Advertisment

ଉତ୍ସବ, ପ୍ରତିଶ୍ରୁତି ଓ ବିଫଳତା

ସରକାର ଆସିବା ପରେ ସୁପ୍ରିମକୋର୍ଟର ଏକ ବିଚାର ସାମ୍ନାକୁ ଆସିଥିଲା। ତାହା ଥିଲା ବେଦାନ୍ତ ନେଇଥିବା ଜମି ସମସ୍ତ ଲୋକମାନଙ୍କୁ ଫେରାଇ ଦିଆଯିବ। ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହେଲାନାହିଁ। ଅଧିକନ୍ତୁ, ଘୋଷଣା ପରେ ଘୋଷଣା ସରକାର କରିଚାଲିଛନ୍ତି

author-image
Ordigital Desk
Proposed Vedanta University Land Not Returned Yet

Proposed Vedanta University Land Not Returned Yet

ପଞ୍ଚାନନ କାନୁନଗୋ

ଓଡ଼ିଶାରେ ସରକାର ଆସିବା ପରଠାରୁ ଭାରତୀୟ ଜନତା ପାର୍ଟି କେବଳ ଉତ୍ସବରେ ମାତିଥିବାର ଲକ୍ଷ୍ୟ କରାଯାଉଛି। ଏହି ଉତ୍ସବସବୁ ବିଭିନ୍ନ ଭାବରେ ବିଜ୍ଞାପିତ ହେବା ଓ ସେଥିରେ ଭାରତର ପ୍ରଧାନମନ୍ତ୍ରୀ ବା ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କୁ ଆଣି ଯୋଡ଼ିବା ଉଦ୍ଦେଶ୍ୟ ରଖି ଓଡ଼ିଶାର ମୋହନ ସରକାର ବିଶେଷ ତତ୍ପର ଥିବା ଜଣାଯାଏ। ବିଜ୍ଞାପନରେ ଅନେକ ଅର୍ଥ ଖର୍ଚ୍ଚ ହେଉଛି। ସଭା ସମିତିରେ ମଧ୍ୟ ଅର୍ଥ ଖର୍ଚ୍ଚର ନିୟନ୍ତ୍ରଣ ନାହିଁ।

Advertisment

ଗୋଟିଏ ଗୋଟିଏ ଘୋଷିତ କାର୍ଯ୍ୟକ୍ରମ ଦୀର୍ଘ ଦିନଧରି କାର୍ଯ୍ୟକାରୀ ହୋଇପାରୁନାହିଁ। ଅଥଚ ତାକୁ ନେଇ ବିଶେଷ ଚର୍ଚ୍ଚା ଚାଲୁଛି। ଯେପରିକି ମହିଳାମାନଙ୍କ ପାଇଁ ୫ ବର୍ଷରେ ୫୦ ହଜାର ଟଙ୍କା ଦେବାର ବଡ଼ ବିଜ୍ଞାପନ ପ୍ରଚାର କରାଯାଇ ବର୍ଷକୁ ଦୁଇ ଥରରେ ୧୦ ହଜାର ଟଙ୍କା ଦିଆଗଲା। କିନ୍ତୁ ଏହି ସୁଭଦ୍ରାରେ କେତେ ମହିଳା ଏପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ ହେଲେ ବା ମହିଳାମାନଙ୍କୁ ଏହି କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ କରାଗଲା ସେ ସମ୍ପର୍କରେ ସରକାର ଏବେ ମଧ୍ୟ ସଠିକ୍‍ ଭାବେ କହିପାରିବେ ନାହିଁ। ଏହି କାର୍ଯ୍ୟକ୍ରମଟି ଲୋକଙ୍କ ପାଖରେ ଆଦର ପାଇବା ପରିବର୍ତ୍ତେ ପ୍ରତ୍ୟେକ ବ୍ୟକ୍ତି ସନ୍ଦେହ ଘେରରେ ଅନେକ ଭାବରେ ଚିନ୍ତିତ ଅଛନ୍ତି।

ଏବେ କିଛିଦିନ ତଳେ ସରକାରୀ ଭାବେ କୁହାଗଲା ଯେ, ୬୦ ବର୍ଷରୁ ଉର୍ଦ୍ଧ୍ୱ ଯଦି କୌଣସି ମହିଳା ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥାଏ ସେ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହେବ ଏବଂ ଯଦି ବାର୍ଦ୍ଧକ୍ୟ ଭତ୍ତା ପାଇଥାନ୍ତି ତେବେ ସୁଭଦ୍ରା ଟଙ୍କା ଫେରସ୍ତ ଦେବେ। ପ୍ରତ୍ୟେକ ମହିଳା ଏବେ ଚିନ୍ତାରେ ଅଛନ୍ତି ୬୦ ବର୍ଷରୁ ଉର୍ଦ୍ଧ୍ୱ ଥିବା ମହିଳା ୫ ବର୍ଷରେ ପାଇବା ବାର୍ଦ୍ଧକ୍ୟ ଭତ୍ତା ଓ ୫ ବର୍ଷରେ ପାଇବା ବିଧବା ଭତ୍ତା କମ୍‍ ହେବ କି ବେଶୀ ହେବ ତାହା ଜାଣିପାରୁନାହାନ୍ତି। ସେମାନେ ସମସ୍ତେ ହୁଏତ ସୁଭଦ୍ରା ଭତ୍ତା ତ୍ୟାଗ କରିପାରନ୍ତି। ଅତଏବ ସୁଭଦ୍ରା ଭତ୍ତାରେ ୧ କୋଟିରୁ ଉର୍ଦ୍ଧ୍ୱ ମହିଳା ଉପକୃତ ହୋଇଥିବା ଯେଉଁ ପ୍ରଚାର କରାଯାଉଛି ତାହା ସେମାନଙ୍କ ଭିତରେ ସନ୍ଦେହ ସୃଷ୍ଟି କରିଛି।

Advertisment

ଏହି କାର୍ଯ୍ୟକ୍ରମକୁ ନେଇ ବାରମ୍ବାର ପ୍ରଚାର କରାଯିବା ଓ ଅସ୍ଥିରତା ସୃଷ୍ଟି କରିବା ଯୋଜନାଟିର ଉପକାର ବଦଳରେ ଅପକାର ଆଣିବାର କଥା ଚର୍ଚ୍ଚାକୁ ଆସିଲାଣି। ଓଡ଼ିଶାରେ ଏହିପରି ଅନେକ ଯୋଜନା ଯାହା କାର୍ଯ୍ୟକାରୀ କରାଯାଇଛି, ତାହାର ସଫଳତା ସରକାର ପାଇଁ ଆସିବା ପରିବର୍ତ୍ତେ ଅନେକ ଦୁର୍ବଳତା ବିଷୟରେ ଚର୍ଚ୍ଚା ହେଉଛି। ଓଡ଼ିଶାକୁ ବାରମ୍ବାର ପ୍ରଧାନମନ୍ତ୍ରୀ ଆସୁଛନ୍ତି, ଏହା ସତ୍ୟ। ହେଲେ ତା’ର ପ୍ରଭାବ ଲୋକଙ୍କ ଉପରେ ଆଦୌ ପଡୁନଥିବା ଦେଖିବାକୁ ମିଳୁଛି। ବଡ଼ ଉତ୍ସବ କରାଯାଇ ପ୍ରଚୁର ଟଙ୍କା ବ୍ୟୟ ହେଉଛି। ଅନେକ କେନ୍ଦ୍ରୀୟ ଅଫିସର ବା ମନ୍ତ୍ରୀସ୍ତରୀୟ ସମ୍ମିଳନୀ ହୋଇ ଟଙ୍କା ଖର୍ଚ୍ଚ ହେଉଛି। କେନ୍ଦ୍ର ସରକାରର ମନ୍ତ୍ରୀ, ନେତା, ଅଫିସରମାନେ ଆସୁଛନ୍ତି। ଆମ ହୋଟେଲର ଆୟ ବଢୁଛି, ଅଥଚ ରାଜକୋଷ ଶୂନ୍ୟ ହେଉଛି।

