ରବି ଦାସ
ରାଜ୍ୟ ବିଧାନସଭାରେ ତାରା ବାହିନୀପତିଙ୍କର ଏକ ପ୍ରଶ୍ନର ଉତ୍ତର ଦେଇ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ଯେ ଓଡ଼ିଶାରେ ବେଆଇନ ଖଣି ଖନନ ନେଇ ସୁପ୍ରିମ୍ କୋର୍ଟରେ ହୋଇଥିବା ଅଭିଯୋଗ ପରେ କେନ୍ଦ୍ରୀୟ କ୍ଷମତାପନ୍ନ କମିଟି (ସିଇସି)ଙ୍କ ମତାମତକୁ ବିଚାର କରି ମାନ୍ୟବର ସୁପ୍ରିମ୍ କୋର୍ଟ ସଂପୃକ୍ତ ବେଆଇନ ଖଣି ଉତ୍ତୋଳନକାରୀ ଖଣି ପଟ୍ଟାଦାରମାନଙ୍କ ଠାରୁ କ୍ଷତିପୂରଣ ଆଦାୟ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ସେଥିମଧ୍ୟରୁ ରାଜ୍ୟ ସରକାର ୧୮,୧୬୯ କୋଟି ୧୪ ଲକ୍ଷ ଟଙ୍କାର ଜୋରିମାନା ଆଦାୟ କରିଛନ୍ତି। ଏହି ଜୋରିମାନା ଦେଇନଥିବା ପଟ୍ଟାଦାରଙ୍କ ଭିତରୁ ୨୨ ଜଣଙ୍କ ବିରୋଧରେ ସାଟିଫିକେଟ୍ କେଶ୍ କରାଯାଇଛି। ଏହାଛଡ଼ା ଖଣି ଅଂଚଳରେ ଗଚ୍ଛିତ ଥିବା ୩୦ ଜଣ ପଟ୍ଟାଦାରଙ୍କ ଉପରୁ ୩୬୨ କୋଟି ୬ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ବୈଧାନିକ ଅନୁମତିର ବିରୁଦ୍ଧାଚରଣ ଯୋଗୁ ୧୦୮ ଜଣ ଖଣି ପଟ୍ଟାଦାରଙ୍କ ଉପରେ ୧୮୯୦ କୋଟି ୮୩ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଏହି ଘଟଣା ପରେ ଆଉ ରାଜ୍ୟରେ ବେଆଇନ୍ ଖଣି ଖନନ ହେଉନାହିଁ ବୋଲି ଇସ୍ପାତ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି।
ଏହା ସତ୍ୟ ଯେ, ବେଆଇନ୍ ଖଣି କାରବାର ନେଇ ୨୦୧୦ ରେ ସୁପ୍ରିମ୍ କୋର୍ଟକୁ ମାମଲା ଦେବା ପରେ ବେଆଇନ୍ ଖଣି ଓ ଖଣି ପଟ୍ଟାଦାର୍ମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଛି। ଏହାପରେ ଖଣି ଆଇନର ପରିବର୍ତ୍ତନ ହୋଇଛି ଓ ଲିଜ୍ ବଦଳରେ ଏବେ ନିଲାମୀ ପ୍ରକ୍ରିୟାରେ ଖଣି ଦିଆଯାଉଛି। ଏହା ପରେ ରାଜ୍ୟର ଖଣି ରାଜସ୍ୱ ଯଥେଷ୍ଟ ବଢ଼ିଛି। କିନ୍ତୁ ଏହାର ଅର୍ଥ ନୁହେଁ ଖଣି କାରବାରରେ ବେଆଇନ କାର୍ଯ୍ୟକଳାପ ଓ ବିପୁଳ କଳାଧନ ଠୁଳ କରିବାର ପନ୍ଥା ବନ୍ଦ ହୋଇଯାଇଛି। ନିକଟରେ ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା ଗନ୍ଧମାର୍ଦ୍ଦନ ଖଣିରେ ଲୋଡିଂ ଓ ଟ୍ରାନ୍ସପୋଟିଂ ଏଜେନ୍ସି ଭାବରେ କାମ କରୁଥିବା ଏକ ସଂସ୍ଥା ଉପରେ ଚଢ଼ଉ କରି ରାଜା ଚକ୍ର ଓ ତାହାର ସାଥୀମାନଙ୍କୁ ଗିରଫ କରି ଗତ ୫ ବର୍ଷରେ ସେମାନେ ୧୮୫ କୋଟି ଟଙ୍କା ଆଦାୟ କରିଥିବାର ଅଭିଯୋଗ ଆଣିଛନ୍ତି। ଗନ୍ଧମାର୍ଦ୍ଦନ ହେଉଛି ଖୋଦ୍ ରାଜ୍ୟ ସରକାରଙ୍କ ଅଧୀନ ଖଣି ନିଗମର ଏକ ଖଣି। ଏବେ ଯେଉଁ ତଥ୍ୟ ପ୍ରକାଶ ପାଉଛି ସେଥିରେ କେବଳ ରାଜା ଚକ୍ର ଓ ତାଙ୍କର ଲୋଡିଂ ଓ ଟ୍ରାନ୍ସପୋର୍ଟିଂ ଏଜେନ୍ସି ବହୁ ପରିମାଣର କଳାଧନ ଆଦାୟ କରୁଛନ୍ତି। ସେମାନଙ୍କର ବିଳାସପୂର୍ଣ୍ଣ ଜୀବନ ସହିତ ବିସ୍ତୃତ କୋଠାବାଡ଼ି, ଦାମୀଗାଡ଼ି, ଫାର୍ମ ହାଉସ୍ ଓ ବିଭିନ୍ନ ହୋଟେଲ୍ ଓ ମଲ୍ରେ ମାଲିକ ହୋଇଛନ୍ତି।
କେବଳ ସେତିକି ନୁହେଁ ଏହି ସୂତ୍ରରୁ ଆଦାୟ କଳାଧନର ଏକ ବଡ଼ ଅଂଶ ତତ୍କାଳୀନ କ୍ଷମତାଧିକାରୀ, ଜିଲ୍ଲାପାଳ, ଏସ୍ପି ଓ ଅନ୍ୟ ନେତାମାନଙ୍କୁ ଯାଇଥିବାର କୁହାଯାଉଛି। ଏହା ତ’ ମାତ୍ର ଗୋଟିଏ ଖଣି ନିଗମ ଅଧୀନ ଖଣିର ଦୃଶ୍ୟ। ଏହା ସହିତ ଖଣି ନିଗମ ହାତରେ ପ୍ରାୟ ୧୮ଟି ଉତ୍ପାଦନକ୍ଷମ ଖଣି ରହିଛି। ସେହି ସବୁଥିରେ ଏହିପରି କଳା କାରନାମା ଓ କଳାଧନ ଆଦାୟର ପ୍ରକୃଷ୍ଟ କ୍ଷେତ୍ରମାନ ରହିଛି। ଉଦାହରଣ ସ୍ୱରୂପ ଗନ୍ଧମାର୍ଦ୍ଦନରେ ଯେଉଁ ଦୃଶ୍ୟର କିଛି ଅଂଶ ଏବେ ଜନ ସାଧାରଣ ଜାଣିପାରିଛନ୍ତି ସେହିପରି ଆହୁରି ଭୟାନକ ଦୃଶ୍ୟ ଦୈତାରୀ ଖଣିରେ ମଧ୍ୟ ରହିଛି। ରାଜା ଚକ୍ର ଗିରଫ ହେଲା ପରେ ଗନ୍ଧମାର୍ଦ୍ଦନ ଖଣିରୁ ଯେଉଁ କଳାଟଙ୍କା ପ୍ରତିଦିନ ଆଦାୟ ହେଉଥିଲା ଏବେ କ’ଣ ତାହା ବନ୍ଦ ହୋଇଯାଇଛି? ରାଜା ଚକ୍ରଙ୍କ ସ୍ଥାନରେ ଆଉ କେହି ସେହି ସ୍ଥାନ ଦଖଲ କରିନେଇଛନ୍ତି। ସେହିପରି ଦୈତାରୀ ଖଣିରେ ମଧ୍ୟ ଏକଲା ରାଜା ଚକ୍ରଙ୍କର ପ୍ରଭାବ ଥିଲା। କିନ୍ତୁ ସେ ସେଠାରୁ ଚାଲିଗଲା ପରେ ସେହି କଳାଟଙ୍କା ଆଦାୟ ବନ୍ଦ ହୋଇନାହିଁ। ଏବେ ବି ଚାଲିଛି। ସେତେବେଳେ ଯେଉଁମାନେ ଏହି କଳାଟଙ୍କା ସାହାଯ୍ୟରେ ସେମାନଙ୍କ ସମ୍ପତିର ସାମ୍ରାଜ୍ୟ ବୃଦ୍ଧି କରୁଥିଲେ ଏବେ ଅନ୍ୟମାନେ ସେହି କାମରେ ଅଛନ୍ତି।
ଅସଲକଥା ହେଉଛି, ରାଜ୍ୟରେ ଖଣି ସୂତ୍ରରୁ ଆଇନସିଦ୍ଧ ଭାବେ ଯାହା ଉତ୍ପାଦନ ପାଇଁ ମଞ୍ଜୁର ଦିଆଯାଉଛି ଓ ଯେଉଁଥିରୁ ରାଜ୍ୟ ସରକାର ଖଣି ରାଜସ୍ୱ ପାଉଛନ୍ତି ତାହା ବାହାରେ ଖଣିକୁ କେନ୍ଦ୍ର କରି ଲୋଡିଂ ଓ ଟ୍ରାନ୍ସପୋର୍ଟିଂ ସମେତ ସମସ୍ତ ବ୍ୟବସ୍ଥା ଏପରି କରାଯାଇଛି ଯେ, ସେଥିରେ ପ୍ରତି ସ୍ତରରେ ଟନ୍ ପିଛା ଚାନ୍ଦା ବା ବଟି ଆକାରରେ କଳାଧନ ଆଦାୟ କରାଯାଉଛି। ଯେତେବେଳେ ଯିଏ ସରକାରୀ କଳକୁ ନିୟ ନିୟନ୍ତ୍ରଣକୁ ନେଇପାରୁଛନ୍ତି ଓ ରାଜା ଚକ୍ର ଯେପରି କ୍ଷତିଗ୍ରସ୍ତ ଶ୍ରମିକମାନଙ୍କ ପାଇଁ ସୋସାଇଟି ଜରିଆରେ ଲୋଡିଂ ଏଜେନ୍ସି ଓ ଟ୍ରାନ୍ସପୋର୍ଟ ଏଜେନ୍ସି ପାଇଥିଲେ, ସବୁ ଖଣିରେ ସେହିପରି ବ୍ୟବସ୍ଥା ଅଛି। ଅସଲକଥା ହେଉଛି କ୍ଷମତା ଯାହା ସହିତ ରହୁଛି ସିଏ ସହଜରେ ଶ୍ରମିକ ଆସୋସିଏସନ୍ ସହିତ ଟ୍ରାନ୍ସପୋର୍ଟ ଆସୋସିଏସନ୍କୁ ନିୟନ୍ତ୍ରଣ କରିନେଉଛି। କିନ୍ତୁ କଳାଧନ ଆଦାୟ ଟନ୍ ପିଛା କରାଯିବାର ଯେଉଁ ସିଷ୍ଟମ୍ ପ୍ରତିଷ୍ଠିତ ହୋଇଛି ତାହା ବଳବତ୍ତର ହେଉଛି।
ଖଣି ନିଗମ ଯେହେତୁ ରାଜ୍ୟ ସରକାରଙ୍କ ଏକ ଉଦ୍ୟୋଗ ତେଣୁ ଖଣି ନିଗମ କର୍ମକର୍ତାମାନେ ସରକାରଙ୍କ ଇଙ୍ଗିତକୁ ଅପେକ୍ଷା କରି ସେହି ଅନୁସାରେ କେତେବେଳେ କାହାକୁ ଏହି ସୁବିଧା ଦେବେ ତାହା ସ୍ଥିର କରୁଛନ୍ତି। ଓଡ଼ିଶାରେ ଅନ୍ୟ ଯେଉଁସବୁ ଘରୋଇ ଖଣି ପଟ୍ଟାଦାର ଅଛନ୍ତି ସେମାନଙ୍କ ଅଧିକାଂଶ କାର୍ଯ୍ୟ କେବଳ ଗୋଟିଏ ଜଣାଶୁଣା ସଂସ୍ଥା ତାରିଣୀ ଆର୍ଥ ମୁଭର୍ସ ଯାହାଙ୍କୁ ଲୋକ ସାଧାରଣତଃ ପ୍ରଭାକରନଙ୍କ କମ୍ପାନୀ ବୋଲି ଭାବୁଛନ୍ତି ସେମାନେ ସମସ୍ତ ଦାୟିତ୍ୱକୁ ଏପରି ଦକ୍ଷତାର ସହିତ କରୁଛନ୍ତି ଯେ, ସେଠାରେ ଅନ୍ୟମାନେ କେହି ତାଙ୍କ ବିନା ସମ୍ମତିରେ କଳାଧନ ରୋଜଗାର କରିବା ହୁଏତ କଷ୍ଟକର। ସବୁଠାରେ ସେହି ସୁବିଧା ଅଛି। ଅପରପକ୍ଷରେ ଖଣି ନିଗମ ଖଣି ଉତ୍ତୋଳନ ପାଇଁ ରେଜିଂ କଂଟ୍ରାକ୍ଟର୍ ନିଯୁକ୍ତ କରୁଛନ୍ତି। ପ୍ରଭାକରନଙ୍କ ପାଖରେ ଖଣିଜ ପଦାର୍ଥ ଉତ୍ତୋଳନ ନିମନ୍ତେ ଯେଉଁ ଅତ୍ୟାଧୁନିକ ମେସିନ୍ ସବୁ ରହିଛି ତାହା ଅନେକ ଘରୋଇ କଂଟ୍ରାକ୍ଟ୍ରରଙ୍କ ପାଖରେ ନାହିଁ। ତେଣୁ ସେମାନେ ଏହି ମେସିନ୍ ନିଜେ ଖରିଦ ନକରି ବଡ଼ ବଡ଼ ନେତାମାନଙ୍କ ଠାରୁ ଅର୍ଥ ଆଣି ମେସିନ୍ ସବୁ ଆଣୁଛନ୍ତି। ଏହି ମେସିନ୍ଗୁଡ଼ିକ ଉପରେ ଅର୍ଥ ଖଟାଇଥିବା ନେତାମାନେ ଟନ୍ ପିଛା ବେଶ୍ ଅର୍ଥ ଆଦାୟ କରୁଛନ୍ତି।
ବାସ୍ତବରେ ଦେଖିବାକୁ ଗଲେ ଖଣି ସାମ୍ରାଜ୍ୟରେ ଧଳା ଅର୍ଥ ଯାହାକି ରାଜ୍ୟ ସରକାର ଜାଣିପାରୁଛନ୍ତି ଓ ରାଜସ୍ୱ ଆଦାୟ କରୁଛନ୍ତି ତାହା ବାହାରେ ସେହି ପରିମାଣର କଳାଧନ ରେଜିଂ, ଲୋଡିଂ ଓ ଟ୍ରାନ୍ସପୋର୍ଟିଂ ଜରିଆରେ ଆଦାୟ କରାଯାଉଛି। କେଉଁ ଗାଡ଼ିକୁ କେତେବେଳେ ଲୋଡ଼ିଂ ଦିଆଯିବ ଓ କେଉଁ ଗାଡ଼ି କେତେ ମାଲ୍ କେଉଁ ସମୟରେ ନେବେ ତାହା ପ୍ରତ୍ୟେକ ଖଣିରେ ଅବସ୍ଥିତ ଆସୋସିଏସନ୍ ଗୁଡ଼ିକ ସ୍ଥିର କରୁଛନ୍ତି। ଖଣି କାରବାରରୁ ଏହି ବିପୁଳ କଳାଧନ କାରବାର ଉପରେ ଓଡ଼ିଶାର ରାଜନୀତି ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇଯାଇଛି। ଗୁରୁ ଖଣିଜ ପଦାର୍ଥଗୁଡ଼ିକ ଛଡ଼ା ଲଘୁ ଖଣିଜ ପଦାର୍ଥ ଯଥା- ବାଲି, ପଥର, ଚିପ୍ସ୍ ପ୍ରଭୃତି ଯେଉଁଗୁଡ଼ିକ ରାଜ୍ୟର ବିକାଶ ଓ ନିର୍ମାଣ ପାଇଁ ସରକାରୀ ଓ ବେସରକାରୀ ଭାବେ ଆବଶ୍ୟକ ସେଗୁଡ଼ିକ କାରବାର କରୁଥିବା ମାଫିଆମାନେ ମଧ୍ୟ ବିପୁଳ କଳାଧନ ସଂଗ୍ରହ କରୁଛନ୍ତି। ଏଥିରେ ରାଜ୍ୟ ସରକାର କେବେ ବି ପ୍ରକୃତ ପ୍ରାପ୍ୟ ପାଆନ୍ତିନାହିଁ।
ଅପରପକ୍ଷରେ ସରକାରୀ ନିର୍ଦ୍ଦେଶକୁ ନମାନି ସେମାନେ ମନଇଚ୍ଛା କାମ କରିପାରନ୍ତି। ଯେପରି ଭାବରେ ଗୁରୁ ଖଣିଜ ପଦାର୍ଥ ଯଥା- ଲୁହାପଥର, ମାଙ୍ଗାନିଜ୍, କ୍ରୋମାଇଟ୍, ବକ୍ସାଇଟ୍ ପ୍ରଭୃତିରେ ଲୋଡିଂ ଟ୍ରାନ୍ସପୋଟିଂ ଜରିଆରେ ଆଦାୟ ହେଉଥିବା କଳାଧନ ରାଜନୈତିକ ଦଳ ଓ ନେତାମାନଙ୍କୁ ପରିପୁଷ୍ଟ କରୁଛନ୍ତି ଠିକ୍ ସେହିପରି ଲଘୁ ଖଣିଜ ପଦାର୍ଥରୁ ବାହାରୁଥିବା ବିପୁଳ କଳାଧନ ଗ୍ରାମାଂଚଳରେ ଓ ବିଧାନସଭା କ୍ଷେତ୍ରମାନଙ୍କରେ ରାଜନୈତିକ ନେତାମାନଙ୍କ ସହିତ ସରକାରୀ ଅଧିକାରୀମାନଙ୍କୁ ସନ୍ତୁଷ୍ଟ କରିବାରେ ମୁଖ୍ୟ ସହାୟକ ହୋଇଛନ୍ତି।
ଓଡ଼ିଶାରେ ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି ବିଭିନ୍ନ ଅଂଚଳରେ ଜମି, ଘର ପ୍ରଭୃତିର ଯେଉଁ ଦର ବଢ଼ି ବଢ଼ି ଚାଲିଛି ତାହା ପଛରେ ମୁଖ୍ୟତଃ ଖଣି ସାମ୍ରାଜ୍ୟରୁ ସୃଷ୍ଟି ହେଉଥିବା କଳାଧନ ମୁଖ୍ୟ ଭୂମିକା ଗ୍ରହଣ କରୁଛି। ଖଣି ମନ୍ତ୍ରୀ ବିଧାନସଭାରେ ଦେଇଥିବା ଏକ ଉତ୍ତରରେ କହିଛନ୍ତି ଯେ, ଖଣିଜ ପଦାର୍ଥ ପରିବହନ ସମୟରେ ଆବଶ୍ୟକୀୟ ଅନୁମତି ଠାରୁ ଅଧିକ ସଂଖ୍ୟକ ପରିମାଣର ଖଣିଜ ପଦାର୍ଥ ଏକଜୁଟ କରିବା ଓ ପରିବହନ କରିବା ଯୋଗୁ ଅନେକ ବେଆଇନ ଖଣିଜ ପଦାର୍ଥ ଜବତ ହୋଇଛି। ଗତ ୩ ବର୍ଷରେ ୩୧୧ଟି ଗାଡ଼ି ଜବତ କରାଯାଇଛି ଓ ଏଥିରୁ ଜୋରିମାନା ଆଦାୟ କରାଯାଇଛି। କିନ୍ତୁ ବାସ୍ତବତା ହେଉଛି, ଏହିସବୁ ଏନ୍ଫୋର୍ସମେଂଟ ସ୍କ୍ୱାଡ ବାସ୍ତବରେ ଯେତିକି ଯାଂଚ କରନ୍ତି ତାହାର ୧୦ ଗୁଣ ପରିବହନ ବ୍ୟବସ୍ଥା କେବେ ବି ଯାଂଚର ସମ୍ମୁଖୀନ ହୁଏନାହିଁ। ନିକଟରେ କୋଇଲା ପରିବହନରେ ଏହି କଳା କାରବାର ନିମନ୍ତେ ଯେଉଁ କାମ ବର୍ଷ ବର୍ଷ ଧରି ଚାଲିଛି ତାହା ଏବେ ନିର୍ଗୁଣ୍ଡି ରେଳଷ୍ଟେସନ୍ ନିକଟରେ ଧରାହୋଇଛି। କିନ୍ତୁ ଏହି କୋଇଲା କଳା କାରନାମାର ଏକ କ୍ଷୁଦ୍ର ଅଂଶ। ମୋଟାମୋଟି ଭାବରେ ରାଜା ଚକ୍ରର ଗିରଫଦାରୀ ଖଣି ସାମ୍ରାଜ୍ୟରେ ଚାଲିଥିବା ବ୍ୟାପକ କଳାଧନ କାରବାରର ଗୋଟିଏ ମାତ୍ର ବିନ୍ଦୁ। ରାଜା ଚକ୍ର ଜେଲ ଯିବା ପରେ ମଧ୍ୟ ସେହି ବ୍ୟବସ୍ଥା କାଏମ ରହିଛି। ବରଂ ତାହା ଅଧିକ ସଂଗଠିତ ହେଉଛି। କେବଳ କଳାଧନ ପାଉଥିବା ଶ୍ରେଣୀରେ କିଛି ବ୍ୟତିକ୍ରମ ହେଇଛି।
ମୋ- ୮୦୧୮୦୯୪୪୫୫
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।