ଆମ ରାଜ୍ୟ ସ୍ଥିତି ବନାମ ପାନାଗାରିଆଙ୍କ ଉକ୍ତି

ପାନାଗାରିଆ ମହାଶୟ ରାଜ୍ୟରେ କ୍ଷୁଧାତୁର - ଭୋକିଲା ସଂଖ୍ୟା ନ ଖୋଜି ରାଜ୍ୟରେ ପିଲାଙ୍କ ଭିତରେ ଥିବା ପୁଷ୍ଟିହୀନତା, ମହିଳା ଓ ଶିଶୁ ମୃତ୍ୟୁହାର, ରକ୍ତ ଶୂନ୍ୟତା ହାର ତଥ୍ୟ ଆଧାରରେ ଦେଖିଥିଲେ ଏବେବି ଏ ରାଜ୍ୟର ସ୍ଥିତି ଖୁବ୍‍ ଖରାପ ବୋଲି ଜାଣିଥାନ୍ତେ।

  • ପଞ୍ଚାନନ କାନୁନଗୋ

କଲମ୍ବିଆ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ପ୍ରଫେସର ଅରବିନ୍ଦ ପାନାଗାରିଆ ଏକ ଆଲେଖ୍ୟରେ ୨୨ ବର୍ଷର ନବୀନ ସରକାରରେ ଓଡ଼ିଶାରେ ହୋଇଥିବା ବିକାଶର ଏକ ଗୋଲାପୀ ଚିତ୍ର ଉପସ୍ଥାପନ କରିଛନ୍ତି ଓ ଖୁବ୍‍ ଉଚ୍ଚ ପ୍ରଶଂସା କରିବା ସହ ଅନ୍ୟର ପଥପ୍ରଦର୍ଶକ ଭାବେ ଉପସ୍ଥାପନ କରିଛନ୍ତି। ଏକ ସମୟରେ ପେଟ ପାଇଁ ମା’ ତା’ର ଛୁଆ ବିକ୍ରୀ କରୁଥିବା ଓଡ଼ିଶାର କରୁଣ କାହାଣୀ ବିଶ୍ୱ ଦରବାରରେ ଉପସ୍ଥାପିତ ହେଉଥିଲା। ଭୋକର ଭୂଗୋଳରେ ଓଡ଼ିଶା ସ୍ଥାନିତ ହୋଇଥିଲା। ସେହି ଅବସ୍ଥାର ପରିବର୍ତ୍ତନ ଘଟି ଓଡ଼ିଶା ଖାଦ୍ୟ ସଂକଟରୁ ମୁକ୍ତ ହୋଇଥିବାର ତଥ୍ୟମାନ ଏହି ସନ୍ଦର୍ଭରେ ଅଛି। ଏହା ମଧ୍ୟ ଅଛି ଯେ ୨୦୦୪-୦୫ରେ ଓଡ଼ିଶାର ଦାରିଦ୍ର‌୍ୟ ହାର ୫୭.୬% ଥିବାବେଳେ ୨୦୧୧-୧୨ରେ ଏହା କମି ୩୨.୯%କୁ ପହଂଚିଥିଲା। ପରବର୍ତ୍ତୀ କାଳରେ ଏଇ ଲେଖକଙ୍କର ସର୍ବଶେଷ ତଥ୍ୟ (୨୦୧୭-୧୮) ଅନୁସାରେ ୨୯%କୁ ଖସିଛି।

ପାନାଗାରିଆ ବିଶ୍ୱର ଅନ୍ୟତମ ବିଶିଷ୍ଟ ଅର୍ଥଶାସ୍ତ୍ରୀ ଭାବେ ପରିଚିତ। ନରେନ୍ଦ୍ର ମୋଦୀଙ୍କ ସରକାର ୨୦୧୪ରେ ଭାରତରେ ଶାସନକୁ ଆସିବା ପରେ ଯୋଜନା କମିଶନ ଭାଙ୍ଗି ନୀତି ଆୟୋଗ ଗଠନ କଲେ ଓ ପାନାଗାରିଆ ତାର ଉପାଧ୍ୟକ୍ଷ ହେଲେ। ସେ ଜଣେ ପୁଞ୍ଜି ସର୍ବଶ୍ୱ ବିଶ୍ୱାସୀ ଅର୍ଥଶାସ୍ତ୍ରୀ। ତାଙ୍କର ପୁସ୍ତକ “ହ୍ୱାଇ ଗ୍ରୋଥ ମ୍ୟାଟର୍ସ?” ପାଠକଲେ ଏହି ବିଶ୍ୱାସ ସାମନାକୁ ଆସିଥାଏ। ସେ ଓ ତାଙ୍କ ମତାବଲମ୍ବୀ ସହଯୋଗୀ ଜଗଦୀଶ ଭଗବତୀ ଏକଦା ତାଙ୍କ ରଚିତ ପୁସ୍ତକରେ ଭାରତ ସରକାରଙ୍କୁ ତାରିଫ୍‍ କରି ଏକ ନିବନ୍ଧ ‘How Economic Growth in India reduced poverty and the lessons other developed countries’ରେ ତଥ୍ୟ ଓ ଯୁକ୍ତି ଉପସ୍ଥାପନ କରିଥିଲେ। ସେ ନୋବେଲ ପୁରସ୍କାର ପ୍ରାପ୍ତ ଭାରତରେ ଜନ୍ମିତ ଅର୍ଥଶାସ୍ତ୍ରୀ ଅମର୍ତ୍ତ୍ୟ ସେନ୍‍ଙ୍କର ମତର ବିରୋଧୀ ଭାବେ ଜଣାଶୁଣା। ଅର୍ଥଶାସ୍ତ୍ରୀ ଅମର୍ତ୍ତ୍ୟ ସେନ୍‍, ଅଭିଜିତ୍‍ ଭି ବାନାର୍ଜୀ, ରଘୁ ରାମ ରାଜନ, ଆନ୍ଥୋନି ବି ଆଟକ୍‍ସନ୍‍ ପିକେଟି ପ୍ରମୁଖ ଏକ ଅର୍ଥନୀତି ବିଚାରର ହୋଇଥିବା ବେଳେ ଶ୍ରୀ ପାନାଗାରିଆ, ଶ୍ରୀ ଭଗବତୀ ଭିନ୍ନ ବିଚାରର ଅର୍ଥଶାସ୍ତ୍ରୀ ଭାବେ ଜଣାଶୁଣା। ଏମାନଙ୍କ ତର୍କ ଭିତରେ ସାଧାରଣ ଲୋକ ମୁଣ୍ଡ ପୂରାଇ କିଛି ବୁଝିବା କଷ୍ଟକର।

ପାନାଗାରିଆଙ୍କ ଆଲେଖ୍ୟ ଅନୁସାରେ ରାଜ୍ୟର ସମୃଦ୍ଧି ହାର ହାରାହାରି ୭.୨% ଗତ ୧୦ ବର୍ଷରେ ଥିବାବେଳେ ଏହି ଆୟ ଆୟର ସର୍ବଭାରତୀୟ ସ୍ତରରୁ ଅନେକ ଉଚ୍ଚରେ ଅଛି। ଏହି ଜି.ଏସ୍‍.ଡି.ପି. ବା ଜିଡିପି ଗଣନାକୁ ସାଧାରଣ ଲୋକେ ସଠିକ୍‍ ଭାବେ ବୁଝିବା କଷ୍ଟକର। ସେମାନେ କେବଳ ନିଜ ଆୟ, ବ୍ୟୟ, ସଞ୍ଚୟ, ଋଣ, ଚିକିତ୍ସାରେ ଅବହେଳା, ଘରେ ବସି ରହୁଥିବା ବେକାରୀ, ଅର୍ଦ୍ଧବେକାରୀ ଓ ପାରିପାଶ୍ୱିର୍କ ସ୍ଥିତି ତଥା ପଡ଼ୋଶୀର ବିକାଶ ଦେଖି ଖୁସୀ ବା ଦୁଃଖି ହୋଇଥାନ୍ତି। ହାରାହାରି ମୁଣ୍ଡପିଛା ଆୟ ବୃଦ୍ଧି ବର୍ଷକୁ ଏକଲକ୍ଷ ଟଙ୍କା ଟପିବା ଫୁଲବାଣୀର ବ୍ୟକ୍ତି ବା ଖୋର୍ଦ୍ଧା ଜିଲ୍ଲାର ପ୍ରତ୍ୟେକ ବ୍ୟକ୍ତିର ମୁଣ୍ଡପିଛା ଆୟ ବର୍ଷକୁ ହାରାହାରି ଦେଢ଼ ଲକ୍ଷ ଟଙ୍କା ଛୁଇଁବା ଦେଖି ଜଣେ ନିଶ୍ଚୟ ବିସ୍ମିତ ହୁଏ। ଫୁଲବାଣୀର ଗୋଟିଏ ପରିବାରର ମାସିକ ଆୟ ବିଷୟରେ ସେ ପରିବାର ହିଁ ଜାଣେ। କାଲିଫର୍ଣ୍ଡିଆର ପ୍ରଫେସର ଯାହା ସରକାରୀ ସୂତ୍ରରୁ ଜାଣଛନ୍ତି, ତାହା ଏକ ସରକାର ତଥ୍ୟାନୁମୋଦିତ ସାମଗ୍ରିକ ଚିତ୍ର।

ଏଇ ଲେଖକଙ୍କର ଗୋଟିଏ ତଥାକଥିତ ବିକଶିତ ଗାଁର ଚିତ୍ର ମନେପଡ଼େ। କୋଡ଼ିଏ ବର୍ଷ ଭିତରେ ଗାଁର ଯେଉଁ ବିକଶିତ ଚିତ୍ର ସାମନାକୁ ଆସେ, ତା ନିଶ୍ଚୟ ଗ୍ରହଣୀୟ। ଯୋଉ ଗାଁ’କୁ ଯିବା ପାଇଁ କାଦୁଅ ମାଟି ରାସ୍ତା ଥିଲା ନଈ, ଜୋର ପାରିହେବାକୁ ଡଙ୍ଗା ବା ଡଙ୍ଗିର ଆବଶ୍ୟକତା ଥିଲା, ସେ ଗାଁକୁ ପକ୍‍କା ରାସ୍ତା ଲମ୍ବିଛି। ଗାଡ଼ିରେ ସିଧାସଳଖ ଯେକୌଣସି ଯାଗାକୁ ଯାଇ ହେଉଛି। ସେଇ ଗାଁର ମାଟିକାନ୍ଥ ସ୍କୁଲ୍‍ ସ୍ଥାନରେ ରଙ୍ଗ ବେରଙ୍ଗର ବଡ଼ କୋଠାଘର ଦେଖାଯାଇଛି। ଗାଁରେ ଦାଣ୍ଡି ଦାଣ୍ଡି କୋଠା ପକ୍‍କା ଘର ବି ଅଛି। ସ୍କୁଲ୍‍ ଘରର ଅନେକ ପରିବର୍ତ୍ତନ ହୋଇଛି। ହେଲେ ସେ ଗାଁର ସ୍କୁଲରେ ସପ୍ତମ ଶ୍ରେଣୀରେ ପିଲାଏ ସପ୍ତମ ବନାନ କରିବା ଦେଖାଗଲା ନାହିଁ। ଏମିତି କିଛି ଗାଁ ଯେ ନାହିଁ ଯେଉଁଠୁ ଟୋକେଇରେ ରୋଗୀ ଡାକ୍ତରଖାନାକୁ ବୁହାହୋଇ ଆସେ। ତଥାକଥିତ ଖାଦ୍ୟ ଶସ୍ତାରେ ୧ ଟଙ୍କାରେ ମିଳୁଛି, ରାଞ୍ଚି ବିଶ୍ୱବିଦ୍ୟାଳୟର ଅତିଥି ଅଧ୍ୟାପକ ଜାଁ ଡ୍ରେଜେ ମଧ୍ୟ ଓଡ଼ିଶାର ସାଧାରଣ ବଣ୍ଟନ ବ୍ୟବସ୍ଥା ଦେଶର ଅନ୍ୟତମ ଶ୍ରେଷ୍ଠ ବ୍ୟବସ୍ଥା ବୋଲି ଉକ୍ତି ରଖିଥିଲେ। ତଥାପି କିଛି ଗାଁର ଦୃଶ୍ୟ ନଗଡ଼ା ପରି ଦୃଷ୍ଟି ଆକର୍ଷଣ କରିଥାଏ। ଗାଁରେ ବିଦ୍ୟୁତ୍‍ ଲାଗିଛି ପାଇପ୍‍ ବିଛାଯାଇ ପିଇବା ପାଣି ଯୋଗାଯାଉଛି। ତଥାପି ଏପରି ଗାଁ ଅଛି ଯେଉଁଠି ପାନାଗାରିଆ ସନ୍ଦର୍ଭ ଉପସ୍ଥାପନ କାଳରେ ବିଦ୍ୟୁତ୍‍ ନଥିଲା। ବର୍ତ୍ତମାନର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଗାଁରେ ବିଦ୍ୟୁତ ନଥିଲା, ସେ ପ୍ରାର୍ଥୀ ହେବା ପରେ ଲାଗିଲା। ଏବେବି ଅନେକ ଗାଁ ଅଛି ପିଇବା ପାଣି ପାଇଁ ଲୋକଙ୍କୁ ଚୁଆ, ନାଳ ଉପରେ ନିର୍ଭର କରିବାକୁ ପଡ଼ୁଛି। ଗାଁର ତେଲ ଘଣା ନାହିଁ ଅବା ଅଞ୍ଚଳରେ ସୁତା ବା କପଡ଼ା କଳଟିଏ ନାହିଁ। ଗାଁ ପିଲାଏ ଚଢ଼ୁଥିବା ସାଇକେଲ ଖଣ୍ଡିକ ଅବା ଲୋକେ ବ୍ୟବହାର କରୁଥିବା ଛତା ରାଜ୍ୟ ବାହାରୁ ଆସେ। ଗାଁର ଅନେକ ପିଲା ରାଜ୍ୟ ବାହାରରେ ଅଳ୍ପ ମୂଲ୍ୟରେ ନିଜର ଶ୍ରମ ବିକ୍ରୀ କରନ୍ତି, ଦାଦନ ଖଟନ୍ତି।

ଆହୁରି ମଧ୍ୟ ରାଜ୍ୟର ସାମଗ୍ରିକ ଚିତ୍ର ପାନାଗାରିଆ ମହାଶୟଙ୍କ ପାଖରେ ପହଂଚିଥିବା ତଥ୍ୟଠାରୁ ଭିନ୍ନ। ଏ ରାଜ୍ୟ ଭାତ ପାଇଁ ହାତ ପାତୁନି। ଚାଉଳ ଉତ୍ପାଦନରେ ବଳକା। ସରକାରଙ୍କ ପ୍ରଦତ୍ତ ଟଙ୍କିକିଆ ଚାଉଳ ପେଟ ଭରୁଛି। ତେବେ ପାନାଗାରିଆ ମହାଶୟ ରାଜ୍ୟରେ କ୍ଷୁଧାତୁର – ଭୋକିଲା ସଂଖ୍ୟା ନ ଖୋଜି ରାଜ୍ୟରେ ପିଲାଙ୍କ ଭିତରେ ଥିବା ପୁଷ୍ଟିହୀନତା, ମହିଳା ଓ ଶିଶୁ ମୃତ୍ୟୁହାର, ରକ୍ତ ଶୂନ୍ୟତା ହାର ତଥ୍ୟ ଆଧାରରେ ଦେଖିଥିଲେ ଏବେବି ଏ ରାଜ୍ୟର ସ୍ଥିତି ଖୁବ୍‍ ଖରାପ ବୋଲି ଜାଣିଥାନ୍ତେ। ବଡି ମାସ୍‍ ଇଣ୍ଡେକ୍ସ, ହ୍ୟୁମାନ୍‍ ଡେଭ୍‍ଲପମେଣ୍ଟ ଇଣ୍ଡେକ୍ସ ଅଧ୍ୟୟନ କଲେ ଗତ ୨୦ ବର୍ଷର ଦୀର୍ଘ ସମୟ ଭିତରେ ଅନୁପାତ କମିଛି ସତ୍ୟ, ତେବେ ଲୋକସଂଖ୍ୟାରେ ବୃଦ୍ଧି ଘଟିଥିବାକୁ ନେଇ ଦେଖିଲେ ଏ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ଦେଖାଯାଏ ନାହିଁ। ରାଜ୍ୟର ଜଣେ ନେତାଙ୍କ ନେତୃତ୍ୱରେ ଗୋଟିଏ ଦଳ ଲଗାତର ଭାବେ ପାଞ୍ଚ ଥର ନିର୍ବାଚିତ ହୋଇ ଦୀର୍ଘ ୨୨ ବର୍ଷରୁ ଉର୍ଦ୍ଧ୍ୱ ଶାସନ ଦାୟିତ୍ୱ ନେଇ ଚାଲିଛି। ଏହା ଓଡ଼ିଶା ଇତିହାସ କେବଳ ନୁହେଁ, ଭାରତ ଇତିହାସରେ ଆଶ୍ଚର୍ଯ୍ୟଜନକ ପ୍ରଥମ ସ୍ଥାନ ଅଧିକାର ନିଶ୍ଚୟ କରିଛି। ପ୍ରଫେସର ପାନାଗାରିଆ କାହିଁକି, ସମସ୍ତେ ଏଇ ରାଜନୈତିକ ସଫଳତାରେ ଅତ୍ୟଧିକ ପ୍ରଭାବିତ ହେବା ସ୍ୱାଭାବିକ। ମାତ୍ର ରାଜ୍ୟର ଦାରିଦ୍ର‌୍ୟ ହାରକୁ ନେଇ ସେ ଯେଉଁ ଗଣିତରେ ସମ୍ମୁଖୀନ ହୋଇଛନ୍ତି ସେ ସବୁର ବିଶ୍ଳେଷଣର ଆବଶ୍ୟକତା ରହିଛି। ୧୯୯୩-୯୪ରେ ଦାରିଦ୍ର‌୍ୟ ହାର ୪୮.୬% ଥିବାବେଳେ ୨୦୦୫-୦୬କୁ ଏହା ୨୯.୩%କୁ ଖସିଥିବା କଥା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ୧୯୯୧ ଜନଗଣନା ଅନୁସାରେ ଜନସଂଖ୍ୟାର ୪୮.୬% ଲୋକ ଦାରିଦ୍ର‌୍ୟ ସୀମାରେଖା ତଳେ ଥିଲେ, ୨୦୨୧ ଲୋକ ସଂଖ୍ୟାର ଅନୁପାତ ୨୯.୩%କୁ କମିଛି। ତେବେ ୧୯୯୧ ଜନସଂଖ୍ୟାଠାରୁ ୨୦୨୧ ଜନସଂଖ୍ୟା ଅଧିକ ହୋଇଥିବାରୁ ଉଭୟ ବର୍ଷର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ମଧ୍ୟରେ ବିଶେଷ ଫରକ ନାହିଁ। ଅଧିକନ୍ତୁ ଏବେବି ୮୬% ଲୋକଙ୍କୁ ରିହାତି ଚାଉଳ (ମୁଖ୍ୟ ଖାଦ୍ୟ ଅତି ଶସ୍ତା ୧ ଟଙ୍କାରେ) ଯୋଗା ଯାଉଛି। ତାହା ଉଠାଇ ଦେଲେ ଦାରିଦ୍ର‌୍ୟର ନଗ୍ନ ଚିତ୍ର ଧରାପଡ଼ିଯିବ।

ରାଜ୍ୟଟି ସଂପୂର୍ଣ୍ଣ ଭାବେ କୃଷି ଉପରେ ନିର୍ଭରଶୀଳ। ହେଲେ କୌଣସି କୃଷିଜାତ ଦ୍ରବ୍ୟ ଉତ୍ପାଦନ ବା ଉତ୍ପାଦିକାରେ ଓଡ଼ିଶା ପ୍ରଥମ ୩ଟି ରାଜ୍ୟସ୍ଥିତିକୁ ଏ ୨୨ ବର୍ଷ ଭିତରେ ଆସିପାରି ନାହିଁ। ରାଜ୍ୟରେ ଚାଷଜମି ୨୦୧୦-୧୧ରେ ୬୧ ଲକ୍ଷ ୮୦ ହଜାର ହୋଇଥିବାବେଳେ ୨୦୧୫-୧୬ ବେଳକୁ ୫୭ ଲକ୍ଷ ୫୬ ହଜାର ହେକ୍ଟରକୁ କମିଛି। ମୁଣ୍ଡପିଛା ଜମି କମିବା ସହିତ ଏପର୍ଯ୍ୟନ୍ତ ସବୁ ଜମି ତିନି ଫସଲି ହେବା ଦୂରେ ଥାଉ ଦି’ ଫସଲ ହୋଇନାହିଁ। ସବୁଠାରୁ ବଡ଼ ଦୁର୍ଭାଗ୍ୟ ହେଉଛି ଏବେବି ସରକାରୀ ତଥ୍ୟ ଅନୁସାରେ ରାଜ୍ୟରେ ପୂର୍ବ ସରକାରଙ୍କ କାର୍ଯ୍ୟ ମିଶାଇ ୧୪ ଲକ୍ଷ ହେକ୍ଟର ୮୭ ହଜାର  କେନାଲ ଜଳସେଚନ ଓ ୧୨ ଲକ୍ଷ ୯୭ ହଜାର ହେକ୍ଟର ଜମି ପାଇଁ ଜଳସେଚନର ସୁବିଧା ସୃଷ୍ଟି ହେଉଛି। ସମୁଦାୟ ଖରିଫ୍‍ ଋତୁରେ ୨୭ ଲକ୍ଷ ହେକ୍ଟର ଅର୍ଥାତ୍‍ ମୋଟ୍‍ ଚାଷ ଜମିର ୩୭% ମଧ୍ୟ ଜଳସେଚନ ବ୍ୟବସ୍ଥା ନାହିଁ। ଯେଉଁଥିପାଇଁ ଚାଷୀର ବାର୍ଷିକ ମୁଣ୍ଡପିଛା ଆୟ ମାତ୍ର ୫୧୧୨ ଟଙ୍କା ବୋଲି ସରକାର ସ୍ୱୀକାର କରିଥାନ୍ତି।

ଚାଷୀ ଭାଗଚାଷୀ ଓ ଚାଷୀ ମୁଲିଆ ସମସ୍ତ ଲୋକସଂଖ୍ୟାର ୭୩% ରୁ ଅଧିକ ଏହି ଆୟରେ କ’ଣ ସେମାନେ ଦାରିଦ୍ର‌୍ୟ ସୀମାରେଖା ଉପରକୁ ଉଠି ଯାଇଛନ୍ତି? ପାନାଗାରିଆ ସାହେବ ବୋଧହୁଏ ନବୀନବାବୁଙ୍କ କ୍ଷମତା ସମୟ ଦେଖି ଏହି ତଥ୍ୟ ପରଖିବାର ଅଣଦେଖା କରିଛନ୍ତି। ସମସ୍ତ ଚାଷୀ ପରିବାରର ହାରାହାରି ସଂପତ୍ତିମୂଲ୍ୟ ୬ ଲକ୍ଷ ୨୧ ହଜାର ଟଙ୍କା। ଯେଉଁ ସମୟରେ ଛତିଶଗଡ଼ ଚାଷୀ ପରିବାର ସଂପତ୍ତି ମୂଲ୍ୟ ୧୧ ଲକ୍ଷ ୨୭ ହଜାର ଟଙ୍କାରୁ କମ୍‍ ବୋଲି ଖୋଦ ରାଜ୍ୟ କୃଷିମନ୍ତ୍ରୀ ବିଧାନସଭା ତଥ୍ୟରେ ରଖିଛନ୍ତି (୬.୭.୨୦୨୨)। ଅର୍ଥଶାସ୍ତ୍ରୀ ପାନାଗାରିଆ ରାଜ୍ୟର ଗଚ୍ଛିତ ସଂପତ୍ତି (ଖଣିଜ ସଂପଦ) ଜନିତ ଆୟ ଗତ ୧୫ ବର୍ଷରେ ବଢ଼ିଥିବା ଆୟକୁ ସମଗ୍ର ଆୟରୁ ବାଦ୍‍ ଦେଇଥିଲେ ରାଜ୍ୟ ସମନ୍ଧରେ ବାସ୍ତବ ସତ୍ୟର ସମ୍ମୁଖୀନ ହୋଇଥାନ୍ତେ। ରାଜ୍ୟରେ ଥିବା ସମସ୍ତ ଶ୍ରମଜୀବୀଙ୍କ ମଧ୍ୟରେ ଏବେବି କୃଷି ଶ୍ରମିକଙ୍କ ସଂଖ୍ୟା ୪୮.୩% ବୋଲି ମହାଶୟ ଜାଣିଛନ୍ତି। ସେମାନେ ସ୍ଥାନାନ୍ତର ହେଲେ ବା ଚାଷ ଜମିରୁ ଅପସରି ଗଲେ ଦାଦନ ଖଟିବା ବ୍ୟତୀତ ଅନ୍ୟ ଉପାୟ ନାହିଁ।

ଶିଳ୍ପ କ୍ଷେତ୍ରରେ ଓଡ଼ିଶା (ଖଣିଜ ସଂପର୍କିତ ବଡ଼ ଶିଳ୍ପ) ଛାଡ଼ି ଦେଲେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକ୍ଷେତ୍ରରେ ଗତ ୨୦ ବର୍ଷ ଭିତରେ ପଛକୁ ଠେଲି ହୋଇଯାଇଛି। କୃଷିଭିତ୍ତିକ ଶିଳ୍ପ ଗତ ୨୫ ବର୍ଷରେ ପୂରାପୂରି ଲୋପ ପାଇଯାଇଛି। ନିତ୍ୟବ୍ୟବହାର୍ଯ୍ୟ ପଦାର୍ଥ ଶିଳ୍ପ ଆଦୌ ନାହିଁ। କେବଳ କେତୋଟି ମସଲା କାରଖାନା ଛାଡ଼ିଦେଲେ ସାଇକେଲ୍‍ କାରଖାନାଟିଏ ମଧ୍ୟ ନାହିଁ। କପଡ଼ା କାରଖାନା ନାହିଁ। ରାଜ୍ୟ ସବୁ ଜିନିଷ ଏପରିକି ଫୁଲ, ଫଳ, ପନିପରିବା, ଡାଲି, ତେଲ, ମାଛ, ଅଣ୍ଡା ସବୁ ପାଇଁ ଏବେବି ପଡ଼ୋଶୀ ରାଜ୍ୟମାନଙ୍କ ଉପରେ ନିର୍ଭରଶୀଳ। ରାଜ୍ୟଟି ଏବେ ବି ଔପନିବେଶୀୟ ଛାପ ବହନ କରି ଚାଲିଛି।

ଅର୍ଥଶାସ୍ତ୍ରୀ ପାନାଗାରିଆ ସମସ୍ତ ତଥ୍ୟର ଦୂରରେ ଥିବାରୁ ଏ ରାଜ୍ୟର ବିକାଶକୁ ନେଇ ଏ ଶାସନ ମୁଖ୍ୟ ନବୀନବାବୁଙ୍କୁ ପ୍ରଶଂସା କରିବାକୁ ଅନ୍ୟ ଭାବରେ ବିଚାର କରାଯାଇ ନପାରେ। ସେ ଯେଉଁ ଗ୍ରୋଥ୍‍ ବା ପୁଞ୍ଜିଭିତ୍ତିକ ଅର୍ଥନୀତିକୁ ପ୍ରାଧାନ୍ୟ ଦେଇଥାନ୍ତି, ସେଥିରେ ଆୟ ଓ ବ୍ୟୟର ତାରତମ୍ୟ ବୃଦ୍ଧି ଆଞ୍ଚଳିକ ବୈଷମ୍ୟ ବଢ଼ିବା ସହିତ ସାଧାରଣ ଲୋକଙ୍କ ଆୟ ତଥା ବ୍ୟୟ କ୍ରମେ କ୍ଷୟ ଘଟିବା କଥା। ସେ ଦୃଷ୍ଟିରୁ ବା ତାଙ୍କ ବିଚାର ଦୃଷ୍ଟିରୁ ସେ ଓଡ଼ିଶାର ଶାସନ ଏକ ଆଦର୍ଶସ୍ଥାନୀୟ ବୋଲି କହିବା ଯଥାର୍ଥ। ନଦୀରେ ପାଣି ବଢ଼ିଲେ, ଡଙ୍ଗା ଉପରକୁ ଉଠେ, ଏହା ସତ୍ୟ। ସେଥିରେ ବସିଥିବା ଲୋକେ ମଧ୍ୟ ଡଙ୍ଗାର ସାହାରାରେ ଉପରକୁ ଉଠନ୍ତି। ହେଲେ ସେମାନଙ୍କ ଅବସ୍ଥାରେ କିଛି ପରିବର୍ତ୍ତନ ଘଟେ କି? ଅତ୍ୟଧିକ ଅସ୍ଥିର ଜଳ ପ୍ରବାହ ବା ସ୍ରୋତରେ ଡଙ୍ଗା ଡୁବିବାର ଆଶଙ୍କା ଏଡ଼ାଯାଇ ନପାରେ। ଡଙ୍ଗାରେ ବସିଥିବା ଲୋକଙ୍କର ଓଜନ ଓ ସାମର୍ଥ୍ୟ ବା ଶକ୍ତି ବଢ଼ିଯାଏ କି? ରାଜ୍ୟର ସାମଗ୍ରିକ ବିକାଶ ବଢ଼ିଲେ ଲୋକଙ୍କ ଅବସ୍ଥାରେ ପରିବର୍ତ୍ତନ କେବେ ବି ଘଟି ନଥାଏ। ଓଡ଼ିଶା ତାର ଜ୍ୱଳନ୍ତ ଉଦାହରଣ। ମାଗଣା ବା ରିହାତି ବ୍ୟବସ୍ଥାଗୁଡ଼ିକ ସଂକୁଚିତ କରିଦେଲେ ରାଜ୍ୟବାସୀ ମୁଣ୍ଡପିଛା ୨୪ ହଜାର ଟଙ୍କା ଋଣରେ ବୁଡ଼ି ରହି ଆୟ ଓ ବ୍ୟୟ ସଂକୋଚରେ ଛଟପଟ ହେବା ଦୃଶ୍ୟଟି ସାମନାକୁ ଆସିବ।

ଫୋ- ୯୪୩୮୩୬୦୮୪୯

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।