Advertisment

ନିର୍ବାଚନ କମିଶନ ପାଇଁ ରାହୁଲଙ୍କ ଚ୍ୟାଲେଞ୍ଜ

ନିର୍ବାଚନ କମିଶନର ନିଜଆଡୁ ଏକ ନିରପେକ୍ଷ ତଦନ୍ତକାରୀ ସଂସ୍ଥା ଗଠନ କରି ରାହୁଲ ଗାନ୍ଧୀ ଉଠାଉଥିବା ଅଭିଯୋଗକୁ ପଠାଇଦେବା ଦରକାର। ଏହି ତଦନ୍ତକାରୀ ସଂସ୍ଥାକୁ ନିର୍ବାଚନ କମିଶନଙ୍କ ପାଖରେ ଥିବା ପ୍ରକୃତ ତଥ୍ୟ ଓ ସତ୍ୟଗୁଡ଼ିକ ପ୍ରଦାନ କଲେ ସଂପୃକ୍ତ ସଂସ୍ଥା ତଦନ୍ତ କରି ପ୍ରକୃତ ସତ୍ୟ ପଦାକୁ ଆଣିପାରିବ।

rahul gandhi

Rahul Gandhi Photograph: (Internet)

Advertisment

ରବି ଦାସ    

ଭୋଟ୍ ଚୋରି ଅଭିଯୋଗକୁ ସାବ୍ୟସ୍ତ କରିବା ପାଇଁ ରାହୁଲ ଗାନ୍ଧୀ ପୂର୍ବରୁ ଦୁଇଟି ସାମ୍ବାଦିକ ସମ୍ମିଳନୀରେ କିପରି ଭୋଟ୍ ଚୋରି ହେଉଛି ସେ ସଂକ୍ରାନ୍ତରେ ତଥ୍ୟଗତ ବିବରଣୀ ପ୍ରଦାନ କରିବା ପରେ ବୁଧବାର ଦିନ ଠିକ୍ ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣର ପୂର୍ବଦିନ ଗତ ହରିଆଣା ବିଧାନସଭା ନିର୍ବାଚନରେ କିପରି ଭୋଟ୍ ଚୋରି ହୋଇଥିଲା ସେ ସଂକ୍ରାନ୍ତରେ ଆଉ କେତେକ ତଥ୍ୟ ସହିତ ସାନି ଅଭିଯୋଗ ନିର୍ବାଚନ କମିଶନ ବିରୋଧରେ କରିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି ଯେ, ହରିଆଣାର ମୋଟ୍ ଭୋଟ୍ ୨ କୋଟି ହୋଇଥିବା ବେଳେ ସେଥିରୁ ୨୫ ଲକ୍ଷ ଭୋଟ୍ ଜାଲ। ଏହାକୁ ସେ ଏଚ୍‌-ଫାଇଲ୍‌ସ୍ ଭାବରେ ଉପସ୍ଥାପିତ କରିଥିଲେ ମଧ୍ୟ ତାଙ୍କର କେତେକ ପ୍ରଶଂସକ କହୁଛନ୍ତି ଯେ, ରାହୁଲ ଭୋଟ୍ ଚୋରିର ଯେଉଁ ହାଇଡ୍ରୋଜେନ୍ ବୋମା ପକାଇବେ ବୋଲି କହିଥିଲେ ଏହା ସେଥିରୁ ଗୋଟିଏ। କିନ୍ତୁ ଏହା ହାଇଡ୍ରୋଜେନ୍ ବୋମା ହେଇଥାଉ ବା ନାହିଁ, ଭୋଟ୍ କାରବାରରେ କେତେଗୁଡ଼ିଏ ବଡ଼ ଧରଣର ଅସଙ୍ଗତି ସଂକ୍ରାନ୍ତରେ ସେ ତଥ୍ୟ ସହିତ ଅଭିଯୋଗ କରିଛନ୍ତି। 

Advertisment

ହରିଆଣାର ରାଇ ବିଧାନସଭା ଆସନରେ ଜଣେ ବ୍ରାଜିଲିଆନ୍ ମଡେଲ୍‌ଙ୍କର ଫଟୋ ବ୍ୟବହାର ହୋଇ ବିଭିନ୍ନ ନାମରେ ୧୦ଟି ବୁଥ୍‌ରେ ୨୨ ଥର ଭୋଟ୍ ଦିଆଯାଇଛି। ପ୍ରାୟ ୮୦ ମିନିଟ୍‌ର ସାମ୍ବାଦିକ ସମ୍ମିଳନୀରେ ସେ ଉଲ୍ଲେଖ କରିଛନ୍ତି ଯେ, ୧,୨୪,୧୭୭ ଭୋଟର୍‌ଙ୍କର ଜାଲ ଫଟୋ ରହିଛି। ଗୋଟିଏ ଗୋଟିଏ ଫଟୋରେ ବହୁଗୁଡ଼ିଏ ଭୋଟର୍ ଆଇଡି ସୃଷ୍ଟି କରାଯାଇଛି ଓ ସେମାନେ ଭୋଟ୍ ଦେଇଛନ୍ତି। ସେ ଅଭିଯୋଗ କରିଥିଲେ ଯେ, ହରିଆଣାରେ ୫,୨୧,୬୧୯ ନକଲି ଭୋଟର୍ ଅଛନ୍ତି । ୯୩,୧୭୪ ଭୋଟର୍‌ଙ୍କ ଠିକଣା ଠିକ୍ ନାହିଁ। ୧୯,୨୬,୩୫୧ ଭୋଟର୍ ଗୋଟିଏ ଗୋଟିଏ ସ୍ଥାନରେ ଏତେ ସଂଖ୍ୟାରେ ଅଛନ୍ତି ଯେ, ଗୋଟିଏ ଘରେ ଏଗୁଡ଼ିକ କେବେ ସମ୍ଭବ ନୁହେଁ। ସେ ଗୋଟିଏ ଠିକଣା ଦେଖାଇ କହିଲେ ଯେ, ସେହି ଠିକଣାରେ ୫୫୧ ଜଣ ଭୋଟର୍ ସ୍ଥାନିତ ହୋଇଛନ୍ତି। ଦୁଇଟି ବୁଥ୍‌ରେ ୨୨୩ ଜଣ ଭୋଟର୍ ଗୋଟିଏ ଫଟୋଗ୍ରାଫ୍ ଆଧାରରେ ସ୍ଥାନିତ ଅଛନ୍ତି। ଏହିପରି ଶହ ଶହ ଭୋଟର୍ ସମ୍ପୂର୍ଣ୍ଣ ନକଲି ଭାବରେ ସ୍ଥାନିତ ହୋଇ ଭୋଟ୍ ଦେଇଛନ୍ତି। 

ଫଳରେ ଯେଉଁ ହରିଆଣା ନିର୍ବାଚନରେ କଂଗ୍ରେସ ଦଳ ସମ୍ପୂର୍ଣ୍ଣ ବିଜୟ ହାସଲ କରିବେ ବୋଲି ଦେଶର ସବୁ ସଂସ୍ଥାର ଏକ୍ସିଟ୍ ପୋଲ୍‌ରେ ଦର୍ଶାଯାଇଥିଲା ସେଠାରେ କଂଗ୍ରେସ ଦଳ ମାତ୍ର ୨୨,୦୦୦ ଭୋଟ୍‌ରେ ହାରିଗଲା। ଅବଶ୍ୟ ଏହି ୨୨,୦୦୦ ଭୋଟ୍ ବ୍ୟବଧାନ କଥା ୮ଟି ଆସନର। କାରଣ କଂଗ୍ରେସ ଏହି ୮ଟି ଆସନ ପାଇଥିଲେ ହରିଆଣାରେ ସରକାର କରିଥାନ୍ତା। ରାହୁଲ ସିଧାସଳଖ ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ କମିଶନର ବିଜେପିକୁ ସହାୟତା କରିବା ପାଇଁ ଏହି ଭୋଟ୍ ଚୋରି ପ୍ରକ୍ରିୟା ଚଳାଇଛି। ଯେଉଁ ଭୋଟର୍‌ଙ୍କର ଘରର ଠିକଣା ଶୂନ ବୋଲି ଲେଖାଯାଉଛି, ଯାହାକୁ ନିର୍ବାଚନ କମିଶନ କହୁଛନ୍ତି ଯେ, ସେମାନେ ଘର ନଥିବା ଭୋଟର୍। କିନ୍ତୁ କଂଗ୍ରେସର ଟିମ୍ ଏହି ଘର ନଥିବା ଭୋଟର୍‌ମାନଙ୍କ ପାଖରେ ପହଂଚି ଦେଖିଛନ୍ତି ଯେ, ସେମାନେ ବେଶ୍ ଭଲ ଘରେ ଅଛନ୍ତି। 

Advertisment

ରାହୁଲଙ୍କର ଭୋଟ ଚୋରି ନେଇ ଅଭିଯୋଗ ପରେ ନିର୍ବାଚନ କମିଶନର ପକ୍ଷରୁ ପ୍ରକାଶିତ ପ୍ରେସ୍ ବିବୃତିରେ କୁହାଯାଇଛି ଯେ, ରାହୁଲ କରୁଥିବା ଅଭିଯୋଗଗୁଡ଼ିକ ଭିତିହୀନ। କାହିଁକି କଂଗ୍ରେସର ବୁଥ୍‌ରେ ଥିବା ଏଜେଂଟମାନେ ଏକାଧିକ ଭୋଟ୍ ଦେଉଥିବା ଲୋକମାନଙ୍କୁ ସେତେବେଳେ ଚିହ୍ନଟ କରି ପ୍ରତିବାଦ କଲେ ନାହିଁ? ବାସ୍ତବରେ ଭୋଟର୍ ଲିଷ୍ଟରେ ଥିବା ତାଲିକାକୁ ଶୁଦ୍ଧ କରିବା ପାଇଁ ଏସ୍‌ଆଇଆର୍ କରାଯାଉଛି। କିନ୍ତୁ ରାହୁଲ୍ ଗାନ୍ଧୀ ତାକୁ ମଧ୍ୟ ବିରୋଧ କରୁଛନ୍ତି। ନିର୍ବାଚନରେ ଯଦି ଏତେଗୁଡ଼ିଏ ତ୍ରୁଟି ରହିଛି ତେବେ ରାହୁଲ ଗାନ୍ଧୀ ଅଦାଲତର ଆଶ୍ରୟ ନେଉନାହାନ୍ତି କାହିଁକି? ଅଦାଲତ ଆଗରେ ସେ ଏହି ତଥ୍ୟକୁ ଉପସ୍ଥାପିତ କରନ୍ତୁ। ପଞ୍ଜାବ, ହାରିଆଣା ହାଇକୋର୍ଟରେ କେତେଗୁଡ଼ିଏ ନିର୍ବାଚନ ମାମଲା ଏବେ ବି ରହିଛି ଓ ରାହୁଲ ଗାନ୍ଧୀ ଦର୍ଶାଉଥିବା ତଥ୍ୟକୁ ଅଦାଲତରେ ସାକ୍ଷ୍ୟ ଭାବରେ ପ୍ରଦାନ କରନ୍ତୁ ବୋଲି ନିର୍ବାଚନ କମିଶନ ପରାମର୍ଶ ଦେଇଛନ୍ତି। 

ତେବେ, ରାହୁଲ ଗାନ୍ଧୀ ତିନୋଟି ଯାକ ସାମ୍ବାଦିକ ସମ୍ମିଳନୀରେ ଓ ବିଶେଷ ଭାବରେ ବୁଧବାର ଦିନ କରାଯାଇଥିବା ହରିଆଣା ବିଧାନସଭା ନିର୍ବାଚନ ନେଇ ଗୋଟିଏ ପଟରେ ଏକାଧିକ ଭୋଟର୍ ଓ ଜଣେ ଜଣେ ଭୋଟର୍ ଏକାଧିକ ଭୋଟ୍ ଦେବାର ଯେଉଁସବୁ ତଥ୍ୟ ଦେଇଛନ୍ତି, ତାହାକୁ ନିର୍ବାଚନ କମିଶନ ଖଣ୍ଡନ କରିନାହାନ୍ତି। ଅପରପକ୍ଷରେ ରାହୁଲ ଗାନ୍ଧୀଙ୍କ ଅଭିଯୋଗଗୁଡ଼ିକ ଭିତ୍ତିହୀନ ଓ ଭାରତର ଗଣତାନ୍ତ୍ରିକ ଅନୁଷ୍ଠାନକୁ ଦୁର୍ବଳ କରି ଭାରତର ଭାବମୂର୍ତ୍ତିକୁ ନଷ୍ଟ କରିବା ରାହୁଲଙ୍କ ଲକ୍ଷ୍ୟ ବୋଲି ବିଜେପି ବୟାନ ଦେଇଛି। ବିଜେପିର ଯୁକ୍ତି ହେଲା ଯେ, ଦେଶ ବାହାରେ ଥିବା ଅନେକ ଶକ୍ତି ଯେଉଁମାନେ ଭାରତକୁ ଦୁର୍ବଳ କରିବାକୁ ଚାହାନ୍ତି ସେମାନେ ରାହୁଲଙ୍କୁ ବ୍ୟବହାର କରି ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବାକୁ ଚାହୁଁଛନ୍ତି। କିନ୍ତୁ ଦେଶର ଯୁବଶକ୍ତି ନରେନ୍ଦ୍ର ମୋଦୀଙ୍କ ସହିତ ରହିଥିବାରୁ ଏହି ଗୋଷ୍ଠିକୁ ଉସ୍‌କାଇ ରାହୁଲ ଦେଶରେ ଯେଉଁ ଅଶାନ୍ତି କରିବାକୁ ଚାହୁଁଛନ୍ତି ତାହା ସଫଳ ହେବନାହିଁ। 

