Advertisment

ଗାଁକୁ ମଦ, ମା’କୁ ମୃତ୍ୟୁ!

ଦେବେନ୍ଦ୍ର ପୃଷ୍ଟି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାପା ବିଜୁ ପଟ୍ଟନାୟକ ୧୯୯୦-୯୫ ମଧ୍ୟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଥିଲାବେଳେ ଗୋଟିଏ ସରକାରୀ ସ୍ଲୋଗାନ ଲୋକପ୍ରିୟତା ଅର୍ଜନ କରିଥିଲା। ସ୍ଲୋଗାନଟି ହେଉଛି ‘ମା’କୁ ସମ୍ମାନ, ଗାଁକୁ କାମ’। ବିଜୁବାବୁ ଦ୍ୱିତୀୟ ଦଫା ମୁଖ୍ୟମନ୍ତ୍ରୀ ହେବା ବେଳକୁ ରାଜ୍ୟ ସାରା ମହିଳାମାନଙ୍କ ଉପରେ ଯୌତୁକ ନିର୍ଯାତନା ବଢ଼ି ଚାଲିଥିଲା। ଅନେକ କ୍ଷେତ୍ରରେ ଯୌତୁକ ଦାବିରେ ମହିଳାମାନଙ୍କୁ ହତ୍ୟା କରାଯାଉଥିଲା। ଧର୍ଷଣ ଓ ମହିଳା ବିରୋଧୀ ଅତ୍ୟାଚାର ମଧ୍ୟ ଅନେକ […]

ଗାଁକୁ ମଦ, ମା’କୁ ମୃତ୍ୟୁ!

54321-750x430

Advertisment

ଦେବେନ୍ଦ୍ର ପୃଷ୍ଟି

ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାପା ବିଜୁ ପଟ୍ଟନାୟକ ୧୯୯୦-୯୫ ମଧ୍ୟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଥିଲାବେଳେ ଗୋଟିଏ ସରକାରୀ ସ୍ଲୋଗାନ ଲୋକପ୍ରିୟତା ଅର୍ଜନ କରିଥିଲା। ସ୍ଲୋଗାନଟି ହେଉଛି ‘ମା’କୁ ସମ୍ମାନ, ଗାଁକୁ କାମ’। ବିଜୁବାବୁ ଦ୍ୱିତୀୟ ଦଫା ମୁଖ୍ୟମନ୍ତ୍ରୀ ହେବା ବେଳକୁ ରାଜ୍ୟ ସାରା ମହିଳାମାନଙ୍କ ଉପରେ ଯୌତୁକ ନିର୍ଯାତନା ବଢ଼ି ଚାଲିଥିଲା। ଅନେକ କ୍ଷେତ୍ରରେ ଯୌତୁକ ଦାବିରେ ମହିଳାମାନଙ୍କୁ ହତ୍ୟା କରାଯାଉଥିଲା। ଧର୍ଷଣ ଓ ମହିଳା ବିରୋଧୀ ଅତ୍ୟାଚାର ମଧ୍ୟ ଅନେକ ମାତ୍ରାରେ ବଢ଼ି ଯାଇଥିଲା। ସମଗ୍ର ଓଡ଼ିଶାରେ ଏସବୁ ଘଟଣା ଏତେ ଅଧିକ ଘଟୁଥିଲା ଯେ ଏହା ସେତେବେଳେ ଏକ ରାଜନୀତିକ ପ୍ରସଙ୍ଗରେ ପରିଣତ ହୋଇଥିଲା। ତେଣୁ କ୍ଷମତାକୁ ଆସିବା ପରେ ବିଜୁବାବୁଙ୍କ ସରକାର ରାଜ୍ୟରେ ମହିଳା ସଶକ୍ତିକରଣ ନିମନ୍ତେ ଅନେକ ପଦକ୍ଷେପ ଗ୍ରହଣ କରିଥିଲେ। ଶାଶୁ ହାତକଡ଼ି ନଣନ୍ଦ ବେଡ଼ି, ଆଦିବାସୀ ମହିଳାଙ୍କୁ ପୁଲିସ କ୍ଷମତା, ମଦ ବିରୋଧୀ ଆନ୍ଦୋଳନକୁ ପ୍ରୋତ୍ସାହନ, ବିବାହ ଖର୍ଚ୍ଚ ସୀମା ୨୫ ହଜାର ଟଙ୍କା ଧାର୍ଯ୍ୟ, ପଂଚାୟତିରାଜ ଓ ପୌରସଂସ୍ଥାଗୁଡ଼ିକରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଆଦି ଅନେକ କାର୍ଯ୍ୟକ୍ରମ ଜରିଆରେ ତାଙ୍କ ସରକାରର ‘ମା’ ସମ୍ମାନ ଗାଁକୁ କାମ’ ସ୍ଲୋଗାନର ଯଥାର୍ଥତା ପ୍ରତିପାଦିତ ହୋଇଥିଲା। କିନ୍ତୁ କୁତ୍ରାର ବାସନ୍ତୀ ବାରା ବିବାଦ ପରେ ସେହି ସ୍ଲୋଗାନ ଦୁର୍ବଳ ହୋଇଗଲା ଏବଂ ପରେ ବିରୋଧୀ ପକ୍ଷ ଏହାକୁ ସେମାନଙ୍କ ସୁବିଧା ଅନୁସାରେ ତର୍ଜମା କଲେ।

Advertisment

ପରବର୍ତ୍ତୀ ସରକାର ସମୟରେ ସେହି ସ୍ଲୋଗାନକୁ ସମସ୍ତେ ଭୁଲିଗଲେ। କିନ୍ତୁ ୨୦୦୦ ମସିହାରେ ବିଜୁବାବୁଙ୍କ ପୁଅ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେଲା ପରେ ପୁଣି ଥରେ ‘ମା’କୁ ସମ୍ମାନ ଗାଁକୁ କାମ’ କଥା ଉଠିଲା। ନବୀନବାବୁଙ୍କ ସରକାର ନାବାର୍ଡ଼ର ମହିଳା ସ୍ୱୟଂସହାୟକ ଗୋଷ୍ଠୀ କାର୍ଯ୍ୟକ୍ରମକୁ ରାଜ୍ୟ ସାରା ସଫଳତାର ସହିତ କାର୍ଯ୍ୟକାରୀ କରାଇ ମିହିଳାଙ୍କ ଆର୍ଥିକ ସଶକ୍ତିକରଣ ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ସେହିପରି ପଂଚାୟତିରାଜ ଓ ପୌର ସଂସ୍ଥାଗୁଡ଼ିକରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ ମଧ୍ୟ ମହିଳା ସଶକ୍ତିକରଣ ଦିଗରେ ତାଙ୍କ ସରକାରର ଅନ୍ୟ ଏକ ଉଲ୍ଲେଖନୀୟ ଅବଦାନ। କିନ୍ତୁ ତାଙ୍କ ସରକାର ସମୟରେ ମଧ୍ୟ ମହିଳାଙ୍କ ବିରୋଧରେ ରାଜ୍ୟବ୍ୟାପୀ ଅନେକ ଦୁଷ୍କର୍ମ, ନିର୍ଯାତନା ଓ ହତ୍ୟା ଘଟଣା ଘଟିଛି ଯାହା ସରକାରଙ୍କ ଭାବମୂର୍ତ୍ତିକୁ କଳଙ୍କିତ କରିଛି। ଟିକିରି ଶିକ୍ଷୟିତ୍ରୀ, କୁନ୍ଦୁଲି କନ୍ୟା, ପିପିଲି ବେବିନା ଆଦି ଡଜନେରୁ ଅଧିକ ଯୁବତୀଙ୍କ ମୃତ୍ୟୁ ପଛରେ ଶାସକ ଦଳ ସହ ଜଡ଼ିତ ବ୍ୟକ୍ତିଙ୍କ ସଂପୃକ୍ତି ଅଭିଯୋଗ ବିଜେଡି, ବିଜେଡି ସରକାର ଓ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଉପରେ ଆଞ୍ଚ ଆଣିଛି। ଏ କ୍ଷେତ୍ରରେ ସର୍ବଶେଷ ଉଦାହରଣ ହେଲା ଯାଜପୁର ଜିଲ୍ଲା ହରିଦାସପୁର ପଂଚାୟତ ପିଇଓ ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ। ପୂର୍ବ ଘଟଣାଗୁଡ଼ିକରେ ନବୀନବାବୁଙ୍କ ଅଧୀନସ୍ତ ପୁଲିସ ବିଭାଗ ଦୋଷୀମାନଙ୍କୁ ଠାବ ଏବଂ ଉପଯୁକ୍ତ ପ୍ରମାଣ ପଇଠ କରି କୋର୍ଟରେ ଦଣ୍ଡିତ କରାଇବାରେ ଚରମ ଭାବେ ବିଫଳ ହୋଇଥିଲା। ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାରେ ନବୀନବାବୁଙ୍କ ପୁଲିସ ତଦନ୍ତ କରିବା ପରବର୍ତ୍ତେ ରାଜନୀତିକ ନେତାଙ୍କ ମୁଖପାତ୍ର ସାଜିବା ଭଳି ବୟାନ ଦେଇଛି। ତଦନ୍ତ ନିରପେକ୍ଷ କରିବା ପରିବର୍ତ୍ତେ ଜିଲ୍ଲା ଏସପି ମୃତ ସ୍ମିତାରାଣୀଙ୍କ ଚରିତ୍ର ସଂହାର କରିଛନ୍ତି। ହରିଦାସପୁର ସରପଂଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ସହିତ ତାଙ୍କର ଦୈହିକ ସଂପର୍କ ଥିଲା ବୋଲି ପ୍ରକାଶ କରି ଏସପି ଜଣେ ମୃତ ମହିଳାର ଆତ୍ମାର ମର୍ଯ୍ୟାଦାହାନୀ କରିବା ସହିତ ଏହି ଘଟଣାର ତଦନ୍ତ ପୂର୍ବରୁ ରାୟ ପ୍ରକାଶ କରିଛନ୍ତି।

ସ୍ମୃତିରାଣୀ ମୃତ୍ୟୁ ଘଟଣାର କେତେକ ଦିଗ ସଂପର୍କରେ ପୁଲିସ ତଦନ୍ତ ନକରିବା, ଡାକ୍ତରମାନେ ଉପଯୁକ୍ତ ପ୍ରକ୍ରିୟା ଅନୁସାରେ ଶବ ବ୍ୟବଚ୍ଛେଦ ନକରିବା ଆଦି ଘଟଣା ସନ୍ଦେହଜନକ ମନେ ହେଉଛି। ସମଗ୍ର ଘଟଣା ନେଇ ବିଶେଷଜ୍ଞ ମହଲରୁ ଅନେକ ପ୍ରଶ୍ନ ଉଠିଛି। ଏକ ନମ୍ବର ପ୍ରଶ୍ନ ହେଉଛି, ହରିଦାସପୁର ପିଇଓ ସ୍ମିତାରାଣୀଙ୍କର ହରିଦାସପୁର ସରପଂଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ସହିତ ଦୈହିକ ସଂପର୍କ ଥିଲା ବୋଲି ଏସପି କେଉଁ ପ୍ରମାଣ ଆଧାରରେ କହିଛନ୍ତି? ଅବଶ୍ୟ ଏସପି ଏପରି ବୟାନ ଦେବା ପରେ ଭଦ୍ରଙ୍କ ପତ୍ନୀ ତଥା ସରପଂଚ କହିଛନ୍ତି ଯେ ମୃତ ସ୍ମିତାରାଣୀଙ୍କର ତାଙ୍କ ସିନ୍ଦୂର ଉପରେ ଆଖିଥିଲା। ସ୍ମିତାରାଣୀ କାଳେ ଭଦ୍ରଙ୍କ ସଂପତ୍ତି ଲୋଭରେ ତାଙ୍କ ସହିତ ସଂପର୍କ ରଖିଥିଲେ। ଯଦି ଏସପି ଓ ସରପଂଚଙ୍କ କଥାକୁ ସତ ବୋଲି ବିଶ୍ୱାସ କରାଯାଏ ତେବେ କ’ଣ ବୁଝିବାକୁ ହେବ ଯେ ନବୀନବାବୁଙ୍କ ବିଜୁ ଜନତା ଦଳରେ ଏମିତି କର୍ମୀ ଅଛନ୍ତି ଯେଉଁମାନେ ନିଜ ସ୍ତ୍ରୀ ଥାଉଁ ଥାଉ ପରସ୍ତ୍ରୀ ସହିତ ସଂପର୍କ ରଖନ୍ତି? ରାତିରେ ରଙ୍ଗଶାଳାରେ ରଙ୍ଗୀନ ଜୀବନ କଟାଇବାକୁ ସରକାରୀ ଜମିରେ ଗେଷ୍ଟ ହାଉସ୍‌ ନିର୍ମାଣ କରନ୍ତି? ପୁଣି ସରଂପଚ ପତ୍ନୀ ଯଦି ଜାଣିଥିଲେ ସେ ପିଇଓଙ୍କର ତାଙ୍କ ସ୍ୱାମୀଙ୍କ ସହିତ ଅନୈତିକ ସଂପର୍କ ଥିଲା ତେବେ ସେ ଆଗରୁ ସେ ସଂପର୍କରେ କାହିଁକି କେଉଁଠି ଅଭିଯୋଗ କରୁନଥିଲେ? ଅନ୍ୟ ଜଣେ ମହିଳାଙ୍କ ସହିତ ତାଙ୍କ ସ୍ୱାମୀଙ୍କର ଅନୈତିକ ସଂପର୍କ ଥିବା ଜାଣି ମଧ୍ୟ ସେ କାହିଁକି ନୀରବ ଥିଲେ? କି ସ୍ୱାର୍ଥରେ? ସ୍ମିତାରାଣୀଙ୍କ ଜରିଆରେ ସେ ଓରଫ ସଖୀ କଣ୍ଢେଇ ସରପଂଚ ଓ ତାଙ୍କର ସ୍ୱାମୀ ଓରଫ ନକଲି ସରପଂଚ ପଂଚାୟତ ପାଣ୍ଠି ହଡ଼ପ କରୁଥିଲେ କି? ତାଙ୍କ ଜରିଆରେ ସେମାନେ ବିଭିନ୍ନ ଯୋଜନା ପାଇଁ ଯୋଗ୍ୟ ହିତାଧିକାରୀ ଚୟନ କରି ବିଜେଡିର ଭୋଟବ୍ୟାଙ୍କ ସୃଷ୍ଟି କରୁଥିଲେ କି?

Advertisment

ଦ୍ୱିତୀୟ ପ୍ରଶ୍ନ ହେଉଛି, ଘଟଣା ଦିନ ସ୍ମିତାରାଣୀ ସରପଂଚ ସ୍ୱାମୀଙ୍କ ଗେଷ୍ଟ ହାଉସ୍‌କୁ କାହିଁକି ଯାଇଥିଲେ? ସେ ଯେଉଁ କାର୍‌ରେ ଯାଇଥିଲେ ତାହାର ମାଲିକ କିଏ, ରୂପେଶ ଭଦ୍ର ନା ନିଜେ ସରପଂଚ? ଗାଡ଼ି କିଏ ଚଳାଉଥିଲା? ଗାଡ଼ିରେ ଆଉ କିଏ ଥିଲେ? ଗେଷ୍ଟ ହାଉସରେ ଆଉ କିଏ ଥିଲେ? ସେଠାରେ ଏକାଧିକ ବିଜେଡି ନେତା ଓ ତୃତୀୟ ମହଲାର ଜଣେ ପ୍ରଭାବଶାଳୀ ବାବୁଙ୍କ ସଂପର୍କୀୟ ବୋଲି କୁହାଯାଉଥିବା ରାମ୍‌କୋ ସିମେଣ୍ଟର ଜଣେ ଅଧିକାରୀ ଥିଲେ କି? ଜଣେ ସରକାରୀ କର୍ମଚାରୀଙ୍କୁ ଜଣେ ଲୋକ ତାଙ୍କ କାର୍‌ରେ ନେଇ ଏକ ଗେଷ୍ଟ ହାଉସ୍‌ରେ ରଖିବା କ’ଣ ଆଇନଗତ କାର୍ଯ୍ୟ? ଏ କ୍ଷେତ୍ରରେ ସଂପୃକ୍ତ ସରକାରୀ କର୍ମଚାରୀ ବା ମୃତ ସ୍ମିତାରାଣୀଙ୍କୁ ସୁରକ୍ଷା ଦେବା କ’ଣ ସରକାରଙ୍କ ଦାୟିତ୍ୱ ନୁହେଁ? ସରକାର ଏହି ଦାୟିତ୍ୱ ଖିଲାଫ କରିନାହାନ୍ତି କି?

ତୃତୀୟ ପ୍ରଶ୍ନ ହେଉଛି, ଯାଜପୁର ଜିଲ୍ଲା ଡାକ୍ତରଖାନାରେ ସ୍ମିତାରାଣୀଙ୍କ ଶବ ବ୍ୟବଚ୍ଛେଦ ଦାୟିତ୍ୱରେ ଥିବା ଦୁଇ ଡାକ୍ତର କାହା ଫୋନ ପାଇ ବ୍ୟବଚ୍ଛେଦ ଗୃହରୁ କାହାକୁ ଭେଟିବାକୁ ଗଲେ? ସେଠାରେ କାହା ସହିତ କି କଥାବାର୍ତ୍ତା ହେଲା? ସେଠୁ ଫେରି ଚଟାପଟ୍‌ ବ୍ୟବଚ୍ଛେଦ ସାରିଦେଲେ କାହିଁକି? ଏହା ଏକ ବିବାଦୀୟ ମୃତ୍ୟୁ ହୋଇଥିବାରୁ ନିଷ୍ଠାପର ଡାକ୍ତର ହିସାବରେ ସେମାନେ ମୃତଦେହର ତନ୍ନତନ୍ନ ଡାକ୍ତରୀ ମାଇନା କରିବା କଥା। ସେମାନେ ମୃତ ମହିଳାଙ୍କ ଗୁପ୍ତାଙ୍ଗ ପରୀକ୍ଷା କରିଥିଲେ କି? ସେଠି କାହାର ସିମେନ ଇତ୍ୟାଦି ପାଇଥିଲେ କି? ଯଦି ତାହା ପରୀକ୍ଷା କରିନଥିଲେ ତେବେ କାହିଁକି? ଶ୍ୱାସରୁଦ୍ଧ ହେବାରୁ ତାଙ୍କର ମୃତ୍ୟୁ ଘଟିଲା ବୋଲି ସେମାନେ ରିପୋର୍ଟ ଦେଇଛନ୍ତି। ଜଣକ ମୁହଁରେ କେହି ତକିଆ ପକାଇ ଚାପି ଦେଲେ କ’ଣ ତାଙ୍କର ଶ୍ୱାସରୁଦ୍ଧ ହେବନାହିଁ? କେହି କାହାର ତଣ୍ଟିକୁ ଚିପିଦେଲେ କ’ଣ ତାଙ୍କର ମୃତ୍ୟୁ ହେବ ନାହିଁ? ଯଦି ଏମିତି ହୋଇଥିବ ତେବେ ସ୍ମିତାରାଣୀ ଆତ୍ମହତ୍ୟା କଲେ ବୋଲି କୁହାଯିବ କି?

ଯଦି ନବୀନବାବୁଙ୍କ ଶାସନ କଳ ପ୍ରକୃତରେ ମା’ଙ୍କୁ ସମ୍ମାନ ଦେଉଥିବେ ତେବେ ଏସବୁ ପ୍ରଶ୍ନର ଉତ୍ତର ଖୋଜିବା ଦରକାର। ନହେଲେ ଏହା ଏକ ମାତୃଦ୍ରୋହୀ ସରକାର ବୋଲି ଭୋଟର ଦାଣ୍ଡରେ ନହେଲେ ବି ଧର୍ମ ଦାଣ୍ଡରେ ବିବେଚିତ ହେବେ।

ଏଠାରେ ସରକାରଙ୍କର ଅନ୍ୟ ଏକ ଚରିତ୍ର ପ୍ରତି ମଧ୍ୟ ପ୍ରଶ୍ନ ଉଠିପାରେ। କୋଡ଼ିଏ ବର୍ଷ ହେଲା ଗୋଟିଏ ରାଜନୀତିକ ଦଳ ନିରଙ୍କୁଶ ଶାସନରେ ରହିଲେ କ’ଣ ଏହିପରି ଭାବେ ଗ୍ରାମାଞ୍ଚଳରେ ବି ଗେଷ୍ଟ ହାଉସ୍‌ ଖୋଲିପାରେ? ବିନା ଲାଇସେନ୍ସରେ? ସରକାରୀ ଜମିରେ? ଗାଁ ଗାଁରେ ମଦର ବନ୍ୟା ସାଙ୍ଗକୁ ଏଭଳି ଅନୈତିକ ଉପଭୋଗର କେନ୍ଦ୍ରମାନ କାହା ବଳରେ ସୃଷ୍ଟି ହୋଇଛି? ରାଜଧାନୀ ଭୁବନେଶ୍ୱରର ଡ୍ୟାନ୍ସ ବାର୍‌ ଓ ବିଉଟି ପାର୍ଲର ଉପରେ ବାରମ୍ବାର ଚଢ଼ାଉ କରୁଥିବା ରାଜ୍ୟ ପୁଲିସ ଗ୍ରାମାଞ୍ଚଳର ଏଭଳି ଅତିଥିଶାଳା ବିଷୟରେ ମୁଣ୍ଡ ପୂରେଇନି କାହିଁକି? ଦୁର୍ନୀତିର ପାଣ୍ଠି, ମଦ ଓ ମହିଳାଙ୍କୁ ନେଇ ଗ୍ରାମାଞ୍ଚଳରେ ଯେଉଁ ବ୍ୟଭିଚାର ଚାଲିଛି ସେଥିପାଇଁ ନବୀନ ପଟ୍ଟନାୟକ ପ୍ରତ୍ୟକ୍ଷ ଭାବେ ଦାୟୀ ନହେଲେ ମଧ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ତାଙ୍କୁ ହିଁ ଏହାର ଉତ୍ତରଦାୟିତ୍ୱ ବହନ କରିବାକୁ ପଡ଼ିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe