Egg Fry
ଜାନକୀଶ ବଡ଼ପଣ୍ଡା
ସରଳ ବାବୁଙ୍କ ନାଁ ସିନା ସରଳ, ତାଙ୍କ କାମଟି କିନ୍ତୁ ବିରଳ। ବିରଳ କହିବା ପଛରେ ଥିବା କାରଣ ହେଲା ଯେ, ତାଙ୍କୁ ଚକୁଳି ଜଳଖିଆ ଦେଲେ ସେ ମନା କରିଦେବେ; କହିବେ ସେହି ମୂଲ୍ୟର ସିଝା ଅଣ୍ଡା ଦିଅ, ଖାଇବି। ତାଙ୍କର ଯୁକ୍ତି ଯେ, ତିରିଶ ଟଙ୍କାରେ ମିଳିବ ତିନୋଟି ସିଝା ଅଣ୍ଡା; ଯେଉଁଥିରେ ଅଛି ଅନେକ ପୁଷ୍ଟିତତ୍ତ୍ୱ, ଯାହା ଚକୁଳି, ଉପମାରୁ ମିଳିବନି! ସେ ସ୍ୱାସ୍ଥ୍ୟ ପୁସ୍ତକ ଓ ଅଣ୍ଡା ପାଇଁ କୁକୁଡ଼ା ଚାଷ ପୁସ୍ତିକାରୁ କିଛି ଉଦାହରଣ ଦେଇ ନିଜେ କେତେ ଚଲାକ ଓ ଚତୁର, ତାହା ମଧ୍ୟ ପ୍ରମାଣିତ କରନ୍ତି। କହନ୍ତି ଯେ, ପେଟ ପୂରାଇବା ପାଇଁ ଚକୁଳି ଖାଇଲେ ହୁଏତ କ୍ଷୁଧା ନିବାରଣ ହେବ; କିନ୍ତୁ ଲୁକ୍କାୟିତ କ୍ଷୁଧା ନିବାରଣ ହେବନି, ଯାହା ଅଣ୍ଡାରୁ ହେବ। ତାଙ୍କ ମତରେ ଜଣେ ସୁସ୍ଥ, ପ୍ରାପ୍ତବୟସ୍କ ବ୍ୟକ୍ତି ଦୈନିକ ୧-୩ଟି ଅଣ୍ଡା, ଖେଳାଳି ଓ ଶାରୀରିକ ପରିଶ୍ରମ କରୁଥିବା ଲୋକ ୨-୪ଟି ଅଣ୍ଡା ଖାଇବା ଉଚିତ!
ଚଷାପୁଅ ସକାଳୁ କଂସାଏ ପଖାଳ ଭାତ ହେଉ କି ମାଣ୍ଡିଆ ଜାଉ ଖାଇ ବିଲରେ ଖଟିଲେ ବି ହାଲିଆ ହୁଏନି। ଆମେ ଅଧିକାଂଶ ଲୋକ ବ୍ୟସ୍ତତା କାରଣରୁ ସକାଳ ଜଳଖିଆ ପ୍ରତି ଯତ୍ନଶୂନ୍ୟ। ଡାକ୍ତରୀ ବିଜ୍ଞାନର ସିଦ୍ଧାନ୍ତ ଯେ, ଶଯ୍ୟା ତ୍ୟାଗ ପରେ ଆମେ ପେଟପୂରା ଜଳଖିଆ ଖାଇବା ସ୍ୱାସ୍ଥ୍ୟକର ଏବଂ ମଧ୍ୟାହ୍ନ ଭୋଜନ ଠାରୁ ନୈଶ୍ୟ ଭୋଜନ ଯାଏଁ ସବୁ ସମୟର ଖାଦ୍ୟଠାରୁ ବେଶି ଗୁରୁତ୍ୱପୂର୍ଣ୍ଣ। ସକାଳୁ ପେଟପୂରା ଖାଇଲେ ହିଁ ଆମ ଶରୀର ସୁସ୍ଥ ରହେ। ସକାଳ ଖାଇବାକୁ ନେଇ ଯତ୍ନବାନ ରହିଲେ ହଜମ ପ୍ରକ୍ରିୟା ଠିକ୍ ରହିଥାଏ, ଶରୀରରେ ଅମ୍ଲସ୍ତର ନିୟନ୍ତ୍ରଣରେ ରହେ; ଯାହାକି ଆମକୁ ନିରୋଗୀ ରଖେ। ଅଣ୍ଡାରେ ପ୍ରଚୁର ପରିମାଣର ପ୍ରୋଟିନ୍, ଅନେକ ପୁଷ୍ଟି ତତ୍ତ୍ୱ ଏବଂ ଭିଟାମିନ୍ ରହିଛି। ଏଣୁ ସକାଳୁ ଅଣ୍ଡା ଖାଇବା ବହୁତ ଭଲ।
