Advertisment

ଓଡ଼ିଶାରେ ଶୀତଳ ଭଣ୍ଡାରର ଦୁରବସ୍ଥା

ଓଡ଼ିଶାର ପ୍ରତ୍ୟେକ ସବଡିଭିଜନ ପାଇଁ ଶୀତଳ ଭଣ୍ଡାରର ପ୍ରାବଧାନ କରାଯାଉଛି। ଏହା ଏକ ଭଲ ପଦକ୍ଷେପ। କିନ୍ତୁ ଉପରେ ବର୍ଣ୍ଣିତ ଦିଗଗୁଡ଼ିକ ପ୍ରତି ନଜର ଦିଆ ନ ଗଲେ ଶୀତଳ ଭଣ୍ଡାରର ସ୍ଥାପନା ବିଶେଷ ଲାଭପ୍ରଦ ହୋଇ ନ ପାରେ। ସେଥି ଲାଗି ସରକାର ବିଶେଷଜ୍ଞମାନଙ୍କ ସହିତ ଅଧିକ ବିଚାରବିମର୍ଶ କରନ୍ତୁ।

Vegetable Market

Vegetable Market

Advertisment

ଜାନକୀଶ ବଡ଼ପଣ୍ଡା

ପ୍ରତିବର୍ଷ ଆମ ଦେଶରେ ୭୩.୬ ଲକ୍ଷ ଟନ୍ ଫଳ ଓ ୧୨୦ ଲକ୍ଷ ଟନ୍ ପନିପରିବା ନଷ୍ଟ ହେଉଛି। କୃଷିକ୍ଷେତ୍ରରେ ଉତ୍ପାଦିତ ଫଳ ଓ ପନିପରିବାକୁ ଲୋକମାନେ ଖାଇବା ପୂର୍ବରୁ ନଷ୍ଟ ହୋଇଯାଉଛି। ଏକ ସର୍ବେକ୍ଷଣରୁ ଏହା ଜଣା ପଡ଼ିଥିବା ବେଳେ ଏସବୁ କୃଷି ଉତ୍ପାଦର ମୂଲ୍ୟ ୧.୫୨ ଲକ୍ଷ କୋଟି ଟଙ୍କା ବୋଲି ହିସାବ କରାଯାଇଛି। ଦେଶର ବିଭିନ୍ନ ରାଜ୍ୟରେ ଉତ୍ପାଦିତ ଫଳର ୬-୧୫ ପ୍ରତିଶତ ଏବଂ ପନିପରିବାର ୫-୧୨ ପ୍ରତିଶତ ନଷ୍ଟ ହେଉଥିବା ନିଶ୍ଚୟ ଏକ ଉଦବେଗଜନକ ଖବର। ଏହା ଦ୍ୱାରା ୧୨.୫ କୋଟିରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଚାଷ କରିବା ପାଇଁ ବିନିଯୋଗ କରିଥିବା ସେମାନଙ୍କ ଅର୍ଥ ଓ ସମୟ, ମୂଲ୍ୟବାନ ଭୂତଳ ଜଳ, ଶକ୍ତି ଏବଂ କୃଷି ପାଇଁ ଆବଶ୍ୟକ ବିହନଠାରୁ ପୋକନାଶକ ଯାଏଁ କଞ୍ଚାମାଲର ଅପଚୟ ହୋଇଥାଏ। ଦେଶର ୧୯.୪ କୋଟି ଲୋକ ପୁଷ୍ଟିକର ଖାଦ୍ୟ ଖାଇବାକୁ ନପାଇ ଅପପୁଷ୍ଟିର ଶିକାର ହେଉଥିବା ବେଳେ ଏତେ ପରିମାଣର ଫଳ ଓ ପନିପରିବା ନଷ୍ଟ ହେବା କେବେ ହେଁ ଭାରତ ଭଳି ବିକାଶଶୀଳ ରାଷ୍ଟ୍ର ପାଇଁ ଶୁଭଙ୍କର ନୁହେଁ।

