ଆନ୍ଧ୍ର ପ୍ରଦେଶର ନୂଆ ବିମାନବନ୍ଦର ପ୍ରତିଷ୍ଠାରୁ କିଛି ଶିକ୍ଷା

ଆଲୋଚ୍ୟ ଭୋଗପୁରମ୍ ବିମାନବନ୍ଦର ସହିତ ଆମ ଶ୍ରୀକ୍ଷେତ୍ରରେ ପ୍ରସ୍ତାବିତ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର କିଛି ଦୃଷ୍ଟିରୁ ସମାନ। ଉଭୟେ ନୂଆ ଓ ସବୁଜ ବିମାନ ବନ୍ଦର। ଉଭୟଙ୍କ ଅବସ୍ଥିତି ବଙ୍ଗୋପସାଗର କୂଳରେ ଏବଂ ନିର୍ମାଣ ସମାପ୍ତି ପରେ ଦୁଇ ବିମାନ ବନ୍ଦରରୁ ଉଭୟ ଆନ୍ତର୍ଜାତୀୟ ଏବଂ ଆଭ୍ୟନ୍ତରୀଣଉଡାଣ କରାଯିବ। କିନ୍ତୁ ବଡ଼ ତଫାତ୍ ରହିବ ଆୟତନ ଓ ଆକାର ଦୃଷ୍ଟିରୁ।

Representational Image

  • Published: Sunday, 29 December 2024
  • , Updated: 29 December 2024, 10:31 AM IST

ଜାନକୀଶ ବଡପଣ୍ଡା

ଆନ୍ଧ୍ର ପ୍ରଦେଶରୁ ତେଲେଙ୍ଗାନା ଅଲଗା ହେବାପରେ, ଅମରାବତୀରେ ନୂଆରାଜଧାନୀ ପ୍ରତିଷ୍ଠା ହୋଇଛି, ଯାହାର ଦୂରତ୍ୱ ବିଜୟୱଡା ଠାରୁ ପ୍ରାୟ ୩୫ କିଲୋମିଟର। ଏଣୁ ରାଜଧାନୀ ସହରରେ ବିମାନ ବନ୍ଦର ନିର୍ମାଣ କରାନଯାଇ,ବିଜୟୱଡା ସ୍ଥିତ ବିମାନବନ୍ଦରର ବିକାଶ କରାଯାଉଛି। ଆନ୍ଧ୍ରର ବୃହତ୍ତମ ସହର ବିଶାଖାପାଟଣାରେ ଏବେ କାର୍ଯ୍ୟକ୍ଷମ ରହିଥିବା ବିମାନବନ୍ଦରଟି ଭାରତୀୟ ନୌସେନାଅଧିନରେ ଥିବା ଏପରି ଏକ ସାମରିକ ବିମାନବନ୍ଦର, ଯାହାର କିଛି ଅଂଶ ସୀମିତ-ଆନ୍ତର୍ଜାତୀୟବେସାମରିକ ବିମାନ ସେବା ପାଇଁ ବ୍ୟବହାର କରାଯାଇ ଆସୁଛି। ଆଗାମୀ ଦିନରେ ଏହି ସାମରିକ ବିମାନ ବନ୍ଦରକୁ କେବଳ ନୌସେନାବ୍ୟବହାର ପାଇଁ ଛାଡିଦେବାକୁ ସ୍ଥିର ହୋଇ ଥିବାରୁ,ବିଶାଖାପାଟଣା ଠାରୁ ୪୪ କିଲୋମିଟର ଦୂର ଭୋଗପୁରମରେ ‘ଏଏସ୍ଆର୍ ଆନ୍ତର୍ଜାତୀୟ ବିମାନବନ୍ଦର’ ନିର୍ମାଣ ହେଉଛି; ଯାହାକୁ ନିର୍ମାଣ କରୁଛନ୍ତି ‘ଜିଏମଆର ବିଶାଖାପାଟନମ୍ ଆନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍’। ବଙ୍ଗୋପସାଗର ଉପକୂଳରେଏହି ନୂତନ ସବୁଜ ବିମାନବନ୍ଦର ପ୍ରାଥମିକ ଭାବେ ୩,୮୦୦ ମିଟର (୧୨,୫୦୦ ଫୁଟ୍) ଦୀର୍ଘ ରନୱେସହିତ ବର୍ଷକ ମଧ୍ୟରେ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି।

ଏଠାରେ କାର୍ଗୋ ପରିବହନ, ବିମାନ ରକ୍ଷଣାବେକ୍ଷଣ, ମରାମତି ଏବଂ ମରାମତି ସୁବିଧା ସହିତ ୫, ୩୧୧ ଏକର ଜମିରେ ବୃହତ୍ ବିମାନବନ୍ଦର-ସହର ନିର୍ମାଣ କରିବାକୁ ଯୋଜନା କରାଯାଇ ଶୁଭ ଦେଇଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ଜନଆନ୍ଦୋଳନ କାରଣରୁ ପରବର୍ତ୍ତୀ ସରକାର ମାତ୍ର ୨,୭୦୩ ଏକର ଜମି ଅଧିଗ୍ରହଣ କରିପାରିଥିଲେ। ୨୦୨୫ମସିହା ଡିସେମ୍ବର ମାସସୁଦ୍ଧା ଏହି ପ୍ରକଳ୍ପରପ୍ରଥମ ପର୍ଯ୍ୟାୟ କାମ ଶେଷ ହୋଇ ବିମାନସେବା ଆରମ୍ଭ ହେବ ବୋଲି ଆଶା କରାଯାଉଛି। ପ୍ରଥମ ପର୍ଯ୍ୟାୟ ସମାପ୍ତ ହେବା ପରେ ବର୍ଷକୁ ୬୩ ଲକ୍ଷ, ଦ୍ୱିତୀୟ ପର୍ଯ୍ୟାୟ ପରେ ବାର୍ଷିକ ୧୨୦ ଲକ୍ଷ ଏବଂ ତୃତୀୟ ପର୍ଯ୍ୟାୟ ଶେଷ ହେବା ପରେ ମୋଟ ଯାତ୍ରୀ କ୍ଷମତା ପ୍ରତିବର୍ଷ ୧୮୦ ଲକ୍ଷ ଛୁଇଁବ ବୋଲି ଆକଳନ କରାଯାଇଛି। ପ୍ରଥମ ପର୍ଯ୍ୟାୟ ନିର୍ମାଣରେ ସମୁଦାୟ ୪,୫୯୨ କୋଟି ଟଙ୍କା ଖର୍ଚ୍ଚ ହେବାର ଅଟକଳ ହୋଇଛି।

ଆଲୋଚ୍ୟ ଭୋଗପୁରମ୍ ବିମାନବନ୍ଦର ସହିତ ଆମ ଶ୍ରୀକ୍ଷେତ୍ରରେ ପ୍ରସ୍ତାବିତ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର କିଛି ଦୃଷ୍ଟିରୁ ସମାନ। ଉଭୟେ ନୂଆ ଓ ସବୁଜ ବିମାନ ବନ୍ଦର। ଉଭୟଙ୍କ ଅବସ୍ଥିତି ବଙ୍ଗୋପସାଗର କୂଳରେ ଏବଂ ନିର୍ମାଣ ସମାପ୍ତି ପରେ ଦୁଇ ବିମାନ ବନ୍ଦରରୁ ଉଭୟ ଆନ୍ତର୍ଜାତୀୟ ଏବଂ ଆଭ୍ୟନ୍ତରୀଣଉଡାଣ କରାଯିବ। କିନ୍ତୁ ବଡ଼ ତଫାତ୍ ରହିବ ଆୟତନ ଓ ଆକାର ଦୃଷ୍ଟିରୁ। ପୁରୀରେ ମାତ୍ର ୧,୧୬୪ ଏକର ଜମିରେ କ୍ଷୁଦ୍ର ବିମାନ ବନ୍ଦରଟିଏ ପ୍ରତିଷ୍ଠା ହେବାକୁ ଯାଉଥିଲା ବେଳେ, ପୁରୀ ଅପେକ୍ଷା ଦୁଇଗୁଣ ଅଧିକ ଜମିରେ ପ୍ରତିଷ୍ଠା ହେବ ଭୋଗପୁରମ ବିମାନ ବନ୍ଦର। ଗତ କିଛି ବର୍ଷ ମଧ୍ୟରେ ନିର୍ମାଣଧୀନ କିଛି ବିମାନ ବନ୍ଦର ପାଇଁ ଯେଭଳି ମହତ୍ୱାକାଂକ୍ଷୀ ପରିକଳ୍ପନା ଆଧାରରେ ଜମି ଅଧିଗ୍ରହଣ ହୋଇ ସାରିଛି ତାହାର ତଥ୍ୟ ଚକିତ କରିବାକୁ ଯଥେଷ୍ଟ।

ଆମେ ଜାଣିଛେ ଯେ, ଆମ ଦେଶର କିଛି ଗୁରୁତ୍ୱପୂର୍ଣ୍ଣ ଆନ୍ତର୍ଜାତୀୟ ବିମାନବନ୍ଦରର ଆୟତନ ବହୁତ ବଡ଼ – ଯେପରି ନୋଇଡା (୧୩ ହଜାର ଏକର), ହାଇଦ୍ରାବାଦ (୫,୫୦୦) ଦିଲ୍ଲୀ (୫,୧୦୬), ବେଙ୍ଗାଲୁରୁ (୪,୪,୦୦) ଇତ୍ୟାଦି। ଏହି କିଛି ବର୍ଷ ତଳୁ ନିର୍ମାଣ ଚାଲିଥିବା କିଛି ଆନ୍ତର୍ଜାତୀୟ ବିମାନବନ୍ଦରର ଆୟତନ ବିଷୟରେ ମଧ୍ୟ ଆଲୋଚନା କରାଯିବା ଆବଶ୍ୟକ ଏଇଥିପାଇଁ ଯେ, ଆମ ଭୁବନେଶ୍ବରରେ ୧୯୪୦ ମସିହାରେ ନିର୍ମାଣ କରାଯାଇଥିବା ରନୱେ ଚାରିପଟେ ସହର ଗଢି ଉଠିବାରୁ ଏହା ଏକ ବାମନ-ବିମାନବନ୍ଦର ହୋଇ ରହିଗଲା। କୃଷି ବିଶ୍ୱବିଦ୍ୟାଳୟର ଗବେଷଣା କୃଷିକ୍ଷେତ୍ର ଅଧିଗ୍ରହଣ କରାଯାଇ ଦୁଇ ଦଫାରେ ସମ୍ପ୍ରସାରଣ କରାଯିବା ସତ୍ତ୍ୱେ ଏହାର ସମୁଦାୟ ଆୟତନ ମାତ୍ର ୯୦୦ ଏକର ଓ ଏକମାତ୍ର ରନୱେ’ର ଲମ୍ବ ୯,୦୦୦ ଫୁଟ୍। ଏହାକୁ ସମ୍ପ୍ରସାରିତ କରିବା ଅସମ୍ଭବ ହେଉଥିବାରୁ ବିକଳ୍ପ ବିମାନବନ୍ଦର ଆବଶ୍ୟକ ମନେକରି ଅତୀତରେ ଖୋର୍ଦ୍ଧା ନିକଟସ୍ଥ ବିଭିନ୍ନ ସ୍ଥାନ ପରେ ପୁରୀକୁ ବଛା ଯାଇଛି।

ନିର୍ମାଣ ଓ ସମ୍ପ୍ରସାରଣ ଚାଲିଥିବା କିଛି ଆନ୍ତର୍ଜାତୀୟ ବିମାନବନ୍ଦରର ଆୟତନ ଏହିଭଳି: ପୁଣେ-ମହାରାଷ୍ଟ୍ର (୬ ହଜାର ଏକର),ଚେନ୍ନାଇ-ଦ୍ବିତୀୟ (୫ ହଜାର ଏକର),ନାଭି-ମୁମ୍ବାଇ (୨,୯୦୦ଏକର),ରାଜକୋଟ୍ -ରାଜସ୍ଥାନ (୨,୫୩୪ ଏକର), ସାବରିମାଲା-କେରଳ (୨,୫୭୦ ଏକର), ପାନାଜୀ -ଗୋଆ(୨,୧୩୨ ଏକର),କଲ୍ୟାଣୀ-ପଶ୍ଚିମ ବଙ୍ଗ (୧,୫୦୦ ଏକର)। ଭବିଷ୍ୟତରେ ବିମାନବନ୍ଦର ସମ୍ପ୍ରସାରଣ ଆବଶ୍ୟକ ପଡିଲେ, ସେଥିପାଇଁ ଜମି ଅଧିଗ୍ରହଣ ବହୁତ ବଡ଼ ସମସ୍ୟା ସୃଷ୍ଟି କରୁଥିବାର ଉଦାହରଣ ଓଡିଶାର ଭୁବନେଶ୍ବର, ଝାରସୁଗୁଡା ଓ ରାଉରକେଲାରେ ଦେଖିବାକୁ ମିଳିଥିଲେ ହେଁ ଓଡ଼ିଶା ସରକାରପ୍ରସ୍ତାବିତ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମାତ୍ର ୧,୧୬୪ ଏକର ଜମି ଅଧିଗ୍ରହଣ କରି କର୍ତ୍ତବ୍ୟ ଶେଷ କରିବାକୁ ଅଦୂରଦୃଷ୍ଟିତାଏବଂ ଅଧିକାରୀମାନଙ୍କ ସୁବିଧାବାଦୀ ମାନସିକତା ବୋଲି କୁହାଯାଇ ପାରିବ। ଭବିଷ୍ୟତରେ ଦ୍ୱିତୀୟ ସମାନ୍ତରାଳ ରନୱେ ନିର୍ମାଣ ବେଳେ କିମ୍ବା ରନୱେ ଲମ୍ବ ବୃଦ୍ଧି ଆବଶ୍ୟକ ହେଲେ, ଅଧିକ ଜମି ଅଧିଗ୍ରହଣ କରିବାରେ ଅନେକ ପ୍ରତିବନ୍ଧକ ଆସୁଥିବା କାରଣରୁ, ପୁରୀରେ ଏବେଠାରୁ ଅନ୍ତତଃ ୨ ହଜାର ଏକର ଜମି ଅଧିଗ୍ରହଣ କରାଯାଇ ଚାରିପଟେ ଝାଉଁ ଜଙ୍ଗଲ ସୃଷ୍ଟି କରାଯିବା ଜରୁରୀ। ଯେଉଁ କ୍ଷେତ୍ରର ଭଗବାନ ‘ବଡ଼ଠାକୁର’, ମନ୍ଦିର ‘ବଡ଼ଦେଉଳ’, ରାଜରାସ୍ତା ‘ବଡ଼ଦାଣ୍ଡ’ ଓ ଭୋଗ ‘ମହାପ୍ରସାଦ’, ସେହି କ୍ଷେତ୍ରର ବିମାନବନ୍ଦର ଯେ କ୍ଷୁଦ୍ର ହେବ, ତାହା ଓଡିଆ ଅସ୍ମିତା ପାଇଁ କେବଳ ଅପମାନଜନକ ନୁହେଁ, ବରଂ ବିକଶିତ ଓଡ଼ିଶା ବିରୁଦ୍ଧରେ ଏକ ଷଡ଼ଯନ୍ତ୍ର ବୋଲି କହିହେବ। ଭବିଷ୍ୟତରେ ପୁରୀ ବିମାନବନ୍ଦର ସମ୍ପ୍ରସାରିତ ହୋଇ ନପାରିଲେ, ଏଠାକୁ ଅଧିକ ଆସନ ବିଶିଷ୍ଟ ବଡ଼ ବିମାନ ଚଳାଚଳ ହୋଇପାରିବନି,ସେଥିପାଇଁ ଏପରି କିଛି ଷଡ଼ଯନ୍ତ୍ର କରାଯାଉନାହିଁ ତ !

ଓଡ଼ିଶାରେ ଏବେ ଡବଲ୍ ଇଞ୍ଜିନ୍ ସରକାର। ଭୁବନେଶ୍ୱର ସ୍ଥିତ ବିମାନବନ୍ଦର କ୍ରମଶଃ ଯାତ୍ରୀସେବା ପ୍ରଦାନ କରିବାକୁ ଅସମର୍ଥ ହେଉଥିବାରୁ ଜାନୁଆରୀ ପହିଲା ୨୦୨୧ ମସିହାରେ ପୁରୀରେ ଏକ ବିକଳ୍ପ ବିମାନବନ୍ଦର ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ନାମକରଣ ବି କରିଥିଲେ – ଶ୍ରୀ ଜଗନ୍ନାଥ ଆନ୍ତର୍ଜାତିକ ବିମାନବନ୍ଦର। ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରି ବିମାନବନ୍ଦର ପ୍ରାଧିକରଣ ମଞ୍ଜୁରି ଦେବାପରେ, ରାଜ୍ୟ ସରକାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ୍ (ଡିପିଆର୍) ଦେବା ସହ ୨୦୨୩ ମସିହା ଫେବୃଆରୀ ୨୧ ତାରିଖରେ ୨୨୦୩ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କରିଥିଲେ। ବିମାନ ବନ୍ଦର ନିର୍ମାଣ କାର୍ଯ୍ୟ ହେବାଠାରୁ ଶେଷ ହେବା ଯାଏଁ ୧୦୯୫ ଦିନ ବା ୩ ବର୍ଷ ଧାର୍ଯ୍ୟ କରାଯାଇଥିଲା।ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସଂପ୍ରସାରଣର ‌ସୁଯୋଗ ନଥିବାରୁ ଚଳିତ ଦଶନ୍ଧିରେ ଏହାର କ୍ଷମତା ପୂର୍ଣ୍ଣମାତ୍ରାରେ ଉପଯୋଗ ହୋଇଯିବ। ତେଣୁ ନୂଆ ବିମାନବନ୍ଦରର ଆବଶ୍ୟକତା ଥିବାରୁ ଏଥିପାଇଁ ସବୁଠୁ ଉତ୍ତମ ସ୍ଥାନଭାବେ ପୁରୀକୁ ବଛା ଯାଇଛି। ଏବେ ତିନିବର୍ଷ ବିତି ସାରିଲାଣି। ହଠାତ୍ ପ୍ରସ୍ତାବିତ ପ୍ରକଳ୍ପକୁ କେନ୍ଦ୍ର ଜଙ୍ଗଲ ମନ୍ତ୍ରାଳୟ ପକ୍ଷରୁ ଧକ୍କା ଲାଗିଛି।

ପୁରୀରେ ବିମାନ ବନ୍ଦର ସହିତ ୬ ଲେନ୍‌ ବିଶିଷ୍ଟ ଏକ୍ସପ୍ରେସ ୱେ ନିର୍ମାଣ ପ୍ରକଳ୍ପକୁ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଉପଦେଷ୍ଟା କମିଟି (ଏଫ୍‌ଏସି)ର ମଞ୍ଜୁରି ନିଷ୍ପତ୍ତି ମିଳିନାହିଁ। କାରଣ ସ୍ୱରୂପ କୁହାଯାଉଛି ଯେ,ପ୍ରସ୍ତାବିତ ବିମାନବନ୍ଦର ନିକଟରେ ବିଲୁପ୍ତପ୍ରାୟ ଅଲିଭ ରିଡଲେ କଇଁଛ ଅଣ୍ଡା ଦିଅନ୍ତି। ଏଥିସହିତ ଇରାୱାଡ଼ି ଡଲଫିନମାନଙ୍କର ଏହା ବାସସ୍ଥାନ। ପରିବେଶ ଦୃଷ୍ଟିରୁ ଉପକୂଳ ଅଞ୍ଚଳର ଏହା ମଧ୍ୟ ଏକ ସମ୍ବେଦନଶୀଳ ସ୍ଥାନ। ଏହା ଆଇଏନ୍‌ଏସ୍‌ ଚିଲିକା ନୌସେନା ଘାଟି ଓ ସେଣ୍ଟ୍ରାଲ ଏସିଆନ୍ ଫ୍ଲାଏୱେର ନିକଟତର। ତେଣୁ ଏହି ପ୍ରକଳ୍ପ ସଂପର୍କରେ ପ୍ରତିରକ୍ଷା ମନ୍ତ୍ରାଳୟର ମଧ୍ୟ ମତାମତ ନିଆଯିବା ଆବଶ୍ୟକ ବୋଲି କୁହାଯାଇଛି। ନଭେମ୍ବର ୨୮ ତାରିଖରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ପରିବେଶ ମନ୍ତ୍ରାଳୟର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ରିପୋର୍ଟକୁ ଏଫ୍‌ଏସି ଗମ୍ଭୀରତାର ସହ ନେଇ ଏହା ଉପରେ ରାଜ୍ୟ ସରକାରଙ୍କ ଠାରୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି। ମଞ୍ଜୁରିକୁ ସ୍ଥଗିତ ରଖି ପୁରୀ ଉପକୂଳରେ ଅଲିଭ ରିଡଲେ କଇଁଛ ଓ ଇରାୱାଡ଼ି ଡଲଫିନଙ୍କ ବାସସ୍ଥାନ ଏବଂ ସେମାନଙ୍କର ଗମନାଗମନ ପଥ ସଂପର୍କରେ ବିସ୍ତୃତ ଅନୁଧ୍ୟା‌ନ ରିପୋର୍ଟ ଦେବାକୁ ଏଫ୍‌ଏସି ନିର୍ଦ୍ଦେଶ ଦେଇଛି। ଡଲଫିନମାନଙ୍କ ସଂଖ୍ୟା ଏବଂ ସେମାନଙ୍କ ଗମନାଗମନ ସଂପର୍କରେ ଅତି କମ୍‌ରେ ଏକ ବର୍ଷ ଅନୁଧ୍ୟାନ ହେବା ଆବଶ୍ୟକ ହୋଇଥାଏ। ଏହାପରେ ସେମାନଙ୍କ ସୁରକ୍ଷା ପାଇଁ ଯୋଜନା ପ୍ରସ୍ତୁତ ହେବା ଦରକାର।

ନୂଆ ସରକାର ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ତରବରିଆ ଭାବେ ୨୦୨୪ ଜୁନ ୭ ତାରିଖରେ ପ୍ରଥମ ଥର ପାଇଁ ରାଜ୍ୟ ସରକାର ଏହି ପ୍ରକଳ୍ପକୁ ଏଫ୍‌ଏସି ନିକଟରେ ମଞ୍ଜୁରି ନିମନ୍ତେ ପଠାଇ ଥିଲେ। ଏହି ପ୍ରକଳ୍ପ ପାଇଁ ୨୭.୮୮ ହେକ୍ଟର ଜଙ୍ଗଲ ଜମି ବ୍ୟବହାର ନିମନ୍ତେ ତଥା ୧୩ ହଜାରରୁ ଅଧିକ ଗଛ କଟାଯିବାର ଆବଶ୍ୟକତା ଦର୍ଶାଇ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିଥିଲେ। ଏହି ପ୍ରକଳ୍ପକୁ ‘ସମନ୍ୱିତ ପ୍ରକଳ୍ପ’ ଭାବେ ଉପସ୍ଥାପନ କରାନଯାଇ ଭୁବନେଶ୍ୱର ବିମାନବନ୍ଦରରୁ ପୁରୀର ପ୍ରସ୍ତାବିତ ବିମାନବନ୍ଦର ପର୍ଯ୍ୟନ୍ତ ୬ ଲେନ୍‌ ବିଶିଷ୍ଟ ଏକ୍ସପ୍ରେସ୍ ହାଇୱେ ଏବଂ ପୁରୀ ବିମାନବନ୍ଦର ସଂପର୍କରେ ପୃଥକ ପ୍ରସ୍ତାବ ମଗାଯାଇଥିଲା। ଅନୁମତି ଯେଭଳି ସୁବିଧାରେ ମିଳିଯିବ ତାହାକୁ ଦୃଷ୍ଟିରେ ରଖି ତଥ୍ୟ ଉପସ୍ଥାପନ କରାଯାଇଥିଲା। ପାଠକମାନେ ଜାଣନ୍ତି ଯେ, ନୌସେନା ଅଧିନରେ ଥିବା ଗୋଆ ଏବଂ ବିଶାଖାପାଟଣା ବିମାନବନ୍ଦରରୁ ଆନ୍ତର୍ଜାତିକ ବିମାନସେବା ଆଜି ବି ଉପଲବ୍ଧ ହେଉଛି ଏବଂ ପୁରୀ-କୋଣାର୍କ ବେଳାଭୂମିରେ ଡଲଫିନ୍ ଓ କଇଁଛଙ୍କ ଚଳପ୍ରଚଳ ହୁଏନାହିଁ। ତଥାପି ଏଫ୍‌ଏସିର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଆପତ୍ତି ଦର୍ଶାଯାଇଛି ଏବଂ ବିକଳ୍ପ ବିମାନବନ୍ଦର ନିର୍ମାଣ ଉପରେ ପ୍ରଶ୍ନ ଚିହ୍ନ ଲାଗିଯାଇଛି।

ଗତ ଅକ୍ଟୋବର ୫ ତାରିଖରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ସୂଚନା ଦେଇଥିଲେ ଯେ, ଭୁବନେଶ୍ୱର ବିମାନବନ୍ଦରରେ ନୂଆ ଟର୍ମିନାଲ ନିର୍ମାଣ କରାଯିବ। ପୁରୁଣା ଟର୍ମିନାଲ ପାଖରେ ନୂଆ ଟର୍ମିନାଲ ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଆଗାମୀ ଦୁଇବର୍ଷ ମଧ୍ୟରେ ପ୍ରସ୍ତାବିତ ଟର୍ମିନାଲ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏଥିପାଇଁ ଖୁବ୍‌ଶୀଘ୍ର ରନ୍‌ୱେ କ୍ୟାଟ ଟୁ ଲାଇଟ ନିର୍ମାଣ କରାଯିବ। ସେ କହିଛନ୍ତିଯେ, “ଦେଶର ୨୦ଟି ସହର ସହ ବିଦେଶର ୪ଟି ସ୍ଥାନକୁ ଭୁବନେଶ୍ୱର ବିମାନ ବନ୍ଦରରୁ ବିମାନ ଉଡାଣ କରୁଛି। ଏବେ ଥିବା ଟର୍ମିନାଲର ୪୦ରୁ ୫୦ ଲକ୍ଷ ଯାତ୍ରୀଧାରଣ କ୍ଷମତା ରହିଛି। ଆସନ୍ତା ବର୍ଷେ ମଧ୍ୟରେ ଏହାକୁ ୮୦ଲକ୍ଷକୁ ସମ୍ପ୍ରସାରଣ କରିବାକୁ ଯୋଜନା ରଖାଯାଇ ଥିବାବେଳେ ରନୱେ କ୍ୟାଟ ଟୁ ଲାଇଟ ଏକ ମାସ ଭିତରେ ଶେଷ କରାଯିବ। ଅନ୍ୟାନ୍ୟ ଯେଉଁ ଛୋଟମୋଟ କାର୍ଯ୍ୟ ଚାଲିଛି ତାହା ମଧ୍ୟ ଖୁବ୍ ଶୀଘ୍ର ଶେଷ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଭୁବନେଶ୍ୱର ବିମାନ ବନ୍ଦରର ଆକାର ଧୀରେ ଧୀରେ ବୃଦ୍ଧି କରାଯାଉଛି। ଆଗାମୀ ୧୦ରୁ ୨୦ ବର୍ଷକୁ ଲକ୍ଷ୍ୟ ରଖି ବିକାଶ ଯୋଜନା ପ୍ରସ୍ତୁତ କରିବାକୁ ହେବ। ନୂଆ ଟର୍ମିନାଲ ନିର୍ମାଣ ସହ ଡୋମେଷ୍ଟିକ, ଇଣ୍ଟରନ୍ୟାସନାଲ ପାସେଞ୍ଜରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ଆଗକୁ ଦେଶର ବିଭିନ୍ନ ସ୍ଥାନକୁ ବିମାନ ସଂଯୋଗ କରିବାକୁ ଦାବି ହେଉଛି, ଯାହାକୁ ନେଇ ମନ୍ତ୍ରଣାଳୟ ପକ୍ଷରୁ ବିଚାରବିମର୍ଶ ଚାଲିଛି।“

ଏଥିରୁ କିଛି ବାର୍ତ୍ତା ସ୍ପଷ୍ଟ ଯେ, କେନ୍ଦ୍ର ସରକାରଙ୍କ ବିମାନବନ୍ଦର ସମ୍ପର୍କିତ ନୀତି ସ୍ପଷ୍ଟ ନୁହେଁ। ଯଦି ଭୁବନେଶ୍ୱର ବିମାନବନ୍ଦରର ସମ୍ପ୍ରସାରଣ ଅସମ୍ଭବ, ତେବେ, ନୂଆ ଟର୍ମିନାଲ୍ ନିର୍ମାଣ ଓ ଭିତ୍ତିଭୂମୀ ଉନ୍ନୟନ କରାଯାଉଛି କାହିଁକି? ଯଦି ପୁରୀରେ ନୂଆ ବିମାନବନ୍ଦର ନିର୍ମାଣ କରାଗଲେ ପରିବେଶ କ୍ଷତିଗ୍ରସ୍ତ ହେବ, ତେବେ ତିନିବର୍ଷ ଧରି ନାଟକ କରାଯାଉଥିଲା କାହିଁକି? ପୂର୍ବୋଦୟ, ବିକଶିତ ଭାରତ-ବିକଶିତ ଓଡିଶା କଥା କହୁଥିବା ଡବଲ୍ ଇଞ୍ଜିନ୍ ସରକାର ଭୁବନେଶ୍ୱର ବିମାନବନ୍ଦରର ବିକଳ୍ପ ସ୍ଥାନ ନିରୂପଣ କରି ସେଠାରେ ଭବ୍ୟ ଆନ୍ତର୍ଜାତୀୟମାନର ବିମାନବନ୍ଦର ନିର୍ମାଣ କରିବେ ନା କେବଳ ବିବୃତ୍ତି ଓ ଗଣମାଧ୍ୟମରେ ବଞ୍ଚିବାକୁ ଚାହିଁବେ? କେରଳ ରାଜ୍ୟରେ ପାଞ୍ଚଟି ଆନ୍ତର୍ଜାତୀୟ ବିମାନବନ୍ଦର ଥିଲାବେଳେ, ଆମ ରାଜ୍ୟରେ ଯେଉଁ ଗୋଟିକ ‘ଏକୋଇର ବଳା ବିଶିକେସନ’, ତାହାର ବାମନ ରୂପକୁ ପୂଜାକରି ୨୦୩୬ ବେଳକୁ ଆମେ ବିକଶିତ ଓଡିଶା ପାଇଁ ପ୍ରସ୍ତୁତ ହୋଇ ପାରିବା ତ! ସରକାର ଉତ୍ତର ଦିଅନ୍ତୁ।

୯୪୩୮୨୯୯୦୩୭

Related story