ରାହୁଲ ଗାନ୍ଧୀ ଦେଶର ବିରୋଧୀ ଦଳର ନେତା ଓ ତାଙ୍କର ଏକ ସାମ୍ବିଧାନିକ ଦାୟିତ୍ୱ ମଧ୍ୟ ରହିଛି। ସେ ଯଦି ଦେଶର ନିର୍ବାଚନ ବ୍ୟବସ୍ଥାରେ ଭୋଟର୍ ଲିଷ୍ଟ ଓ ଭୋଟ୍‌ଦାନ ପ୍ରକ୍ରିୟାରେ ଗୁରୁତର ତ୍ରୁଟି ବିଷୟ ବାରମ୍ବାର ଉଲ୍ଲେଖ କରୁଛନ୍ତି ତେବେ ନିର୍ବାଚନ କମିଶନଙ୍କର ଦାୟିତ୍ୱ ହେଉଛି ଏହି ଅଭିଯୋଗ ଗୁଡ଼ିକ ଅସତ୍ୟ ବୋଲି ତଥ୍ୟ ସହିତ ଉପସ୍ଥାପିତ କରିବା। କିନ୍ତୁ ନିର୍ବାଚନ କମିଶନର ଏହିସବୁ ଅଭିଯୋଗର ତଦନ୍ତ ନକରି କେବଳ ପ୍ରେସ୍‌ନୋଟ୍ ଜରିଆରେ ଏଗୁଡ଼ିକ ଅସତ୍ୟ କହିବା ଫଳରେ ଦେଶର ବିରୋଧୀ ପକ୍ଷରେ ଥିବା ଲୋକମାନଙ୍କର ଦୃଢ଼ ଧାରଣା ହେଉଛି ଯେ, ଦେଶରେ ସ୍ୱଚ୍ଛ ଓ ସୁସ୍ଥ ନିର୍ବାଚନ କରାଯାଉନାହିଁ ଓ ଜାଲିଆତି ପ୍ରକ୍ରିୟାରେ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରାଯାଉଛି। ନିର୍ବାଚନ କମିଶନର ଏକ ସ୍ୱତନ୍ତ୍ର ଓ ସ୍ୱାଧୀନ ସାମ୍ବିଧାନିକ ସଂସ୍ଥା। ଏହାର ସ୍ୱତନ୍ତ୍ରତା ଓ ବିଶ୍ୱସନୀୟତାକୁ ରକ୍ଷା କରିବା ଦାୟିତ୍ୱ ମଧ୍ୟ ନିର୍ବାଚନ କମିଶନଙ୍କର। 

ରାହୁଲ ଗାନ୍ଧୀ କାହିଁକି ଅଦାଲତ ଯାଉନାହାନ୍ତି ବୋଲି କହି ଅଭିଯୋଗଗୁଡ଼ିକୁ ସହଜରେ ଏଡ଼ାଇ ହେବନାହିଁ। କାରଣ ଭାରତରେ ନିର୍ବାଚନ ସଂକ୍ରାନ୍ତୀୟ ଯେକୌଣସି ମାମଲାର ପ୍ରକୃତ ବିଚାର କେତେ ସମୟ ଲାଗେ ତାହା ସମସ୍ତଙ୍କୁ ଜଣାଅଛି। ନିର୍ବାଚନ କମିଶନର ନିଜଆଡୁ ଏକ ନିରପେକ୍ଷ ତଦନ୍ତକାରୀ ସଂସ୍ଥା ଗଠନ କରି ରାହୁଲ ଗାନ୍ଧୀ ଉଠାଉଥିବା ଅଭିଯୋଗକୁ ପଠାଇଦେବା ଦରକାର। ଏହି ତଦନ୍ତକାରୀ ସଂସ୍ଥାକୁ ନିର୍ବାଚନ କମିଶନଙ୍କ ପାଖରେ ଥିବା ପ୍ରକୃତ ତଥ୍ୟ ଓ ସତ୍ୟଗୁଡ଼ିକ ପ୍ରଦାନ କଲେ ସଂପୃକ୍ତ ସଂସ୍ଥା ତଦନ୍ତ କରି ପ୍ରକୃତ ସତ୍ୟ ପଦାକୁ ଆଣିପାରିବ। 

