ଅନ୍‌ ଦ ସ୍ପଟ୍‌ ଶାସ୍ତି, କେତେ ଠିକ୍‌?

ନିକଟରେ ରାଜଧାନୀ ଭୁବନେଶ୍ୱରରେ ଆଉ ଜଣେ ରୋଡ୍‌ ରୋମିଓ ଛେଚା ଖାଇଲେ। ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ତାଙ୍କୁ କିଛି ଲୋକ ନିର୍ଦ୍ଧୁମ୍‌ ଛେଚିଲେ। କେବଳ ଲୋକମାନେ ନୁହନ୍ତି, ଅସଦାଚରଣ ଅଭିଯୋଗ ଆଣିଥିବା ଯୁବତୀ ଜଣଙ୍କ ମଧ୍ୟ ତାଙ୍କୁ ବହେ ଛେଚିଲେ। ଏପରିକି ମୁହଁ ଉପରକୁ ଗୋଇଠା ଉପରେ ଗୋଇଠା ପଡ଼ିଲା। ମିଡିଆ ଏବଂ  ସୋଶାଲ ମିଡିଆରେ ଭିଡିଓ ଭାଇରାଲ ହେଲା। ତା’ପରେ ପୁଲିସ୍ ଆସି ଯୁବକ ଜଣଙ୍କୁ ଗିରଫ କରି ନେଇଗଲେ। ଏ ଘଟଣାଟି କେତେ […]

final-lo

Biswobandita Swain
  • Published: Tuesday, 18 February 2020
  • , Updated: 19 February 2020, 07:15 AM IST

ନିକଟରେ ରାଜଧାନୀ ଭୁବନେଶ୍ୱରରେ ଆଉ ଜଣେ ରୋଡ୍‌ ରୋମିଓ ଛେଚା ଖାଇଲେ। ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ତାଙ୍କୁ କିଛି ଲୋକ ନିର୍ଦ୍ଧୁମ୍‌ ଛେଚିଲେ। କେବଳ ଲୋକମାନେ ନୁହନ୍ତି, ଅସଦାଚରଣ ଅଭିଯୋଗ ଆଣିଥିବା ଯୁବତୀ ଜଣଙ୍କ ମଧ୍ୟ ତାଙ୍କୁ ବହେ ଛେଚିଲେ। ଏପରିକି ମୁହଁ ଉପରକୁ ଗୋଇଠା ଉପରେ ଗୋଇଠା ପଡ଼ିଲା। ମିଡିଆ ଏବଂ  ସୋଶାଲ ମିଡିଆରେ ଭିଡିଓ ଭାଇରାଲ ହେଲା। ତା’ପରେ ପୁଲିସ୍ ଆସି ଯୁବକ ଜଣଙ୍କୁ ଗିରଫ କରି ନେଇଗଲେ। ଏ ଘଟଣାଟି କେତେ ଦୂର ଠିକ୍‌ ଥିଲା? କିଛି ଲୋକ ଏ ଘଟଣା ପାଇଁ ଯୁବତୀଙ୍କୁ  ସାବାସି ଦେଇଥିବା ବେଳେ ଆଉ କିଛି ଲୋକ ଆଇନ୍‌କୁ ହାତକୁ ନେବା କେତେ ଦୂର ଠିକ୍‌ ବୋଲି ପ୍ରଶ୍ନ କରିଛନ୍ତି। ଆଜି ସେହି ବିଷୟରେ ହିଁ ଆଲୋଚନା କରିବା, ଅନ୍‌ ଦ ସ୍ପଟ୍‌ ଶାସ୍ତି , କେତେ ଠିକ୍‌?

ଏହି ଘଟଣାରେ ଯେତେବେଳେ ଯୁବତୀ ଜଣଙ୍କ ଉକ୍ତ ଯୁବକଙ୍କୁ ସେଠାରେ ପିଟୁଥିଲେ ସେଠାରେ ବେଶ୍ କିଛି ଲୋକ ଉପସ୍ଥିତ ଥିଲେ। ଯେଉଁମାନେ ଯୁବକ ଜଣଙ୍କ ହାତକୁ ଜାବୁଡି ଧରୁଥିଲେ ଏବଂ ଯୁବତୀଙ୍କୁ ମାରିବାକୁ ମଧ୍ୟ ଲଗାତାର ଉସକାଉଥିଲେ।

ତେବେ ଏ ଘଟଣା ଏବଂ ଘଟଣା ସ୍ଥଳରେ ଦଣ୍ଡ ମିଳିବା ଦେଖିଲେ ଦିଲ୍ଲୀର ଜସ୍‌ଲିନ୍‌ କୌରଙ୍କ କଥା ମନେ ପଡ଼େ। ଘଟଣାଟି ଟିକେ ପୁରୁଣା ହେବ, କିନ୍ତୁ ଆପଣମାନଙ୍କର ମନେଥିବ ବୋଧହୁଏ। ୨୦୧୫  ଅଗଷ୍ଟ ୨୩ରେ ଦିଲ୍ଲୀର ଜସ୍‌ଲିନ୍‌ କୌର ନାମଙ୍କ ଜଣେ ଯୁବତୀ ଫେସ୍‌ବୁକ୍‌ରେ ଜଣେ ଯୁବକଙ୍କ ଫଟୋ ଶେୟାର କରି ଲେଖିଲେ ଯେ ଏହି ଯୁବକ ଜଣଙ୍କ ତାଙ୍କ ସହ ଅଭଦ୍ରାମି କରିଛନ୍ତି। ଆଉ ଯେତେବେଳେ ସେ ତାଙ୍କ ଅଭଦ୍ରାମି କରିଥିବା ଯୁବକ ଜଣଙ୍କ ଫଟୋ ଉଠାଇବାକୁ ଚେଷ୍ଟା କଲେ। ସେ ତାଙ୍କୁ ଧମକ ଦେଇଥିଲେ।

ଯୁବକଙ୍କ ନାଁ ସରବଜିତ୍‌ ସିଂହ ଥିଲା। ଏ ଘଟଣାରେ ସରବଜିତ୍‌ କିନ୍ତୁ କିଛି ଓଲଟା କହିଥିଲେ। ତାଙ୍କ କହିବା ଅନୁଯାୟୀ, ସେ କେବଳ ଟ୍ରାଫିକ୍‌ ପାଖରେ ଠିଆ ହୋଇଥିଲେ ଏବଂ ଯୁବତୀ ତାଙ୍କୁ ବାମପଟକୁ ଯିବାକୁ କହିଥିଲେ। ସେ ତାଙ୍କ କଥାରେ ରାଜି ମଧ୍ୟ ହୋଇଯାଇଥିଲେ। କିନ୍ତୁ ଯୁବତୀ ଜଣଙ୍କ ତାଙ୍କ ଫଟୋ ଉଠାଇ ଓଲଟା ତାଙ୍କୁ ପୁଲିସ୍‌ର ଧମକ ଦେଇଥିଲେ। ତେବେ ଜସ୍‌ଲିନ୍‌ଙ୍କ ପୋଷ୍ଟ ପରେ ବିଭିନ୍ନ ଗଣମାଧ୍ୟମରେ ଏ ସମ୍ପର୍କରେ ଚର୍ଚ୍ଚା ଆରମ୍ଭ ହୋଇଗଲା। ଏଥିସହ ଲୋକମାନେ ତାଙ୍କୁ ଝିଅ ସହ ଅଭଦ୍ରାମି କରିଥିବା ଅଭିଯୋଗରେ ନାନା କଥା ଶୁଣାଇଥିଲେ। ଏସବୁ ଚର୍ଚ୍ଚା ସରବଜିତ୍‌ଙ୍କ ପେଶାଗତ ଜୀବନ ଉପରେ ପଡ଼ିଥିଲା। ତାଙ୍କୁ ଚାକିରିରୁ କାଢ଼ି ଦିଆଗଲା। ଲୋକମାନେ ତାଙ୍କୁ ନାନା କଥା କହିବା ଆରମ୍ଭ କଲେ। ଏପରିକି ତାଙ୍କ ପରିବାର ପାଇଁ ମୁଣ୍ଡ ଟେକି ବଞ୍ଚିବା ମୁସ୍କିଲ ହୋଇପଡ଼ିଥିଲା। ମାମଲା କୋର୍ଟରେ ପହଞ୍ଚିଥିଲା। କିନ୍ତୁ କୋର୍ଟକୁ ଯେତେବେଳେ ଉଭୟ ପକ୍ଷକୁ ଡକାଗଲା ସେତେବେଳେ ଜସଲିନ୍‌ ପହଞ୍ଚିନଥିଲେ। ସେ ବିଦେଶରେ ପାଠ ପଢୁଛନ୍ତି କହି କୌଣସି ବି ତାରିଖରେ ହାଜର ହୋଇ ନଥିଲେ।  ତେବେ ସାକ୍ଷୀର ଅଭାବ ଏବଂ ମାମଲା ଅବିଶ୍ୱସନୀୟ କହି ଦୀର୍ଘ ୪ବର୍ଷ ପରେ ସରବଜିତ୍‌ଙ୍କୁ ନିର୍ଦ୍ଦୋଷ ଘୋଷିତ କରାଯାଇଥିଲା।

ଏହି ଘଟଣାର ଉଦାହରଣ ଏଥିପାଇଁ ନିଆଯାଇପାରିବ କାରଣ ଯେପର୍ଯ୍ୟନ୍ତ ପୂରା ଘଟଣା ସାମ୍ନାକୁ ଆସିନାହିଁ। ଉଗ୍ରତାର ସହ ଆମର କୌଣସି ପଦକ୍ଷେପ ପ୍ରକୃତରେ କ’ଣ ଜଣଙ୍କୁ ନ୍ୟାୟ ଦେଇପାରିବ?

ଆଇପିସି ଧାରା ୩୫୪ କହୁଛି,  ଜଣେ ମହିଳାଙ୍କ ବିରୋଧରେ ବଳ ପ୍ରୟୋଗ କରିବା ଏବଂ ତାଙ୍କୁ ଫଲୋ କରିବା ଏକ ଅପରାଧ। ଯଦି ଏମିତି କିଛି ଘଟଣା ଘଟେ ତେବେ ମହିଳା ଜଣଙ୍କ ପୁଲିସରେ ଅଭିଯୋଗ କରିପାରିବେ। ଏପରି କ୍ଷେତ୍ରରେ ଦୋଷୀକୁ ଜରିମାନା ସହ ୧ରୁ ୫ବର୍ଷ ପର୍ଯ୍ୟନ୍ତ ଜେଲ ହୋଇପାରିବ।

କିନ୍ତୁ ଅଭିଯୁକ୍ତକୁ ହାତ ଉଠାଇବା, ତାଙ୍କୁ ପିଟିବା ଦ୍ୱାରା ଆପଣ କେଉଁଠି ନା କେଉଁଠି ଆଇନ୍‌କୁ ହାତକୁ ନେଉଛନ୍ତି। ଯେଉଁଥିପାଇଁ ଆପଣଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ଏପରି କ୍ଷେତ୍ରରେ ‘ଲେନେ କି ବଜେହ୍‌ କହିଁ ଦେନେ ନା ପଡ୍‌ଯାଏ।’

ଏ ଘଟଣାର ଆଉ ଏକ ଦିଗ ହେଉଛି ଉପସ୍ଥିତ ଲୋକଙ୍କ ଦାୟିତ୍ୱ। ଏହିପରି ଅଧିକାଂଶ ଘଟଣାରେ ଯାହା ଦେଖାଯାଏ ଉପସ୍ଥିତ ଲୋକେ ମାରପିଟ୍‌କୁ ପ୍ରୋତ୍ସାହିତ କରନ୍ତି। ଏହି ଘଟଣାରେ କିଛି ଲୋକ ଯୁବକ ଜଣଙ୍କ ଦୁଇ ହାତ ଏବଂ ମୁହଁକୁ ଟେକିକି ଧରୁଥିଲେ ଯେଉଁଥିପାଇଁ ଯୁବତୀ ଜଣଙ୍କୁ ତାଙ୍କ ମୁହଁକୁ ମାରିବା ସହଜ ହେଉଥିଲା। କିନ୍ତୁ ଯୁବତୀ ଜଣଙ୍କୁ ଶାନ୍ତ କରାଇ, ତାଙ୍କୁ ବୁଝାଇ ଏହି ହିଂସାକୁ ରୋକିବାକୁ କେହି ଚେଷ୍ଟା କରୁନଥିଲେ।

ସମସ୍ତଙ୍କୁ ଘଟଣା ସ୍ଥଳରେ ଉତ୍ତମ ମଧ୍ୟମ ପ୍ରକିୟା ଠିକ୍‌ ଲାଗୁଥିଲା। କାହା ପାଖରେ ଏତିକି ବି ଧୈର୍ଯ୍ୟ ନଥିଲା ଯେ ଜାଣିବା ପାଇଁ ପ୍ରକୃତରେ ଅଭିଯୁକ୍ତ ଦୋଷୀ କି ନୁହେଁ। ଏଥିସହ ଜଣଙ୍କୁ ମାରି ଆଇନକୁ ହାତକୁ ନେବା କେତେଦୂର ଠିକ୍‌ ସେ ବିଷୟରେ ମଧ୍ୟ କେହି ବିଚାର କରିପାରୁନଥିଲେ।\

ବିଶ୍ୱବନ୍ଦିତା ସ୍ୱାଇଁ

ଇମେଲ୍‌- swainbiswobandita@gmail.com

 

 

 

 

 

 

 

Related story