ଗୋଟିଏ ବଡ଼ କଥା ସରକାର ଗଠନ ହେବା ପୂର୍ବରୁ ପ୍ରଚାରିତ ହୋଇଥିଲା। ଭାରତୀୟ ଜନତା ପାର୍ଟି ଜଗନ୍ନାଥଙ୍କର ସମସ୍ତ ଅଳଙ୍କାର ଗଣତିମାଣତି କରି ରଖିବେ। ଏଥିପାଇଁ ଅନେକ ପ୍ରଚାର ହେଲା କମିଶନ୍‍ ଗଠନ ହେଲା। କିନ୍ତୁ ଏପର୍ଯ୍ୟନ୍ତ ଜଗନ୍ନାଥଙ୍କ ରତ୍ନଭଣ୍ଡାରର କୌଣସି ସିଦ୍ଧାନ୍ତସୂଚକ କାର୍ଯ୍ୟ ହେବାର ଦେଖାଗଲା ନାହିଁ। ବରଂ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି ନ୍ୟାୟରେ ରତ୍ନଭଣ୍ଡାରର ଅଳଙ୍କାର ଗଣତିମାଣତି ହେବା ଘୁଞ୍ଚି ଘୁଞ୍ଚି ଯାଉଛି ଏବଂ ଏହା ପଛରେ କିଛି ମନ୍ଦ ଉଦ୍ଦେଶ୍ୟ ଥିବା ଲୋକଙ୍କ ଚର୍ଚ୍ଚାକୁ ଆସିଲାଣି। କାରଣ ସରକାର କହିଥିବା ପାତାଳରୁ ରତ୍ନଭଣ୍ଡାରର ଚାବି ଆଣିବା କଥା ମିଥ୍ୟା ପ୍ରମାଣିତ ହେଲା। ପ୍ରତିଶ୍ରୁତି ପାଣିର ଗାର ହେଲା। ଏଥିପାଇଁ ଦାୟୀ ଅଫିସରମାନଙ୍କୁ ଖୁବ୍‍ ଭଲ ଭଲ ଯାଗାରେ ଅବସ୍ଥାପିତ କରାଗଲା।

ପୂର୍ବ ସରକାର ଅମଳରେ ଜଗନ୍ନାଥ ଯାତ୍ରା ନାମରେ ଅଣାଯାଇଥିବା ଚାଉଳ ଓ ଅନ୍ୟାନ୍ୟ ଦାନ ଦ୍ରବ୍ୟ କୁଆଡ଼େ କେମିତି ନଷ୍ଟ ହେଲା ତା’ର ହିସାବ ଏପର୍ଯ୍ୟନ୍ତ ଲୋକଙ୍କୁ ଦିଆଯାଇନାହିଁ। ଏହା ସମସ୍ତ ଜଗନ୍ନାଥ ପ୍ରେମୀ, ଉକ୍ତ ବର୍ଗକୁ ବାଧିଛି। ସରକାର ଆସିବା ପରେ ସୁପ୍ରିମକୋର୍ଟର ଏକ ବିଚାର ସାମ୍ନାକୁ ଆସିଥିଲା। ତାହା ଥିଲା ବେଦାନ୍ତ ନେଇଥିବା ଜମି ସମସ୍ତ ଲୋକମାନଙ୍କୁ ଫେରାଇ ଦିଆଯିବ। ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହେଲାନାହିଁ। ଅଧିକନ୍ତୁ, ଘୋଷଣା ପରେ ଘୋଷଣା ସରକାର କରିଚାଲିଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ଥିବା ୩୬ ହଜାର ହେକ୍ଟର ଜଗନ୍ନାଥଙ୍କ ଜମି ଫେରାଇ ଆଣିବା ପାଇଁ ସରକାର ଘୋଷଣା କରିଛନ୍ତି ବୋଲି କୁହାଯାଉଛି। ତାହା ମଧ୍ୟ କାର୍ଯ୍ୟକାରୀ ହେବା ସମ୍ଭାବନା ନିକଟ ଭବିଷ୍ୟତରେ ଦେଖାଯାଉନାହିଁ।

ଏବେ ପ୍ରଧାନମନ୍ତ୍ରୀ ମୋଦୀ ଜଣେ ଶିବ ଭକ୍ତ ବୋଲି କହିଲେଣି। ସେ ପ୍ରଥମେ ରାମ ଭକ୍ତ ଥିଲେ ଓ ରାମ ମନ୍ଦିର ନିର୍ମାଣ କରି ତା’ର ବାହା ବାହା ନେବା ପାଇଁ ଉଦ୍ୟମ କରିଥିଲେ। ତା’ପରେ ସେ ଜଗନ୍ନାଥଙ୍କ ଭକ୍ତ ହୋଇ ଅନେକ ପ୍ରଚାର କଲେ ଏବଂ ପ୍ରଭୁ ଜଗନ୍ନାଥ ତାଙ୍କୁ ଆଣିଛନ୍ତି ବୋଲି କହି ବୁଲିଲେ। ବର୍ତ୍ତମାନ ଶିବ ଭକ୍ତ। ଲୋକେ ଏସବୁ ଶୁଣି ଶୁଣି ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ସେ ସତରେ କାହା ଭକ୍ତ? ତେବେ, ଆମ ଭାରତବର୍ଷରେ ୩୩ କୋଟି ଦେବାଦେବୀ ଅଛନ୍ତି ବୋଲି କୁହାଯାଇଥାଏ ଏବଂ ତାଙ୍କୁ ପୂଜା କରାଯାଇଥାଏ। ତେଣୁ ଜଣେ ଲୋକ ଏକାଧିକ ଦେବାଦେବୀଙ୍କର ଭକ୍ତ ହେବାରେ ଅସୁବିଧା ନାହିଁ। ଆମେ ବି ଘରେ ବହୁ ଠାକୁର ମୂର୍ତ୍ତି କିମ୍ବା ଫଟୋ ରଖି ପୂଜା କରୁ। ସେହି ଦୃଷ୍ଟିରୁ ଭାରତବର୍ଷର ପ୍ରଧାନମନ୍ତ୍ରୀ ବିଭିନ୍ନ ଅଞ୍ଚଳ ଗସ୍ତ କଲାବେଳେ ସ୍ଥାନୀୟ ଦେବଦେବୀଙ୍କର ସ୍ତୁତି କରିବା ଆଦୌ ଅସ୍ୱାଭାବିକ ନୁହେଁ। କିନ୍ତୁ ଏ ସମସ୍ତ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଶ୍ରଦ୍ଧା ବା ସମ୍ମାନ ବୃଦ୍ଧି କରୁଛି କି ନାହିଁ ତାହା ସେ ବୁଝିବା କଥା।

ମୋଦୀ ଓଡ଼ିଶାକୁ ଯେତେଥର ଆସନ୍ତୁ ନା କାହିଁକି, ଯେତେ ଠାକୁର ଠାକୁରାଣୀଙ୍କ ନାମ ନିଅନ୍ତୁ ନା କାହିଁକି, ଯେତେ ଉତ୍ସବ ପାଳନ କରନ୍ତୁ ନା କାହିଁକି ସେଥିରୁ ସାଧାରଣ ଲୋକଙ୍କର କି ଉପକାର ହେଉଛି ତାହା ଦେଖିବାର କଥା। ଓଡ଼ିଶାରେ ହେବାକୁ ଥିବା ଗୋଟିଏ ମୁଖ୍ୟ ରେଳ ଲାଇନ୍‍ ଖୋର୍ଦ୍ଧା-ବଲାଙ୍ଗୀର ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହେଲାନାହିଁ। କାରଣ ଯାହା ଥାଉ ନା କାହିଁକି, ପୂର୍ବ ସରକାର ପରି କେବଳ କେତେଗୁଡ଼ିଏ କୈଫଏତ୍‍ ଲୋକଙ୍କ ପାଖକୁ ଯାଉଛି। ପେଟ୍ରୋଲ୍‍, ଡିଜେଲ୍‍, ଅଶୋଧିତ ତୈଳ ଗଚ୍ଛିତ କରି ରଖିବା ପାଇଁ ଗୋଟିଏ ଘୋଷଣା ହୋଇଥିଲା, ତାହା ହେଲା ନାହିଁ। ପୂର୍ବରୁ ଘୋଷିତ ରେଳ ଇଞ୍ଜିନ୍‍ କାରଖାନା ଆରମ୍ଭ ହେବା ଦେଖାଗଲା ନାହିଁ। ଓଡ଼ିଶାରେ ଏକ ସାର କାରଖାନା ତିଆରି ହେବାର କଥା କୁହାଯାଇଥିଲା, ତାହା ମଧ୍ୟ ଏ ପର୍ଯ୍ୟନ୍ତ ସମ୍ଭବ ହେଲାନାହିଁ।

ଅନେକ ଶିଳ୍ପ କାରଖାନାର ସ୍ୱପ୍ନ ବଣ୍ଟାଯାଉଛି, କିନ୍ତୁ ମିତ୍ତଲ୍‍ ଏଠାରୁ ତା’ର ପ୍ରୋଜେକ୍ଟ ନେଇ ଦକ୍ଷିଣ ଭାରତରେ କଲା। ଅନେକ ପୁରୁଣା କାରଖାନା କଳିଙ୍ଗ ନଗର, ଯାଜପୁରରେ ବନ୍ଦ ହୋଇଗଲାଣି। ବାଲେଶ୍ୱରେ ମଧ୍ୟ ବନ୍ଦ ହେବାରେ ଲାଗିଛି, ଏସବୁ ଲୋକଙ୍କ ଭିତରେ ଚର୍ଚ୍ଚା ଚାଲିଛି। କିନ୍ତୁ ରାଜ୍ୟରେ ଅନେକ ଉତ୍ସବ ପାଳିତ ହେବାର ଦେଖାଯାଉଛି। ଉତ୍ସବ ଓ ସମାରୋହ ଲୋକଙ୍କୁ ପ୍ରଭାବିତ କରେ ନାହିଁ। କାର୍ଯ୍ୟର ଫଳ ସାମ୍ନାକୁ ଆସିଲେ ଲୋକେ ପ୍ରଭାବିତ ହୁଅନ୍ତି, ଏକଥା ରାଜ୍ୟ ସରକାର ବୋଧହୁଏ ଜାଣିପାରି ନାହାନ୍ତି। ପୂର୍ବରୁ ଭାରତୀୟ ଜନତା ପାର୍ଟିର ଶାସନ ଥିବା ଛତିଶଗଡ଼ ସରକାରର ଉଦ୍ଦେଶ୍ୟମୂଳକ କାର୍ଯ୍ୟ ହେତୁ ମହାନଦୀର ଜଳପ୍ରବାହ କ୍ଷତିଗ୍ରସ୍ତ ହୋଇଥିଲା। ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ମିଳିଚାଲିଛି। ଏପର୍ଯ୍ୟନ୍ତ ମହାନଦୀ ଜଳବିବାଦର ସମାଧାନ ଟ୍ରିପୁଲ୍‍ ଇଞ୍ଜିନ୍‍ ବ୍ୟବସ୍ଥାରେ ସମାଧିତ ହେଲାନାହିଁ।

ରାଜ୍ୟକୁ ସେମିକଣ୍ଡକ୍ଟର୍‍ ହବ୍‍ କରାଯାଉଥିବା ଘୋଷଣା ପ୍ରକାଶିତ ହେବା ପରେ ରାଜ୍ୟ ଭିତରୁ ଏକ ସେମିକଣ୍ଡକ୍ଟର୍‍ ପ୍ରୋଜେକ୍ଟ ଅନ୍ୟତ୍ର ପଳାଇଯିବାର ଦେଖାଗଲା। ଗୁଡ଼ାଏ ପ୍ରଚାର ଭିତରେ ଓଡ଼ିଶା ହରାଉଥିବା ତା’ର ଦାବିସବୁ କିଛି ସମୟ ପାଇଁ ଲୁଚିଯାଇପାରେ। କିନ୍ତୁ ଯେତେବେଳେ ଲୋକଙ୍କ ଚର୍ଚ୍ଚାକୁ ଆସିବ, ଏ ସରକାର ଅଧିକ ଦିନ ସ୍ଥିର ହୋଇ ଶାସନ କରିବାକୁ ସୁଯୋଗ ପାଇବ ନାହିଁ। ଦୁର୍ନୀତି ଏବେ ବି ଚତୁର୍ଦ୍ଦିଗରେ ବ୍ୟାପୀ ରହିଛି। ଅବଶ୍ୟ କିଛି ଅଫିସର୍‍ଙ୍କର ସଂପୃକ୍ତି ଥିବା ଜଣାଗଲେ ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯାଉଥିବା ବେଶ୍‍ ପ୍ରଚାରିତ ହେଉଛି। କିଛି ସମୟପରେ ଯେତେବେଳେ ଲୋକେ ଜାଣିବେ, ଏମାନଙ୍କ ବିରୋଧ କିଛି କାର୍ଯ୍ୟାନୁଷ୍ଠାନ କରାଗଲା ନାହିଁ, ସେମାନେ ଯାହା ହରାଇଥାନ୍ତୁ ନା କାହିଁକି ଅଧିକ ପରିମାଣରେ ସରକାର ପ୍ରତି ବିଶ୍ୱାସ ହରାଇବେ ଏବଂ ଯେଉଁମାନେ ଦୁର୍ନୀତି କରୁଛନ୍ତି ତାଙ୍କ ଦେଖାଦେଖି ଅନ୍ୟମାନେ ଦୁର୍ନୀତିରେ ଅଧିକରୁ ଅଧିକ ଲାଗିଯିବେ।

ସରକାର ଘୋଷଣା କରିଥିଲେ ଚିଟ୍‍ଫଣ୍ଡ ଠକେଇରେ ଯେଉଁମାନେ କ୍ଷତିଗ୍ରସ୍ତ ହୋଇଛନ୍ତି ସେମାନଙ୍କୁ ତାଙ୍କ ପ୍ରାପ୍ୟ ଫେରାଇ ଦିଆଯିବ। ସେ ସମ୍ପର୍କରେ ଏକ ବଡ଼ ପ୍ରଶ୍ନ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ଏବେ ବି ମୁଣ୍ଡଟେକି ଉଠିଛି। ରାଜ୍ୟରେ ଶାସନ କରିବା ବେଶୀ ଦିନ ନୁହେଁ ବୋଲି କହି ଖସିଯିବାର କଥାଟିକୁ ଲୋକେ ଆଉ ସହଜରେ ଗ୍ରହଣ କରିବେ ନାହିଁ ବା ବିକାଶ ନାମରେ କିଛି ନକରି ସରକାରଙ୍କର ସମସ୍ତ ଅସଫଳତା ଲୋକେ ଦେଖିଲେ ସରକାରଙ୍କୁ ଗାଦିରୁ ହଟାଇବା ପାଇଁ ନେପାଳ ପରି ଯେ ବିଦ୍ରୋହ ନକରିବେ ସେକଥା କହିହେବ ନାହିଁ। ଏଥିପାଇଁ ମୋହନ ସରକାର ଓ ସରକାରୀ ଦଳ ସତର୍କ ରହିବା ଅଧିକ ଶୁଭଙ୍କର ହେବ।

ଫୋ- ୯୪୩୮୩୬୦୮୪୯

Mohan Majhi Subhadra Yojana CM Mohan Majhi Vedanta Land Issue