Advertisment

ରବି ଦାଶ - ଏକ ବିରଳ ବ୍ୟକ୍ତିତ୍ୱ

କେବଳ ତୁଳସୀ କ’ଣ ଦୁଇ ପତ୍ରରୁ ବାସିଥାଏ, ପୋଦିନା କି ଅନ୍ୟ କିଛି ନୁହେଁ? କୌଣସି ମହାପୁରୁଷଙ୍କ ଜୀବନୀ ପଢ଼ିଲା ବେଳେ ଆମେ ଏହି ଯୁକ୍ତିଟି ଅଧିକାଂଶ ସମୟରେ ପାଇଥାଉ ଯେ ସେ ମହାପୁରୁଷ ହେବେ ବୋଲି ପିଲାବେଳୁ ଜଣାଥିଲା।

Late Rabi Dash

Late Rabi Dash

Advertisment

ଦେବ ରଞ୍ଜନ

କେବଳ ତୁଳସୀ କ’ଣ ଦୁଇ ପତ୍ରରୁ ବାସିଥାଏ, ପୋଦିନା କି ଅନ୍ୟ କିଛି ନୁହେଁ? କୌଣସି ମହାପୁରୁଷଙ୍କ ଜୀବନୀ ପଢ଼ିଲା ବେଳେ ଆମେ ଏହି ଯୁକ୍ତିଟି ଅଧିକାଂଶ ସମୟରେ ପାଇଥାଉ ଯେ ସେ ମହାପୁରୁଷ ହେବେ ବୋଲି ପିଲାବେଳୁ ଜଣାଥିଲା।

Advertisment

ଏହି କଥା ମୁଁ ରବି ଦାଶଙ୍କ ଜୀବନ ସମ୍ପର୍କରେ ଚିନ୍ତା କରିବା ଭିତରେ ବାରମ୍ବାର ଭାବିଛି। ସତରେ କ’ଣ କୌଣସି ଭଗବତ ସତ୍ତା ତାଙ୍କର ମହାନତା ପଛରେ କାମ କରୁଥିଲା ନା ତାଙ୍କ ଚାରି ପାଖର ପରିସ୍ଥିତି, ସାଧାରଣା ଲୋକଙ୍କ ଉପରେ ହେଉଥିବା ଶୋଷଣ ଓ ଅତ୍ୟାଚାର ତାଙ୍କୁ ସେଭଳି କରିଦେଲା?

ରବି ଦାଶଙ୍କ ଘର ଅବିଭକ୍ତ କଟକ ଜିଲ୍ଲା, ଏବର ଜଗତସିଂହପୁର ଜିଲ୍ଲା କୁଜଙ୍ଗର ତାରାପୁର ଗ୍ରାମରେ। ସେହି କାରଣରୁ ସେ ଅଧିକ ଭାବରେ ତାରାପୁରର ରବି ଦାଶ ନାମରେ ଅଧିକ ଖ୍ୟାତ।

Advertisment

ଓଡ଼ିଶା ମଧ୍ୟରେ ସେ ଜଣେ ଅତି ବିରଳ ବ୍ୟକ୍ତିତ୍ୱ। ଜୀବନର ପ୍ରାରମ୍ଭିକ ସମୟରେ ଜମିଦାରୀ ପ୍ରଥାକୁ ବିରୋଧ କରିବାକୁ ଯାଇ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ହୋଇଥିଲେ। ଜୀବନର ଶେଷ ଆନକୁ ଗାନ୍ଧୀବାଦୀ ସର୍ବୋଦୟ ବିଚାର ଆଡ଼କୁ ଢଳିଥିଲେ। ଏହା କ୍ଵଚିତ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ଦେଖାଯାଇଛି।

ରବି ଦାଶଙ୍କୁ ଏମିତି ଦିନେ ତାରାପୁରରେ ଭେଟିଥିଲି। ୨୦୧୯ ମସିହାର ଶୀତ ସମୟ। ମୋର ମନେଅଛି ଖଳାରେ ତାଙ୍କର ଧାନ ଗଦା ଥାଏ। ବେଙ୍ଗେଳା ପଡ଼ିବା ଲାଗି ଖଳାକୁ ସୁନ୍ଦର ଭାବରେ ଲିପା ଯାଇଥାଏ। ତାଙ୍କୁ ପଚାରିଥିଲି, ‘ଆପଣଙ୍କ ବୟସ ଏବେ କେତେ ହେବ?’