Advertisment

କୃଷି ଉତ୍ପାଦନ କ୍ଷେତ୍ରରେ, ବିଶେଷ କରି ଉଦ୍ୟାନ କୃଷି କ୍ଷେତ୍ରରେ ଆମେ କେବଳ ଢାଞ୍ଚାଗତ ସଂସ୍କାର ଆଣିପାରିଲେ ଦେଶର କୃଷି କ୍ଷେତ୍ରରୁ ୨୦୩୬ ସୁଦ୍ଧା ୧୨୦ ଲକ୍ଷ କୋଟି ଟଙ୍କା ଏବଂ ୨୦୪୭ ସୁଦ୍ଧା ୨୬୫ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଅଭିବୃଦ୍ଧି କରିପାରିବା। କିନ୍ତୁ, ଏହି ଲକ୍ଷ୍ୟ ହାସଲ କରିବାରେ ବାଧକ ହେବ ବାର୍ଷିକ ୧.୫୨ଲକ୍ଷ କୋଟି ଟଙ୍କାର ଫସଲ ନଷ୍ଟ। ଭାରତରେ ଧାନ, ଗହମ, ଡାଲି ଓ ତୈଳବୀଜ ଭଳି କିଛି ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ରହିଥିଲେ ବି ଫଳ ଓ ପରିବା ଫସଲ ପାଇଁ ଏମଏସପି ନାହିଁ। ଏସବୁ ଅତ୍ୟନ୍ତ ପଚନଶୀଳ ହୋଇଥିବାରୁ ମୂଲ୍ୟ ଅନିୟନ୍ତ୍ରିତ ରହେ ଏବଂ ଏଥିପାଇଁ ଚାଷୀ କ୍ଷତି ସହେ। ଏହାର ସମାଧାନ ରହିଛି କେବଳ ବିକ୍ରି ଓ ପରିବହନ ପୂର୍ବ-ଶୀତଳଗୃହ ଏବଂ ଶୀତଳ ଭଣ୍ଡାର ନିର୍ମାଣ, ପ୍ରକ୍ରିୟାକରଣ ଏବଂ ମୂଲ୍ୟଯୁକ୍ତକରି ବିକ୍ରି ବ୍ୟବସ୍ଥାରେ।

ଆଳୁ, ପିଆଜ, ଟମାଟୋ, କୋବି ଭଳି ପନିପରିବା କିମ୍ବା ଫଳ ବା ଫୁଲ ଇତ୍ୟାଦି ପାଇଁ ଓଡ଼ିଶା ଅନ୍ୟ ରାଜ୍ୟ ଉପରେ ନିର୍ଭର କରେ। ଏପରି କି ଯେଉଁ ସବୁ କୃଷିସାମଗ୍ରୀ ଆମ ରାଜ୍ୟରେ ପ୍ରଚୁର ଉତ୍ପାଦିତ ହୁଏ ସେ ସବୁର ସଂରକ୍ଷଣ ସକାଶେ ଶୀତଳ ଭଣ୍ଡାରର ଅଭାବ ଯୋଗୁଁ ଚାଷୀମାନେ ଭୀଷଣ କ୍ଷତିଗ୍ରସ୍ତ ହୁଅନ୍ତି। କିଛିବର୍ଷ ତଳେ ବରଗଡ଼ ତଥା ଅନ୍ୟ ଜିଲ୍ଲାରେ ଚାଷୀମାନେ ଫସଲ ବିକ୍ରି କରି ନ ପାରିବା କାରଣରୁ ନିଜେ କରିଥିବା କୋବି ଫସଲ ଉପରେ ଟ୍ରାକ୍ଟର ଚଢ଼ାଇ ନଷ୍ଟ କରି ଦେଇଥିଲେ। ପ୍ରତି ବର୍ଷ ଏଭଳି ଘଟଣାମାନ ଘଟୁଛି। ଆମ ରାଜ୍ୟରେ ପାଖାପାଖି ୯୯ ଲକ୍ଷ ମେଟ୍ରିକ ଟନ ଓଜନର ପରିବା ଉତ୍ପାଦିତ ହେଉଛି। କିନ୍ତୁ ଶୀତଳ ଭଣ୍ଡାରର ଅଭାବ ହେତୁ ଏଥିରୁ ଚାଷୀ କିମ୍ବା ଗ୍ରାହକ କାହାକୁ ଲାଭ ମିଳି ପାରୁନାହିଁ।

Advertisment

ଓଡ଼ିଶାରେ ଚାଷ ହେଉଥିବା ଜମିର କ୍ଷେତ୍ରଫଳ ୫୫.୯୦ ଲକ୍ଷ ହେକ୍ଟର ହୋଇଥିବା ବେଳେ ପଶ୍ଚିମବଙ୍ଗ ଓ ବିହାରରେ ତାହା ଯଥାକ୍ରମେ ୫୬ ଲକ୍ଷ ଓ ୭୯.୪୬ ଲକ୍ଷ ହେକ୍ଟର। କିନ୍ତୁ ଆମ ରାଜ୍ୟରେ ସମୁଦାୟ ୧୩୩ଟି ଶୀତଳ ଭଣ୍ଡାର ଥିଲା ବେଳେ ପଶ୍ଚିମବଙ୍ଗ ଓ ବିହାରରେ ରହିଥିଲା ଯଥାକ୍ରମେ ୫୦୨ ଓ ୩୦୬ଟି। ଏହି ଦୁଇ ରାଜ୍ୟ ଓଡ଼ିଶା ତଥା ଅନ୍ୟାନ୍ୟ ରାଜ୍ୟକୁ ପନିପରିବା ଆଦି ଯୋଗାଉଛନ୍ତି। ଏହାର କାରଣ ସେହି ରାଜ୍ୟଗୁଡ଼ିକ ପଚନଶୀଳ ପରିବାପତ୍ରକୁ ଶୀତଳ ଭଣ୍ଡାରରେ ସାଇତି ରଖି ପାରୁଛନ୍ତି ଓ ବର୍ଷ ତମାମ ବିକ୍ରି କରୁଛନ୍ତି।

ଓଡ଼ିଶାରେ ୧୩୩ଟି ଶୀତଳ ଭଣ୍ଡାର ଭିତରୁ ମାତ୍ର ୩୫ଟି କାର୍ଯ୍ୟକ୍ଷମ ଅବସ୍ଥାରେ ଅଛନ୍ତି, ଯାହାର ମୋଟ ସଂରକ୍ଷଣ କ୍ଷମତା ୧.୭ ଲକ୍ଷ ମେଟ୍ରିକ୍ ଟନ୍। ପରିଚାଳନାଗତ ତ୍ରୁଟି ହେତୁ ଓଡ଼ିଶାର ଅଧିକାଂଶ ଶୀତଳ ଭଣ୍ଡାର ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ। ପ୍ରତି ଶୀତଳଭଣ୍ଡାର ପିଛା ୭୦ ପ୍ରତିଶତ ପର୍ଯ୍ୟନ୍ତ ସବ୍‌ସିଡି ଏବଂ ଅନ୍ୟାନ୍ୟ ସରକାରୀ ପ୍ରୋତ୍ସାହନମୂଳକ ସୁବିଧା ଯୋଗାଇ ଦିଆଯାଉଥିବା ସତ୍ତ୍ୱେ ଶୀତଳ ଭଣ୍ଡାର ବ୍ୟବସାୟରେ ନୂତନ ଉଦ୍ୟୋଗୀଙ୍କ ଆଗ୍ରହ ନାହିଁ। ଓଡ଼ିଶାରେ ସୌରଶକ୍ତି ବିନିଯୋଗ କରି ସମୁଦାୟ ୧୭୯୫ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ୨୩୯ ଟି ଶୀତଳ ଗୃହ ନିର୍ମାଣ କରା ଯାଇଛି। ପ୍ରତ୍ୟେକକୁ ୭୦ ଲକ୍ଷରୁ ସର୍ବାଧିକ ୨ କୋଟି ଟଙ୍କା ଯାଏଁ ରିହାତି ଦିଆ ଯାଇଛି। ଏଥିରେ ଉତ୍ସାହିତ ହୋଇ ୧୬୮ଟି ବିଦ୍ୟୁତ୍ ଚାଳିତ ୩୦ ମେଟ୍ରିକ୍ ଟନ୍ କ୍ଷମତା ସମ୍ପନ୍ନ ଶୀତଳ ଗୃହ ନିର୍ମାଣ କରା ଯାଇଛି। ତଥାପି ଶୀତଳଭଣ୍ଡାର ବ୍ୟବସାୟରେ ବ୍ୟବସାୟୀମାନେ ବିଶେଷ ରୁଚି ରଖୁଥିବାର ଦେଖିବାକୁ ମିଳେନାହିଁ। ଯଦିଓ କିଛି ପ୍ରତିଷ୍ଠିତ ବ୍ୟବସାୟୀ ଏବଂ ଉଦ୍ୟୋଗପତି ଶୀତଳ ଭଣ୍ଡାରକୁ ସେମାନଙ୍କ ବ୍ୟବସାୟ ପାଇଁ ଅତ୍ୟାବଶ୍ୟକ ଏକ ସହାୟକ ଭିତ୍ତିଭୂମି ଭାବେ ଗ୍ରହଣ କରନ୍ତି, କିନ୍ତୁ ଶୀତଳ ଭଣ୍ଡାରକୁ ଏକ ସ୍ୱତନ୍ତ୍ର ବ୍ୟବସାୟ ରୂପେ ଦେଖନ୍ତି ନାହିଁ; କେବଳ ନିଜ ବ୍ୟବସାୟକୁ ସୁହାଇଲା ଭଳି ପୁଞ୍ଜି ନିବେଶ କରନ୍ତି। ଏହାର ଏକ ବଡ଼ କାରଣ ହେଉଛି କୃଷି ଉତ୍ପାଦ ବ୍ୟବସାୟରୁ ମିଳୁଥିବା ବାର୍ଷିକ ଲାଭର ହାର ଶୀତଳଭଣ୍ଡାର ବ୍ୟବସାୟରୁ ଅର୍ଜିତ ଲାଭ ତୁଳନାରେ ଢେର ଅଧିକ। ଓଡ଼ିଶା କଥା ବିଚାର କଲେ ଦେଖାଯାଏ ଯେ ଚାଷୀଙ୍କ ଏକର ପିଛା ଉତ୍ପାଦନ ପରିମାଣ ବା ଉତ୍ପାଦିକତା ସର୍ବଭାରତୀୟ ସ୍ତରଠାରୁ କମ୍ ଏବଂ ଅଧିକାଂଶ କ୍ଷୁଦ୍ର ଓ ନାମମାତ୍ର ଚାଷୀ ହୋଇଥିବାରୁ ସେମାନଙ୍କ ଉତ୍ପାଦ ଆଧାରରେ ଶୀତଳ ଭଣ୍ଡାର ଚଳାଇବା ଅନୁକୂଳ ସାବ୍ୟସ୍ତ ହୋଇ ପାରୁନାହିଁ।

କୌଣସି ଏକ ଶୀତଳ ଭଣ୍ଡାର ଲାଗି ବିଦ୍ୟୁତ୍‌ ଜନିତ ଖର୍ଚ୍ଚ ସମୁଦାୟ ଖର୍ଚ୍ଚର ପ୍ରାୟ ୪୦ ଶତାଂଶ। ତେଣୁ ନିରନ୍ତର ଓ ସୁଲଭ ମୂଲ୍ୟରେ ବିଦ୍ୟୁତ୍‌ ଯୋଗାଣ ସବୁଠାରୁ ଅଧିକ ଜରୁରୀ। ବିଜୁଳି ଯୋଗାଣରେ ଅନିୟମିତତା କୃଷି ଉତ୍ପାଦକୁ ନଷ୍ଟ କରିଦେବା ସହିତ ଶୀତଳ ଭଣ୍ଡାରକୁ ଆର୍ଥିକ ରୂପେ ବିକଳାଙ୍ଗ କରି ପକାଏ। ତେଣୁ ଶୀତଳ ଭଣ୍ଡାର ସକାଶେ ବିକଳ୍ପ ବିଦ୍ୟୁତ୍‌ ଯୋଗାଣର ପ୍ରାବଧାନ ନିତାନ୍ତ ଆବଶ୍ୟକ। ଓଡ଼ିଶାର ଅଧିକାଂଶ ଶୀତଳ ଭଣ୍ଡାରର ଡିଜେଲ ଚାଳିତ ଜେନେରେଟର୍‌ରୁ ବିକଳ୍ପ ବିଜୁଳି ପାଆନ୍ତି, ଯାହା ଅତ୍ୟନ୍ତ ବ୍ୟୟବହୁଳ। ଏବେ ସୌର ବିଜୁଳି ବ୍ୟୟ କ୍ରମେ ଅଧିକରୁ ଅଧିକ ଶସ୍ତା ହେଉଥିବାରୁ ଓଡ଼ିଶାର ଶୀତଳ ଭଣ୍ଡାରଗୁଡ଼ିକ ଲାଗି ଏହାର ବ୍ୟବସ୍ଥା କରାଯିବା ଆବଶ୍ୟକ। ଶୀତଳ ଭଣ୍ଡାର ଲାଗି ବିଦ୍ୟୁତ୍‌ ଖର୍ଚ୍ଚକୁ ସୀମିତ କରିବାର ଆବଶ୍ୟକତା ରହିଛି।

ଦ୍ୱିତୀୟରେ ଆମ ରାଜ୍ୟର ଶୀତଳ ଭଣ୍ଡାରଗୁଡ଼ିକ ଫସଲ ଉତ୍ପାଦନ ସ୍ଥଳ ଠାରୁ ବହୁତ ଦୂରରେ ଏବଂ ସେଗୁଡ଼ିକର ଶୀତଳିକରଣ କ୍ଷମତା ସମୁଦାୟ ଉତ୍ପାଦିତ ଫସଲ ତୁଳନାରେ ବଡ଼। ଉତ୍ପାଦିତ ଫସଲର ପରିବହନ ଚାଷୀଙ୍କୁ ଖର୍ଚ୍ଚାନ୍ତ କରେ ଏବଂ ଅଧିକ ବଡ଼ ଆକାରର ଶୀତଳ ଭଣ୍ଡାରଗୁଡ଼ିକ କାର୍ଯ୍ୟକ୍ଷମ ରହିବା ଲାଗି ଅଧିକ ଅର୍ଥ ଲୋଡ଼ନ୍ତି, ଯାହା ପରିଚାଳନା ଦୃଷ୍ଟିରୁ ଅସମ୍ଭବ ହୋଇପଡ଼େ। ଓଡ଼ିଶାର ଅଧିକାଂଶ ଶୀତଳ ଭଣ୍ଡାର କେବଳ କିଛି ନିର୍ଦିଷ୍ଟ ଖାଦ୍ୟଶସ୍ୟ କିମ୍ବା ପନିପରିବାକୁ ଲକ୍ଷ୍ୟରେ ରଖି ତିଆରି କରାଯାଇଥାଏ, ଯେମିତି କି ଅଧିକାଂଶ ଶୀତଳଭଣ୍ଡାର ଆଳୁ ନତୁବା ସାମୁଦ୍ରିକ ଖାଦ୍ୟ ଦ୍ରବ୍ୟ ସାଇତିବା ଲାଗି ଉଦ୍ଦିଷ୍ଟ। ଏକ ନିର୍ଦ୍ଦିଷ୍ଟ ଫସଲ ପାଇଁ ବ୍ୟବସ୍ଥା ଥିବାରୁ ତା’ର ଅମଳ ଋତୁ ସରିଗଲେ ଶୀତଳ ଭଣ୍ଡାରଗୁଡ଼ିକ ବର୍ଷର ଅବଶିଷ୍ଟ ସମୟ ବ୍ୟବହାର ହୋଇ ପାରେନା।

ଆମ ରାଜ୍ୟର କେଉଁଝର ଓ ମୟୂରଭଞ୍ଜ ଜିଲ୍ଲା ଟମାଟୋ ଉତ୍ପାଦନରେ ଅଗ୍ରଣୀ। ସରକାରୀ ତଥ୍ୟ ଅନୁସାରେ ଏହି ଦୁଇ ଜିଲ୍ଲାରେ ଯଥାକ୍ରମେ ମାତ୍ର ଗୋଟିଏ ଓ ଚାରିଟି ଶୀତଳ ଭଣ୍ଡାର ରହିଛି। ଏଥିରୁ ଟମାଟୋକୁ ଅଧିକ ଦିନ ସାଇତି ରଖିବା ଭଳି କୌଣସି ଗୋଟାଏ ବି ଶୀତଳ ଭଣ୍ଡାର ନାହିଁ। ଏ ସବୁ ଶୀତଳ ଭଣ୍ଡାର ଆଳୁ ନିମନ୍ତେ ଉଦ୍ଦିଷ୍ଟ। ସୁତରାଂ, ରାଜ୍ୟ ସରକାର ଖାଦ୍ୟଶସ୍ୟ ଏବଂ ପନିପରିବା ଉତ୍ପାଦନର ଧାରାକୁ ଅନୁଧ୍ୟାନ କରି ସେହି ଅନୁସାରେ ଶୀତଳ ଭଣ୍ଡାରର ଯୋଜନା କରିବା ଜରୁରୀ। ଏଭଳି ଅନୁଧ୍ୟାନ ପଂଚାୟତ କିମ୍ବା ବ୍ଲକ୍‌ ଅଧାରରେ ହେବା ଆବଶ୍ୟକ। ଯଦି ଗୋଟିଏ ଜିଲ୍ଲା ବା ସବଡିଭିଜନରେ ଉଭୟ ଆଳୁ ଓ ଟମାଟୋ ଉତ୍ପାଦନ ହେଉଥାଏ, ସେହି ଅଞ୍ଚଳରେ ‘ମଲ୍‌ଟି ଷ୍ଟୋରେଜ’ ବ୍ୟବସ୍ଥା ହେବା ଉଚିତ।

ସରକାର ଏ ସବୁ ଅସୁବିଧା ବିଷୟରେ ନିଶ୍ଚୟ ଅବଗତ ଅଛନ୍ତି। କିନ୍ତୁ ଦୁର୍ବଳ ପରିଚାଳନା ହିଁ ହେଉଛି ମୁଖ୍ୟ ସମସ୍ୟା। କିଛିବର୍ଷ ତଳେ ସମ୍ବଲପୁରର ଯୁଯୁମୁରା ବ୍ଲକ୍‌ରେ ଏକ ସୌରଶକ୍ତି ସଂପନ୍ନ ଶୀତଳ ଭଣ୍ଡାର ସ୍ଥାପନ କରାଗଲା ପରେ କିଛି ଦିନ ଭିତରେ ‘ସୌର ପ୍ୟାନେଲ’ଗୁଡ଼ିକ ଚୋରି ହୋଇଗଲା। ଏହାର କାରଣ ଦୁର୍ବଳ ସୁରକ୍ଷା ବ୍ୟବସ୍ଥା, ଯାହା ହେଉଛି ଏକ ପରିଚାଳନାଗତ ତ୍ରୁଟି। ପୁଣି ଦେଖାଯାଉଛି ଯେ ଅନେକ ସମୟରେ ବଡ଼ ବ୍ୟବସାୟୀମାନେ ଶୀତଳ ଭଣ୍ଡାରକୁ ନେଇ ସରକାରୀ ସବ୍‌ସିଡିର ଫାଇଦା ଉଠାନ୍ତି, ଏବଂ ତା’ ପରେ ବିଭିନ୍ନ ଆଳରେ ସେ ସବୁକୁ ବନ୍ଦ କରି ଦିଅନ୍ତି। ଏଭଳି କାର୍ଯ୍ୟକୁ ରୋକିବା ସରକାରଙ୍କ ଦାୟିତ୍ୱ। କିଛି ଶୀତଳ ଭଣ୍ଡାରଗୁଡ଼ିକର ପରିଚାଳନାକୁ ‘ପବ୍ଲିକ-ପ୍ରାଇଭେଟ ପାର୍ଟନରସିପ୍‌’ ବା ‘ପି.ପି.ପି’ ମୋଡ୍‌ରେ ନିଆଯାଇପାରନ୍ତା। ପ୍ରାୟତଃ ଦେଖାଯାଉଛି ଯେ ଘରୋଇ ଶୀତଳ ଭଣ୍ଡାରଗୁଡ଼ିକ ଦକ୍ଷ ପରିଚାଳନା ହେତୁ ଲାଭବାନ ହେଉଛନ୍ତି। ବିଗତ ୫ ବର୍ଷ ହେଲା ଶୀତଳ ଭଣ୍ଡାର ବ୍ୟବସାୟରେ ଲାଭ ବଢ଼ିବାରେ ଲାଗିଛି ଏବଂ ଦେଶରେ ଶୀତଳ ଭଣ୍ଡାରର ଆବଶ୍ୟକତା ଓ ବ୍ୟବସାୟ ମଉକାର ସଦ୍‌ବ୍ୟବହାର କରି ୨୦୧୨ ମସିହାରୁ ୨୦୨୩ ମସିହା ଭିତରେ ଅନେକ ଦେଶୀ ଏବଂ ବିଦେଶୀ କଂପାନି ମିଳିତ ଭାବେ ପାଖାପାଖି ୬,୫୦୦ କୋଟି ଟଙ୍କା ନିବେଶ କରିସାରିଛନ୍ତି। କେବଳ ତାହା ନୁହେଁ, ଦେଶରେ ‘ଇ-କମର୍ସ’ କିମ୍ବା ‘କ୍ଲାଉଡ୍‌ କିଚେନ’ ବ୍ୟବସାୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଯାହାର ଏକ ମୂଳ ପିଣ୍ଡ ଶୀତଳ ଭଣ୍ଡାର। ତେଣୁ ମୋଟାମୋଟି ଭାବେ କହିଲେ ‘ମଲ୍‌ଟି କମୋଡିଟି’ ଶୀତଳ ଭଣ୍ଡାରର ଆବଶ୍ୟକତା ଉଭୟ କୃଷକ ତଥା ବ୍ୟବସାୟ ସଂସ୍ଥା ପାଇଁ ଉପଯୋଗୀ ହୋଇଥାଏ। ତେଣୁ ରାଜ୍ୟର ସମସ୍ତ ଶୀତଳ ଭଣ୍ଡାରକୁ ‘ପି.ପି.ପି.’ ମୋଡ୍‌ରେ କିମ୍ବା ମିଳିତ ଉଦ୍ୟୋଗ ଭାବେ ଚଳାଇବା ଦିଗରେ ସରକାର ବିଚାର କରିବା ଉଚିତ।

ଗୋଟିଏ ୫୦୦ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଅତି ଉନ୍ନତ ସୁବିଧା ଥିବା ‘ମଲ୍‌ଟି ପର୍ପସ୍‌’ ଶୀତଳ ଭଣ୍ଡାର ପ୍ରତିଷ୍ଠା କଲେ, ଆନୁମାନିକ ଭାବେ ୩ କୋଟି ଟଙ୍କା ଖର୍ଚ୍ଚ ହୁଏ। ଓଡ଼ିଶାରେ ସମୁଦାୟ ୩୧୪ଟି ବ୍ଲକ ଥିବାରୁ ପ୍ରତି ଦୁଇଟି ବ୍ଲକ ପାଇଁ ଯଦି ଗୋଟିଏ ‘ମଲ୍‌ଟି ପର୍ପସ ଶୀତଳ ଭଣ୍ଡାର’ର ପ୍ରାବଧାନ କରାଯାଏ, ତେବେ ନୂଆ ଶୀତଳ ଭଣ୍ଡାର ତିଆରି ଏବଂ ପୁରୁଣା ବା ବନ୍ଦ ପଡ଼ିଥିବା ଶୀତଳ ଭଣ୍ଡାରର ପୁନରୁଦ୍ଧାର ପାଇଁ ସରକାରୀ ପାଣ୍ଠିରୁ ପ୍ରଥମ ସ୍ତରରେ ଅତି ଅଧିକରେ ୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରାଇଭେଟ କଂପାନିଗୁଡ଼ିକର ବ୍ୟବସାୟ ଉପରେ ନଜର ପକାଇଲେ ଦେଖିବାକୁ ମିଳେ ଯେ ସଫଳ ଭାବେ ପରିଚାଳିତ ଗୋଟିଏ ଶୀତଳ ଭଣ୍ଡାରରେ ଖର୍ଚ୍ଚ ହୋଇଥିବା ଅର୍ଥ ଅତି ଅଧିକରେ ୫-୭ ବର୍ଷରେ ମିଳିଯାଇଥାଏ। ତେଣୁ ଦକ୍ଷ ପରିଚାଳନା ହିଁ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ, ଯାହା ଶୀତଳ ଭଣ୍ଡାରଗୁଡ଼ିକୁ ଲାଭପ୍ରଦ କରିବ।

ଓଡ଼ିଶାର ପ୍ରତ୍ୟେକ ସବଡିଭିଜନ ପାଇଁ ଶୀତଳ ଭଣ୍ଡାରର ପ୍ରାବଧାନ କରାଯାଉଛି। ଏହା ଏକ ଭଲ ପଦକ୍ଷେପ। କିନ୍ତୁ ଉପରେ ବର୍ଣ୍ଣିତ ଦିଗଗୁଡ଼ିକ ପ୍ରତି ନଜର ଦିଆ ନ ଗଲେ ଶୀତଳ ଭଣ୍ଡାରର ସ୍ଥାପନା ବିଶେଷ ଲାଭପ୍ରଦ ହୋଇ ନ ପାରେ। ସେଥି ଲାଗି ସରକାର ବିଶେଷଜ୍ଞମାନଙ୍କ ସହିତ ଅଧିକ ବିଚାରବିମର୍ଶ କରନ୍ତୁ। ଆମେ ମନେ ରଖିବା ଉଚିତ ଯେ ଶୀତଳ ଭଣ୍ଡାରର ସଫଳତା ଆମ ରାଜ୍ୟର ଚାଷୀମାନଙ୍କ ଭାଗ୍ୟ ବଦଳାଇ ଦେବ ଓ ଖାଉଟିମାନଙ୍କୁ ମଧ୍ୟ ସୁଲଭ ଦରରେ ଖାଦ୍ୟଦ୍ରବ୍ୟ ଯୋଗାଇ ପାରିବ।

ଫୋ- ୯୪୩୮୨୯୯୦୩୭

Odisha Agriculture Fruits Cold Store Vegetable Price
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe