Advertisment

ରାଜ୍ୟ ଶ୍ରମ ଆଇନ ସଂଶୋଧନ ୨୦୨୫: କିଛି ଆଶା ଓ ଆଶଙ୍କା

ପୂର୍ବ ବ୍ୟବସ୍ଥା ଅନୁଯାୟୀ ଦୈନିକ କାର୍ଯ୍ୟସମୟ ୯ ଘଣ୍ଟା ଥିଲା ଏବଂ ସଂଶୋଧନ ପରେ ଏହାକୁ ୧୦ ଘଣ୍ଟା କରାଯାଇଛି। ସ୍ଥଳ ବିଶେଷରେ ରାଜ୍ୟ ସରକାର ବିଜ୍ଞପ୍ତି ମାଧ୍ୟମରେ ସର୍ବାଧିକ ଦୈନିକ କାର୍ଯ୍ୟ କରିବା ଅବଧି ୧୨ ଘଣ୍ଟାକୁ ବୃଦ୍ଧି କରି ପାରିବେ।

author-image
Rina Routray
workers

Workers Photograph: (Internet)

ଡ. ରୀନା ରାଉତରାୟ 

କଟକ ଧବଳେଶ୍ୱର ନିକଟର ଛୋଟ ଗଳିର ୩୮ ବର୍ଷୀୟା ମହିଳା ରାଣୀ ବେହୁରା। ପାଖ କାରଖାନାରେ ଜଣେ ଶ୍ରମିକ। ସକାଳ ସାତଟା ପୂର୍ବରୁ ଛୋଟଛୋଟ ଛୁଆ ଦୁଇଟାକୁ ଘରେ ଛାଡ଼ି କାମକୁ ଯାଏ। ରୋଷେଇ କରି ନିଜେ ଖାଇ, ଛୁଆଙ୍କୁ ଖାଇବାକୁ ଦେଇ କାମକୁ ଯାଏ। ପ୍ରତିଟି ମିନିଟ୍ ତା ପାଇଁ କେତେ ମୂଲ୍ୟ ରଖେ ସିଏ ହିଁ ଜାଣେ। ଘରକୁ ଫେରିବା ସମୟ ପାଞ୍ଚ ମିନିଟ ଡେରି ହେଲେ ତା ମନ ହୃଦୟ ମନ୍ଥି ହୋଇ ଯାଏ ଛୁଆଙ୍କ ପାଇଁ। ଦୈନିକ ନଅ ଘଣ୍ଟା ପରିବର୍ତ୍ତେ ନୂଆ ନିୟମ ଅନୁଯାୟୀ ୧୦ ଘଣ୍ଟା କାମ କରିବାକୁ ପଡ଼ିବ ଶୁଣି ମୁଣ୍ଡରେ ହାତ ଦେଇ ବସିଛି ରାଣୀ।

Advertisment

ଅନ୍ୟପଟେ, ଭୁବନେଶ୍ୱର ରାଜମହଲ୍ ଛକରେ ୭୦ ବର୍ଷର ବୃଦ୍ଧ ଚା' ବିକାଳି ଇନ୍ଦ୍ରମଣି ନାୟକ। ଆଜିକୁ ୬୦ ବର୍ଷ ଧରି ଟିଣ ଷ୍ଟୋଭ୍‌ରେ ସିଲଭର କେଟଲୀରେ ଚା ତିଆରି କରି ବିକ୍ରୀ କରନ୍ତି। ଦଶ ବର୍ଷ ବୟସରୁ ଚା' ବିକୁଥିବା ଇନ୍ଦ୍ରମଣି କୌଣସି କାରଖାନାର ନିୟମରେ ବନ୍ଧା ନୁହଁନ୍ତି, କିନ୍ତୁ ତାଙ୍କ ପାଇଁ ମଧ୍ୟ କାମ କରିବାର ସମୟ ୧୦ ଘଣ୍ଟାରୁ ୧୨ ଘଣ୍ଟା ହୋଇଯାଏ। 

ନିକଟରେ ରାଜ୍ୟ ସରକାର ରାଜ୍ୟ ଶ୍ରମ କାର୍ଯ୍ୟନିର୍ଘଣ୍ଟ ବା ଶ୍ରମିକ କର୍ମଚାରୀ ଦୈନିକ କେତେ ଘଣ୍ଟା କାମ କରିବେ ସେଥିରେ କିଛି ସଂଶୋଧନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଏ ଦୁଇ ଜଣଙ୍କ କଥା ମନକୁ ଆସେ। ତେବେ ଏ ସଂଶୋଧନ କ’ଣ ଓ କାହା ପାଇଁ?

Advertisment

ଓଡ଼ିଶା କ୍ୟାବିନେଟ୍ ଶ୍ରମ ବିଭାଗର ଦୁଇଟି ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ପ୍ରସ୍ତାବ ପାରିତ କରି ଏକ ସଂଶୋଧିତ ଶ୍ରମ ଆଇନ ପ୍ରଣୟନ କରିବା ନିଷ୍ପତ୍ତି ଗ୍ରହଣ କରିବା ସଂପ୍ରତି ଏକ ଆଲୋଚ୍ୟର ବିଷୟବସ୍ତୁ ହୋଇଛି। ବାଣିଜ୍ୟ ପ୍ରତିଷ୍ଠାନ ଆଇନ ୧୯୫୬ ଓ କାରଖାନା ଆଇନ ୧୯୪୮, ଏହି ଦୁଇଟି ଆଇନର ସଂଶୋଧନରେ ମୁଖ୍ୟ ଭାବେ ତିନିଟି ବଡ଼ ପରିବର୍ତ୍ତନ ହୋଇଛି।

ପୂର୍ବ ବ୍ୟବସ୍ଥା ଅନୁଯାୟୀ ଦୈନିକ କାର୍ଯ୍ୟସମୟ ୯ ଘଣ୍ଟା ଥିଲା ଏବଂ ସଂଶୋଧନ ପରେ ଏହାକୁ ୧୦ ଘଣ୍ଟା କରାଯାଇଛି। ସ୍ଥଳ ବିଶେଷରେ ରାଜ୍ୟ ସରକାର ବିଜ୍ଞପ୍ତି ମାଧ୍ୟମରେ ସର୍ବାଧିକ ଦୈନିକ କାର୍ଯ୍ୟ କରିବା ଅବଧି ୧୨ ଘଣ୍ଟାକୁ ବୃଦ୍ଧି କରି ପାରିବେ। ଅବଶ୍ୟ କୌଣସି କର୍ମଚାରୀ ଅତି କମରେ ଅଧଘଣ୍ଟାର ବିରତି ବିନା ନିରନ୍ତର ଛଅ ଘଣ୍ଟାରୁ ଅଧିକ ସମୟ କାର୍ଯ୍ୟ କରିବେ ନାହିଁ। ସେହିପରି ସପ୍ତାହିକ କାର୍ଯ୍ୟ ସୀମା ୪୮ ଘଣ୍ଟାରୁ ଅଧିକ କାମ କଲେ ଓଭରଟାଇମ୍ ମିଳିବା ଆଇନ ବଳବତ୍ତର ରହିଛି।

ମହିଳାଙ୍କ ରାତ୍ରିକାଳୀନ କାର୍ଯ୍ୟ ପାଇଁ ସୀମିତ ଅନୁମତି ଥିଲା ବେଳେ ଏବେ ସ୍ୱଇଚ୍ଛାର ସମ୍ମତି ପତ୍ର ଦେଲେ ରାତିରେ କାମ କରିପାରିବେ ବୋଲି ସଂଶୋଧିତ ଆଇନରେ ଦର୍ଶା ଯାଉଛି।

ଏହା ସପକ୍ଷରେ ଯୁକ୍ତି ହେଉଛି ଯେ, ନିବେଶକ ଓ ଶିଳ୍ପ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିବାର ଲକ୍ଷ୍ୟ ନେଇ ଏହା ପୂର୍ବରୁ କର୍ଣ୍ଣାଟକ, ମହାରାଷ୍ଟ୍ର ପରି ରାଜ୍ୟ ଏହି କାର୍ଯ୍ୟ ଧାରାକୁ ପ୍ରଚଳିତ କରୁଛନ୍ତି।
ବହୁ ରାଷ୍ଟ୍ରୀୟ କମ୍ପାନୀ, ଆଇ.ଟି ଓ ମ୍ୟାନୁଫ୍ୟାକଚର୍ ସେକ୍ଟର ଗୁଡ଼ିକ ଦୀର୍ଘ ସମୟ ଅବଧି ପ୍ରଣାଳୀର କାର୍ଯ୍ୟଶୈଳୀର ଆବଶ୍ୟକ କରନ୍ତି।

ଓଭର ଟାଇମ୍ କାମ କରି କିଛି ଅଧିକା ରୋଜଗାର କରିବା ଦ୍ୱାରା କିଛି ଶ୍ରମିକଙ୍କ ପାଇଁ ଆର୍ଥିକ ଲାଭ ହୁଏ। ୪୮ ଘଣ୍ଟା ପରେ କାମ କଲେ ଦୁଇ ଗୁଣା ମଜୁରୀ ଅନେକଙ୍କୁ ଆର୍ଥିକ ସହାୟତା ଯୋଗାଇ ଥାଏ।

ସେହିପରି ମହିଳାଙ୍କୁ ରାତ୍ରି ସିଫ୍ଟରେ ଅନୁମତି ଦେବା ମାଧ୍ୟମରେ ଆଇ ଟି, ବିପିଓ, ସିକୁରିଟୀ, ମେଡିକାଲ, ହସ୍ପିଟାଲିଟି ସେକ୍ଟର ଗୁଡ଼ିକରେ ନିଯୁକ୍ତିର ସୁଯୋଗ ବଢ଼ିବ।

ଅନ୍ତର୍ଜାତୀୟ ଶ୍ରମ ନୀତି (International labour policy) ଅନୁଯାୟୀ ଫ୍ଲେକ୍ସିବଲ ୱାର୍କିଁ  ଆୱର୍ (Flexible Working Hour) ଏକ ଆବଶ୍ୟକ ପଦକ୍ଷେପ।

ଅପର ପକ୍ଷରେ, କୋଭିଡ ସମୟରେ ପ୍ରବାସୀ ଶ୍ରମିକଙ୍କ ବ୍ୟାପକ ଘର ବାହୁଡ଼ା ଯୋଗୁ କଳ କାରଖାନା ଗୁଡ଼ିକରେ ଶ୍ରମିକଙ୍କ ବହୁଳ ଅଭାବ ସୃଷ୍ଟି ହୋଇଥିଲା। ସେଥିପାଇଁ କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଉତ୍ତର ପ୍ରଦେଶ ପରି କିଛି ରାଜ୍ୟ ଦୈନିକ କାର୍ଯ୍ୟ ସମୟ ଅବଧିକୁ ବଢ଼ାଇଥିଲେ। ପରିବର୍ତ୍ତିତ ପରିସ୍ଥିତିରେ ସେଥିମଧ୍ୟରୁ କିଛି ରାଜ୍ୟ ଏହାକୁ ପୂର୍ବ ସମୟ ସାରଣୀକୁ ପରିବର୍ତ୍ତନ କରି ସାରିଲେଣି।

ତେଣୁ ଆମ ରାଜ୍ୟରେ ଅନେକ ଶିକ୍ଷିତ ଓ କୁଶଳୀ ଯୁବବର୍ଗ କର୍ମ ନିଯୁକ୍ତିର ଅପେକ୍ଷାରେ ରହିଥିବା ବେଳେ ଏବେ କେଉଁ ଲକ୍ଷ୍ୟରେ ଆମ ରାଜ୍ୟରେ ଦୈନିକ କାର୍ଯ୍ୟ ନିର୍ଘଣ୍ଟକୁ ବଢ଼ାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି?

ପ୍ରଥମତଃ, କାରଖାନା ଶ୍ରମିକ, ଦିନମଜୁରିଆ ଓ ଅଣସଂଗଠିତ ଶ୍ରମିକମାନଙ୍କୁ ବିବଶ ଓ ବାଧ୍ୟତାମୂଳକ ୧୦  ଘଣ୍ଟା କାମ କରିବାକୁ ପଡ଼ିବ। ପୂର୍ବରୁ ଆଠ ଘଣ୍ଟିଆ କାର୍ଯ୍ୟ ଦିବସ ପ୍ରଚଳିତ ଥିଲେ ମଧ୍ୟ ଅନେକ ଛୋଟ ବଡ଼ ବେସରକାରୀ କର୍ମ ସଂସ୍ଥାନରେ ବେଆଇନ ଭାବରେ ୧୦ ଘଣ୍ଟାରୁ ଉର୍ଦ୍ଧ୍ୱ ବିନା ଓଭର ଟାଇମରେ କାମ କରାଉଥିଲେ। ସୁତରାଂ ଏବେର ସଂଶୋଧିତ ଆଇନ ସମାନ ପ୍ରକାରେ ଶ୍ରମିକ ଶୋଷଣକୁ ପ୍ରୋତ୍ସାହନ ଦେବନି ତ? 

ଦ୍ଵିତୀୟ ବଡ଼ ପ୍ରଶ୍ନ ମହିଳା ଶ୍ରମିକଙ୍କ ସୁରକ୍ଷାକୁ ନେଇ। କାରଖାନା ଓ କମ୍ପାନୀମାନେ ପ୍ରସ୍ତାବିତ ସମ୍ମତି ପତ୍ରକୁ (Consent Letter) ବାଧ୍ୟତମୂଳକ ବା ଚାପଗ୍ରସ୍ତ ପତ୍ର (Pressure Letter) ଭାବରେ ବ୍ୟବହାର କରି ପାରନ୍ତି। ଫଳତଃ ମହିଳା ଶ୍ରମିକ ଶୋଷଣର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। 

ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ମହିଳା କର୍ମଜୀବିଙ୍କ ସୁରକ୍ଷା ପାଇଁ ସୁରକ୍ଷିତ ଗମନାଗମନ ବ୍ୟବସ୍ଥା ସହିତ ଆପଦକାଳୀନ ହେଲ୍ପ ଲାଇନ, କାର୍ଯ୍ୟ ସ୍ଥଳୀରେ ସିସିଟିଭି ଏବଂ ମହିଳା ସୁରକ୍ଷା ଅଧିକାରୀ ବ୍ୟବସ୍ଥା କରାଯିବା ବାଧ୍ୟତାମୂଳକ ହେବ। 

ଏସବୁ ବ୍ୟବସ୍ଥା ବାସ୍ତବରେ କାର୍ଯ୍ୟକାରୀ ହେବ କି କାଗଜରେ ସୀମିତ ରହିବ ତାହା ଏକ ପ୍ରଶ୍ନବାଚୀ। ଯେପରି କାରଖାନା ଆଇନ ୧୯୪୮ ଅନୁଯାୟୀ, ମହିଳା ଶ୍ରମିକମାନଙ୍କ ପାଇଁ ସ୍ୱତନ୍ତ୍ର ବିଶ୍ରାମ ଗୃହ, ଛୋଟ ଶିଶୁଙ୍କ ପାଇଁ କ୍ରେଚର ବ୍ୟବସ୍ଥା ବାଧ୍ୟତାମୂଳକ ହୋଇଥିଲେ ମଧ୍ୟ ଏଗୁଡ଼ିକ ପ୍ରାୟ କୌଣସି ସ୍ଥାନରେ ଦେଖିବାକୁ ମିଳେ ନାହିଁ। ଏପରିକି ମହିଳା କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟଟିଏ ମଧ୍ୟ ଅନେକ ସ୍ଥାନରେ ଉପଲବ୍ଧ ହୋଇ ନ ଥାଏ। 

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ( WHO) ଓ ଅର୍ନ୍ତଜାତୀୟ ଶ୍ରମ ସଂଗଠନର (ILO) ଚେତାବନୀ ଅନୁସାରେ, ଲମ୍ବା ଅବଧିର କାର୍ଯ୍ୟ ନିର୍ଘଣ୍ଟ ଦ୍ୱାରା ହୃଦ୍ ରୋଗ, ଅବସାଦ ଓ ଦୁର୍ବଳତା ଜନିତ ସ୍ୱାସ୍ଥ୍ୟ ସମସ୍ୟା ମାନ ବଢ଼ିବାର ସମ୍ଭାବନା ରହିଛି।
୧୦ ଘଣ୍ଟା କାର୍ଯ୍ୟ ସହିତ ଯିବା ଆସିବା ସମୟକୁ ମିଶାଇଲେ ପାରିବାରିକ ଜୀବନ ପାଇଁ ସମୟ ପାଇବା ଅତ୍ୟନ୍ତ କଷ୍ଟକର ହୋଇ ଯିବ।

ଏତଦ୍ ବ୍ୟତୀତ ଯଦି କମ୍ ପରିମାଣର ଲୋକ ୧୦ ଘଣ୍ଟା କାମ କରି ସମସ୍ତ କାମ ସାରିଦେଲେ, ତେବେ ନୂତନ ନିଯୁକ୍ତି କେଉଁଠୁ ଆସିବ ତାହା ମଧ୍ୟ ଚିନ୍ତାର ବିଷୟ।

ଏହି ସଂଶୋଧନ ଓଡ଼ିଶାର ଶିଳ୍ପାୟନ ଓ ନୂତନ ନିବେଶକୁ ଆକର୍ଷିତ କରିପାରେ; କିନ୍ତୁ ଯଦି ସଠିକ ନିରୀକ୍ଷଣ ଓ ସୁରକ୍ଷା ବ୍ୟବସ୍ଥା ନ ହୋଇ ପାରିବ ତେବେ ଏହା ଶ୍ରମିକ ଶୋଷଣର ନୂଆ ଅଧ୍ୟାୟ ସୃଷ୍ଟି କରିପାରେ। 

ଯେ କୌଣସି ଆଇନ ଯଦି ମାନବିକ ଅଧିକାର ଦିଗରେ  ସମ୍ବେଦନଶୀଳ ନ ହୁଏ ତେବେ ତାହା କେବଳ ଆଇନ ହୋଇ ରହିଯିବ ସିନା ଏହାକୁ ବାସ୍ତବରେ କାର୍ଯ୍ୟକାରୀ କରି ସୁଫଳ ପାଇବା ଅସମ୍ଭବ ହୋଇଯାଏ।

ଫୋ- ୯୪୩୮୨୭୨୧୫୨

Odisha WHO Odisha Government Uno