ନିର୍ବାଚନ କମିଶନ ପାଇଁ ଅନ୍ୟ ଏକ ବାଟ ହେଉଛି ଯେ, ରାହୁଲଙ୍କ ଅଭିଯୋଗ ଉପରେ ସବୁ ରାଜନୀତିକ ଦଳମାନଙ୍କର ବୈଠକ ଡାକି ଦେଶର ଗଣତାନ୍ତ୍ରିକ ଅନୁଷ୍ଠାନକୁ ଦୁର୍ବଳ କରିବା ପାଇଁ ଚାଲିଥିବା ପ୍ରକ୍ରିୟା କିପରି ବନ୍ଦ ହେବ ସେ ବିଷୟରେ ଆଲୋଚନା କରିପାରିବେ। ନିର୍ବାଚନରେ ଗୋଟିଏ ପକ୍ଷରେ ସରକାର ଓ ସରକାରୀ ଦଳ ଓ ଅନ୍ୟପକ୍ଷରେ ବିରୋଧୀ ଦଳମାନେ ରହିଛନ୍ତି। କିନ୍ତୁ ନିର୍ବାଚନ କମିଶନର୍ ସବୁ ଦଳ ପାଇଁ ଓ ସମସ୍ତଙ୍କ ପାଇଁ ଅମ୍ପାୟାର୍ ଭାବରେ କାମ କରିବା ନିହାତି ଆବଶ୍ୟକ। ଯଦି ଅମ୍ପାୟାର୍ ଉପରେ ଭରଷା ତୁଟିଯାଏ, ତେବେ ଖେଳ ପ୍ରକୃତ ପ୍ରତିଯୋଗିତା ମୂଳକ ହୋଇପାରିବ ନାହିଁ। 

ରାହୁଲ ଗାନ୍ଧୀଙ୍କ ଅଭିଯୋଗଗୁଡ଼ିକ ଭିତ୍ତିହୀନ ଓ ବିଦେଶରେ ଭାରତକୁ ଦୁର୍ବଳ କରିବାକୁ ଚାହୁଁଥିବା ଶକ୍ତିମାନଙ୍କ ଇଙ୍ଗିତରେ କରାଯାଉଥିବା ନେଇ ବିଜେପି ପକ୍ଷରୁ ଯେପରି ଭାବରେ ଅଭିଯୋଗ ଖଣ୍ଡନ କରାଯାଉଛି ସେଥିରେ ବିଶ୍ୱସନୀୟତା ଆସିବା କଷ୍ଟକର। ହରିଆଣାରେ କଂଗ୍ରେସ ହାରିଯାଇଥିବାରୁ ରାହୁଲ ଗାନ୍ଧୀ ସେହି ନିର୍ବାଚନରେ ଅସାଧୁତା ନେଇ ଅଭିଯୋଗ ଆଣୁଛନ୍ତି ବୋଲି ମଧ୍ୟ ତାଙ୍କ ବିରୋଧୀମାନେ କହିପାରିବେ। କିନ୍ତୁ ହରିଆଣାରେ ପ୍ରକୃତ ସ୍ଥିତି କଂଗ୍ରେସ ସପକ୍ଷରେ ଥିଲା ବୋଲି ସେ ସମସ୍ତ ଏକ୍ସିଟ୍ ପୋଲ୍ ଫଳାଫଳକୁ ନେଇ ମନ୍ତବ୍ୟ ଦେବା ସହିତ ଭୋଟର୍ ତାଲିକା ଓ ଭୋଟଦାନ ପ୍ରକ୍ରିୟାରେ ଅସାଧୁତାର କଥା ଭୋଟର୍ ତାଲିକାକୁ ଆଧାର କରି କହିବା ସହିତ ସେଠାରେ ଭୋଟ୍ ଚୋରି ହୋଇଥିବା ଅଭିଯୋଗ କରୁଛନ୍ତି। ପୂର୍ବରୁ କର୍ଣ୍ଣାଟକର ମହାଦେବପୁର ବିଧାନସଭା କ୍ଷେତ୍ରରେ ସେ ଭୋଟର୍ ତାଲିକାରେ ନାମ ଯୋଡ଼ିବା ଓ କାଟିବା ପ୍ରକ୍ରିୟାରେ ଅସାଧୁତା କଥା କହିଥିଲେ। 

କଂଗ୍ରେସର ବୁଥ୍ ଏଜେଂଟ ଓ ପୋଲିଂ ଏଜେଂଟମାନେ ଏହିସବୁ ତ୍ରୁଟି ବିଷୟରେ ସେତେବେଳେ କାହିଁକି ଉତ୍‌ଥାପନ କରିନଥିଲେ ବୋଲି ପ୍ରଶ୍ନ କରାଯାଉଛି। ନିର୍ବାଚନର ଠିକ୍ ପୂର୍ବରୁ ରାଜନୈତିକ ଦଳମାନଙ୍କୁ ଦିଆଯାଉଥିବା ଭୋଟର୍ ତାଲିକାରେ ସମସ୍ତ ତ୍ରୁଟି ଦେଖାଇବା ସମ୍ଭବ ନୁହେଁ ବୋଲି କଂଗ୍ରେସ ଓ ବିରୋଧୀ ପକ୍ଷ ବୁଥ୍‌ରେ ନାମ ଯୋଗ କରିବା ଓ ନାମ କାଟିବା ବିଷୟରେ ବୁଥ୍ ଏଜେଂଟମାନଙ୍କୁ ଜଣାଇ ଦିଆଯାଏ ବୋଲି କୁହାଯାଉଛି। କିନ୍ତୁ ସବୁ ଦଳର ସବୁ ବୁଥ୍‌ରେ ଯୋଗ୍ୟ ବୁଥ୍ ଏଜେଂଟ ନଥାନ୍ତି। ଭାରତରେ ଗଣତନ୍ତ୍ରକୁ ଭଲପାଉଥିବା ଓ ସ୍ୱଚ୍ଛ ନିର୍ବାଚନ ବ୍ୟବସ୍ଥାରେ ବିଶ୍ୱାସ କରୁଥିବା ଲୋକମାନେ ଚାହାଁନ୍ତି ଯେ, ରାହୁଲ ଗାନ୍ଧୀ ଉଠାଉଥିବା ଅଭିଯୋଗଗୁଡ଼ିକ ଅସତ୍ୟ ବୋଲି ନିର୍ବାଚନ କମିଶନ ପ୍ରମାଣ କରିଦେବା ଦରକାର। କେବଳ ପ୍ରେସ୍ ବିବୃତି ଜରିଆରେ ଏହା ସମ୍ଭବ ନୁହେଁ। 

ଗୋଟିଏ ଫଟୋ ଏକାଧିକ ଭୋଟର୍ ଆଇଡ଼ିରେ ବ୍ୟବହାର ହୋଇଥିବା ତଥ୍ୟ ଭୁଲ୍ ନୁହେଁ। ଏହା କୌଣସି ଉଦ୍ଦେଶ୍ୟମୂଳକ ଭାବରେ କରାଯାଉଛି ବୋଲି ସିଧା କହିବା ଠିକ୍ ନୁହେଁ। କିନ୍ତୁ ଭୁଲ୍‌ଗୁଡ଼ିକ ସୁଧାରିବା ଦରକାର। ସେହିପରି ଗୋଟିଏ ଘରେ ଶତାଧିକ ଭୋଟ୍ ଥିବା ଘରଗୁଡ଼ିକୁ ସ୍ୱତନ୍ତ୍ର ଭାବରେ ଯାଂଚ କରାଯିବା ଉଚିତ୍ ନୁହେଁ କି? ନିର୍ବାଚନ କମିଶନ୍‌ର ବିଶ୍ୱସନୀୟତା ନଷ୍ଟ ହେଲେ ଗଣତନ୍ତ୍ର ଓ ଭୋଟ୍ ପ୍ରକ୍ରିୟା ଏକ ପ୍ରହସନରେ ପରିଣତ ହୋଇଯିବ।

ଫୋ- ୯୪୩୭୪୦୪୪୫୫

Rahul Gandhi Election Commission Chief Election Commission Election Commission Of India Chief Election Commissioner
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe