ପ୍ରଶ୍ନ ଓ ସନ୍ଦେହ ଘେରରେ ଏଲଆଇସି

ଅଂଶଧନ ନିବେଶରୁ ବିପୁଳ ପରିମାଣ ଲାଭ ସତ୍ତ୍ୱେ ଗତ ଆର୍ଥିକ ବର୍ଷରେ ଏଲଆଇସିର ନିଟ୍ ଲାଭ ମାତ୍ର ୪୦୪୩ କୋଟି ଟଙ୍କା ହୋଇଥିଲା। ୨୦୨୨-୨୩ ଆର୍ଥିକ ବର୍ଷରେ ଏଲଆଇସିର ଲାଭ ଯଥେଷ୍ଟ ଭଲ ହେବ ବୋଲି ଆଶା କରାଯାଉଥିଲା, କାରଣ ଡିସେମ୍ୱର ସୁଦ୍ଧା ଲାଭର ପରିମାଣ ପ୍ରାୟ ୨୨,୯୭୦ କୋଟି ଟଙ୍କା ହୋଇଥିଲା। ମାତ୍ର ହିଣ୍ଡେନବର୍ଗ-ଆଦାନୀ ପ୍ରକରଣ ପରେ ଶେଷ ତ୍ରିମାସରେ ଏଲଆଇସିର ଅଂଶଧନ ନିବେଶର ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଇ ଚାଲିଥିବାରୁ ବର୍ଷ ଶେଷବେଳକୁ ଏଲଆଇସିର ଲାଭ ହେବ କି କ୍ଷତି, ସେ ନେଇ ଆଶଙ୍କା ପ୍ରକାଶ ପାଇବାକୁ ଲାଗିଲାଣି।

LIC

  • Published: Tuesday, 28 February 2023
  • , Updated: 28 February 2023, 02:50 PM IST

News highlights

  • ଏଲଆଇସିର ଶେୟାର ଦର ପ୍ରତ୍ୟହ ହ୍ରାସ ପାଇ ତା’ର ବିଶ୍ୱସନୀୟତା ଉପରେ ପ୍ରଶ୍ନଚିହ୍ନ ଲାଗୁଛି।
  • ପ୍ରଶ୍ନ ଏକ ପ୍ରତିଶତ ବା ଦଶ ପ୍ରତିଶତ ନିବେଶର ନୁହେଁ, ପ୍ରଶ୍ୱ ଭରସା ବା ବିଶ୍ୱସନୀୟତାର।
  • ଆଦାନୀ ପ୍ରକରଣରେ ଏଲଆଇସିର ଭୂମିକାକୁ ନେଇ ଉଠୁଥିବା ପ୍ରଶ୍ନଗୁଡ଼ିକର ଏଲଆଇସି ନିଜେ ଉତ୍ତର ରଖି ସ୍ଥିତିକୁ ଶୀଘ୍ର ସ୍ପଷ୍ଟ କରିବା ଦରକାର।

ହିଣ୍ଡେନବର୍ଗ-ଆଦାନୀ ପ୍ରକରଣରେ ଏଲଆଇସି ଓ ଭାରତୀୟ ଷ୍ଟେଟ ବ୍ୟାଙ୍କ ଭଳି ସରକାରୀ ନିୟନ୍ତ୍ରଣାଧୀନ ସଂସ୍ଥାଦ୍ୱୟର ଭୂମିକାକୁ ନେଇ ସଂସଦରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଏହାପରେ ଏଲଆଇସିର ବୀମାଧାରକ, ଅଂଶଧନଧାରକଙ୍କ ମଧ୍ୟରେ ସେମାନଙ୍କ କଷ୍ଟୋପାର୍ଜିତ ଧନର ସୁରକ୍ଷା ଓ ବୃଦ୍ଧିକୁ ନେଇ ଅନିଶ୍ଚିତତା ଓ ଆଶଙ୍କାର ଏକ ବାତାବରଣ ଦେଖା ଦେଇଛି ଓ ସେମାନଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଛି। ଏହା ସତ୍ତ୍ୱେ ଏଲଆଇସି ତରଫରୁ ଏ ଯାଏଁ ସର୍ବସମକ୍ଷରେ କୌଣସି ସନ୍ତୋଷଜନକ ଉତ୍ତର ଉପସ୍ଥାପିତ ହୋଇନାହିଁ। ତେଣୁ ସର୍ବସାଧାରଣରେ ଉପଲବ୍ଧ ତଥ୍ୟ ଆଧାରରେ ଏଲଆଇସି ନିବେଶର ବାସ୍ତବ ସ୍ଥିତିକୁ ଅନୁଶୀଳନ କରାଯିବା ସହିତ ପ୍ରଶ୍ନଗୁଡ଼ିକର ଉତ୍ତର ଖୋଜିବାର ପ୍ରୟାସ କରାଯାଉ।

ଫେବୃଆରି ୭, ୨୦୨୩ରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ରାଜ୍ୟସଭାରେ କହିଥିଲେ ଯେ ଡିସେମ୍ୱର ୩୧, ୨୦୨୨ ସୁଦ୍ଧା ଆଦାନୀ କମ୍ପାନି ସମୂହରେ ଏଲଆଇସି ଦ୍ୱାରା ସମୁଦାୟ ୩୫,୯୧୭ କୋଟି ଟଙ୍କା ବିନିଯୋଗ ହୋଇଛି। ଏହା ଏଲଆଇସିର ସମୁଦାୟ ପରିଚାଳନାଧୀନ ସମ୍ପତ୍ତି (ଆସେଟ ଅଣ୍ଡର ମ୍ୟାନେଜମେଣ଼୍ଟ – ଏୟୁଏଏମ) ୪୧.୬୬ ଲକ୍ଷ କୋଟି ଟଙ୍କାର ଏକ ପ୍ରତିଶତରୁ ବି କମ୍। ସେଥିରୁ ୩୦,୧୨୭ କୋଟି ଟଙ୍କା ଅଂଶଧନ ଆକାରରେ ଗତ କିଛି ବର୍ଷ ମଧ୍ୟରେ ହୋଇଥିଲା ବେଳେ ଅବଶିଷ୍ଟ ୫୮୧୦ କୋଟି ଟଙ୍କା ଋଣ ଆକାରରେ ପ୍ରଦାନ କରାଯାଇଛି। ଜାନୁଆରି ୨୭, ୨୦୨୩ରେ ଅଂଶଧନର ବଜାର ମୂଲ୍ୟ ୫୬,୧୨୪ କୋଟି ଟଙ୍କା ଥିଲା ବୋଲି ମନ୍ତ୍ରୀ ତଥ୍ୟ ରଖିଥିଲେ। ଆଦାନୀ କମ୍ପାନି ସମୂହର ଅଂଶଧନରେ ଏଲଆଇସି ଦ୍ୱାରା ହୋଇଥିବା ବର୍ଷୱାରି ନିବେଶର ବିବରଣୀ ସର୍ବସାଧାରଣରେ ପ୍ରକାଶ ପାଇବା ଆବଶ୍ୟକ। ସେହିପରି ସେହି କମ୍ପାନିଗୁଡ଼ିକୁ ପ୍ରଦାନ କରାଯାଇଥିବା ଋଣର ବର୍ଷୱାରି ବିବରଣୀ ମଧ୍ୟ ଉପଲବ୍ଧ ହେବା ଜରୁରୀ। କାରଣ କାହା ଚାପରେ ଏହି ନିବେଶ ଓ ଋଣ ପ୍ରଦାନ ହୋଇଛି ବୋଲି ବିରୋଧୀଦଳଗୁଡ଼ିକ ଉଠାଉଥିବା ପ୍ରଶ୍ନର ଅନ୍ତତଃ କିଛିଟା ଉତ୍ତର ଏହି ବିବରଣୀରୁ ମିଳିପାରନ୍ତା।

ଏଲଆଇସି କେବଳ ଯେ ଦେଶର ସବୁଠାରୁ ବଡ଼ ବୀମାପ୍ରଦାନକାରୀ ସଂସ୍ଥା ତାହା ନୁହେଁ, ଏହା ନିକଟରେ ଥିବା ବିଶାଳ ପରିଚାଳନାଧୀନ ସମ୍ପତ୍ତି ଯୋଗୁଁ ଏହା ଦେଶର ପୁଞ୍ଜି ବଜାରରେ ସର୍ବବୃହତ୍ ଆନୁଷ୍ଠାନିକ ନିବେଶକ ମଧ୍ୟ। ଏପରିକି ବିଦେଶୀ ପୋର୍ଟଫୋଲିଓ ନିବେଶକଙ୍କ ତୁଳନାରେ ମଧ୍ୟ ଏଲଆଇସି ଭାରତୀୟ ପୁଞ୍ଜି ବଜାରରେ ଅଧିକ ନିବେଶ କରିଥାଏ। ଏକଥା ଠିକ୍ ଯେ ଆଦାନୀ ସମୂହ କମ୍ପାନିଗୁଡ଼ିକ ତୁଳନାରେ ଅନ୍ୟ କେତେକ କମ୍ପାନିର ଅଧିକ ପ୍ରତିଶତ ଅଂଶଧନ ଏଲଆଇସି ନିକଟରେ ଅଛି। ଏଲଆଇସି ନିକଟରେ ସର୍ବାଧିକ ଅଂଶଧନ ଥିବା ୧୦ଟି କମ୍ପାନୀ ହେଲେ ଆଇଡିବିଆଇ ବ୍ୟାଙ୍କ, ଏଲଆଇସି ହାଉସିଂ ଫାଇନାନ୍ସ, ଷ୍ଟାଣ୍ଡାର୍ଡ ବ୍ୟାଟେରିଜ୍, ମଡେଲା ଉଲନସ୍, ଆଇଟିସି, ଏନଏମଡିସି, ମହାନଗର ଟେଲିଫୋନ, ଗ୍ଲୋଷ୍ଟର, ଲାର୍ସନ ଟୁବ୍ରୋ ଓ ସିମ୍ପ୍ଲେକ୍ସ ରିଏଲିଟି, ଯେଉଁଥିରେ ଏଲଆଇସି ପାଖରେ ୪୯ ପ୍ରତିଶତରୁ ୧୨ ପ୍ରତିଶତ ଯାଏଁ ଅଂଶଧନ ରହିଛି। ପୁଞ୍ଜିବଜାର ନିୟନ୍ତ୍ରକ ସେବିଙ୍କ ନିୟମାନୁସାରେ କାହା ନିକଟରେ କୌଣସି କମ୍ପାନିର ଏକ ପ୍ରତିଶତରୁ ଅଧିକ ଅଂଶଧନ ଥିଲେ ତାହା ପ୍ରତି ତିନି ମାସରେ ଥରେ ଘୋଷଣା କରିବାକୁ ହୋଇଥାଏ। ଏଲଆଇସିର ଘୋଷଣା ଅନୁଯାୟୀ ଡିସେମ୍ୱର ୩୧, ୨୦୨୨ରେ ତା’ ନିକଟରେ ଆଦାନୀ ସମୂହର ଯେଉଁ କମ୍ପାନୀଗୁଡ଼ିକରେ ଏକ ପ୍ରତିଶତରୁ ଅଧିକ ଅଂଶଧନ ରହିଛି ସେଗୁଡ଼ିକ ହେଲା ଆଦାନୀ ଗ୍ରିନ (୧.୨୮), ଆଦାନୀ ଟ୍ରାନ୍ସମିଶନ (୩.୬୫), ଆଦାନୀ ଏଣ୍ଟରପ୍ରାଇଜେସ୍ (୪.୨୩), ଆଦାନୀ ଟୋଟାଲ୍ ଗ୍ୟାସ (୫.୯୬), ଆଦାନୀ ପୋର୍ଟସ ଆଣ୍ଡ ଏସଇଜେଡ଼ (୯.୧୪)। ଏଲଆଇସି ନିକଟରେ ଅନ୍ୟ କିଛି ଆଦାନୀ କମ୍ପାନିର ଏକ ପ୍ରତିଶତରୁ କମ ଅଂଶଧନ ଥାଇପାରେ ଯାହାର ତଥ୍ୟ ସାଧାରଣରେ ଉପଲବ୍ଧ ନୁହେଁ। ଏଲଆଇସି ଦ୍ୱାରା କୌଣସି ଗୋଟିଏ ଆଦାନୀ କମ୍ପାନିର ଅଂଶଧନରେ ବିପୁଳ ପରିମାଣର ନିବେଶ ହୋଇ ନଥିଲେ ବି ସାମଗ୍ରିକ ଭାବେ ଆଦାନୀ ସମୂହର କମ୍ପାନିଗୁଡ଼ିକରେ ୩୦ ହଜାର କୋଟି ଟଙ୍କା ନିବେଶ ହୋଇଛି ଯାହା ଏଲଆଇସିର ସମୁଦାୟ ଅଂଶଧନ ନିବେଶର ପ୍ରାୟ ୩ ପ୍ରତିଶତ।

ଉଦବେଗର କାରଣ ହେଉଛି ଆଦାନୀ ସମୂହର ଅଧିକାଂଶ କମ୍ପାନିରେ ଅଂଶଧନ ଏକାଧିକାରବତ୍ (କ୍ଲୋଜଲି ହେଲଡ) ହୋଇ ମାଲିକଙ୍କ ଘନିଷ୍ଠଙ୍କ ନିକଟରେ ରହିଛି। ଅର୍ଥାତ୍ ପ୍ରାୟ ୭୦ରୁ ୭୫ ଭାଗ ଅଂଶଧନ ପ୍ରତିଷ୍ଠାତାଙ୍କ କର୍ତ୍ତୃତ୍ୱରେ ଥିବା ବେଳେ ଆଉ କିଛି ଏଲଆଇସି ପରି ଆନୁଷ୍ଠାନିକ ନିବେଶକଙ୍କ ନିକଟରେ ଅଛି ଓ ନଗଣ୍ୟ ପ୍ରତିଶତ ଅଂଶଧନ ସାଧାରଣ ନିବେଶକଙ୍କ ନିକଟରେ ଅଛି। ଫଳରେ କିଣାବିକା ପାଇଁ ‘ଭାସମାନ ଅଂଶଧନ’ (ଫ୍ଲୋଟିଙ୍ଗ ଶେୟାର)ର ଉପଲବ୍ଧତା ଯଥେଷ୍ଟ କମ ଥିବାରୁ କୃତ୍ରିମ ଓ ଅନୈତିକ ଭାବେ ଶେୟାରଗୁଡ଼ିକର ଦାମକୁ କମବେଶି କରାଯିବାର ସମ୍ଭାବନା ରହିଛି। ସଙ୍କଟ ସମୟରେ ସେଭଳି କମ୍ପାନିଗୁଡ଼ିକର ଅଂଶଧନ ବିକ୍ରି କରି ବାହାରି ଆସିବା ବି ସହଜ ହେଉନଥିବାରୁ ଅଂଶଧନର ବଜାର ମୂଲ୍ୟ ଦ୍ରୁତ ଗତିରେ ନିମ୍ନଗାମୀ ହୋଇଥାଏ। ତେଣୁ ସେଭଳି ସ୍ୱଳ୍ପ ‘ଭାସମାନ ଅଂଶଧନ’ ଥିବା ଏକାଧିକାରବତ୍ କମ୍ପାନିଗୁଡ଼ିକରେ ଏଲଆଇସି ନିବେଶ କରିବା, ପରୋକ୍ଷରେ ହେଉପଛେ, ଉଭୟ ସାଧାରଣ ନିବେଶକ ଓ ବୀମାଧାରକଙ୍କ ସ୍ୱାର୍ଥବିରୋଧୀ ହୋଇଥାଏ କହିଲେ ଭୁଲ୍ ହେବନାହିଁ। ୨୦୨୩ ବର୍ଷ ଆରମ୍ଭରେ ଆଦାନୀ ସମୂହ କମ୍ପାନିଗୁଡ଼ିକରେ ଏଲଆଇସି ନିବେଶର ବଜାର ମୂଲ୍ୟ ୮୩,୦୦୦ କୋଟି ଟଙ୍କା ଥିଲା ବେଳେ ଜାନୁଆରି ୨୪, ୨୦୨୩ରେ ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପୂର୍ବ ଦିନ ତାହାର ମୂଲ୍ୟ ୮୧,୦୦୦ କୋଟି ଟଙ୍କା ଥିଲା। ସେହି ନିବେଶର ବଜାର ମୂଲ୍ୟ ଫେବୃଆରି ୨୪, ୨୦୨୩ରେ ୨୭,୦୦୦ କୋଟି ଟଙ୍କାକୁ ଖସି ଆସିବା ଦ୍ୱାରା ୫୫ ଦିନରେ ବଜାର ମୂଲ୍ୟ ପ୍ରାୟ ୫୬ ହଜାର କୋଟି ଟଙ୍କା ହ୍ରାସ ପାଇସାରିଲାଣି।

ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇ ଆଦାନୀ ସମୂହ କମ୍ପାନିଗୁଡ଼ିକର ଅଂଶଧନର ମୂଲ୍ୟ ଧରାଶାୟୀ ହୋଇଚାଲିଥିଲେ ବି ଏଲଆଇସିର ଅଧ୍ୟକ୍ଷ ପ୍ରାୟ ୧୫ ଦିନ ପରେ ଏକ ସାକ୍ଷାତକାରରେ ଜଣାଇଥିଲେ ଯେ ଏଲଆଇସି ଆଦାନୀ ସମୂହରେ ତା’ର ନିବେଶକୁ ହ୍ରାସ କରିନାହିଁ, ଅର୍ଥାତ୍ ଅଂଶଧନ ବିକ୍ରି କରି ନାହିଁ। ଯଦି ଅଂଶଧନଗୁଡ଼ିକୁ ବିକ୍ରି ନ କରି ଏଲଆଇସି ଏ ଯାଏଁ ସେଗୁଡ଼ିକୁ ଧରି ରଖିଥାଏ ତେବେ ସେଗୁଡ଼ିକର ବଜାର ମୂଲ୍ୟ ମାତ୍ର ମାସକ ମଧ୍ୟରେ ଫେବୃଆରି ୨୪, ୨୦୨୩ ସୁଦ୍ଧା ପ୍ରାୟ ୨୭,୦୦୦ କୋଟି ଟଙ୍କା ହୋଇସାରିଛି। ଅର୍ଥାତ୍ ଏଲଆଇସି ନିକଟରେ ଥିବା ଆଦାନୀ ସମୂହ ଅଂଶଧନର ବଜାର ମୂଲ୍ୟ ସେଗୁଡ଼ିକର ନିବେଶ ମୂଲ୍ୟ ୩୦,୧୨୭ କୋଟି ଟଙ୍କା ଅପେକ୍ଷା ପ୍ରାୟ ୩୦୦୦ କୋଟି ଟଙ୍କା ହ୍ରାସ ପାଇସାରିଲାଣି। କେବଳ ଆଦାନୀ କମ୍ପାନିଗୁଡ଼ିକର ଅଂଶଧନରେ ନିବେଶ ନୁହେଁ, ବରଂ ଅନ୍ୟ ୩୬ଟି କମ୍ପାନିର ଅଂଶଧନରେ ଏଲଆଇସିର ନିବେଶ ମଧ୍ୟ ଗତ ୬ ମାସ ମଧ୍ୟରେ ୨୦ ପ୍ରତିଶତରୁ ଅଧିକ ହ୍ରାସ ପାଇବା ଉଦବେଗର କାରଣ ହୋଇଛି। ଏହି କମ୍ପାନିଗୁଡ଼ିକ ମଧ୍ୟରେ ଅଛନ୍ତି ବମ୍ୱେ ଡାଇଙ୍ଗ, ପିରାମଲ ଏଣ୍ଟରପ୍ରାଇଜେସ୍, ଓମାକ୍ସ, ଫ୍ୟୁଚର ଲାଇଫଷ୍ଟାଇଲସ ଫେସନ, ଲାରସ୍ ଲାବସ୍, ଜେଟ ଏୟାରୱେଜ, ଜେପି ଇନଫ୍ରାଟେକ୍, ଜିଟିଏଲ ଇନଫ୍ରାଷ୍ଟ୍ରକଚର୍, ଅରବିଦ ଫାର୍ମା ଆଦି କମ୍ପାନି। ଏଗୁଡ଼ିକ ମଧ୍ୟରୁ କିଛି କମ୍ପାନିରେ ତ ଅଂଶଧନର ବଜାର ମୂଲ୍ୟ ୫୦ ପ୍ରତିଶତରୁ ବି ଅଧିକ ହ୍ରାସପାଇଛି। ଏଥିରୁ ସ୍ପଷ୍ଟ ଯେ ଅଂଶଧନ ନିବେଶ କ୍ଷେତ୍ରରେ ଏଲଆଇସି ତରଫରୁ ଅଧିକ ସତର୍କତା ଓ ଦକ୍ଷତା ପ୍ରଦର୍ଶନର ଆବଶ୍ୟକତା ରହିଛି।

ଉପଲବ୍ଧ ତଥ୍ୟ ଅନୁସାରେ ସେପ୍ଟେମ୍ୱର ୩୦, ୨୦୨୨ ସୁଦ୍ଧା ଏଲଆଇସିର ଥିବା ସମୁଦାୟ ପରିଚାଳନାଧୀନ ସମ୍ପତ୍ତି ୪୧.୬୬ ଲକ୍ଷ କୋଟି ଟଙ୍କା ମଧ୍ୟରୁ ପ୍ରାୟ ୨୫ ପ୍ରତିଶତ ବା ୧୦ ଲକ୍ଷ କୋଟି ଟଙ୍କା ବିଭିନ୍ନ କମ୍ପାନିର ଅଂଶଧନ (ଇକ୍ୟୁଇଟି)ରେ ନିବେଶ ହୋଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଅଂଶଧନ ନିବେଶକୁ ବିକ୍ରି କରି ଏଲଆଇସି ପ୍ରାୟ ୪୨ ହଜାର କୋଟି ଟଙ୍କା ଲାଭ କରିଥିଲା, ଯାହା ପୂର୍ବ ବର୍ଷ ତୁଳନାରେ ପ୍ରାୟ ୧୭ ପ୍ରତିଶତ ଅଧିକ ଥିଲା। ତେବେ ନିବେଶରୁ ରୋଜଗାର (ଇଲଡ୍ ଅନ ଇନଭେଷ୍ଟମେଣ୍ଡ) ହାର ପୂର୍ବ ବର୍ଷର ୮.୬୯ ପ୍ରତିଶତରୁ କମ ହୋଇ ୮.୫୫ ପ୍ରତିଶତରେ ପହଞ୍ଚିଥିଲା। ଉଲ୍ଲେଖଯୋଗ୍ୟ ଯେ ଅଂଶଧନ ନିବେଶରୁ ବିପୁଳ ପରିମାଣ ଲାଭ ସତ୍ତ୍ୱେ ଗତ ଆର୍ଥିକ ବର୍ଷରେ ଏଲଆଇସିର ନିଟ୍ ଲାଭ ମାତ୍ର ୪୦୪୩ କୋଟି ଟଙ୍କା ହୋଇଥିଲା। ୨୦୨୨-୨୩ ଆର୍ଥିକ ବର୍ଷରେ ଏଲଆଇସିର ଲାଭ ଯଥେଷ୍ଟ ଭଲ ହେବ ବୋଲି ଆଶା କରାଯାଉଥିଲା, କାରଣ ଡିସେମ୍ୱର ସୁଦ୍ଧା ଲାଭର ପରିମାଣ ପ୍ରାୟ ୨୨,୯୭୦ କୋଟି ଟଙ୍କା ହୋଇଥିଲା। ମାତ୍ର ହିଣ୍ଡେନବର୍ଗ-ଆଦାନୀ ପ୍ରକରଣ ପରେ ଶେଷ ତ୍ରିମାସରେ ଏଲଆଇସିର ଅଂଶଧନ ନିବେଶର ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଇ ଚାଲିଥିବାରୁ ବର୍ଷ ଶେଷବେଳକୁ ଏଲଆଇସିର ଲାଭ ହେବ କି କ୍ଷତି, ସେ ନେଇ ଆଶଙ୍କା ପ୍ରକାଶ ପାଇବାକୁ ଲାଗିଲାଣି।

ଏଲଆଇସିର ସମସ୍ତ ନିବେଶ ବିଧିସମ୍ମତ ଭାବେ ଇନସୁରାନ୍ସ ଆକ୍ଟ ୧୯୩୮ ଏବଂ ଆଇଆରଡିଏଆଇ ନିବେଶ ବିନିୟମ, ୨୦୧୬ ଅନୁଯାୟୀ ଓ ଏକ ବିସ୍ତୃତ ପ୍ରଶାସନିକ ବ୍ୟବସ୍ଥା ଦ୍ୱାରା ପରିଚାଳିତ ହୋଇ କରାଯାଇଥାଏ ବୋଲି ଏଲଆଇସି ତରଫରୁ ସ୍ପଷ୍ଟ କରାଯାଇଥିଲା। ତଥାପି ତାହା ଏ ପର୍ଯ୍ୟନ୍ତ ସଂସ୍ଥା ପ୍ରତି ଦେଖାଦେଇଥିବା ବିଶ୍ୱାସ ସଙ୍କଟକୁ ଦୂର କରିବାରେ ସମର୍ଥ ହୋଇନାହିଁ। ଏଲଆଇସିର ନିଜସ୍ୱ ଅଂଶଧନର ବଜାର ମୂଲ୍ୟ ହ୍ରାସ ପାଇଚାଲିବା ସେହି ବିଶ୍ୱାସ ସଙ୍କଟର ଏକ ପରିପ୍ରକାଶ ମାତ୍ର। ଉଲ୍ଲେଖଯୋଗ୍ୟ ଯେ ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପୂର୍ବରୁ ଜାନୁଆରି ୨୪, ୨୦୨୩ରେ ଏଲଆଇସି ଅଂଶଧନର ମୂଲ୍ୟ ୭୦୨.୧୦ ଟଙ୍କା ଥିଲା ଯାହା ମାସକ ପରେ ଫେବୃଆରି ୨୪, ୨୦୨୩ରେ ୫୮୪.୬୦ରେ ପହଞ୍ଚିଛି। ଅର୍ଥାତ୍ ମାସକ ମଧ୍ୟରେ ଏଲଆଇସି ଅଂଶଧନର ମୂଲ୍ୟ ୧୧୭ ଟଙ୍କାରୁ ବେଶି ବା ପ୍ରାୟ ୧୭ ପ୍ରତିଶତ ହ୍ରାସ ପାଇଛି। ଅକ୍ଟୋବର ୩୧, ୨୦୨୨ ସୁଦ୍ଧା ୩୫.୨୩ ଲକ୍ଷ ଖୁଚୁରା ନିବେଶକଙ୍କ ନିକଟରେ ଏଲଆଇସିର ୧୨.୨୧ କୋଟି ଅଂଶଧନ ଥିଲା। ଅର୍ଥାତ୍ ଏହି ମାସକ ମଧ୍ୟରେ ଏଲଆଇସିର କେବଳ ଏହି ସାଧାରଣ ନିବେଶକଙ୍କ ଅଂଶଧନର ମୂଲ୍ୟ ୧୪୦୦ କୋଟି ଟଙ୍କାରୁ ଅଧିକ ହ୍ରାସ ପାଇସାରିଛି।

କେହି କେହି ଯୁକ୍ତି ଉପସ୍ଥାପନ କରିପାରନ୍ତି ଯେ ଅଂଶଧନ ବଜାରରେ ଅଂଶଧନର ମୂଲ୍ୟ ବଢ଼ିବା କମିବା ଏକ ସ୍ୱାଭାବିକ ପ୍ରକ୍ରିୟା ହୋଇଥିବାରୁ ସେ ନେଇ ଚିନ୍ତିତ ହେବା ଉଚିତ ନୁହେଁ। ତେଣୁ ଅଂଶଧନ ବଜାରରେ ଏଲଆଇସି ଅଂଶଧନର ବଜାର ମୂଲ୍ୟର ଐତିହାସିକ ଗତିବିଧିକୁ ବିଶ୍ଳେଷଣ କାରଯାଉ। କେନ୍ଦ୍ର ସରକାର ମେ ୯, ୨୦୨୨ରେ ଏଲଆଇସିରେ ଥିବା ସରକାରଙ୍କ ଅଂଶଧନ ମଧ୍ୟରୁ ୩.୫ ପ୍ରତିଶତ ବା ୨୨.୧୩ କୋଟି ଅଂଶଧନ ଆଇପିଓ ମାଧ୍ୟମରେ ୯୪୯ ଟଙ୍କା ପ୍ରତି ଶେୟାର ଦରରେ ବିନିବେଶ କଲେ। ଏଥିପାଇଁ ଖୁଚୁରା ନିବେଶକ ଓ ଏଲଆଇସିର କର୍ମଚାରୀମାନଙ୍କୁ ୪୫ ଟଙ୍କା ଓ ବୀମାଧାରକମାନଙ୍କୁ ୬୦ ଟଙ୍କା ରିହାତି ପ୍ରଦାନ କରାଯାଇଥିଲା। ଅର୍ଥାତ୍ ଏଲଆଇସିର କର୍ମଚାରୀ ଓ ଖୁଚୁରା ନିବେଶକମାନଙ୍କୁ ପ୍ରତି ଅଂଶଧନର ମୂଲ୍ୟ ୯୦୪ ଟଙ୍କା ଦେବାକୁ ହୋଇଥିଲାବେଳେ ବୀମାଧାରକମାନଙ୍କୁ ୮୮୯ ଟଙ୍କା ଦେବାକୁ ହୋଇଥିଲା। କିନ୍ତୁ ପରିତାପର ବିଷୟ ଯେ ମେ ୧୭, ୨୦୨୨ରେ ଏହି ଅଂଶଧନ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନଏସଇ)ରେ ଅଂଶଧନର ମୂଲ୍ୟ ବୃଦ୍ଧି ପାଇବା ତ ଦୂରର କଥା ତାହା ୮୭୨ ଟଙ୍କାରେ ପ୍ରଥମ କରି ଲିଷ୍ଟିଂ ହେଲା। ତା’ ପରଠାରୁ ପ୍ରତିମାସରେ ଏହି ଅଂଶଧନର ବଜାର ଦର ଲଗାତର ଭାବେ ହ୍ରାସ ପାଇ ଚାଲିଛି। ଫଳସ୍ୱରୂପ ପ୍ରଥମେ ଅଂଶଧନ ଆବଣ୍ଟିତ ହୋଇଥିବା ୩୯.୮୬ ଲକ୍ଷ ଅଂଶଧନଧାରକଙ୍କ ମଧ୍ୟରୁ ପ୍ରାୟ ସାଢ଼େ ୪ ଲକ୍ଷ ଅଂଶଧନଧାରକ ଅଂଶଧନ ବିକ୍ରି କରି ଓହରିଯାଇଛନ୍ତି।

ଅନ୍ୟପକ୍ଷରେ ଆବଣ୍ଟିତ ଅଂଶଧନକୁ ବିକ୍ରି ନ କରି ଏ ପର୍ଯ୍ୟନ୍ତ ରଖିଥିବା ଅଂଶଧନକାରୀଙ୍କର, ଯାହାଙ୍କ ମଧ୍ୟରେ ଏଲଆଇସିର କର୍ମଚାରୀ, ନିବେଶକ ଓ ବୀମାଧାରକ ଅଛନ୍ତି, ଅଂଶଧନର ମୂଲ୍ୟ ୩୧୯ ଟଙ୍କା (ବୀମାଧାରକଙ୍କ କ୍ଷେତ୍ରରେ ୩୦୪ ଟଙ୍କା) ବା ଏକ ତୃତୀୟାଂଶରୁ ଅଧିକ ହ୍ରାସ ପାଇସାରିଲାଣି। ଫଳରେ ୮ ମାସ ମଧ୍ୟରେ କେବଳ ସାଧାରଣ ନିବେଶକଙ୍କର ପ୍ରାୟ ୩୨୫୦ କୋଟି ଟଙ୍କାର ମୂଳଧନ ହ୍ରାସ ପାଇଛି। କେନ୍ଦ୍ର ସରକାର ଆଇପିଓ ମାଧ୍ୟମରେ ବିନିବେଶ କରି ତାଙ୍କ ଟଙ୍କା ତ ବର୍ଦ୍ଧିତ ଦରରେ ପାଇଗଲେ। ହେଲେ ସାଧାରଣ ନିବେଶକ ଯେଉଁ ହଜାର ହଜାର କୋଟି ଟଙ୍କାର କ୍ଷତି ସହିଲେ ତା’ର ଭରଣା କରିବ କିଏ? ସାଧାରଣ ନିବେଶକଙ୍କ ଅର୍ଥ ଓ ସ୍ୱାର୍ଥକୁ ସୁରକ୍ଷିତ ରଖିବା ସହ ସେମାନଙ୍କ ପୁନଃ ବିଶ୍ୱାସ ନିର୍ମାଣ ପାଇଁ ଏଲଆଇସି ପରିଚାଳନା କର୍ତ୍ତୃପକ୍ଷଙ୍କ ତତ୍ପରତା ଓ ଉତ୍ତରଦାୟିତ୍ୱ ସନ୍ତୋଷଜନକ ଭାବେ ପରିଲକ୍ଷିତ ହୋଇନାହିଁ। ସାଧାରଣ ନିବେଶକଙ୍କ ସ୍ୱାର୍ଥ ସୁରକ୍ଷିତ ନ ରହିଲେ ଆଗାମୀ ଦିନରେ ହୁଏତ କେନ୍ଦ୍ର ସରକାରଙ୍କ ଆଇପିଓ ମାଧ୍ୟମରେ ବିନିବେଶ ପ୍ରକ୍ରିୟା ପ୍ରତି ସେମାନେ ବୀତସ୍ପୃହ ହୋଇପାରନ୍ତି ଓ ସରକାରଙ୍କ ବିନିବେଶ ଲକ୍ଷ୍ୟ ହାସଲରେ ବାଧା ଉତ୍ପନ୍ନ ହୋଇପାରେ।

ଆଦାନୀ ସମୂହର ପ୍ରମୁଖ ଫ୍ଲାଗସିପ୍ କମ୍ପାନି ଆଦାନୀ ଏଣ୍ଟରପ୍ରାଇଜେସର ୪,୮୧,୭୪,୬୫୪ଟି ବା ୪.୨୩ ପ୍ରତିଶତ ଅଂଶଧନ ଏଲଆଇସି ନିକଟରେ ଅଛି। ଉଲ୍ଲେଖଯୋଗ୍ୟ ଯେ ଜାନୁଆରି ୨୪, ୨୦୨୩ରେ ଏହି କମ୍ପାନିର ଅଂଶଧନର ମୂଲ୍ୟ ୩୪୪୨ ଟଙ୍କା ଥିଲା ବେଳେ ଫେବୃଆରି ୨୪, ୨୦୨୩ରେ ତାହାର ମୂଲ୍ୟ ମାତ୍ର ୧୩୧୬ ଟଙ୍କାକୁ ହ୍ରାସ ପାଇସାରିଛି। ଅର୍ଥାତ୍ ଏଲଆଇସି ନିକଟରେ ଥିବା କେବଳ ଏହି ଗୋଟିଏ କମ୍ପାନିର ଅଂଶଧନର ମୂଲ୍ୟ ୧୦,୨୪୧ କୋଟି ଟଙ୍କା ହ୍ରାସ ପାଇସାରିଛି। ଏହି କମ୍ପାନି ଲାଗି ଏକ ଫଲୋଅପ୍ ପବ୍ଲିକ ଅଫର (ଏଫପିଓ) ମାଧ୍ୟମରେ ପୁଞ୍ଜିବଜାରରୁ ୨୦ ହଜାର କୋଟି ଟଙ୍କାର ଅତିରିକ୍ତ ପୁଞ୍ଜି ସଂଗ୍ରହ କରିବାର ଏକ ପ୍ରୟାସ ଜାନୁଆରି ୨୭ରୁ ୩୧, ୨୦୨୩ ମଧ୍ୟରେ ହୋଇଥିଲା। ନିବେଶକଙ୍କୁ ପ୍ରତିଟି ଅଂଶଧନ ୩୧୧୨ରୁ ୩୨୭୬ ଟଙ୍କା ମଧ୍ୟରେ ଦିଆଯିବ ବୋଲି କୁହାଯାଇଥିଲେ ବି ସାଧାରଣ ନିବେଶକମାନେ ଓ ମ୍ୟୁଚୁଆଲ ଫଣ୍ଡଗୁଡ଼ିକ ଏଫପିଓରେ ନିବେଶ ପ୍ରତି ଆଗ୍ରହ ଦେଖାଇ ନଥିଲେ। କାରଣ ଏହି ଏଫପିଓ ଜାରି ହେଲାବେଳକୁ ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇ ଆଦାନୀ କମ୍ପାନିଗୁଡ଼ିକର ଅଂଶଧନର ମୂଲ୍ୟ ନିମ୍ନଗାମୀ ହେବାକୁ ଲାଗିଥିଲା। କିନ୍ତୁ ଉଦବେଗର ବିଷୟ, ଏକଥା ଜାଣି ସୁଦ୍ଧା ଏଲଆଇସି ସେଥିରେ ୩୦୦ କୋଟି ଟଙ୍କା ନିବେଶ କରିଥିଲା। ଅବଶ୍ୟ ଏଫପିଓଟି ବାତିଲ ହୋଇଥିବାରୁ ଏଲଆଇସି ହୁଏତ ନିବେଶ କରିଥିବା ଟଙ୍କା ଫେରିପାଇଲା, ନହେଲେ ସେହି ଟଙ୍କା ମଧ୍ୟ ପାଣିରେ ପଡ଼ିଥାଆନ୍ତା! ଏହି ପ୍ରକରଣରୁ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଏଲଆଇସିର ଏହି ନିବେଶ ବିଧିସମ୍ମତ ଭାବେ ଯଥୋଚିତ ଅଧ୍ୟବସାୟ (ଡିଉ ଡିଲିଜେନ୍ସ)ର ଅନୁପାଳନ କରି କରାଯାଇଥିଲା ନା ଚାପର ବଶବର୍ତ୍ତୀ ହୋଇ?

ଏଲଆଇସିର ପରିଚାଳନାଧୀନ ସମ୍ପତ୍ତିର ଏକ ପ୍ରତିଶତରୁ ବି କମ୍ ଆଦାନୀ ସମୂହରେ ନିବେଶ ହୋଇଥିବାରୁ ଆଦାନୀ ପ୍ରକରଣରେ ଏଲଆଇସି ଉପରେ ସେଭଳି କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଉଭୟ ବୀମାଧାରକ ଓ ଅଂଶଧନଧାରକଙ୍କୁ ଏଲଆଇସି ତରଫରୁ ଆଶ୍ୱାସନା ଦିଆଯାଉଛି। ଏହା ସତ୍ତ୍ୱେ ଏଲଆଇସିର ଶେୟାର ଦର ପ୍ରତ୍ୟହ ହ୍ରାସ ପାଇ ତା’ର ବିଶ୍ୱସନୀୟତା ଉପରେ ପ୍ରଶ୍ନଚିହ୍ନ ଲାଗୁଛି। ପ୍ରଶ୍ନ ଏକ ପ୍ରତିଶତ ବା ଦଶ ପ୍ରତିଶତ ନିବେଶର ନୁହେଁ। ପ୍ରଶ୍ୱ ଭରସା ବା ବିଶ୍ୱସନୀୟତାର ଅଟେ। ଏଲଆଇସି ଭଳି ସଂସ୍ଥାଙ୍କ ନିକଟକୁ ବୀମାଧାରକ ଓ ଅଂଶଧନଧାରକଙ୍କ ନିବେଶ ଆସିବାର ଏକ ପ୍ରମୁଖ କାରଣ ହେଉଛି ସେମାନଙ୍କ ଦୀର୍ଘଦିନର ବିଶ୍ୱସନୀୟତା। ଥରେ ସେହି ଭରସାର ପୁଞ୍ଜି ପ୍ରତି ବିପଦ ଦେଖା ଦେଲେ ଫଳ ବିଷମ ହେବା ଅବଶ୍ୟମ୍ଭାବୀ। ତେଣୁ ପରିଚାଳନା କର୍ତ୍ତୃପକ୍ଷ ପ୍ରତିଟି ଟଙ୍କାର ସୁବିନିଯୋଗ ପ୍ରତି ଉପଯୁକ୍ତ ସତର୍କତା ଅବଲମ୍ୱନ କରିବା ଯେତିକି ଜରୁରୀ ସେହି ସତର୍କତା ପାଳନ କରାହେଉଛି ବୋଲି ପ୍ରତୀୟମାନ ହେବା ତା’ଠାରୁ ବେଶି ଆବଶ୍ୟକ। ଏଲଆଇସି ଭଳି ସଂସ୍ଥା ତାହା କରିବାରେ ଅସଫଳ ହେଲେ ସାଧାରଣ ଲୋକମାନେ ତା’ ଉପରୁ ବିଶ୍ୱାସ ହରାଇ ନିଜ କଷ୍ଟୋପାର୍ଜିତ ଧନକୁ ଏଣେତେଣେ ନିବେଶ କରି ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ବଢ଼ିଯାଇପାରେ। ତେଣୁ ବୀମାଧାରକ ଓ ଅଂଶଧନଧାରକଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଆଦାନୀ ପ୍ରକରଣରେ ଏଲଆଇସିର ଭୂମିକାକୁ ନେଇ ଉଠୁଥିବା ପ୍ରଶ୍ନଗୁଡ଼ିକର ଏଲଆଇସି ନିଜେ ଉତ୍ତର ରଖି ସ୍ଥିତିକୁ ଶୀଘ୍ର ସ୍ପଷ୍ଟ ନକଲେ ଏକ ଉଚ୍ଚସ୍ତରୀୟ ତଦନ୍ତ ମାଧ୍ୟମରେ ତାହା ଲୋକଲୋଚନକୁ ଅଣାଯିବା ଆବଶ୍ୟକ।

ସରଳ କୁମାର ଦାସ

ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫

Related story