ସେଦିନ ତାଙ୍କର ସରଳ ଉତ୍ତର ମୋତେ କୁଜଙ୍ଗର ଇତିହାସକୁ ଖୋଜିବାକୁ ବାଧ୍ୟ କରିଥିଲା। ସେ କହିଥିଲେ, ‘ମୋ ସ୍କୁଲବାଲା କହୁଛନ୍ତି ମୋର ଜନ୍ମ ୧୯୪୦ ମସିହାରେ। କିନ୍ତୁ ବଙ୍ଗଳାରେ ଯେବେ ଦୁର୍ଭିକ୍ଷ (୧୯୪୨- ୪୩) ପଡ଼ିଥିଲା ସେତେବେଳେ ମୋର ବୟସ ୫/୬ ବର୍ଷ ହୋଇଥିଲା। ତେଣୁ ମୋର ବୟସ ଏବେ ୮୧/୮୨ ହେବ। ମୋର ଜେଜେ ବାପାଙ୍କ ସହିତ କେନାଲ ପାଖକୁ ଯାଇ ସେତେବେଳେ ଆମ ଅଞ୍ଚଳରୁ ଧାନ ପଠାଯିବା ଦେଖିଛି। ମୋର ଏବେ ବି ସ୍ପଷ୍ଟ ମନେ ଅଛି। ସେତେବେଳେ ଆମ ଅଞ୍ଚଳରୁ ଜବରଦସ୍ତି ବଙ୍ଗଳାର ଜମିଦାରମାନେ ଗୁଣ୍ଡା ଲଗେଇ ଧାନ କୁଜଙ୍ଗ କେନାଲ ଦେଇ କଲିକତା ପଠାଉଥିଲେ। ଯିଏ ପ୍ରତିବାଦ କରୁଥିଲା ସେ ଭୀଷଣ ମାଡ଼ ଖାଉଥିଲା। ସେମାନେ ଧାନ ବଦଳରେ ଯେଉଁ ବଣ୍ଡ ଦେଲେ ତାହା ବାବଦ ଅର୍ଥ କେବେ ଲୋକଙ୍କୁ ମିଳିଲା ନାହିଁ।’

ବଙ୍ଗଳାର ଜମିଦାରଙ୍କ ଅତ୍ୟାଚାର ପ୍ରସଙ୍ଗରେ ରବି ଦାଶଙ୍କଠାରୁ ସେଦିନ ଶୁଣିବା ପରେ ସ୍ଵାଭାବିକ ଭାବରେ ମୋ ଭିତରେ କୁଜଙ୍ଗର ବ୍ରିଟିଶ ସମୟର ଇତିହାସକୁ ଜାଣିବାର ଆଗ୍ରହ ହୋଇଥିଲା। କୁଜଙ୍ଗ ଗଡ଼ ଅନେକ ବର୍ଷ ଷେଣ୍ଢ ବଂଶର ଜମିଦାର-ରାଜାଙ୍କ ଅଧୀନରେ ଥିଲା। ୧୮୬୬ ମସିହାରେ ଓଡ଼ିଶାରେ ଯେଉଁ ଦୁର୍ଭିକ୍ଷ ପଡ଼ିଥିଲା (ନଅଙ୍କ ଦୁର୍ଭିକ୍ଷ) ସେଥିରେ କୁଜଙ୍ଗ ଗଡ଼ର ଜମିଦାର-ରାଜା ହରିଚନ୍ଦନ ଷେଣ୍ଢ ବ୍ରିଟିଶ ସରକାରଙ୍କୁ ଟିକସ ବାବଦ ଅର୍ଥ ନିଜ ଇଷ୍ଟେଟ ମଧ୍ୟରୁ ଦେଇ ନପାରି ଅନ୍ୟ ସୂତ୍ରରୁ ଋଣ କରି ଦେଇଥିଲେ।

ନୂଆ ଋଣ ପୁଣି ଶୁଝି ନପାରିବାରୁ ହରିଚନ୍ଦନ ଷେଣ୍ଢ ବ୍ରିଟିଶ ଇଣ୍ଡିଆ ଆକ୍ଟ, ୧୮୫୮ର ଧାରା ୮ ଅନୁସାରେ ନିଜର ଇଷ୍ଟେଟର ନିଲାମ କରିବା ଲାଗି ବ୍ରିଟିଶ ସରକାରଙ୍କୁ ଅନୁରୋଧ କରିଥିଲେ। କୁଜଙ୍ଗ ଇଷ୍ଟେଟକୁ ବଙ୍ଗଳାର ବର୍ଦ୍ଧମାନର ଜମିଦାର-ରାଣୀ ନାରାୟଣୀ କୁମାରୀ ୫,୫୦,୦୦୦ ଟଙ୍କାରେ ୧୮୬୮ ମସିହାରେ କିଣିଥିଲେ। ସେହି ଦିନ ଠାରୁ ପାରାଦ୍ଵୀପ-କୁଜଙ୍ଗ ଅଞ୍ଚଳ ବଙ୍ଗଳା ଜମିଦାରଙ୍କ ହାତକୁ ଚାଲିଯାଇଥିଲା। (‘History of Paradeep’, ଲେଖକ Dr.Satyananda Panda, page: 59 -60) ଏହାପରେ ମେଦିନୀପୁର ଆଡୁ କିଛି ବଙ୍ଗାଳୀ ଜମିହୀନ ପରିବାର ନୂଆ ଜମିଦାର ଅଧୀନରେ କାମ କରିବା ଲାଗି କୁଜଙ୍ଗ ଅଞ୍ଚଳକୁ ମଧ୍ୟ ଆସିଥିଲେ। ସେ ସମୟରେ କଲିକତା ଅଧୀନରେ ଓଡ଼ିଶା ଶାସିତ ହେଉଥିଲା।

୧୯୪୨-୪୩ ମସିହାରେ ବଙ୍ଗଳାରେ ଦୁର୍ଭିକ୍ଷ ଅନୁଭୂତ ହୋଇଥିଲା। ସେ ସମୟରେ ବଙ୍ଗଳା ପଶ୍ଚିମ ବଙ୍ଗ ଓ ପୂର୍ବ ବଙ୍ଗ ଭାବରେ ବିଭାଜିତ ହୋଇ ନଥିଲା। ବର୍ଷାର ଅଭାବ, ଖାଦ୍ୟ ଉତ୍ପାଦନ କମ ହେବା, ଦ୍ଵିତୀୟ ବିଶ୍ଵ ଯୁଦ୍ଧର ପ୍ରଭାବ, ବର୍ମା ଯୁଦ୍ଧ ଇତ୍ୟାଦି ଦୁର୍ଭିକ୍ଷକୁ ମହାବିପତ୍ତିରେ ପରିଣତ କରିଦେଇଥିଲା। ଏହା ସହିତ ବ୍ରିଟିଶ ସରକାରଙ୍କ ଭୁଲ ନୀତି କାରଣରୁ ଅତି କମରେ କେବଳ ବଙ୍ଗଳାରେ ୮,୦୦,୦୦୦ ଲୋକ ମୃତ୍ୟୁବରଣ କରିଥିଲେ। ସେ ମଧ୍ୟରୁ ଅଧିକ ଲୋକ କଲିକତା ଓ ମେଦିନୀପୁର ଅଞ୍ଚଳର ଥିଲେ। ଓଡ଼ିଶା ଓ ବିହାର ରାଜ୍ୟର ମୃତ୍ୟୁକୁ ମିଶାଇଲେ ମୃତ୍ୟୁ ସଂଖ୍ୟା ଚାରିଗୁଣ ହେବ।

ବ୍ରିଟିଶ ସରକାର ସେ ସମୟରେ ବ୍ୟବସାୟୀଙ୍କ ଲାଗି ଚାଉଳ ଗଚ୍ଛିତ ରଖିବା ଉପରେ ରହିଥିବା ପ୍ରତିବନ୍ଧକକୁ ଉଠାଇଦେଇଥିଲେ। ଏହା ସହିତ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଚାଉଳ ଚାଲାଣ ହେବା ଉପରେ ରହିଥିବା ପ୍ରତିବନ୍ଧକକୁ ମଧ୍ୟ ବ୍ରିଟିଶ ସରକାର ଉଠାଇ ଦେଇଥିଲେ। ଏହାକୁ ସରକାରଙ୍କ ଡି-କଣ୍ଟ୍ରୋଲ ନୀତି କୁହାଯାଉଛି। ଏହା ଦ୍ଵାରା ଅନେକ ଧନୀ ବଙ୍ଗାଳୀ ଜମିଦାର ବ୍ୟବସାୟୀ ଓଡ଼ିଶା, ବିହାର ଓ ବଙ୍ଗଳାର ବିଭିନ୍ନ ଅଞ୍ଚଳରୁ ଚାଉଳ କମ ଦରରେ ସଂଗ୍ରହ କରି କଲିକତା ସହରରେ ଅତି ଉଚ୍ଚ ଦରରେ ବିକ୍ରି କରିଥିଲେ।

ଉକ୍ତ କାରଣରୁ ବଙ୍ଗଳା ସମେତ ଓଡ଼ିଶା ଓ ବିହାରରେ ଖାଦ୍ୟ ସଙ୍କଟ ଦେଖାଦେଇଥିଲା। ଫଳରେ, ଆହୁରି ଅଧିକ ଲୋକ ମୃତ୍ୟୁବରଣ କରିଥିଲେ। ଏଥିଲାଗି କେହି କେହି ବଙ୍ଗଳାର ଦୁର୍ଭିକ୍ଷ ଜନିତ ମୃତ୍ୟୁ ସଂଖ୍ୟା ୩୮ ଲକ୍ଷ ବୋଲି ଉଲ୍ଲେଖ କରିଛନ୍ତି। (“Hungry Bengal” ଲେଖକ Janam Mukherjee) କୁଜଙ୍ଗ ଅଞ୍ଚଳରେ ବଙ୍ଗଳାର ଜମିଦାରମାନେ ଲୋକଙ୍କ ଉପରେ ଜୁଲୁମ କରି ସେମାନଙ୍କ ପ୍ରାପ୍ୟ ଧାନକୁ ମଧ୍ୟ କଲିକତାରେ ବିକ୍ରି କରିବା ଲାଗି ନେଇଯାଇଥିଲେ। ଫଳରେ, କୁଜଙ୍ଗ ଅଞ୍ଚଳରେ ମଧ୍ୟ ବଙ୍ଗଳାର ଦୁର୍ଭିକ୍ଷର ପ୍ରଭାବ ଅନୁଭୂତ ହୋଇଥିଲା।

କୌଣସି ଆଧ୍ୟାତ୍ମିକ ସତ୍ତା ଲାଗି ନୁହେଁ, ବରଂ ନିଜ ଅଞ୍ଚଳକୁ ଓ ନିଜ ଅଞ୍ଚଳର ଜଣା ଅଜଣା ମଣିଷମାନଙ୍କୁ ଅଧିକ ଭଲ ପାଉଥିବା କାରଣରୁ ଆମ ସମାଜର କିଛି ମଣିଷ ନିଜ ପାଇଁ ସ୍ଵାର୍ଥପର ଜୀବନ ବଞ୍ଚି ନଥାନ୍ତି, ବରଂ ସମଗ୍ର ସମାଜକୁ ଅତ୍ୟାଚାରରୁ ରକ୍ଷା କରିବା ପାଇଁ ତାହାର ରାସ୍ତା ଖୋଜିଥାନ୍ତି। ସେହିମାନେ ଆମକୁ ମହାପୁରୁଷ ଭାବରେ ଦେଖାଯାନ୍ତି। କୁଜଙ୍ଗ ଅଞ୍ଚଳରେ ଜମିଦାରୀ ଶୋଷଣ ଯୁବକ ରବି ଦାଶଙ୍କ ବିଚାରକୁ ପ୍ରଭାବିତ କରିଥିଲା। ତାଙ୍କ ସାମାଜିକ ଓ ରାଜନୈତିକ ଜୀବନ ଜମିଦାରୀ ପ୍ରଥାକୁ ବିରୋଧ କରି ଏହିଠାରୁ ଆରମ୍ଭ ହୋଇଥିଲା। ସେ କମ୍ୟୁନିଷ୍ଟ ବିଚାର ପ୍ରତି ଆକର୍ଷିତ ହୋଇଥିଲେ।

ରବି ଦାଶ ଜମିଦାରୀ ଅତ୍ୟାଚାରକୁ ବିରୋଧ କରିବାକୁ ଯାଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟିରେ ୧୯୬୦-୬୧ ମସିହାରେ ଯୋଗ ଦେଇଥିଲେ। କଟକର ନବଯୁଗ ଗ୍ରନ୍ଥାଳୟର ଦାୟିତ୍ଵ ନେବା ପରେ ଦେଶ ବିଦେଶର ଅନେକ କମ୍ୟୁନିଷ୍ଟ ନେତୃବର୍ଗଙ୍କ ସମ୍ପର୍କରେ ଆସିଥିଲେ।

ବାଲେଶ୍ଵର ଜିଲ୍ଲା ନୀଳଗିରି ବିଧାନସଭା ମଣ୍ଡଳୀ ଲାଗି ସିପିଆଇ ନେତୃବର୍ଗ ତତ୍କାଳୀନ କଂଗ୍ରେସ ନେତା ବିଜୁ ପଟ୍ଟନାୟକଙ୍କ ସହିତ ବୁଝାମଣା କରିବାରୁ ସେ ସିପିଆଇରୁ ଇସ୍ତଫା ଦେଇଥିଲେ। କଂଗ୍ରେସ ପାର୍ଟି ଜମିଦାର ଓ ଶିଳ୍ପପତିଙ୍କ ଦଳ ହୋଇଥିବା କାରଣରୁ କମ୍ୟୁନିଷ୍ଟ ପାର୍ଟିର ଗ୍ରାମ ସ୍ତରୀୟ କର୍ମୀମାନଙ୍କ ମଧ୍ୟରେ ବିରୋଧ ରହିଥିଲା। ଏହି କାରଣରୁ ୧୯୬୪ ମସିହାରେ ସିପିଆଇ ପାର୍ଟିରେ ବିଭାଜନ ହୋଇ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାର୍କ୍ସବାଦ) ବା ସିପିଏମ ନାମକ ନୂଆ ଦଳ ଗଠିତ ହୋଇଥିଲା। ରବି ଦାଶ ଏହା ପରେ ସିପିଏମରେ ଯୋଗ ଦେଇଥିଲେ। ରବି ଦାଶ କିନ୍ତୁ ସିପିଏମ ମଧ୍ୟରେ ଅଧିକ ଦିନ ରହିପାରିନାହାନ୍ତି। ପୁଣି ସେହି ଜମିଦାରୀ ପ୍ରଥାକୁ ବିରୋଧ କରିବାକୁ ଯାଇ ସେ ସିପିଏମ ଠାରୁ ଅଲଗା ହୋଇଯାଇଥିଲେ।

ସ୍ଵାଧୀନତାର ଦୀର୍ଘ କୋଡ଼ିଏ ବର୍ଷ ପରେ ବି ଭୂସଂସ୍କାର ଭଳି ସର୍ବନିମ୍ନ କାର୍ଯ୍ୟକ୍ରମ ବିଫଳ ହେବା ହେତୁ ୧୯୬୭ ମସିହାରେ ପଶ୍ଚିମ ବଙ୍ଗରେ ‘ନକ୍ସଲବାଡ଼ି ଆନ୍ଦୋଳନ’ ଆରମ୍ଭ ହୋଇଥିଲା। ମଇ ୨୫, ୧୯୬୭ ମସିହାରେ ପଶ୍ଚିମବଙ୍ଗର ଜଳପାଇଗୁଡ଼ି ଜିଲ୍ଲା ନକ୍ସଲବାଡ଼ି ଗାଁ ଠାରେ ଚାଷୀମାନଙ୍କ ଜମିଦାର ବିରୋଧୀ ପ୍ରତିବାଦ କାରଣରୁ ସେମାନଙ୍କ ଉପରକୁ ପୁଲିସର ଗୁଳିଚାଳନା ହେତୁ ପୁରୁଷ, ମହିଳା ଓ ଦୁଇ ଜଣ ଛୁଆଙ୍କ ସମେତ ୧୧ ଜଣ ଲୋକ ମୃତ୍ୟୁବରଣ କରିଥିଲେ। ଲୋକଙ୍କ ଆକ୍ରମଣ ହେତୁ ଜଣେ ପୁଲିସ ଅଧିକାରୀଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ପୁଲିସର ଗୁଳିଚାଳନା କାରଣରୁ ଚାଷୀ ଆନ୍ଦୋଳନ ପଞ୍ଜାବ ଠାରୁ କେରଳ ପର୍ଯ୍ୟନ୍ତ ଅନେକ ରାଜ୍ୟକୁ ବ୍ୟାପୀ ଯାଇଥିଲା। ସେମାନଙ୍କ ଦାବି ଥିଲା ଜମିଦାରୀ ପ୍ରଥାର ସଂପୂର୍ଣ୍ଣ ଉଚ୍ଛେଦ ଓ ଚାଷ କରୁଥିବା ଲୋକକୁ ଜମିର ଅଧିକାର ପ୍ରଦାନ।

ଏହି ସମୟରେ ରବି ଦାଶ କବିତା ଲେଖିବା ଆରମ୍ଭ କରିଥିଲେ। ତାଙ୍କ କବିତା ‘ପୂର୍ବଘାଟ ଲାଲ’ ବେଶ ପ୍ରଭାବଶାଳୀ ଥିଲା। କବିତାର କିଛି ଅଂଶ ହେଲା-

ଭୂମି ଆମ ଆଜନ୍ମ ଲାଳିତ ସ୍ଵପ୍ନ ଭାତ ଆମ ଅକ୍ଷତ ବାସନା/ମୁକ୍ତିର ଉଜ୍ଜ୍ଵଳ ଶିଖା, ପଥ ପ୍ରାନ୍ତେ ଗାଉ ଆମେ ମୂକତି ମୂର୍ଚ୍ଛନା।

ଦେଲୁ ଆମ ଦାନ, ଅସ୍ଥି ମାଂସ ରକ୍ତ ଆମ ଲାଲ/ଆମେ ପୂର୍ବଘାଟ ଲାଲ। (କବିତା: ‘ପୂର୍ବଘାଟ ଲାଲ’ - ରବି ଦାଶ)

ନକ୍ସଲବାଡ଼ି ଗୁଳିକାଣ୍ଡ ସମୟରେ ପଶ୍ଚିମ ବଙ୍ଗରେ ସିପିଏମ ଶାସନ କ୍ଷମତାରେ ରହିଥିଲା। ଏହି କାରଣରୁ ସିପିଏମର ଅନେକ ପୁରୁଣା କର୍ମୀ ନିଜ ଦଳରୁ ଅଲଗା ହୋଇଯାଇଥିଲେ। ଗୁଳିକାଣ୍ଡକୁ ବିରୋଧ କରି ବିବୃତ୍ତି ଦେବା କାରଣରୁ ରବି ଦାଶଙ୍କୁ ସିପିଏମ ପାର୍ଟି ବହିଷ୍କାର କରିଥିଲା। ସିପିଏମରୁ ଅଲଗା ହୋଇଥିବା କମ୍ୟୁନିଷ୍ଟ କର୍ମୀମାନେ ପୁଣି ଏକ ନୂତନ ଦଳ ଗଠନ କରିଥିଲେ। ଏହାର ନାମ ଥିଲା କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାର୍କ୍ସବାଦ-ଲେନିନବାଦ)। ରବି ଦାଶ ଉକ୍ତ ପାର୍ଟିରେ ଯୋଗ ଦେଇଥିଲେ ଓ ଏହାର ଜାତୀୟ ସ୍ତରର ଚଉଦ ଜଣିଆ କମିଟିର ପ୍ରମୁଖ ସଦସ୍ୟ ଥିଲେ।

ଉକ୍ତ ଆନ୍ଦୋଳନକୁ ଦମନ କରିବା ଲାଗି ଦେଶର ବିଭିନ୍ନ ରାଜ୍ୟରେ ରାଜ୍ୟ ପୁଲିସ ସମେତ ପ୍ରାୟ ଏକ ଲକ୍ଷ ସଶସ୍ତ୍ର ଯବାନ ନିଯୁକ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରେ ଅନ୍ୟୁନ ୫୦ ହଜାର ସୈନ୍ୟ ବାହିନୀର ଯବାନ ଥିଲେ। ଯବାନମାନେ ୪୦,୦୦୦ ଲୋକଙ୍କୁ ଗିରଫ କରିଥିଲେ ଓ ଅନେକ ଏନକାଉଣ୍ଟର ହତ୍ୟା ଘଟାଇଥିଲେ। ସରକାରଙ୍କ ଦମନ ପ୍ରତିବାଦରେ ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ, ଅଧ୍ୟାପକ, ସାମ୍ବାଦିକ, ଲେଖକ ଓ ସାମାଜିକ କର୍ମୀ ନକ୍ସଲବାଡ଼ି ଆନ୍ଦୋଳନରେ ଯୋଗଦେଇଥିଲେ।

ରବି ଦାଶ ମଧ୍ୟ ସରକାରୀ ଦମନରୁ ବାଦ ଯାଇନଥିଲେ। ସେ ‘ସରକାରଙ୍କୁ ଗାଦିଚ୍ୟୁତ କରିବା ଲାଗି ଷଡ଼ଯନ୍ତ୍ର କରିବା’ ଅଭିଯୋଗରେ ଚିତ୍ରକୋଣ୍ଡା ଠାରେ ଗିରଫ ହୋଇଥିଲେ। ଏଥିରେ କୌଣସି ହତ୍ୟା, ଦଙ୍ଗା, କିଛି ବି ହୋଇନଥିଲା। ମାଲକାନାଗିରିର ଚିତ୍ରକୋଣ୍ଡା ଡ୍ୟାମର ଅସ୍ଥାୟୀ ଶ୍ରମିକଙ୍କୁ ନେଇ ସରକାରଙ୍କ ବିରୋଧରେ ମିଟିଂ ହୋଇଥିଲା। ତାହାକୁ ଷଡ଼ଯନ୍ତ୍ର ଆଖ୍ୟା ଦେଇ କଂଗ୍ରେସ ସରକାର ଆଜୀବନ ସଜ୍ଜା ଶୁଣାଇଥିଲେ। ୧୯୭୫ ମସିହାରେ ଯେବେ ଜରୁରୀକାଳୀନ ସ୍ଥିତି ଲାଗୁ ହେଲା ସେତେବେଳେ ରବି ଦାଶ ଜେଲରେ ଥିଲେ। ପରେ ଜନତା ଦଳ ଶାସନ ଗଢ଼ିଥିଲା ଓ ତତ୍କାଳୀନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ ଭୂସଂସ୍କାର ଆନ୍ଦୋଳନରେ ସମ୍ପୃକ୍ତ ରହିଥିବା ସମସ୍ତ କର୍ମୀଙ୍କୁ ‘ରାଜନୈତିକ ବନ୍ଦୀ’ ଦର୍ଶାଇ ଜେଲରୁ ଖଲାସ କରିଥିଲେ। (ଉତ୍ସ- “ସଂଗ୍ରାମୀ ଚେତନାର ଗଣଭିତ୍ତି” ପତ୍ରିକାର ମଇ-ଜୁନ, ୨୦୨୧ ସଂଖ୍ୟା)

