୁଛି ଏବଂ ଦଳର ନିର୍ବାଚନ ଚିହ୍ନ ହାସଲ କରିବା ପାଇଁ ଲଢ଼େଇ ହେବାର ସମ୍ଭାବନା ବଢୁଥିବା ବେଳେ ଧୂରିଣ ଶରଦ ପାୱାର ବର୍ତ୍ତମାନ କିପରି ତାଙ୍କ କାର୍ଡ ଖେଳୁଛନ୍ତି ତାହା ଦେଖିବାକୁ ନିଶ୍ଚୟ ଅଧିକ ରୋଚକ ହେବ।
ଏହି ସବୁ ଘଟଣାକ୍ରମ କିଛିମାସ ତଳେ ଶିବସେନା ମଧ୍ୟରେ ଘଟିଥିବା ଘଟଣାକୁ ମନେ ପକାଇଦିଏ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆସନକୁ ଅକ୍ତିଆର କରିପାରିଥିବା ଏକନାଥ ସିନ୍ଧେ ସେବେ ବିଜେପି ସହିତ ଏକ ମିଳିତ ସରକାର ଗଠନ କରିବା ପାଇଁ ଶିବସେନା-ଏନସିପି ଗଠବନ୍ଧନ ମହାଅଘାଡ଼ି ସରକାରର ପତନ ଘଟାଇଥିଲେ। ଫଳରେ ଶିବ ସେନା ଦଳରେ ବିଭାଜନ ଘଟିଥିଲା ଏବଂ ଭାରତୀୟ ଜନତା ଦଳ ମହାରାଷ୍ଟ୍ରରେ ସିନ୍ଧେଙ୍କ ହାତରେ ମୁଖ୍ୟମନ୍ତ୍ରୀ ଗାଦୀକୁ ଟେକିଦେଇ ବିରୋଧୀ-ମାରଣ ଅଶ୍ଵମେଧ ଯଜ୍ଞର ଆୟମାରମ୍ଭ କରିଥିଲା ଦେଶର ଅର୍ଥନୈତିକ ରାଜଧାନୀ ମୁମ୍ବାଇ ମହାନଗରୀରେ।
ଗତ ମାସରେ ତାମିଲନାଡୁରେ ମଧ୍ୟ ସମାନ ଧରଣର ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଦେଖିବାକୁ ମିଳିଛି। ଦୁର୍ନୀତି ଅଭିଯୋଗରେ ଜେଲରେ ଥିବା ଜଣେ ମନ୍ତ୍ରୀଙ୍କୁ ବରଖାସ୍ତ କରିବାକୁ ରାଜଭବନରୁ ତତ୍ପରତା ପ୍ରକାଶ ପାଇବା ପରେ ବର୍ତ୍ତମାନ ଶାସନରେ ଥିବା ଡିଏମକେ ସରକାର ଏବଂ ରାଜ୍ୟପାଳ ଆର.ଏନ୍. ରବିଙ୍କ ମଧ୍ୟରେ ସମ୍ପର୍କ ବିଗିଡ଼ି ଯାଇଛି। ଯଦିଓ ପରବର୍ତ୍ତୀ କାଳରେ ଏହି ନିଷ୍ପତ୍ତି ସ୍ଥଗିତ ରଖାଗଲା; ଏହା ରାଜ୍ୟପାଳଙ୍କ କ୍ଷମତାକୁ ନେଇ ଏକ ସାମ୍ବିଧାନିକ ବିତର୍କ ସୃଷ୍ଟି କରିଛି। ତାମିଲନାଡୁ ସରକାର ଏବଂ ରାଜ୍ୟପାଳଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ତାମିଲନାଡୁରେ ଭାରତୀୟ ଜନତା ଦଳର ସହଯୋଗୀ ଏଆଇଡ଼ିଏମକେ ବିରୋଧୀ ଦଳରେ ରହିଥିବାରୁ ଡିଏମକେ ଦଳରେ ବିଭାଜନ ସୃଷ୍ଟି ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ ସଂସ୍ଥାମାନଙ୍କୁ ବ୍ୟବହାର କରାଯାଉଥିବାର ଅଭିଯୋଗ ଆସୁଛି। ତେବେ, ମହାରାଷ୍ଟ୍ର ଓ ତାମିଲନାଡୁ ରାଜ୍ୟରେ ଯାହା ଘଟିଗଲା, ତାହା ଜାତୀୟ ସ୍ତରରେ ରାଜନୀତିକୁ ଗରମ କରିଦେଇଛି ଏବଂ ଆଗାମୀ ଦିନରେ ତାହା ଅଧିକ ଅନୁଭୂତ ହେବାର ସମ୍ଭାବନା ରହିଛି।
ପ୍ରଧାନମନ୍ତ୍ରୀ ମୋଦିଙ୍କର ସବୁକଥାରେ ସଂକ୍ଷିପ୍ତ ନାମକରଣ ଭଳି ଢାଞ୍ଚାକୁ ଗତ ଜୁଲାଇ ମାସ ୧୮ ତାରିଖରେ ଅନୁଷ୍ଠିତ ବେଙ୍ଗାଳୁରୁ ବୈଠକରେ ତାଙ୍କର ବିରୋଧୀମାନେ ଆପଣାଇଛନ୍ତି ଓ ଗଠନ କରିଛନ୍ତି ନୂଆ ସାମ୍ମୁଖ୍ୟ ଆଇଏନଡିଆଇଏ ବା ଇଣ୍ଡିଆ। ଭାରତୀୟ ଜନତା ଦଳ ଯେପରି ଆସନ୍ତା ଲୋକସଭା ନିର୍ବାଚନରେ ପରାସ୍ତ ହେବ ଓ ମୋଦି ତୃତୀୟ ଥର ପାଇଁ କ୍ଷମତା ଦାଖଲ କରି ପାରିବେନି, ସେଥିପାଇଁ ୨୬ଟି ବିରୋଧୀ ଦଳ ଇଣ୍ଡିଆ ଗଢ଼ିଛନ୍ତି। କୁହାଯାଉଛି ଯେ ଆଗକୁ ଏଥିରେ ଅଧିକ ଦଳ ସାମିଲ ହେବେ।
ସାମ୍ମୁଖ୍ୟର ନେତୃତ୍ୱ ସ୍ୱାଭାବିକ ଭାବେ ସର୍ବ ପୁରାତନ ତଥା ଦୀର୍ଘକାଳ ଧରି ଦେଶ ଶାସନ କରିଥିବା କଂଗ୍ରେସ ପାଖରେ ରହିବାର ଅନୁମାନ କରାଯାଏ। ରାହୁଲ ଗାନ୍ଧୀଙ୍କ ୧୩୬ ଦିନିଆ ଭାରତଯୋଡ଼ ପଦଯାତ୍ରା କାରଣରୁ କଂଗ୍ରେସମୁକ୍ତ ଭାରତରେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ପୁଣିଥରେ ମୁଣ୍ଡଟେକି ପାରିଛି। ବିଗତ ମାସରେ ହିମାଚଳ ପ୍ରଦେଶ ଓ କର୍ଣ୍ଣାଟକ ରାଜ୍ୟରେ ଭାରତୀୟ ଜନତା ଦଳକୁ କଂଗ୍ରେସ କ୍ଷମତାଚ୍ୟୁତ କରିସାରିଛି। ଏବେ, ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା କଥାକୁ ଗଣ୍ଠିକରି ରଣହୁଙ୍କାର ଦେଇଛି ଇଣ୍ଡି.ଆ। କଂଗ୍ରେସ ଏହାର ନେତୃତ୍ୱ ନେଉଥିଲେ ହେଁ ନିର୍ବାଚନ ଜିଣିଲେ ପ୍ରଧାନମନ୍ତ୍ରୀତ୍ୱ ପାଇଁ ଦାବୀ କରିବ ନାହିଁ ବୋଲି ଘୋଷଣା କରିଛି। ମୁମ୍ବାଇରେ ପରବର୍ତ୍ତୀ ବୈଠକ ସରିବା ପରେ ଦେଶବାସୀ ଅନେକ କିଛି ଚକିତକାରକ ଖବର ପାଇବାର ସମ୍ଭାବନା ରହିଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୁବିଧାବାଦ ରାଜନୀତିରେ ବିଶ୍ୱାସ କରୁଥିବାରୁ ଏଭଳି ସମ୍ଭାବନାକୁ ଏଡ଼ାଇ ଦେଇ ହେବନି।
ଏହି ସାମ୍ମୁଖ୍ୟ ଭିତରେ ଅଛନ୍ତି ଅନେକ ଶକ୍ତିଶାଳୀ ଆଞ୍ଚଳିକ ଦଳ ଯେଉଁମାନେ ଗୋଟିଏ ଗୋଟିଏ ରାଜ୍ୟରେ କଂଗ୍ରେସର ଶତ୍ରୁ। ସେମାନଙ୍କ ମଧ୍ୟରେ କ୍ଷମତା ଲଢ଼େଇ ବହୁଦିନରୁ ଚାଲିଆସିଛିI ଏମାନଙ୍କ ମଧ୍ୟରେ ନୀତିଗତ ଓ ବ୍ୟକ୍ତିତ୍ୱ ପ୍ରତିଷ୍ଠା ପାଇଁ ବିରୋଧାଭାସ ସ୍ପଷ୍ଟ। ଅସଲ ବେଳକୁ ଏମାନଙ୍କ ମଧ୍ୟରେ କିପରି ସଂହତି ରହିବ ତାହା ସନ୍ଦେହରେI ତଥାପି, ମୋଦି ଲଗାତାର ଦଶବର୍ଷ ଧରି ଶାସନ କ୍ଷମତାରେ ରହିଥିବାରୁ, ଅର୍ଥନୈତିକ ବିଫଳତା, ବେକାରୀ ବୃଦ୍ଧି, ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ, ବିରୋଧୀଙ୍କ ପ୍ରତି ଅସହନଶୀଳତା ତଥା ମୁକ୍ତ ଗଣମାଧ୍ୟମର କଣ୍ଠରୋଧ ଇତ୍ୟାଦିକୁ ଆୟୁଧ କରିବ।
ଏବେ ନୂଆ ଆୟୁଧଟିଏ ମିଳିଯାଇଛି ଏମାନଙ୍କୁ – ମଣିପୁର। ମଣିପୁରରେ ଘଟିଚାଲିଥିବା ଜାତିଗତ ହିଂସା ଓ ତାହାକୁ ଆୟତ୍ତ କରିବାରେ ବିଫଳତା ତଥା ପ୍ରଧାନମନ୍ତ୍ରୀଙ୍କ ନୀରବତା ବିରୋଧରେ ଆସନ୍ତା ସପ୍ତାହରେ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବାକୁ ଯାଉଛିI ଭାରତୀୟ ଜନତା ଦଳ ନେତୃତ୍ୱରେ ୩୮ଟି ଦଳ ଦ୍ୱାରା ଗଠିତ ଏନଡିଏ ଓ ୨୬ ଦଳୀୟ ଇଣ୍ଡିଆ ବାହାରେ ଓଡ଼ିଶାର ବିଜୁ ଜନତା ଦଳ ଓ ଆନ୍ଧ୍ର ପ୍ରଦେଶର ୱାଇଏସଆର କଂଗ୍ରେସ ସମେତ ୧୧ଟି ଆଞ୍ଚଳିକ ଦଳ ରହି ଯାଇଛନ୍ତି; ଯେଉଁମାନେକି କୌଣସି ସାମ୍ମୁଖ୍ୟର ଅଂଶୀଦାର ନୁହନ୍ତି। ସେମାନେ ଆଗାମୀ ଦିନମାନଙ୍କରେ ହୁଏତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଯେ କୌଣସି ସାମ୍ମୁଖ୍ୟର ଅଂଶୀଦାର ହୋଇ ପାରନ୍ତି କିମ୍ବା ପ୍ରସଙ୍ଗ ଭିତ୍ତିକ ସମର୍ଥନ ଦେବାକୁ ଉଚିତ ମଣିପାରନ୍ତି। ଏହି ଦଳମାନଙ୍କର ଜାତୀୟ ରାଜନୀତିରେ ରୁଚି ନଥିଲେ ବି ସେମାନଙ୍କର ଗାଣିତିକ ମେଳ ରାସାୟନିକ ଅମେଳ ଅପେକ୍ଷା ମହତ୍ୱପୂର୍ଣ୍ଣ ହୋଇଥିବାରୁ ଆଗାମୀ ଦିନରେ ଏଲ ନିନୋ ପ୍ରଭାବରେ ବିଶ୍ୱ ତାପମାନ ବଢ଼ି ରହିବା ଭଳି ଗରମ ରହିବା ନିଶ୍ଚିତ। ଏଣୁ, ଆମକୁ ଓଡ଼ିଶାରେ ଉଭୟ କଂଗ୍ରେସ ଓ ଭାରତୀୟ ଜନତା ଦଳ ପକ୍ଷରୁ ଶାସକ ବିଜୁ ଜନତା ଦଳ ପ୍ରତି ନରମ ଆଭିମୁଖ୍ୟ ଏବଂ ରାଜ୍ୟରେ ପ୍ରଶାସନିକ ଦୁରବସ୍ଥାକୁ ଆଖିବୁଜି ସହ୍ୟ କରୁଥିବାର ଦେଖିବାକୁ ମିଳିପାରେ।
ଇଣ୍ଡିଆ ପ୍ରଭାବରେ ଭାରତୀୟ ରାଜନୈତିକ ପାଣିପାଗ ଅଧିକ ଉଷ୍ମ ରହିବାର ଅନୁମାନ କରାଯାଇ ପରେ। ଆଗକୁ ଅଛି ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ତଥା ମିଜୋରାମ, ତ୍ରିପୁରା, ମେଘାଳୟ ଏବଂ ନଗାଲ୍ୟାଣ୍ଡ ଭଳି ସମ୍ବେଦନଶୀଳ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ବିଧାନସଭା ନିର୍ବାଚନ। ମଣିପୁର ସମସ୍ୟାକୁ ଯଦି ମୋଦି ସରକାର ସଫଳତାର ସହିତ ସମାଧାନ କରିପାରିବେ କିମ୍ବା ଅତିକମରେ ସମସ୍ତ ଗୋଷ୍ଠୀଙ୍କୁ ଏକତ୍ର ବସି ଆଲୋଚନା କରିବାର ପରିବେଶ ସୃଷ୍ଟିକରି ପାରିବେ, ତାହାର ସୁପ୍ରଭାଵ ଏହି ସମସ୍ତ ବିଧାନସଭା ନିର୍ବାଚନ ଫଳାଫଳ ଉପରେ ଆଂଶିକ ଭାବେ ପଡ଼ିବା ନିଶ୍ଚିତ। ତା ଛଡ଼ା, ଏହି ସମସ୍ତ ରାଜ୍ୟରେ ଭାରତୀୟ ଜନତା ଦଳର ବନ୍ଧୁ ଭାବାପନ୍ନ ଦଳମାନଙ୍କ ମଧ୍ୟରେ ପ୍ରାକ-ବିଧାନସଭା ନିର୍ବାଚନ ବୁଝାମଣା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଓ ରୋଚକ ହେବ। ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ଉଭୟ ସାମ୍ମୁଖ୍ୟ ଉତ୍ସାହିତ ଓ ସେମାନଙ୍କ ନିର୍ବାଚନ-କୌଶଳ ପ୍ରସ୍ତୁତକାରୀମାନେ ଏବେ ତତ୍ପର। ସେଥିପାଇଁ ସବୁ ଦଳର ମୁଖ୍ୟ କାର୍ଯ୍ୟାଳୟ ଓ ସେମାନଙ୍କ ଦ୍ୱାରା ନିଯୁକ୍ତ ରଣନୀତିକାରମାନଙ୍କର କାର୍ଯ୍ୟାଳୟ ଗୁଡ଼ିକରେ ଗହଳି ଲାଗିଲାଣି। ପୂର୍ବାନୁମାନ କରିବାକୁ ଗଣମାଧ୍ୟମମାନେ ମଧ୍ୟ ମତଦାତାଙ୍କ ସହ ସାକ୍ଷାତ ଆଲୋଚନା ଆରମ୍ଭ କଲେଣି। ଆଗକୁ ପ୍ରତିମାସରେ ବିଭିନ୍ନ ଦଳ ପ୍ରତି ମତଦାତାଙ୍କ ସମର୍ଥନ ହାରରେ ପରିବର୍ତ୍ତନ ପ୍ରକାଶ ପାଇବାକୁ ଯାଉଛି। ଏଭଳି ସମୟରେ ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚନରେ ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବାକୁ ଦାବିକରି ଏନଡ଼ିଏ ସମେତ ସବୁଦଳର ସହଯୋଗ ଲୋଡ଼ିବା ଅତ୍ୟନ୍ତ ଗୁରୁତ୍ୱ ରଖେ। ଏନଡ଼ିଏ ପକ୍ଷରୁ ପ୍ରସ୍ତାବକୁ ସମର୍ଥନ ମିଳିଲେ ବିଜେଡି ପକ୍ଷରୁ ଅନାସ୍ଥା ପ୍ରସ୍ତାବ ବିରୁଦ୍ଧରେ ଭୋଟ ଦେବାକୁ କିଛି ଧର୍ମସଙ୍କଟ ରହିବନି। ଆଗକୁ ସୁବିଧାବାଦୀ ନେତା ଭାବେ କୁଖ୍ୟାତି ଅର୍ଜନ କରିଥିବା ନେତାଙ୍କ ଦଳ ପରିବର୍ତ୍ତନ, ହୃଦୟ ପରିବର୍ତ୍ତନ, ବିଳମ୍ବିତ ସତ୍ୟ ଉପଲବ୍ଧି ଇତ୍ୟାବି କାରଣରୁ ଅନେକ ହଟଚମଟ ଯେ ଦେଖିବାକୁ ମିଳିବ ତାହା ନିଶ୍ଚିତ। ଅନ୍ୟ ପକ୍ଷରେ ନେତାଙ୍କ ନଗଦ ଟଙ୍କା ଗୋଦାମ ଉପରେ ଆୟକର, ଇଡି ଓ ସିବିଆଇ ଚଢ଼ାଉ ହେବ ଓ ଏହାକୁ ରାଜନୈତିକ ପ୍ରତିହିଂସାର ଅଭିଯୋଗ ରାଜନୈତିକ ପଡ଼ିଆକୁ ତତେଇ ରଖିବ, ଏହା ଏବେଠୁ ଜଣା ପଡୁଛି I
ଜାନକୀଶ ବଡପଣ୍ଡା
ଫୋ - ୯୪୩୮୨୯୯୦୩୭
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।