ସକାଳ ଜଳଖିଆ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ। ସକାଳେ ଜଳଖିଆ ଖାଇନଥିଲେ, ସାରା ଦିନ ଦୁର୍ବଳ ଲାଗେ। ଏମିତି କିଛି ଲୋକ ତ କେବଳ ଜଳଖିଆ ଖାଇ ଦିନସାରା ରହିଯାଆନ୍ତି। ଲୋକମାନେ ଜଳଖିଆ ଖାଉଥିଲେ ହେଁ, ସେଥିରେ ସ୍ୱଳ୍ପ ପରିମାଣର ପ୍ରୋଟିନ୍ ବା ପୁଷ୍ଟିସାର ଜାତୀୟ ଖାଦ୍ୟ ସ୍ଥାନ ପାଇଥାଏ। ଏହି ଅଭାବ ପୂରଣ କରିବାକୁ ସାମର୍ଥ୍ୟ ରହିଛି ଅଣ୍ଡାର। ସ୍ୱାସ୍ଥ୍ୟ ବିଶେଷଜ୍ଞ, ବିଶେଷକରି ପୋଷକ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଚଳ ଚଞ୍ଚଳ ରହିବା ପାଇଁ ଆମ ଶରୀର ଦୈନିକ ୫୦-୬୦ ଗ୍ରାମ ପ୍ରୋଟିନ୍ ଆବଶ୍ୟକ କରେ। ଏଣୁ ଗୋଟିଏ ଦିନରେ ଆମେ ୨ଟି ଅଣ୍ଡା ଖାଇପାରିବା। ଚାହିଁଲେ ସକାଳ ଜଳଖିଆରେ ୨ଟି ଓ ସଂଧ୍ୟାରେ ଗୋଟିଏ ଅଣ୍ଡା ଖାଇପାରିବା। ଏହା ଖାଇବା ଦ୍ୱାରା ଶରୀରକୁ ଅଧିକ ଭିଟାମିନ୍ ‘ଏ’ ମିଳୁଥିବାରୁ ବର୍ଦ୍ଧିତ ବୟସରେ ଅଷ୍ଟିଓପୋରାସିସ୍ ହେବାର ଆଶଙ୍କା ରହେନା।
ଆମେ ଖାଉଥିବା ଖାଦ୍ୟ ଶରୀର ପାଇଁ ମୁଖ୍ୟତଃ ଚାରୋଟି କାର୍ଯ୍ୟ କରିଥାଏ। ସେଗୁଡ଼ିକ ହେଲା- ଶକ୍ତି ଯୋଗାଣ, ଶରୀର ଗଠନ, ସଂକ୍ରମଣରୁ ରକ୍ଷା ଏବଂ ଅସୁସ୍ଥତାରୁ ଦୂରରେ ରଖିବା। ଶ୍ଵେତ ସାର ଏବଂ ଚର୍ବି ଜାତୀୟ ଖାଦ୍ୟରୁ ଆମ ଶରୀରକୁ ଶକ୍ତି ମିଳିଥାଏ। ଶରୀର ଗଠନ ସାଧାରଣତଃ ଦୁଇଟି ପ୍ରକ୍ରିୟାକୁ ବୁଝାଇଥାଏ। ପ୍ରଥମଟି ହେଲା ଶରୀରର ଅଭିବୃଦ୍ଧି ଏବଂ ଦ୍ଵିତୀୟଟି ହେଲା ପରିପକ୍ଵ ହୋଇ ନଷ୍ଟ ହୋଇଯାଉଥିବା ଜୀବକୋଷ ବଦଳରେ ନୂତନ ଜୀବକୋଷର ସୃଷ୍ଟି। ଶରୀରରେ ଥିବା ପ୍ରତିରୋଧକ କ୍ଷମତା ଆମକୁ ସଂକ୍ରମଣରୁ ରକ୍ଷା କରିଥାଏ। ଆମ ଶରୀରରେ କୌଣସି ପ୍ରକାରର ଖାଦ୍ୟସାର ଅଭାବ ଜନିତ ଅସୁସ୍ଥତା ଦେଖାଗଲେ ଆବଶ୍ୟକ ଖାଦ୍ୟସାର ଏହି ଅଭାବ ଏବଂ ଅସୁସ୍ଥତା ଦୂର କରିବାରେ ସହାୟ ହୁଏ।
ଅଣ୍ଡା ଖାଉଥିବା ଅଧିକାଂଶ ବ୍ୟକ୍ତି ବିଶ୍ୱାସ କରିନ୍ତି ଯେ, ଅଣ୍ଡାଟି ଯେତେ ହଳଦିଆ ହେବ ସେତେ ଭଲ। କିନ୍ତୁ ବାସ୍ତବରେ ଯଦି କେଶରର ରଙ୍ଗ ରକ୍ତାଭ ନାରଙ୍ଗୀ ହୋଇଥାଏ, ତେବେ ଏଥିରେ ବେଶି ଭିଟାମିନ୍ ଓ ଓମେଗା-୩ ଏବଂ ସବୁଠୁ କମ୍ କୋଲେଷ୍ଟରଲ ଥାଏ। ଖୋଲା ଜାଗାରେ, ଖରାତରାରେ ବୁଲି ଜୈବଖାଦ୍ୟ ଓ ପୋକଜୋକ ଖାଉଥିବା କୁକୁଡ଼ାର ଅଣ୍ଡାରେ ଏହା ସାଧାରଣତଃ ଦେଖିବାକୁ ମିଳୁଥିବା ବେଳେ ଫାର୍ମ ଅଣ୍ଡାରେ ଦେଖାଯାଏ ନାହିଁ। ପୁଣି, କୁକୁଡ଼ା ଦାନାରେ ମୁଖ୍ୟତଃ ମକା ରହିଥିଲେ କେଶର ରଙ୍ଗ ଗାଢ଼ ହଳଦିଆ ହୁଏ, ଗହମ ଥିଲେ ଇଷତ ହଳଦିଆ ହୋଇଥାଏ। କେଶରର ରଙ୍ଗ ସହ ଅଣ୍ଡାର ଗୁଣବତ୍ତା ଓ ପୌଷ୍ଟିକ ମାନର କୌଣସି ସମ୍ପର୍କ ନଥିଲେ ବି କେଶରର ରଙ୍ଗ ଫିକା ହୋଇଥିଲେ ଆମେ ବିଶ୍ୱାସ କରୁ ଯେ, ଅଣ୍ଡା ଖରାପ ହୋଇ ଯାଇଛି। ଏଣୁ କେଶରର ରଙ୍ଗ ଗାଢ଼ ହଳଦିଆରୁ ରକ୍ତାଭ ନାରଙ୍ଗୀ କରିବା ଲାଗି ଗବେଷଣା ଚାଲିଛି ଏବଂ ରାସାୟନିକ ଦ୍ରବ୍ୟ ବ୍ୟବହାର ହେଉଛି। ‘ଫ୍ରି ରେଞ୍ଜ’ ଏବଂ ଜୈବ-ରଙ୍ଗକୁ ସଠିକ୍ ଅନୁପାତରେ କୁକୁଡ଼ା ଦାନାରେ ମିଶାଇ କେଶରର ରଙ୍ଗ ଏଭଳି କରି ଦିଆ ଯାଉଛି ଯେ, ଲାଗିବ ସତେ ଯେପରି ଏହା କ୍ୟାପ୍ସିକମ୍, ଗେଣ୍ଡୁ ଫୁଲ କିମ୍ବା ନାଲି ଶିମ୍ଲା ଲଙ୍କାରୁ ପ୍ରସ୍ତୁତ। କେଶରକୁ ଅଧିକ ହଳଦିଆ କରିବାକୁ ଗୁଣ୍ଡ ହଳଦୀ ବ୍ୟବହାର ହେଉଛି। ଅଣ୍ଡାଦିଆ କୁକୁଡ଼ା ଫାର୍ମଗୁଡ଼ିକରେ ସମସ୍ତ କୁକୁଡ଼ାଙ୍କୁ ମୁଖ୍ୟତଃ କମ୍ ମୂଲ୍ୟ ତଥା ପୁଷ୍ଟିର ଶସ୍ୟ ସହିତ ଖଣିଜ ଲବଣ, ଭିଟାମିନ୍ ତଥା ଆଣ୍ଟିବାୟୋଟିକ୍ସ ଖାଇବାକୁ ଦିଆଯାଏ ଏବଂ ଏହା କେଶରର ରଙ୍ଗକୁ ଫିକା ହଳଦିଆ କିମ୍ବା ଧଳା ରଙ୍ଗ କରିଥାଏ। ଆଜିକାଲି ରପ୍ତାନୀ କଟକଣା ଯୋଗୁ ରସାୟନ ଏବଂ କ୍ଷତିକାରକ ଆଣ୍ଟିବାୟୋଟିକ୍ସ ବ୍ୟବହାର କମିଗଲାଣି।
ଅଧିକ ପରିମାଣର ପୁଷ୍ଟିସାର ଥିବାରୁ ବିଶେଷଜ୍ଞମାନେ ବର୍ଷସାରା ଅଣ୍ଡା ଖାଇବାକୁ ପରାମର୍ଶ ଦେଇଥାନ୍ତି। ଫାଷ୍ଟଫୁଡ ଓ ରୋଗୀଙ୍କ ପାଇଁ ବ୍ୟବହୃତ ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟରେ ଅଣ୍ଡା ବ୍ୟବହାର ହୋଇଥାଏ। ଏହାକୁ ପୁଷ୍ଟିତତ୍ତ୍ୱର ଏକ ଶସ୍ତା ଓ ଚଟପଟି ଖାଦ୍ୟ ଭାବରେ ବିବେଚନା କରାଯାଏ। ବିଶ୍ୱରେ ଅଣ୍ଡାର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ୨୦୧୮ ମସିହାରେ ହୋଇଥିବା ଏକ ଅଧ୍ୟୟନ ଅନୁସାରେ ଗତ ୧୦ ବର୍ଷ ମଧ୍ୟରେ ବିଶ୍ୱର ଅଣ୍ଡା ଉତ୍ପାଦନ ୨୪ ପ୍ରତିଶତ ବୃଦ୍ଧି ହୋଇଥିଲା। ଅଳ୍ପ କିଛି ଦେଶ ସମଗ୍ର ବିଶ୍ୱର ଅଣ୍ଡା ଚାହିଦା ମେଣ୍ଟାଇ ଥାଆନ୍ତି। ଚୀନ, ୟୁରୋପିଆନ ସଂଘ, ଆମେରିକା ଓ ଭାରତ ସାରା ବିଶ୍ୱ ଆବଶ୍ୟକ କରୁଥିବା ଅଣ୍ଡାର ୬୦ ପ୍ରତିଶତ ଯୋଗାଇ ଥାଆନ୍ତି।
ବ୍ୟବସାୟିକ ଅଣ୍ଡା ଉତ୍ପାଦନ କରିବା ପାଇଁ ଅଣ୍ଡାଦିଆ କୁକୁଡ଼ାମାନଙ୍କୁ ବହୁତ ଛୋଟ, ଅସ୍ୱାଭାବିକ ପଞ୍ଜୁରୀରେ ଆବଦ୍ଧ କରି ରଖାଯାଏ। ଏହାକୁ ବ୍ୟାଟେରୀ କେଜ୍ କୁହାଯାଏ। ଏଥିରେ କୁକୁଡା଼ଙ୍କ ସମସ୍ତ ଶକ୍ତି ଶାରୀରିକ ଅଭିବୃଦ୍ଧି ବଦଳରେ ଅଧିକ ଅଣ୍ଡା ଉତ୍ପାଦନ ପାଇଁ ବ୍ୟୟିତ ହୁଏ। ଗୋଟିଏ ତାର ଜାଲି ବ୍ୟାଟେରୀ କେଜରେ ୧-୩ କୁକୁଡ଼ା ରହନ୍ତି ଏବଂ ପ୍ରତ୍ୟେକେ ବାର୍ଷିକ ହାରାହାରି ୩୦୦ ଅଣ୍ଡା ଦିଅନ୍ତି। ଫାର୍ମଗୁଡ଼ିକ ସ୍ୱାସ୍ଥ୍ୟକର ସଂକ୍ରମଣ ରହିତ ପରିବେଶରେ ଲକ୍ଷାଧିକ କୁକୁଡ଼ା ପାଳନ କରନ୍ତି। ଫାର୍ମମାନେ ହ୍ୟାଚେରୀରୁ ଏକ ଦିବସୀୟ ଚିଆଁ ଆଣି ଲାଳନ ପାଳନ କରି ଅଣ୍ଡାଦେବା ଅବସ୍ଥାକୁ ଆସିଲା ପରେ ବ୍ୟାଟେରୀ କେଜରେ ରଖନ୍ତି। କୁକୁଡ଼ା ୨୦ ସପ୍ତାହର ହୋଇଗଲେ ଅଣ୍ଡା ଦିଅନ୍ତି ଓ ବାର୍ଷିକ ହାରାହାରି ୩୦୦ ଅଣ୍ଡା ଦିଅନ୍ତି। ତିନିବର୍ଷ ପରେ ଅଣ୍ଡା ଦେବା କମିଆସିଲେ ଅଣ୍ଡାଦିଆ କୁକୁଡ଼ାମାନଙ୍କୁ ମାଂସ ପାଇଁ ବିକି ଦିଆଯାଏ ଓ ଫାର୍ମକୁ ବିଶୋଧନ କରାଯାଇ ନୂଆ ଛେକ ଆରମ୍ଭ କରାଯାଏ।
ସରଳ ବାବୁ ଯେତେ ବି ବିରଳ ଯୁକ୍ତି ରଖନ୍ତୁ ନା କାହିଁକି, ଅଣ୍ଡା ଖାଇବାକୁ ନିରୁତ୍ସାହିତ କରିବାକୁ ଅନେକ ଯୁକ୍ତି ରହିଛି। ଏକ ଅଧ୍ୟୟନ ଅନୁସାରେ ପ୍ରତିଦିନ ୩୦୦ ମିଲିଗ୍ରାମରୁ ଅଧିକ କୋଲେଷ୍ଟରଲ ଗ୍ରହଣ କରୁଥିବା ବ୍ୟକ୍ତିଙ୍କଠାରେ ହୃଦରୋଗ ହେବାର ଆଶଙ୍କା ଅଧିକ ଦେଖା ଯାଇଥାଏ। ତମାଖୁ ସେବନ କରୁନଥିଲେ ହେଁ ଅଣ୍ଡା ଖାଇଲେ କର୍କଟ ରୋଗଗ୍ରସ୍ତ ହେବାର ସମ୍ଭାବନା ଅଛି ବୋଲି ଗବେଷକମାନେ ମତ ଦିଅନ୍ତି। ଅଣ୍ଡାରେ ଥିବା କୋଲେଷ୍ଟରଲ ଓ ଚର୍ବି ଜାତୀୟ ପଦାର୍ଥ ମାତ୍ରାଧିକ ଭାବରେ ପେଟକୁ ଗଲେ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। କୋଲେଷ୍ଟରଲ ହେଉଛି ଚର୍ବି ଜାତୀୟ ପଦାର୍ଥରେ ଭରପୂର ଅଙ୍ଗାର ଯୁକ୍ତ ଯୌଗିକ ଉପାଦାନ। ଏହା ଆମର ଯକୃତରେ ପ୍ରସ୍ତୁତ ହୋଇଥାଏ। ଶରୀରରେ ଆବଶ୍ୟକ ହେଉଥିବା ଭିଟାମିନ୍ ଓ ହରମୋନ ତିଆରି କରିବାରେ ଏହା ସାହାଯ୍ୟ କରିଥାଏ। କୌଣସି ବୟସର ବ୍ୟକ୍ତି ବିଶେଷଠାରେ ଡେସିଲିଟର ପ୍ରତି ୨୦୦ ମିଲିଗ୍ରାମରୁ ଅଧିକ ପରିମାଣର କୋଲେଷ୍ଟରଲ ମୃତ୍ୟୁର କାରଣ ହୋଇଥାଏ ଓ ବୟସ ଅନୁସାରେ ମୃତ୍ୟୁ ହେବାର ଆଶଙ୍କା ୧୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ। ଶରୀରରେ କୋଲେଷ୍ଟରଲ ମାତ୍ରା ବଢ଼ିଗଲେ ହୃଦଘାତ ଓ ହୃଦରୋଗର ଆଶଙ୍କା ରହେ। ଦୈନିକ ଗୋଟିଏ କିମ୍ବା ତା’ଠାରୁ ଅଧିକ ଅଣ୍ଡା ଖାଇଲେ ଟାଇପ-୨ ମଧୁମେହ ହେବାର ସମ୍ଭାବନା ୬୦ ପ୍ରତିଶତ ବୃଦ୍ଧି ପାଇଥାଏ। ଅନେକ ବିଶେଷଜ୍ଞଙ୍କ ମତରେ ଅଧିକ ଅଣ୍ଡା ଖାଉଥିବା ଲୋକଙ୍କ ଠାରେ ଟାଇପ -୨ ମଧୁମେହ ହେବାର ସମ୍ଭାବନା ଅଧିକ। ଅଣ୍ଡା ଖାଇବା ଦ୍ୱାରା ସ୍ତନ କର୍କଟ ଓ ଡିମ୍ବକୋଷ କର୍କଟ ରୋଗ ହୋଇପାରେ। ପ୍ରୋଷ୍ଟେଟ୍ କ୍ୟାନ୍ସରର ସମ୍ଭାବନା ବୃଦ୍ଧି ହୋଇଥାଏ। ସାଲମୋନେଲୋସିସ୍ ବା ସାଲ୍ମୋନେଲା ଏକ ବ୍ୟାକ୍ଟେରିଆ ଜନିତ ସଂକ୍ରମଣ ରୋଗ। ଏହାର ପ୍ରଭାବରେ ଡାଇରିଆ, ଜ୍ୱର, ଝାଡ଼ା, ବାନ୍ତି ଓ ମୁଣ୍ଡବିନ୍ଧା ଆଦି ହୋଇଥାଏ। ସଂକ୍ରମିତ କୁକୁଡ଼ାର ମଳ ଦ୍ୱାରା ଅଣ୍ଡା ମଧ୍ୟ ଏହି ବ୍ୟାକ୍ଟେରିଆକ୍ରାନ୍ତ ହୋଇଥାଏ।
ଆସନ୍ତୁ, କିଛି ତଥ୍ୟ ଜାଣିବା। ଭାରତୀୟ ଚିକିତ୍ସା ଗବେଷଣା ପରିଷଦଙ୍କ ସୁପାରିଶ ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ବାର୍ଷିକ ୧୮୦ ଅଣ୍ଡା ଖାଇବା ଦରକାର। ଅଥଚ ଆମ ଓଡ଼ିଶାରେ ଆମେ ମୁଣ୍ଡପିଛା ବାର୍ଷିକ ମାତ୍ର ୮୦ଟି ଅଣ୍ଡା ଖାଇଥାଉ। ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶାରେ ୧୦୧ କୋଟି ଅଣ୍ଡା ଉତ୍ପାଦନ ହୋଇଥିଲା ଯେତେବେଳେ କି ଚାହିଦା ଥିଲା ୧୩୮ କୋଟି। ରାଜ୍ୟ ସରକାରଙ୍କ ଭିଜନ-୨୦୩୬ ଅନୁସାରେ କିନ୍ତୁ ଓଡ଼ିଶାର ୭୨ଟି ଫାର୍ମରେ ୩୭୨.୩ କୋଟି ଅଣ୍ଡା ଉତ୍ପାଦନ ହେଉଛି, ଯାହାକୁ ୨୦୩୬ ମସିହା ସୁଦ୍ଧା ୧୦୦୦ କୋଟିକୁ ବୃଦ୍ଧି କରାଯିବା ପାଇଁ ଉଦ୍ୟମ ହେଉଛି। ଯାହା ବି ହେଉ, ଆମେ ମୁଖ୍ୟତଃ ଆନ୍ଧ୍ର ପ୍ରଦେଶରୁ ପ୍ରତିଦିନ ୧୫ ଲକ୍ଷ ଅଣ୍ଡା ଆମଦାନୀ କରୁଛେ। ବଲାଙ୍ଗୀରସ୍ଥିତ ଓଡ଼ିଆ କୃଷି-ଉଦ୍ୟୋଗପତି ଦୁଇ ଭାଇଙ୍କ ମାଲିକାନାରେ ପରିଚାଳିତ ଓଭୋ ଫାର୍ମ ଦୈନିକ ୧୦ ଲକ୍ଷ ଅଣ୍ଡା ଉତ୍ପାଦନ କରିବା ସହିତ ପଡ଼ୋଶୀ ରାଜ୍ୟ ଏବଂ ବିଦେଶକୁ ଉଚ୍ଚମାନର ଅଣ୍ଡା ରପ୍ତାନୀ କରୁଛି। ଓଡ଼ିଶାରେ ଥିବା ଅଧିକାଂଶ ଫାର୍ମ ଓଡ଼ିଆ ଉଦ୍ୟୋଗୀଙ୍କ ମାଲିକାନାରେ ପ୍ରତିଷ୍ଠା ହୋଇଥିଲେ ବି ଆନ୍ଧ୍ର ପ୍ରଦେଶର ଅଭିଜ୍ଞ ଫାର୍ମମାଲିକଙ୍କ ପରିଚାଳନାଧୀନ ରହିଛି।
ବାର୍ଷିକ ମୁଣ୍ଡପିଛା ୪୮୩ଟି ଅଣ୍ଡା ବ୍ୟବହାର କରିବା ସହିତ ତେଲେଙ୍ଗାନା ଶୀର୍ଷସ୍ଥାନ ଅଧିକାର କରିଥିବା ବେଳେ ପଛକୁ ପଛ ରହିଛନ୍ତି ପଞ୍ଜାବ, ହରିୟାଣା ଏବଂ ଆନ୍ଧ୍ର ପ୍ରଦେଶ। ଏହି ରାଜ୍ୟଗୁଡ଼ିକ ହାରାହାରି ୧୦୩ ଅଣ୍ଡା ବ୍ୟବହାର କରନ୍ତି। ଭାରତ ବାର୍ଷିକ ୧୪,୨୦୦ କୋଟିରୁ ଅଧିକ ଅଣ୍ଡା ଉତ୍ପାଦନ ସହିତ ବିଶ୍ୱ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାର କୁହାଯାଉଛି। ଦେଶ ସାରା, ବିଶେଷକରି ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁରେ କୁକୁଡ଼ା ଶିଳ୍ପ ଲକ୍ଷ ଲକ୍ଷ ଲୋକଙ୍କୁ ନିଯୁକ୍ତି ସୁଯୋଗ ଦେଇଛି ଏବଂ ଭୋଜନରେ ପୁଷ୍ଟିସାର ଖାଦ୍ୟ ଭାଗ ବଢ଼ାଇଛି। ସୁଲଭ ମୂଲ୍ୟରେ ପୁଷ୍ଟିଯୁକ୍ତ ଭୋଜନ ଏବଂ ଖାଦ୍ୟ ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ମଧ୍ୟ ଦେଇଛି। ତାମିଲନାଡୁର ନମାକ୍କାଲ ସହର ହେଉଛି ଦେଶର 'ଏଗ୍ ସିଟି' ବା ଅଣ୍ଡାନଗରୀ। ଆନ୍ଧ୍ର ପ୍ରଦେଶର ସକ୍କୁ ଗୋଷ୍ଠୀ ହେଉଛି ଭାରତରେ ସର୍ବବୃହତ ଅଣ୍ଡା ଉତ୍ପାଦକ, ଯାହା ବାର୍ଷିକ ୧୨୦ କୋଟି ଅଣ୍ଡା ଉତ୍ପାଦନ କରେ। ଏହାର ସହାୟକ କମ୍ପାନୀ ଭେଙ୍କଟରାମା ପୋଲଟ୍ରି ପାଳନ କରନ୍ତି ୬୦ ଲକ୍ଷ ଅଣ୍ଡାଦିଆ କୁକୁଡ଼ା।
ଗୋଟିଏ ଅଣ୍ଡାର ହାରାହାରି ଓଜନ ୬୩ ଗ୍ରାମ। ମୁଣ୍ଡପିଛା ଅଣ୍ଡା ବ୍ୟବହାରରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଛି ଚୀନ୍। ସେଠାରେ ମୁଣ୍ଡ ପିଛା ୨୨.୦ କିଲୋଗ୍ରାମ ବା ୩୫୦ ଅଣ୍ଡା ବ୍ୟବହାର ହୁଏ। ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି ମେକ୍ସିକୋ ଏବଂ ଜାପାନ। ୧୬୫ ଦେଶର ତାଲିକାର ତଳ ଆଡ଼କୁ ଅଛନ୍ତି ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ର କଙ୍ଗୋ, ଆଙ୍ଗୋଲା ଓ ସବା ତଳେ ସୁଦାନ।
ସୁସ୍ଥ ବ୍ୟକ୍ତିମାନଙ୍କ ପାଇଁ, ପ୍ରତିଦିନ ସର୍ବାଧିକ ୩ଟି ଅଣ୍ଡା ଖାଇବାକୁ ସାଧାରଣତଃ ନିରାପଦ ବୋଲି ବିବେଚନା କରାଯାଏ। ଅଣ୍ଡା ଖାଉଥିବା ଲୋକଙ୍କ ରକ୍ତରେ ଏଚଡିଏଲ୍ ବା ଉତ୍ତମ କୋଲେଷ୍ଟରଲ୍ ସ୍ତରକୁ ମଧ୍ୟ ବୃଦ୍ଧି କରିପାରେ। ତେବେ, ସରଳ ବାବୁଙ୍କ ବିରଳ ତତ୍ତ୍ୱ କେବେ ହେଁ ସ୍ୱାସ୍ଥ୍ୟ ପାଇଁ ହିତରେ ନୁହେଁ, ଏହା ଜୋର୍ ଦେଇ କହିହେବ। ଅଣ୍ଡାକୁ ଆମେ ନିଦାପୁଷ୍ଟି ବା କନସେନ୍ଟ୍ରେଟ୍ ଖାଦ୍ୟ କହି ପାରିବା। ତାହା ସହିତ କିଛି ରଫେଜ୍ ବା ତନ୍ତୁ-ଶ୍ୱେତସାର ଖାଦ୍ୟ ନଖାଇଲେ ଅଣ୍ଡାରେ ଥିବା ପୌଷ୍ଟିକ ତତ୍ତ୍ୱ ହଜମ ହୋଇ ଆମର ରକ୍ତରେ ମିଶିବା ସମ୍ଭବ ହେବନାହିଁ। ବରଂ ଯାହା ଖାଇଥିବା ତାହା ମଳ ଆକାରରେ ନିଷ୍କାସିତ ହୋଇଯିବ। ମଣିଷ ମାଂସାଶୀ ପ୍ରାଣୀ ହୋଇ ନଥିବାରୁ ଏଭଳି ହେବା ସ୍ୱାଭାବିକ। ସେଥିପାଇଁ ଆମେ ଗୋରୁ ଗାଈଙ୍କ କ୍ଷେତ୍ରରେ ଘାସ, ପାଳ, କୁଣ୍ଡା ସହିତ କମ୍ପାନୀ ତିଆରି ଦାନା ଦେଇଥାଉ। ଏଣୁ, ଉପମା, ଚକୁଳି ଖାଆନ୍ତୁ ଓ ସାଥିରେ ଅଣ୍ଡା ମଧ୍ୟ ଖାଇବା ଭଲ। ଯେଉଁମାନେ ନିରାମିଷାଶୀ କିମ୍ବା ଅଣ୍ଡା ଖାଇଲେ ଶରୀରରେ ପ୍ରତିକ୍ରିୟା ହୁଏ ସେମାନେ ଜଳଖିଆରେ ଦୁଗ୍ଧଜାତ ପଦାର୍ଥ ନିଶ୍ଚୟ ଖାଇବା ଦରକାର। କେବେବି ସରଳ ବାବୁଙ୍କ ବିରଳ ବିଚାରରେ କେବଳ ଅଣ୍ଡାରେ ପେଟ ଭରିବା ଅନୁଚିତ।
ଫୋ- ୯୪୩୮୨୯୯୦୩୭
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Egg_Fry__1751970870.jpg)