ଜେଲରୁ ମୁକ୍ତ ହେବା ପରେ ରବି ଦାଶ କମ୍ୟୁନିଷ୍ଟ ବିଚାରକୁ ନେଇ ସୃଷ୍ଟି ହୋଇଥିବା ଅନେକ ପାର୍ଟିଙ୍କୁ ଏକାଠି କରିବା ଲାଗି ଉଦ୍ୟମ ଆରମ୍ଭ କରିଥିଲେ। ମାତ୍ର ଅନୁଭୂତି ଥିଲା ବେଶ ତିକ୍ତ, ନିରୁତ୍ସାହପୂର୍ଣ୍ଣ। ତେଣୁ କମ୍ୟୁନିଷ୍ଟ ବିଚାର ତାଙ୍କୁ ଅଧିକ ଦିନ ବାନ୍ଧିପାରି ନଥିଲା। ଜେଲରୁ ବାହାରିବା ପରେ ‘ବିପ୍ଲବ ସନ୍ଦେଶ’ ନାମକ ପତ୍ରିକା ମଧ୍ୟ ପ୍ରକାଶ କରିଥିଲେ। ଏହାର ୧୦/୧୧ଟି ସଂଖ୍ୟା ପ୍ରକାଶ ପାଇଥିଲା। ଏହି ପତ୍ରିକାରେ ନିଜର ଅନୁଭୂତିକୁ ସେ ଲେଖିଥିବା କହିଥିଲେ। ଆଜି କିନ୍ତୁ ସେହି ପତ୍ରିକାର ପୁରୁଣା ସଂଖ୍ୟା ମିଳୁନାହିଁ।

ଏହା ପରେ ରବି ଦାଶଙ୍କ ଜୀବନର ଦ୍ଵିତୀୟ ପାଳି ଆରମ୍ଭ ହୋଇଥିଲା। ସେ କ୍ରମଶଃ ସର୍ବୋଦୟ ବିଚାର ସହିତ ଯୋଡ଼ି ହୋଇଗଲେ। ଏ ସମ୍ପର୍କରେ ସେ ସ୍ଵୀକାର କରନ୍ତି, ‘ଜରୁରୀକାଳୀନ ପରିସ୍ଥିତି ସମୟରେ ଯେଉଁ ଯେଉଁ ଗାନ୍ଧୀବାଦୀ ନେତାଙ୍କୁ ସେ ସମୟରେ କଂଗ୍ରେସର ନନ୍ଦିନୀ ଶତପଥୀ ସରକାର ଗିରଫ କରିଥିଲେ ସେମାନେ ସମସ୍ତେ ଜେଲରେ ଥିବାବେଳେ ବା ଜେଲରୁ ବାହାରିବା ପରେ ଜେଲକୁ ଆସି ମୋତେ ଦେଖା କରିଥିଲେ। ସେମାନଙ୍କ ମଧ୍ୟରେ ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ ପ୍ରମୁଖ ଥିଲେ। ମୁଁ ଜେଲରେ ଥିଲା ବେଳେ କୌଣସି ଆଦିବାସୀ ଅଞ୍ଚଳରେ ପୁଲିସର କିଛି ଦୌରାତ୍ମ୍ୟ କଥା ଜେଲ ଅନ୍ତେବାସୀଙ୍କ ଠାରୁ ଜାଣିଲେ ତୁରନ୍ତ ଜେଲ ଭିତରୁ ମାଳତୀ ଚୌଧୁରୀଙ୍କୁ ଚିଠି ଲେଖୁଥିଲି। ଏମିତି କୌଣସି ଦୁର୍ଗମ ଅଞ୍ଚଳ ସମ୍ପର୍କରେ ମୁଁ ଲେଖିଛି ଓ ସେ ଯାଇନାହାନ୍ତି, ତାହା କେବେ ହୋଇନାହିଁ। ସେ ତୁରନ୍ତ ସେହି ଅଞ୍ଚଳକୁ ଯାଉଥିଲେ ଓ ରିପୋର୍ଟ ପ୍ରକାଶ କରୁଥିଲେ। ମୁଁ ଜେଲରୁ ବାହାରିବା ପରେ ସେମାନଙ୍କ ସଂସ୍ପର୍ଶରେ ଆସିଥିଲି। ପୁଣି ୧୯୮୨ ମସିହାର ବନ୍ୟାରେ ସର୍ବୋଦୟ ରିଲିଫ କମିଟି ମୁଖ୍ୟ କ୍ଷେତ୍ରବାସୀ ପତି ଓ ଅନ୍ୟ ସାଥୀ ଜୀବନକୁ ବାଜି ଲଗେଇ ଅନେକ କାମ କରିଥିଲେ। ଏହି ସବୁ କାରଣ ହେତୁ ମୁଁ ସର୍ବୋଦୟ ଆଡ଼କୁ ଢଳିଲି।’

କଳାହାଣ୍ଡିର ପିଲା ବିକ୍ରି, ଅନାହାର ମୃତ୍ୟୁ ଓ ଦାରିଦ୍ର୍ୟ ରବି ଦାଶଙ୍କ ଉପରେ ଅଜସ୍ର ପ୍ରଭାବ ପକାଇଥିଲା। ସେ ଆଜିର ନୂଆପଡ଼ା ଜିଲ୍ଲା କୋମନା ଥାନାର ସିନ୍ଧିବାହେଲି ଗ୍ରାମରେ ‘କଳାହାଣ୍ଡି ବିକାଶ ପରିଷଦ’ ଗଠନ କରି ଖଦି ବସ୍ତ୍ର ତିଆରି କରିବା ଓ ଏହାକୁ ବିକ୍ରି କରିବା କାର୍ଯ୍ୟ କରିଥିଲେ। ସେହିଠାରେ ସେ ତୁଳା ବୁଣାଇ କେନ୍ଦ୍ର, ସୂତାକଟା କେନ୍ଦ୍ର ଓ ପ୍ରକ୍ରିୟାକରଣ କେନ୍ଦ୍ର ଇତ୍ୟାଦି କରିଥିଲେ। ୧୬୨ ଜଣ ଏହି ପରିଷଦରେ କାର୍ଯ୍ୟ କରୁଥିଲେ।

କିନ୍ତୁ ନୂଆପଡ଼ା ଜିଲ୍ଲାରେ ଲୋୟର ଇନ୍ଦ୍ର ପ୍ରକଳ୍ପ ଲାଗି ଜମି ଅଧିଗ୍ରହଣ କରାଯିବା କାରଣରୁ ସିନ୍ଧିବାହେଲି ବୁଡ଼ି ଗ୍ରାମମାନଙ୍କ ମଧ୍ୟରେ ଆସିଥିଲା। ରବି ଦାଶ ଏହା ପରେ ପୁଣି ତାରାପୁରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସର୍ବଦା ସମାଜ ପରିବର୍ତ୍ତନର ସ୍ଵପ୍ନ ଦେଖୁଥିବା ଏହି ମଣିଷ ଜଣକ ଶେଷ ଜୀବନରେ ଅତି ବ୍ୟଗ୍ର ଓ ଅସ୍ଥିର ହୋଇଉଠିଥିଲେ। କୋଭିଡ ହେତୁ ଲୋକଙ୍କ ମୃତ୍ୟୁ ତାଙ୍କୁ ଅଧିକ ବ୍ୟସ୍ତ କରିଦେଉଥିଲା। ଶେଷରେ କୋଭିଡ ସମୟରେ ଉପଯୁକ୍ତ ଚିକିତ୍ସା ନପାଇବା କାରଣରୁ ୧୨ ମେ’ ୨୦୨୧ରେ ତାଙ୍କର ଦେହାନ୍ତ ହୋଇଯାଇଥିଲା।

ମୋବାଇଲ - ୯୪୩୭୭୬୨୨୭୨

Odisha West Bengal Kalahandi Communism Gandhism
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe