VK Pandian Photograph: (Internet)
ଜାନକୀଶ ବଡ଼ପଣ୍ଡା
ପାଠକମାନଙ୍କ ମନେଥିବ ଯେ, ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ଭୈରବ କାର୍ତ୍ତିକେୟନ୍ ପାଣ୍ଡିଆନଙ୍କ ପ୍ରଭାବ ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେପରେ ବହୁମାତ୍ରାରେ ବଢ଼ି ଯାଇଥିଲା। ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳର ଖରାପ ପ୍ରଦର୍ଶନ କାରଣରୁ ଦଳରେ ସାଙ୍ଗଠନିକ ପରିବର୍ତ୍ତନ କରି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରମୁଖ ଦାୟିତ୍ୱ ନେଇଥିଲେ ଏହି କର୍ମତତ୍ପର ପ୍ରଶାସକ। ଅତୀତର ତ୍ରୁଟି ସୁଧାରି ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡି ପଞ୍ଚମ ଥର କ୍ଷମତା ସିଂହାସନ ଆରୋହଣ କଲା ପରେ ପାଣ୍ଡିଆନଙ୍କ ଆନୁଗତ୍ୟ, ନିଷ୍ଠା ଏବଂ ପ୍ରଶାସନିକ ପରିଚାଳନା କୌଶଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏତେ ମାତ୍ରାରେ ଭଲ ପାଇଲେ ଯେ, ତାଙ୍କ ଉପରେ ଅଧିକ ନିର୍ଭରଶୀଳ ହେବାକୁ ମନସ୍ଥ କରିନେଲେ। ନବୀନଙ୍କ ମନୋନୀତ ରାସ୍ତାରେ ବିଜୁ ଜନତା ଦଳର ସମସ୍ତ ମନ୍ତ୍ରୀ, ନେତା ଓ କର୍ମୀ ଚାଲିବାକୁ ଲାଗିଲେ।
ସେହି ସମୟର ବହୁଳ ପ୍ରସାରିତ ତିନୋଟି ଭିଡିଓର ଅବତାରଣା କରିବା ଜରୁରୀ ମନେହୁଏ। ପ୍ରଥମଟି ହେଲା ୨୦୨୩ ମସିହା ମାର୍ଚ୍ଚ ୧୮ ତାରିଖର। ୫-ଟି ସଚିବ ଥିବା ପ୍ରଶାସକ ପାଣ୍ଡିଆନ ନବରଙ୍ଗପୁର ସର୍କିଟ୍ ହାଉସରେ ଲୋକଙ୍କ ଅଭିଯୋଗ ଶୁଣାଣୀ କରୁଥିଲେ ଏବଂ ବିଜେଡିର ସଙ୍ଗଠନ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ପ୍ରବେଶ ପଥରେ ଦ୍ୱାରପାଳ ଭାବେ ଠିଆହୋଇ ରହିଥିଲେ। ଏହି ଭିଡିଓ ବହୁଳ ପ୍ରସାରିତ ହୋଇ ବିଧାନସଭାରେ ଆଲୋଚିତ ହେବାରୁ ପ୍ରଣବ କହିଥିଲେ ଯେ, ରାଜ୍ୟବାସୀଙ୍କ ସ୍ୱାର୍ଥରେ ସେ ଲୋକଙ୍କ କ୍ରୀତଦାସ ଓ ବିଜେଡିର ମୂଲିଆ ହେବାକୁ ମଧ୍ୟ ପ୍ରସ୍ତୁତ! ଦ୍ୱିତୀୟ ବହୁଳ ପ୍ରସାରିତ ଭିଡିଓ ଥିଲା ୨୦୨୪ ଜାନୁଆରୀ ୭ ତାରିଖର। ପାଣ୍ଡିଆନ ସେତେବେଳକୁ ଚାକିରୀ ଛାଡ଼ି ବିଜେଡିର ସଦସ୍ୟ ଏବଂ ମନ୍ତ୍ରୀସ୍ତରୀୟ ୫-ଟି ଅଧ୍ୟକ୍ଷ ଥିଲେ। ଟ୍ରାଫିକ୍ ପୋଲିସ୍ ସାଜି ତାଙ୍କୁ ବାଧାହୀନଭାବେ ବାଲେଶ୍ୱର ସଭାସ୍ଥଳରେ ପହଞ୍ଚାଇବାର ଦାୟିତ୍ୱ ନେଇଥିଲେ ତତ୍କାଳୀନ ମନ୍ତ୍ରୀ ଏବଂ ବିଧାୟକମାନେ। ତୃତୀୟ ପର୍ଯ୍ୟାୟରେ ଥିଲା ଏକାଭଳି ଅଗଣିତ ଭିଡିଓ; ଯେଉଁଥିରେ ନିର୍ବାଚନ ପ୍ରଚାର ଏବଂ ରୋଡ୍ ସୋ ଇତ୍ୟାଦିରେ କେବଳ ପାଣ୍ଡିଆନ୍ ହିଁ ଥିଲେ ମୁଖ୍ୟ। ମନ୍ତ୍ରୀ, ବରିଷ୍ଠ ନେତା ଓ ସାଂସଦ ତଥା ବିଧାନସଭାରେ ଲଢୁଥିବା ପ୍ରାର୍ଥୀ ଥିଲେ ଗୌଣ। ପାଣ୍ଡିଆନ୍ ନବୀନଙ୍କ ଗୁଣଗାନ କରୁଥିଲେ, ଯେଉଁଥିରୁ ସେ ନିଜର ଶ୍ଲାଘା ପ୍ରଚାର କରୁଥିବା ପ୍ରତୀତ ହେଉଥିଲା।
ଏଥିରେ ଓଡ଼ିଶାବାସୀ ପ୍ରତିକ୍ରିୟାଶୀଳ ହେବା ସହିତ ଜଣେ ପ୍ରଶାସକରୁ ନେତା ହେବାକୁ ଅପଚେଷ୍ଟା କରୁଥିବା ଅଣଓଡ଼ିଆ ଲୋକ ଆଗରେ ନିଜର ପ୍ରିୟ ନେତାଙ୍କ ଅସହାୟତା ଦେଖି ମ୍ରିୟମାଣ ହେଉଥିଲେ। ଏପରିକି, ବିଜେଡିର ନେତା ଓ କର୍ମୀମାନେ ମନଭିତରେ ନୀରବ-ପ୍ରତିବାଦ କରୁଥିଲେ ହେଁ ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ଚୁପ୍ ରହୁଥିଲେ। ଓଡ଼ିଆ ଜାତିର ଏଭଳି ସଙ୍କଟ ମଧ୍ୟରେ ଯେଉଁ ନୂତନ ଆଲୋକର ଶିଖା ସୃଷ୍ଟି ହେଲା, ତାହାର ନାମକରଣ କରାଯାଇଥିଲା ଓଡ଼ିଆ ଅସ୍ମିତା।
ପାଣ୍ଡିଆନଙ୍କ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ନିୟମିତ ଗସ୍ତକୁ ନେଇ ବିରୋଧୀ ଦଳଗୁଡ଼ିକ ସମାଲୋଚନା ଓ ଚର୍ଚ୍ଚା କରୁଥିଲେ ମଧ୍ୟ ତାଙ୍କର ପ୍ରଭାବ ବଢ଼ିବା ଦିନଠାରୁ ପ୍ରଶାସନ ଚଳଚଞ୍ଚଳ ହୋଇ ରାଜ୍ୟର ବିକାଶ କରୁଥିବାରୁ ଅନେକ ଲୋକ ପାଣ୍ଡିଆନଙ୍କୁ ଅସାଧାରଣ ପ୍ରଭାବଶାଳୀ ମନେ କରୁଥିଲେ। ସେମାନେ ଅସୁସ୍ଥ, ଅବିବାହିତ ନବୀନବାବୁଙ୍କ ଉତ୍ତରାଧିକାରୀ ଭାବେ ତାଙ୍କୁ ଗ୍ରହଣ କରିବାକୁ ମଧ୍ୟ ପଛଘୁଞ୍ଚା ଦେଉ ନଥିଲେ। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ଏହି ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ନିଜର ସେବା ଆଚରଣ ଉଲ୍ଲଂଘନ କରୁଥିବାର ଅନେକ ଦୃଷ୍ଟାନ୍ତ ଉଦ୍ଧୃତ କରି ବିରୋଧୀ ଦଳର ନେତାମାନେ ଭାରତ ସରକାରଙ୍କ କାର୍ମିକ ଏବଂ ତାଲିମ ବିଭାଗ ସହିତ ଯୋଗାଯୋଗ କରିଥିଲେ। ଏହି ବିଭାଗ ମଧ୍ୟ ପାଣ୍ଡିଆନଙ୍କ ବିରୁଦ୍ଧରେ ଅଭିଯୋଗ ଯାଞ୍ଚ କରିବା ପାଇଁ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ କହିଥିଲେ। ଏହା ପରର କଥା ଆଜିଯାଏଁ କେହି ଜାଣନ୍ତି ନାହିଁ।
ଗଣତାନ୍ତ୍ରିକ ବ୍ୟବସ୍ଥାରେ କ୍ଷମତା ପ୍ରୟୋଗ ପାଇଁ ପ୍ରଥମ ଅତ୍ୟାବଶ୍ୟକୀୟ ସର୍ତ୍ତ ହେଲା ଯେ ଅମଲାତନ୍ତ୍ର ଲୋକଙ୍କ ଆବଶ୍ୟକତାକୁ ପ୍ରଧାନ୍ୟ ଦେଇ ଯୁକ୍ତିସଙ୍ଗତ ଭାବେ କାର୍ଯ୍ୟ କରିବ। ଅମଲାତନ୍ତ୍ର ସମାନତାରେ ବିଶ୍ୱାସ କରିବ ଏବଂ ମନଇଚ୍ଛା ପାତର ଅନ୍ତର ବ୍ୟବହାର କରିପାରିବ ନାହିଁ। ଆଧୁନିକ ସମାଜରେ ଅମଲାତନ୍ତ୍ର ନିଶ୍ଚୟ ଅନିବାର୍ଯ୍ୟ ପ୍ରକ୍ରିୟା, କିନ୍ତୁ ଏହା ସ୍ୱାଧୀନ ଭାବେ, ସଚ୍ଚୋଟତା ସହିତ ଲୋକ-କୈନ୍ଦ୍ରିକ ଆଭିମୁଖ୍ୟ ରଖିବା ଉଚିତ। ରାଜନୈତିକ ନେତା ଏବଂ ସମାଜକୁ ଅଂଶୀଦାର ଭାବରେ ବିଚାର କରି ଆମର ଗଣତନ୍ତ୍ରକୁ ରାଜନୈତିକ-ନିରପେକ୍ଷ କରିବା ପାଇଁ ଅମଲାତନ୍ତ୍ରର ପରିକଳ୍ପନା କରାଯାଇଥିଲା। ଆଦର୍ଶ ପ୍ରଶାସନର ଦୁଇଟି ବିବାଦୀୟ ଦିଗ ଅଛି। ତାହା ହେଲା ଅମଲାତନ୍ତ୍ରର ରାଜନୀତିକରଣ ଏବଂ ରାଜନୀତିର ଅମଲାତନ୍ତ୍ରୀକରଣ। ଅମଲାତନ୍ତ୍ରର ରାଜନୀତିକରଣ ଅର୍ଥ ହେଉଛି ଅମଲାତନ୍ତ୍ର ଏବଂ ରାଜନୀତି ମଧ୍ୟରେ ସମ୍ପର୍କ ଯୋଗୁଁ ଶାସନ ବ୍ୟବସ୍ଥାରେ ଅନାବଶ୍ୟକ ରାଜନୈତିକ ପ୍ରଭାବ। ଏହା ଉଚ୍ଚ ଏବଂ ଶକ୍ତିଶାଳୀ ପଦବୀରେ ପକ୍ଷପାତୀ ଏବଂ ଦୁର୍ନୀତିଗ୍ରସ୍ତ ସରକାରୀ ନିଯୁକ୍ତିକୁ ସୁଯୋଗ ପ୍ରଦାନ କରେ। ନବୀନରାଜରେ ନେତା ଏବଂ ବାବୁମାନଙ୍କ ମଧ୍ୟରେ ଏକ ଅଲିଖିତ ଅପବିତ୍ର ସମ୍ପର୍କ ଆରମ୍ଭ ହୋଇଥିଲା।
ରାଜନୀତିର ଅମଲାତନ୍ତ୍ରୀକରଣ କହିଲେ, ଆମେ ଅମଲାତନ୍ତ୍ରକୁ ରାଜନୀତିରେ ପ୍ରବେଶ କରିବାର ଦେଖୁ। ନିଜର ନିଯୁକ୍ତି କାଳରେ ଅମଲାମାନେ ବା ପ୍ରଶାସକମାନେ ରାଜନୈତିକ କାର୍ଯ୍ୟକଳାପରେ ନିୟମିତ ଭାବେ ହସ୍ତକ୍ଷେପ କରିଥାନ୍ତି। ଭାରତର ବହୁ ସଂଖ୍ୟକ ଅମଲା ଅବସର ନେବାପରେ କିମ୍ବା ଚାକିରିରୁ ଇସ୍ତଫା ଦେବା ପରେ ରାଜନୀତିରେ ଯୋଗ ଦେଉଥିବାର ଦେଖାଯାଏ। ଏଭଳି ଘଟଣା ସେହି ନିର୍ଦ୍ଦିଷ୍ଟ ଅମଲାମାନଙ୍କ ଭିତରେ ଥିବା କପଟ ରାଜନୈତିକ ସିଦ୍ଧାନ୍ତକୁ ଦର୍ଶାଏ। କର୍ମଚାରୀଙ୍କ ଆଚରଣ ସଂହିତା କହେ ଯେ ସେମାନଙ୍କର ରାଜନୈତିକ ବ୍ୟବସ୍ଥା ପ୍ରତି ନିରପେକ୍ଷ ଏବଂ ସମାନ ଦୃଷ୍ଟିଭଙ୍ଗୀ ରହିବା ଆବଶ୍ୟକ। ଅଥଚ ନବୀନ ଶାସନରେ ପର୍ଯ୍ୟାପ୍ତ ଭାବେ ରାଜନୀତିର ଅମଲାତନ୍ତ୍ରୀକରଣ ଘଟିଥିଲା।
ଏହା ଅବିସମ୍ବାଦିତ ସତ୍ୟ ଯେ ମନ୍ତ୍ରୀ ଦାୟିତ୍ୱର ଆବରଣ ତଳେ ଅମଲାତନ୍ତ୍ର ରହିଥାଏ। କିନ୍ତୁ ନବୀନ ପଟ୍ଟନାୟକଙ୍କ ତଥାକଥିତ ସୁଶାସନରେ ଏହି ସୂତ୍ର ପ୍ରୟୋଗ କରାଯାଉ ନଥିଲା। ଶୀର୍ଷ ଏବଂ ପ୍ରଭାବଶାଳୀ ଅମଲାମାନଙ୍କର ମତଦାତାଙ୍କ ପ୍ରତି କୌଣସି ପ୍ରକାରର ଉତ୍ତରଦାୟିତ୍ୱ ରହୁ ନଥିଲା। ଏହି ଅମଲାମାନେ ଓଡ଼ିଶାରେ ମନ୍ତ୍ରୀମାନଙ୍କ କ୍ଷମତାକୁ ଅପହରଣ କରିନେଇଥିବାରୁ ଅଜବ ପରିସ୍ଥିତି ସୃଷ୍ଟି ହୋଇଥିଲା। ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ହୁଏତ ଦୁଇଟି ସମ୍ଭାବ୍ୟ କାରଣରୁ ଏପରି କରୁଥିଲେ- ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କୁ ପ୍ରଶାସକମାନଙ୍କ ତୁଳନାରେ କମ୍ ପ୍ରତିଭାସମ୍ପନ୍ନ ମନେ କରୁଥିଲେ କିମ୍ବା ସେମାନଙ୍କୁ ଜନପ୍ରତିନିଧି ଭାବରେ କାର୍ଯ୍ୟ କରିବାର ସୁଯୋଗ ଦେବାକୁ ଚାହୁଁ ନଥିଲେ। ନବୀନଙ୍କର ଆଶଙ୍କା ଥିଲା ଯେ, ପ୍ରଥମତଃ ଶାସନରେ ଅଧିକ କ୍ଷମତା ଦିଆଗଲେ ତାଙ୍କ ମନ୍ତ୍ରୀମାନେ ଦୁର୍ନୀତିଗ୍ରସ୍ତ ହୋଇଯାଇ ପାରନ୍ତି। କାରଣ, ଅତୀତରେ ଦୁର୍ନୀତି ଅଭିଯୋଗରେ ତାଙ୍କୁ ଅନେକ ମନ୍ତ୍ରୀଙ୍କୁ ମନ୍ତ୍ରୀ ପରିଷଦରୁ ବାହାର କରିବାକୁ ପଡ଼ିଥିଲା। ଦ୍ୱିତୀୟତଃ, ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀ ପରିଷଦରେ ଅଧିକ ସଂଖ୍ୟକ ଯୋଗ୍ୟ ମନ୍ତ୍ରୀଙ୍କୁ ରଖିବାକୁ ଚାହୁଁ ନଥିଲେ। ବରଂ ଏଭଳି ମନ୍ତ୍ରିମଣ୍ଡଳ ଗଠନ କରିଥିଲେ, ଯାହାର ସଦସ୍ୟମାନେ ପ୍ରଶାସକଙ୍କ ପରାମର୍ଶ ନନେଇ କାମକରି ପାରିବେ ନାହିଁ ଏବଂ ମୁଖ୍ୟମନ୍ତ୍ରୀ ପଦପାଇଁ ଅଯୋଗ୍ୟ ମନେ କରାଯିବେ।
ଜଣେ ବିଶିଷ୍ଟ ସମାଜବିଜ୍ଞାନୀ ତଥା ଆଲୋଚକଙ୍କ ମତରେ, ଅମଲାତନ୍ତ୍ର ହେଲା ସମ୍ପର୍କର ଏକ ଜାଲ। ଅମଲାତନ୍ତ୍ର ଯେତେ ଶକ୍ତି ଧାରଣ କରନ୍ତି ଏବଂ ବ୍ୟବହାର କରନ୍ତି, ତାହା ନେତା କିମ୍ବା କ୍ଷମତାଧାରୀଙ୍କ ଶକ୍ତି ଅପେକ୍ଷା ଅଧିକ। ଆମକୁ ମନେ ରଖିବାକୁ ହେବ ଯେ, ଅମଲାତନ୍ତ୍ର ଉପରେ ଏଭଳି ଧାରଣା ଗଣତନ୍ତ୍ର ପାଇଁ କେବେ ହେଁ ଶୁଭ ସଙ୍କେତ ନୁହେଁ। ଆଉ ଜଣେ ବିଶିଷ୍ଟ ସମାଜବିଜ୍ଞାନୀ କହିଛନ୍ତି ଯେ ଅମଲାତନ୍ତ୍ର ସବୁବେଳେ ଆଦର୍ଶ ସ୍ଥାନୀୟ। ଅନ୍ୟ ଅର୍ଥରେ କହିଲେ, ଅମଲାତନ୍ତ୍ରର କାର୍ଯ୍ୟ, ଦର୍ଶନ ଏବଂ ଦୃଷ୍ଟିକୋଣ ଦେଖି ହୁଏନା; ଅଥଚ ସ୍ପଷ୍ଟଭାବେ ଅନୁଭବ କରାଯାଇପାରେ। ଅମଲାତାନ୍ତ୍ରିକ ମଡେଲରେ ଅମଲାମାନଙ୍କୁ ପ୍ରଶାସକ କିମ୍ବା କାର୍ଯ୍ୟକାରିଣୀ ବୋଲି କୁହାଯାଏ। ଏହି ମଡେଲରେ ରାଜନେତାମାନେ ଆଇନ ଓ ନୀତି ପ୍ରଣୟନ କରନ୍ତି ଏବଂ ଶାସନ କରନ୍ତି। ଅମଲାମାନେ ସେହି ନୀତିଗୁଡ଼ିକୁ ପାଳନ କରନ୍ତି ଏବଂ କ୍ଷେତ୍ରରେ କାର୍ଯ୍ୟକାରୀ କରନ୍ତି। ଏହା ହେଲା ପାରମ୍ପରିକ ଅମଲାତନ୍ତ୍ରର ପୋଥିଲେଖା ପାଠ। କିନ୍ତୁ ଆଧୁନିକତମ ଅମଲାତନ୍ତ୍ରର ପରିଭାଷା ଏହି ମଡେଲକୁ ଭିନ୍ନ ଭାବରେ ଗ୍ରହଣ କରେ। ଏହା ପାରମ୍ପରିକ ଅମଲାତନ୍ତ୍ର ପକ୍ଷରୁ ଅନୁସୃତ ପଦ୍ଧତିର ବିପରୀତ। ଆଧୁନିକତମ ଅମଲାତନ୍ତ୍ର ଚାହେଁ ଯେ ରାଜନେତା ଏବଂ ଅମଲାତନ୍ତ୍ର ଉଭୟ ନୀତି ନିର୍ଦ୍ଧାରଣ, କାର୍ଯ୍ୟକାରୀତା ଏବଂ ତଦାରଖରେ ଅଂଶଗ୍ରହଣ କରିବା ଉଚିତ। ଆମ ଓଡ଼ିଶାର ବହୁଚର୍ଚ୍ଚିତ ଭିକେ ପାଣ୍ଡିଆନ୍ ଏହି ଆଧୁନିକତମ ଅମଲାତନ୍ତ୍ରର ପରିବର୍ଦ୍ଧିତ ସଂସ୍କରଣ ବୋଲି କହିହେବ। ତାଙ୍କୁ କ୍ଷମତା-ଅଳିନ୍ଦର ପ୍ରତିନିଧିତ୍ୱ କରିବାକୁ ଦିଆଯାଇ ନଥିଲା; ବରଂ, ତାଙ୍କୁ ବିକାଶ କାର୍ଯ୍ୟ ତଦାରଖ କରିବାକୁ ଦାୟିତ୍ୱ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ସେ ହିତାଧିକାରୀଙ୍କ ହିତରେ ବିକାଶମୂଳକ କାର୍ଯ୍ୟଗୁଡିକୁ ସୁଚାରୁ ରୂପେ କାର୍ଯ୍ୟକାରୀ କରିବା ପାଇଁ ଦିଆଯାଇଥିବା ନିର୍ଦ୍ଦେଶ ପାଳନ କରିବା କଥା। ତାହା କରିବା ସହିତ ସେ ବିଭିନ୍ନ ବିଭାଗର ତଥା ଆନ୍ତଃ-ବିଭାଗ ବ୍ୟାପାରରେ ହସ୍ତକ୍ଷେପ କରୁଥିଲେ ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅଛି ବୋଲି କହୁଥିଲେ ହେଁ ନବୀନବାବୁ ନୀରବ ରହୁଥିଲେ।
ପାଣ୍ଡିଆନଙ୍କ ଧୂଆଁଧାର ଗସ୍ତକୁ ଗଣମାଧ୍ୟମ ମଧ୍ୟ ଗୁରୁତ୍ୱ ଦେଉଥିଲା ଏବଂ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବିକଳ୍ପ ଭାବରେ ଉପସ୍ଥାପିତ କରୁଥିଲା। ତାଙ୍କର ଭୂମିକାକୁ ନେଇ ଲୋକମାନେ ଦ୍ୱନ୍ଦ୍ୱରେ ରହୁଥିଲେ। ଜଣେ ପ୍ରଶାସନିକ ଅଧିକାରୀ ଭାବରେ ତାଙ୍କର ଭୂମିକା ଏବଂ ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ କରି ବିକାଶର ଗଙ୍ଗାକୁ ଭଗୀରଥ ଭାବେ ଅବତରଣ କରିବାର ଭୂମିକା ନିର୍ବାହକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ତିଆରି ହୋଇଥିଲା।
ପଣ୍ଡିତ ନେହରୁ ୧୯୩୬ ମସିହାରେ ତାଙ୍କ ଆତ୍ମଜୀବନୀମୂଳକ ପୁସ୍ତକରେ ଲେଖିଥିଲେ ଯେ, ‘ଭାରତୀୟ ଲୋକ ସେବା ଅଧିକାରୀଙ୍କ କ୍ରମାଗତ ନୈତିକ କିମ୍ବା ବୌଦ୍ଧିକ ଅବନତି ଆଶ୍ଚର୍ଯ୍ୟଜନକ। ଏହା ଉଚ୍ଚ ଅଧିକାରୀମାନଙ୍କଠାରେ ସ୍ପଷ୍ଟ ଦୃଶ୍ୟମାନ ହେଉଥିଲେ ହେଁ ସମୁଦାୟ ଅମଲାତନ୍ତ୍ର ଗୋଟିଏ ସୂତାରେ ଗୁନ୍ଥି ହେଲା ଭଳି ମଧ୍ୟ ପ୍ରତୀୟମାନ ହେଉଛି।’ ଭାରତୀୟ ଅମଲାତନ୍ତ୍ର ଉପରେ ନେହେରୁଙ୍କ ଏଭଳି ନିରାଶାଜନକ ମନ୍ତବ୍ୟ ଆଜି ମଧ୍ୟ ପ୍ରାସଙ୍ଗିକ। ଓଡ଼ିଶାର ଅନେକ ପ୍ରଶାସକଙ୍କ ସାର୍ବସାଧାରଣରେ ଥିବା ପ୍ରତିଚ୍ଛବିରେ ପ୍ରତିଫଳିତ ହେଉଛି ଅପହଞ୍ଚ ଦୂରତା, ନିମ୍ନମାନର ଗୁଣବତ୍ତା, ଆଳସ୍ୟ, ଦୁର୍ନୀତି-ପ୍ରବଣତା, ଅହଂକାର ଏବଂ ଫଳାଫଳ ପ୍ରତି ଉତ୍ତରଦାୟୀତ୍ୱହୀନତା। ଯଦି ପାଣ୍ଡିଆନ୍ ଲୋକଙ୍କ ଗହଣକୁ ଯାଇ ଜନସାଧାରଣଙ୍କ ଅଭିଯୋଗ ଶୁଣୁଥିଲେ, ଯୋଗାଯୋଗ ବ୍ୟବସ୍ଥାକୁ ଗୁଣାତ୍ମକ ଦୃଷ୍ଟିରୁ ସୁଦୃଢ଼ କରିଥିଲେ ଏବଂ ଲୋକକୈନ୍ଦ୍ରିକ ହେଉଥିଲେ, ତେବେ ତାଙ୍କୁ ସମାଲୋଚନା କରାଯିବା ଉଚିତ ନୁହେଁ ବୋଲି କିଛି ଲୋକ ଆଜି ବି ଖୋଲାଖୋଲି କହୁଛନ୍ତି। ଆଜି ବି କିଛି ପାଣ୍ଡିଆନଭକ୍ତ ଭାବନ୍ତି ଯେ, ପାଣ୍ଡିଆନଙ୍କ ଭଳି କରିତକର୍ମା ତଥା ବୁଦ୍ଧିମାନ୍ ଅତି-ସକ୍ରିୟ ଅମଲା କେବେ ବି ନବୀନ ପଟ୍ଟନାୟକଙ୍କ ବିକଳ୍ପ ହେବାକୁ ଚାହିଁ ନଥିଲେ! ଯଦି ପାଣ୍ଡିଆନ ନବୀନ ପଟ୍ଟନାୟକଙ୍କ ବିକଳ୍ପ ହେବାକୁ ଚାହିଁ ନଥିଲେ, ତେବେ ସେ କାହିଁକି ନିଜର ଭାବମୂର୍ତ୍ତୀ ଏଭଳି ତିଆରିଲେ ଯେ, ସେ ମନ୍ତ୍ରୀମାନଙ୍କଠାରୁ ବଡ଼ ଦେଖାଗଲେ? ପ୍ରଶାସକଙ୍କ ଆଗରେ ମନ୍ତ୍ରୀ ବାମନ ହୋଇଗଲେ?
ନବେ ଦଶକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥାଆନ୍ତି ଜାନକୀ ବଲ୍ଲଭ ପଟ୍ଟନାୟକ। ଗଞ୍ଜାମ ଜିଲ୍ଲାର ଜଣେ ଟାଣୁଆ କଂଗ୍ରେସ ବିଧାୟକ ଦିନେ ତାଙ୍କ ଅଫିସରେ ପହଞ୍ଚି ଗଞ୍ଜାମର ଜିଲ୍ଲାପାଳଙ୍କ ବିରୁଦ୍ଧରେ ଚଢ଼ାଗଳାରେ ଅଭିଯୋଗ ବାଢ଼ିଲେ ଯେ, ଜିଲ୍ଲାପାଳ ଜଣକ ତାଙ୍କ କଥାକୁ ତିଳେ ମାତ୍ର ଖାତିର କରୁନାହିଁ ଏବଂ ତାକୁ ଶୀଘ୍ର ବିଦା ନ କଲେ ଜିଲ୍ଲାରେ କଂଗ୍ରେସର ବିପର୍ଯ୍ୟୟ ହୋଇଯିବ। ଜାନକୀ ବାବୁ ବିଧାୟକଙ୍କ ଅଭିଯୋଗ ଶୁଣିବା ପରେ ପ୍ରକୃତ କଥା ପଚାରି ବୁଝିଲେ ଯେ ସେ କୁଆଡ଼େ ଜିଲ୍ଲାପାଳଙ୍କୁ ତାଙ୍କ ନିର୍ବାଚନ ମଣ୍ଡଳୀର ବାଇଶି ଜଣ ଯୋଗ୍ୟବ୍ୟକ୍ତିଙ୍କ ଏକ ତାଲିକା ଦେଇ ସେମାନଙ୍କୁ ଇନ୍ଦିରା ଆବାସ ଘର ଦେବା ପାଇଁ କହିବାରୁ ସେ ରୋକଠୋକ ମନା କରି ତାଲିକାଟି ଫେରାଇ ଦେଇଥିଲେ। ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ସଚିବଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଫୋନ ଲଗାଇ ଉକ୍ତ ବାଇଶିଟି ଘରର ବ୍ୟବସ୍ଥା କରିଦେବାକୁ କହିଲେ ମଧ୍ୟ ଜିଲ୍ଲାପାଳ ତାଙ୍କୁ ବୁଝାଇ ଦେଇଥିଲେ ଯେ ପଞ୍ଚାୟତିରାଜ ଆଇନ ଅନୁସାରେ ଇନ୍ଦିରା ଆବାସ ଆବଣ୍ଟନ ପାଇଁ ତାଙ୍କ ପାଖରେ, ଏପରିକି ମୁଖ୍ୟମନ୍ତ୍ରୀଙ୍କ ପାଖରେ କୌଣସି କ୍ଷମତା ନାହିଁ। ଏହି କ୍ଷମତା ରହିଛି କେବଳ ଗ୍ରାମସଭାର! ଏହା ଶୁଣିବା ପରେ ମୁଖ୍ୟମନ୍ତ୍ରୀ ସେହି ବିଧାୟକଙ୍କୁ ସାନ୍ତ୍ୱନା ଦେଇ ଗ୍ରାମସଭା ବୈଠକ ମାନଙ୍କରେ ନିୟମିତ ଯୋଗଦେବାକୁ ପରାମର୍ଶ ଦେଇ ବିବାଦର ପରିସମାପ୍ତି କରିଥିଲେ। ସରକାରୀ ନୀତିକୁ କଡ଼ାକଡ଼ି ପାଳନ କରି ଚାପ ଆଗରେ ମୁଣ୍ଡ ନୁଆଁଇ ନଥିବାରୁ ପରବର୍ତ୍ତୀ କାଳରେ ଜାନକୀ ବାବୁ ଉକ୍ତ ଜିଲ୍ଲାପାଳଙ୍କୁ ମଧ୍ୟ ବ୍ୟକ୍ତିଗତ ଭାବରେ ପ୍ରଶଂସା କରିଥିଲେ।
ଅତୀତରେ ଆମେ ଅନେକ ଜିଲ୍ଲାପାଳଙ୍କୁ ଦେଖିଛୁ ଓ ଅନେକଙ୍କ ବିଷୟରେ ଶୁଣିଛୁ ଓ ପଢ଼ିଛୁ ଯେ, ସେମାନଙ୍କ ଗୋଟିଏ ଗୋଟିଏ ନିଷ୍ପତ୍ତି ବଳରେ ଜିଲ୍ଲାବାସୀଙ୍କର ଭାଗ୍ୟ ପରିବର୍ତ୍ତନ ହୋଇଯାଇଥିଲେ ବି ସେମାନେ ଗଣମାଧ୍ୟମରେ ଚର୍ଚ୍ଚିତ ହେବାକୁ ଉଚିତ ମନେ କରି ନ ଥିଲେ। ସେମାନେ କିନ୍ତୁ ସେହି ଜିଲାର ଜନସାଧାରଣଙ୍କ ହୃଦୟରେ ଆଜି ବି ରହିଛନ୍ତି।
ତୃଣମୂଳ ସ୍ତରରୁ ସୃଷ୍ଟ ରାଜନୈତିକ କର୍ମୀଙ୍କ ଗଣତନ୍ତ୍ର ପ୍ରତି ସମର୍ପିତ ଅବଦାନ ଅପେକ୍ଷା ପାରାଚ୍ୟୁଟ ସାହାଯ୍ୟରେ ରାଜନୈତିକ ପଡ଼ିଆକୁ ଲମ୍ଫ ପ୍ରଦାନ କରୁଥିବା ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କ ଅବଦାନ କେବେ ହେଁ ତୁଳନୀୟ ନୁହେଁ। କାରଣ ଏହି ପ୍ରଶାସନିକ ଅଧିକାରୀଙ୍କ ଉଦ୍ଦେଶ୍ୟ ଅପବିତ୍ର, ସ୍ୱାର୍ଥ ସର୍ବସ୍ୱ ଏବଂ ମାଟିର ସୁରଭିହୀନ ବିଷଫଳ ସାଦୃଶ। କେହି ବି ଅଣଓଡ଼ିଆ ଓଡ଼ିଶା କ୍ୟାଡର ଆଇଏଏସ ଅଧିକାରୀ ବଙ୍କାଟଙ୍କା ଓଡ଼ିଆ କହିବା ଅସ୍ୱାଭାବିକ ନୁହେଁ; କିନ୍ତୁ ଓଡ଼ିଶାର ଧର୍ମଗଡ଼, ରାଉରକେଲା, ମୟୂରଭଂଜ, ଗଂଜାମ ଏବଂ ଭୁବନେଶ୍ୱରରେ ଦୀର୍ଘ ୨୨ ବର୍ଷ କାମ କରିଥିବା ତାମିଲ୍ ଆଇଏଏସ ଅଧିକାରୀ ଭିକେ ପାଣ୍ଡିଆନ ଯେ ଓଡ଼ିଆ ସଂସ୍କୃତି ଉପରେ ସାଧାରଣଜ୍ଞାନ ବିବର୍ଜିତ ଥିଲେ, ତାହା ଶ୍ରୀକ୍ଷେତ୍ର ପରିକ୍ରମା ମାର୍ଗ ନିର୍ମାଣ ବେଳେ ଅବିବେକୀ ଭାବେ ମଠ ଗୁଡ଼ିକୁ ଭାଙ୍ଗିବା ଏବଂ ଶ୍ରୀ ଜଗନ୍ନାଥଙ୍କୁ ବୁଲାଇ ମୁଠିଚାଉଳ ସଂଗ୍ରହ ପରିକଳ୍ପନାରୁ ସ୍ପଷ୍ଟ ହୋଇ ଯାଇଥିଲା। କାଳିଆ ଠାକୁରଙ୍କୁ ଭକ୍ତି କରିବାର ଅଭିନୟକରି ଶ୍ରୀକ୍ଷେତ୍ରକୁ ଭାଟିକାନ୍ ସିଟି କରିବାକୁ ପରିକଳ୍ପନା କରିଥିବା ଏହି ପୂର୍ବତନ ପ୍ରଶାସକଙ୍କୁ ଓଡ଼ିଶାବାସୀ ଦୋଷୀ ସାବ୍ୟସ୍ତ କରି ସାରିଛନ୍ତି।I ସେ ରାଜନୀତିରୁ ସନ୍ନ୍ୟାସ ନେବାକୁ ବାଧ୍ୟ ହୋଇଛନ୍ତି। ପାଣ୍ଡିଆନଙ୍କ ଆଗାମୀ ପଦକ୍ଷେପ ନିର୍ଦ୍ଧାରଣ କରିବ, ତାଙ୍କର ପାଇବାକୁ ଥିବା ଦଣ୍ଡର ପରିମାଣ।
ଫୋ- ୯୪୩୮୨୯୯୦୩୭
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/23/vk-pandian-2025-10-23-12-20-28.jpg)